Unknown

 

 

 

 

 

 

 

 

 

 

 

ଦିବ୍ୟ ପ୍ରୟାସ

ଚିତ୍ତରଞ୍ଜନ ଦାସ

 

ମୁଖବନ୍ଧ

 

–ଦିବ୍ୟ ଜୀବନ ନିମନ୍ତେ ଆସ୍ପୃହା,–ଅର୍ଥାତ୍ ସକଳ ଅର୍ଥରେ ଏକ ସତତ ପ୍ରୟାସ । ଏକ ଅନ୍ୟ ଆଗାମୀ ଲାଗି ପ୍ରୟାସ,–ବ୍ୟକ୍ତିଗତ ଜୀବନରେ ଏବଂ ଅନ୍ୟ ସମସ୍ତଙ୍କର ମେଳରେ । ଏକ ଅନ୍ୟ ପ୍ରତ୍ୟୟ ତଥା ପାରସ୍ପରିକତାକୁ ମନ କରି ଏବଂ, ଖୁସି ହୋଇ ।

 

ସେହି ପ୍ରୟାସଟି ଯେତିକି ସ୍ଵାଭାବିକ ହୋଇ ଆସୁଥିବ, ଆମ ସମସ୍ତଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଗୋଟିଏ ଗୋଟିଏ ଦିବ୍ୟ ମୁହୂର୍ତ୍ତରେହିଁ ପରିଣତ ହୋଇ ଯାଉଥିବ…..

 

ପ୍ରସ୍ତୁତ ପ୍ରବନ୍ଧଗୁଡ଼ିକର ଏହି ସଂଗ୍ରହଟି ପ୍ରଧାନତଃ ନବଜ୍ୟୋତି, ମାତୃଭବନ ପତ୍ର ଓ ପୂର୍ଣ୍ଣାଙ୍ଗ ଶିକ୍ଷା ପତ୍ରରୁ ଆସିଛି । ସେଗୁଡ଼ିକୁ ଯଥାସମ୍ଭବ ପ୍ରଧାନତଃ ଭିନ୍ନ ଭିନ୍ନ ଗୁଚ୍ଛରେ ଦର୍ଶାଇ ଦିଆଯାଇଛି । ପାଠକ ବନ୍ଧୁମାନେ ତଥାପି କିଛି ଅସୁବିଧାର ସମ୍ମୁଖୀନ ହେବେ । ତଥାପି ଚଳାଇନେବେ ।

 

ସୂଚିପତ୍ର

ପ୍ରୟାସ, ଆମ ମେଳରେ

 

୧.

ତୀର୍ଥ ଦର୍ଶନ

୨.

ତିନୋଟି ସୋପାନ ଓ ତିନୋଟି ବିଜୟ

୩.

ଯୋଗ : ସହଜ ଓ କଠିନ

୪.

ନବସମ୍ଭବର ନୂତନ ରୀତି

୫.

ନୂଆର ହସ୍ତକ୍ଷେପ, ପୁରୁଣାର ପ୍ରତିରୋଧ

୬.

ଉନ୍ମୀଳନର କ୍ରମ

୭.

ବୀର ଓ ପଶୁ

୮.

ଭୀମଗର୍ତ୍ତ ଓ ଭୟ

୯.

ଜ୍ଞାନ ଓ ଭକ୍ତି

୧୦.

ମହତୀ ବିନଷ୍ଟି

୧୧.

ମଣିଷ ଓ ତା’ର ଠାକୁରମାନେ

୧୨.

ଏକ ସଦିଚ୍ଛା, ଏକ ଉଦାସୀନତା

୧୩.

ତୀର୍ଥାଟନର ମାୟା

୧୪.

ଅଲୌକିକର ଆକର୍ଷଣ

୧୫.

ନିତ୍ୟାନିତ୍ୟବସ୍ତୁବିବେକମ୍

୧୬.

ଧର୍ମ, ଦେଶ ଏବଂ ପରିବାର

୧୭.

ଅସଲ କାମ୍ୟ, ଅଧିକ କାମ୍ୟ

୧୮.

ଯୋଗର ଅନ୍ୟ ନାମ : ଜୀବନାୟନ

୧୯.

ତିନି ସୋପାନ, ତିନିଭଳି ସେନା

୨୦.

ଉଭୟକାମୀ ଉଭୟପାଦୀ

୨୧.

ଅଭୀପ୍ସା ଅନୁସାରେ କରୁଣା

୨୨.

ଯୋଗକ୍ଷତର ଉପଦ୍ରବ

୨୩.

ସାଧୁ ସତକଥା କହିବ

୨୪.

ହାରିବାକୁ ପଡ଼େ

୨୫.

ଅତୀତ ଆହୁରି....

୨୬.

ଆସ୍ତିକ ନାସ୍ତିକ

୨୭.

ଠାକୁରଟିଏ ଦରକାର

୨୮.

ଇଷ୍ଟଦେବ-ସଂସ୍କୃତି

୨୯.

ଜନ୍ମଗତ ଅଧିକାର

୩୦.

ସହ ନୌ ଭୂନକ୍ତୁ

୩୧.

ଭାଗ୍ୟ ଓ ଭଗବାନ

୩୨.

ହେଉ ଇଚ୍ଛା ପୂରଣ

୩୩.

ସମତ୍ଵଂ ଯୋଗମୁଚ୍ୟତେ

୩୪.

ଭଲ ମନରେ ନା ଭଲ ବିଧିରେ ?

୩୫.

ମଣିଷ ଆଉ ଦେବତା

୩୬.

ଏ ବାଟ, ଆର ବାଟ

୩୭.

ତାଙ୍କ କାମ କରିବାର ବାଟ

୩୮.

ସିଏ ଭିତରେ ନା ବାହାରେ ?

୩୯.

ଯେତେ ପୂଜି ମଧ୍ୟ ଅବିଶ୍ଵାସ

୪୦.

ଆଗ କିଏ ବଦଳିବ ?

୪୧.

ତୁମେ ଯେଉଁଆଡ଼ୁ ଆସ ପଛକେ

୪୨.

ସେ କେଉଁଠି ରହିଥାନ୍ତି ?

୪୩.

ସମର୍ଥମାନଙ୍କୁ ଆହ୍ଵାନ

୪୪.

ସିଧା ହୋଇ ଜଳୁଛି

୪୫.

ସବାଶେଷ କାମ

୪୬.

ନିରବଚ୍ଛିନ୍ନ ଚେତନା, ତାହାହିଁ ପୂଜା

୪୭.

ଅଚେତନାରେ ଚେନତା

୪୮.

ସିଏ ବାଛିଥିଲେ, ଆମେ ବାଛିଲୁ

୪୯.

ରାଜସିକ ସମର୍ପଣ

୫୦.

ଭଗବାନଙ୍କର କାମ

୫୧.

ହୃଦୟର ସହିତ ପଢ଼

୫୨.

ନିମିତ୍ତ କିଏ ହେବ ?

୫୩.

ଉତ୍ତରଣ ଅର୍ଥାତ ସମ୍ପ୍ରସାରଣ

୫୪.

ଆମ ସମ୍ମିଳନୀମାନ କାହିଁକି ?

୫୫.

ସ୍ପୃହା ଓ ଆସ୍ପୃହାର କଥା

୫୬.

ଏ ପୃଥିବୀ, ସେ ପୃଥିବୀ

୫୭.

ଅବଦମିତ ଚୈତ୍ୟ

୫୮.

“ସାବିତ୍ରୀ” ମହାକାବ୍ୟର ପରିଚିତି

୫୯.

ନବଯୁଗ

Image

 

ପ୍ରୟାସ, ଆମ ମେଳରେ

ତୀର୍ଥ ଦର୍ଶନ

 

ସେଦିନ ବଡ଼ିଭୋରରୁ ପଣ୍ଡିଚେରୀ ଷ୍ଟେସନରେ ଓହ୍ଲାଇଲି । ସମୁଦ୍ର ପବନ ଘୁ’ ଘୁ’ ହୋଇ ଆସି ଦେହରେ ବାଜୁଥାଏ । ଦେହଟାକୁ ଭାରି ହାଲୁକା କରି ଦେଉଥାଏ । ମନ୍ଦିର ଭିତରକୁ ପଶିଲା ବେଳକୁ ଠିକ୍ ଯେମିତି ହାଲୁକା ଲାଗେ, ସେମିତି । କିନ୍ତୁ ଯେଉଁ ମନ୍ଦିରର ଉପରେ କୌଣସି ପତାକା ନାହିଁ, ଯେଉଁଠି ପୂଜାରୀକୁ ତା’ର ଚିତାପଇତାର ପୂଜା-ବୁଟୀ ଦେଇ ଚିହ୍ନିବାକୁ ମଣିଷର ଜୁ’ ନାହିଁ, ସେଠି ମୁଁ ମନ୍ଦିର ପାଇବି କିପରି ? ବାଟ ପଚାରି କେବଳ ଆଗକୁ ଯାଉଥାଏ । ଯାହାକୁ ପଚାରୁଥାଏ, ସମସ୍ତଙ୍କଠାରୁ ସେଇ ଗୋଟିଏ ଆଶ୍ଵାସବାଣୀ ଶୁଣିବାକୁ ପାଉଥାଏ,–‘ହେଇ ଆଗକୁ’-। ଏମିତି ପ୍ରାୟେ ଅଧଘଣ୍ଟାଏ ବାଟ ଚାଲିବା ପରେ ହଠାତ୍ ଗୋଟିଏ ଜାଗାରେ ଅଟକିଗଲି-। ମନକୁମନ ଚୁପ୍ ହୋଇଗଲି । ସେଠି ଅନେକ ଲୋକ ଜମା ହୋଇ ଥାଆନ୍ତି । ସମସ୍ତଙ୍କର ମୁଖ ଆନତ, କିନ୍ତୁ ଧ୍ୟାନ ଉପରକୁ । କୋଉଠି କୌଣସି ତରତର ନାହିଁ କି ତତ୍ପରତା ନାହିଁ-। କେବଳ ନିମଗ୍ନ ହୋଇଯିବାର ସକ୍ରିୟତା ରହିଛି, କେବଳ ଆତ୍ମନିବେଦନର ଅବଗାହିବା ରହିଛି-। ମୁଁ ବି ଚୁପ୍ ହୋଇଗଲି । ସାନ୍ନିଧ୍ୟର କରାମତି ଏ ! ସେଇଥିପାଇଁ ଜୀବନରେ ଗୋଟାଏ ଗୋଟାଏ କ୍ଷଣରେ ମଣିଷ ହଠାତ୍ ଚୁପ୍ ହୋଇଯାଏ,–ହଠାତ୍ ଆପଣା ଭିତରେ ସିଏ ସବୁ ସଂଶୟର ଅଡ଼ୁଆ ତୁଟାଇଦିଏ । ହଠାତ୍ ସବୁ ପାଏ ଓ ଧନ୍ୟ ହୁଏ । ଦୂରରେ ଥିବା କୌଣସି ଶ୍ରେୟଃ-ସମ୍ପଦ ସତେଅବା ତା’ର ଅତି ସାନ୍ନିଧ୍ୟକୁ ଚାଲିଆସେ । ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ମନ ଭିତରେ ସବୁ ମଳି-ଧୂଳି ପୁଣ୍ୟ ହୋଇଯାଏ । ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ସବୁଦିନ ଲାଗି ବାଟ ଦିଶିଯାଏ-। ସେଦିନ ହଠାତ୍ ସେହି ମେଳରେ ଅଟକିଯାଇ ସେମିତି ଲାଗିଲା ।

 

ଆଶ୍ରମରେ ଶ୍ରୀମା’ଙ୍କର ପ୍ରାତଃଦର୍ଶନ ବେଳ ସେ । ସବୁଦିନେ ସକାଳେ ସେଠାରେ ଏମିତି ପ୍ରଶାନ୍ତ ସମ୍ମିଳନ ହୁଏ, ନୀରବ ଶକ୍ତି-ଆହରଣ ହୁଏ । ଆପଣା ଭିତରେ ରହିଥିବା ମଣିକୁ ଚିହ୍ନି ମଣିଷ ଆଉ ସମସ୍ତଙ୍କୁ ଚିହ୍ନି ବାହାରେ । ଆମେ ସଂସାରର ନୀତିଦିନ ଜଞ୍ଜାଳ ଭିତରେ ଅନେକ ଲୋକଙ୍କୁ ଭେଟୁ, ତଥାପି ଆମେ କାହାକୁ ଚିହ୍ନୁନାହିଁ । କାହାକୁ ଆମେ ଆପଣା ଭିତରକୁ ଡାକି ଆଣି ପାରୁନାହିଁ । ନିଜକୁ ଚିହ୍ନିବା ତ ଆହୁରି ଦୁରୂହ କଥା । ଆପଣାର ହୃଦୟଦ୍ଵାରକୁ କିଳି ରଖିଥିବା ଢାଙ୍କୁଣିଟିକୁ ଖୋଲିଦେଇ ଯିଏ ତୀର୍ଥ କରି ବାହାରେ, ସେଇ ଚିହ୍ନେ, ସେଇ ପ୍ରବେଶ କରିପାରେ । ଏମିତି ଢାଙ୍କୁଣି ଖୋଲି ମଣିଷ ମଣିଷ ଭିତରେ ଭେଟ ହେବା ଉଚିତ । ଏହି ମହିମାମୟ ଭେଟର କଳ୍ପନା କରି ବୋଧହୁଏ ଦାର୍ଶନିକ ବୁବର୍ (ଜେରୁଜେଲମ୍ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଶ୍ରୀ ମାର୍ଟିନ୍ ବୁବର୍) କହିଛନ୍ତି ଯେ, ମଣିଷ ମଣିଷ ସହିତ ଭେଟିଲେ ଇତିହାସ ସଂଘଟିତ ହୁଏ । ନୂତନର ସଂଘଟତ ହୁଏ । ମହାପୁରୁଷମାନଙ୍କର ସାନ୍ନିଧ୍ୟ ମୋତେ ଏହି ଭେଟିବା କଥା ଚେତାଇଦିଏ, ମୋତେ ଚିଆଁଇ ଦେଇଯାଏ । ମହାନ୍‌ର ସ୍ପର୍ଶ ପାଇ ଆପଣା ଭିତରର ମହାନ୍‌କୁ ଭେଟିବା ଲାଗି ମୁଁ ବ୍ୟାକୁଳ ହୋଇଉଠେ । ନିରାଟ ଶାସ୍ତ୍ରୀୟ ଭକ୍ତିକୁ ପଇଟାଇ ରଖିଥିବା ପଣ୍ଡିତମାନେ ହୁଏତ ଏଥିରେ ଆପତ୍ତି କରିବେ । କିନ୍ତୁ, ଜଣେ କରୁଣାପରବଶ ହୋଇ ଉପରୁ ଦେବ, ଆଉ ଜଣେ ନ୍ୟୂନତାର ପରବଶ ହୋଇ ତଳୁ ଗ୍ରହଣ କରିବ,-ମୁଁ ଭକ୍ତି କହିଲେ ଏହି ଆତୁର ବ୍ୟବସାୟଠାରୁ ଅନେକ ଅଧିକ ବୋଲି ମନେକରେ । ସିଏ ଆଗ ଉପରୁ ଅବତରଣ କରିବ, କି ମୁଁ ଆଗ ତଳୁ ସଜ ହୋଇ ତାକୁ ଧରିବାକୁ ଯିବି, ବୌଦ୍ଧିକତାର ଏ ବାଦ ଭିତରେ ମୁଁ ପଶିବାକୁ ମୋଟେ ଯିବିନାହିଁ । ମୋର ଦୁଆର ଖୋଲିବା ଓ ତା’ର ପ୍ରବେଶ କରିବା ମାତ୍ର ଗୋଟିଏ ଅବିଭକ୍ତ ମୁହୂର୍ତ୍ତରେ ସଂଘଟିତ ହୁଏ, ଶ୍ରୀ ଏକ୍‍ହାର୍ଟ୍‍ଙ୍କର (ଜର୍ମାନୀର ମଧ୍ୟଯୁଗୀୟ ସନ୍ଥ Meister Eckhart) ଏହି କଥାଟିକୁ ଆମକୁ ଆପଣା ଜୀବନରେ ଅନୁଭବ କରିବାକୁ ହେବ ।

 

ସକାଳର ଉପାହାର ପରେ ଆମେ ଆଶ୍ରମର ବିଭିନ୍ନ ବିଭାଗକୁ ବୁଲି ବାହାରିଲୁ । ମୋ’ ସାଙ୍ଗରେ ବାଲେଶ୍ଵର କଲେଜର ଜଣେ ଅଧ୍ୟାପକ ବନ୍ଧୁ ଥାଆନ୍ତି । ଆମକୁ ବୁଲାଇ ଦେଖାଇବାକୁ ଯିଏ ଆମ ସାଥିରେ ବାହାରିଲେ, ସେ ମଧ୍ୟ ଯୁବକ-ବଙ୍ଗଦେଶାଗତ,-ପଣ୍ଡିଚେରୀ ଆସିବା ପୂର୍ବରୁ ସୈନ୍ୟ-ବିଭାଗରେ କୌଣସି କର୍ମଚାରୀ ଥିଲେ; ତାକୁ ପରିତ୍ୟାଗ କରି ସେ ଏଠାକୁ ଆସିଛନ୍ତି ଓ ଏହିଠାରେହିଁ ସମସ୍ତ ଜୀବନ ରହିବେ । ଆଶ୍ରମର ଗୋଟିଏ ଜୀପ୍‌ଗାଡ଼ିରେ ସେ ଆମକୁ ଧରି ବାହାରିଲେ । ବିଭିନ୍ନ ବିଭାଗ ଦେଖିବା ଲାଗି ପଣ୍ଡିଚେରୀ ସହରର ଏପାଖସେପାଖ ଯିବାକୁ ପଡ଼ିଲା । ଜୀବନର କର୍ମସଂସ୍ଥାନ ଯେ ବହୁମୁଖୀ, ତାହାର ପରିଚୟ ମିଳିଲା । କେଉଁଠି ନିର୍ମାଣ ବିଭାଗର ଅତ୍ୟାଧୁନିକ ଉପାୟରେ ସିମେଣ୍ଟ୍‍ର ଇଟା (Hollow Bricks) ତିଆରି ହେଉଛି, କେଉଁଠି କୃଷିଫାର୍ମରେ ଫସଲ ଫଳାଯାଉଛି । ଆଶ୍ରମରେ କୁକୁଡ଼ା-ପାଳନ ବିଭାଗ ଅଛି, ଗୋଶାଳା ମଧ୍ୟ ରହିଛି । ଅଟା ପେଷିବାଠାରୁ ରୁଟି ତିଆରି କରିବା ଇତ୍ୟାଦି ଲାଗି ଅତ୍ୟାଧୁନିକ ବେକେରି ମଧ୍ୟ ଦେଖିଲୁ । ଅତ୍ୟାଧୁନିକ ଲଣ୍ଡ୍ରିରେ ଲୁଗାବି ପରିଷ୍କାର କରାଯାଉଛି । ତା’ପରେ ହସ୍ତକର୍ମ ବିଭାଗ, ସିଲାଇ ବିଭାଗ, ବୁଣାଇ ବିଭାଗ ଓ ଆହୁରି କେତେ କ’ଣ । ସେଇଠୁ ଛାପାଖାନା,–ଆଶ୍ରମର ସବୁଠାରୁ ମହାନ୍ ଓ ସବୁଠାରୁ ପବିତ୍ର କଳ । ପୃଥିବୀର ଏପାଖରୁ ସେପାଖ ଯାଏଁ ଆଶ୍ରମର ମହକକୁ ଚହଟାଇ ଦେଇ ପାରୁଛି, ଯାହାଦ୍ୱାରା ପୃଥିବୀର ବାର ସଂସର୍ଗରୁ ଏଠିକାର ଅମୂଲ୍ୟ ସଂସର୍ଗ ଯାଇ ମଣିଷକୁ ଉଦ୍‌ବୁଦ୍ଧ କରି ନେଇ ଆସୁଛି ।

ଆଶ୍ରମର ଖେଳପଡ଼ିଆ ପ୍ରକୃତରେ ଏକ ତୀର୍ଥ ପରି ମନେହେଲା । ସଂସାରର ଜୀବନକୁ ବିଚିତ୍ର ଲୀଳା ବା କ୍ରୀଡ଼ାଥଳ ବୋଲି ଅନୁଭବ କରୁଥିବା ମହାଯୋଗୀଙ୍କର ଯୋଜନାରେହିଁ ଏପରି ସୁନ୍ଦର ଓ ସୁଯତ୍ନ-ସଂରକ୍ଷିତ ଖେଳପଡ଼ିଆ ସମ୍ଭବ ହୋଇପାରିବ । ଖେଳ, କୁସ୍ତି, ଡିଆଁ, ଦଉଡ଼ ସବୁଟିଲାଗି ଚମତ୍କାର ବ୍ୟବସ୍ଥା ରହିଛି । ପହଁରିବା ପାଇଁ ରହିଥିବା ପୋଖରୀକୁ ଦେଖି ଅବାକ ହୋଇଗଲି । ଭାରତବର୍ଷରେ ବା ଏସିଆରେ ଆଧୁନିକ ଯୋଜନାରେ ସୁସମ୍ପନ୍ନ ହୋଇ ରହିଥିବା ଏହି ସନ୍ତରଣ ସ୍ଥାନ ଅଦ୍ଵିତୀୟ ବୋଲି ଶୁଣିଲି । ତା’ପାଖକୁ ଲାଗି କରି ଛୋଟପିଲାଙ୍କ ଲାଗି ଆଉ ଗୋଟିଏ ପୋଖରୀ । ପାଣି ଅଳ୍ପ, ଯେପରିକି ପିଲାମାନେ ଅନ୍ୟମାନଙ୍କ ପରି ସନ୍ତରଣ-କ୍ରୀଡ଼ାରେ ଆନନ୍ଦ ପାଇବେ, ଅଥଚ ବୁଡ଼ି ଯିବେନାହିଁ, ବା ସେମାନଙ୍କୁ ଆକସ୍ମିକ କୌଣସି ବିପଦରୁ ରକ୍ଷା କରିବାଲାଗି କୌଣସି ସତର୍କ ବୟସ୍କକୁ ଜଗିବାକୁ ପଡ଼ିବ ନାହିଁ ।

ସେଇଠୁ ଆମେ ଆସିଲୁ ବିଦ୍ୟାଳୟକୁ । ବିଦ୍ୟାଳୟ ବୋଇଲେ ଏଠି ପ୍ରାରମ୍ଭିକ ସୋପାନଠାରୁ ଆରମ୍ଭ କରି କଲେଜ ଓ କଲେଜପର ଗବେଷଣାକୁ ବୁଝାଏ । ଗତ କେତେ ବର୍ଷ ହେଲା ଏକ ଆନ୍ତର୍ଜାତିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହୋଇ ଏଠାକାର ସ୍ଵତନ୍ତ୍ର ଶିକ୍ଷାସାଧନାର ବ୍ୟବସ୍ଥା କରୁଛି । ବିଶ୍ଵବିଦ୍ୟାଳୟ କହିଲେ ତ ଖାଲି ବେଞ୍ଚ୍, ଚଉକି, ଚଶମାଦିଆ କିରାଣି ଆଉ ମାଷ୍ଟରଙ୍କୁ ବୁଝାଏ ନାହିଁ । ଯେଉଁଠି ଖୁସି ଅଛି, ଯେଉଁଠି ମଣିଷ ଯେତିକି ପାଉଛି, ଆପଣାକୁ ସେତିକି ଦରିଦ୍ର ବୋଲି ଅନୁଭବ କରି ଆହୁରି ଧାଉଁଛି, ଆହୁରି ଖୋଜୁଛି, ଯେଉଁଠି ପିଲା ଓ ଶିକ୍ଷକ ଏକାଠି ଖୋଜୁଛନ୍ତି, ସେଇଠି ବିଦ୍ୟାଳୟ ରହିଛି ବୋଲି ମୁଁ କହିବି । ପଣ୍ଡିଚେରୀରେ ତାହା ଅଛି । ଏଠି ବହୁତ ଜ୍ଞାନୀ ଶିକ୍ଷକ ଅଛନ୍ତି, ଆଗ୍ରହର ସହିତ ପଢ଼ାଉଛନ୍ତି । ଛାତ୍ର ମଧ୍ୟ ଅନେକ ଖୁସି ଓ ଅନେକ ଆଗ୍ରହରେ ପଢ଼ୁଛି । ଏଠି ଜ୍ଞାନ, ବିଜ୍ଞାନ ଓ ଆତ୍ମଜ୍ଞାନ ସବୁଟି ଲାଗି ସ୍ଥାନ ରହିଛି । ଜାତି, ଧର୍ମ ବା ବାଦ ନେଇ କୌଣସି ଉତ୍ତେଜନା ନାହିଁ । ଜ୍ଞାନର କୌଣସି ଦହନ ଏଠି ନାହିଁ । ଜ୍ୟୋତି ଅଛି । ପାଇବାର କୌଣସି ଦମ୍ଭ ନାହିଁ, ଅନୁସନ୍ଧାନ କରିବାର ପ୍ରସନ୍ନତା ରହିଛି ।

ତା’ପରେ ଗ୍ରନ୍ଥାଳୟ । ଇଂରାଜୀ ଓ ଫରାସୀ ଭାଷାରେ ଅଧିକ ଗ୍ରନ୍ଥ । ତଥାପି ଅନ୍ୟାନ୍ୟ ଭାଷାରେ ମଧ୍ୟ କମ୍ ନାହିଁ । ସବୁରି ସଂଗ୍ରହପାତ୍ରରେ ଖାଦ୍ୟ ଦେଉଛି ଏହି ଗ୍ରନ୍ଥାଳୟ । ସବୁ କର୍ମଭିତରେ କର୍ମାତୀତ ପ୍ରସାରର ସ୍ପର୍ଶ ଦେଉଛି ଏହି ଗ୍ରନ୍ଥାଳୟ । ସବୁଠିଁ ଗ୍ରନ୍ଥାଳୟ ପାଖରେ ମୁଣ୍ଡ ନଇଁପଡ଼େ । କୌଣସି ଗୋଟିଏ ଭାରି ଶକ୍ତିମାନର ସମ୍ମୁଖରେ ଆସି ଠିଆହୋଇ ଗଲାପରି ମନେହୁଏ । ବିନୋବା ଏହି ଶକ୍ତିକୁ ଶବ୍ଦଶକ୍ତି ବୋଲି କହନ୍ତି । ଏହି ଶକ୍ତି ସରସ୍ଵତୀଙ୍କର ଶକ୍ତି, ସକଳ ଜଡ଼ତାକୁ ଅପହରଣ କରିନେବାର ଶକ୍ତି ।

ସେଇଠୁ ଭୋଜନର ସମୟ ହେଲା । ପ୍ରାୟ ବାରଶହ ପିଲା, ଯୁବକ ଓ ପ୍ରୌଢ଼ ମଣିଷ ଯୋଉଠି ଖାଆନ୍ତି ସେଠାରେ କାହାରି ପାଟି ଶୁଭେନାହିଁ କି କେଉଁଠି ଟିକିଏ ଝଣ୍ କରି ଶବ୍ଦ ହୁଏନାହିଁ । ପରିବେଷଣ-ପ୍ରଣାଳୀ ଲଣ୍ଡନ ବିଶ୍ଵବିଦ୍ୟାଳୟର ଭୋଜନ ବିଭାଗ ପରି । ଜର୍ମାନୀର ବିଶ୍ଵବିଦ୍ୟାଳୟମାନଙ୍କର ଛାତ୍ର-ଭୋଜନଶାଳା (Metsah)ରେ ଏହିପରି ଦେଖିଥିଲି । କିନ୍ତୁ ବ୍ୟବସ୍ଥା ସିନା ଏକା, ହେଲେ ଏହି ଶାନ୍ତ ସମାହିତ ବାତାବରଣ ଯେପରି ଏଠାକାର ନିଜସ୍ଵ । ପେଟର ପୂଜା ବ୍ରହ୍ମର ପୂଜାଠାରୁ କମ୍ ପବିତ୍ର ନୁହେଁ । ଖାଇବାବେଳେ ମଧ୍ୟ ଆପଣାକୁ ପ୍ରସ୍ତୁତ କରିବାକୁ ପଡ଼ିବ, ସମର୍ପଣ କରିବାକୁ ପଡ଼ିବ । ଖାଇବା ପରେ ଅଇଁଠା ବାସନ ଧୋଇବାର ରୀତି ମଧ୍ୟ ଅତି ଚମତ୍କାର । ନିଖୁଣ ଅଥଚ ନିରାଡ଼ମ୍ବର ଭାବରେ ସମର୍ପିତ ମନ ନେଇ କାମ କଲେ ସଂସାରର ତଥାକଥିତ ହୀନତମ କାମରେ ଯେ ଯଥେଷ୍ଟ କଳା ଫୁଟି ଉଠି ପାରିବ, ତାହାରି ନିଦର୍ଶନ ଏଠି ପାଇଲି !

ଖରାବେଳେ ବିଶ୍ରାମ ନେଇ ପ୍ରାୟ ଚାରିଟାବେଳକୁ ସମୁଦ୍ରକୂଳକୁ ଗଲୁ । ସେଠି ଶ୍ରୀମା ସବୁଦିନେ ଏତିକିବେଳେ ଟେନିସ୍ ଖେଳନ୍ତି । ଖରା କ୍ରମେ କମି ଆସୁଥାଏ, ଶରୀର ଚର୍ଚ୍ଚାପାଇଁ ଆଶ୍ରମବାସୀମାନେ ବାହାରି ପଡ଼ିଲେ । କିଏ ଆସନ କଲେ ତ କିଏ ପ୍ରାଣାୟମ କଲେ; କିଏ ବଡ଼ବଡ଼ ଗଦା-ମୁଷଳ ପ୍ରଭୃତି ନେଇ ପାଶ୍ଚାତ୍ୟ ଧରଣର ବ୍ୟାୟାମ କଲେ । ସମୂଦ୍ରକୂଳରେ ଦଉଡ଼ିବା ଲାଗି ମଧ୍ୟ କେତେଜଣ କାର୍ଯ୍ୟକ୍ରମ ରଖିଛନ୍ତି । ଖେଳ ପରେ ଶ୍ରୀମା’ଙ୍କ କ୍ଲାସ୍ । ତା’ପରେ ସନ୍ଧ୍ୟା ସାତଟା ବେଳକୁ ପରେଡ଼୍ । ଶ୍ରୀମା ଭାରତର ମାନଚିତ୍ରକୁ ପଛରେ ରଖି ଠିଆ ହେବେ, ପିଲାମାନେ ପରେଡ଼୍ କରି ତାଙ୍କ ଆଗରେ ଚାଲିଯିବେ ।

ତା’ପରେ ସାନ୍ଧ୍ୟ ଭୋଜନ ହେଲା । ମୁଁ ତ ଯିବାକୁ ତରତର ହେଉଥାଏ । ତୀର୍ଥକାକ କ’ଣ ତୀର୍ଥର ସବୁକିଛି ଦେଖିପାରେ ? ହୁଏତ କେବଳ ଦୃଶ୍ୟହିଁ ଦେଖେ । ଅଦୃଶ୍ୟଟାକୁ ଦେଖି ପାରେନାହିଁ । ଅତିଥିଶାଳାକୁ ଗଲି । ଅତିଥିଶାଳା ଆଶ୍ରମର ଏକ ମହନୀୟ ସମ୍ପତ୍ତି । ଏବେ ତିଆରି ହୋଇଥିବା ସୁଠାମ ଓ ସୁନିପୁଣ କାରିଗରିପୂର୍ଣ୍ଣ ଗୋଲକୁଣ୍ଡା ନିବାସ ଆଗ ଆଖିରେ ପଡ଼ିଯାଏ । ତା’ପରେ ତ ସାଧାରଣ ଅତିଥିଶାଳାମାନ ରହିଛି । ପ୍ରାୟ ରାତି ନଅଟାବେଳେ ପୁଣି ଷ୍ଟେସନକୁ ଧାଇଁଲି । ବନ୍ଧୁମାନେ ଅଧବାଟରେ ବିଦାୟ ଦେଇଗଲେ ।

ଆଶ୍ରମର ଗଛ ଆଉ ଫୁଲ ମୋତେ ସବୁଠାରୁ ଭଲ ଲାଗିଲା । ମଣିଷର ହାତ ନ ବାଜିଥିବା ପ୍ରକୃତି ଅନେକ ଜାଗାରେ ଦେଖିଛି । କିନ୍ତୁ ମନୁଷ୍ୟର ହାତ ବାଜି ଯେ ପ୍ରକୃତି ଏପରି ସୁନ୍ଦର ଓ ପ୍ରାକୃତିକ ହୋଇପାରେ, ଧ୍ୟାନ ଲାଗି ଏପରି ବିସ୍ତାର ଯୋଗାଇ ଦେଇପାରେ, ଏଠାକୁ ଆସିବା ପୂର୍ବରୁ ମୁଁ ତାହା କଳ୍ପନାବି କରି ନଥିଲି । ପ୍ରତ୍ୟେକଟି ଗଛ ଓ ପ୍ରତ୍ୟେକଟି ଡାଳ ଏଠି ସ୍ନେହରେ ସତେଜ ହୋଇ ଉଠିଛି । ପ୍ରତ୍ୟେକଟି ଫୁଲର ପାଖୁଡ଼ା ସତେଅବା ହୃଦୟକୁ କେତେ ଧନରେ ଧନୀ କରିଦେଇ ଯାଉଛି । ଯୁଆଡ଼କୁ ଚାହିଁବ, ସିଆଡ଼େ ଫୁଲ, ସିଆଡ଼େ ମନୋହର ରଙ୍ଗ, ସିଆଡ଼େ ମନୋଭିରାମ ଗଛଛାଇ । କେବଳ ସ୍ନେହୀ ମନୁଷ୍ୟର ଯତ୍ନ ଓ ହାତ ବାଜିଲେ ଗଛ ଓ ଫୁଲ ଏତେ ସୁନ୍ଦର ଦିଶେ । ସବୁ ବଗିଚାର ମାଳୀ ସମାନ ନୁହନ୍ତି । ସେଥିପାଇଁ ଜଣେ ମାଳୀର ଫୁଲ ଭିତର ଦେଇ କେବଳ ତାହାର ଦମ୍ଭ ଓ ଆଡ଼ମ୍ବରଟା ପ୍ରକାଶ ପାଏ । ଆଉ ଜଣେ ଜଣେ ମାଳୀର ହାତ ଯେଉଁଠି ବାଜିଥାଏ, ସେଠି ଖାଲି ଆଖିପାଇଁ ଭୋଜ୍ୟ ମିଳେନାହିଁ, ସେଠି ହୃଦୟ ଲାଗି ମଧ୍ୟ ଅନେକ ପ୍ରସାଦ ମିଳେ । ପଣ୍ଡିଚେରୀ ଆଶ୍ରମରେ ଗଛ ଓ ଫୁଲର ଶୋଭା ପ୍ରଧାନତଃ ହୃଦୟ ଲାଗି,-ଆଖି ଲାଗି ତ ନିଶ୍ଚୟ ।

ଶ୍ରୀ ଅରବିନ୍ଦ ଓ ଶ୍ରୀମା’ଙ୍କ ସାଧନା ଓ ସାଧନାପୀଠ ବିଶ୍ଵବିଦିତ । ଆଧୁନିକ ଧର୍ମ ଓ ଦର୍ଶନର କାହାଣୀରେ ଏହାର ଏକ ଗୌରବମୟ ଅଧ୍ୟାୟ ଅବଶ୍ୟ ରହିଛି । ମୁଁ ଏଠାରେ ତାହାର ଆଲୋଚନା କରିବି ନାହିଁ । ଗୋଟାଏ ତୀର୍ଥକୁ ଊଣେଇଶ ବୋଲି କହି ଅନ୍ୟ ଗୋଟାକୁ ବିଶ୍ ବୋଲି କହିବାର ଲୋଭରେ ମୁଁ ପଡ଼ିବି ନାହିଁ । ଏମିତି ତଉଲିବାର ଦମ୍ଭଦ୍ଵାରା ମଣିଷ ଜୀବନର ଅନେକ ଆନନ୍ଦକୁ ନଷ୍ଟ କରି ଦିଆଯାଉଛି । ସାଧନାର ଅମୃତରେ ଘୃଣା ଓ ଗ୍ଳାନିର ବିଷ ମିଶାଇ ଦିଆଯାଉଛି । ମୁଁ ତାହା କରିବି ନାହିଁ । ମୁଁ କହିବି, ପଣ୍ଡିଚେରୀ ଆଶ୍ରମରେ ଜୀବନର କୌଣସି ଦିଗକୁ ବାଦ୍ ଦିଆଯାଇନାହିଁ । ଏ ଯୋଗକୁ ସମଗ୍ର ଯୋଗ ବୋଲି କହିବାକୁ ହେବ । ଭାଗବତ ଘର ବୋଲି ଖଣ୍ଡେ ଘର ଅଲଗା କରି ରଖି ଆଉ ଅନେକ ଜାଗାରେ ଆପଣାର ସାଂସାରିକ ଘର ଜମାଇଥିବ, ମଝିରେ ମଝିରେ ଥରେ ଭାଗବତ ଘରେ ମୁଣ୍ଡିଆଟିଏ ମାରିଦେଇ ଆସିବ, ଏ ଦୁର୍ନୀତି ପଣ୍ଡିଚେରୀରେ ନାହିଁ । ଏଠି ଖାଇବା ଘର ଓ କାରଖାନା ଘର, ଖେଳ ଘରକୁ ଓ ବହି ଘରକୁ ମଧ୍ୟ ଭାଗବତ ଘର କରି ରଖିବାର ପ୍ରୟାସ କରାଯାଇଛି । ସମର୍ପିତ ମନ ଯେଉଁଠି ପ୍ରବେଶ କରେ, ସିଏ ସେଠି ମଧ୍ୟ ଭାଗବତ ଘରକୁ ସମ୍ଭବ କରେ । ଏହାହିଁ କର୍ମଯୋଗର ଅସଲ କଥା । ଏହି ସମର୍ପିତ ଭୂମି ଉପରେହିଁ କର୍ମ, ଜ୍ଞାନ ଓ ଭକ୍ତିର ସଂଶୟ ତୁଟିଯାଏ । ପ୍ରତ୍ୟେକଟି ପ୍ରତ୍ୟେକ ଲାଗି ବାଟ ଛାଡ଼ିଦିଏ । ମଣିଷର ଜୀବନକୁ ତିନିଖଣ୍ଡିଆ କରି ରଖିବାଲାଗି, କୌଣସି କୁସଂସ୍କାର ଲାଗି ଆଉ ଅବକାଶ ରହେନାହିଁ ।

ପଣ୍ଡିଚେରୀଠାରୁ ରାତି ଗାଡ଼ି ଧରି ମାନ୍ଦ୍ରାଜ ଆସିଲି । ତା’ ପୂର୍ବଦିନ ରାତିରେ କାଞ୍ଚିପୁରମ୍ ଓ ପକ୍ଷୀତୀର୍ଥ ଦେଖି ପଣ୍ଡିଚେରୀ ଯାଇଥିଲି । ଦୁଇ ଦିନର ତୀର୍ଥ ଦର୍ଶନରେ ରହିଥିବା ବିରୋଧ ବିଷୟରେ ଖାଲି ମୁଁ ଭାବୁଥାଏ । କାଞ୍ଚିପୁରମ୍ ବିଷ୍ଣୁ ମନ୍ଦିରରେ ମଣିଷ ଜନ୍ତି ହୋଇ ଯାଉଥାନ୍ତି,-ମଣିଷମାନଙ୍କୁ ସମ୍ଭାଳିବାକୁ ଛାଟ ଧରି ପୁଲିସ ରହିଥାନ୍ତି । ଏତିକିବେଳେ ଝାଳ-ଗନ୍ଧ ଓ ମଣିଷ-ପାଟିର ଅସ୍ୱସ୍ତି ଭିତରେ ଭଗବାନଙ୍କର ପହଡ଼ ଖୋଲିଲା । ସବୁଆଡ଼ୁ ଭକ୍ତମାନଙ୍କର ଚିତ୍କାର ଶୁଭିଲା । ସେହି କୋଳାହଳ ମଧ୍ୟରୁ ବାହାରି ପଳାଇ ଆସିବାକୁ ମୋ’ର ତର ସହିଲା ନାହିଁ । ପକ୍ଷୀତୀର୍ଥରେ ମଧ୍ୟ ସେଇଆ । ଆମ ଘର ପାଖରେ ପୁରୀ ବା କପିଳାସରେ ମଧ୍ୟ ଠିକ୍ ସେହି କଥା-। କେବଳ କୋଳାହଳ, କେବଳ ଆତୁରତା; ଜୀବନକୁ ଭୁଲି ଦଣ୍ଡେ ଆପଣା ମନରେ ଦେବତାର ଭୂତ ଲଗାଇ ଦେବାର ଆର୍ତ୍ତନାଦ,–ମୁଁ ଏହାକୁ ଭକ୍ତିର ଏକ ରାଜସିକ ବିକ୍ଷେପ ବୋଲି କହିବି-। ଭାରତରେ ଧର୍ମ ଖୋଜିବାକୁ ଯାଇ ଅନେକ ତୀର୍ଥରେ ଏହି ବିକ୍ଷେପଟାହିଁ ହୃଦୟକୁ ବିଚଳିତ କରି ପକାଏ । ପଣ୍ଡିଚେରୀର ଭକ୍ତିକୁ ମୁଁ ସାତ୍ତ୍ଵିକ ଭକ୍ତି ବୋଲି କହିବି ନାହିଁ । ସାତ୍ତ୍ଵିକରେ ମଧ୍ୟ ଦମ୍ଭ ରହିପାରେ, ଆତୁରତା ଆସିପାରେ, ପାଳାଇବାର ଲାଳସା ଆସିପାରେ । ମୁଁ ତାକୁ ମାନବିକ ଭକ୍ତି ବୋଲି କହିବି । ଐଶ୍ଵରିକ ଭକ୍ତି ବୋଲି କହିବି । ଯେଉଁଠି ପ୍ରାୟ ଦେଢ଼ ହଜାର ମଣିଷଙ୍କର କାରବାର ଚାଲିଛି ଅଥଚ କୌଣସି କୋଳାହଳ ନାହିଁ, ସାଧନା ଚାଲିଛି ଅଥଚ କୌଣସି ବିରକ୍ତି ନାହିଁ, ସେହିଠାରେହିଁ ଐଶ୍ଵରିକ ଭକ୍ତିର ଅନୁଭୂତି ମିଳେ । ଶ୍ରୀ ଅରବିନ୍ଦଙ୍କର ସାଧନାପୀଠରେ ପହଞ୍ଚୁଥିବାକ୍ଷଣି ସେଇଥିଲାଗି ଆପଣା ଭିତରେ ସବୁ ଶାନ୍ତ ହୋଇଯାଏ, ଆପଣାର ଅବାଧ ଅନୁଭୂତି ଭିତରେ ଆପେ ବୁଡ଼ିଗଲା ପରି ଲାଗେ । ପଣ୍ଡିଚେରୀ ଧ୍ୟାନଭକ୍ତିର ପ୍ରତୀକ, ଜୀବନର ସବୁଟିକୁ ଧ୍ୟାନଦ୍ଵାରା ଭାଗବତ-ସ୍ତରକୁ ଉଠାଇ ନେବାର ପ୍ରଚେଷ୍ଟା ।

ଆମେ କେହି ଏହି ସଂସାର ସାଗରରେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିଥିବା ଗୋଟିଏ ଗୋଟିଏ ଦ୍ଵୀପ ନୋହୁ । ଡେନ୍‍ମାର୍କର ପାଉଲ୍ ଲା କୁଅର୍ (Poul la cour)ଙ୍କର ଏହି କଥାଟି ଭାରି ମନେ ପଡ଼ୁଛି । ଆମ ସମସ୍ତଙ୍କର ଉଦାର ସମ୍ମିଳନରେହିଁ ଆମର ପରିତ୍ରାଣ ହେବ, ଆମର ରାତି ପାହିବ । ଆପଣା ଭିତରେ ମହାନ୍‌ର ସନ୍ଧାନ ପାଇବାକୁ ହେଲେ ଆପଣାକୁ ଅତିମାନସ ସ୍ତରକୁ ଉଠାଇବାକୁ ସବୁରି ସହିତ ମିଶି ସନ୍ଧାନ କରିବାକୁ ହେବ । ଅତି ସ୍ଵାଭାବିକ ଓ ସହଜ ଜୀବନରେ ସବୁରି ସହିତ ଏକତ୍ରିତ ହୋଇ ଉଠିବାକୁ ହେବ । ପଣ୍ଡିଚେରୀ ଏହିପରି ଏକ ଉଦ୍ୟମ କରୁଛି । ଭାରତବର୍ଷରେ ଏପରି ଗୋଟିଏ ଆସ୍ଥାନ ରହିଛି, ଏହା ଆମ ସମସ୍ତଙ୍କର ଗୌରବ ।

ଗାନ୍ଧୀ, ରବୀନ୍ଦ୍ରନାଥ, ଶ୍ରୀ ଅରବିନ୍ଦ, ମହର୍ଷି ରମଣ, ବିନୋବା ଓ କୃଷ୍ଣମୂର୍ତ୍ତି ଭାରତବର୍ଷର ଅତି ଆପଣାର, ତଥାପି ପ୍ରତ୍ୟେକଙ୍କର ପଥ ବିଚିତ୍ର । ତାହାହିଁ ଭାରତର ସବୁଠାରୁ ବଡ଼ ମହିମା । ପୁରୁଣା ଧର୍ମକୁ ନେଇ ଆଜି ମଧ୍ୟ ଏ ଦେଶରେ ଅନେକ ଧର୍ମହାନି ହେଉଛି । ନାନା ରାଜସିକ ଉପଚାରରେ ଆଜି ମଧ୍ୟ ଏ ଦେଶରେ ଧର୍ମଜିଜ୍ଞାସୁର ଜ୍ଞାନକୁ ବଧିର କରି ଧର୍ମାଚାରର ଘଣ୍ଟ ଢାଉଁଢାଉଁ ବାଜୁଛି । କିନ୍ତୁ ଭାରତୀୟ ଧର୍ମର ଏସବୁ ଅସ୍ଥାୟୀ ଦିଗ ବୋଲି କହିବାକୁ ହେବ । ଏଠି ହୃଦୟ ପ୍ରବେଶ କରି ନାହିଁ । ସେତିକିବେଳେ, ଭାରତରେ ଯେତୋଟି ଜାଗାରେ ହୃଦୟ ସତକୁସତ ପ୍ରବେଶ କରିପାରେ, ଯେତେ ଜାଗାରେ ହୃଦୟ ଶାନ୍ତ ହୋଇଯାଏ, ସେଇଠି ଭାରତର ସ୍ଥାୟୀ ଧର୍ମର ମୂଳଦୁଆ ପଡ଼ୁଛି ବୋଲି କହିବାକୁ ହେବ । ପଣ୍ଡିଚେରୀ ଏହିପରି ଏକ ସ୍ଥାୟୀ ମୂଳଦୁଆ ପକାଇବାର ଉଦ୍ୟମ କରୁଛି । ଏ ଯୁଗରେ ପଣ୍ଡିଚେରୀ ବିଷୟରେ ଏହାହିଁ ସବୁଠାରୁ ବଡ଼ ସତ୍ୟ ବୋଲି ମୁଁ କହିବି ।

‘ନବଜ୍ୟୋତି’, ୧୯୫୮

Image

 

ତିନୋଟି ସୋପାନ ଓ ତିନୋଟି ବିଜୟ

 

ସାଧନାର ଏକ ସୋପାନକ୍ରମ ରହିଛି । କାରଣ, ଆରୋହଣର ନାନା ସୋପାନ ରହିଛି ଏବଂ ଅବତରଣର ମଧ୍ୟ ସୋପାନମାନ ରହିଛି । ଅଭୀପ୍‌ସାର ମାର୍ଗରେ ସୋପାନ ରହିଛି ତଥା ଆତ୍ମପରିଚୟର ମଧ୍ୟ ସୋପାନ ରହିଛି । ପରମକରୁଣା ଆମର ସକଳ ଦିଗ୍‌ବଳୟଗୁଡ଼ିକୁ ପୂର୍ଣ୍ଣ କରି ଆମଲାଗି ଅପେକ୍ଷା କରି ରହିଛି ସତ; ମାତ୍ର, ଆମେ ଯେତେବେଳେ ଚେତନାର ତଥା ସମ୍ବନ୍ଧର ଯେଉଁ ସୋପାନଟିରେ ରହିଥିବା, ସେହି କରୁଣାର ସମ୍ଭବତଃ ଆମେ ଠିକ୍ ସେହି ଅନୁପାତରେହିଁ ଭାଗୀ ହୋଇପାରିବା । ଆପଣାର ଜୀବନରେ ଆମେ ସେହି କରୁଣାକୁ ସେତିକି ପରିମାଣରେ ଅନୁଭବ କରିପାରୁଥିବା । ଆପଣା ଭିତରେ ଆମେ ଯେତିକି ବ୍ୟାପ୍ତି ହାସଲ କରିପାରିଥିବା, ଆମେ ତାହାକୁ ସେତିକି ଅଧିକ ବ୍ୟାପ୍ତି ବୋଲି ଅନୁଭବ କରିପାରିବା । ଆମର ଆବାହନ ମଧ୍ୟ ସେହିପରି ଏକ ସୋପାନକ୍ରମରେ ଯାତ୍ରା କରୁଥାଏ ଓ ସେହି ଅନୁସାରେ ଊର୍ଦ୍ଧ୍ଵରୁ ହେଉଥିବା ଅବତରଣଟିକୁ ମଧ୍ୟ ପ୍ରତ୍ୟକ୍ଷ କରିପାରେ ।

 

ଗୋଟିଏ ସୋପାନର ଅତିକ୍ରମଣ ଅର୍ଥାତ୍ ସେହି ସୋପାନଟି ଉପରେ ବିଜୟ । ତେଣୁ ସୋପାନର ସ୍ତରଭେଦ ଅନୁସାରେ ବିଜୟର ମଧ୍ୟ ଏକ ସ୍ତରଭେଦ ଅବଶ୍ୟ ରହିବ । ‘ଯୋଗ ସମନ୍ଵୟ’ ଗ୍ରନ୍ଥରେ ଶ୍ରୀଅରବିନ୍ଦ ତିନୋଟି ସୋପାନକୁ ଦର୍ଶାଇ ଦେଇ ସେହିପରି ତିନୋଟି ବିଜୟର କଥା କହିଛନ୍ତି । (The Synthesis of Yoga, 1971, ପୃଷ୍ଠା-୪୨୫ ) ସେହି ତିନୋଟି ବିଜୟ ହେଉଛି ଆମର ଜୀବନକୁ ତିନି ସୋପାନରେ ଜାବୁଡ଼ି ଧରିବାକୁ ଆସୁଥିବା ତିନି ପ୍ରଲୋଭନ ଉପରେ ବିଜୟ । ସବାଆଗ ତାଙ୍କରି ଭାଷାରେ ତାଙ୍କ କଥାଟିକୁ କହିଦେଲେ, ଏହି ପୃଥିବୀରେ ଏକ ଅହଂପ୍ରେରିତ ଜୀବନ ବଞ୍ଚିବାର ପ୍ରଲୋଭନ ଉପରେ ବିଜୟ ହାସଲ କରିବା ହେଉଛି ଆମର ଆମ ନିଜ ଉପରେ ସର୍ବପ୍ରଥମ ବିଜୟ; ଏହି ପୃଥିବୀ ଅନ୍ତେ ପରଧାମରେ ବ୍ୟକ୍ତିଗତ ସୁଖମୟତା ମଧ୍ୟରେ ଯାଇ ରହିବାର ପ୍ରଲୋଭନ ଉପରେ ବିଜୟ ହାସଲ କରିବା ହେଉଛି ଆମର ଦ୍ଵିତୀୟ ବିଜୟ ଏବଂ ଜୀବନର ଭୂମିରୁ ପଳାୟନ କରି ନୈର୍ବ୍ୟକ୍ତିକ ଅନନ୍ତସତ୍ତାଙ୍କ ମଧ୍ୟରେ ଏକ ଆତ୍ମମଗ୍ନ ଆନନ୍ଦ ଉପଭୋଗ କରିବାର ସର୍ବୋଚ୍ଚ ପ୍ରଲୋଭନଟି ଉପରେ ବିଜୟ ହାସଲ କରିବା ହେଉଛି ସର୍ବଶେଷ ତଥା ବୃହତ୍ତମ ବିଜୟ । ପୂର୍ଣ୍ଣଜୀବନ ତଥା ପୂର୍ଣ୍ଣଯୋଗର ଯେ କୌଣସି ଆଲୋଚନା କଲାବେଳେ ଆମେ ଏହି ତିନୋଟି ବିଜୟ ଏବଂ ତଦନୁରୂପ ତିନୋଟି ସୋପାନକୁ ଅବଶ୍ୟ ମନେରଖିବା ।

 

ପ୍ରଲୋଭନରୁ ମୁକ୍ତ ହେଲେ ଯାଇ ମଣିଷ ଯୁକ୍ତ ହେବାର ଭାଜନ ହୋଇ ପାରିବ । ପ୍ରଲୋଭନରୁ ମୁକ୍ତ ହେବା ଅର୍ଥ ଏଠାରୁ ଛାଡ଼ି ଅନ୍ୟତ୍ର ଚାଲିଯିବା ନୁହେଁ । ଏଠାରେ ବଞ୍ଚିବ, ଅଥଚ ଅହଂରୁ ମୁକ୍ତ ହୋଇ ବଞ୍ଚିବ; ଆପେ କେନ୍ଦ୍ରରୂପେ ପ୍ରତିଷ୍ଠିତ ରହି ତାହାରି ଆଡ଼କୁହିଁ ସାରା ସଂସାରଟାକୁ ଟାଣିବା ଲାଗି ଚେଷ୍ଟା କରିବା, ଏଇଟି ହେଉଛି ଅହଂପ୍ରେରିତ ଜୀବନ । ଧନୀ ଦରିଦ୍ର, ଧାର୍ମିକ, ଅଧାର୍ମିକ ଏବଂ ନୀତିବାନ, ନୀତିହୀନ ସମସ୍ତେ ଏହିପରି ଏକ ଅହଂପ୍ରେରିତ ଏବଂ ଅହଂକେନ୍ଦ୍ରିତ ଜୀବନଯାପନ କରିବାକୁ ପ୍ରବୃତ୍ତ ହୋଇପାରନ୍ତି । ଆପଣାର ଅହଂଟାକୁ ଅଧିକ ବଳ ଯୋଗାଇବାକୁ ମଧ୍ୟ ଜଣେ ମଣିଷ ଠାକୁରମାନଙ୍କୁ ପୂଜା କରିପାରେ, ଭଗବାନଙ୍କର କାମ କରୁଥିବାର ଆଳରେ କେବଳ ଆପଣାକୁହିଁ ସ୍ଫୀତରୁ ଆହୁରି ଅଧିକ ସ୍ଫୀତ କରି ରଖିବାର ଚେଷ୍ଟା କରିପାରେ । ଏପରି ଅନେକ ତଥାକଥିତ ସାଧନା ରହିଛି, ଯେଉଁଥିରେ କି ସାଧକ ଆପଣା ଲାଗି କେତେ କ’ଣ କ୍ଷମତା ହାସଲ କରିବାଲାଗି ନାନାବିଧ କୃଚ୍ଛ୍ର କରୁଥାଏ, ନାନାବିଧି ମାନୁଥାଏ ଓ ନାନା ସୂତ୍ରର ଉଚ୍ଚାରଣ କରୁଥାଏ । ସେହି ସୂତ୍ରଗୁଡ଼ାକୁ ସିଏ ଅନେକ ସମୟରେ ମନ୍ତ୍ର ବୋଲିବି କହେ । ଆପଣା ଲାଗି ଅଧିକ କ୍ଷମତା ହାସଲ କରିବେ ବୋଲି ଅନେକ ମଣିଷ ଧନୀ ହୁଅନ୍ତି, ଆଉ କେହି ଜ୍ଞାନୀ ହୁଏ,–ଯାବତୀୟ ଅନୁଧାବନ ମଧ୍ୟରେ ସେମାନେ ନିଜେହିଁ ସମଗ୍ର ଦୃଶ୍ୟଟି ମଧ୍ୟରେ ସବୁଠାରୁ ଅଧିକ ମୋଟା ହୋଇ ଦିଶିବାକୁ ଇଚ୍ଛା କରୁଥା’ନ୍ତି । ଯୋଗୀକୁ ଆପଣାକୁ ସର୍ବପ୍ରଥମେ ସେହି ପ୍ରଲୋଭନରୁ ମୁକ୍ତ କରି ଆଣିବାକୁ ପଡ଼େ । ଭିତରେ ଅନେକ ବିଶ୍ଵାସ ବଢ଼ିଲେ ଯାଇ ଅହଂ ଅଟେ । ସନ୍ଥମାନେ ଏହି ଅହଂରହିତ ସାଧନାବସ୍ଥାକୁ ଶୂଦ୍ର-ଭାବ ବୋଲି କହିଛନ୍ତି । ବୈଶ୍ୟଭକ୍ତି ସଉଦା କରି ବାହାରିଥାଏ, କ୍ଷତ୍ରିୟଭକ୍ତି ଭାରି ପ୍ରକୁପିତ ହୋଇ ଯୁଝିବ ବୋଲି ସଜ୍ଜିତ ହୋଇ ରହିଥାଏ । ବ୍ରାହ୍ମଣର ଭକ୍ତି ବିଧିଗୁଡ଼ାକୁ ନିଷ୍ଠାପର ଭାବରେ ମାନିଲେହିଁ ଇଷ୍ଟଗୁଡ଼ାକ ଅବଶ୍ୟ ମିଳିଯିବେ ବୋଲି ଆଣ୍ଟ କରୁଥାଏ । କେବଳ ଶୂଦ୍ରଭକ୍ତିଦ୍ଵାରାହିଁ ମନ ସରୁଆ ହୁଏ । ଏବଂ, ମନ ସରୁଆ ହେଲେ ହୃଦୟ ଭିତରକୁ ବାଟ ଫିଟେ । ହୃଦୟ ଭିତରକୁ ବାଟ ଫିଟିଗଲେ ଭିତରେ ରହିଥିବା ଅଭୀପ୍ସା ଊର୍ଦ୍ଧ୍ଵରେ ଅପେକ୍ଷା କରି ରହିଥିବା କରୁଣାର ସଂସ୍ପର୍ଶ ଲାଭ କରେ । ତା’ପରେ ମଧ୍ୟସ୍ଥତା କରିବା ଲାଗି ଅହଂର କୌଣସି ଅବକାଶହିଁ ରହେ ନାହିଁ । ଏକ ବୃହତ୍ତର ବୃତ୍ତକୁ ଥାନ ଛାଡ଼ିଦେଇ ଅହଂର କ୍ଷୁଦ୍ର ବୃତ୍ତଟି ଛାଡ଼ି ପଳାଏ । ତାହାରିଦ୍ଵାରା ପ୍ରଥମ ବିଜୟଟି ହାସଲ ହୁଏ ।

 

ଅହଂରୁ ମୁକ୍ତ ହେବାପରେ ଅନେକ ମଣିଷ ଏହି ଅହଂପୂରିତ ସଂସାର ଭିତରେ ଆଦୌ ରହିବାକୁ ଇଚ୍ଛା କରନ୍ତି ନାହିଁ । ସେମାନେ ସ୍ଵର୍ଗକୁ ଯାଇ ଅବ୍ୟାହତ ଆତ୍ମସୁଖ ଭୋଗ କରିବାକୁ ଇଚ୍ଛା କରନ୍ତି । ପୃଥିବୀର କେତେ କେତେ ଧର୍ମରେ ଓ ପୁରାଣମାନଙ୍କରେ ସ୍ଵର୍ଗର ଯେଉଁ ଭବ୍ୟ ଓ ଚାଟୁଯୁକ୍ତ ବର୍ଣ୍ଣନାମାନ ରହିଛି, ସେସବୁ ଏହି ଦ୍ଵିତୀୟ ପାହାଚରେ ଆସି ଅଟକି ଯିବାକୁ ମନ କରୁଥିବା ଲୋକମାନଙ୍କୁ ଏକ ପ୍ରଲୋଭନମୟ ଜାଲ ଆଣି ଯୋଗାଇ ଦେବାପାଇଁ ତିଆରି ହୋଇଛି-। ଯେଉଁମାନେ ଏହି ସୋପାନଟିରେ ଆସି ଅଟକି ଯାଆନ୍ତି, ସେମାନେ ଯଥାର୍ଥ ଭାବରେ କହିଲେ ମୋଟେ ଅହଂରୁ ମୁକ୍ତ ହୋଇ ନଥାନ୍ତି; ସେମାନେ ଅହଂର କେବଳ ଏକ ସ୍ଥାନାନ୍ତରୀକରଣହିଁ କରିଥାନ୍ତି । ଆପଣାର ଅହଂ ଲାଗି ସ୍ଵର୍ଗରେ ଅଧିକ ସ୍ଥାୟୀ ଘରଟିଏ ଠାବ କରି ପାରିବାର ଲୋଭରେ ସେମାନେ ସତେଅବା ବାଧ୍ୟ ହୋଇ ସାଂସାରିକ ଅହଂପ୍ରସଙ୍ଗଗୁଡ଼ାକୁ ତ୍ୟାଗ କରିଥାନ୍ତି । ତଥାକଥିତ ନିତ୍ୟ ଆତ୍ମସୁଖର ପ୍ରାପ୍ତି ଲାଗି ସଂସାରର ଅନିତ୍ୟ ସୁଖକୁ ଛାଡ଼ିଥାନ୍ତି । ଆପଣାକୁ ଅତ୍ୟନ୍ତ ପରିମାଣରେ ଅବଦମିତ କରି ରଖିଥାନ୍ତି । ସେମାନଙ୍କର ସ୍ଵର୍ଗାନୁରାଗ ପଛରେ ଏକ ସଂସାରଘୃଣା ପ୍ରାୟ ଯେକୌଣସି ସଂସାରୀ ପରି ଅତ୍ୟନ୍ତ ପ୍ରଚଣ୍ଡ ହୋଇ ରହିଥାଏ । ସେହି ଘୃଣାକୁ ସେମାନଙ୍କର ପରିଭାଷାରେ ବୈରାଗ୍ୟ ବୋଲି କୁହାଯାଏ । ଭଗବାନଙ୍କୁ ପାଇବାକୁ ହେଲେ ସଂସାର ପ୍ରତି ବୀତଶ୍ରଦ୍ଧ ରହିବାକୁ ପଡ଼ିବ ବୋଲି ପ୍ରଚାର କରି ସେମାନେ ଏଠାରେ ଭଲ ପାଇବା ଅପେକ୍ଷା ଘୃଣା ଓ ଜୁଗୁପ୍‌ସାଗୁଡ଼ାକରହିଁ ଅଧିକ ପ୍ରଚାର କରିଥାନ୍ତି । ତେଣୁ ଯୋଗୀକୁ ତା’ର ଦ୍ଵିତୀୟ ପାହାଚକୁ ଆସି ପରଧାମରେ ଆତ୍ମସୁଖ ଲାଭ କରିବାର ପ୍ରଲୋଭନଟି ମଧ୍ୟ ଜୟ କରିବାକୁ ପଡ଼ିବ-। ତେବେ ସେ ଏହି ସଂସାର ଭିତରେ ମଧ୍ୟ ଅସଲ ଉପସ୍ଥିତିଗୁଡ଼ିକୁ ଅନୁଭବ କରିପାରିବ ଓ ତେଣୁ ଅସଲ ଆହ୍ଵାନଗୁଡ଼ିକର ସମ୍ମୁଖୀନ ହୋଇ ପାରିବ । ଏହି ସଂସାର ଭିତରେ ଥାଇ ମଧ୍ୟ କଦାପି ସଂସାରକୁ ନାକ ଟେକିବାକୁ ଆଦୌ ଆଗ୍ରହ ଦେଖାଇବ ନାହିଁ । ଏପାଖକୁ ମିଥ୍ୟା ବୋଲି କହି ସେପାଖକୁ ବ୍ରହ୍ମ ବୋଲି କହିବାକୁ ସତେଅବା ଏକ ଈଶ୍ଵରଦ୍ରୋହ ବୋଲି ମଣୁଥିବ । ଧର୍ମ, ଯୋଗ ଏବଂ ଈଶ୍ଵରାନୁସନ୍ଧାନର ପୁରାତନ ଅନେକ ମାର୍ଗ ସଚରାଚର ସେହି ଦ୍ରୋହରେ ଭାଗୀ ହୋଇ ରହିଛନ୍ତି, ଆମର ଏହି ପୃଥିବୀକୁ ଈଶ୍ଵରବର୍ଜିତ କରି ରଖିବାରେ ସହଯୋଗ କରି ଆସିଛନ୍ତି-

 

ଏବଂ, ସର୍ବଶେଷ ବିଜୟଟିକୁ ଶ୍ରୀଅରବିନ୍ଦ ଯୋଗୀର ବୃହତ୍ତମ ବିଜୟ ବୋଲି କହିଛନ୍ତି । ଯୋଗୀ ଜୀବନ ଭିତରୁ ପଳାଇ ଯିବାର ପ୍ରଲୋଭନକୁ ମଧ୍ୟ ଜୟ କରିବ । ପୁରାତନ ଯୋଗଟି ଭିତରେ ରହିଥିବା ପର୍ଯ୍ୟନ୍ତ ଯୋଗୀକୁ ସଂସାର ଗନ୍ଧାଉଥାଏ । ସେଥିଲାଗି ସେ କଳା ଭିତରୁ ନିଷ୍କଳ ଭିତରକୁ ପଳାଏ । ନିଷ୍କଳକୁହିଁ ନିଷ୍କଳଙ୍କ ବୋଲି କହେ । ବ୍ୟକ୍ତିକୁ ଛାଡ଼ି ନୈର୍ବ୍ୟକ୍ତିକ ଭିତରକୁ ପଳାଏ । ସିଏ ନୈର୍ବ୍ୟକ୍ତିକ ସତ୍ୟର ଉପାସନା କରେ । ସିଏ ଯେ ବ୍ୟକ୍ତି ମଧ୍ୟରେବି ଅଛନ୍ତି, ସେହି କଥାଟିକୁ ସ୍ଵୀକାର କରିବାକୁ ଭୟ କରେ । ନୈର୍ବ୍ୟକ୍ତିକର ଅସଲ ଅର୍ଥ ବ୍ୟକ୍ତିର ବାହାରେ ନୁହେଁ, ବ୍ୟକ୍ତିର ଅତୀତ । ସିଏ ବ୍ୟକ୍ତି ଭିତରେ ରହିଛନ୍ତି ଓ ଯୁଗପତ୍ ଭାବରେ ଯାବତୀୟ ବ୍ୟକ୍ତି ଓ ବ୍ୟକ୍ତି କଳ୍ପନାକୁ ଅତିକ୍ରମ କରି ରହିଛନ୍ତି । ବ୍ୟକ୍ତି ଏବଂ ନୈର୍ବ୍ୟକ୍ତିକ କହିଲେ ଆମେ ଆମ ନିଜର ଅକଲ ଦେଇ ଯେତିକି ବୁଝୁ, ସିଏ ତାହାଠାରୁ ଅନେକ ଅଧିକ, ଅନେକ ବଡ଼ । ସିଏ ଏଇଠୁ ସେଯାଏଁ ବିଦ୍ୟମାନ ରହିଛନ୍ତି; ଏଠାକୁ ଛାଡ଼ି ସେଠାରେ ମୋଟେ ରହି ନାହାନ୍ତି । ତେଣୁ ତାଙ୍କୁ ଏଇଠି ମଧ୍ୟ ସ୍ଵୀକାର କରିବାକୁ ହେବ, ଏହି ସୀମା ଭିତରେ ତାଙ୍କର ଅସୀମ ସମ୍ଭାବନା ଏବଂ ଅସୀମ ଯୋଜନାଗୁଡ଼ିକୁ ଅନୁଭବ କରିପାରିବାକୁ ହେବ । ବ୍ୟକ୍ତି ଭିତରୁ ତାଙ୍କୁ ବାହାର କରିନେଇ ଏକ ନୈର୍ବ୍ୟକ୍ତିକ ମଧ୍ୟରେ ତାଙ୍କରି ସହିତ ଆପଣାକୁ ନିର୍ବାସିତ କରି ରଖିବା, ଆଧ୍ୟାତ୍ମିକ ଉପଲବ୍ଧିର ଭୂମିରେ ତାହାକୁ ମର୍ମତଃ ଏକ ଅସ୍ଵୀକାର ଓ ଅସମ୍ମତି ବୋଲି କୁହାଯାଇପାରିବ । ଯୋଗକୁ ମୂଳତଃ ଏକ ଅସ୍ଵୀକାରାତ୍ମକ ବିଳାସର ପରିଣତ କରି ରଖିବାଦ୍ଵାରା ଆମେ ଏହି ସଂସାରକୁ ପ୍ରକୃତରେ ଭାରି ଦରିଦ୍ର ଓ ଭାରି ବଞ୍ଚିତ କରି ରଖିଛୁ । ଆପଣାକୁ ମଧ୍ୟ ଭାରି ନିର୍ମମ କରି ରଖିଛୁ । ହୃଦୟକୁ ଏକ ମନୋରଚିତ ଭ୍ରମ ଭିତରେ ପକାଇ ରଖିଛୁ ଓ ନିଜର ଆକାଶଟିକୁ ପ୍ରଧାନତଃ ବର୍ଜନଧର୍ମୀ କରି ରଖିଛୁ । ଏହା ମଧ୍ୟ ଗୋଟିଏ ପ୍ରଲୋଭନ । ଏକ ଅବିଚଳ ସ୍ଵୀକାରାତ୍ମକଦ୍ଵାରା ଆମକୁ ସେହି ପ୍ରଲୋଭନଟି ଉପରେ ବିଜୟ ହାସଲ କରିବାକୁ ପଡ଼ିବ ।

 

କୌଣସି ଏକ ପ୍ରସଙ୍ଗରେ ମାଆ ମଧ୍ୟ ତିନୋଟି ବିଜୟ ହାସଲ କରିବା କଥା କହିଛନ୍ତି । ଠିକ୍ ତାଙ୍କରି ପରିଭାଷାରେ କହିଲେ, ପ୍ରଥମ ବିଜୟଟି ହେଉଛି ନିଜକୁ ଏକ ବ୍ୟକ୍ତିରୂପେ ତିଆରି କରିବା; ତା’ପରେ ଦ୍ଵିତୀୟ ବିଜୟଟି ସ୍ୱରୂପ, ଏହି ବ୍ୟକ୍ତିତ୍ୱଟିକୁ ନେଇ ଦିବ୍ୟ ପରମସତ୍ତାଙ୍କ ହାତରେ ସମର୍ପଣ କରିଦେବା । ଏବଂ, ତା’ପରେ, ଦିବ୍ୟ ପରମସତ୍ତା ଯେତେବେଳେ ତୁମର ବ୍ୟକ୍ତିସତ୍ତାଟିକୁ ଏକ ଦିବ୍ୟ ସତ୍ତାରେ ପରିବର୍ତ୍ତିତ କରିଦେବେ; ତାହାହିଁ ହେଉଛି ତୃତୀୟ ବିଜୟ (Colleceted Works of the Mother, Vol–7 ପୃଷ୍ଠା-୪୦୭) ଏହି ତିନୋଟି ବିଷୟକୁ ମାଆ ତିନୋଟି ସୋପାନ ବୋଲି ମଧ୍ୟ କହିଛନ୍ତି । ଜଣେ ବ୍ୟକ୍ତିରେ ପରିଣତ ହେବା, ତାହା ପ୍ରଥମ ସୋପାନ; ସେହି ବ୍ୟକ୍ତିଟିକୁ ଉତ୍ସର୍ଗ କରିଦେବା ହେଉଛି ଦ୍ଵିତୀୟ ସୋପାନ । ତାହାର ଅର୍ଥ ହେଉଛି ଆପଣାକୁ ନେଇ ଦିବ୍ୟ ପରମସତ୍ତାଙ୍କ ପାଖରେ ପୂର୍ଣ୍ଣ ଭାବରେ ସମର୍ପଣ କରିଦେବା ଓ ତାଙ୍କରି ସହିତ ଏକାତ୍ମକତା ଅର୍ଜନ କରିବା । ଏବଂ, ତୃତୀୟ ସୋପାନଟି ସ୍ୱରୂପ ଦିବ୍ୟ ପରମସତ୍ତାହିଁ ସେହି ବ୍ୟକ୍ତିଟିକୁ ଆପଣା ହାତରେ ଗ୍ରହଣ କରିନେବେ ଏବଂ ଆପଣାର ପ୍ରତିରୂପଟି ଅନୁସାରେ ତାହାକୁ ଆବଶ୍ୟକ ଭାବରେ ବଦଳାଇ ଦେବେ, ଅର୍ଥାତ୍, ଏହାଦ୍ୱାରା ସେହି ବ୍ୟକ୍ତି ଗୋଟିଏ ଦିବ୍ୟସତ୍ତାରେ ପରିଣତ ହୋଇଯିବ ।

 

ମାଆ ପୁଣି କହିଛନ୍ତି ଯେ, ପୂର୍ଣ୍ଣଯୋଗ ବ୍ୟତୀତ ଆଉ ଯାବତୀୟ ଯୋଗମାର୍ଗ ଦ୍ଵିତୀୟ ସୋପାନଟି ପର୍ଯ୍ୟନ୍ତ ଆସି ସେହିଠାରେ ଅଟକି ଯାଉଥିଲେ । ସେହି ପୁରାତନ ପରାମର୍ଶଟି ଅନୁସାରେ ସାଧନା କରୁଥିବା ବ୍ୟକ୍ତି ଯେତେବେଳେ ଆପଣାକୁ ନେଇ ଦିବ୍ୟ ପରମସତ୍ତାଙ୍କ ପାଖରେ ସମର୍ପଣ କରି ଦେଉଥିଲା ଓ ଆପଣା ଭିତରେ ଆଦୌ କୌଣସି କୁଣ୍ଠା ଓ କୃପଣତା ନ ରଖି ତାଙ୍କରି ସହିତ ଏକାତ୍ମକ ହୋଇ ଯାଉଥିଲା, ସେତେବେଳେ ସିଏ ତାହାର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲା ବୋଲି ଭାବୁଥିଲା, ସବୁକିଛି ଉପଲବ୍ଧ ହୋଇଗଲା ବୋଲି ମନେ କରୁଥିଲା । ମାଆଙ୍କର କହିବା ଅନୁସାରେ ଅନ୍ୟମାନେ ଯାହାକୁ ଶେଷ ବୋଲି ଗ୍ରହଣ କରି ନେଉଥିଲେ, ଆମର ପୂର୍ଣ୍ଣ ଯୋଗର କାର୍ଯ୍ୟଟି ଯଥାର୍ଥରେ ସେହିଠାରୁହିଁ ଆରମ୍ଭ ହୋଇଥାଏ । ତୃତୀୟ ସୋପାନଟିକୁ ଆସି, ଆମେ ଯେଉଁ ଦିବ୍ୟ ପରମସତ୍ତାଙ୍କ ସହିତ ଏକାତ୍ମକତା ଅର୍ଜନ କରିଥାଉ, ସେଇ ଆମର ବ୍ୟକ୍ତି ଜୀବନଟି ମଧ୍ୟରେ ପ୍ରବେଶ କରନ୍ତୁ ଏବଂ ତାହାକୁ ଏକ ଦିବ୍ୟ ପୃଥିବୀ ମଧ୍ୟରେ ନାନା କର୍ମରେ ପ୍ରବୃତ୍ତ ହୋଇ ରହିଥିବା ଏକ ଦିବ୍ୟ ବ୍ୟକ୍ତିତ୍ଵରେ ପରିଣତ କରି ଦିଅନ୍ତୁ ବୋଲି ଇଚ୍ଛା କରିଥାଉ, ମାଆ ଏହି ପ୍ରକ୍ରିୟାଟିକୁ ରୂପାନ୍ତର ବୋଲି କହିଛନ୍ତି । ମାଆ ସମସ୍ତଙ୍କର ସ୍ମରଣ କରାଇଦେଇ କହିଛନ୍ତି ଯେ ପ୍ରଥମ ଦୁଇଟି ସୋପାନକୁ ଅତିକ୍ରମ କରିହିଁ ଆମକୁ ତୃତୀୟ ସୋପାନକୁ ଆସିବାକୁ ହେବ । ପ୍ରଥମ ଦୁଇ ସୋପାନକୁ ପାରି ନହେଲେ ତୃତୀୟ ପ୍ରକ୍ରିୟାଟି ଆରମ୍ଭ ହେବା ସମ୍ଭବହିଁ ହେବନାହିଁ । ମାଆଙ୍କ କହିବା ଅନୁସାରେ, ଆମେ ପ୍ରଥମଟିରୁ ଏକାବେଳେକେ ତୃତୀୟ ପାହାଚଟିକୁ କଦାପି ଚାଲିଯାଇ ପାରିବା ନାହିଁ । ଆମକୁ ଦ୍ଵିତୀୟ ପାହାଚଟିର ମଧ୍ୟଦେଇ ଯିବାକୁହିଁ ପଡ଼ିବ ।

 

ତେଣୁ, ସର୍ବପ୍ରଥମେ ଏକ ବ୍ୟକ୍ତିରେ ପରିଣତ ହେବାକୁ ପଡ଼ିବ । ମାଆ ଆଉ ଏକ ସ୍ଥାନରେ କହିଥିବା ପରି, you must become a self in order to give yourself. ଜଣେ ବ୍ୟକ୍ତି ହେବା, ଅର୍ଥାତ୍ ଆପଣାର ଯଥାର୍ଥ ଗଭୀରକୁ ଯାଇ ଆପଣାର ଅସଲ କେନ୍ଦ୍ରଟିକୁ ଚିହ୍ନିବା; ଆପଣାର ଅସଲ ସ୍ଵଭାବଟିକୁ ଠଉରାଇ ପାରିବା । ସ୍ଵଭାବଟିରୁହିଁ ସ୍ଵଧର୍ମର ନିରୂପଣ ହେବ । ଜଣେ ବ୍ୟକ୍ତିରେ ପରିଣତ ହେବା ଅର୍ଥାତ୍ ଆପଣା ଭିତରେ ଅନ୍ତର୍ନିହିତ ହୋଇ ରହିଥିବା ସମ୍ଭାବନାଗୁଡ଼ିକର ଆବିଷ୍କାର କରିବା ଓ ସେହିଗୁଡ଼ିକର ବିକାଶ ନିମନ୍ତେ ଆପଣାକୁ ଅନୁରୂପ ଭାବରେ ଗଢ଼ିବା । ଆମର ଏହି ସମାଜରେ ଅନେକ ମଣିଷ ସ୍ଵତନ୍ତ୍ର ବ୍ୟକ୍ତିଟିଏ ମଧ୍ୟ ହୋଇ ପାରନ୍ତି ନାହିଁ । ସେମାନେ ବୋଲ ମାନନ୍ତି, ଖାପ ଖାଇ ଯାଆନ୍ତି ଓ ତାହାରିଦ୍ଵାରାହିଁ ଜୀବନର ଯାବତୀୟ ସଫଳତା ଲାଭ କରାଯାଇପାରିବ ବୋଲି ଭାବୁଥାନ୍ତି । ସେମାନେ ପରିସ୍ଥିତି ଅନୁସାରେ ନିଜକୁ ତିଆରି କରନ୍ତି; ଉପନିଷଦର ଭାଷାରେ ପଶୁ ହୋଇ ରହନ୍ତି । ଏକ ସ୍ଵତନ୍ତ୍ର ବାର୍ତ୍ତା ନେଇ ପ୍ରତ୍ୟେକ ବ୍ୟକ୍ତି ଏହି ସଂସାରକୁ ଆସିଛି, ସେହି ବାର୍ତ୍ତାଟି ମଧ୍ୟରେ ଆପଣାକୁ ବ୍ୟକ୍ତ କରିବାର ଏକ ସ୍ଵତନ୍ତ୍ର ସ୍ଵଭାବ ମଧ୍ୟ ରହିଛି;–ଏହିପରି ଏକ ମୂଳଭୂତ ବିଶ୍ଵାସ ଅନୁସାରେ ଆପଣାକୁ ଗଢ଼ିବା ଓ ପରିଚାଳିତ କରିବା–ଜଣେ ବ୍ୟକ୍ତିରେ ପରିଣତ ହେବା ବୋଲି କହିଲେ ତାହାକୁହିଁ ବୁଝାଇବ । ଏତିକି ହାସଲ କରିବା ହେଉଛି ଆମ ଜୀବନର ପ୍ରଥମ ବିଜୟ । ତା’ପରେ ସେହି ସମ୍ପତ୍ତିଟି ପ୍ରକୃତରେ ଯାହାର, ତାକୁ ତାହାରି ଭିତରେ ନେଇ ସମର୍ପଣ କରିଦେବା ହେଉଛି ଆମର ଦ୍ଵିତୀୟ ବିଜୟ । ଏବଂ, ତାଙ୍କରି ହାତରେ ସିଏ ଯେପରି ଆମର ବ୍ୟକ୍ତିରୂପୀ ଯାବତୀୟ ଉପାଦାନକୁ ତାଙ୍କରି ଛାଞ୍ଚରେ ଗଢ଼ିପାରିବେ ଓ ସେହି ପ୍ରକ୍ରିୟାଟିର ମାଧ୍ୟମରେ ଯେପରି ଆମର ଏହି ପୃଥିବୀଟି ମଧ୍ୟ ତାଙ୍କରି ମନଲାଖି ଏକ ପୃଥିବୀରେ ପରିଣତ ହୋଇଯାଇ ପାରିବ, ବିଜୟଲାଭର କ୍ରମରେ ସେଇଟି ହେଉଛି ତୃତୀୟ ଓ ସର୍ବଶେଷ ସୋପାନ ।

 

ଶ୍ରୀ ଅରବିନ୍ଦଙ୍କ ଦ୍ଵାରା ସୂଚିତ ତିନୋଟି ବିଜୟ ଓ ମାଆଙ୍କ ଦ୍ଵାରା ବର୍ଣ୍ଣିତ ତିନୋଟି ବିଜୟ ମଧ୍ୟରେ କେତେଦୂର ସାମଞ୍ଜସ୍ୟ ଅଥବା ଫରକ ରହିଛି, ବିଚାରଗୁଡ଼ିକରୁ ଶିରା କାଢ଼ି ଗବେଷକ ଓ ଜ୍ଞାନୀମାନେ ହୁଏତ ତାହାର ନିର୍ଦ୍ଦେଶ କରିଦେଇ ପାରିବେ । ମାତ୍ର, ଜଣେ ସମ୍ମତ ବ୍ୟକ୍ତି କଦାପି ସେସବୁ ତଥ୍ୟ ଲାଗି ଅପେକ୍ଷା କରିବ ନାହିଁ । ତା’ ନିଜ ଭିତରେ ରହିଥିବା ଏକ ବିଶ୍ଵାସ ତାକୁ ସୁନିଶ୍ଚିତ ଭାବରେ କହିଯାଉଥିବ ଯେ, ଯଦି ପ୍ରକୃତରେ ଯିବାକୁ ଅଥବା ହେବାକୁ ମନ ଥାଏ, ତେବେ ଏ ବାଟରେ ଗଲେ ଆମକୁ ସେ ବାଟଟି ମଧ୍ୟ ଖୁବ୍ ଅବଶ୍ୟ ମିଳିଯିବ ଏବଂ ସେ ବାଟରେ ଗଲେ ଏ ବାଟଟି ମଧ୍ୟ ଉପଲବ୍ଧ ହୋଇଯିବ ।

 

ନଭେମ୍ବର ୨୪, ୧୯୮୪

Image

 

ଯୋଗ : ସହଜ ଓ କଠିନ

 

Hard is it to be in the world, free, yet living the life of ordinary men; but because it is hard, therefore it must be attempted and accomplished–Sri Aurobindo : Thoughts and Aphorisms, Birth Centenary Library, Vol. XVII, Page-91.

 

ଆମ ପାରମ୍ପରିକ ସଂସାରର ସ୍ଵୀକୃତ ବିଜ୍ଞ ବ୍ୟକ୍ତିମାନେ ସବୁ ଯୁଗରେ ଆମକୁ କହି ଆସିଛନ୍ତି ଯେ ଯୋଗୀ ହେବାକୁ ହେଲେ ଏହି ସଂସାର-ଆୟତନର ବାହାରକୁ ଚାଲିଯିବାକୁ ପଡ଼ିବ-। ବୈରାଗ୍ୟ-ବାଟରେ ନଗଲେ ଈଶ୍ଵରାନୁରାଗ ସମ୍ଭବ ନୁହେଁ ବୋଲି ସେମାନେ କେତେ ଧର୍ମ ଓ କେତେ ସିଦ୍ଧାନ୍ତ ବାକ୍ୟର ମାଧ୍ୟମରେ ଆମକୁ କହି ଆସିଛନ୍ତି । ସଂସାର-ଅନୁରାଗକୁ ଈଶ୍ଵର ଅନୁରାଗର ପ୍ରତିକୂଳ ତଥା ପ୍ରତିପନ୍ଥୀ ବୋଲି କହିଛନ୍ତି । ଅନେକ ଧର୍ମର ସିଦ୍ଧାନ୍ତ କଳ୍ପନା ଅନୁସାରେ ଈଶ୍ଵର ଏହି ସଂସାରର ବାହାରେ ଅବସ୍ଥିତ ରହିହିଁ ଏହି ସଂସାରକୁ ସୃଷ୍ଟି କରିଛନ୍ତି-। କୁମ୍ଭାର ଯେମିତି ମାଟିରୁ କୁମ୍ଭପାତ୍ରଗୁଡ଼ିକ ତିଆରି କରେ, ପ୍ରାୟ ଠିକ୍ ସେହିପରି-। କୁମ୍ଭରେ ବ୍ୟବହୃତ ହେଉଥିବା ମାଟି କୁମ୍ଭାର ବାହାରୁ ଆଣେ; କୁମ୍ଭ ଗଢ଼ିବାର ଚକଟି ମଧ୍ୟ କୁମ୍ଭାରର ବାହାରେ ଏକ ଅନ୍ୟ ବିଧାନଦ୍ଵାରା ନିୟନ୍ତ୍ରିତ ହୋଇ ରହିଥାଏ । ସୃଷ୍ଟିକୁ ସମ୍ଭବ କରିଥିବା ଈଶ୍ଵର ଯଦି ସୃଷ୍ଟିକୁ ନିକୃଷ୍ଟ, ଅଯୋଗ୍ୟ ଏବଂ ବର୍ଜନୀୟ ମଣି ପ୍ରକୃତରେ ସୃଷ୍ଟିର ବାହାରେ ଆଉ କେଉଁଠାରେ ଯାଇ ରହିବାକୁ ନିଷ୍ପତ୍ତି କରିଥାନ୍ତି, ତେବେ ତାଙ୍କୁ ବାଧ୍ୟ ହୋଇ ଜଣେ ନିକୃଷ୍ଟ ଶିଳ୍ପୀ ବୋଲି କହିବାକୁ ହେବ । ଅସଲ ଶିଳ୍ପୀ ତା’ର ସର୍ବୋତ୍ତମ ଉପାଦାନ ଏବଂ ଅନୁରାଗଗୁଡ଼ିକୁ ଲଗାଇ ତା’ର ଗଢ଼ୁଥିବା ଦ୍ରବ୍ୟଟିକୁ ଗଢ଼ୁଥାଏ । ଅସଲ ଶିଳ୍ପୀ ଆପଣାର ଶିଳ୍ପଟି ଭିତରେ ଆପଣାକୁ ଦେଖିବ ବୋଲିହିଁ ଶିଳ୍ପରେ ମନ ଦେଇଥାଏ । ତେଣୁ ଶ୍ରୀଅରବିନ୍ଦଙ୍କ ଭାଷାରେ କହିଲେ ଈଶ୍ଵର ଏହି ପୃଥିବୀକୁ ତିଆରି କରି ନାହାନ୍ତି, ସେ ଏହି ପୃଥିବୀରେ ପରିଣତ ହୋଇଛନ୍ତି : God is the world–ତେବେ ତାଙ୍କ ସହିତ ଯୁକ୍ତ ହେବାଲାଗି ଯୋଗୀ ପୃଥିବୀ ବାହାରେ ଅନ୍ୟ କୁଆଡ଼େ ପଳାଇ ଯିବାପାଇଁ ଆଦୌ ମନ କରିବ କାହିଁକି ?

 

ପଳାଇଯିବା ହୁଏତ ଭାରି ସହଜ । ତେଣୁ ଆମ ପୃଥିବୀରେ ଯେଉଁମାନେ ଆପଣାକୁ ବିଜ୍ଞ ଓ ଚତୁର ବୋଲି ଭାବନ୍ତି, ସେମାନେ ସ୍ଵୟଂ ପଳାଇ ଯାଆନ୍ତି ଓ କେଡ଼େ ପ୍ରେମର ସହିତ ଆମ ସମସ୍ତଙ୍କୁ ପଳାଇ ଯିବାପାଇଁ ପରାମର୍ଶ ଦିଅନ୍ତି । ସାଧନା ଭିତରୁ ପଳାଇ ଯିବାକୁହିଁ ଅନେକ ସମୟରେ ପରମ ଭ୍ରାନ୍ତି ସୃଷ୍ଟି କରି ସିଦ୍ଧି ବୋଲି କୁହା ଯାଇଥାଏ । ଯିଏ ଅନ୍ୟ ଅନେକଙ୍କର ତୁଳନାରେ ଅଧିକ କିଛିର ପ୍ରବେଶାଧିକାର ଲାଭ କରେ, ସିଏ ଏତେଟିକିଏ ସୁରାକ ପାଇବାମାତ୍ରକେହିଁ ଖସି ପଳାଇବାକୁ ବ୍ୟଗ୍ର ହୋଇପଡ଼େ । ଏହିପରି ଅସୁସ୍ଥ ଭାବରେ ବ୍ୟଗ୍ର ହେବାକୁ ଅନେକ ସମୟରେ ଆମକୁ ବଣା କରି ରଖିବା ସକାଶେ ବୈରାଗ୍ୟ ବୋଲି କୁହାଯାଏ । ଆମ ସଂସାରରେ ଯିଏ ଅଧିକ ଜ୍ଞାନ ଲାଭ କରେ, ସିଏ ଅବଶିଷ୍ଟ ଅନେକଙ୍କ ଠାରୁ ନାନା ସୁତରରେ ଖସି ପଳାଏ, ଆପଣା ଲାଗି ଏକ ଅନ୍ୟ ବିହାର ବାଛିନିଏ, ଅନ୍ୟ ଗର୍ତ୍ତଟିଏ ବାଛିନିଏ, ଅସାଧାରଣ ହୋଇ ରହିବାର ଗୌରବ ଅନୁଭବ କରେ । ତଥାକଥିତ ଗୁଣୀମାନେ ସଂସାରର ଅନେକ ସାଧାରଣଙ୍କ ମଧ୍ୟରେ ନିଜକୁ ଅସାଧାରଣ ବୋଲି ମଣନ୍ତି । ତେଣୁ ଅଲଗା ହୋଇ ରହନ୍ତି, ଦୂରଛଡ଼ା ହୋଇ ରହନ୍ତି । ଆମ ଭିତରୁ ଯେଉଁମାନେ କଳା, ସଙ୍ଗୀତ ଅଥବା ସେହିପରି ଅନ୍ୟାନ୍ୟ କ୍ଷେତ୍ରମାନଙ୍କରେ କୌଣସି ବିଶେଷ ବ୍ୟୁତ୍ପତ୍ତି ଲାଭ କରନ୍ତି, ସେମାନେ ସତେଅବା ଏକ ସ୍ଵଭାବବିକୃତିର ଅପମାର୍ଗରେ ପଡ଼ି ସାଧାରଣ ଅନ୍ୟମାନଙ୍କ ଠାରୁ ଅଲଗା ହୋଇ ରହନ୍ତି । ସାଧାରଣ ସଂସାରରୂପୀ ପଦ୍ମପତ୍ର ଉପରେ ଜଳବିନ୍ଦୁଟିଏ ପରି ନିର୍ଲିପ୍ତ ହୋଇ ରହିଥାଆନ୍ତି; ନିଜର ଦେହରେ ଏତେ ଟିକିଏ ହେଲେ ମଇଳା ବା ମସିଆ ଲଗାନ୍ତି ନାହିଁ । ଅଥବା, ନିର୍ଲିପ୍ତ ଓ ନିର୍ମମ ହୋଇ ରହିବାକୁହିଁ କ୍ରମେ ନିର୍ମଳ ହୋଇ ରହିବା ବୋଲି ବିଶ୍ଵାସ କରନ୍ତି । ଆମ ପୃଥିବୀରେ ଖାସ୍ ଗୋଟିଏ ବର୍ଗର କେତେକ ମଣିଷ ରହିଥାନ୍ତି; ଯେଉଁମାନେକି ସଂସ୍କୃତିର ଭକ୍ଷଣ କରିବାକୁ ନିଜର ପ୍ରାୟ ଏକ ବିଶେଷ ଅଧିକାରରୂପେ ଗ୍ରହଣ କରି ନେଇଥାନ୍ତି,–ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଉପରେ ରଖିଥାନ୍ତି, ଅନ୍ତରାଳରେ ରହିଥାନ୍ତି, ଛୁଆଁ ହେବାକୁ ଡରନ୍ତି, ଅସ୍ପୃଶ୍ୟ ହୋଇ ରହିବାକୁହିଁ ଅସାଧାରଣ ହୋଇ ରହିବା ବୋଲି ବିଶ୍ଵାସ କରୁଥାଆନ୍ତି । ପାରମ୍ପରିକ ଯୋଗସାଧନାର ଦରବାରରେ ପ୍ରତିଷ୍ଠା ଓ ସ୍ଵୀକୃତି ଲାଭ କରିଥିବା ଯୋଗୀମାନେ ଆପଣାକୁ ଠିକ୍ ସେହିପରି ଭାବରେ ଅସାଧାରଣ କରି ରଖି ଆସିଛନ୍ତି, ସାଧାରଣକୁ ବାରିଛନ୍ତି, ସମ୍ଭବତଃ ସାଧାରଣକୁ ଭୟ କରିଛନ୍ତି ଏବଂ ତେଣୁ ଆପଣାକୁ ଏଠାରୁ ନିର୍ବାସିତ କରି ରଖିଛନ୍ତି ।

 

ପୃଥିବୀରୁ ପଳାଇଯିବା ନୁହେଁ, ପୃଥିବୀ ମଧ୍ୟରେ ରହିବା ହେଉଛି ଅତ୍ୟନ୍ତ କଠିନ; ଯେକୌଣସି ପଳାଇଯିବା ଠାରୁ ଅନେକ ଅଧିକ କଠିନ । ଏହି ପୃଥିବୀକୁ ଭଗବାନଙ୍କର ଆସ୍ଥାନ ବୋଲି ଗ୍ରହଣ କରି ପାରିଲେ ଯାଇ ଏଠାରୁ ପଳାଇ ଯିବାର ଯାବତୀୟ ଦୁର୍ବୁଦ୍ଧିରୁ ଆପଣାକୁ ରକ୍ଷା କରିବା ସମ୍ଭବ ହୁଏ । ଆପଣାକୁ–ଆପଣାର ସିଦ୍ଧି, ଆପଣାର ମୁକ୍ତି ଓ ଆପଣାର ବୃଦ୍ଧି ଇତ୍ୟାଦି ସମଜାତୀୟ ସବୁକିଛିକୁ ସବା ଆଗରେ ରଖି ବାଟ ଚାଲୁଥିବା ପର୍ଯ୍ୟନ୍ତ ପଳାଇ ଯିବାର ପନ୍ଥାଗୁଡ଼ିକହିଁ ସତେଅବା ପ୍ରଶସ୍ତତମ ବୋଲି ବୋଧ ହେଉଥାଏ । ମାତ୍ର, ପୃଥିବୀକୁହିଁ ଭଗବାନଙ୍କର ଘର ବୋଲି ଗ୍ରହଣ କରି ଆପଣାର ଯାବତୀୟ ବିଚରଣରେ ଭଗବାନଙ୍କୁ ସବା ଆଗରେ ରଖି ବାଟ ଚାଲିପାରିଲେ ଆଦୌ ଏଠା ଛାଡ଼ି ଅନ୍ୟତ୍ର ପଳାଇ ଯିବା ସକାଶେ ମନ ହୁଏ ନାହିଁ । ଆପଣା ଲାଗି ଆଦୌ କିଛି ହେଲେବି ଚାହୁଁଥିଲା ପର୍ଯ୍ୟନ୍ତ ବୈରାଗୀ ହେବାକୁ ଲୋଭ ହେଉଥାଏ, ଅଧିକ ଓ ଅସାଧାରଣ ହୋଇ ପାରିବାର ମନ୍ଦ ପ୍ରକୋପଗୁଡ଼ିକ ଆମର ଯାବତୀୟ ଅନୁଧାବନକୁ ଭାରି ଉତ୍ତେଜିତ କରି ରଖିଥାନ୍ତି । ହଠସାଧନାହିଁ ଆମ ଯାବତୀୟ ସାଧନାର ଦିକ୍‌ନିର୍ଣ୍ଣାୟକ ହୋଇ ରହିଥାଏ । ଆମର ସକଳ ଭକ୍ତି, ସକଳ ଜ୍ଞାନ ଓ ସକଳ କର୍ମ ଆଦି ସକଳ ପୁଞ୍ଜି ଆମକୁ ହଠାତ୍ ଅନ୍ୟ କୌଣସି ଅସାଧାରଣ କୁଶଳତା ହାସଲ କରି ଏଠାର ଭୂଇଁଛଡ଼ା ହୋଇ ଅନ୍ୟ କୁଆଡ଼େ ଚାଲିଯିବା ନିମନ୍ତେ ପ୍ରରୋଚନା ଦେଉଥାନ୍ତି । ଆମ ଠାକୁରମାନଙ୍କୁ ମଧ୍ୟ ଆମେ ସେହିସବୁ ପଳାୟନମାର୍ଗୀ ହଠାତ୍ ଫଳଲାଭର ବାସନାପୂରଣର ସାଧନରୂପେ ବ୍ୟବହାର କରିବାରେ ଲାଗିଥାଉ । ଆମର ସୁବିଧା ଲାଗି ଆମରି ଚକ୍ରାନ୍ତରେ ପଡ଼ି ଜୀବନାକାଂକ୍ଷାର ଯାବତୀୟ ଦିବ୍ୟତା ଓ ଯାବତୀୟ ସତ୍ୟତା ଆମରି ସେବା ଖଟି ପାରିବା ଭଳି ଆମଦ୍ଵାରା ନିର୍ଦ୍ଧାରିତ ହୋଇ ରହିଥିବା ନାନାବିଧ ଇଷ୍ଟଦେବତାରେ ପରିଣତ ହୋଇ ରହନ୍ତି । ସେହିମାନଙ୍କର କାନ୍ଧ ଉପରେ ଭରା ଦେଇ ଆମେ ସାଧାରଣର ସୋପାନଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ସିଡ଼ି ଉଠି ଉପରକୁ ଉଠିଯାଉ, ଅସାଧାରଣ ହେଉ; ଗେହ୍ଲା ହୋଇଯାଉ । ବାଇବେଲରେ ଯାହାକୁ Prodigal son ବୋଲି କୁହାଯାଇଛି, ତାହାରି ଏକ ସଂସ୍କରଣରେ ପରିଣତ ହୋଇ ରହୁ । କେଉଁଠି ଅସଲ କ୍ଷେତ୍ରରେ ପରାଭବ ସ୍ଵୀକାର କରି ଆସିଥିବା ପରି ଅତ୍ୟନ୍ତ ହଠଧର୍ମୀ ହୋଇ ରହିଯାଉ ।

 

ଯେଉଁମାନେ ସଂସାର ଭିତରେ ଗୁରାଇତୁରାଇ ହୋଇ ବୁଡ଼ି କରି ରହିଥାନ୍ତି, ସଂସାର ଭିତରେ ଯେଉଁମାନଙ୍କର ଗୋଡ଼ହାତ ବାନ୍ଧିହୋଇ ରହିଥାଏ, ଯେଉଁମାନଙ୍କର ଆଖି ଅଭ୍ୟସ୍ତ ଏବଂ ସ୍ଵୀକୃତ ପରିଧିଗୁଡ଼ିକୁ କେବେହେଲେ ଡିଏଁ ନାହିଁ, ଡେଇଁବାକୁ ଭୟ କରୁଥାଏ, ଶ୍ରୀଅରବିନ୍ଦ ସେମାନଙ୍କର କଥା ମୋଟେ କହି ନାହାନ୍ତି । ଏହି ମଣିଷମାନେ ମଧ୍ୟ ଗ୍ରସ୍ତ ହୋଇ ରହିଥାନ୍ତି, ସ୍ଵେଚ୍ଛାକୃତ ତଥା ଦୈବଦତ୍ତ ନାନା ପରାଧୀନତା ମଧ୍ୟରେ ଅବଶ ହୋଇ ପଡ଼ିଥାନ୍ତି । ସମ୍ମୁଖସ୍ଥ କୌଣସି ପ୍ରତିଶ୍ରୁତି ଅଥବା ସଂପ୍ରତ୍ୟୟ ସେମାନଙ୍କର ଜୀବନକୁ ପରିଚାଳିତ କରୁ ନଥାଏ; ସେମାନେ ଯାହାରି ଦଉଡ଼ିଗୁଡ଼ାକଦ୍ଵାରା ନାଚିକଚି ହେଉଥାନ୍ତି ଓ ଟଣା ହେବାରେ ଲାଗିଥାନ୍ତି, ତାହାକୁ ସେମାନେ ଭାଗ୍ୟ ବୋଲି କହନ୍ତି; ଭାରତବର୍ଷରେ ତାହାକୁ କର୍ମ ବୋଲି କୁହାଯାଏ । ଏହି କ୍ଷେତ୍ରରେ ଆର୍ତ୍ତତାହିଁ ଜୀବନର ଅନ୍ୟ ନାମ ହୋଇ ରହିଥାଏ । ଶ୍ରୀଅରବିନ୍ଦ ଦାସମାନଙ୍କର କଥା କହିନାହାନ୍ତି, ସେ ମୁକ୍ତ ମଣିଷମାନଙ୍କର କଥା କହିଛନ୍ତି । ସଂସାରରେ ରହିଥିବା, ଅଥଚ ମୁକ୍ତ ହୋଇ ରହିଥିବା ମନୁଷ୍ୟମାନଙ୍କର କଥା କହିଛନ୍ତି । ଜଣେ ମଣିଷ ଚକ୍ଷୁ ସମ୍ମୁଖରେ ତାହାର ଚରମ ଓ ପରମ ଲକ୍ଷ୍ୟରୂପେ ଯାହାକୁ ପ୍ରତ୍ୟକ୍ଷ କରୁଛି, ଏକ ନିୟତ ପ୍ରେରଣା ତଥା ଉପସ୍ଥିତିରୂପେ ଯେତେବେଳେ ସିଏ ତାହାକୁହିଁ ନିଜର ଅନ୍ତର ଭିତରେ ମଧ୍ୟ ଅନୁଭବ କରେ, ସେତିକିବେଳେ ଯାଇ ସିଏ ଯଥାର୍ଥ ଭାବରେ ମୁକ୍ତ ହୁଏ । କେବଳ ସେହି ମନୁଷ୍ୟହିଁ ଯଥାର୍ଥରେ କୌଣସି ସାହସ କରିପାରେ ଏବଂ, କେବଳ ଜଣେ ସାହସୀ ମନୁଷ୍ୟହିଁ ଯଥାର୍ଥରେ ମୁକ୍ତ ହୁଏ । ମୁକ୍ତ ହୋଇ ନିମିତ୍ତ ହୁଏ । ଆବହମାନ କାଳରୁ ଯେଉଁ ପରମ ପୂର୍ତ୍ତି ଲାଗି ସୃଷ୍ଟିର ଆକୁଳ ଆକାଂକ୍ଷାମାନ ସତେଅବା ଆପଣାର ଅସଲ ବାଟଟିକୁ ଚିହ୍ନି ନେଇ ପାରୁଥିଲାପରି ବିବର୍ତ୍ତିତ ହୋଇ ଆସିଛନ୍ତି, ମୁକ୍ତ ମଣିଷ ତାହାରି ଲାଗି ନିଜକୁ ଏକ ନିମିତ୍ତରୂପେ ଆଣି ଉପସ୍ଥାପିତ କରିଦିଏ । ସିଏ ସହଯୋଗୀ ହୁଏ; ଯାହା ଆସୁଛି, ଅର୍ଥାତ୍ ନିୟତି-ନିର୍ଦ୍ଦିଷ୍ଟ ହୋଇ ରହିଛି, ତାହାକୁହିଁ ତ୍ୱରାନ୍ୱିତ କରି ଆଣିବାରେ ସିଏ ଆପଣାକୁ ଉତ୍ସର୍ଗ କରେ । ସିଏ ସଂସାର ଭିତରେ ଥାଏ, ତଥାପି ସଂସାରର କବଳରେ ପଡ଼େନାହିଁ; ସଂସାରସ୍ଥ ଯାବତୀୟ ବର୍ତ୍ତମାନକୁ ପୁଞ୍ଜିରୂପେ ବ୍ୟବହାର କରି ସେ ଭବିଷ୍ୟତ୍‍କୁ ଆକାର ଦିଏ, ଅନାଗତକୁ ସମ୍ଭବ କରେ, ପ୍ରତିଶ୍ରୁତକୁ ପ୍ରତ୍ୟକ୍ଷରେ ପରିଣତ କରେ ।

 

ଅନ୍ୟ ପକ୍ଷରେ, ଯେଉଁମାନେ ସଂସାରକୁ ଭୟ କରନ୍ତି, ସେହିମାନେହିଁ ମୁକ୍ତି ଅଥବା ମୋକ୍ଷ କହିଲେ ଏକ ଅସାଧାରଣ ସ୍ଥିତିକୁହିଁ ବୁଝିଥାନ୍ତି । ତେଣୁ ସାଧାରଣ ଅନ୍ୟମାନଙ୍କଠାରୁ ଅଲଗା ହୋଇ ରହନ୍ତି । ଆପଣାର ସ୍ଵର୍ଗକୁ ଏକ ଅନ୍ୟ ବ୍ୟୂହ ପରି ଗଢ଼ନ୍ତି । ଯଥାର୍ଥରେ ମୁକ୍ତ ମଣିଷ ବାହାରକୁ ତଥାକଥିତ ସାଧାରଣ ମଣିଷମାନଙ୍କ ଠାରୁ ଆଦୌ କୌଣସି ପ୍ରକାରେ ଅଲଗା ଦିଶେ ନାହିଁ । ସିଏ ଜଣେ ସାଧାରଣ ମଣିଷର ଜୀବନହିଁ ଯାପନ କରେ । ତା’ର ଗୋଡ଼ମାନେ ଅତ୍ୟନ୍ତ ନିଶ୍ଚିତ ଭାବରେ ଏହି ଭୂମିରେ ରହିଥାନ୍ତି, ଏଇଠୁ ଥାଇ ସମ୍ଭାବ୍ୟ ସବୁଟିକୁ ସ୍ପର୍ଶକରି ପାରିବାର ଦୃଷ୍ଟାନ୍ତ ହୋଇ ରହିଥାନ୍ତି । ସାଧାରଣ ମଣିଷଙ୍କର ଜୀବନଟିକୁ ଗ୍ରହଣ ନକଲେ ମଣିଷ ସାଧାରଣ ପାରମ୍ପରିକ ସଂସାରର ଜାଲଟି ମଧ୍ୟରୁ ଆଗକୁ ଆଦୌ କୌଣସି ବାଟ କାଢ଼ିପାରେ ନାହିଁ । ସଂସାରକୁ ବଦଳାଇବାକୁ ହେଲେ ସଂସାର ଭିତରେ ରହିବାକୁ ପଡ଼େ; ମାତ୍ର ମୁକ୍ତ ମଣିଷ ହୋଇ ରହିବାକୁ ପଡ଼େ, ଚେତନାଯୁକ୍ତ ହୋଇ ରହିବାକୁ ପଡ଼େ, ତେବେଯାଇ ହୁଏ । ଯେଉଁ ମଣିଷ ତାହା କରିପାରେ ନାହିଁ, ସିଏ ସତେଅବା ଆପଣାର ସେହି ଅସାମର୍ଥ୍ୟଟି ଲାଗି ଏକ କ୍ଷତିପୂରଣ ଖୋଜି ଆପଣାକୁ କୌଣସି ନା କୌଣସି ଅସାଧାରଣତାର ଆବରଣ ମଧ୍ୟରେ ସାନ୍ତ୍ଵନା ଦେଇ ରହିବାକୁ ଚେଷ୍ଟା କରୁଥାଏ । ସିଏ ଅଲଗା ହୋଇ ରହିବା ସକାଶେ ମଠ ବସାଏ, ଆଶ୍ରମ ନିର୍ମାଣ କରେ, ବାନା ଉଡ଼ାଏ, ଆପଣାକୁ କୌଣସି ପ୍ରକାରର ଏକ ଅସାଧାରଣ ସନ୍ତକର ଗହଳ ଭିତରେ ଲୁଚାଇ କରି ରଖିଥାଏ । ଅଲଗା ହୋଇ ରହିବାରେ ଆଦୌ କୌଣସି ପ୍ରକାରର ବାହାଦୁରି ନଥାଏ । ସଂସାରକୁ ଶୟଳ ବୋଲି କହି ତାହାଠାରୁ ଦୂରରେ ରହିଲେ ତାହାର ପାଶରୁ କଦାପି ମୁକ୍ତି ମିଳେନାହିଁ । ତେଣୁ ସଂସାରରେ ରହିବାକୁ ହୁଏ, ତଥାପି ମୁକ୍ତହୋଇ ରହିବାକୁ ହୁଏ, ମୁକ୍ତ ହୋଇ ଆଚରଣ କରିବାକୁ ହୁଏ, ସୂର୍ଯ୍ୟମୁହାଁ ହୋଇ ବାଟ ଚାଲିବାକୁ ହୁଏ । ତଥାପି ଅସାଧାରଣ ହୋଇ ଦିଶିବା ଲାଗି କୌଣସି ପ୍ରକାରର ତପଃପ୍ରୟାସ କରିବାର ଆବଶ୍ୟକତା ଅନୁଭୂତ ହୁଏ ନାହିଁ । ଏହା ହେଉଛି ସବୁଠାରୁ କଠିନ; ମାତ୍ର, ସେହିପରି ଏକ ଜୀବନକୁ ସ୍ଵେଚ୍ଛାକୃତ ଭାବରେ ଗ୍ରହଣ କରିନେଇ ପାରିଲେ ତାହା ପ୍ରକୃତରେ ଭାରି ସହଜ ହୋଇଯାଏ ।

 

ଅସଲ ପଥଟି ପ୍ରକୃତରେ ଏକ କଠିନ ପଥ । ଯେତେବେଳ ଯାଏଁ ଆମେ ତାହାକୁ ଆପଣାର ପଥ ବୋଲି ଗ୍ରହଣ କରି ନଥିବା, ଯେତେବେଳ ପର୍ଯ୍ୟନ୍ତ ନାନା ଭୀରୁ ବୁଦ୍ଧିବାଦିତା ଦେଖାଇ ଆମେ ନିଜକୁ ସେଇଟିଠାରୁ ଦୂରେଇ ରଖିଥିବା, କୃତ୍ରିମ ମୁଖାମାନ ପିନ୍ଧି ଅଥବା ଚତୁର ଆଳମାନ ଦେଖାଇ ବାହାରେ ରହିଥିବା ବା କେତେ ନା କେତେ ସମ୍ଭ୍ରାନ୍ତ ଉପାୟରେ ପଳାୟନ କରିବାକୁ ଚେଷ୍ଟା କରୁଥିବା, ସେପର୍ଯ୍ୟନ୍ତ ସେହି ପଥ ଆମକୁ କେବଳ କଠିନ ବୋଲି ପ୍ରତୀତ ହେଉଥିବ । ସେତେବେଳ ଯାଏଁ ଆମେ ଏହି ସଂସାରର ସୂତାଗୁଡ଼ାକ ଭିତରେ ଗୁରାଇତୁରାଇ ହୋଇ ରହିଥିବା, ସଂସାରକୁ ନିନ୍ଦିବାରେ ଲାଗିଥିବା ଏବଂ, ଭଗବାନ କାହିଁକି ଆମକୁ ଏହିପରି ଏକ ସଂସାର ଭିତରେ ଆଣି ପକାଇଦେଲେ ବୋଲି ଭଗବାନଙ୍କୁ ମଧ୍ୟ ନିନ୍ଦିବାରେ ଲାଗିଥିବା । ଏବଂ, ଆହୁରି ଅଧିକ ଅନିଷ୍ଟକାରକ କଥା ହେଉଛି ଯେ, ଏହି ସଂସାର ବନ୍ଧନରୁ ମୁକୁଳିବାର ଏକମାତ୍ର ଉପାୟରୂପେ ସଂସାର ଭିତରୁ ପଳାଇ ଯିବାକୁହିଁ ଶ୍ରେୟସ୍କର ମଣୁଥିବା । ହୃଦୟ ଭିତରୁ ସତେଅବା ସକଳ ବଳକୁ ହରାଇ ବସିଥିବା ପରି ଆମେ କୌଣସି ଅସାଧାରଣ ହଠାତ୍ ସିଦ୍ଧିଲାଭକୁହିଁ ପଳାଇ ଯିବାର ସହାୟକ ଭେଷଜରୂପେ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଥିବା । ସାଧାରଣ ଜୀବନଭୂମିକୁ ଡରି ଅଥବା ଘୃଣା କରି ଯେଉଁମାନେ ଅସାଧାରଣ ଅନ୍ୟ ମଞ୍ଚାଗୁଡ଼ିକ ଭିତରେ ଆପଣାକୁ ଲୁଚାଇ ରଖିଛନ୍ତି, ଅତ୍ୟନ୍ତ ଅସହାୟ ଭାବରେ ଆମେ ସେହିମାନଙ୍କୁହିଁ ପରିତ୍ରାତାରୂପେ ଲୋଡ଼ୁଥିବା । ଅଥଚ, ଆମର ଜୀବନ ହୁଏତ ଆହୁରି ଅଧିକ ଦୟନୀୟ ଭାବରେ ସତେଅବା ଦୁଇ-ଭାଗ କିମ୍ବା ଦୁଇ-ଭୂମି ହୋଇ ରହିଥିବ । ଗୋଟିଏ ଦିଗରେ ଆମେ ସଂସାର ଭିତରେ ସଫଳତା ହାସଲ କରିବା ନିମନ୍ତେ ଯାବତୀୟ ଅଧର୍ମକୁ ଅଗତ୍ୟା କରଣୀୟରୂପେ ସ୍ଵୀକାର କରିନେଉଥିବା ଏବଂ ଅନ୍ୟ ଦିଗରେ, ସତେଅବା ତାହାର ଏକ ପ୍ରାୟଶ୍ଚିତ୍ତସ୍ୱରୂପ ଏହି ସଂସାରରୁ ମୁକ୍ତିଲାଭ କରିବା ସକାଶେ ତଥାକଥିତ ଧର୍ମାଚରଣମାନ କରିବାରେ ଲାଗିଥିବା । ଆମେ ଉଭୟ କ୍ଷେତ୍ରରେହିଁ ଦାସ ହୋଇ ରହିଥିବା । ମୁକ୍ତି ନିମନ୍ତେ ଆକୁଳ ହେଉଥିବା, ଅଥଚ ମୁକ୍ତ ହୋଇ ପାରୁନଥିବା; ବାଟଗୁଡ଼ାକୁ ଡରି ଗାତଗୁଡ଼ାକୁ, କାନ୍ଥଗୁଡ଼ାକୁ ଏବଂ ଜଳାଶୟଗୁଡ଼ାକୁହିଁ ଗତି ବୋଲି ଭ୍ରମ କରୁଥିବା । ଶ୍ରୀଅରବିନ୍ଦ ଆମକୁ କଠିନ ପଥଟିକୁ ସ୍ଵୀକାର କରି ନେବାର ପରାମର୍ଶ ଦେଇଛନ୍ତି । କଠିନ ପଥଟିକୁ ଗ୍ରହଣ କରିନେଇ ପାରିଲେହିଁ ଜୀବନ ସହଜ ହେବ, ସମ୍ବନ୍ଧଗୁଡ଼ିକ ଆମକୁ ଯଥାର୍ଥ ମୁକ୍ତି ଆଡ଼କୁ ପରିଚାଳିତ କରି ନେଇଯିବ । ଏଠାରେ ଯେତେ ଯାହା ଆମକୁ ଏକ ଅମୁହାଁ ଘର ପରି ମନେ ହେଉଛି, ସେତେବେଳେ ତାହା ଆମର ପରବର୍ତ୍ତୀ ଅନେକ ଉତ୍ତରଣ ନିମନ୍ତେ ଏକ ଭୂମିପରି କାର୍ଯ୍ୟ କରିବ; ସେତେବେଳେ ଏହି ସଂସାରକୁ ଅତିକ୍ରମ କରିବାର ପାବଚ୍ଛରୂପେ ବ୍ୟବହୃତ ହୋଇ ପାରିବ-। ଆମେ ନିଜେ ଆପଣା ଭିତରେ କାଳକାଳର ସଂସ୍କାରଦ୍ୱାରା ସୃଷ୍ଟ ହୋଇ ରହିଥିବା ଜଳାଶୟଗୁଡ଼ିକୁ ଅତିକ୍ରମ କରିଯାଇ ପାରିବାର ନିମିତ୍ତରୂପେ ବ୍ୟବହୃତ ହୋଇପାରିବା-। ଏହି କଠିନ ପଥଟିକୁ ବାଛିନେଇ ପାରିଲେ ଆମ ଭିତରେ ଅବିଶ୍ଵାସ ଉପରେ ବିଶ୍ଵାସର ଜୟ ହେବ; ସେହି ବିଶ୍ଵାସ ବଳ ଦେବ, ଆମ ଭିତରେ ତଥା ଆମ ବାହାରେ ଛିଣ୍ଡି ଯାଇଥିବା ସୂତାଗୁଡ଼ିକୁ ଯୋଡ଼ି ଆଣିବ, ଖଣ୍ଡିଆ ଓ ଫଟାଗୁଡ଼ାକୁ ଦୃଢ଼ କରି ଗଢ଼ି ଆଣିବ । ଅନିତ୍ୟ ସଂସାର ନିତ୍ୟ-ରୂପାୟନର ଲୀଳାଭୂମିରୂପେ ଅନୁଭୂତ ହେବ । ତା’ପରେ ଆଉ ଅସାଧାରଣର କୌଣସି ଗହ୍ଵର ମଧ୍ୟରେ ଆତ୍ମଗୋପନ କରି ରହିବାକୁ ମଧ୍ୟ ପଡ଼ିବ ନାହିଁ ।

 

‘ଦିବ୍ୟ ଜୀବନ’ ଗ୍ରନ୍ଥରେ ଶ୍ରୀଅରବିନ୍ଦ ପ୍ରକୃତିର ଆମୂଳ ପରିବର୍ତ୍ତନ ବିଷୟରେ ଚର୍ଚ୍ଚା କରିଛନ୍ତି । ଆମୂଳ ପରିବର୍ତ୍ତନ ଏହି ମୂଳଟିକୁ ବାଦ୍ ଦେଇ ଆଦୌ କୌଣସି ପରିବର୍ତ୍ତନର ଅବତାରଣା କରେ ନାହିଁ; ଆମୂଳ ପରିବର୍ତ୍ତନ, ଅର୍ଥାତ୍ ସମୂଳ ପରିବର୍ତ୍ତନ । ସମଗ୍ର ଜୀବନ ଭୂମିର ଅଧ୍ୟାତ୍ମୀକରଣ । ଏହି ଲକ୍ଷ୍ୟଟି ଆଡ଼କୁ ଉତ୍ତରୋତ୍ତର ଭାବରେ ଅଗ୍ରସର ହେବାଲାଗି ଶ୍ରୀ ଅରବିନ୍ଦ ଆମକୁ ଯେଉଁ ପଥଟିର ଦିଗ୍‌ଦର୍ଶନ ଦେଇଛନ୍ତି, ତାହା ଏକ କଠିନ ପଥ । ମାତ୍ର ସେଇଟି ବ୍ୟତୀତ ଆଉ କୌଣସି ଅନ୍ୟ ମାର୍ଗ ନାହିଁ ବୋଲି ସିଏ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି । (Birth Centenary Library, Vol. XIX, Page 1059) ଜୀବନର ଭୂମିଟି ଅନ୍ନରୁ ଆନନ୍ଦ ପର୍ଯ୍ୟନ୍ତ ପ୍ରଲମ୍ବିତ ହୋଇ ରହିଛି, ତଥାକଥିତ ସାଧାରଣକୁ ନେଇ ତଥାକଥିତ ଅସାଧାରଣ ସହିତ ସ୍ପର୍ଶ କରାଇଛି ଏବଂ ତଥାକଥିତ ଅସାଧାରଣକୁ ତଥାକଥିତ ସାଧାରଣ ମଧ୍ୟକୁ ଭେଦାଇ ଆଣିଛି । ଏହି ସମଗ୍ର ଭୂମିଟିର ସାଧନା ହେଉଛି ଏକ ଅବିଚ୍ଛିନତାର ଉପଲବ୍ଧି ଲାଗି ସାଧନା । ତେଣୁ, ଏଠି ପୋତି ହୋଇ ରହି ସେଇଟିକୁ ଭୁରୁଡ଼ାଇ ଦେବାରେ ଯେତିକି ପ୍ରମାଦ, ସେଠାକୁ ପଳାୟନ କରି ଏଠାର ସମ୍ଭାବନାଗୁଡ଼ିକୁ ଅସ୍ଵୀକାର କରିବାରେ ମଧ୍ୟ ସେତିକି ପ୍ରମାଦ । ଆପଣାକୁ ଭୂମି କରି ଏହି ଜାଗତିକ ଜୀବନ ମଧ୍ୟରେ ପ୍ରଚ୍ଛନ୍ନ ଅଥଚ ଅପେକ୍ଷମାଣ ହୋଇ ରହିଥିବା ଯାବତୀୟ ବୃତ୍ତକୁ ଆବିଷ୍କାର କରିବା, ଏକ ସମଗ୍ର ଓ ଉତ୍ତରଣଧର୍ମୀ ଅନୁରାଗର ଆବେଦନ ମଧ୍ୟରେ ଆମର ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ନାନା ସମ୍ବନ୍ଧର କ୍ଷେତ୍ରରେ ସେଗୁଡ଼ିକୁ ଗୋଟି ଗୋଟି କରି ଉଦ୍‌ଘାଟିତ କରିବା ଓ ସାଧ୍ୟ କରି ଆଣିବା, ଏହା ଅବଶ୍ୟ କଠିନ, ସହଜ ଖୋଜୁଥିବା ଅଳ୍ପାଶୀ ଏବଂ ସ୍ୱଳ୍ପସନ୍ତୁଷ୍ଟ ଲାଗି ଏକାନ୍ତ ଅସାଧ୍ୟ, ମାତ୍ର ଅସଲ ବାସନାଗୁଡ଼ିକୁ ଚିହ୍ନି ଅସଲ ଖିଅଗୁଡ଼ିକୁ ଏକତ୍ର କରି ଆଣିବାକୁ ଜୀବନର ମୂଳ ଧର୍ମରୂପେ ଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ଲାଗି ଏହାର ଅବଶ୍ୟ ଏକ ସ୍ଵତନ୍ତ୍ର ଆକର୍ଷଣ ରହିଛି ।

 

ଆମ ଭିତରେ ଆମରି ମୁହୂର୍ତ୍ତଟି ଆସି ପହଞ୍ଚିବା ଲାଗି ଅପେକ୍ଷା କରି ରହିଥିବା ଆମର ଚୈତ୍ୟସତ୍ତା ଆମରି ଭିତରେ ଆସ୍ଥାନ ନିର୍ମାଣ କରି ରହିଥିବା ବିଶ୍ଵଗତ ତଥା ବିଶ୍ଵାତୀତର ପ୍ରତିନିଧି, ତା’ ଲାଗି ବାହାର ଆଉ ଭିତର ମଧ୍ୟରେ ଆଦୌ କୌଣସି ଦୂରତା ନଥାଏ । ଚୈତ୍ୟର କ୍ଷେତ୍ରରେ ଆମ ଭିତରେ ଯାହା କିଛି ଘଟେ, ତାହାର ଅନୁକ୍ରିୟାସ୍ୱରୂପ ଆମର ତଥାକଥିତ ବହିଃବିଚରଣର କ୍ଷେତ୍ରଗୁଡ଼ିକରେ ମଧ୍ୟ ତାହା ଅନୁରୂପ ଭାବରେ ଉକୁଟି ଉଠିବାରେ ଲାଗିଥାଏ । ଭିତରେ ବାସନା ଥଳ ପାଇଲେ ତାହା ବାହାରକୁ ମଧ୍ୟ ବାସେ । ବାହାରେ ବସିବାର ପ୍ରମାଣ ମିଳିଲେ ଭିତରେ ବାସନା ଥଳ ପାଇପାରିଛି ବୋଲି ପ୍ରମାଣ ମିଳେ । ମାଆ କେଡ଼େ ଅପରୋକ୍ଷ ଭାବରେ ସେହି କଥାଟିକୁ ଶବ୍ଦ ଦେଇ କହିଛନ୍ତି (Collected Works of the Mother, Centenary End, Vol. VII, Page 110) “ତେଣୁ, ଯଦି ତା’ର ବାହ୍ୟ ଜୀବନରେ ଆମେ କାହାକୁ ଚୈତ୍ୟସତ୍ତା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞତାଜଡ଼ିତ ହୋଇ ରହିଥିବାର ଦେଖୁ, ତେବେ ଏକଥା କଦାପି ସମ୍ଭବ ନୁହେଁ ଯେ ସିଏ ତା’ର ଅନ୍ତଃଜୀବନରେ ଚୈତ୍ୟସତ୍ତା ବିଷୟରେ ସଚେତନ ଓ ସଜ୍ଞାନ ହୋଇ ରହିଥିବ । ସିଏ ହୁଏତ ତାହାର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହି ଥାଇପାରେ । ମାତ୍ର ଚୈତ୍ୟସତ୍ତା ଆମର ବହିଃଭୂମିରେ ମଧ୍ୟ ପ୍ରତିଫଳିତ ନହୋଇ ତାହା ବିଷୟରେ ସଚେତନ ହେବା କଦାପି ସମ୍ଭବ ହେବ ନାହିଁ । ତେଣୁ, ଯଦି ବାହାରେ କୌଣସି ପ୍ରତିଫଳନ ହେଉନଥାଏ, ତେବେ ତାହାର କେବଳ ଏହି ଅର୍ଥ ହେବ ଯେ, ତାହା ଭିତରେ ମଧ୍ୟ ଯଥାର୍ଥ ଭାବରେ ପ୍ରତିଷ୍ଠିତ ହୋଇ ପାରି ନାହିଁ ।”

 

ଆମେ ସହଜ ଭିତରେ ଛନ୍ଦିହୋଇ ରହିବା ନା କଠିନ ମାର୍ଗରେ ଯିବା, ସେକଥା ଆମେ ପ୍ରତ୍ୟେକେ ନିଜପାଇଁ ନିଷ୍ପତ୍ତି କରିବା । ତେବେଯାଇ ଆମ ଜୀବନରେ ସାଧାରଣ ଏବଂ ଅସାଧାରଣ ମଧ୍ୟରେ ଲାଗି ରହିଥିବା ଦ୍ଵନ୍ଦ୍ୱଟିର ସମାଧାନ ହୋଇପାରିବ । ଅସାଧାରଣ ସାଧାରଣକୁ ମଧ୍ୟ ସ୍ପର୍ଶ କରି ରହିଥିବ; ଏବଂ ତେଣୁ କେତେକ ବିଶେଷ ଅବସରରେ ଅଥବା ଅଭିନୟରେ ଅସାଧାରଣ ମଧ୍ୟକୁ ପଳାୟନ କରିବା ଲାଗି ଆଉ ଆଦୌ କୌଣସି ଆବଶ୍ୟକତା ରହିବ ନାହିଁ । ଭିତରେ କିମ୍ବା ବାହାରେ ଆଉ କୌଣସି ପ୍ରକାରେ ଆପଣାକୁ ବିଭକ୍ତ ବା ଆତ୍ମପ୍ରତାରିତ କରି ରଖିବାର ଆବଶ୍ୟକତା ମଧ୍ୟ ରହିବ ନାହିଁ ।

 

ଫେବୃଆରୀ ୨୧, ୧୯୮୫

Image

 

ନବସମ୍ଭବର ନୂତନ ରୀତି

 

ସଂସାର ସତତ ବଦଳି ବଦଳି ଯାଉଥାଏ । ନୂଆଗୁଡ଼ାକ ପୁରୁଣା ହେବାରେ ଲାଗିଥାନ୍ତି ଓ ପୁରୁଣାର ଗର୍ଭ ଚିରି ନୂତନର ଉଦ୍ଭବ ହେବାରେ ଲାଗିଥାଏ । ମନୁଷ୍ୟର ସଭ୍ୟତା ହେଉଛି ଏହି ସତତ ପରିବର୍ତ୍ତନର ଏକ କାହାଣୀ । ଏହି ପରିବର୍ତ୍ତନ ଦୁଇ ପ୍ରକାରେ ହୁଏ–ଗୋଟିଏ ଅନୁପ୍ରସ୍ଥ ପରିବର୍ତ୍ତନ ଓ ଆଉ ଗୋଟିଏ ଅନୁଲମ୍ବ ପରିବର୍ତ୍ତନ । ଗୋଟିଏ ସ୍ତରରେ ହେଉଥିବା ପରିବର୍ତ୍ତନକୁ ଆମେ ଅନୁପ୍ରସ୍ଥ ପରିବର୍ତ୍ତନ ବୋଲି କହୁ । ଏହି ପ୍ରକ୍ରିୟାଟିଦ୍ଵାରା ଯାହା ଥାଏ, ତାହାହିଁ ବହୁଗୁଣିତ ହୁଏ । ମାତ୍ର, ଯେଉଁଠି ପରିବର୍ତ୍ତନ ଘଟିବାଫଳରେ ଆମ ଜୀବନଗତ ବିଚରଣର ଆୟାମ ବଦଳିଯାଏ, ଆମର ଚେତନା ଯାହାଦ୍ଵାରା ଏକ ନୂତନ ପ୍ରସ୍ଥକୁ ଉନ୍ନୀତ ହୋଇଯାଏ ଏବଂ ସେହି କାରଣରୁ ଆମ ମୂଲ୍ୟବୋଧ ତଥା ସମ୍ପର୍କର ଭୂମିରେ ନାନା ନୂତନ ଉତ୍ତୋଳନ ସମ୍ଭବ ହେବାକୁ ଆରମ୍ଭ କରେ, ସେହି କ୍ଷେତ୍ରରେ ପରିବର୍ତ୍ତନକୁ ଏକ ଅନୁଲମ୍ବ ପରିବର୍ତ୍ତନ ବୋଲି କୁହାଯାଏ । ଏହି ପରିବର୍ତ୍ତନ କ୍ଵଚିତ୍ ଘଟେ; ଏକ ବିଶେଷ ଅଭୀପ୍ସା ଓ ବିଶେଷ ନେତୃତ୍ଵଫଳରେ ତାହା ହୁଏ । ମନୁଷ୍ୟ ଜାତିର ସାଧନା ଏକ ନୂତନ ବ୍ୟାକୁଳତାର ଗାରକୁ ସ୍ପର୍ଶ କରିପାରିଲେ ତାହା ଘଟିବାର ଏକ ଅଧିକ ଅନୁକୂଳ ପରିବେଶ ସମ୍ଭବ ହୁଏ । ଅନେକ ସମୟରେ ମନୁଷ୍ୟମାନେ କେଡ଼େ ଆଡ଼ମ୍ବରରେ ଏକ ଅନୁଲମ୍ବ ପରିବର୍ତ୍ତନ ଘଟିବାର ଉତ୍ସାହ ଓ ଉତ୍ତେଜନା ନେଇ ବାହାରନ୍ତି; ମାତ୍ର ନେତୃତ୍ଵ ତଥା ବ୍ୟାକୁଳତାର କ୍ଷେତ୍ରରେ କେଉଁଠି କ’ଣ ସବୁ ଆସି ପଶିଯାଏ ଏବଂ ଉତ୍ସାହଟିକୁ ମାରା କରିଦିଏ କେଜାଣି, ସେମାନେ ବସ୍ତୁତଃ କେବଳ ଏକ ଅନୁପ୍ରସ୍ଥ ପରିବର୍ତ୍ତନ ମଧ୍ୟରେହିଁ ଅଟକି ରହିଯାଆନ୍ତି ।

 

ପୃଥିବୀର ଚିନ୍ତାଶୀଳ ବ୍ୟକ୍ତିମାନେ କହିଛନ୍ତି, ବର୍ତ୍ତମାନ ମାନବଜାତି ଏକ ଅଭୂତପୂର୍ବ ଅନୁଲମ୍ବ ପରିବର୍ତ୍ତନର ଦ୍ଵାରଦେଶରେ ଆସି ଦଣ୍ଡାୟମାନ ହୋଇଛି । ଟିକିଏ ଅନ୍ୟ ମହତ୍ତ୍ଵମାନ ଦେଇ କହିଲେ, ସମ୍ପ୍ରତି ପୃଥିବୀର ତଥା ମାନବ-ସମାଜର ଯାବତୀୟ ସମସ୍ୟା ଏପରି ଏକ ଜଟିଳ ବୃତ୍ତ ଭିତରେ ଆସି ପଶିଯାଇଛି ଯେ, କେବଳ ଏକ ଅନୁଲମ୍ବ ପଦକ୍ଷେପ ଗ୍ରହଣ କରିପାରିଲେ ଯାଇ ଆମକୁ ଆଗକୁ ହୁଏତ କୌଣସି ବାଟ ମିଳିପାରିବ । କୌଣସି ପ୍ରକାରର ଅନୁପ୍ରସ୍ଥ ସମାଧାନ ଏହି କ୍ଷେତ୍ରରେ ଆଦୌ ଯଥେଷ୍ଟ ହେବ ନାହିଁ । ଅର୍ଥାତ୍, ପୃଥିବୀର ରାଜନୀତି, ଅର୍ଥନୀତି, ଧର୍ମଜୀବନ, ଯାବତୀୟ ସମ୍ବନ୍ଧ ତଥା ସମ୍ପର୍କର ଯାବତୀୟ ରୀତି ଏ ପର୍ଯ୍ୟନ୍ତ ଯେଉଁ ଗୁଳାରେ ଚଳି ଆସିଛି, ସେହି ଗୁଳାଗୁଡ଼ିକୁ ଦଶଗୁଣ କିମ୍ବା ପଚାଶ ଗୁଣ ଅଧିକ ବିଚକ୍ଷଣତା ଏବଂ ବ୍ୟୁତ୍ପତ୍ତି ସହିତ କାର୍ଯ୍ୟକାରୀ କରାଗଲେ ବର୍ତ୍ତମାନର ସଙ୍କଟ ମଧ୍ୟରୁ ଆମକୁ କଦାପି ଗତି ମିଳିବ ନାହିଁ । ଏହି ସବୁକିଛିକୁ ଏକ ଅନ୍ୟ ଭୂମିକୁ ଉନ୍ନୀତ ହୋଇଯିବାକୁ ପଡ଼ିବ । ପୁରୁଣା ସୂତ୍ର ଓ ପୁରୁଣା ଭେକଗୁଡ଼ାକଦ୍ଵାରା କଦାପି ସମାଧାନ ହେବ ନାହିଁ । ଆମ ଚିହ୍ନା ପଣ୍ଡିତ ଓ ମହାଜନମାନେ ଆମକୁ ଦେଇ ଆସିଥିବା ପରାମର୍ଶଗୁଡ଼ିକ ଆଗକୁ ବାଟ କାଢ଼ିବାରେ ଆମକୁ ଆଉ ମୋଟେ ସାହାଯ୍ୟ କରିବ ନାହିଁ । ପୁରୁଣା ଦିଅଁମାନେ ଆମକୁ ଦେଇ ଆସିଥିବା ବରଗୁଡ଼ିକ ଆମକୁ କେବେହେଲେ ଆମର ଈପ୍ସିତ ଧ୍ୟେୟଗୁଡ଼ିକ ପାଖରେ ନେଇ ପହଞ୍ଚାଇ ପାରିବେ ନାହିଁ ।

 

ପୁରୁଣା କାହାଣୀଗୁଡ଼ିକ ଅନୁସାରେ, ଆଗେ ଦେବତାମାନେ ଯେତେବେଳେ କୌଣସି ଗୋଳରେ ଆସି ପଡ଼ି ଯାଉଥିଲେ, ସେତେବେଳେ ସେମାନେ ବୈକୁଣ୍ଠକୁ ଯାଇ ବିଷ୍ଣୁଙ୍କର ଶରଣାପନ୍ନ ହେଉଥିଲେ । ବିଷ୍ଣୁ ଭାରା ସମ୍ଭାଳୁ ଥିଲେ, ଦେବତାମାନଙ୍କୁ ପାରି କରାଇ ନେଉଥିଲେ । ସମ୍ଭବତଃ ସେହି ବିଚାରଟିକୁ ଏହି ପୃଥିବୀର କ୍ଷେତ୍ରକୁ ଅବତୀର୍ଣ୍ଣ କରାଇ ଆଣି ଆମ ପୂର୍ବଜ ଶାସ୍ତ୍ରକାରମାନେ ଆମକୁ ବାଟ ଦେଖାଇବାର ଏକ ଅବକାଶ ବାଢ଼ି ସ୍ଵୟଂ ଭଗବାନଙ୍କ ମୁଖରେ ଏକ ଅନୁରୂପ ସୂତ୍ରର ବ୍ୟାଖ୍ୟାନ କରାଇଛନ୍ତି । ବୈଷ୍ଣବମାନେ ଏହି ଶୈଳୀଟିକୁ ଅବତାରକ୍ରମ ବୋଲି କହିଛନ୍ତି । ଯେତେବେଳେ ପୃଥିବୀପୃଷ୍ଠରେ ଗ୍ଳାନି ଘୋଟିଯାଏ, ଅଧର୍ମ ଅତିଶୟ ହୁଏ, ସେତେବେଳେ ସିଏ ଊର୍ଦ୍ଧ୍ଵରୁ ଏଠାକୁ ଓହ୍ଲାଇ ଆସନ୍ତି; ଭକ୍ତ ଓ ସାଧୁମାନଙ୍କୁ ରକ୍ଷା କରନ୍ତି, ଦୁଷ୍କୃତମାନଙ୍କର ଉତ୍ପାଟନ କରନ୍ତି,–ଇତ୍ୟାଦି, ଇତ୍ୟାଦି । ଅବତାରବାଦ ଅର୍ଥାତ୍ ଅବତାରମାନଙ୍କ ଉପରେ ବିଶ୍ଵାସ କେବଳ ପୁରାତନ ଶାସ୍ତ୍ରର ଏକ ବିଷୟ ନୁହେଁ ଅଥବା କେବଳ ତଥାକଥିତ ବୈଷ୍ଣବମାନଙ୍କର ପୋଥିଗତ ବସ୍ତୁ ନୁହେଁ; ଏହି ବିଶ୍ଵାସ ଆମର ଏବେ ମଧ୍ୟ ରହିଛି ଏବଂ ମାର୍ଗ ଅନୁସାରେ ନିଜକୁ ବୈଷ୍ଣବ ବୋଲି କହୁ ନଥିବା ଅଗଣିତ ବ୍ୟକ୍ତି ମଧ୍ୟ ସେହିପରି ଏକ ବିଶ୍ଵାସ ସାହାଯ୍ୟରେ ଅନ୍ତତଃ ଏକ ସାନ୍ତ୍ଵନାମୂଳକ ସମାଧାନ ଲାଭ କରିବାକୁ ମନ କରୁଛନ୍ତି । ବିଭିନ୍ନ ସମ୍ପ୍ରଦାୟରେ ଗୁରୁମାନେ କାଳକ୍ରମେ ସେହି ମାର୍ଗକୁ ଅବଲମ୍ବନରୂପେ ସ୍ଵୀକାର କରିଥିବା ଅନୁଗାମୀମାନଙ୍କ ଦ୍ଵାରା ଅବତାରରୂପେ ଘୋଷିତ ହୋଇଛନ୍ତି ଏବଂ ଉତ୍ସାହର ବନ୍ୟାରେ ଆହୁରି ଆଗକୁ ଯାଇ ମାତ୍ର ତଥାପି ସେହି ପୁରୁଣା ନ୍ୟାୟର ଅନୁସରଣ କରି ତନ୍ମୟମାନେ ସେମାନଙ୍କୁ ଏକାବେଳେକେ ଅବତାରବରିଷ୍ଠ ବୋଲି କହିଛନ୍ତି । ଏଇଥିରୁ ସମ୍ପ୍ରଦାୟଗତ ଭେଦତତ୍ତ୍ଵରେ ଅବତାର ଓ ଅବତାରୀ ପ୍ରଭୃତି ଶବ୍ଦକଳ୍ପନାଗୁଡ଼ିକୁ ନେଇ ନାନା ବିତର୍କ ହୋଇଛି, ବିତର୍କରୁ ବାଡ଼ ଉଠିଛି, କଳହ ଉପୁଜିଛି ଏବଂ ମଣିଷମାନେ ତାହାରି ଜାଲ ଭିତରେ ଛନ୍ଦି ହୋଇ ରହି ଯାଇଛନ୍ତି ।

 

ପରିତ୍ରାଣକର୍ତ୍ତା ଗୁରୁଙ୍କୁ ନ୍ୟାୟର ଉଚ୍ଛ୍ଵାସ ମଧ୍ୟରେ ପଡ଼ି ଠିକ୍ ପରମେଶ୍ଵରଙ୍କ ପରି ଅଯୋନିସମ୍ଭୂତ ବୋଲି କୁହାଯାଇଛି । ଗୁରୁଙ୍କଠାରେ ଅବତାରର ଯାବତୀୟ ଗୁଣର ରୋପଣ କରାଯାଇଛି । ଗୁରୁ ପରେ ଗୁରୁ ଆସିଛନ୍ତି, ତଥାପି ଜଗତର ଅସଲ ସମସ୍ୟାଗୁଡ଼ିକର ସମାଧାନ ହୋଇ ନାହିଁ; ଅସଲ ଅନ୍ଧାରଗୁଡ଼ାକ ମଧ୍ୟରୁ ବାଟବି ମିଳି ନାହିଁ । ମାତ୍ର ସମ୍ପ୍ରଦାୟମାନଙ୍କର ହାଟ ବଢ଼ିଛି,–ମଣିଷମାନଙ୍କୁ ଅଧିକତର କ୍ଷେତ୍ରରେ ଅଧିକ ନିର୍ଭରଶୀଳ କରି ରଖାଯାଇଛି । ଅବତାର ଆସି ଆମପାଇଁ ସବୁ କରିଦେଇ ଯିବେ ଅଥବା ଏକଦା ସିଏ ଆସି ଆନନ୍ଦମୟ ସମାଚାରଟିକୁ ଘୋଷଣା କରି ଯାଇଛନ୍ତି;–ଆମେ କେବଳ ସେହି ଅବତାରକୁହିଁ ଆଶ୍ରା କରିବା, ତାଙ୍କରି ଛାପା ରହିଥିବା ବସ୍ତ୍ର ପରିଧାନ କରିବା, ତାଙ୍କରି ବାଟକୁ ଏକମାତ୍ର ବାଟ ବୋଲି ପ୍ରବଳ ଭାବରେ କହିବା-। ଆଦୌ କିଛି ହେବା ନାହିଁ, ଆଦୌ କୌଣସି ପ୍ରକାରେ ବଦଳିବା ନାହିଁ । ଯେଉଁଠାରେ ଅଛୁ ସେହିଠାରେ ରହିଥିବା । ତଥାପି ସବୁ ହୋଇଯିବ, ଫଳିବାରେ ଲାଗିଥିବ । ଏସବୁ ହେଉଛି ସେହି ପୁରୁଣା ମାର୍ଗ, ଯୁଗେଯୁଗେ ତାହାରି ନୂତନ ସଂସ୍କରଣମାନ ହୋଇ ଆସିଛି । ଆଧ୍ୟାତ୍ମିକତାର ଅଭିଧାନରେ ତାହାକୁ ହୁଏତ ଏକ ଅସମ୍ମତି କିମ୍ବା ଏକ ଆଳସ୍ୟ ବୋଲି କୁହାଯିବ । ଭାରତୀୟ ଧର୍ମ-କଳ୍ପନାରେ ଯାହାକୁ ଅବତାର ବୋଲି କୁହାଯାଏ, ପାଶ୍ଚାତ୍ୟ ତନ୍ମାର୍ଗୀମାନେ ତାହାକୁ messiah ବୋଲି କହି ଯାଇଛନ୍ତି । ସିଏ ଆସିଲେ ସବୁ ବଦଳିଯିବ, ଦର୍ପୀର ଦର୍ପ ଯିବ, ମାନୀ ପର୍ବତମାନେ ଗଗନରେ ଉଡ଼ିବେ, ବନ୍ୟା ଆସିବ ପ୍ରଳୟ ହେବ; ତା’ପରେ ନୂଆ ସଂସ୍ଥାପନ ଆରମ୍ଭ ହେବ । ପୁଣ୍ୟବାନ୍‍ମାନେ କୂଳ ପାଇଯିବେ । ପାପାତ୍ମାମାନେ ନିପାତ ହୋଇ ଯିବେ । ଏହି ବିଶ୍ଵାସ ବର୍ତ୍ତମାନ ପୃଥିବୀରେ କେବଳ ଧର୍ମର ଘରଗୁଡ଼ାକୁ ନୁହେଁ, ଆମ ରାଜନୀତି ତଥା ଆମ ଭବିଷ୍ୟକଳନାର ଚିତ୍ରଗୁଡ଼ାକୁ ମଧ୍ୟ ଅତିପରିମାଣରେ ଗ୍ରାସ କରି ରହିଛି । ଆଧୁନିକ ମଣିଷର ଅସହାୟତା ଓ ନିର୍ଭରଶୀଳତାମାନ ତଥାପି ବଢ଼ିବାରେ ଲାଗିଛି । ଆଗେ ଧର୍ମଗୁରୁମାନଙ୍କ ଉପରେ ଅତିରିକ୍ତ ଭରସା ସ୍ଥାପନ କରାଯାଉଥିଲା; ଏବେ ରାଷ୍ଟ୍ର ସେହି ପୁରାତନ ଅଭ୍ୟାସକୁ ଅନେକ ସ୍ଥଳରେ ସତେଅବା ଏକ ବିକଳ୍ପ ଆଣି ଯୋଗାଇ ଦେବାକୁ ଚେଷ୍ଟା କରୁଥିବା ପରି ମନେ ହେଉଛି-

 

ମାଆ ଗୋଟିଏ ଜାଗାରେ କହିଛନ୍ତି (Collected Works of the Mother, Centenary Edition Vol.X, 1977, p. 138) : “ମୁଁ ଆଦୌ ବିଚାର କରୁନାହିଁ ଯେ, ବର୍ତ୍ତମାନ ପୃଥିବୀ ଯେଉଁ ଅବସ୍ଥାରେ ରହିଛି; ସେଥିରେ କୌଣସି ଜଣେ ବ୍ୟକ୍ତି, ସିଏ ଯେତେ ବେଶି ବଡ଼ ହୋଇଥାନ୍ତୁ ଓ ତାଙ୍କର ଚେତନା ଏବଂ ଉଦ୍ଭବମୂଳକ ଯେତେ ଶାଶ୍ଵତ ହୋଇଥାଉ ପଛକେ, ସିଏ ଏକାକୀ ଏହି ପୃଥିବୀକୁ ବଦଳାଇ ଦେଇ ପାରିବେ । ଅର୍ଥାତ୍, ପୃଥିବୀରୂପକ ଏହି ସୃଷ୍ଟି ବର୍ତ୍ତମାନ ଯେପରି ରହିଛି, ସିଏ ସେଥିରେ ଏକ ପରିବର୍ତ୍ତନ ଘଟାଇ ପାରିବେ ଏବଂ ଏହି ଉଚ୍ଚତର ପରମସତ୍ୟର ଉପଲବ୍ଧି କରାଇ ପାରିବେ;–ଯେପରିକି ପୃଥିବୀ ଏକ ନୂତନ ପୃଥିବୀରେ ପରିଣତ ହେବ, ସମ୍ପୂର୍ଣ୍ଣ ଭାବରେ ସତ୍ୟ ଉପରେ ଆଧାରିତ ହୋଇ ନ ପାରିଲେ ମଧ୍ୟ ବର୍ତ୍ତମାନର ତୁଳନାରେ ଅପେକ୍ଷାକୃତ ଅଧିକ ସତ୍ୟ ଉପରେ ଆଧାରିତ ହୋଇ ରହିପାରିବ । ଯେପରି ବୋଧ ହେଉଛି, ଏହି ପରମସତ୍ୟ ଯେପରି ମୂର୍ତ୍ତ ହୋଇ ଆସିପାରିବ ଏବଂ ଆପଣାର ଉପଲବ୍ଧି ସାଧନ କରିପାରିବ, ସେଥିଲାଗି କେତେକ ବ୍ୟକ୍ତି ଏକତ୍ର ହୋଇ କାର୍ଯ୍ୟ କରିବା ପ୍ରକୃତରେ ଅପରିହାର୍ଯ୍ୟ ହୋଇ ଉଠିବ । ଏ ପର୍ଯ୍ୟନ୍ତ ସେହି ବ୍ୟକ୍ତିମାନେ ବିଭିନ୍ନ ଯୁଗରେ ପରସ୍ପରର ପୂର୍ବାପର ଭାବରେ ଏକ କଳାଗତ ଧାରାରେ ଆବିର୍ଭୂତ ହୋଇ ଆସୁଥିଲେ;–ମାତ୍ର, ବର୍ତ୍ତମାନ ସେମାନେ ଏକ ସମୂହ ହିସାବରେ ପୃଥିବୀର ବିଭିନ୍ନ ସ୍ଥାନରେ ମଧ୍ୟ ଏକାବେଳେକେ ଅବସ୍ଥିତ ରହି କାର୍ଯ୍ୟ କରିପାରନ୍ତି ।” ଅନୁମାନଟିକୁ ଏକ ସତ୍ୟରୂପେ ଘୋଷଣା କରି ମାଆ “Practically, I am sure of it” ବୋଲି କହିଛନ୍ତି ।

 

ପୁନଶ୍ଚ, ତାଙ୍କରି ବ୍ୟାଖ୍ୟାରେ, ‘ଏହାର ଅର୍ଥ ହେଉଛି, ଯେଡ଼େ ଅଧିକ ପରିମାଣରେ ବଡ଼, ଯେତେ ଅଧିକ ପରିମାଣରେ ଚେତନାଯୁକ୍ତ ଏବଂ ଯେତେ ଅଧିକ ପରିମାଣରେ ଶକ୍ତିସମ୍ପନ୍ନ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ଅବତାର କେବଳ ଆପଣା ଉପରେ ନିର୍ଭର କରି ଏହି ପୃଥିବୀରେ ଅତିମାନସ ଜୀବନର ବାସ୍ତବ ପ୍ରତିଷ୍ଠା କରିପାରିବେ ନାହିଁ । ଏହି ଉପଲବ୍ଧିଟି ନିମନ୍ତେ କାଳର ଆୟତନ ମଧ୍ୟରେ ପୂର୍ବାପର ହୋଇ ରହିଥିବା ଏକ ଗୋଷ୍ଠୀ–ସେମାନେ ଏକ ନିର୍ଦ୍ଦିଷ୍ଟ କାଳପର୍ଯ୍ୟାୟର ବିଭିନ୍ନ ସମୟରେ ଆବିର୍ଭୂତ ହେବେ, ଅଥବା, ଏକକାଳରେ ମଧ୍ୟ ପୃଥିବୀର ବିଭିନ୍ନ ସ୍ଥାନରେ ସେମାନଙ୍କର ଆବିର୍ଭାବ ଘଟିବ,–ଖୁବ୍ ସମ୍ଭବ ଏହି ଦୁଇଟିଯାକ ପ୍ରକ୍ରିୟା ଏକ ସମୟରେ କାର୍ଯ୍ୟକାରୀ ହେବ, ଈପ୍ସିତ ଉପଲବ୍ଧି ନିମନ୍ତେ ତାହା ପ୍ରକୃତରେ ଅପରିହାର୍ଯ୍ୟ । ସନ୍ଦେହୀମାନଙ୍କର ସନ୍ଦେହ ମୋଚନ କଲାପରି ମାଆ ‘I am convinced of it” ବୋଲି କହି କଥାଟିକୁ ଶେଷ କରିଛନ୍ତି । ପାରମ୍ପରିକ ଅବତାରବାଦକୁ ଯାବତୀୟ ପରିତ୍ରାଣ ଏବଂ ପ୍ରତିକାରର ସତେଅବା ଏକ ନିଦକ୍ ଓ ଅମୋଘ ବାଟ ବୋଲି ଗ୍ରହଣ କରି ନେଇଥିବା ବ୍ୟକ୍ତିମାନେ ମାଆଙ୍କର ଏହି ଉକ୍ତିରେ ହୁଏତ ବିସ୍ମୟ ପ୍ରକାଶ କରିବେ ଏବଂ ସେମାନେ ଯେଉଁ ଭୂମିଟି ଉପରେ ଅଭ୍ୟସ୍ତ ଭାବରେ ଛିଡ଼ା ହୋଇ ରହି ଆସୁଛନ୍ତି, ତାହା ସେମାନଙ୍କର ପାଦ ତଳୁ ସତେଅବା ଖସି ଖସି ଯାଉଥିବା ପରି ଅନୁଭବ କରିବେ । ପାରମ୍ପରିକ ଅବତାରବାଦ ପୃଥିବୀର ଇତିହାସରେ ହୁଏତ ଅଧିକାଂଶ ମନୁଷ୍ୟଙ୍କର ଜୀବନ କ୍ଷେତ୍ରରେ ଏକ ଅସହାୟତା ସୃଷ୍ଟି କରି ଆସିଛି । ଅସଲ ଶକ୍ତିକୁ ଆପଣାଠାରୁ ଦୂରରେ ନିଜର ବାହାରେ ଆଉ କେଉଁଠି ରହିଛି ବୋଲି ବିଶ୍ଵାସ କରି ଆସିଥିବା ମଣିଷ ସାଧାରଣତଃ ଅତ୍ୟନ୍ତ ନିର୍ଭରଶୀଳ ହୋଇ ରହିବାକୁ ଭାରି ଭଲ ପାଇ ଆସିଥାଏ । ଭକ୍ତି କହିଲେ ସିଏ ପ୍ରାୟ ଏହିପରି ଏକ ନିର୍ଭରଶୀଳତାକୁ ବୁଝିଥାଏ । ଭକ୍ତି ଯେ ନିଜ ଭିତରେ ଏକ ଉନ୍ମୋଚନ ମଧ୍ୟ ଘଟାଇପାରେ, ଆରାଧ୍ୟ ଇଷ୍ଟଟି ସହିତ ଏକ ସକ୍ରିୟ ସମ୍ବଦ୍ଧର ସ୍ଥାପନା କରିପାରେ, ନିର୍ଭରଶୀଳ ମଣିଷ ଲାଗି ସେହି ସତ୍ୟଟି ସତତ ଅନ୍ତରାଳ ହୋଇ ରହିଥାଏ ।

 

ମାଆ ଗୋଷ୍ଠୀର କଥା କହିଛନ୍ତି । ପାରମ୍ପରିକ ସାଧନା ପ୍ରାୟ ଐକାନ୍ତିକ ଭାବରେ ବ୍ୟକ୍ତିର ସାଧନା ହୋଇ ରହି ଆସିଥିଲା । ବ୍ୟକ୍ତି ପ୍ରଧାନତଃ ଆପଣାର ପରିତ୍ରାଣ କାମନା କରୁଥିଲା,–ସିଏ ବ୍ୟକ୍ତିଗତ ଭାବରେ ଯାବତୀୟ ପାଶମୋଚନର ଇଚ୍ଛା କରୁଥିଲା । ଯେଉଁଠାରେ ସାଧନାର ଅଭିଳାଷଗୁଡ଼ିକ ଏହିପରି ମୁଖ୍ୟତଃ ବ୍ୟକ୍ତି-ମୁକ୍ତି ବା ବ୍ୟକ୍ତିସୁଖର ବୃତ୍ତଟି ମଧ୍ୟରେ ଆବଦ୍ଧ ହୋଇ ରହିଥାଏ, ସେଠାରେ ସେହି ସାଧନା-ଜଗତର ନ୍ୟାୟ ଅନୁସାରେ ସାଧକମାନେ ମଧ୍ୟ ନାନା ପାହାଚରେ ବିଭକ୍ତ ହୋଇ ରହିଥାଆନ୍ତି, ବଡ଼ସାନ ହୋଇ ରହିଥାଆନ୍ତି, ପ୍ରବର ଓ ଅବର ହୋଇ ରହିଥାଆନ୍ତି । ସମ୍ପ୍ରଦାୟଗୁଡ଼ିକ ପାହାଚଗୁଡ଼ିକର ନିର୍ଦ୍ଧାରଣ କରି ଦେଇଥାନ୍ତି, ସେହି ଅନୁସାରେ ସାଧକମାନଙ୍କୁ ଆପଣାର ବିରକ୍ତ ଜୀବନଗୁଡ଼ିକୁ ସମସ୍ତଙ୍କ ମେଳରେ ଥାଇ ମଧ୍ୟ ପ୍ରାୟ ଏକୁଟିଆ ହୋଇ ଅତିବାହିତ କରିବାକୁ ପଡ଼ିଥାଏ । ପାରମ୍ପରିକ ସାଧନାରେ କେହି କାହାରି ଲାଗି ଦାୟୀ ନୁହନ୍ତି,–ସେହି ଆୟତନଟି ମଧ୍ୟରେ କାହାରି ବାଟ କାହାରି ବାଟକୁ ସ୍ପର୍ଶ କରି ରହିଥିଲା ପରି ଆଦୌ ଅନୁଭବ ହୁଏ ନାହିଁ । ସମସ୍ତେ ହୁଏତ ସେଇଥିଲାଗି ସଂସାର ଛାଡ଼ିଥାନ୍ତି,–ତଥାପି ଆପଣାର ପଥଗୁଡ଼ିକୁ ଯଥାସମ୍ଭବ ଏକୁଟିଆ ହୋଇ ଅତିକ୍ରମ କରିବାରେ ଲାଗିଥାଆନ୍ତି । ମାଆ ଯେଉଁ ଗୋଷ୍ଠୀର କଥା କହିଛନ୍ତି, କେବଳ ଆପଣାର ମୁକ୍ତି ଓ ଆପଣାର ସୁଖ ଚାହୁଁଥିଲା ପର୍ଯ୍ୟନ୍ତ ସେହି ଗୋଷ୍ଠୀ କଦାପି ସମ୍ଭବ ହେବ ନାହିଁ । ଆପଣାର ମୁକ୍ତିକୁହିଁ ସାଧନାର ସମସ୍ତ ଫଳ ବୋଲି ବିଚାର କରୁଥିବା ଏକକ ଯାତ୍ରୀମାନେ କାଳେ କାଳେ ପରସ୍ପରକୁ ଅବଜ୍ଞ୍ୟାହିଁ କରି ଆସିଛନ୍ତି । ସେମାନେ ସଂସାର ଲାଗି ଆଦୌ କିଛି ଚାହିଁ ନାହାନ୍ତି, କାରଣ ସଂସାରକୁ ମଧ୍ୟ ଅବଜ୍ଞା କରି ଆସିଛନ୍ତି ।

 

ଆପଣାର ଯାବତୀୟ ବୈରାଗ୍ୟରେ ଏକ ସମଗ୍ର ଅନୁରାଗ ଲାଗି ଆବଶ୍ୟକ ରୂପାନ୍ତର ଘଟାଇ ପାରିଲେ ଯାଇ ଆମେ କଳ୍ପିତ ସେହି ଗୋଷ୍ଠୀଟି ଆଡ଼କୁ ଉଚିତ ପାଦଟିକୁ ପକାଇ ପାରିବା । ବୈରାଗ୍ୟ ମଣିଷମାନଙ୍କୁ ପରସ୍ପରଠାରୁ ବିରକ୍ତ କରି ରଖିଥାଏ, ଅନୁରାଗହିଁ ସେମାନଙ୍କୁ ଏକତ୍ର କରାଏ, ପରସ୍ପରର ନିକଟବର୍ତ୍ତୀ କରି ନେଇଆସେ । ଅସଲ ଅନୁରାଗଟିକୁ ବହନ କରି ପାରୁଥିବାରୁ ସେମାନେ ପରସ୍ପର ପ୍ରତି ଅନୁରାଗୀ ହୁଅନ୍ତି; ଅସଲ ଆକର୍ଷଣଟିକୁ ଅନୁଭବ କରି ପାରୁଥିବାରୁ ସେମାନେ ପରସ୍ପର ପ୍ରତି ଆକୃଷ୍ଟ ହୁଅନ୍ତି । ସେହି ଆକର୍ଷଣ ଭିତରେ ଏକ ଅଭିନବ ଶକ୍ତିକୁ ସମ୍ଭବ କରିଆଣେ ଏବଂ ସେହି ଶକ୍ତି ଗୋଷ୍ଠୀକୁ ଜନ୍ମ ଦିଏ । ପୃଥିବୀର ଇତିହାସରେ ଗଢ଼ାହୋଇ ଆସିଥିବା ଅଧିକାଂଶ ଗୋଷ୍ଠୀରେ ମଣିଷର ଅହଂଟାହିଁ ଅତିପ୍ରବଳ ହୋଇ ରହିଆସିଛି । ଜଣେ ବ୍ୟକ୍ତିର ଅହଂ ଅଧିକରୁ ଅଧିକ ପରାକ୍ରମୀ ହୋଇ ଅନ୍ୟ ସମସ୍ତଙ୍କର ଅହଂକୁ ଗିଳି ପକାଇବାକୁ ବସିଛି । ଖୁବ୍ ବେଶି ହେଲେ ବ୍ୟକ୍ତିର ଅହଂ ତଥାକଥିତ ଏକ ସାମୂହିକ ଅହଂ ପର୍ଯ୍ୟନ୍ତ ଯିବା ଲାଗି ରାଜି ହୋଇ ପାରିଛି । ମାଆ ମୋଟେ ସେପରି କୌଣସି ଗୋଷ୍ଠୀର କଥା କହିନାହାନ୍ତି-। ଆପଣାକୁ ଆବିଷ୍କାର କରିବା ମାଧ୍ୟମରେ ଅନ୍ୟମାନଙ୍କୁ ଆପଣାର ସମାନଧର୍ମୀରୂପେ ଆବିଷ୍କାର କରିବାଦ୍ୱାରା ସେହି ଆତ୍ମୀୟତାକୁ ଭିତ୍ତିକରି ଯେଉଁ ଗୋଷ୍ଠୀ ଗଠିତ ହୋଇଉଠେ, ମାଆ ସେହିପରି ଏକ ଗୋଷ୍ଠୀହିଁ ଆଗାମୀ ଭବିଷ୍ୟର ନିର୍ମାଣ ଲାଗି ଯନ୍ତ୍ରରୂପେ ବ୍ୟବହୃତ ହୋଇପାରିବ ବୋଲି କହିଛନ୍ତି । ଏପରି କରି ମାଆ ଆମର ଯଥାର୍ଥ ଗଭୀରରେ ରହିଥିବା ଅସଲ ସତ୍ତା ଓ ଅସଲ ବ୍ୟାକୁଳତାଟିକୁ ଏକ ଉଦ୍‌ବୋଧନ ଦେଇଛନ୍ତି । ସେହି ବ୍ୟାକୁଳତା ହେଉଛି ସକଳ ବିଶ୍ୱକୁ ଆମ ସହିତ ଏକାଠି ଗଅଁଠାଇ ରଖିବାର ଏକ ବ୍ୟାକୁଳତା । ସେହି ବ୍ୟାକୁଳତାର ଖିଅଟି ହାତରେ ଆସି ଲାଗିଗଲେ ବ୍ୟକ୍ତି ମଧ୍ୟରେ ସ୍ୱାଭାବିକ ଭାବରେ ଯେଉଁ ସମର୍ପଣ ଶକ୍ତିର ଉତ୍ସାରଣ ଘଟିଥାଏ, ତାହାହିଁ ଅସଲ ଗୋଷ୍ଠୀଟିକୁ ଗଢ଼ିବାକୁ ବାହାରେ । ସିଏ ସଙ୍ଗୀମାନଙ୍କୁ ଆବିଷ୍କାର କରି ବାହାରେ-। ସିଏ ଯାହା ଖୋଜି ବାହାରିଥାଏ, ଅର୍ଥାତ୍ ଯେଉଁମାନଙ୍କୁ ଖୋଜି ବାହାରିଥାଏ, ସେମାନେ ତାକୁ ଅବଶ୍ୟ ମିଳିଯାଆନ୍ତି । ତା’ପରେ ଆପଣାକୁ କେବଳ ଅଭିପ୍ରେତ ବୋଲି ମନେହୁଏ ଏବଂ ଅଭିପ୍ରେତମାନେ ନିଜକୁ ଭାରି ସହଜରେ ଆବିଷ୍କାର କରିନେଇ ପାରନ୍ତି । ସେହି ଚିହ୍ନିନେବାହିଁ ନୂତନ ଗୋଷ୍ଠୀଟିକୁ ଗଢ଼ିବାରେ ସନ୍ତକରୂପେ କାର୍ଯ୍ୟ କରେ ।

 

ଯୁଗେଯୁଗେ ଯେଉଁମାନେ ପୃଥିବୀକୁ ଗୋଟିଏ ଗୋଟିଏ ଅବତାରର ପ୍ରତୀତି ଦେଇ ଏହାର ଉତ୍ତରଣ ଲାଗି କାର୍ଯ୍ୟ କରିବାକୁ ଆସିଛନ୍ତି, ମାଆଙ୍କର ଉକ୍ତିରୁ ଖିଅ ନେଇ ଆମେ ସେମାନଙ୍କୁ ବେଶ୍‌ ଏକ ଗୋଷ୍ଠୀରୂପେ କଳ୍ପନା କରିପାରିବା ଓ ସେହି ଗୋଷ୍ଠୀଠାରୁ ପ୍ରେରଣା ନେଇପାରିବା । ସେମାନେ ଆମକୁ ବୈରାଗ୍ୟ ଲାଗି ନୁହେଁ, ସମ୍ପ୍ରଦାୟ ଲାଗି ନୁହେଁ, ଆପଣାକୁ ସେହିଭଳି କୌଣସି ବ୍ୟୂହର ଅନ୍ତର୍ଭୁକ୍ତ କରି ଆତ୍ମଗର୍ବ ସହିତ ଅନୁଭବ କରିବା ଲାଗି ନୁହେଁ, ମାତ୍ର ଅନୁରାଗ ଲାଗି ପ୍ରେରଣା ଦେବେ, ଶକ୍ତିମାନ ହେବାଲାଗି ପ୍ରେରଣା ଦେବେ, ଆମେ ପରସ୍ପର ଭିତରେ ସେହି ଶକ୍ତିର ଆବିଷ୍କାର କରିବା ଲାଗି ପ୍ରେରଣା ଦେବେ । ସେହି ପ୍ରେରଣା ଏହି ପୃଥିବୀକୁ ଯୁଗେଯୁଗେ ମାଡ଼ି ବସିଥିବା ଅସହାୟତା ମଧ୍ୟରୁ ବାହାରି ଆସିବା ଲାଗି ଆମେ ପୃଥିବୀକୁ ଏକ ଅନ୍ୟ ବାଟ ଦେଖାଇଦେବ, ଏକ ଅନ୍ୟ ବିଶ୍ୱାସ ଯୋଗାଇ ଦେଇଯିବ, ଏକ ଯଥାର୍ଥ ସଖ୍ୟ ଏବଂ ତଜ୍ଜନିତ ସକ୍ରିୟତାରେ ଆମେ ସମସ୍ତଙ୍କୁ ଏକତ୍ର କରି ଆଣିବ । ଏହାଦ୍ୱାରା ସମ୍ପ୍ରଦାୟଗତ ସକଳବିଧ ଅବଜ୍ଞାର ବାଡ଼ଗୁଡ଼ାକ ଭାଙ୍ଗି ଚୂନା ହୋଇଯିବ, ଆଗାମୀ ପରିବର୍ତ୍ତନଟି ଲାଗି ପଥଗୁଡ଼ିକ ପରିଷ୍କାର ଭାବରେ ଦେଖାଯିବାକୁ ଆରମ୍ଭ କରିବ । ଆମେ ସତେଅବା ସମସ୍ତଙ୍କୁ ସାଙ୍ଗରେ ନେଇ ବାଟ ଚାଲିବାକୁ ଆରମ୍ଭ କରିବା ପରି ଅନୁଭବ କରିବା । ଅସଲ ସମୂହଟି ତାହାରିଦ୍ୱାରା ମୂର୍ତ୍ତ ହୋଇ ଆସିବ । କେହି କାହାରିକୁ ଆଉ ମୋଟେ ପ୍ରତ୍ୟାଖ୍ୟାନ କରିବାକୁ ମନ କରିବେ ନାହିଁ । ପ୍ରତ୍ୟେକେ ଯନ୍ତ୍ର ହୋଇ ବାହାରିବେ ।

 

କେବଳ କାଳର ଆୟତନ ଉପରେ ନୁହେଁ, ଗୋଟିଏ କାଳ–ପର୍ଯ୍ୟାୟ ଭିତରେ ପୃଥିବୀର ବିଭିନ୍ନ ସ୍ଥାନରେ ମଧ୍ୟ ସମ୍ମତ ବ୍ୟକ୍ତିମାନଙ୍କୁ ଏକତ୍ର କରିଆଣି ଉକ୍ତ ଗୋଷ୍ଠୀଟି ନିର୍ମିତ ହୋଇ ଆସିବ ବୋଲି ମାଆ ଆମକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଆମ ପୃଥିବୀରେ ସତେଅବା ସେହି ଗୋଷ୍ଠୀଟି ଅଧିକରୁ ଅଧିକ ସାକାର ଭାବରେ ଅନୁଭୂତ ହୋଇ ଗଢ଼ିଉଠୁଥିବା ପରି ମନେ ହେଉଛି । ଆମ ସାମ୍ପ୍ରତିକ ପୃଥିବୀର ଅସଲ ବ୍ୟାକୁଳତାଗୁଡ଼ିକ ଏହି ଗୋଷ୍ଠୀଟିର ମାଧ୍ୟମରେ କ୍ରମେ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ଅନୁଭୂତ ହୋଇ ଆସିଲାଣି । ଯେଉଁ ଅବତାରଟି ଦ୍ୱାରା ଭବିଷ୍ୟତ୍‍ର ସେହି ଅନ୍ୟ ପୃଥିବୀର ରଚନା ମଧ୍ୟଦେଇ ଆପଣାକୁ ସଞ୍ଚାରିତ କରି ଆଣିବ, ଆଲୋଚିତ ଏହି ଗୋଷ୍ଠୀଟିହିଁ ସତେଅବା ସେହି ଅବତାରକୁ ପ୍ରକଟ କରି ଆଣିବାକୁ ପ୍ରସ୍ତୁତ ହେବାରେ ଲାଗିଛି । ଏହିପରି ଭାବରେ ବିଚାର କଲେ ପୃଥ୍ୱୀପରିବର୍ତ୍ତନର ଧାରାରେ ବର୍ତ୍ତମାନର କ୍ଷଣଟିରେ ଏକ ଅଭିନବ ଆହ୍ୱାନ ଆସି ଉପସ୍ଥିତ ହୋଇଛି । ଯୁଗଯୁଗ ଧରି ନିତାନ୍ତ ଅଲଗାଅଲଗା ହୋଇ ପଡ଼ିଥିବା ବାଟମାନେ ସତେଅବା ପରସ୍ପରକୁ ଆବିଷ୍କାର କରି ସଂଯୁକ୍ତ ଭାବରେ ଗୋଟିଏ ବେଣୀରେ ବଳିହୋଇ ଆସୁଛନ୍ତି । ସମ୍ମତ ହୋଇ ପାରିଲେ ସେହି ଆହ୍ୱାନଟିକୁ ଆମେ ମଧ୍ୟ ନିଜ ଭିତରେ ଅନୁଭବ କରିପାରିବା । ସମ୍ମତ ହୋଇ ପାରିଲେ ଆମେ ମଧ୍ୟ ସେହି ଗୋଷ୍ଠୀ ଭିତରେ ଯାଇ ସାମିଲ ହୋଇପାରିବା । ତେବେ ଆଗାମୀ ପୃଥିବୀଟିର ସନ୍ଦେଶକୁ ବହନ କରି ଆଣୁଥିବା ଅବତାରଟି ଆମ ଭିତରକୁ ମଧ୍ୟ ପ୍ରବେଶାଧିକାର ଲାଭ କରିପାରିବ, ଆମକୁ ଆବଶ୍ୟକ ଭାବରେ ପ୍ରସ୍ତୁତ କରିନେଇ ପାରିବ ଏବଂ କାମରେ ଲଗାଇ ପାରିବ । ଆମେ ସମ୍ମତି ଦେଲେ ଯାଇ ସେକଥା ହେବ । ଏହି ବାଡ଼ଗୁଡ଼ାକ ଭାଙ୍ଗିଗଲେ ଯାଇ ତାହା ହେବ, ପୁରୁଣା ଶାସ୍ତ୍ର ଏବଂ ପୁରୁଣା ବୈରାଗ୍ୟଗୁଡ଼ାକର ଫାଶକୁ କାଟିପାରିଲେ ଯାଇ ହେବ । ସେତେବେଳେ ଆମ ଭିତରେ ଆଉ କୌଣସି ପ୍ରକାରର ଅସହାୟତା ରହିବ ନାହିଁ । ଅସଲ ସହାୟଟି ଆମ ପରସ୍ପର ଭିତରେ ଆମମାନଙ୍କର ସମ୍ମତି ଲାଗି ଅପେକ୍ଷା କରି ରହିଛି ବୋଲି ଦେଖାଯିବ । ଏକାବେଳେକେ ଜଳଜଳ ହୋଇ ଦେଖାଯିବ ।

 

ଏପ୍ରିଲ, ୨୪, ୧୯୮୫

Image

 

ନୂଆର ହସ୍ତକ୍ଷେପ, ପୁରୁଣାର ପ୍ରତିରୋଧ

 

“….there is always a moment when the Divine intervenes and prevents things from going farther.”

 

(Collected Works of the Mother, Vol.-VII, page–425)

 

ପୃଥିବୀର ଏକ ପ୍ରାଚୀନ ଧର୍ମରେ ଦେବତା ଓ ଅସୁର ଉଭୟର କଳ୍ପନା କରାଯାଇଛି । ଦୁହେଁ ସମାନ ଭାବରେ ଶକ୍ତିମାନ । ଗୋଟିଏ ପାଖରେ ଭଲ ଓ ଆଉ ଗୋଟିଏ ପାଖରେ ମନ୍ଦ । ମନ୍ଦ ଓ ଭଲ ମଧ୍ୟରେ ନିରନ୍ତର ଯୁଦ୍ଧ ଲାଗିଥାଏ । ସବୁବେଳେ ଯେ ଭଲ ପାଖଟା ଜିତେ, ସେକଥା ମୋଟେ ନୁହେଁ । ମନ୍ଦବି ବେଳେବେଳେ ଜିତେ । ଭଲ ଉଢ଼ୁଆଳକୁ ଚାଲିଯାଏ । ମନ୍ଦ ଜିତୁଥିବା ସମୟରେ ପୃଥିବୀରେ ମନ୍ଦ ସମୟ ପଡ଼ିଥାଏ ଏବଂ ଭଲ ଜିତୁଥିବା ସମୟରେ ଭଲ ସମୟ । ତେଣୁ ଦ୍ୱନ୍ଦ୍ୱରେ ପଡ଼ିବା ଲାଗି ଆଉ କିଛି ହେଲେ ନଥାଏ । ବର୍ତ୍ତମାନ ଆମ ପୃଥିବୀରେ ଯେଉଁପରି ଏକ ସମୟ ପଡ଼ିଛି, ତାହାକୁ ଦେଖି ମଣିଷ ଆଗକୁ ବାହାରି ପଡ଼ି ଠୋ’ କରି ଅବଶ୍ୟ କହିଦେଇ ପାରିବେ ଯେ ବର୍ତ୍ତମାନ ପୃଥିବୀକୁ ମନ୍ଦ ବେଳ ଆସିଛି । ଅର୍ଥାତ୍‌, ପୃଥିବୀର ମୀମାଂସା କରି ଦେଉଥିବା ଅସଲ ଲଢ଼ାଇରେ ବର୍ତ୍ତମାନ ପ୍ରାୟ ଲଗାଏତ ଅନେକ ବର୍ଷ ହେଲା ମନ୍ଦ ଦେବତାହିଁ ବିଜୟ ଲାଭ କରିବାରେ ଲାଗିଛନ୍ତି । ବିଚରା ଭଲ ପାଖର ଦେବତା ହାରିଯାଇ ନିର୍ବଳ ହୋଇ ପଡ଼ିଛନ୍ତି । ତେଣୁ ପୃଥିବୀରେ ଆମ ଗୋଡ଼ତଳୁ ମାଟି ଖସି ଖସି ଯିବାରେ ଲାଗିଛି । ଅସୁରପଟେହିଁ ଅନେକ ଦର୍ପ ରହିଛି ଓ ଅହଂକାରମାନେ ସବୁଠାରୁ ଅଧିକ କ୍ଷମତା ଅଧିକାର କରି ପୃଥିବୀର ଜୀବନଗୁଡ଼ାକୁ ଅସ୍ତବ୍ୟସ୍ତ କରି ରଖିଛନ୍ତି । ତଥାପି, କାହାର କିଛି କରିବାର ନାହିଁ । ଊର୍ଦ୍ଧ୍ୱରେ ଅନ୍ୟ ଏକ ମଇଦାନରେ ଯେତେବେଳେ ସମାନବଳ ଦୁଇ ଶକ୍ତିଶାଳୀଙ୍କ ମଧ୍ୟରେ ଲାଗିଥିବା ବଳ କଷାକଷି ଅନୁସାରେହିଁ ପୃଥିବୀର ଭାଗ୍ୟମୀମାଂସା ହେଉଛି, ସେତେବେଳେ କିଏ ଆଉ କ’ଣ କରି ପାରିବ ?

 

ନିକୃଷ୍ଟରୁ ଆହୁରି ନିକୃଷ୍ଟ ମଣିଷ ଭିତରେ ମଧ୍ୟ କ’ଣ ଅଭୀପ୍ସା ନାମକ ଏକ ବସ୍ତୁ ପ୍ରକୃତରେ ରହିଛି ବୋଲି ପ୍ରାୟ ତିରିଶବର୍ଷ ତଳେ ମାଆଙ୍କୁ କେହି ପ୍ରଶ୍ନ କରିଥିଲେ । ମାଆ ‘ହଁ’ ବୋଲି ଉତ୍ତର ଦେଇଥିଲେ । ଏପରିକି ଦୈତ୍ୟ ଓ ଅସୁରମାନଙ୍କ ଭିତରେ, ପ୍ରବଳରୁ ପ୍ରବଳତମ ବିଶ୍ୱଶତ୍ରୁ ଭିତରେ ଅବଶ୍ୟ ଏକ ଆଲୋକସମ୍ପଦ ଅବସ୍ଥିତ ରହିଛି ବୋଲି ମାଆ କହିଥିଲେ । କେଉଁଠି ଟିକିଏ ବ୍ୟତିକ୍ରମ ରହିଛି, ଫାଟଟିଏ ରହିଛି, ଅତ୍ୟନ୍ତ କୋମଳ ତଥା ସମ୍ବେଦନାସମର୍ଥ ଥାନଟିଏ ରହିଛି । ପ୍ରବଳମାନଙ୍କର ସଂସାରରେ ତାହାକୁ ସାଧାରଣତଃ ଏକ ଦୁର୍ବଳତା ବୋଲି ବିଚାର କରାଯାଇଥାଏ । ମାଆ ତାହାକୁ ମନୁଷ୍ୟ ଭିତରେ ରହିଥିବା ଅସଲ ବଳ ବୋଲି କହିଛନ୍ତି । ବଳର ସେହି ଅସଲ ବିନ୍ଦୁଟିକୁ ସ୍ପର୍ଶ କରି ପାରିଲେ ବାହାରର ଯାବତୀୟ କର୍କଶତା ଓ ନିର୍ମମତା ସତ୍ତ୍ୱେ ଆମେ ଭିତରକୁ ପ୍ରବେଶ କରି ବନ୍ଦିଟିକୁ ବାହାରକୁ ଆବାହନ କରି ଆଣିପାରିବା ବୋଲି ସିଏ କହିଛନ୍ତି । ଏପରିକି, ଯେଉଁମାନେ ଆପଣାର ସକଳ ପ୍ରକାର ସଚେତନ ଜିଦ୍‌ ଦେଇ ଜଗତ୍‍ରେ ଦିବ୍ୟ ଇଚ୍ଛାଟି ସହିତ ଲଢ଼ାଇ କରିବାରେ ଲାଗିଛନ୍ତି, ସେମାନଙ୍କର ଯାବତୀୟ ଦର୍ପପ୍ରଦର୍ଶନ ସତ୍ତ୍ୱେ ସେମାନଙ୍କର ଅସଲ ମୂଳଟିରେ ଦିବ୍ୟତାର ଅଂଶଟିଏ ଲୁକ୍କାୟିତ ହୋଇ ରହିଛି, ଅପେକ୍ଷା କରି ରହିଛି । ସେମାନେ ସେହି ଉତ୍ସଟିକୁ ବାହାରକୁ ଅଙ୍କୁରିତ ହୋଇ ନଆସିବା ସକାଶେ କେତେ କ’ଣ ଅପବରାଦମାନ କରିବାରେ ଲାଗିଛନ୍ତି । ତଥାପି ସେହି ବିନ୍ଦୁଟିକୁ ସମ୍ପୂର୍ଣ୍ଣରୂପେ ଆଚ୍ଛାଦିତ କରି ରଖିପାରୁ ନାହନ୍ତି । ଏଣୁ, ମାଆ ଆମକୁ ସତେଅବା ସବୁ ମଣିଷଙ୍କ ଭିତରେ ଏକ ନୂତନ ବନ୍ଧୁର ସନ୍ଧାନ ଦେଇ କହୁଛନ୍ତି, ପ୍ରତ୍ୟେକ ମଣିଷକୁ ସ୍ପର୍ଶ କରିପାରିବାର ଏକ ସୁରାକ ଅବଶ୍ୟ ରହିଛି ।

 

ଯେତେବେଳେ ମନ୍ଦ ବିରୂପରୁ ଆହୁରି ଅଧିକ ବିରୂପ ହୋଇ ସଂସାରଟାକୁ ଉଚ୍ଛନ୍ନ କରିଦେବାକୁ ବସେ, ଯେତେବେଳେ ତାହା ଆପଣାର ଚରମ ସୀମାକୁ ଆସି ସ୍ପର୍ଶ କରେ, ରାତିଗୁଡ଼ାକ ସତେଅବା ଆଦୌ ପାହିବ ନାହିଁ ବୋଲି ମନେ ହେଉଥାଏ, ସେତିକିବେଳେ ପରମେଶ୍ୱର କ୍ରିୟାଶୀଳ ହୁଅନ୍ତି ଏବଂ ଭଲକୁ ମଧ୍ୟ ଅମିତ ଶକ୍ତି ଦେଇ ତାହାକୁ ବାହାରକୁ ବାହାର କରି ଆଣନ୍ତି । ତେଣୁ ମନ୍ଦମାନେ କେବେହେଲେ ସୀମା ଟପିଯାଇ ସଂସାରଟାକୁ ଗୋଟାସୁଦ୍ଧା ଗିଳିଦେଇ ପାରନ୍ତି ନାହିଁ । ଭଲ ଅମିତ ଶକ୍ତି ସହିତ ବାହାରକୁ ବାହାରି ଆସିଲେ ମନ୍ଦର ଗତିରୋଧ ସମ୍ଭବ ହୁଏ । ମଣିଷମାନେ ଅବଶ୍ୟ ସାଧାରଣତଃ କାତର ହୋଇ ପଡ଼ନ୍ତି, ମନ୍ଦରହିଁ ପ୍ରକୃତରେ ଅମିତ ବଳ ରହିଛି ବୋଲି ସେମାନେ ଭାବିବାକୁ ଆରମ୍ଭ କରି ଦିଅନ୍ତି । ଭିତର ଆଡ଼କୁ କବାଟ କିଳା ହୋଇ ରହିଥିଲେ ମଣିଷ କାତର ହୁଏ, କାତରତାରୁ ଅବିଶ୍ୱାସର ଜନ୍ମହୁଏ, ଅବିଶ୍ୱାସ ସେହି ମନ୍ଦଗୁଡ଼ାକୁହିଁ ବଳ ଦେବାରେ ଲାଗିଥାଏ । କାତର ମଣିଷମାନେ ଆଖି ଆଗରେ ସର୍ବନାଶହିଁ ଦେଖୁଥାନ୍ତି । ଏଇଠୁହିଁ ସଂସାର ସରିଗଲା ବୋଲି ଆର୍ତ୍ତନାଦ କରୁଥାନ୍ତି । ଆପଣା ଭିତରେ ଅସଲ ବନ୍ଧୁଟିକୁ ସ୍ପର୍ଶ କରିପାରନ୍ତି ନାହିଁ ବୋଲି ସେମାନେ ଆର୍ତ୍ତନାଦ କରୁଥାନ୍ତି । ସଂସାରକୁ ଏକାଠି ବାନ୍ଧି ଓ ସମ୍ଭାଳି ରଖିଥିବା ଅସଲ ବଳ ଓ ରଜ୍ଜୁଟିକୁ ଅନୁଭବ କରି ପାରୁନଥାନ୍ତି ବୋଲି ବିଶ୍ୱାସ ହରାଇ ଥାଆନ୍ତି । ମାଆ କହୁଛନ୍ତି, ଏହି ଅତିଶୟତାର ତଥାପି ଏକ ସୀମା ରହିଥାଏ । ମନ୍ଦର ଦର୍ପ ଅବଶ୍ୟ ଚୂର୍ଣ୍ଣ ହୁଏ, କାରଣ ତାହାର ଅଧିକରୁ ଅଧିକ ଅସମ୍ଭାଳ ହେବାର ଧାରାରେ ଏପରି ଏକ ବିନ୍ଦୁ ଆସି ପହଞ୍ଚେ, ଯେଉଁଠାରେ କି ଦିବ୍ୟ ପରମ ନିୟନ୍ତା ଆଉ ସମ୍ଭାଳି ରହିପାରନ୍ତି ନାହିଁ । ସିଏ ଆବିର୍ଭୂତ ହୁଅନ୍ତି, ରଜ୍ଜୁଗୁଡ଼ିକୁ ହାତକୁ ନିଅନ୍ତି ଏବଂ “ତୁ ଆଉ ଗାରେ ହେଲେ ଅଗ୍ରସର ହୋଇପାରିବୁ ନାହିଁ” ବୋଲି ଘୋଷଣା କରନ୍ତି । ପ୍ରକୃତରେ ପ୍ରଳୟ ହେବାକୁ ଆସିଥାଉ ଅଥବା ମଣିଷମାନେ ପ୍ରମତ୍ତ ହୋଇ ଦୈତ୍ୟମାନଙ୍କର ଆଚରଣ କରିବା ଲାଗି ବାହାରି ଥାଆନ୍ତୁ ପଛକେ, ସର୍ବଦା ଏପରି ଗୋଟିଏ ମୁହୂର୍ତ୍ତ ଅବଶ୍ୟ ଥାଏ, ଯେତେବେଳେ କି ସ୍ୱୟଂପରମ ସତ୍ତାହିଁ ହସ୍ତକ୍ଷେପ କରିବାକୁ ଆସନ୍ତି, ‘ରହ’ ବୋଲି କହନ୍ତି ଓ ସ୍ଥିତିଗୁଡ଼ିକୁ ଆଦୌ ଅଧିକ ଅସମ୍ଭାଳ ଓ ଅନାୟତ୍ତ ହେବାକୁ ବାଟ ଛାଡ଼ି ଦିଅନ୍ତି ନାହିଁ ।

 

ଇଏ ହେଉଛି ଏକ ବିଶ୍ୱାସ । ଏହି ବିଶ୍ୱାସର କୌଣସି ବୌଦ୍ଧିକ ବ୍ୟାଖ୍ୟା ମଧ୍ୟ ନାହିଁ । ସଂସାରର ମନ୍ଦହିଁ ବଢ଼ୁଛି ବୋଲି ଯଦି ମୁଁ ପ୍ରମତ୍ତ ଭାବରେ ବିଶ୍ୱାସ କରିବାରେ ଲାଗିଥିବି, ତେବେ ସଂସାରରେ ଅଧିକତର ଭାବରେ ସେହି ମନ୍ଦଟାକୁହିଁ ଦେଖିବି । ଅନେକ ସମୟରେ ହୁଏତ ଏପରି ହେବ ଯେ, ଏହିପରି ଏକ ଅନିଷ୍ଟକାରୀ ବିଶ୍ୱାସଦ୍ୱାରା ପ୍ରେରିତ ହୋଇ ମୁଁ ନିଜ ଭିତରକୁ ମଧ୍ୟ ମନ୍ଦ ଲାଗି କ୍ରମଶଃ ବାଟ ଛାଡ଼ିଦେବାକୁ ଆରମ୍ଭ କରିବି ଏବଂ ତଥାପି ସେଥିଲାଗି ଆଦୌ କୌଣସି ପ୍ରକାରେ ଦାୟୀ ହେବା ଲାଗି ସମ୍ମତ ହେବି ନାହିଁ । ଅର୍ଥାତ୍‌, ମୋ’ରି ସମର୍ଥନରେ ମୋର ଚାରିପାଖରେ ମନ୍ଦର ବପୁଗୁଡ଼ାକ ବୃଦ୍ଧି ପାଇବାରେ ଲାଗିଥିବ ଓ ତାହା ଲାଗି ମୁଁ ନିଜେ କୌଣସି ପ୍ରକାରେ ଦାୟୀ ବୋଲି ଅନୁଭବ କରୁ ନଥିବି । ସଂସାରଯାକ ଯାହା ଏଡ଼େ ବୃହତ୍‌ ବିସ୍ତାର ସହିତ ମାଡ଼ି ମାଡ଼ି ଯାଉଛି, ମୁଁ ଏକୁଟିଆ ତାହା ଆଗରେ କ’ଣ କରିପାରିବି ଓ ତେଣୁ କାହିଁକି କ’ଣ କରିବି ବୋଲି କହି ହୁଏତ ନିଜେ ନିଜକୁ ସାନ୍ତ୍ୱନା ଦେଉଥିବି । ମାତ୍ର, ଅନ୍ୟ ପକ୍ଷରେ ଏହି ଯାବତୀୟ ମନ୍ଦର ଏକ ସୀମା ଅବଶ୍ୟ ରହିଛି ଓ ଅଣଆୟତ୍ତ ହେବା ପୂର୍ବରୁ ବିଧାତା ଅବଶ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଆସିବେ, ବାଟ ଓଗାଳି ଛିଡ଼ାହେବେ ବୋଲି ମୁଁ ଯଦି ପ୍ରକୃତରେ ଅନୁଭବ କରୁଥିବି, ତେବେ ମୋର କଳନା ନିଶ୍ଚୟ ଅନ୍ୟ ପ୍ରକାରର ହେବ ଏବଂ ପ୍ରସ୍ତୁତିଗୁଡ଼ିକ ମଧ୍ୟ ଅବଶ୍ୟ ଅନ୍ୟ ପ୍ରକାରର ହେବ । ସେତେବେଳେ ଆପଣାର ଚେତନା ଭିତରେ ମୁଁ ଆପଣାକୁ ଅତ୍ୟନ୍ତ ସକାରାତ୍ମକରୂପେ ଅନୁଭବ କରିପାରିବି ଏବଂ ଯେଉଁ ବିଧାତା ଅବଶ୍ୟ ହସ୍ତକ୍ଷେପ କରିବ ବୋଲି ମୁଁ ବିଶ୍ୱାସ କରୁଛି, ମୁଁ ଆପଣାକୁ ତାହାର ସତେଅବା ସର୍ବପ୍ରଥମ ନିମିତ୍ତ ବୋଲି ଅନୁଭବ କରିବି । ମୁଁ ସମ୍ମତ ହୋଇ ବାହାରିବି, ମୁଁ ସୁଅ ବିରୁଦ୍ଧରେ ଠିଆ ହେବି, ମୋତେ ମାଧ୍ୟମ କରି ବିଶ୍ୱର ବିଧାତା ବିଶ୍ୱକୁ ଗିଳି ପକାଇବାକୁ ବାହାରିଥିବା ମନ୍ଦକୁ କୌଣସି ପ୍ରକାରେ ବାଟ ଛାଡ଼ି ନଦେବାକୁ ଓ ତେଣୁ ହସ୍ତକ୍ଷେପ କରିବାକୁ ଆଗଭର ହୋଇ ବାହାରିଛନ୍ତି ବୋଲି ମୁଁ ଅତ୍ୟନ୍ତ ମୂର୍ତ୍ତ ଭାବରେ ଅନୁଭବ କରିବି । ତା’ପରେ ମୁଁ କଦାପି ବାଟ ଛାଡ଼ି ଦେବିନାହିଁ; ମୋ ଭିତରେ ବାଟ ଛାଡ଼ି ଦେବିନାହିଁ କିମ୍ୱା ବାହାରେ ବାଟ ଛାଡ଼ି ଦେବିନାହିଁ । ମୁଁ ସତକୁସତ ଯେଉଁ ବିଧାତାକୁ ବିଶ୍ୱାସ କରୁଛି ଓ ଯାହାଙ୍କ ପାଖରେ ସମ୍ମତି ଦେଇଛି, ମୁଁ ତାଙ୍କରି ପଟ ହୋଇ ପୃଥିବୀ ଭିତରକୁ ବାହାରିବି ।

 

ଏହିପରି ଏକ ସମ୍ମତି ଲାଗି ଯୋଗ୍ୟ ହୋଇ ପାରିଲେ ଆମ ଚେତନାର ତଥାକଥିତ ବ୍ୟକ୍ତିଗତ ବନ୍ଧଗୁଡ଼ିକ ସତେଅବା ଅତ୍ୟନ୍ତ ସ୍ୱାଭାବିକ ଭାବରେ ଭାଙ୍ଗିଯାଏ । ସେତେବେଳେ ଆପଣାକୁ ଅବଲୋକନ କରିବାକୁ ଯିବାମାତ୍ରକେ ସମଗ୍ର ପୃଥିବୀହିଁ ଦିଶି ଯାଉଥିବା ପରି ଅନୁଭବ ହୁଏ । ଏ ପୃଥିବୀ ତାଙ୍କର ପୃଥିବୀ,–ସେଇ ହେଉଛନ୍ତି ଏହାର ଅନୁମନ୍ତା,–ଏଠାରେ ସିଏ କଦାପି ମନ୍ଦକୁ ପ୍ରବଳ ହେବାକୁ ଦେବେ ନାହିଁ,–ତେବେ ମୋ’ ଜୀବନରେ ଆଉ ଏକାନ୍ତ ବ୍ୟକ୍ତିଗତ ହୋଇ କ’ଣ ରହିଲା ? ମୁଁ କାହିଁକି ଏହି ଅଳପଗୁଡ଼ାକୁ ଅନେକ ବୋଲି ଦମ୍ଭ କରି ଆପଣାର କେନ୍ଦ୍ରଟିକୁ ଯାବତୀୟ ମିଛ ପରିଧିଗୁଡ଼ାକଦ୍ୱାରା ବେଷ୍ଟିତ କରି ବସିଥିବି ? ମୁଁ ନିଜେ କାହିଁକି କର୍ତ୍ତା ବୋଲାଇବି, ଅଧିକରୁ ଅଧିକ କର୍ତ୍ତୃତ୍ୱ ନିମନ୍ତେ ତାଙ୍କ ପାଖରେ ଯାଇ ମାଗୁଣି କରିବି, ଦୈନ୍ୟ ଜଣାଇବି ? କର୍ତ୍ତୃତ୍ୱଗୁଡ଼ାକୁ ମୋ ପାଖରୁ ନେଇ ତାଙ୍କରି ହାତରେ ସମର୍ପଣ କରିଦେବା ଓ ତା’ପରେ ତାକୁହିଁ ଆପଣାର ଅସଲ ପ୍ରମାଣପତ୍ରରୂପେ ଧରି ନିଜକୁ ଏହି ପୃଥିବୀପୃଷ୍ଠରେ ପ୍ରେରିତ କରି ରଖିବା,–ଅସଲ ପରିବର୍ତ୍ତନର ବାଟ ତାହାରିଦ୍ୱାରା ଫିଟିଯାଇ ପାରିବ । ମାଆଙ୍କ ଭାଷାରେ କହିଲେ, ବ୍ୟକ୍ତିର କ୍ଷେତ୍ରରେ ଯାହା, ଦେଶ ଓ ରାଷ୍ଟ୍ରଗୁଡ଼ିକର କ୍ଷେତ୍ରରେ ମଧ୍ୟ ସେଇଆ । (ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ୧୧ଶ ଖଣ୍ଡ, ୧୯୮୦, ପୃଷ୍ଠା-୨୨୩) ଆମ ପୃଥିବୀରେ କର୍ତ୍ତୃତ୍ୱର ସ୍ଥାନଗୁଡ଼ିକ ବଡ଼ ଦୟନୀୟ ଭାବରେ ଅଳ୍ପତାଗୁଡ଼ାକଦ୍ୱାରା ବିପର୍ଯ୍ୟସ୍ତ ହୋଇ ରହିଛି । ବ୍ୟକ୍ତି କର୍ତ୍ତା ହୋଇ ବସିଛି, ରାଷ୍ଟ୍ର କର୍ତ୍ତା ହୋଇ ବସିଛି । ଜଣେ ବ୍ୟକ୍ତି ଅନେକ ବ୍ୟକ୍ତିଙ୍କୁ ବାଧ୍ୟ କରୁଛି, କୌଣସି ଅଧିକ ବଳବାନ୍ ରାଷ୍ଟ୍ର ତା’ ଆଖିକୁ ବଳହୀନ ହୋଇ ଦେଖାଯାଉଥିବା ଅପେକ୍ଷାକୃତ କମ୍‌ ବଳବାନ୍‌ ରାଷ୍ଟ୍ରକୁ ବାଧ୍ୟ କରୁଛି । ରାଷ୍ଟ୍ର କହିଲେ ମଧ୍ୟ ସକଳ ସ୍ଥାନରେ ରଜ୍ଜୁଗୁଡ଼ିକୁ ହାତମୁଠାରେ ରଖିଥିବା କେତେକ ଅତିପ୍ରବଳ ବ୍ୟକ୍ତିଙ୍କୁ ବୁଝାଉଛି । ମାଆଙ୍କର କଥା ଅନୁସାରେ, ଏହି କର୍ତ୍ତୃତ୍ୱର ସ୍ଥାନଗୁଡ଼ିକୁ ବଦଳାଇ ଦିଆଯାଇପାରିଲେ ଯାଇ ମନ୍ଦର ଦୌରାତ୍ମ୍ୟ ଯିବ, ଭଲର ପ୍ରତିଷ୍ଠା ହେବ । ପୃଥିବୀ ବଦଳିବ । ସେତେବେଳେ ଯିଏ ପ୍ରକୃତରେ ସବା ବଡ଼ କର୍ତ୍ତା, ସେଇ ସବା ବଡ଼ ଆସନରେ ଯାଇ ବସିବେ । ବର୍ତ୍ତମାନ ବ୍ୟକ୍ତିମାନେ କର୍ତ୍ତା ହୋଇ ବସିଛନ୍ତି, ସେତେବେଳେ ଭଗବାନ କର୍ତ୍ତା ହୋଇ ବସିବେ । ବ୍ୟକ୍ତି ସ୍ୱୟଂ କର୍ତ୍ତା ହୋଇ ବସିଲେ ସଂସାରଟା କଂସମାନଙ୍କର ଦୌରାତ୍ମ୍ୟ ସହ୍ୟ କରିବାକୁ ବାଧ୍ୟ ହେଉଥାଏ । ସେତେବେଳେ ତୁଚ୍ଛା ଲାଳସାମାନେ ଅଧିକରୁ ଅଧିକ ମୋଟା ହେବାରେ ଲାଗିଥାନ୍ତି ଏବଂ ଅଧିକରୁ ଅଧିକ କ୍ଷମତା ଲୋଡ଼ୁଥାନ୍ତି । ଉପରେ ଦର୍ପ ବଢ଼ିବାରେ ଲାଗିଥାଏ; ଭିତରେ ଭୟହିଁ ସର୍ବପ୍ରଧାନ ପ୍ରେରକରୂପେ କାର୍ଯ୍ୟ କରୁଥାଏ । ପୃଥିବୀରେ ବର୍ତ୍ତମାନ ଏହି ଭୟ ଓ ଦର୍ପଗୁଡ଼ାକ ହାତରେ କ୍ଷମତା ଠୁଳ ହୋଇ ରହିଛି । ଭୟମାନେ ଦୁଃଶାସନ ହୋଇ ଦର୍ପ ଦେଖାଇବାରେ ଲାଗିଛନ୍ତି । ପୃଥିବୀଟାକୁ ସତେଅବା ଓଗାଳି ରଖିବାକୁ ଅସ୍ତ୍ରଗୁଡ଼ିକୁ ଅଧିକରୁ ଅଧିକ ଦୋରସ୍ତ କରି ରଖିବାରେ ଲାଗିଛନ୍ତି । ବିଧାତାଙ୍କ ଅପେକ୍ଷା ଏହି ଅସ୍ତ୍ରଗୁଡ଼ାକ ଉପରେହିଁ ସେମାନେ ଅଧିକ ଆସ୍ଥା ରଖିଥିବା ପରି ମନେ ହେଉଛି ।

 

ବ୍ୟକ୍ତିର କର୍ତ୍ତୃତ୍ୱ ଯିବ, ଭଗବାନଙ୍କର କର୍ତ୍ତୃତ୍ୱର ପ୍ରତିଷ୍ଠା ହେବ । ହୁଏତ ସେହି ହସ୍ତକ୍ଷେପଟି ଆରମ୍ଭ ହୋଇ ଗଲାଣି । ଆମେସବୁ ବ୍ୟକ୍ତିର ପଟରେ ଓ ଭୟର ପଟରେ ରହିଛୁ ଅଥବା ବିଧାତାଙ୍କର ପଟରେ ରହିଛୁ, ତାହାରି ଅନୁସାରେହିଁ ଉପସ୍ଥିତ ମୁହୂର୍ତ୍ତଟିକୁ ବିଚାର କରିବାରେ ଲାଗିଛୁ । ବା, ଟିକିଏ ବଦଳାଇ କରି କହିଲେ, ଆମେ ସ୍ୱୟଂକ୍ଷମତାର ଓ କର୍ତ୍ତୃତ୍ୱର କାମନା କରୁଥିଲେ, ଏହି ବ୍ୟକ୍ତିମାନେ ଓ ଦୈତ୍ୟମାନେହିଁ ସବୁଦିନ ଲାଗି ଶାସନ କରିବେ, ପୃଥିବୀ ମନ୍ଦର କବଳରେହିଁ ରହିଥିବ ଏବଂ ଏହା ଛାରଖାର ହୋଇଯିବ ପଛକେ, ତଥାପି ରାତିଗୁଡ଼ାକ କଦାପି ପାହିବ ନାହିଁ ବୋଲି ଆମେ କେଡ଼େ ଦୃଢ଼ତାର ସହିତ କହି ବୁଲିବାରେ ଲାଗିଛେ । ମାତ୍ର, ଆମ ଭିତରୁ ଯିଏ ଭଗବାନଙ୍କର ପଟରେ ରହିଛି ଏଠାରେ ଭଗବାନଙ୍କର କର୍ତ୍ତୃତ୍ୱ ସ୍ଥାପିତ ହେଉ ବୋଲି ଯିଏ ସତକୁସତ ଆପଣାର ସମର୍ଥନ ଜଣାଇ ସାରିଲାଣି, ସିଏ ତାଙ୍କର ହସ୍ତକ୍ଷେପଟିକୁ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭବ କରିପାରୁଛି,–ନିଜ ଭିତରେ ସିଏ ସେହି ହସ୍ତକ୍ଷେପ ଲାଗି ବାଟ ଛାଡ଼ିଦେଉଛି ତଥା, ବାହାରେ ଏହି ପୃଥିବୀର ଯାବତୀୟ କ୍ଷେତ୍ରରେ ମଧ୍ୟ ଉକ୍ତ ହସ୍ତକ୍ଷେପଦ୍ୱାରା କର୍ତ୍ତୃତ୍ୱ ସ୍ଥାନରେ ଯେଉଁ ପରିବର୍ତ୍ତନ ଘଟିବାକୁ ଯାଉଛି, ସେଥିରେ ସ୍ୱୟଂନିମିତ୍ତରୂପେ କାର୍ଯ୍ୟ କରିବା ଲାଗି ବାହାରୁଛି । ସେହି ପ୍ରକ୍ରିୟାଟି ସହିତ ନିଜକୁ ସାମିଲ କରି ସିଏ ସତକୁସତ କିଛି କରୁଛି । ଏ ହାତରୁ କର୍ତ୍ତୃତ୍ୱ ଯାଉଛି, ସେ ହାତକୁ କର୍ତ୍ତୃତ୍ୱ ଯାଉଛି; ତାହାର ବେଳ ଆସି ପହଞ୍ଚି ଗଲାଣି ଓ ଇଏ ବାଟ ଛାଡ଼ିଦେବାକୁ ରାଜି ହେଉ ନାହିଁ, ଏହି କାରଣରୁହିଁ ବର୍ତ୍ତମାନ ଆମର ପୃଥିବୀରେ ଅକଥନୀୟ ଅରାଜକତା ସୃଷ୍ଟି ହେବାରେ ଲାଗିଛି ବୋଲି ମାଆ କହିଛନ୍ତି । ଇଏ ବାଟ ଛାଡ଼ି ଦେଉ ନାହିଁ, ପ୍ରତିରୋଧ କରୁଛି,–ସେଇଥିଲାଗି ଯାବତୀୟ ବିକ୍ଷୋଭ ଉପୁଜୁଛି ।

 

ଆମ ପୃଥିବୀରେ ଅସଦିଚ୍ଛାର ପଟକୁ ପରାହତ କରିବା ସକାଶେ ସଦିଚ୍ଛାର ପଟ ନେଇ ଏକାଧିକ ନାନାବିଧ ଉଦ୍ୟମ ହୋଇଛି । ଯୁଗେଯୁଗେ ବ୍ୟକ୍ତିବିଶେଷ ଅନେକ ଉପରକୁ ଉଠି ପାରିଛନ୍ତି, ଅନେକ ଅଧିକ ବୁଝି ପାରିଛନ୍ତି ଓ ବଳିଷ୍ଠ ଉଦ୍ୟମମାନ ଅବଶ୍ୟ କରିଛନ୍ତି । ମାତ୍ର, ମାଆ କହନ୍ତି, ଏହିସବୁ ଉଦ୍ୟମ ବ୍ୟକ୍ତିଗତ ସ୍ତରରେ ହୋଇଛି, ବ୍ୟକ୍ତିମାନେହିଁ ସେହିସବୁ ସଦିଚ୍ଛା ପ୍ରକାଶ କରିଛନ୍ତି ଏବଂ ବିଶ୍ୱକୁ ଗିଳି ପକାଇବାକୁ ବସିଥିବା ଅସଦିଚ୍ଛା ସମ୍ମୁଖରେ ସେମାନେ ଜଣେ ଜଣେ ବ୍ୟକ୍ତି ହିସାବରେ ବଳିଷ୍ଠ ସ୍ୱରମାନ ଉତ୍ତୋଳନ କରିଛନ୍ତି । ତଥାପି, ଏହିସବୁ ଉଦ୍ୟମ ଓ ସ୍ୱରଉତ୍ତୋଳନ ବ୍ୟକ୍ତିଗତ ଦୃଷ୍ଟାନ୍ତମାନଙ୍କରେହିଁ ସୀମାବଦ୍ଧ ହୋଇ ରହିଯାଇଛି । ସମଗ୍ର ମାନବଜାତି ଲାଗି ସ୍ଥାୟୀଭାବରେ କିଛି ଯଥାର୍ଥ ପ୍ରତିକାର ବାହାର କରିବା ନିମନ୍ତେ ଆଦୌ କୌଣସି ସାମୂହିକ ଉଦ୍ୟମ ହୋଇନାହିଁ । ୧୯୫୭ ମସିହାର ନବବର୍ଷ ଲାଗି ପ୍ରଦତ୍ତ ସନ୍ଦେଶରେ ମାଆ ଏହି ସନ୍ଦର୍ଭରେ କହିଥିଲେ, “A power greater than that of Evil can alone win the victory.” ସମଗ୍ର ମାନବଜାତିକୁ ଏହି ସନ୍ଦେଶର ପ୍ରେରଣାଟିହିଁ ଯଥାର୍ଥ ସଦିଚ୍ଛା ତଥା ସକ୍ରିୟତାର କ୍ଷେତ୍ରରେ ଆଗେଇ ନେଇଯାଇ ପାରିବ ବୋଲି ମାଆ ସେହି ପ୍ରସଙ୍ଗରେ ସ୍ପଷ୍ଟ କରି ଦେଇଛନ୍ତି । ମାଆଙ୍କ ବ୍ୟାଖ୍ୟା ଅନୁସାରେ, ପୃଥିବୀର ଇତିହାସରେ ଆପଣାକୁ ବ୍ୟକ୍ତ କରିଥିବା ଯାବତୀୟ ଧର୍ମ ପୃଥିବୀରୁ ପଳାଇ ଯିବାର ପରାମର୍ଶ ଦେଇଛନ୍ତି । ସବୁ ଦେଶରେ ଏହିପରି କୁହାଯାଇଛି । ଭାରତବର୍ଷରେ ମଧ୍ୟ ଠିକ୍‌ ସେହିକଥା ଘଟିଛି । ମାଆ କହିଛନ୍ତି ଯେ ଏଠାରେ ମଧ୍ୟ ସ୍ଥୂଳ ଓ ମୂର୍ତ୍ତ ଯାବତୀୟ ଜୀବନକ୍ଷେତ୍ରରେ ବାହ୍ୟ ବାସ୍ତବକୁ ତ୍ୟାଗ କରିବାକୁ କୁହାଯାଇଛି, ଜଡ଼-ବିଶ୍ୱଗତ ସକଳ ସମ୍ବନ୍ଧର ଜୀବନକୁ ମିଥ୍ୟା ଏବଂ ମାୟା ବୋଲି ଘୋଷଣା କରି ତାହାକୁ ଅବଜ୍ଞା ଓ ଅବହେଳା କରିବା ଲାଗି ଉପଦେଶ ଦିଆଯାଉଛି । ଏହି ଦୃଷ୍ଟିକୋଣଟିକୁ ମାଆ କେବଳ ଅଜ୍ଞାନଦ୍ୱାରା ପ୍ରେରିତ ଏକ ଦୃଷ୍ଟିକୋଣ ବୋଲି ଘୋଷଣା କରିଛନ୍ତି ଏବଂ ଶ୍ରୀଅରବିନ୍ଦଙ୍କର ମନ୍ତବ୍ୟକୁ ଉଦ୍ଧାର କରି କହିଛନ୍ତି ଯେ, ଏହିପରି ଭାବରେ ଶୁଭ ଇଚ୍ଛା ଓ ଶୁଭ ଉଦ୍ୟମ ଲାଗି ସମର୍ଥ ବ୍ୟକ୍ତିମାନେ ସଂସାର ଛାଡ଼ି ପଳାଇଯିବାଦ୍ୱାରା ପୃଥିବୀକୁ ପ୍ରତିକୂଳ ଶକ୍ତିମାନଙ୍କର ନିରଙ୍କୁଶ ଶାସନ ଲାଗି ବଡ଼ ଅସହାୟ କରି ଛାଡ଼ି ଦିଆଯାଉଛି । ମାଆ କହୁଛନ୍ତି, ଯଦି ତୁମେ ଅନ୍ୟ ଏକ ଦୂରସ୍ଥ ଏବଂ ଅମୂର୍ତ୍ତ ସତ୍ୟର (distance and abstract reality) ସନ୍ଧାନରେ ଏହି ମୂର୍ତ୍ତ ଓ ବାସ୍ତବ ସତ୍ୟ (concrete reality)ରୁ ପଳାୟନ କରି ଚାଲିଯିବ, ତେବେ ତଦ୍ଦ୍ୱାରା ତୁମେ ମୂର୍ତ୍ତ ଉପଲବ୍ଧିର ଏହି ସମସ୍ତ କ୍ଷେତ୍ରଟିକୁ ପ୍ରତିକୂଳ ଶକ୍ତିମାନଙ୍କର ସମ୍ପୂର୍ଣ୍ଣ କବଳ ଭିତରେହିଁ ପକାଇ ଦେଇଯିବ; ଶ୍ରୀଅରବିନ୍ଦ ଯାହାକୁ ‘ଶୂନ୍ୟ’ର ସାଧନା ବୋଲି ବର୍ଣ୍ଣନା କରିଛନ୍ତି, ଆପେ ତାହାକୁ ଉପଲବ୍ଧି କରିବା ଉଦ୍ଦେଶ୍ୟରେ ତୁମେ ଏପରି କରିବ, ଏକ ଅନସ୍ତିତ୍ୱର କଳ୍ପନାରାଜ୍ୟରେ ରାଜଚକ୍ରବର୍ତ୍ତୀ ହୋଇ ବସିବା ଲାଗି ତୁମେ ପୃଥିବୀକୁ ପରିହାର କରିବ । ମାଆ ଯଥେଷ୍ଟ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ, ମୁଖ୍ୟତଃ ସେହି କାରଣରୁହିଁ ବର୍ତ୍ତମାନ ପ୍ରତିକୂଳ ଶକ୍ତିମାନେ ପୃଥିବୀକୁ ଆପଣାର ଆୟତ୍ତ କରି ରଖିଛନ୍ତି ଓ ଅଳ୍ପ ବହୁତ ପରିମାଣରେ ଏଠି ସେହିମାନଙ୍କର ରାଜତ୍ୱ ଚାଲିଛି । ଯଥାର୍ଥରେ ବଳିଷ୍ଠ ବ୍ୟକ୍ତିମାନେ ନିର୍ବାଣ ମଧ୍ୟରେ ପ୍ରବିଷ୍ଟ ହୋଇ ରହିଛନ୍ତି । ସମଗ୍ର ପୃଥିବୀରେ ନାନା ପ୍ରକାରେ ହେଲେ ମଧ୍ୟ ପଳାଇ ଯିବାର ଏହି କଥାଟି କୁହାଯାଇଛି, ଏହିପରି ହୋଇଛି ।

 

ଆପଣାର ଅନ୍ୟ ପରାମର୍ଶଟିକୁ ବାଢ଼ି ଓ ଆମକୁ ଏକ ଅନ୍ୟ ଆହ୍ୱାନର ସମ୍ମୁଖୀନ କରାଇ ମାଆ ଶେଷରେ କହିଛନ୍ତି : “ଏପର୍ଯ୍ୟନ୍ତ ସର୍ବଦା ଦୁର୍ବଳତାହିଁ ମନ୍ଦର ବିରୋଧ କରି ଆସିଛି; ଏପରି ଏକ ଆଧ୍ୟାତ୍ମିକ ଶକ୍ତିଦ୍ୱାରା ସେହି ବିରୋଧଟିକୁ ବ୍ୟକ୍ତ କରାଯାଇଛି, ଯାହା ଭିତରେ କି ଆମର ଏହି ବାହ୍ୟ ଓ ମୂର୍ତ୍ତ ପୃଥିବୀରେ ଏକ ରୂପାନ୍ତର ସମ୍ଭବ କରିବାଲାଗି ଆଦୌ କୌଣସି ଶକ୍ତି ପ୍ରକୃତରେ ନାହିଁ । ତେଣୁ ଏହି ଯାବତୀୟ ସଦିଚ୍ଛାର କେଡ଼େ ଶକ୍ତିମନ୍ତ ଉଦ୍ୟମଗୁଡ଼ିକ ଅତ୍ୟନ୍ତ ଶୋଚନୀୟ ଭାବରେ ବିଫଳ ହୋଇ ଯାଇଛନ୍ତି ଏବଂ ପୃଥିବୀ ଯେଉଁ ତିମିରକୁ ସେହି ତିମିର ଭିତରେ ପଡ଼ି ରହିଛି; ସେହି ପୁରାତନ ଦୁଃଖ, ଦୁଷ୍ଟତା ଏବଂ ମିଥ୍ୟା ଭିତରେ ପଡ଼ି ଖାଲି ଘାଣ୍ଟି ହେବାରେ ଲାଗିଛି । ଆଜି ଯେଉଁ କ୍ଷେତ୍ରରେ ଦୁଷ୍ଟ ଶକ୍ତିମାନଙ୍କର ରାଜତ୍ୱ ଚାଲିଛି, ଠିକ୍‌ ସେହି କ୍ଷେତ୍ରରେହିଁ ଆମକୁ ଏକ ବୃହତ୍ତର ଶକ୍ତିର ଅଧିକାରୀ ହୋଇ ପ୍ରବେଶ କରିବାକୁ ହେବ । ଏପରି ଏକ ଶକ୍ତିମତ୍ତା ହାସଲ କରିବାକୁ ପଡ଼ିବ, ଯାହାକି ଠିକ୍ ସେହି କ୍ଷେତ୍ରରେହିଁ ସେମାନଙ୍କୁ ପରାହତ କରିଦେଇ ପାରିବ ଓ ବିଜୟ ଲାଭ କରିବ । ଆଉ ଏକ ଭାଷାରେ କହିବାକୁ ଗଲେ, ଆମକୁ ଏପରି ଏକ ଆଧ୍ୟାତ୍ମିକ ଶକ୍ତିର ଯୋଗ୍ୟ ହୋଇ ପାରିବାକୁ ହେବ; ଯାହାକି ଚେତନା ତଥା ଏହି ବାହ୍ୟ ଜଡ଼ସ୍ତରୀୟ ପୃଥିବୀ, ଉଭୟକୁ ରୂପାନ୍ତରିତ କରିଦେଇ ପାରିବ ।” (ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ନବମ ଖଣ୍ଡ, ୧୯୭୭, ପୃଷ୍ଠା ୪-୫) ମାଆ ସେହି ଶକ୍ତିକୁ ଅତିମାନସ ଶକ୍ତି ବୋଲି କହିଛନ୍ତି । ସେହି ଶକ୍ତି ଜଡ଼ର ଭୂମିରେ ମଧ୍ୟ ଯେପରି ସକ୍ରିୟ ହେଉଛି, ସେଥିଲାଗି ଗ୍ରହଣଶୀଳ ହୋଇ ରହିବା ଏବଂ ଆମେ ଛାଡ଼ି ଚାଲି ଯାଉଥିବା ଏହି କ୍ଷେତ୍ରଟିକୁ ସମ୍ପୂର୍ଣ୍ଣ ଭାବରେ ଶତ୍ରୁର ହାତରେ ଛାଡ଼ିଦେଇ ଦୂର ନିର୍ବାଣ ଭିତରକୁ ପଳାଇ ନଯିବାପାଇଁ ମାଆ ଆମକୁ ଆହ୍ୱାନ ଦେଇଛନ୍ତି-

 

ଆମ ଚାରିପାଖରେ ଏଡ଼େ ପ୍ରଚଣ୍ଡ ଭାବରେ ଆମକୁ ପ୍ରାୟ ଗିଳି କରି ରହିଥିବା ଅସଦିଚ୍ଛା ଓ ମନ୍ଦରୂପୀ ସେହି ଶକ୍ତିଟି ଉପରେ ନୂତନର ହସ୍ତକ୍ଷେପଟି ଆରମ୍ଭ ହୋଇଗଲାଣି ବୋଲି ଆମେ କ’ଣ ପ୍ରକୃତରେ ଅନୁଭବ କରୁଛୁ ? ଶତ୍ରୁର ଦୁର୍ଗଖଣ୍ଡଗୁଡ଼ିକୁ ଦୋହଲାଇ ଦେବାଭଳି ଏକ ଅଧିକ ବଳଯୁକ୍ତ ହସ୍ତକ୍ଷେପ ଆମର ଏହି ଅତିସନ୍ତାପିତ ହୋଇ ରହିଥିବା ପରି ଦେଖା ଯାଉଥିବା ପୃଥିବୀରେ ପ୍ରକୃତରେ ଆରମ୍ଭ ହୋଇଗଲାଣି ବୋଲି ଆମକୁ ଆମ ଭିତରୁ ଏବଂ ବାହାରୁ ଯଥେଷ୍ଟ ପ୍ରତ୍ୟୟମାନ ଉପଲବ୍‌ଧ ହୋଇ ପାରୁଛି କି ? ପୁରାତନ ବ୍ୟକ୍ତିଗତ ସଦିଚ୍ଛା ଓ ବ୍ୟକ୍ତିଗତ ଉଦ୍ୟମର ନୂତନ ବିକଳ୍ପରୂପେ ସାମୂହିକ କ୍ଷେତ୍ରରେ ମଧ୍ୟ ଶତ୍ରୁଠାରୁ ଅଧିକ ବଳଯୁକ୍ତ ଭାବରେ ଏହି ଉଦ୍ୟମଟି ଆରମ୍ଭ ହୋଇଗଲାଣି ବୋଲି ଆମ ଭିତରେ ଆମର ଅସଲ ଘରଟିରେ ଖବର ଆସି ପହଞ୍ଚିଲାଣି କି ? ଯେପରି ଆମେ ମଧ୍ୟ ନିଜକୁ ସେହି ଅଭିନବ ଅନ୍ୟ ଉଦ୍ୟମଟିରେ ସମ୍ମିଳିତ ହେବାଲାଗି ସମ୍ମତ ହୋଇ ବାହାରି ପାରିବୁ, ସେଥିଲାଗି ଆମେ ମହାକାଳକୁ ସିଏ ଆମ ଭିତରେ ପଶି ଆବଶ୍ୟକ ହସ୍ତକ୍ଷେପଟିକୁ ଅବଶ୍ୟ କରୁ ବୋଲି ବାଟ ଛାଡ଼ି ଦେଲୁଣି କି ? ଆଧ୍ୟାତ୍ମିକତାର ଅସଲ ପରୀକ୍ଷା ହୁଏତ ଏଇଠି ହେବ, ଏହି ପୃଥିବୀ ଉପରେ ସ୍ଥୂଳ ଜୀବନସତ୍ୟର କ୍ଷେତ୍ରଗୁଡ଼ିକରେହିଁ ହେବ-। ଏବଂ, ଯେଉଁମାନେ ଅନ୍ୟ ପ୍ରୀତିରେ ପଡ଼ି ଦୂରସ୍ଥ ତଥା ଅମୂର୍ତ୍ତ ସତ୍ୟଗୁଡ଼ିକୁ ଲାଭ କରିବାର ଆଶାରେ ତେଣେ ପଳାଇ ଯାଇଛନ୍ତି ବା ଯାଉଛନ୍ତି, ସେମାନେ ହୁଏତ ସେପରି କରି ସେହି ଅସଦିଚ୍ଛାକୁହିଁ ସାହାଯ୍ୟ କରୁଥିବେ, ମନ୍ଦର ନୌକରି କରିବାରେ ଲାଗିଥିବେ ।

 

ଅଗଷ୍ଟ ୧୫, ୧୯୮୫

Image

 

Unknown

ଉନ୍ମୀଳନର କ୍ରମ

 

“It is the like that knows the like. So it is only because you carry the thing in yourself that you discover it.”

 

(Collected Works Of the Mother, ଜନ୍ମ-ଶତବାର୍ଷିକୀ ସଂସ୍କରଣ, Vol.VII, 1979, ପୃଷ୍ଠା-240)

 

ବାହାରେ ଆମେ ଯାହାକୁ ଖୋଜୁଛୁ, ତାହାକୁ ଆମେ ଆମ ଭିତରେ ବହନ କରି ରହିଛୁ-। ଭିତରେ ବହନ କରୁଛୁ ବୋଲି ବାହାରେ ଖୋଜୁଛୁ । ଏହାହିଁ ହେଉଛି ସକଳ ଅଭୀପ୍ସାର ରହସ୍ୟ, ସକଳ ଅନୁରାଗର ରହସ୍ୟ ଓ ସକଳ ପ୍ରସ୍ଫୁଟନର ରହସ୍ୟ । ଆମେ ଯାହାକୁ ଆମ ଆବିଷ୍କାରର ସର୍ବୋଚ୍ଚ ଶିଖରେ ଠାବ କରିବୁ ବୋଲି ବାହାରିଛୁ, ତାହା ଆମରି ଭିତରେ ଅନନ୍ତ ଗଭୀରେହିଁ ଅବସ୍ଥିତ ରହିଛି । ଏହି ସାଧର୍ମ୍ୟର ଭାବ ଓ ରୀତିଗୁଡ଼ିକୁ ଠଉରାଇ ନେଇ ପାରିଲେ ଆମେ ଆଉ ଭ୍ରମରେ ପଡ଼ି ଭିତରୁ ବଞ୍ଚିତ ହୋଇ କଦାପି ତାହାକୁ ବାହାରେ ଖୋଜିବାକୁ ଯିବାନାହିଁ କିମ୍ବା ବାହାରୁ ପରାଭୂତ ତଥା ବିତାଡ଼ିତ ହୋଇ ଅତ୍ୟନ୍ତ ଆର୍ତ୍ତ ଭାବରେ ତାହାକୁ ପାଇବା ସକାଶେ ଭିତରକୁ ଦଉଡ଼ି ଆସିବା ନାହିଁ । ଆପଣାକୁ ଅତି ଅନ୍ତରଙ୍ଗ ଭାବରେ ଅନୁଭବ କରିପାରିଲେ ଯାଇ ଆମେ ଏହି ସତ୍ୟଟିକୁ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିଲେ ଯାଇ ଆମେ ଏହି ସତ୍ୟଟିକୁ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବା ଏବଂ ପୁରାତନଜନିତ ଅନେକ ପ୍ରଭାବରୁ ଆପଣାକୁ ମୁକ୍ତ ରଖିପାରିବା । ଆଗେ ଅନେକ ମଣିଷ ତପସ୍ୟା କରିବେ ବୋଲି ଘର ଛାଡ଼ି ଜଙ୍ଗଲକୁ ପଲାଉଥିଲେ । ସଂସାର ଭିତରୁ ପଳାଇଯାଇ ପାରିଲେହିଁ ମୁକ୍ତି ମିଳିପାରିବ ବୋଲି ତତ୍‍କାଳୀନ ସାଧନରେ ପାଣ୍ଡିତ୍ୟ ଲାଭ କରିଥିବା ବ୍ୟକ୍ତିମାନେ ଶାସ୍ତ୍ରର ପ୍ରମାଣ ଦେଇ ମଣିଷମାନଙ୍କୁ କେତେ କଥା କହୁଥିଲେ । ନିଜକୁ ତୁଚ୍ଛ କରି ଦେଖିଲେ ଯାଇ ଉଚ୍ଚରେ, ଆମଠାରୁ ସତେଅବା ଅଲଗା ହୋଇ ରହିଥିବା ଅସଲ ସମ୍ପଦଟିର ସନ୍ଧାନ ମିଳିବ ବୋଲି ପରାମର୍ଶ ଦିଆଯାଉଥିଲା । ମଣିଷ ନିଜକୁ ଛୋଟ କରି ଦେଖୁଥିଲା, ନଗଣ୍ୟ କରି ଦେଖୁଥିଲା, ଅପବିତ୍ର ଓ ଅସମର୍ଥ କରି ଦେଖୁଥିଲା-। ଏହିପରି ଦେଖିବା ସକାଶେ ଧର୍ମମାନେ ତାକୁ ପ୍ରେରଣା ଦେଉଥିଲେ । ସବୁକିଛି ଖୋଜିବା ପଛରେ ମୁଁ ପ୍ରକୃତରେ ଯାହାକୁ ଖୋଜୁଛି, ସିଏ ମୋ’ରି ଭିତରେ ରହିଛି,–ନିଜ ଭିତରେ ତାକୁ ବହନ କରୁଥିବାରୁହିଁ ମୁଁ ତାକୁ ଖୋଜୁଛୁ, ତାକୁ ନିଜ ଭିତରେ ସ୍ପର୍ଶ କରି ରହିଥିବାରୁହିଁ ବାହାରେ ମୋର ସକଳ ସମ୍ପର୍କରେ ତଥା ସକଳ ସଂପ୍ରୀତିରେ ମୁଁ ତାହାରି ସାନ୍ନିଧ୍ୟ ଲାଭ କରିବି ବୋଲି ବ୍ୟାକୁଳ ହେଉଛି,–ବାଟ ଚାଲୁ ଚାଲୁ ଯେତେବେଳେ ଏହି ତତ୍ତ୍ଵଟି ଜୀବନର ସର୍ବମୂଳ ସତ୍ୟ ବୋଲି ଅନୁଭୂତ ହୋଇଯାଏ, ସେତିକିବେଳେହିଁ ଅଧ୍ୟାତ୍ମ-ଭୂମିକୁ ଉନ୍ମୀଳିତ ହୋଇଯିବା ସମ୍ଭବ ହୁଏ ।

 

ଆପଣାଠାରୁ ନାଡ଼ ଛିଡ଼ାଇ ମଣିଷ ପରମ ସତ୍ୟ ଅଥବା ପରମ ଦିବ୍ୟତାକୁ ବାହାରେ ଖୋଜିବ ବୋଲି ଧର୍ମର ଉତ୍ସାହ ନେଇ କେତେ ପୁରାଣ ଆଉ ଉପନ୍ୟାସର ରଚନା କରିଛି । ମର୍ତ୍ତ୍ୟ ଊର୍ଦ୍ଧ୍ୱରେ ଗୋଟାଏ ସ୍ଵର୍ଗ ଅଛି ବୋଲି କଳ୍ପନା କରିଛି; କାଳେ ବୁଝିବାକୁ ଅଧିକ ସହଜ ହେବ ବୋଲି ଏକକୁ ଭାଙ୍ଗି ଅନେକ କରିଛି, ପରମ ଓ ପୂର୍ଣ୍ଣ କଳ୍ପନାକୁ ଆଗ ଖଣ୍ଡଖଣ୍ଡ କରି ତା’ପରେ ସବୁଗୁଡ଼ିକୁ ଯୋଡ଼ି ଏକତ୍ର କରି ଦେଖିବାକୁ ଚେଷ୍ଟା କରିଛି, ପରମେଶ୍ଵର-କଳ୍ପନାରୁ କେତେ ପ୍ରକାରର ଈଶ୍ଵର ଏବଂ ଅର୍ଦ୍ଧ-ଈଶ୍ଵରର ଭିଆଣ ଏବଂ ବ୍ୟବସ୍ଥା କରି ରଖିଛି । ଦିଅଁଗଢ଼ାରୁ ସମ୍ପ୍ରଦାୟଗଢ଼ା ଆରମ୍ଭ ହୋଇଛି । ସେହି ଦିଅଁମାନଙ୍କୁ ନେଇ ଧର୍ମକଳହ ଆରମ୍ଭ ହୋଇଛି, ଧର୍ମରେ ବଣିଜ କରାହୋଇଛି । ଭିତରର ଦ୍ଵାରଗୁଡ଼ିକୁ ବନ୍ଦ କରି ସୂତ୍ର ଏବଂ ରୂପଗୁଡ଼ାକୁ ଆଳ କରି କେତେ ପ୍ରକାରର ରାଜସିକତା ଆରମ୍ଭ ହୋଇ ଯାଇଛି । ସେହି ରାଜସିକତାରୁ ନାନା ନୂଆ ମାର୍କାର ଅହଂକାର ଜନ୍ମଲାଭ କରିଛି । ଉଦୟପଥକୁ ବଣା କରି ଦିଆଯାଇଛି । ମଣିଷକୁ ଅତ୍ୟନ୍ତ ଅକିଞ୍ଚନ କରି ରଖାଯାଇଛି । ଅନେକ ମଣିଷଙ୍କୁ ଅକିଞ୍ଚନ କରି ରଖି ଅଳପ ମଣିଷ,–ସେମାନେ ଚତୁର ହୋଇଥିବାରୁହିଁ ଆପଣାକୁ ଅଧିକ ସମର୍ଥ ବୋଲି ଧରି ନେଇଛନ୍ତି,–ଠାକୁରମାନଙ୍କ ନାଆଁରେ ସଂସାରକୁ ଶାସନ କରିଛନ୍ତି, ଭେଦଗୁଡ଼ାକୁ ସ୍ଥାୟୀ କରି ରଖିବେ ବୋଲି ତଦନୁରୂପ ବେଦମାନ ଲେଖିଛନ୍ତି । ଆମ ସଂସାରରେ ସେମାନେ ଅନେକ ଯନ୍ତ୍ରଣା ଏବଂ ଅନେକ ବଞ୍ଚନାର କାରଣ ହୋଇ ରହିଛନ୍ତି । ଧର୍ମମାନେ ମିଛରେ ସିନା ପୃଥିବୀକୁ ଏକ ସ୍ଵର୍ଗରାଜ୍ୟରେ ପରିଣତ କରିବେ ବୋଲି କାଳେ କାଳେ କଳ୍ପନା କରି ଆସିଛନ୍ତି, ମାତ୍ର ଏଣେ ସଂସାରଟାଯାକ କେଡ଼େ ଚମତ୍କାର ସୁତରରେ ସତେଅବା ନର୍କରେ ପରିଣତ ହୋଇ ରହିଛି । ଈପ୍ସିତ ପରିତ୍ରାଣଟି କେବଳ ସ୍ଵର୍ଗରେ ମିଳିବ ବୋଲି ମଣିଷକୁ କେତେ ଉପଚାରରେ କୁହାଯାଇ ଆସିଛି । ସଂସାରରେ କେବଳ ଘାଣ୍ଟି ହେବା ବ୍ୟତୀତ ଆଉ ଅନ୍ୟ ଗତି ନାହିଁ ବୋଲି କହି ମଣିଷକୁ ତା’ର ଅସଲ ବାଟ ଓ ଅସଲ ଆବିଷ୍କାରଗୁଡ଼ିକରୁ ଛିନ୍ନ କରି ରଖାଯାଇଛି । ମଣିଷକୁ ତା’ର ଅସଲ କେନ୍ଦ୍ରଟି ସହିତ ଏବଂ ମଣିଷକୁ ଅନ୍ୟ ପ୍ରତ୍ୟେକ ମଣିଷ ସହିତ ସଂଯୁକ୍ତ କରି ରଖିଥିବା ଅସଲ ସୂତ୍ରଟିକୁ ତା’ ହାତରୁ ସତେଅବା ଛଡ଼ାଇ ନିଆଯାଇଛି ।

 

ଏକ ଅନ୍ୟ ଅଭୀପ୍ସା ନେଇ ଆମ ଲାଗି ଅଭିପ୍ରେତ ହୋଇ ରହିଥିବା ଶିକ୍ଷାର ତଥା ଗଭୀରତାଗୁଡ଼ିକର ସନ୍ଧାନରେ ବାହାରିଥିବା ଆମେ ପରମ ଦିବ୍ୟସତ୍ତା କହିଲେ ପ୍ରକୃତରେ କ’ଣ ବୁଝିବା ? ଈଶ୍ଵରବାସନା କହିଲେ ଆମେ ମୂଳତଃ କେଉଁ ବାସନାକୁ ବୁଝିବା ? ପରମ ଦିବ୍ୟସତ୍ତା କହିଲେ ଆମେ ନିମ୍ନଲିଖିତ କଥାଗୁଡ଼ିକ ବୁଝିବା ବୋଲି ମାଆ ଗୋଟିଏ ଜାଗାରେ ଲେଖିଛନ୍ତି : “ଆମେ ଉପାର୍ଜନ କରିବାକୁ ରହିଥିବା ଯାବତୀୟ ଜ୍ଞାନ, ଆମ ଜୀବନରେ ଉପଲବ୍ଧ ହେବାକୁ ରହିଥିବା ଯାବତୀୟ ସାମର୍ଥ୍ୟ, ଆମ ଜୀବନରେ ବିକଶିତ ହୋଇ ଉଠିବାକୁ ବାକି ରହିଥିବା ଯାବତୀୟ ପ୍ରେମ, ଜୀବନରେ ଅର୍ଜନ କରିବାକୁ ରହିଥିବା ଯାବତୀୟ ପୂର୍ଣ୍ଣତା, ଆଲୋକ ଏବଂ ଆନନ୍ଦ ମଧ୍ୟରେ ଆମ ଲାଗି ଉତ୍ତରୋତ୍ତର ଭାବରେ ହାସଲ କରିବାକୁ ରହିଥିବା ଯାବତୀୟ ସୌଷମ୍ୟସ୍ଥିତି ଏବଂ ଆମର ଉପଲବ୍ଧି ନିମନ୍ତେ ଅଭିପ୍ରେତ ହୋଇ ରହିଥିବା ଯାବତୀୟ ନୂତନ ଏବଂ ଅଦ୍ୟାପି ଅଜ୍ଞାତ ଐଶ୍ଵର୍ଯ୍ୟ ଓ ମହିମା *” ଏହି ଉକ୍ତିଟିକୁ ଆମର ନିଜ ଭାଷାରେ କହିଲେ, ଆମ ଭିତରେ ନିହିତ ଏବଂ ଅଭିପ୍ରେତ ହୋଇ ରହିଥିବା ଯାବତୀୟ ସମ୍ଭାବନା,–ଜ୍ଞାନ, ଶକ୍ତି, ପ୍ରେମ, ପୂର୍ଣ୍ଣତା, ସୌଷମ୍ୟ ତଥା ଐଶ୍ଵର୍ଯ ଏବଂ ମହିମାର ଅଭିବ୍ୟକ୍ତି ଲାଗି ଯାବତୀୟ ସମ୍ଭାବନା,–ଆମ ଲାଗି ତାହାହିଁ ହେଉଛି ପରମ ଦିବ୍ୟସତ୍ତା । କଳ୍ପନାପ୍ରବଣ ମନୁଷ୍ୟ ତାହାକୁହିଁ ଯୁଗେଯୁଗେ ନାନା ନାମ ଓ ଅଭିଧାରେ ବ୍ୟକ୍ତ କରିବାକୁ ଚେଷ୍ଟା କରି ଆସିଛି । ମାତ୍ର, ଆପଣାର ଚେତନା ଭିତରେ ସେହି ଦିବ୍ୟ ସମ୍ଭାବନା ଏବଂ ସତ୍ତାକୁ ଧରିବା ଲାଗି ଚେଷ୍ଟା କଲେ ଏବଂ ସେଥିଲାଗି ନିଜକୁ ଯଥାର୍ଥ ଭାବରେ ସମ୍ମତ କରିପାରିଲେ ଆମେ ଅବଶ୍ୟ ସେହି ସମ୍ଭାବନାକୁ ଆପଣା ଜୀବନର ଏକ ଉନ୍ମୀଳନକ୍ରମରେ ପରିଣତ କରି ସେହି ଅନୁସାରେ ଏକ ଜୀବନ ବଞ୍ଚିବାର ଧାରା ଓ ମାର୍ଗଟିକୁ ମଧ୍ୟ ପାଇଯାଇ ପାରିବା ।

 

ପୁଣି, ମାଆଙ୍କ ପାଖକୁ ଫେରିଆସି ବିଷୟଟିର ଆଲୋଚନା କରିବାକୁ ଗଲେ, ଆମ ଭିତରେ କେତେ କେତେ ସମ୍ଭାବନା ରହିଛି, ମାତ୍ର ଆମେ ସେଗୁଡ଼ିକୁ ସେହିପରି ସୁପ୍ତ ହୋଇ ରହିବାକୁହିଁ ଛାଡ଼ିଦେଇଛୁ, କାରଣ ସେଗୁଡ଼ିକର ବିକାଶସାଧନ କରିବା ନିମନ୍ତେ ଖୁବ୍‌ବେଶି ମୁଣ୍ଡ ଖେଳାଇବାକୁ ଏବଂ ସେଥିଲାଗି ଆବଶ୍ୟକ ପଦକ୍ଷେପଗୁଡ଼ିକୁ ଗ୍ରହଣ କରିବାକୁ ଆମେ ଆଦୌ ଚିନ୍ତା କରିନାହୁଁ । ଆମେ ଜୀବନରେ ଯେତିକି କରୁଛୁ ଇଚ୍ଛା କରିଥିଲେ ତା’ଠାରୁ ଅନେକ ଅଧିକ ସାଧ୍ୟ କରିପାରନ୍ତୁ । ମାତ୍ର, ଆମ ଜୀବନରେ ଯାବତୀୟ ବସ୍ତୁ ଆମ ପାଖରେ ଆସି ଯେତେବେଳେ ଯେଉଁଭଳି ଉପସ୍ଥିତ ହେଉଛନ୍ତି, ସେଗୁଡ଼ିକୁ ଆମେ କେବଳ ସେହିଭଳି ଭାବରେ ଗ୍ରହଣ କରି ନେଉଛୁ । (Vol.VII, ପୃଷ୍ଠା–167) ଯାବତୀୟ ଦିବ୍ୟ ଏବଂ ଅଧ୍ୟାତ୍ମ ବସ୍ତୁଗୁଡ଼ିକର ଉପଲବ୍ଧି-କ୍ଷେତ୍ରରେ ଆମେ ଅଧିକାଂଶତଃ ତାହାହିଁ କରିଥାଉ ବୋଲି ମାଆ ଆଉ ଗୋଟିଏ ସ୍ଥାନରେ ମଧ୍ୟ କହିଛନ୍ତି । ଦିବ୍ୟବସ୍ତୁଗୁଡ଼ିକ ଅନୁକ୍ଷଣ ବିଦ୍ୟମାନ ରହିଛନ୍ତି, ମାତ୍ର ଆମେ ସେଗୁଡ଼ିକୁ ଗ୍ରହଣ କରୁନାହୁଁ । ଆମେ କବାଟ କିଳି ଭିତରେ ବସିଛୁ, ଦୁଆରଗୁଡ଼ିକ ଖୋଲିବାକୁ ରାଜି ହେଉ ନାହୁଁ । ଅଧିକାଂଶ ସମୟରେ ନିଜକୁ ଅନ୍ୟ ଯାବତୀୟ ବିଷୟରେ ବ୍ୟସ୍ତ କରି ରଖିଛୁ । ଆମେ କେବଳ ନିଜଟାକୁ ନେଇ ନିଜ ଭିତରେ ଏତେ ଅଧିକ ପରିମାଣରେ ଭର୍ତ୍ତି ହୋଇ ରହିଛୁ ଯେ ଆମ ଭିତରେ ଆଉ ଅନ୍ୟ କୌଣସି ବିଷୟ ନିମନ୍ତେ ଏତେ ଟିକିଏବି ଜାଗା ଅବଶେଷ ରହିପାରୁ ନାହିଁ । ଆମେ କେଡ଼େ ସକ୍ରିୟ ଭାବରେ ଆହୁରି କେତେ କ’ଣ କଥାକୁ ନେଇ ବ୍ୟସ୍ତ ଓ ତତ୍ପର ହୋଇ ରହିଛୁ । ଅତିରିକ୍ତ ଭାବରେ କେବଳ ସେହିସବୁ ବସ୍ତୁଦ୍ଵାରା ପୂର୍ଣ୍ଣ ହୋଇ ରହିଛୁ, ତେଣୁ ଦିବ୍ୟ ପରମସତ୍ତାଙ୍କ ଲାଗି ଆମ ଭିତରେ ଆଉ ଏତେ ଟିକିଏ ଜାଗା ମଧ୍ୟ ଖାଲି ରହିପାରୁ ନାହିଁ । (Vol. VI, ପୃଷ୍ଠା–136) ତେଣୁ, ଆମେ ଇଚ୍ଛା କଲେ ଯାଇ ଆମ ଭିତରେ ରହିଥିବା ଦିବ୍ୟ ମୂଳଟି ବିଷୟରେ ସଚେତନ ହୋଇପାରିବା, ଆମର ଦିବ୍ୟ ସମ୍ଭାବନା-ଶିଖରଗୁଡ଼ିକୁ ସୋପାନ ସୋପାନ କରି ଆରୋହଣ କରିପାରିବା ଏବଂ ଏହିପରି ଭାବରେ ନିଜର ଜୀବନରେ ଏକ ଉନ୍ମୀଳନ ସମ୍ଭବ କରିପାରିବା ।

 

ଆମର ଏହି ସମୂହସ୍ଥ ଜୀବନକୁହିଁ ଆମ ଭିତରେ ନିହିତ ହୋଇ ରହିଥିବା ସେହି ସମ୍ଭାବନାକୁ ଉଦ୍‌ଘାଟିତ କରିବାର ଏକମାତ୍ର କ୍ଷେତ୍ର ବୋଲି ମାଆ କହିଛନ୍ତି । ଆମେ ଯେଉଁମାନେ ଆପଣାର କର୍ମକୁ ସତେଅବା ଏହି ପୃଥିବୀ ବାହାରୁ ଆଉ କେଉଁଠାରୁ ବୋଝ ପରି ପିଠି ଉପରେ ଲଦି ପୃଥିବୀକୁ ଆସୁ ବୋଲି ବିଶ୍ଵାସ କରୁ, ଆମର ଏହି ଜୀବନରେ ଆମେ କେତେ ଆଗକୁ ଯିବା ବା କେଉଁ ପରିସରଟି ମଧ୍ୟରେ ରହିବା, ତାହା ଆଗରୁ ନିର୍ଦ୍ଧାରିତ ହୋଇ ରହିଛି ବୋଲି ସ୍ଵୀକାର କରିନେଉ ଓ ତେଣୁ କେବଳ କର୍ମକଷଣକୁ ସହିବା ବ୍ୟତୀତ ଜୀବନରେ ଆଉ କିଛିହେଲେ କରିବାର ଅବସର ନାହିଁ ବୋଲି କହି କର୍ମ ଆଦରି ରହିଥାଉ, ସେମାନଙ୍କ ଲାଗି ମାଆଙ୍କର ସେହି କଥାଟିକୁ ଗ୍ରହଣ କରିବା ପ୍ରକୃତରେ ବଡ଼ କଷ୍ଟକର ହୋଇପଡ଼ିବ । ଦିବ୍ୟସତ୍ତା ମୋ’ରି ଭିତରେ ରହିଛି, ଦିବ୍ୟସତ୍ତା ମୋ’ରି ଭିତରେ ରହିଛି, ଜୀବନରେ ମୋର ସକଳ ଜ୍ଞାନ, ଭକ୍ତି ଓ କର୍ମ ମୋତେ ଏହି ସତ୍ୟଟି ବିଷୟରେ ସଚେତନ କରି ରଖିଥିବ ଓ ସେହି ସତ୍ୟଟି ଆଡ଼କୁ ଉଦ୍‌ଘାଟିତ କରି ନେଉଥିବ, ଏହି ଭୂମିରେ ଜୀବନ ବଞ୍ଚିବାକୁ ଥରେ ଦୃଢ଼ ଭାବରେ ନିଷ୍ପତ୍ତି କଲେ ଆମେ ଆଉ କଦାପି କର୍ମକୁ କାମୁଡ଼ି ପଡ଼ିରହିବା ନାହିଁ । ଆପଣାକୁ କଦାପି ଅକିଞ୍ଚନ କିମ୍ବା ଅସହାୟ ବୋଲି ମାନିନେବା ନାହିଁ । ଆମରି ଭିତରେ ଆମର ମହତ୍ତମ ସମ୍ଭାବନାରୂପେ ଯାହା ସଂଗୁପ୍ତ ହୋଇ ରହିଛି, ଆମେ ନିଜର ଆଖିକୁ ଓ ହୃଦୟବାସନାକୁ ତାହାରି ଅନୁରୂପ କରି ଗଢ଼ିବା । ଏପରି କଲେ ଆମେ ଜୀବନରେ ପାହାଚ ପାହାଚ ହୋଇ ଉପରକୁ ଉଠିଯାଇ ପାରିବ, ଆମେ ବହନ କରିଥିବା ରତ୍ନଟିର ଯୋଗ୍ୟ ହେବା, ସେହି ରତ୍ନଟିକୁ ପ୍ରକୃତରେ ମନ କରିବା । ତାହାହିଁ ଆମ ଜୀବନରେ ଏକ ନୂତନ ସୂର୍ଯ୍ୟୋଦୟ ଆଣିଦେବ, ଆମକୁ ଏକ ଅପ୍ରତିହତ ସମ୍ମାନବୋଧ ଆଣିଦେବ । ତାହା ଆମ ଭିତରେ ଏକ ଅଭୂତପୂର୍ବ ପ୍ରସାର ଆଣିଦେବ । ଆମେ ଆମ ଅଭ୍ୟସ୍ତ ଗାତଟିକୁ ଅଥବା ଗାତଗୁଡ଼ିକୁ ଛାଡ଼ି ଆମ ବିଚରଣର ଅସଲ ଭୂମିକୁ ବାହାରି ଆସି ପାରିବା । ଆତ୍ମଚେତନ ହୋଇ ଆମେ ସର୍ବଚେତନ ହେବା । ଅର୍ଥାତ୍ ଆମକୁ ଏହି ସବୁକିଛି ସହିତ ଯୋଡ଼ିକରି ରଖିଥିବା ଡୋରଗୁଡ଼ିକୁ ଆପଣା ଭିତରେ ଅନୁଭବ କରିପାରିବା । ଅସଲ ଚେତନା ହେଉଛି ଯଥାର୍ଥରେ ସେହି ସର୍ବଚେତନା ବୋଲି ମାଆ କେଡ଼େ ସ୍ପଷ୍ଟ ଭାବରେ କହିଛନ୍ତି :

 

The consciousness is consciousness of all at the same time, all together, in it’s totalily and in the smallest datail. (Vol.XI, ପୃଷ୍ଠା-222) ସେହି ସର୍ବଚେତନା ହେଉଛି ଦିବ୍ୟ ଚେତନା ।

 

ଆପଣା ଭିତରକୁ ଆମେ ଯଥେଷ୍ଟ ଉନ୍ମୀଳନ ଘଟାଇ ପାରୁନାହୁଁ ବୋଲି ଆମେ ଜୀବନ କହିଲେ ଏତେ ଅଳପ ଅନୁଭବ କରୁଛୁ, ଜଗତ କହିଲେ ଆପଣାର ସାନ ସାନ କେତୋଟି ଗାତକୁ ବୁଝୁଛୁ, ଈଶ୍ଵର କହିଲେ ଆମ ଆର୍ତ୍ତତା ଏବଂ ଅସହାୟତାଗୁଡ଼ାକୁ ପହରା ଦେଇ ରଖିଥିବା ଓ ଆମରି କଳ୍ପନାଦ୍ଵାରା ଗଢ଼ା ହୋଇଥିବା ଏକ ଅବଲମ୍ବନ ବୋଲି ବୁଝୁଛୁ ଓ ତାହାକୁ ଠାକୁର ବୋଲି କହୁଛୁ । ସେହି ଠାକୁରଙ୍କ ପାଖରୁ ଆମେ କେବଳ ଆପଣା ଲାଗି ବଳ ମାଗୁଛୁ, ଯେଉଁ ଚେତନା ମୂଳତଃ ଏକ, ଆମେ ତାହାକୁ ଖଣ୍ଡଖଣ୍ଡ କରି ବିଚାର କରୁଛୁ, ତେଣୁ ଆପଣାକୁ ମଧ୍ୟ ବଡ଼ ଶୋଚନୀୟ ଭାବରେ ସମଗ୍ରଟିର ବିଚ୍ଛିନ୍ନ କରି ରଖିଛୁ । ଆମ ନିଜ ଭିତରେ ମଧ୍ୟ ସତେ ଯେପରି ଆମେ ଖଣ୍ଡିଆ କରି ମାତ୍ର କେତୋଟି ଅଂଶକୁ ଚିହ୍ନିଛୁ ଓ ଅନ୍ୟ ଯାବତୀୟ ଅଂଶଗୁଡ଼ିକ ପ୍ରତି ଆଖି ବୁଜି ରହିଛୁ । ଆପଣାର ଚେତନା ଡୋରଗୁଡ଼ିକୁ ଆମେ ଏହିପରି ଭାବରେ କାତର ଓ ଶଙ୍କିତ କରି ରଖିଛୁ । ଆମ ସମେତ ଏହି ସବୁକିଛିକୁ ଏକାଠି ସମ୍ଭାରି ଧରିଥିବା ଅସଲ କର୍ତ୍ତୃତ୍ଵଟିକୁ ଚିହ୍ନିବାକୁ ମନ କରୁ ନାହୁଁ ବୋଲି ଆମେ ନାନା ଖଣ୍ଡ କର୍ତ୍ତୃତ୍ଵର ବୃତ୍ତ ଭିତରେ ଆପଣାକୁ କିଳି ରଖିବାକୁ ବାଧ୍ୟ ହେଉଛୁ । ଆମର ପୃଥିବୀ ବ୍ୟକ୍ତି ଏବଂ ସମୂହ-ସ୍ତରର ଏହିପରି ନାନା ଖଣ୍ଡକର୍ତ୍ତୃତ୍ଵରେ ବିଭକ୍ତ ହୋଇ ରହିଛି । ଆପଣାକୁ ଆପଦଶୂନ୍ୟ କରି ରଖିବା ବୋଲି ଜଣେ ବ୍ୟକ୍ତିର କର୍ତ୍ତୃତ୍ଵ ଅନ୍ୟ ବ୍ୟକ୍ତିମାନଙ୍କର କର୍ତ୍ତୃତ୍ଵ ସହିତ ନିତ୍ୟ ସଂଗ୍ରାମରତ ହୋଇ ରହିଛି, ଗୋଟିଏ ସମୂହ ଆଉ ଗୋଟିଏ ସମୂହ ସହିତ ସଂଗ୍ରାମରତ ହୋଇ ରହିଛି । ସଂଗ୍ରାମଗୁଡ଼ାକୁ ଅଧିକ ନିଶାଶକ୍ତ କରି ରଖିବା ଲାଗି ନାନା ଖଣ୍ଡଆଦର୍ଶର ଆଳରେ ପୃଥିବୀରେ ଅଲଗାଅଲଗା ସ୍ଵାର୍ଥ ଏବଂ ଶିବିରଗୁଡ଼ିକର ସୃଷ୍ଟି ହୋଇଛି । ଆପଣା ଭିତରେ ଆପଣାର ଅସଲ ମହତ୍ତା ଓ ସମ୍ଭାବନାଟି ମଧ୍ୟକୁ ଉନ୍ମୀଳିତ ହୋଇପାରିଲେ ମଣିଷ ଏଗୁଡ଼ିକୁ ପରିତ୍ୟାଗ କରି ଏକ ଅନ୍ୟ ପୃଥିବୀପାଇଁ ସମ୍ଭବ କରିପାରନ୍ତା । ସେହି ଅନ୍ୟ ପୃଥିବୀପାଇଁ ବର୍ତ୍ତମାନର ଖଣ୍ଡକର୍ତ୍ତୃତ୍ଵଗୁଡ଼ିକର ଆଉ ଆଦୌ କୌଣସି ଆବଶ୍ୟକତା ରହନ୍ତା ନାହିଁ । ମାଆ ଗୋଟିଏ ପ୍ରସଙ୍ଗରେ କହିଛନ୍ତି ଯେ, ଏହି ନାନାବିଧ ବ୍ୟକ୍ତିକର୍ତ୍ତୃତ୍ଵ ସ୍ଥାନରେ ବିକଳ୍ପରୂପେ ଯେଉଁ ଦେବକର୍ତ୍ତୃତ୍ଵର ପ୍ରତିଷ୍ଠା ହେବାକୁ ଯାଉଛି, ବର୍ତ୍ତମାନର କର୍ତ୍ତୃତ୍ଵମାନେ ତାହାର ବିରୋଧ କରୁଛନ୍ତି, ତାହାକୁ ବାଟ ଛାଡ଼ିଦେବାକୁ ରାଜି ହେଉ ନାହାନ୍ତି । ସେଥିରୁ ଅରାଜକତା ଉପୁଜୁଛି ଓ ମଣିଷମାନେ ତାହାରି ମଧ୍ୟରେ ଘାଣ୍ଟି ହେଉଛନ୍ତି ।

 

ଆପଣାର ଗୋଟିଏ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ପ୍ରବଚନରେ ମାଆ ପରମ ଦିବ୍ୟସତ୍ତାକୁ ଏକ ବିବର୍ତ୍ତନଶୀଳ ଉପଲବ୍ଧି ବୋଲି ବର୍ଣ୍ଣନା କରିଛନ୍ତି । (Vol,XIII,, ପୃଷ୍ଠା-77-78) ଯଥାସମ୍ଭବ ତାଙ୍କରି ଭାଷାରେ କଥାଟିକୁ ଉପସ୍ଥାପିତ କରିବାକୁ ଗଲେ, ମନୁଷ୍ୟର ବ୍ୟକ୍ତିଗତ ଚେତନା ହେଉଛି ଗୋଟିଏ ଫିଲ୍‌ଟର ପରି; ତାହା ଅଧିକାଂଶ କ୍ଷେତ୍ରରେ ନିର୍ବାଚନ କରେ ଏବଂ ଦିବ୍ୟ ପରମସତ୍ତାଙ୍କର ଅସୁମାରି ସମ୍ଭାବନା ମଧ୍ୟରୁ କୌଣସି ଗୋଟିଏ ସମ୍ଭାବନାକୁ ନିଠକରି ବାଛିନିଏ ଏବଂ ସତେଅବା କାଠି ଆଗରେ ଦେଖାଇ ଦେଲା ଭଳି ତାହାକୁହିଁ ଦିବ୍ୟସତ୍ତା ବୋଲି ଦେଖାଇ ଦିଏ ଓ ଦିବ୍ୟସତ୍ତା ବୋଲି ମାନେ । ପ୍ରକୃତ କଥା ହେଉଛି, ପ୍ରତ୍ୟେକ ବ୍ୟକ୍ତି ଦିବ୍ୟ ପରମସତ୍ତାଙ୍କ ଠାରୁ ଯେତିକି ଅଧିକ ବା ଯେତିକି ଅଧିକତର ପ୍ରତ୍ୟାଶା କରେ, ସିଏ ତା’ ଲାଗି କେବଳ ସେତିକିରୂପେ ପରିଚିତ ହୁଅନ୍ତି, ତାକୁ କେବଳ ସେତିକିମାତ୍ର ଦିଅନ୍ତି । ଦିବ୍ୟ ପରମସତ୍ତା ଆମଠାରୁ ବହୁଦୂରରେ ଅଛନ୍ତି ଓ ସିଏ ଅତ୍ୟନ୍ତ ନିଷ୍ଠୁର ବୋଲି ଯଦି ତୁମେ ବିଶ୍ଵାସ କରୁଥାଅ, ତେବେ ସିଏ ପ୍ରକୃତରେ ତୁମଠାରୁ ଦୂରବର୍ତ୍ତୀ ଏବଂ ନିଷ୍ଠୁର ହୋଇ ରହିଥାନ୍ତି । କାରଣ, ତୁମେ ଏହିପରି ଭାବରେ ଭଗବାନଙ୍କର କ୍ରୋଧକୁ ଅନୁଭବ କର ବୋଲି ସେତେବେଳେ ତାହାହିଁ ତୁମ ଲାଗି ତୁମ ଚରମ କଲ୍ୟାଣ ଦୃଷ୍ଟିରୁ ଅଭିପ୍ରେତ ହୋଇ ରହିଥାଏ । କାଳୀଙ୍କ ଉପାସକମାନଙ୍କ ଲାଗି ସିଏ କାଳୀ ହୁଅନ୍ତି ଏବଂ ଏବଂ ଭକ୍ତ ଲାଗି ପରମାନନ୍ଦ-ସ୍ଵରୂପ ହୋଇ ରହିଥାନ୍ତି । ଜ୍ଞାନର ଅନ୍ଵେଷଣ ଲାଗି ସର୍ବଜ୍ଞାନମୟ ହୁଅନ୍ତି, ଏବଂ ମାୟାବାଦୀ ଲାଗି ବିଶ୍ଵାତୀତ ପରମ ନୈର୍ବ୍ୟକ୍ତିକରେ ପରିଣତ ହୁଅନ୍ତି । ନାସ୍ତିକ ଲାଗି ନାସ୍ତିକ ହୁଅନ୍ତି, ପ୍ରେମିକ ଲାଗି ପ୍ରେମରୂପେ ପ୍ରତିଭାତ ହୁଅନ୍ତି । ଯେଉଁ ବ୍ୟକ୍ତିମାନେ ସ୍ଵ-ଜୀବନର ପ୍ରତ୍ୟେକ ପଦକ୍ଷେପରେ ଓ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କୁ ଅନ୍ତର ମଧ୍ୟରେ ଅବସ୍ଥିତ ପରମ ପଥପ୍ରଦର୍ଶକରୂପେ ଅନୁଭବ କରନ୍ତି, ସେମାନଙ୍କ ପାଇଁ ସିଏ ଅନ୍ତରଙ୍ଗ ବନ୍ଧୁ ଓ ଭ୍ରାତା ହୋଇ ଆସନ୍ତି ଏବଂ ଅତ୍ୟନ୍ତ ବିଶ୍ଵସ୍ତ ଭାବରେ ସହାୟତା କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥାନ୍ତି । ସିଏ ତୁମର ସକଳ ଅପରାଧକୁ ସମ୍ପୂର୍ଣ୍ଣ ଭାବରେ ପୋଛିନେଇ ପାରିବେ ବୋଲି ତୁମେ ବିଶ୍ଵାସ କରୁଥାଅ, ତେବେ ସିଏ ସତକୁସତ ସକଳ ଅପରାଧକୁ ପୋଛି ନିଅନ୍ତି, ଅଶ୍ରାନ୍ତ ଭାବରେ ସକଳ ଦୋଷର ଖଣ୍ଡନ କରୁଥାଆନ୍ତି ଏବଂ ପ୍ରତ୍ୟେକ ମୁହୂର୍ତ୍ତରେହିଁ ତୁମେ ତାଙ୍କର ଅନନ୍ତ କରୁଣାକୁ ଅନୁଭବ କରୁଥାଅ । ଆପଣାର ଗଭୀରତମ ଅଭୀପ୍ସାର କ୍ଷେତ୍ରରେ ଦିବ୍ୟ ପରମସତ୍ତାଙ୍କୁ ତୁମେ ଯେପରି ଭାବରେ ଅନୁଭବ କର, ତୁମ ଲାଗି ସିଏ ଠିକ୍‌ ସେହିପରି ଭାବରେହିଁ ବିଦ୍ୟମାନ ରହିଥାନ୍ତି ।

 

ମାଆ ପୁନର୍ବାର କହିଛନ୍ତି : ଏବଂ ଏହିପରି ଭାବରେ ଯେତେବେଳେ ତୁମେ ଏଭଳି ଏକ ଚେତନା ମଧ୍ୟରେ ଆସି ପ୍ରବିଷ୍ଟ ହୁଅ, ଯେଉଁଠାରେ କି ତୁମେ କେବଳ ଗୋଟିଏ ଅବଲୋକନରେହିଁ ସକଳ ବସ୍ତୁକୁ ଦେଖିପାର, ଯେତେବେଳେ ତୁମେ ପରମ ଦିବ୍ୟସତ୍ତା ଏବଂ ମନୁଷ୍ୟମାନଙ୍କ ମଧ୍ୟରେ ରହିଥିବା ଅସୁମାରି ସମନ୍ଧଗୁଡ଼ିକର ପ୍ରତ୍ୟକ୍ଷ କରିପାର, ସେତେବେଳେ, ଏହି କଥାଟି ଯେ ପ୍ରକୃତରେ କେଡ଼େ ଚମତ୍କାର ଓ କେଡ଼େ ଅଦ୍ଭୁତ, ତୁମେ ତାହା ପୁଙ୍ଖାନୁପୁଙ୍ଖ ଭାବରେ ମଧ୍ୟ ଦେଖିପାର । ସେତେବେଳେ ଯଦି ତୁମେ ମନୁଷ୍ୟଜାତିର ସମଗ୍ର ଇତିହାସଟି ଉପରେ ଦୃଷ୍ଟିପାତ କରିପାରିବ, ତେବେ ଅବଶ୍ୟ ଦେଖିବାକୁ ପାଇବ ଯେ, ମନୁଷ୍ୟମାନେ ଦିବ୍ୟ ପରମସତ୍ତାଙ୍କୁ ଯେଉଁପରି ଭାବରେ ବୁଝିଛନ୍ତି, ତାଙ୍କ ବିଷୟରେ ଯେଉଁଭଳି ବାସନା ଓ ଆଶା ପୋଷଣ କରିଛନ୍ତି ଏବଂ ଯାହାକିଛି ସ୍ଵପ୍ନ ଦେଖିଛନ୍ତି, ସିଏ ପ୍ରକୃତରେ ସେହିପରି ଭାବରେହିଁ ବିବର୍ତ୍ତିତ ହୋଇ ଆସିଛନ୍ତି । ଜଡ଼ବାଦୀ ଲାଗି ସିଏ ଜଡ଼ବାଦୀର ରୂପ ଧାରଣ କରିଛନ୍ତି; ଏବଂ, ମନୁଷ୍ୟର ଚେତନା ଆପଣାକୁ ଅଧିକରୁ ଅଧିକ ସମ୍ପ୍ରସାରିତ କରିପାରୁଥିବା ସଙ୍ଗେସଙ୍ଗେ ସିଏ ଠିକ୍ ସେହି ଅନୁପାତରେହିଁ ପ୍ରତ୍ୟେକ ଦିନ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛନ୍ତି, ଅଧିକରୁ ଅଧିକ ନିକଟ ହୋଇ ଆସୁଛନ୍ତି ଏବଂ ଅଧିକରୁ ଅଧିକ ଉଜ୍ଜ୍ଵଳ ଭାବରେ ପ୍ରତିଭାତ ହେଉଛନ୍ତି । ତେଣୁ ଜଣେ ଜଣେ ବ୍ୟକ୍ତି ହିସାବରେ ଆମ ପ୍ରତ୍ୟେକଙ୍କର ନିର୍ବାଚନ ଲାଗି ସ୍ଵାଧୀନତା ରହିଛି । ଭଗବାନଙ୍କ ସହିତ ମନୁଷ୍ୟର ରହିଆସିଥିବା ଅସରନ୍ତି ବହୁବିଧ ସମ୍ୱନ୍ଧକ୍ଷେତ୍ରଟି ପୃଥିବୀର ଇତିହାସରେ କିପରି ପର୍ଯ୍ୟାୟକ୍ରମେ ଅଧିକରୁ ଅଧିକ ପୂର୍ଣ୍ଣତା ଲାଭ କରିଛି, ତାହାକୁ ପ୍ରକୃତରେ ଏକ ଅନିର୍ବଚନୀୟ ଅଦ୍ଭୁତ ଘଟଣା ବୋଲି କହିବାକୁ ହେବ । ଏବଂ, ଏହି ସବୁକିଛି ଘଟଣାର ସମଷ୍ଟିକୁ ଦିବ୍ୟ ପରମସତ୍ତାଙ୍କର ସମ୍ପୂର୍ଣ୍ଣ ଅଭିବ୍ୟକ୍ତିର ପରିପ୍ରେକ୍ଷୀରେ କେବଳ ଗୋଟିଏ ସେକେଣ୍ଡ ବ୍ୟତୀତ ଆଉ କ’ଣ କୁହାଯାଇପାରେ ?

 

ପ୍ରସଙ୍ଗଟିକୁ ଶେଷ କରି ଆଣିବାପରି ମାଆ ଉପସଂହାର କରି କହିଛନ୍ତି : “ତୁମର ସ୍ଵ-ଅଭୀପ୍ସାଟିର ଅନୁସାରେହିଁ ଦିବ୍ୟ ପରମସତ୍ତା ତୁମ ପାଖରେ ରହିଛନ୍ତି । ସ୍ଵଭାବତଃ, ଏହାର ଅବଶ୍ୟ କଦାପି ଏଭଳି ଅର୍ଥ ହେବ ନାହିଁ ଯେ ପରମସତ୍ତା ତୁମ ବାହ୍ୟ ପ୍ରକୃତିର ନାନା ଖିଆଲକୁ ମାନି ନେଇ ସେହି ତୁମ ଲାଗି ଆପଣାକୁ ପ୍ରକଟ କରୁଛନ୍ତି । ଏଠାରେ ମୁଁ କେବଳ ତୁମ ନିଜ ସତ୍ତାର ସତ୍ୟଟି ବିଷୟରେହିଁ ଯାହାକିଛି କହୁଛି । ଏବଂ ତଥାପି, ଏକଥା ଅବଶ୍ୟ ସତ ଯେ, ତୁମର ବାହ୍ୟ ଆକାଂକ୍ଷା ଓ ଅନୁରାଗଗୁଡ଼ିକର ଅନୁସାରେହିଁ ସିଏ ବେଳେବେଳେ ନିଜକୁ ପ୍ରକୃତରେ ଅନୁରୂପ ଆକାରରେ ପ୍ରକାଶିତ କରିଥାନ୍ତି; ଏବଂ ଯଦି, ଭକ୍ତମାନଙ୍କ ପରି, ତୁମେ ପର୍ଯ୍ୟାୟ ବଦଳାଇ ଆପଣାକୁ ବିଚ୍ଛେଦ ଏବଂ ମିଳନ, ଉଲ୍ଲାସ ଏବଂ ନୈରାଶ୍ୟ ମଧ୍ୟରେ ଆନ୍ଦୋଳିତ କରି ନିଜର ଜୀବନଟିକୁ ବଞ୍ଚିଥାଅ, ତେବେ ଦିବ୍ୟ ପରମସତ୍ତା ମଧ୍ୟ ଘଡ଼ିକପାଇଁ ତୁମଠାରୁ ବିଚ୍ଛିନ୍ନ ହୋଇ ଯାଉଥିବେ ତ ପୁଣି ଘଡ଼ିକ ଲାଗି ତୁମ ସହିତ ମିଳିତ ହୋଇ ଆସୁଥିବେ,–ତୁମର ବିଶ୍ଵାସ ଓ ପ୍ରତ୍ୟୟ ଅନୁସାରେହିଁ ସିଏ ଏହିପରି ହେବାରେ ଲାଗିଥିବେ । ତେଣୁ, ତୁମର ଦୃଷ୍ଟିକୋଣଟି ହେଉଛି ପ୍ରକୃତରେ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ, ଏପରିକି ତୁମର ବାହ୍ୟ ଦୃଷ୍ଟିକୋଣଟିର ମଧ୍ୟ ଏହି କ୍ଷେତ୍ରରେ ଅନେକ ମହତ୍ତ୍ଵ ରହିଛି । ଏହି କ୍ଷେତ୍ରରେ ବିଶ୍ଵାସ ଯେ କେତେ ଅଧିକ ମହତ୍ତ୍ୱପୂର୍ଣ୍ଣ, ବିଶ୍ଵାସ ଯେ କିପରି ଏକ ଅଦ୍ଭୁତ ଘଟଣା ହୋଇ ରହିଥାଏ ଓ କୁହୁକମାନ ଘଟାଇବାରେ ଲାଗିଥାଏ, ଲୋକମାନେ ସେକଥା ପ୍ରକୃତରେ ଜାଣି ନଥାନ୍ତି । ଯଦି ତୁମେ ପ୍ରତ୍ୟେକ ମୁହୂର୍ତ୍ତରେହିଁ ସେହି ଦିବ୍ୟ ପରମସତ୍ତାଙ୍କ ଆଡ଼କୁ ଉତ୍ତୋଳିତ ଓ ଆକର୍ଷିତ ହୋଇଯିବା ପାଇଁ ବାସନା ରଖିଥାଅ, ତେବେ ସିଏ ଅବଶ୍ୟ ଆସିବେ ଏବଂ ତୁମକୁ ଉତ୍ତୋଳିତ କରି ନେଇଯିବେ; ଏବଂ, ସିଏ ତୁମର ନିକଟରେ, ଅତି ନିକଟରେହିଁ ବିଦ୍ୟମାନ ରହିଥିବେ ଏବଂ କ୍ରମଶଃ ଅଧିକରୁ ଅଧିକ ନିକଟ ହୋଇ ଆସୁଥିବେ ।”

 

ତେଣୁ ଆମର ଜୀବନରେ ଏବଂ ଚେତନାରେ, ଦିବ୍ୟ ପରମସତ୍ତାଙ୍କର ପରିପ୍ରକାଶ-କ୍ଷେତ୍ରରେ ଆମେ ସେତିକି ଇଚ୍ଛା କରିବା, ସମ୍ପୃକ୍ତ ବିବର୍ତ୍ତନଟି ନିୟମତଃ ଠିକ୍ ସେତିକି ପରିମାଣରେ ଘଟିବ । ଆମେ ଯେତିକି ବାଟ ଛାଡ଼ିଦେବା, ସିଏ ଆମ ଭିତରେ ସେତିକି ପାରିବେ ଓ ଆମ ପ୍ରସାରଣ ତଥା ପରିତ୍ରାଣର ରଜ୍ଜୁଗୁଡ଼ିକୁ ନିଜ ହାତରେ ଗ୍ରହଣ କରିନେବେ । ଏହି ଅର୍ଥରେ ବିଚାର କରିଦେଖିଲେ ତାଙ୍କ ଆଡ଼ୁ କଦାପି ଅନ୍ତରାୟଗୁଡ଼ିକର ସୃଷ୍ଟି ହେବ ନାହିଁ, ମାତ୍ର ଆମେ ମନ ନକରୁଥିବା ପର୍ଯ୍ୟନ୍ତ ଉନ୍ମୀଳନର ଏହି କ୍ରମଟିକୁ ନାନାଭାବେ ବାରିତ କରି, ବିଳମ୍ବିତ କରି ରଖିଥିବା-। ତେଣୁ ଏହି ବାରିତ ହେବା, ବିଳମ୍ବିତ ହେବା କଦାପି ଆମ ଅଦୃଷ୍ଟର ଲିଖନ ନୁହେଁ, ଏହା ଆମରି ସମ୍ମତି ଉପରେହିଁ ସର୍ବଦା ନିର୍ଭରଶୀଳ ହୋଇ ରହିଛି । ଉନ୍ମୀଳନର ଏହି କ୍ରମରେ ସୁଯୋଗ୍ୟ ଭାବରେ ଆମ ଆଡ଼ୁ ନିଜର ଭୂମିକାଟିକୁ ଗ୍ରହଣ କରିବା କ’ଣ ଆମ ଲାଗି ପ୍ରକୃତରେ ଅସମ୍ଭବ-? ଆମେ ଅସମ୍ମତ ହୋଇ ରହିଥିବା ପର୍ଯ୍ୟନ୍ତ ଅବଶ୍ୟ ଅସମ୍ଭବ । ଆମକୁ ବଦଳେଇ ମାଆ ଗୋଟିଏ ସ୍ଥାନରେ (Vol.VI ପୃଷ୍ଠା-124) କହିଛନ୍ତି : ‘‘ଅସମ୍ଭବ ବୋଲି କିଛି ନାହିଁ । ଆମେ ସ୍ଵୟଂ ପ୍ରତିବନ୍ଧକଗୁଡ଼ିକର ସୃଷ୍ଟି କରୁ, ବାଡ଼ ବସାଇ ରଖିଥାଉ । ....ଆମେ ନିଜେହିଁ ସର୍ବଦା ଆପଣାକୁ ଆମର ନାନା ସୀମାର କାରାଗାର ମଧ୍ୟରେ ସତେଅବା କ୍ରୀତଦାସ ପରି ବନ୍ଦି କରି ରଖିଥାଉ,–ଆମର ନିର୍ବୋଧ, ସଂକୀର୍ଣ୍ଣ ତଥା ଅଜ୍ଞାନମୟ ତଥାକଥିତ ବୋଧର କାରାଗାର ଭିତରେ ଆମେ ଆପେ ବନ୍ଦି ହୋଇ ରହିଥାଉ । ସେହି ବୋଧଟି ଆମ ଜୀବନରେ ଯଥାର୍ଥ ବିଧାନଗୁଡ଼ିକ ସମ୍ବନ୍ଧରେ ଆଦୌ କିଛିହେଲେହିଁ ଜାଣି ନଥାଏ ।”

 

ନଭେମ୍ବର ୨୪, ୧୯୮୫

Image

 

ବୀର ଓ ପଶୁ

 

ସାଧକ ଦୁଇ ପ୍ରକାରର ଥାଆନ୍ତି । ଗୋଟିଏ ପ୍ରକାରର ସାଧକଙ୍କୁ ଶାସ୍ତ୍ରରେ ବୀର ବୋଲି କୁହାଯାଇଛି ଓ ଅନ୍ୟ ପ୍ରକାରଟିକୁ ପଶୁ ବୋଲି କୁହାଯାଇଛି । ବୀର ଓ ପଶୁ ଏହି ଦୁଇଟିଯାକ ପରିଭାଷିତ ଶବ୍ଦ ଦୁଇଟି ଭିନ୍ନ ଭିନ୍ନ ଦୃଷ୍ଟିର ପ୍ରତୀକ । ସମସ୍ତେ ସମାନ ଦୃଷ୍ଟି ନେଇ ସାଧନାକୁ ମନ କରନ୍ତି ନାହିଁ । ଅନେକ ସମୟରେ ସାଧନା ପଛରେ ଏକ ଅତ୍ୟନ୍ତ ସୀମାସିଦ୍ଧ ମତଲବ ମଧ୍ୟ ରହିଥାଏ । ସମାଜର ଅଧିକାଂଶ ପୂଜା ଓ ଅନୁଷ୍ଠାନ ଏହିଭଳି ନାନା ତାତ୍କାଳିକ ମତଲବଦ୍ଵାରା ପ୍ରେରିତ ହୋଇ କରାଯାଇଥାଏ । ଭାରତୀୟ ତନ୍ତ୍ରସାଧନା ଯେତେବେଳେ ଲୋକାଚାରର ସ୍ତରକୁ ଖସିଆସିଥିଲା, ସମ୍ଭବତଃ ସେତିକିବେଳେ ତାତ୍କାଳିକ ବ୍ୟକ୍ତିଗତ ତଥା ପାରିବାରିକ କୌଣସି ଅଭୀଷ୍ଟସିଦ୍ଧିର ମତଲବ ରଖି ବର୍ତ୍ତମାନ ଆମ ସମାଜରେ ପ୍ରଚଳିତ ଥିବା ପୂଜା, ବ୍ରତ ଓ ପର୍ବଗୁଡ଼ିକର ଭିଆଣ ହୋଇଥିଲା । କେତେକ ଧର୍ମଗବେଷକ କହନ୍ତି ଯେ, ବୈଦିକ ଭାରତରେ ପ୍ରଧାନତଃ ଦେବତାମାନଙ୍କୁ ତୁଷ୍ଟ କରି ସେମାନଙ୍କଠାରୁ କୌଣସି ବର ଲାଭ କରିବା ନିମନ୍ତେ ସେମାନଙ୍କୁ ସ୍ତୋତ୍ର ଏବଂ ପୂଜାଦିଦ୍ଵାରା ଅର୍ଚ୍ଚନା ଏବଂ ଅଭ୍ୟର୍ଥନା କରାଯାଉଥିଲା । ଏକ ପରବର୍ତ୍ତୀ କାଳରେ ଭାରତବର୍ଷରେ ଯେତେବେଳେ ରାଜାମାନେ ବ୍ରାହ୍ମଣମାନଙ୍କୁ ନିଯୁକ୍ତ କରି ଯଜ୍ଞଗୁଡ଼ିକର ଅନୁଷ୍ଠାନ କରାଇଲେ, ସେତେବେଳେ ମଧ୍ୟ ଯଜ୍ଞଧିଷ୍ଠାତା ଦେବତାଙ୍କୁ ପ୍ରସନ୍ନ କରାଇ ତାଙ୍କ ଠାରୁ ନିର୍ଦ୍ଦିଷ୍ଟ ଫଳ ଲାଭ କରିବାହିଁ ସେହିସବୁ ଯଜ୍ଞର ସର୍ବପ୍ରଧାନ ଉତ୍‌ପ୍ରେରକ ହୋଇ ରହିଥିଲା । କେଉଁ ଯଜ୍ଞରୁ କେଉଁ ଫଳ ପ୍ରାପ୍ତ ହେବ ବୋଲି ସେତେବେଳେ ବିଶ୍ଵାସ କରାଯାଉଥିଲା, ସେହି ଅନୁସାରେ ସେଗୁଡ଼ିକର ନାମକରଣ ମଧ୍ୟ ହୋଇ ରହିଥିଲା ।

 

ବୃହଦାରଣ୍ୟକ ଉପନିଷଦରେ ସାଧନା ଓ ଚାରଣାର ପଶୁ-ପ୍ରକରଣଟି ବିଷୟରେ ଆଲୋଚନା କରାଯାଇଛି । ଏକଦା ମାଆଙ୍କୁ ସେହି ପଶୁ-ଦୃଷ୍ଟି ବିଷୟରେ ଜଣେ ଜିଜ୍ଞାସୁ ପ୍ରଶ୍ନ କରିଥିଲେ ଏବଂ ମାଆ ତା’ର ଉତ୍ତର ମଧ୍ୟ ଦେଇଥିଲେ । (ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ (ଇଂରାଜୀ), ୧୧ଶ ଖଣ୍ଡ, ୧୯୮୦, ପୃଷ୍ଠା ୩୭-୩୯) ଏହି ସନ୍ଦର୍ଭରେ ସଂସ୍କୃତର ପଶୁ ଶବ୍ଦକୁ ଇଂରାଜୀରେ ‘cattle’ ବୋଲି ଅନୁବାଦ କରାଯାଇଛି । ମାଆ ସର୍ବପ୍ରଥମେ ଉପସଂହାର କଲାପରି କହିଥିଲେ : “It has been said, ‘Men are cattel for the gods,’ but if men accept to be cattel” . ଯେଉଁ ମଣିଷମାନେ ପଶୁ ହୋଇ ରହିବାକୁ ବାଛି ନିଅନ୍ତି, ସେହିମାନେହିଁ ପଶୁ ହୋଇ ରହିଥାନ୍ତି । ଅର୍ଥାତ୍, ଭାଗ୍ୟର ବରାଦରେ କେହି ଦେବତାମାନଙ୍କ ପାଖରେ ପଶୁ ହୋଇ ରହିବାକୁ ଆଦୌ ବାଧ୍ୟ ହୁଏ ନାହିଁ । ମଣିଷ ସେହିଭଳି ଇଚ୍ଛା କଲେ ସଂସାରରେ ତଥା ସାଧନାରେ ପଶୁ ହୋଇ ରହିଥାଏ । ଅର୍ଥାତ୍ ପଶୁର ଦୃଷ୍ଟିକୋଣଟିକୁହିଁ ଅବଲମ୍ବନ କରିଥାଏ । ହୁଏତ କୁହାଯାଇପାରିବ ଯେ, ତା’ର ଯାବତୀୟ ସିଦ୍ଧି ମଧ୍ୟ ଅନୁରୂପ ଦୃଷ୍ଟିଟିଦ୍ଵାରା ନିରୂପିତ ହୋଇ ରହିଥାଏ, ପଶୁ ବୀର ହେବାକୁ ମନ କରେନାହିଁ । ଗୋଟିଏ ଆୟତନଟିକୁ ମନ କଲେ ଆର ଆୟତନଟିକୁ ଛାଡ଼ି ଆସିବାକୁହିଁ ହୁଏ । ଆମେ ଯେଉଁ ପରିଧି, ଗାର ଅଥବା ମୁଣ୍ଡଳାଟି ଭିତରେ ବିଚରଣ କରିବାକୁ ମନ କରୁ, ଆମକୁ ଜୀବନର ସକଳ ଅନୁଧାବନର କ୍ଷେତ୍ରରେ ସେହି ଅନୁସାରେ ପଶୁ ଅଥବା ବୀର ବୋଲି ଅବଶ୍ୟ ଚିହ୍ନିତ କରି ଦିଆଯାଇପାରେ ।

 

ଯାବତୀୟ ପୂଜାର୍ଚ୍ଚନା, ଉପାସନା ଏବଂ ସାଧନା–ଏଗୁଡ଼ିକୁ ଗୋଟିଏ ଗୋଟିଏ ପ୍ରକାରର ସମ୍ବନ୍ଧସ୍ଥାପନ ବୋଲି ଅବଶ୍ୟ କୁହାଯାଇପାରେ । ଆମେ କୌଣସି ଦେବତାର ପୂଜା କରୁଛୁ । ଅର୍ଥାତ୍ ପୂଜାଦ୍ଵାରା ସେହି ଦେବତାଙ୍କ ସହିତ ଏକ ସମ୍ବନ୍ଧ ସ୍ଥାପନ କରୁଛୁ । ଆମ ସାଧନାରେ ବାଟ ଚାଲି ଆମେ କୌଣସି ଏକ ସ୍ଥାନରେ ପହଞ୍ଚିବାକୁ ଇଚ୍ଛା କରିଛୁ, ଅଥବା ଆମେ ସେହି ସ୍ଥାନଟି ସହିତ ଏକ ସମ୍ବନ୍ଧ ସ୍ଥାପନ କରିବା ଲାଗି ମନ କରୁଛୁ । କୌଣସି ଏକ ଲକ୍ଷ୍ୟର ସାଧନ ଆମ ଭିତରେ ଏକ ଅନୁରାଗ ଜନ୍ମିଛି; ତାହାର ଅର୍ଥ ହେଉଛି ଯେ ଆମେ ଆପଣାର ସେହି ଅନୁରାଗଦ୍ଵାରା ସେହି ଲକ୍ଷ୍ୟଟି ସହିତ ଏକ ସମ୍ବନ୍ଧ ସ୍ଥାପନ କରିବାର ପ୍ରୟାସ କରୁଛୁ । ଜୀବନରେ ଆମେ କିଛି ହେବାକୁ ଇଚ୍ଛା କରୁଛୁ, କୌଣସି ଏକ ସାନ୍ନିଧ୍ୟ ଲାଭ କରିବାର ଏକ ବାସନା ଆମ ଭିତରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି; ଅର୍ଥାତ୍ ସେହି ସାନ୍ନିଧ୍ୟ ସହିତ ଆମେ ଏକ ସମ୍ବନ୍ଧ ସ୍ଥାପନ ଲାଗିହିଁ ବାସନା ରଖୁଛୁ ଓ ସାଧନାଦ୍ଵାରା, ଅଧିକରୁ ଅଧିକ ଅନୁରାଗଦ୍ଵାରା ଆମେ ତାହାର ନିକଟବର୍ତ୍ତୀ ହେବାରେ ଲାଗିଛୁ । ସେହି ସମ୍ବନ୍ଧ-ସ୍ଥାପନା ନିୟମତଃ ଆମ ନିଜର ସ୍ଥିତି ଏବଂ ଅସ୍ପୃହାଗୁଡ଼ିକର ନିରୂପଣ କରି ଦେଉଛି । ବୀର ଓ ପଶୁ,–ଏହି ଉଭୟ ପ୍ରକରର ସାଧନା ଓ ଆକାଂକ୍ଷାରେ ମଧ୍ୟ ସେହିପରି ଦୁଇ ପ୍ରକାରର ସମ୍ବନ୍ଧ ସ୍ଥାପନ ଅବଶ୍ୟ ରହିଛି । ପଶୁର ସାଧନାରେ ସାଧକ ବା ଅନୁରାଗୀ ଯେଉଁ ସମ୍ବନ୍ଧରେ ରଜ୍ଜୁଗୁଡ଼ିକ ମଧ୍ୟରେ ଗୁଡ଼ାଇ ହୋଇ ରହିଥାଏ, ମାଆ ତାହାକୁ ଏକ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ସମ୍ବନ୍ଧ ବୋଲି କହିଛନ୍ତି । କଥାଟିକୁ ଅଧିକ ପ୍ରାଞ୍ଜଳ ଓ ନିର୍ଦ୍ଦିଷ୍ଟ କରିଦେଇ ସିଏ କହିଛନ୍ତି, “ଯେପର୍ଯ୍ୟନ୍ତ ଜଣେ ମଣିଷ ସତେଅବା ତା’ର ଆଖି ଝଲସି ଯାଉଥିବା ପରି ସ୍ତମ୍ଭୀଭୂତ ଓ ଚକିତ ହୋଇ ଛିଡ଼ା ହୋଇଥାଏ, ଯେତେବେଳେ ପର୍ଯ୍ୟନ୍ତ ସେ ଦିବ୍ୟ ସତ୍ତାମାନଙ୍କର ସାମର୍ଥ୍ୟ, ସୌନ୍ଦର୍ଯ୍ୟ ଏବଂ ଅଦ୍ଭୁତ କରାମତିଗୁଡ଼ିକର ଶ୍ଳାଘା ଓ ବନ୍ଦନା ମଧ୍ୟରେ ନିଜକୁ ହଜାଇ ଦେଇଥାଏ, ସେତେବେଳ ପର୍ଯ୍ୟନ୍ତ ସିଏ ସେମାନଙ୍କର ଦାସ (slave) ହୋଇ ରହିଥାଏ ।” ମାତ୍ର, ମାଆ ସାଧନାର ତଥା ସମ୍ବନ୍ଧର ସେହି ଅନ୍ୟ ସମ୍ଭାବନାଟିକୁ ମଧ୍ୟ ସୂଚିତ କରିଦେଇ କହିଛନ୍ତି, “ଏହି ଦେବସତ୍ତାମାନେ ଯେତେବେଳେ ଉପାସକର ଆଖିକୁ ସେହି ଏକ ସର୍ବୋଚ୍ଚର ଏକ ଭିନ୍ନ ଭିନ୍ନ ସତ୍ତାଗତ ରୂପାକୃତି ବୋଲି ଦୃଷ୍ଟିଗୋଚର, ହେବାକୁ ଆରମ୍ଭ କରନ୍ତି,–କେବଳ ଏତିକି ବ୍ୟତୀତ ଆଉ ଅଧିକା କିଛି ପରି ଆଦୌ ଦୃଷ୍ଟିଗୋଚର ହୁଅନ୍ତି ନାହିଁ, ଏବଂ, ଯେତେବେଳେ ସିଏ ନିଜେ ମଧ୍ୟ ସେହି ସର୍ବୋଚ୍ଚ ପରମସତ୍ତାଙ୍କର ତଥାପି ଆଉ ଏକ ସତ୍ତାଗତ ସମ୍ଭାବ୍ୟ ପରିଣତି ବୋଲି ଅନୁଭବ କରିବାକୁ ଲାଗେ ଏବଂ ତାକୁ ପ୍ରକୃତରେ ତାହାହିଁ ହେବାକୁ ହେବ ଯେତେବେଳେ ତା’ ଆଗରେ ଅତ୍ୟନ୍ତ ସ୍ପଷ୍ଟ ହୋଇଯାଏ, ସିଏ ଆଉ ତା’ପରେ ଆଦୌ ସେମାନଙ୍କର ଦାସ ବା ପରିକର ହୋଇ ରହେ ନାହିଁ । ଆଦୌ ସେହି ଦେବସତ୍ତାମାନଙ୍କର ଦାସ ହୋଇ ରହେ ନାହିଁ ।”

 

ଆରାଧନା ଓ ଅନୁରାଗର ବୃତ୍ତିଟିକୁ ପଶୁର ସ୍ତରରୁ ବୀରର ସ୍ତରକୁ ଉତ୍ତୋଳିତ କରିନେବାର ଏକ ନିର୍ଦ୍ଦିଷ୍ଟ ସୂଚନା ମାଆଙ୍କର ଉପରଲିଖିତ ବାକ୍ୟଗୁଡ଼ିକରେ ନିହିତ ହୋଇ ରହିଛି-। ଧର୍ମ ଓ ଉପାସନାର ଆଦିପ୍ରରୂପଗୁଡ଼ିକ ବିଷୟରେ ଗବେଷଣା କରିଥିବା କେତେକ ଇତିହାସରେ କହିଛନ୍ତି ଯେ ମୂଳତଃ ଭୟରୁ, ଅସହାୟତା–ବୋଧରୁହିଁ ଆମ ସଂସାରରେ ପ୍ରାୟ ସକଳ ପୂଜା ଓ ତୁଷ୍ଟିବିଧାନର ଉଦ୍ଭାବନ କରାଯାଇଥିଲା । ନିର୍ବଳ ମଣିଷ ବଳର ଯେଉଁ ଆଦର୍ଶ କଳ୍ପନା କରେ, ଅଳ୍ପବଳ ଅସହାୟ ମଣିଷ ସହାୟର ଯେଉଁ ଆଦର୍ଶକଳ୍ପନା କରିଥାଏ, ନାନାବିଧି ବିଘ୍ନଦ୍ଵାରା ସନ୍ତାପିତ ହେବାରେ ଲାଗିଥିବା ଅଳ୍ପସମ୍ବଳ ମଣିଷ ଏଯ ଭାବପ୍ରବଣ ଓ ଆକୁଳ ସମାଧାନର ଅନ୍ଵେଷଣ କରୁ କରୁ ଯେଉଁ ବିଘ୍ନେଶଙ୍କର ଆବିଷ୍କାର କରେ ଓ ତାହାଙ୍କୁହିଁ ଗଣାନାଂ ପତିଃ ବୋଲି ଘୋଷଣା କରେ, ଆମ ମନୁଷ୍ୟପୃଥ୍ଵୀର ଧର୍ମସଂସ୍କୃତିରେ ତାହାହିଁ ଆମ ଜୀବନ ଭିତରକୁ ଏକ କ୍ରମବିବର୍ତ୍ତନ ଧାରାରେ ନାନାବିଧ ପୂଜାର ଅବତାରଣା କରାଇ ଆଣିଥିଲା । ସେହି ପୂଜା କାଳକ୍ରମେ ବିଧିବହୁଳ ହେଲା, ଅଧିକ ଗ୍ରନ୍ଥିଳ ଓ ଜଟିଳ ହେଲା । ବିଭିନ୍ନ ଦେବତା ଓ ବିଭିନ୍ନ ଅବସର ଅନୁସାରେ ବିଭିନ୍ନ ପୂଜାର ବିଧାନ କରାଗଲା । ସେଥିରୁ ମନ୍ତ୍ର ବାହାରିଲା, ଶାସ୍ତ୍ର ବାହାରିଲା, ସ୍ତୋତ୍ର ବାହାରିଲା ଓ ସ୍ତବମାନ ଲେଖାଗଲା । ମନ୍ତ୍ରଗୁଡ଼ିକର ଥାପନା କରାଯାଇ ଯନ୍ତ୍ର ବାହାରିଲା, ଯନ୍ତ୍ରକୁ ଏକ ସୁଶୋଭନ କଳାତ୍ମକରୂପ ଦେବାର ପ୍ରୟାସରେ ମଣ୍ଡଳଗୁଡ଼ିକରବି ଭିଆଣ ହେଲା ଯେଉଁମାନେ ଏହି ନ୍ୟାସ ଓ ଉପନ୍ୟାସଗୁଡ଼ିକୁ ରଚୁଥିଲେ, ସେମାନେ ଅଧସ୍ତନ ହୋଇ ସତେଅବା ତଳେ ଠିଆ ହୋଇ ଉପରେ ଅନେକ ଉପରେ, ଅନେକ ଦୂରରେ ଅବସ୍ଥିତି ଦେବତାମାନଙ୍କର ଉଦ୍ଦେଶ୍ୟରେ ଏହିସବୁ ରଚନା କରୁଥିଲେ ଓ ଅପହଞ୍ଚମାନଙ୍କୁ ପହଞ୍ଚ ବୋଲି ଅନୁଭବ କରିବା ଲାଗି ଚେଷ୍ଟା କରୁଥିଲେ । ଏବଂ, ଆଉଥରେ ମାଆଙ୍କର ସେହି କଥାଟିର ଉଦ୍ଧାର କରି କହିଲେ, ସେମାନେ ଆପଣାକୁ ପଶୁ ବୋଲି ସ୍ଵୀକାର କରି ନେଉଥିଲେ ବୋଲି ପଶୁ ହେଉଥିଲେ । ନିଜ ଭିତରେ ମଧ୍ୟ ଦେବତ୍ଵ ରହିଛି ବୋଲି କଦାପି ଅନୁଭବ କରିପାରୁ ନଥିଲେ । ନିଜକୁ ଅତ୍ୟନ୍ତ ଆର୍ତ୍ତ ବୋଲି ମନେ କଲେ, ଅର୍ଥାତ୍ ଆପଣା ମଧ୍ୟରେ ଦେବତ୍ଵର ଅନୁଭବ କରି ନପାରିଲେ ଏବଂ ସକଳ କ୍ଷେତ୍ରରେହିଁ ଦେବତ୍ଵକୁ ନିଜର ବାହାରେ ଅନୁଭବ କରିବାକୁ ଲାଗିଥିଲେ ଓ ବାହାରେ ଥିବା ସେହି ଦେବତ୍ଵ ପାଖକୁ କିଞ୍ଚିତ୍ ଅନୁଗ୍ରହ ଭିକ୍ଷା କରି ତାହାରି ବଳରେହିଁ ପୃଥିବୀରେ ରହିଥିବା ଅନ୍ୟ ଆର୍ତ୍ତମାନଙ୍କଠାରୁ ହୁଏତ ସାମୟିକ ଭାବରେ କିଞ୍ଚିତ୍ ଅଧିକ ଶକ୍ତିର ଅଧିକାରୀ ହେବାର ଆଣ୍ଟ ରଖୁଥିଲେ ମନୁଷ୍ୟ ନିଜକୁ ଯାବତୀୟ ସମ୍ବନ୍ଧ କ୍ଷେତ୍ରରେ ଆପଣାର ପୂର୍ଣ୍ଣ ସମ୍ମତି ସହିତ ସତେଅବା ଏକ ପଶୁ କରିହିଁ ରଖିଥାଏ । ବର୍ତ୍ତମାନ ମଧ୍ୟ ସେହିପରି ପଶୁ ସଂସାରରେ ରହିଛନ୍ତି; ପୂଜା, ଉପାସନା, ମନ୍ତ୍ର ଓ ମାଜଣାର ନାନା ଆଡ଼ମ୍ବର ଅନେକ ପରସ୍ତ ହୋଇ ରହିଛି ଓ ସଂସାରର ଧର୍ମୀୟ ଜୀବନକୁ କେଡ଼େ ଛବିଳ କରି ରଖିଛି । ତଥାପି ସତ୍ୟ ସହିତ, ଜ୍ୟୋତି ସହିତ ଏବଂ ପରମ ସନ୍ନିଧିଟି ସହିତ ରହିଥିବା ସମ୍ବନ୍ଧ ସତେଅବା ସେହି ପଶୁର ସମ୍ବନ୍ଧ ହୋଇ ରହିଛି । ମଣିଷ ନିଜ ଭିତରେ ସେହି ସତ୍ୟକୁ, ଜ୍ୟୋତିକୁ ସନ୍ନିଧିକୁ ଅନୁଭବ କରୁ ନାହିଁ, ତେଣୁ ଦୂରରେ ଛିଡ଼ା ହୋଇ ରହିଛି । କେବଳ ମାଗିବାରେ ଲାଗିଛି, ଦେବାର ଯୋଗ୍ୟ ହୋଇ ପାରୁନାହିଁ ।

 

ସେହି ଦେବତା ଓ ଦେବସତ୍ତାମାନଙ୍କର ବିଷୟରେ ମାଆ ଆଉ ଗୋଟିଏ ପ୍ରସଙ୍ଗ ଯାହା ଉଲ୍ଲେଖ କରିଛନ୍ତି, ଆମେ ଇଚ୍ଛା କଲେ ଆମର ଅସଲ ପରିଚୟ ଏବଂ ଆମର ଅସଲ ସମ୍ବନ୍ଧଗୁଡ଼ିକୁ ଜାଣିବାର କ୍ଷେତ୍ରରେ ସେଥିରୁ ଆମକୁ କେତେ ପ୍ରେରଣା ମିଳି ପାରିବ, ଆମ ନିକ ଭିତରକୁ ଆମର କେତେ ଦ୍ଵାର ଖୋଲିଯାଇ ପାରିବ । ଏବଂ, ନିଜ ଭିତରକୁ ଅସଲ ଦ୍ଵାରଗୁଡ଼ିକ ଖୋଲିଯାଇ ପାରିଲେ, ଆମେ ତାହାରିଫଳରେ ଯେଉଁ ସୂତ୍ରଗୁଡ଼ିକର ସନ୍ଧାନ ପାଇବା, ତାହା ତଥାକଥିତ ଏହି ବାହାର ପୃଥିବୀଟି ସହିତ ମଧ୍ୟ ଆମକୁ ନାନା ଯଥାର୍ଥ ସମ୍ବନ୍ଧରେ ଯୋଡ଼ିହୋଇ ଜୀବନ ବଞ୍ଚିବାର ରହସ୍ୟଟିକୁ ବତାଇଦେଇ ପାରିବ । ମାଆ କହିଛନ୍ତି (ମାତୃରଚନାବଳୀ (ଇଂରାଜୀ) ୧୫ଶ ଖଣ୍ଡ, ୧୯୮୦, ପୃଷ୍ଠା-୩୮୦); “ମନୁଷ୍ୟ ଭିତରେ ପ୍ରେମ ତଥା ଆତ୍ମଦାନରେ ଯେଉଁ ସାମର୍ଥ୍ୟ ରହିଛି, ତାହାରି ବଳରେ ସିଏ ଦେବତାମାନଙ୍କର ସମତୁଲ ଏକ ଶକ୍ତି ଲାଗି ଅବଶ୍ୟ ସମର୍ଥ ହୋଇ ପାରିବ; ଏପରିକି, ସେମାନଙ୍କର ଶକ୍ତିଠାରୁ ଆହୁରି ଅଧିକ ଶକ୍ତିର ମଧ୍ୟ ଭାଜନ ହୋଇ ପାରିବ ।” ଏଥିଲାଗି ଗୋଟାଏ ସର୍ତ୍ତ ରହିଛି ବୋଲି ମାଆ ସୂଚାଇ ଦେଇଛନ୍ତି । ସେହି ସର୍ତ୍ତଟି ହେଉଛି, ମଣିଷ ଅହଂକୁ ଛାଡ଼ିବ, ନିଜର ଅହଂକୁ ନେଇ ସେ ଯଥାର୍ଥ ଥାନରେ ସମର୍ପଣ କରି ଦେଇଥିବ । ତା’ପରେ ଯାଇ ଯିଏ ସେକଥା ହୋଇପାରିବ । କଥାଟିକୁ ଅଧିକ ସ୍ପଷ୍ଟ କରିବା ସକାଶେ ଆମ ହାତରେ ଆମର ଅସଲ ଚାବିଟିକୁ ଆଣି ଧରାଇଦେବା ସକାଶେ ମାଆ ଆହୁରି କହିଛନ୍ତି, “ଯଦି ମନୁଷ୍ୟ ସେହି ଆବଶ୍ୟକ ସର୍ତ୍ତଟିର ପୂରଣ କରିପାରିବ, ତେବେ ଦେବତାମାନେ ସର୍ବୋଚ୍ଚ ପରମକର୍ତ୍ତାଙ୍କର ଯେତିକି ନିକଟବର୍ତ୍ତୀ ହୋଇ ରହିଛନ୍ତି, ସିଏ ତା’ଠାରୁ ଅଧିକ ନିକଟବର୍ତ୍ତୀ ହୋଇପାରିବ । ସିଏ ପ୍ରକୃତରେ ଆହୁରି ଅଧିକ ନିକଟ ଯାଏଁ ଯାଇପାରିବ । ସିଏ ଯେ ମନକୁମନ ସେଭଳି ହୋଇଯିବ, ସେ କଥା ଆଦୌ ନୁହେଁ । ମାତ୍ର, ସେପରି ହୋଇ ପାରିବାର ସାମର୍ଥ୍ୟ ମନୁଷ୍ୟ ଭିତରେ ଅବଶ୍ୟ ରହିଛି, ଅନ୍ତର୍ନିହିତ ହୋଇ ରହିଛି ।”

 

ପୁନଶ୍ଚ, “ଯଦି ମନୁଷ୍ୟର ପ୍ରେମ ଅବିମିଶ୍ରିତ ଭାବରେ ଆପଣାକୁ ବ୍ୟକ୍ତ କରିପାରୁଥାନ୍ତା, ତେବେ ତାହା ସର୍ବଶକ୍ତିଶାଳୀ ହୋଇ ପାରନ୍ତା । ମାତ୍ର, ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ, ମନୁଷ୍ୟ-ଜୀବନର ଯାବତୀୟ ପ୍ରେମପ୍ରସଙ୍ଗରେ ମଣିଷ ପ୍ରେମାସ୍ପଦ ଜଣେ ଅନ୍ୟକୁ ଯେତିକି ଭଲ ପାଉଛି, ଏଣେ ତୁଚ୍ଛ ନିଜଟାକୁ ମଧ୍ୟ ଠିକ୍ ସେତିକି ପରିଣାମରେ ଭଲ ପାଉଛି; ତାହା ଆଦୌ ଏପରି ଏକ ପ୍ରେମରେ ପରିଣତ ହୋଇପାରୁ ନାହିଁ, ଯାହାଦ୍ୱାରା କି ଆପଣାକୁ, ନିଜଟାକୁ ପ୍ରକୃତରେ ସମ୍ପୂର୍ଣ୍ଣ ଭାବରେ ଭୁଲି ହୋଇଯାଇ ପାରିବ ।” (ତତ୍ରୈବ) ସେହି ବୃହଦାରଣ୍ୟକ ଉପନିଷଦର ଯାଜ୍ଞବଳ୍‍କ୍ୟ ଓ ମୈତ୍ରେୟୀଙ୍କର ଉପାଖ୍ୟାନରେ ରହିଛି ଯେ, ମଣିଷ ପୁତ୍ରପାଇଁ ପୁତ୍ରକୁ ଭଲପାଏ ନାହିଁ, ସିଏ ନିଜପାଇଁହିଁ ପୁତ୍ରକୁ ଭଲପାଏ; ପତିପାଇଁ ଭଲ ପାଏ ନାହିଁ, ମାତ୍ର ନିଜପାଇଁହିଁ ପତିକୁ ଭଲପାଏ; ଇତ୍ୟାଦି, ଇତ୍ୟାଦି । କଥାଟିକୁ ଆହୁରି ଅଧିକ କ୍ଷେତ୍ରକୁ ପ୍ରସାରିତ କରିନେଇ ଆମେ ଅବଶ୍ୟ କହିପାରିବା ଯେ, ମନୁଷ୍ୟ ଉପସ୍ଥିତ ସଂସାରରେ କୌଣସି ଗୋଟାଏ ବସ୍ତୁକୁ ମଧ୍ୟ ସେହି ବସ୍ତୁଟି ସକାଶେ ଭଲ ପାଉନାହିଁ, ନିଜପାଇଁହିଁ ସିଏ ସେଗୁଡ଼ିକୁ ଭଲ ପାଉଛି । ଏପରିକି ସିଏ ଈଶ୍ଵରଙ୍କୁ ମଧ୍ୟ ଈଶ୍ଵରଙ୍କ ସକାଶେ ଭଲ ପାଉନାହିଁ, ଆପଣା ସକାଶେହିଁ ଈଶ୍ଵରଙ୍କୁ ଭଲ ପାଉଛି । ସିଏ ନିଜେ କେନ୍ଦ୍ରରେ ରହିଛି, ସେହି କେନ୍ଦ୍ରରେ ଆଉ କାହାକୁ ହେଲେ ଥାନ ଦେବାପାଇଁ ଆଦୌ ମନ କରୁନାହିଁ-। ତେଣୁ, କେବଳ ଆତ୍ମସାତ କରିବାକୁ ଚାହୁଁଛି, କେବଳ ଗିଳି ପକାଇବାକୁହିଁ ଇଚ୍ଛା କରୁଛି-। ସିଏ ଆପେ ମୋଟା ଦିଶିଲେ ଯାଇ ସମସ୍ତ ଜଗତ ମୋଟା ହୋଇଗଲା ବୋଲି ଅନୁଭବ କରିପାରୁଛି, ଆପେ ସବାଆଗ ଉଚ୍ଚଥାନଟିରେ ବସିଗଲେ ଯାଇ ତାହାରିଦ୍ଵାରାହିଁ ବିଶ୍ଵର ସର୍ବୋତ୍କୃଷ୍ଟ ବ୍ୟବସ୍ଥା ହୋଇଗଲା ବୋଲି ଅନୁଭବ କରୁଛି । ନିଜ ଭିତରେ ନିଜକୁ ଅତ୍ୟନ୍ତ ଦୀନ ଓ ଅତ୍ୟନ୍ତ ଅଳପ ବୋଲି ଅନୁଭବ କରୁଥିବା ମଣିଷ ଏହିପରି କରିବାକୁହିଁ ପ୍ରାୟ ଏକ ଧର୍ମ ବୋଲି ଗ୍ରହଣ କରି ନେଇଥାଏ । ଏହି ସଂସାରକୁ ସିଏ ସତେଅବା କେଡ଼େ ସାନ ସଂସାରଟିଏ ବୋଲି ମନେ କରୁଥାଏ, ଯେଉଁଠାରେ କି କେବଳ ଜଣେ ମଣିଷ ଲାଗିହିଁ ଜାଗା ରହିଛି, କେବଳ ତାହାରିପାଇଁ ଜାଗା ରହିଛି ଏବଂ ତେଣୁ ଅନ୍ୟମାନଙ୍କୁ ଜାଗା ଛାଡ଼ିଦେବାମାତ୍ରକେହିଁ ସିଏ ସ୍ଵୟଂ ସ୍ଥାନଚ୍ୟୁତ ହୋଇ ପଡ଼ିବାର ସତତ ଭୟ ମଧ୍ୟ ରହିଛି ।

 

ଅହଂ ବୀରର ରୀତି ନୁହେଁ; ସେହି ଉପନିଷଦର ବ୍ୟଞ୍ଜନା ଅନୁସାରେ ତାହାକୁ ଅନେକ ପରିମାଣରେ ପଶୁର ରୀତି ବୋଲି କୁହାଯାଇପାରିବ । ଆମର ସଂସାରରେ ଅନେକ ଧାର୍ମିକତା, ଅନେକ ଉଦାରତା ଓ ଅନେକ ଶୁଦ୍ଧତା ଏବେ ମଧ୍ୟ ସେହି ପଶୁରୀତିର ନାନା ପରିଶୋଧିତ ସଂସ୍କରଣ ହୋଇ ରହିଛି । ଆମେ ଦୂରରେ ଛିଡ଼ା ହୋଇ ରହିଛୁ, ଧର୍ମ–ଆଚରଣର ନାନା କସରତ କରିବାରେ ଲାଗିଛୁ, ସଂସାରକୁ ଶୁଦ୍ଧ କରିବାର ନାନା ଉଗ୍ରନୈତିକତାର ଜ୍ଵରଗୁଡ଼ାକୁହିଁ ଯଥାର୍ଥ ଉତ୍ସାହ ବୋଲି ଭ୍ରମ କରୁଛୁ । ଏବଂ, ସତକୁସତ ଭଲ ପାଇବା ଲାଗି ଅସମର୍ଥ ହୋଇ ରହିଛୁ । ନିଜ ଭିତରେ କେଉଁଠି କେଉଁ ପାଷଣ୍ଡ ସହିତ ଆମକୁ ସତେଅବା ବାଧ୍ୟ ହୋଇ ଏକାଠି ଘର କରି ରହିବାକୁ ପଡ଼ୁଛି କେଜାଣି, ଆମେ ପ୍ରତ୍ୟେକ ମଣିଷଙ୍କ ଭିତରେ କେବଳ ପାଷଣ୍ଡଟାକୁହିଁ ଦେଖୁଛୁ,–ଏହି ପାଷଣ୍ଡମାନଙ୍କର ଉତ୍ପାଟନ ନ ହେବା ପର୍ଯ୍ୟନ୍ତ ସଂସାରରେ ଆଦୌ କିଛି ସମ୍ଭବ ହେବ ନାହିଁ ବୋଲି କହିବାରେ ଲାଗିଛୁ । ନିଜ ଭିତରୁ ସେହି ପାଷଣ୍ଡଟି ବିଦା ହୋଇ ନଯିବା ଯାଏଁ ସଂସାର ଭିତରେ ମଧ୍ୟ ଆମଲାଗି ପାଷଣ୍ଡମାନେ ଅବଶ୍ୟ ରହିଥିବେ,–ତେଣୁ ଏହି ସଂସାର କେବେହେଲେ ବଦଳିବ ନାହିଁ ବୋଲି ଏକ ମୂଳଭୂତ ଅବିଶ୍ଵାସ ମଧ୍ୟ ଆମକୁ କେଡ଼େ ସ୍ନେହରେ କାମୁଡ଼ି ଧରିଛି । ସେହି ଅବିଶ୍ଵାସ ଆମକୁ ବେଳେବେଳେ ଏପରି ଅନମନୀୟ କରିପକାଉଛି ଯେ, ଆମେ ସେତେବେଳେ ନିଜର ଅହଂଟିକୁହିଁ ଯେକୌଣସି ପ୍ରକାରେ ସାଇତି ବଞ୍ଚାଇ ରଖିବାକୁହିଁ ଯାବତୀୟ ଯତ୍ନ କରିବାରେ ଲାଗିଛୁ । ହୁଏତ ସେଇଥିଲାଗି ଧର୍ମ କରୁଛୁ, ଭଲକାମ କରୁଛୁ, ଯଶଅର୍ଜନ କରୁଛୁ ଏବଂ ପଶୁ ହୋଇ ରହିଛୁ; ଆମ ଭିତରେ ରହିଥିବା ଅଳପଗୁଡ଼ାକୁ କେଡ଼େ ସନ୍ତର୍ପଣ ସହିତ ବଡ଼ ବୁଜୁଳାଟିଏ କରି ବାନ୍ଧି ରଖିଛୁ । ଆମ ତଥାକଥିତ ସଂସାରରେ ହୁଏତ ଅଧିକାଂଶ ମଣିଷ ଠିକ୍ ଆମ ପରି ନିଜ ନିଜର ବୁଜୁଳାଟିକୁ ସବା ଆଗରେ ଧରି ବାଟ ଚାଲୁଥିବା ପରି ଦେଖା ଯାଉଛନ୍ତି । ତେଣୁ ସେହିମାନଙ୍କଠାରୁ ଆମକୁ ଅତ୍ୟନ୍ତ ସହଜରେ ଏକ ସ୍ଵୀକୃତି ମିଳିଯାଉଛି ।

 

ଭଲ ପାଇବାର ଅର୍ଥ ହେଉଛି ଆପଣାକୁ ଦେବା; ମୁଇଁ ଏହି ଯାବତୀୟ ବିଚରଣ-ଜାଲର ଅସଲ କେନ୍ଦ୍ର ଯେ ନୁହେଁ, ସେହି ସତ୍ୟଟିକୁ ପ୍ରକୃତରେ ସ୍ଵୀକାର କରିନେଇ ସେହି ଅନୁସାରେ ଜୀବନ ବଞ୍ଚିବା । କେନ୍ଦ୍ର ଯେ ମୋ’ ଠାରୁ ବାହାରେ, ସେ କଥା ମଧ୍ୟ ଠିକ୍ ନୁହେଁ । ଆହୁରି ଯଥାର୍ଥ ଭାବରେ ଜାଣିଲେ ଏହି କେନ୍ଦ୍ର ହେଉଛି ଏକ ସୂତ୍ର ଯାହାକି ଆମର ଦୃଶ୍ୟ ତଥା ଅଦୃଶ୍ୟ ଯାବତୀୟ ଅବସରରେ ଆମକୁ ପରସ୍ପର ସହିତ ଏକତ୍ର ସଂଯୁକ୍ତି କରି ରଖିଛି । ଯେତେବେଳେ ମୁଁ ନିଜେ ପକାଇ ରଖିଥିବା ନାନା ବାଡ଼ ଏବଂ ନାନା ଭୟାଳୁତା ମଧ୍ୟରେ ଆପଣାକୁ ବାନ୍ଧି ରଖୁଛି, ସେତିକିବେଳେ ମୋ’ ଭିତରେ ମୋର ଅହଂଟାହିଁ ରାଜା ହୋଇ ବସିବ ବୋଲି ମାଡ଼ିଆସୁଛି ଓ ମୋ’ର ଅସଲ ସଂଜ୍ଞାଟିକୁ ଗିଳିପକାଉଛି । ଅସଲ ସଂଜ୍ଞାଟି ସହିତ ଡୋର ଛିଣ୍ଡି ଯିବାକୁହିଁ ତୈତ୍ତିରୀୟ ଉପନିଷଦର ସକଳ ଭୟର ହେତୁ ବୋଲି କୁହାଯାଇଛି । ଅହଂପୀଡ଼ିତ ଜୀବନ, ନିଜର ଅହଂକୁ ସତେଅବା ଗୋଟାଏ ଏଡେବଡ଼ ଆଁରେ ପରିଣତ କରି ନିଜକୁ ତାହାରିଦ୍ଵାରା ଗିଳି ହୋଇ ରହିବାକୁହିଁ ବାଟ ଛାଡ଼ି ଦେଉଥିବାର ଜୀବନ,–ତାହାହିଁ ଭୟାକୁଳ ଜୀବନ, ଭୟପ୍ରେରିତ ଜୀବନ,–ଭୟସର୍ବସ୍ଵ ଜୀବନ । ଏହି ଭୟସର୍ବସ୍ଵ ଜୀବନ ହେଉଛି ପଶୁର ଜୀବନ । ବୀର ଆପଣା ଭିତରେ କୌଣସି ବାଡ଼ ରଖେ ନାହିଁ । ବୀର ଅସଲ ସୂତ୍ରଟି ସତତ ଅନୁଭବ କରୁଥାଏ ବୋଲି ପ୍ରକୃତରେ ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥାଏ । ନିକଟବର୍ତ୍ତୀ ହୋଇ ରହିଥିବା ମଣିଷ ଆଦୌ କିଛି ମାଗେ ନାହିଁ, ନିକଟବର୍ତ୍ତୀ ହୋଇ ରହିବାକୁହିଁ ପରମେଶ୍ଵରଙ୍କର ଅସଲ କରୁଣା ବୋଲି ଅନୁଭବ କରୁଥାଏ । ପଶୁମାନେ ପୁଣ୍ୟର ଫଳ ପାଇବେ ବୋଲି ପୁଣ୍ୟକାର୍ଯ୍ୟ କରୁଥାନ୍ତି; ବୀରର ସେସବୁ ଲାଗି ଆଦୌ କୌଣସି ଆବଶ୍ୟକତା ନଥାଏ । ଏକାବେଳେକେ ଓ ସର୍ବକ୍ଷଣରେ ଛୁଇଁକରି ରହିବାକୁହିଁ ସିଏ ସକଳ ପୁଣ୍ୟର କାରଣ ବୋଲି ଗ୍ରହଣ କରି ନେଇଥାଏ ।

 

ପଶୁ ମାଗେ, ଦୂରରେ ଛିଡ଼ା ହୋଇ ମାଗୁଥାଏ; ବୀର ତାଙ୍କରି କାର୍ଯ୍ୟରେ ସହଯୋଗ କରି ବାହାରିଥାଏ । ସହଯୋଗ କରିବାକୁହିଁ ସାକ୍ଷାତ ଜୀବନ ବୋଲି କହେ । ଯାହାଙ୍କ ସହିତ ସିଏ ସହଯୋଗ କରି ବାହାରିଛି, କେଡ଼େ ପ୍ରତ୍ୟକ୍ଷ ଭାବରେ ସେଇ ତା’ ଭିତରେ ରହି ତାକୁ ବାଟ ବତାଇ ଦେଉଥାନ୍ତି, ତା’ ଭିତରେ ବଳ ଭରିଦିଅନ୍ତି, ତା’ ଭିତରେ ଖୁସି ଭରି ଦେବାରେ ଲାଗିଥାନ୍ତି । ଯାହାର ଝରକାଗୁଡ଼ିକ ତାଙ୍କରି ଖୁସି ଲାଗି ଅନାୟାସରେ ଖୋଲା ହୋଇ ରହିଥାଏ, ତା’ର ଅଭାବ ବୋଲି କିଛି ନଥାଏ, ଦୀନତା ବୋଲି ଆଦୌ କିଛି ନଥାଏ । ବୀର, ଅର୍ଥାତ୍ ତାହାରି ବଳରେ ବୀର; ପଶୁ ଅର୍ଥାତ୍ ତାଙ୍କଠାରୁ ଦୂରରେ ଛିଡ଼ା ହୋଇ, ପାଖକୁ ଯିବା ଲାଗି ସାହସ ନକରି, ତାଙ୍କଠାରୁ କିଛି ଲାଭ କରିବ ବୋଲି ତାଙ୍କ ଲାଗି କିଛି ବିଶେଷ ଉପଚାର ବାଢ଼ିବାର ବଣିଜ କରିବାରେ ଲାଗିଥିବା ପଶୁ । ପଶୁ, ଅର୍ଥାତ୍ ଅସଲ ସୂତ୍ରଟି ଜଳଜଳ ଦିଶୁଥିଲେ ମଧ୍ୟ ତାକୁ ସେ ହରାଇ ବସିଛି ବୋଲି ଆର୍ତ୍ତନାଦ କରୁଥିବା ମଣିଷ । ସେହି ସୂତ୍ରଟିକୁ ପାଇଗଲେ ପଶୁ ମଧ୍ୟ ବୀରରେ ପରିଣତ ହେବ । ପାଖକୁ ଆସିପାରିବ ।

 

ଫେବୃୟାରୀ ୨୧, ୧୯୮୬

Image

 

ଭୀମଗର୍ତ୍ତ ଓ ଭୟ

 

ଠିକ୍ ଊଣେଇଶବର୍ଷ ତଳେ ୧୯୬୭ ମସିହା ନୂତନ ବର୍ଷାରମ୍ଭର ଅବସରରେ ମାଆ ସମ୍ପୃକ୍ତ ସମସ୍ତଙ୍କ ଲାଗି ଯେଉଁ ସନ୍ଦେଶଟି ଦେଇଥିଲେ, ଆମେ ଅଧିକାଂଶ ହୁଏତ ତାହାକୁ ଆମଦ୍ଵାରା ସଂଗୃହୀତ ଆହୁରି ଅନେକ ବାଣୀ ଭିତରେ ଆମ ପେଟରା ଭିତରେ ନେଇ ରଖି ଦେଇଥିବା । ସଂଗ୍ରହ କରି ରଖିବାକୁହିଁ ସବୁଠାରୁ ବଡ଼ ସାର ପରି ଜ୍ଞାନ କରୁଥିବା ମଣିଷ ହୁଏତ ଆଖିଟିଏ ପାଇଲେ ମଧ୍ୟ ତାକୁ ନେଇ ସେଇ କୋଥଳି ବା କରାଟ ଭିତରେ ରଖିଦିଏ । ଆମେ ଦେଖିବାକୁ ମନ କରିବା ବୋଲି ଆମକୁ ବେଳେବେଳେ ଆଖିଟିଏ ମିଳିଥାଏ । ଆମେ ଇଚ୍ଛା କଲେ ଯାଇ ବାଣୀମାନେ ଆମ ଲାଗି ସତକୁସତ ଗୋଟିଏ ଗୋଟିଏ ଆଖିପରିହିଁ କାର୍ଯ୍ୟ କରିଥାନ୍ତି । ମାଆଙ୍କର ପ୍ରତ୍ୟେକ ବାଣୀ ତତ୍‍କାଳୀନ ଏକ ନିର୍ଦ୍ଦିଷ୍ଟ ଅବସରର ଅନୁରୂପ ହୋଇହିଁ ପ୍ରଦତ୍ତ ହୋଇଥାଏ । ଏକ ସୁନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ଲାଗି ତଥା ଏକ ତତ୍‍କାଳୀନ ପ୍ରଶ୍ନ ମଧ୍ୟରୁ ଆଗକୁ ବାଟ ବତାଇ ଦେବାପାଇଁ ତାହା ଅଭିପ୍ରେତ ହୋଇ ରହିଥାଏ । ଆମେ ଯେଉଁମାନେ ତାଙ୍କୁ ଆଖି ଆଗରେ ଥାପି ଏହି ପୃଥିବୀରେ ଆପଣାର ଏକାନ୍ତ ବ୍ୟକ୍ତିଗତ ଜୀବନର କ୍ଷୁଦ୍ର ପରିଧିଟିର ବାହାରକୁ ବାହାରି କିଛି ନା କିଛି କରୁଛୁ, ତାଙ୍କର ବାଣୀ ଆମକୁ ନିଜ ଭିତରକୁ ଉପଯୁକ୍ତ ସୁରାକଟିଏ ଯୋଗାଇ ଦେବା ଲାଗି ଅଭିପ୍ରେରିତ ହୋଇ ରହିଥାଏ । ଯଥାର୍ଥରେ ନିବିଡ଼ ହୋଇ, ଗ୍ରହଣଶୀଳ ହୋଇ ଶ୍ରବଣ କରିପାରିଲେ, ସେହି ବାଣୀ ଭିତରେ ଖାସ୍ ମୋ’ରିପାଇଁ ଏକ ବିଶେଷ ନିର୍ଦ୍ଦେଶ ଯେ ରହିଛି, ଆମ ଜଣ ଜଣଙ୍କର ଜୀବନର ଏହିପରି ଏକ ଅନୁଭବ ମଧ୍ୟ ଅବଶ୍ୟ ସମ୍ଭବ ହୋଇପାରେ ।

 

ଉଲ୍ଲିଖିତ ନବବର୍ଷଟିର ଅବସରରେ ମାଆ ଏକ ନିର୍ବାଚନ କରିନେବାର କଥା କହିଥିଲେ । ଦେଶ ଓ ମହାଦେଶମାନଙ୍କରେ ବାସ କରୁଥିବା ଓ ବାଟ ଖୋଜୁଥିବା ସମଗ୍ର ମାନବଜାତିକୁ ସିଏ ଏକ ନିର୍ବାଚନ କରି ନେବା ଲାଗି ଆହ୍ଵାନ ଦେଇଥିଲେ । ଅସଲ ନିର୍ବାଚନ ପ୍ରକୃତରେ ଏପାଖ ଅଥବା ସେପାଖ ଭିତରେ, ସମ୍ମତି ଅଥବା ଅସମ୍ମତି ଭିତରେ । ଗୋଟାଏ ପାଖରେ ଭୀମଗର୍ତ୍ତ, ଆଉ ଗୋଟାଏ ପାଖରେ ସତ୍ୟ । ସେହି ସତ୍ୟ ଅନପେକ୍ଷ, ଅତିସ୍ପଷ୍ଟ ଓ ଅବଶ୍ୟମ୍ଭାବୀ । ଆମ ନିଜ ନିଜର ଜୀବନମାନଙ୍କରେ ଆମେ କେତେ ଗାତକୁ କେତେ ବିଭିନ୍ନ ପ୍ରକାରେ ଭୟ କରୁଥାଉ । ସମୟ ଗଡ଼ାଇ ଦେବାର ଆଶାରେ ହୁଏତ ଏ ଗାତରୁ ବାହାରି ସେ ଗାତରେ ଯାଇ ପଶିବା ଲାଗି ଓ ତଦ୍ଦ୍ଵାରା ସମସ୍ୟାଗୁଡ଼ିକର ଏକ ଆପାତ ସମାଧାନ କରି ପାରିବା ଲାଗି ଭାରି ଲଣ୍ଡଭଣ୍ଡ ହେବାରେ ଲାଗିଥାଉ । ଗୋଟିକୁ ଆଉ ଗୋଟିଏଠାରୁ ଅଧିକ ଭୟଙ୍କର ବୋଲି କହୁ ଓ ତେଣୁ ଆଉ ଗୋଟିକୁ ଏ ଗୋଟିକଠାରୁ ଅଧିକ ସହନୀୟ ଏବଂ ଗ୍ରହଣୀୟ ବୋଲି ବିଚାର କରୁ । ମାତ୍ର, ସବୁ ଗାତ ତଳକୁ ତଳକୁ ଯେ ସେହି ଅସଲ ଗୋଟାଏ ଗାତରେ ପରିଣତ ହୋଇଛି ଏବଂ ତେଣୁ ପରସ୍ପର ସହିତ ଅତ୍ୟନ୍ତ ଅନିବାର୍ଯ୍ୟ ଭାବରେ ଯେ ସଂଲଗ୍ନ ହୋଇ ରହିଛି, ବିକଳରେ ସାମୟିକ ସାଲିସ୍‍ମାନ ଲୋଡ଼ୁଥିବା ଆମର ଚିତ୍ତପଦାର୍ଥଟି ସେତେବେଳେ ସେ କଥାଟିକୁ ମୋଟେ ଠଉରାଇ ପାରେନାହିଁ ।

 

ନାନା ଆପାତ ସତ୍ୟକୁ ଆଦରି ଏକାବେଳେକେ ଅନେକ ଦାଣ୍ଡିରେ ଜୀବନ ବଞ୍ଚିବାକୁହିଁ ବାସ୍ତବ ମଣିଷର ଜୀବନ ବୋଲି ବିଶ୍ଵାସ କରୁଥିବା ପର୍ଯ୍ୟନ୍ତ ଆମେ ସତ୍ୟକୁ ମଧ୍ୟ ଭାଗ ଭାଗ କରି ଓ ଅଳପ ବା ବହୁତ କରି ଦେଖିବାରେ ଲାଗିଥାଉ । ସରଳ ଧାର୍ମିକ ମଣିଷମାନେ ଯେପରି ସେମାନେ ଆଶ୍ରା କରିଥିବା ଓ ପୂଜୁଥିବା ଦେବତାମାନଙ୍କୁ ଭିତରେ ସାନ ବଡ଼ର ଭିଆଣ କରି ରଖିଥାନ୍ତି ଓ ସେହି ଅନୁସାରେ ସେମାନଙ୍କୁ ଆଗ ଧାଡ଼ି ଅଥବା ପଛ ଧାଡ଼ିରେ ନେଇ ବସାଇ ଦେଇଥାନ୍ତି, ଏହି କଥାଟି ପ୍ରକୃତରେ ପ୍ରାୟ ସେହିପରି । ପ୍ରକୃତ ସତ୍ୟ ଅର୍ଥାତ୍ ପରମ ସତ୍ୟକୁ ଆଘ୍ରାଣ କରି ପାରିଲେ ଓ କେବଳ ତାହାରିପାଇଁହିଁ ବ୍ୟାକୁଳତା ଜନ୍ମିଲେ ସତ୍ୟ ଆଉ ମୋଟେ ଭାଗଭାଗ ଓ ଅଳ୍ପ ବହୁତ ହୋଇ ଦେଖାଯାଏ ନାହିଁ । ଅନ୍ୟ ପାଖକୁ ଦୃଷ୍ଟି ପକାଇଲେ ଗାତଗୁଡ଼ାକ ମଧ୍ୟ ଅଧିକ ଅଥବା ଅଳପ ସହନୀୟ ଅଥବା ଗ୍ରହଣୀୟ ଦିଶନ୍ତି ନାହିଁ । ପରମ ସତ୍ୟର ସାମନାରେ ସବୁ ଗାତକୁ ଖିଅ ସହିତ ଖିଅ ଯୋଡ଼ି ରଖିଥିବା ଏକ ଭୀମଗର୍ତ୍ତହିଁ ଦୃଷ୍ଟିଗୋଚର ହୁଏ । ଏହିପରି ଦେଖି ପାରିଲେ ଯାଇ ଏକ ନିର୍ବାଚନର ଅନିବାର୍ଯ୍ୟତା ମଧ୍ୟ ଅନୁଭୂତ ହୋଇଥାଏ । ଦୁଇଟା ବାଟରୁ ଗୋଟିଏକୁ ବାଛିନେବାକୁ ପଡ଼େ, ନହେଲେ ନିଜ ଭିତରେ ସଦାସର୍ବଦା ଚୋର ହୋଇ ନିଜ ଭିତରେ ପୁଲିସ ମୁହଁରୁ ଲୁଚି ବୁଲିବାର ନିତ୍ୟ ବିଷାଦ ଓ ନିତ୍ୟ ଜଞ୍ଜାଳଟି ଲାଗି ରହିଥାଏ ।

 

୧୯୬୭ ମସିହାର ଆରମ୍ଭ ବେଳକୁ ପୃଥିବୀ ଉପରେ ସତେଅବା ଝୁଲି କରି ରହିଥିବା ଆନ୍ତର୍ଜାତିକ ପରିସ୍ଥିତିର ପରିପ୍ରେକ୍ଷୀରେ ମାଆ ସେହି ବର୍ଷ ନବବର୍ଷର ବାଣୀଟିକୁ ପ୍ରଦାନ କରିଥିଲେ । ସେହି ପରିପ୍ରେକ୍ଷୀଟିକୁ ସିଏ ଅଧିକ ପ୍ରାଞ୍ଜଳ ଭାବରେ ଆଉ ଏକ ଅବସରରେ (ମାତୃରଚନାବଳୀ (ଇଂରାଜୀ), ପଞ୍ଚଦଶ ଖଣ୍ଡ, ପୃଷ୍ଠା : ୧୯୩-୪) ବୁଝାଇ କହି ଦେଇଛନ୍ତି । ତାଙ୍କର ସେହି ଉକ୍ତିଗୁଡ଼ିକ ସମ୍ମୁଖରେ ନିଜକୁ ରଖି ଆମେ ଇଚ୍ଛା କଲେ ନିଜର କିଞ୍ଚିତ୍ କଳନା କରିପାରିବା ଓ ଆମର ଇଚ୍ଛାକୃତ ଆଡ଼ୁଆଗୁଡ଼ାକ ଭିତରୁ ହୁଏତ ଏକ ବାଟ ପାଇଯିବା । ଏକ ବାଟ ପାଇଯିବାର ଅର୍ଥ ହେଉଛି, ଆମଠାରୁ ଯେଉଁ ନିର୍ବାଚନ ଅପେକ୍ଷା କରାଯାଉଛି, ଆମେ ନିଜକୁ ସତକୁସତ ନିର୍ବାଚନଟି ସକାଶେ ଯୋଗ୍ୟ କରି ନିଜର ପୁରୁଣା ଜାତିଗୁଡ଼ାକ ଭିତରୁ ବାହାର କରି ନେଇ ଆସି ପାରିବା । ମାଆଙ୍କ ଭାଷାରେ କହିଲେ, “ପୃଥିବୀର ଠିକ୍ ଏହି ମୁହୂର୍ତ୍ତଟିରେ ଏକ ବୃହତ୍ ସଂଘାତସମୟ ପୃଥିବୀ ଉପରେ ଘୋଟି ରହିଛି । ସତେ ଯେମିତି ଯୁଦ୍ଧଟାଏ ଆରମ୍ଭ କରିଦେବାର ମତଲବ ନେଇ ସେମାନେ ସମସ୍ତେ ଆପଣା ଜାଗାରେ ସଜ ହୋଇ ଛକି ରହିଲେଣି । ବ୍ୟକ୍ତିମାନେ ନିଜର ଅନ୍ଧ ଉନ୍ମାଦପଣିଆଗୁଡ଼ାକୁହିଁ ଆନ୍ତର୍ଜାତିକ ସମ୍ବନ୍ଧକ୍ଷେତ୍ର ମଧ୍ୟରେ ଆଣି ପୂରାଇ ଦେଇଛନ୍ତି ଓ ସ୍ଥିତିଟିକୁ ଏପରି ଉତ୍ତେଜନାପୂର୍ଣ୍ଣ କରି ରଖିଛନ୍ତି ।”

 

ବାହାର ସ୍ଥିତିଟିକୁ ଆହୁରି ଅଧିକ ନିଶ୍ଚିତ ଭାବରେ ବୁଝିପାରିବା ନିମନ୍ତେ ମାଆ ଆମକୁ ସେଗୁଡ଼ିକର ଗର୍ତ୍ତ ଭିତରକୁ ବାଟ ଦେଖାଇ ଦେଉଥିଲା ପରି କହିଛନ୍ତି : “ଏହି ଯାବତୀୟ ସ୍ଥିତିର ମୂଳରେ ସବାତଳେ ଭୟ ରହିଛି, ପରସ୍ପର ପ୍ରତି ଅବିଶ୍ଵାସ ରହିଛି,-ଏବଂ, ସେମାନେ ଯାହାକୁ ନିଜର ସ୍ଵାର୍ଥ ଓ ଲାଭ ବୋଲି କହୁଛନ୍ତି (ଅର୍ଥ, ବ୍ୟବସାୟ), ସେଇଟି ମଧ୍ୟ ରହିଛି । ସେଠାରେ ଅସଲ ମୂଳରେ ଏହି ତିନୋଟିଯାକ ଏକାଠି ମିଶିକରି ରହିଛନ୍ତି । ମନୁଷ୍ୟ ଜୀବନର ଏହି ତିନୋଟିଯାକ ନିମ୍ନତମ ସ୍ତରୀୟ ଉଗ୍ରବାସନା ଯେତେବେଳେ କ୍ରିୟାଶୀଳ ହୋଇ ଉଠୁଛନ୍ତି ଜୀବନକୁ ଅଧିକାର କରି ନେଉଛନ୍ତି, ମୁଁ ସେତେବେଳେ ଉପସ୍ଥିତ ହେଉଥିବା ଅବସ୍ଥାଟିକୁହିଁ ‘ଭୀମଗର୍ତ୍ତ’ ବୋଲି କହୁଛି ।” ମୂଳରେ ଥିବା ଭୟକୁ କିପରି ଦୂର କରାଯାଇପାରିବ, ମାଆ ଆପଣାର ପରବର୍ତ୍ତୀ ଉକ୍ତିଟିରେ ସେହି କଥାଟିକୁ ସ୍ପଷ୍ଟ କରି ଦେଇଛନ୍ତି । ସିଏ କହିଛନ୍ତି, “ଦିବ୍ୟ ପରମସତ୍ତାଙ୍କର ଅନ୍ଵେଷଣ କରିବା ଲାଗି ଯେତେବେଳେ କୌଣସି ବ୍ୟକ୍ତି ନିଜର ଜୀବନକୁ ଉତ୍ସର୍ଗୀକୃତ କରି ରଖିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି, ଯଦି ତା’ ଭିତରେ ଯଥାର୍ଥ ନିଷ୍ଠା ରହିଛି, ଅର୍ଥାତ୍ ଯଦି ସିଏ ନିଷ୍ଠାର ସହିତ ଉକ୍ତ ସଂକଳ୍ପଟିକୁ ଗ୍ରହଣ କରିଛି ଏବଂ ନିଷ୍ଠାର ସହିତ ତାହାକୁ କାର୍ଯ୍ୟକାରୀ କରୁଛି, ତେବେ ଭୟ କରିବା ନିମନ୍ତେ ସେହି କ୍ଷେତ୍ରରେ ଆଦୌ କୌଣସି କାରଣ ନାହିଁ; କାରଣ, ସେହି ବ୍ୟକ୍ତିର ଜୀବନରେ ଯାହାକିଛି ଘଟୁଛି ଅଥବା ଘଟିବ, ତାହା ତାକୁ ସବୁଠାରୁ ଅଳପ ପଥରେହିଁ ସେହି ଉପଲବ୍ଧି ଆଡ଼କୁ ପରିଚାଳିତ କରି ନେଇଯିବ ।”

 

ମାଆ ଏହାକୁହିଁ ପରମ କରୁଣାର କାର୍ଯ୍ୟ ବୋଲି କହିଛନ୍ତି । ଦିବ୍ୟ ପରମସତ୍ତାଙ୍କର ଅନ୍ଵେଷଣହିଁ ଆମ ଜୀବନର ଅସଲ ସଂକଳ୍ପ ହୋଇଥିଲେ ଏବଂ ଆମେ ସତକୁସତ ସେହି ସଂକଳ୍ପଟି ଅନୁସାରେ ବାଟ ଚାଲୁଥିଲେ, ଆମେ ଯାହାର ଅନ୍ଵେଷଣ କରୁଛୁ, ସେଇ ଆମକୁ ଆଗକୁ ଆଗକୁ ପରିଚାଳିତ କରି ନେଇଯିବ । ଅର୍ଥାତ୍, ସେହି ନିଷ୍ଠାଟି ଆମର ଅସଲ ନିଷ୍ଠାରେ ପରିଣତ ହୋଇ ପାରିଥିଲେ ଆମର ଆଉ ଭୟର କୌଣସି କାରଣ ରହିବ ନାହିଁ । ସାଧାରଣତଃ ମଣିଷମାନେ ବିଶ୍ଵାସ କରୁଥାନ୍ତି ଯେ ପରମ କରୁଣା ପ୍ରସନ୍ନ ହେଲେ ସେମାନଙ୍କର ଜୀବନର ସବୁକିଛି ସହଜ ହୋଇଯିବ ସବୁକିଛି ସୁରୁଖୁରୁରେ ଚାଲିବ । ଏହି ବିଶ୍ଵାସଟିକୁ ମାଆ ଭୁଲ୍ ବୋଲି କହିଛନ୍ତି । ଅସଲ କଥା ହେଉଛି, ଆମେ ଆଗ ଯଥାର୍ଥ ନିଷ୍ପତ୍ତିଟିକୁ ଗ୍ରହଣ କରିବା ଓ ତା’ପରେ ଯାଇ ସିଏ ଆମକୁ ସେହି ନିଷ୍ପତ୍ତିର ପଥରେ ଆଗକୁ ଆଗକୁ ପରିଚାଳିତ କରି ନେଇଯିବ । ମାତ୍ର, ଅନେକ ସମୟରେ ଆମେ ହୁଏତ ଆଉ କିଛି ଅନ୍ଵେଷଣରେ ବାହାରିଛୁ,–ଅନ୍ୟ କୌଣସି ଅର୍ଥ ଅଥବା ବିଷୟରେ ସିଦ୍ଧି ଇଚ୍ଛା କରୁଛୁ । ଆମର ଏହି ଉଦ୍ଦେଶ୍ୟ ପୂରଣରେ ଦିବ୍ୟ ପରମସତ୍ତା ଆମକୁ ସୁରୁଖୁରୁ ଓ ସହଜ ଭାବରେ ଆଗକୁ ନେଇ ଯାଆନ୍ତୁ ବୋଲି ଆମେ ତାଙ୍କୁ ଡାକିବାରେ ଲାଗିଛୁ । ତାଙ୍କଠାରୁ ବରାଭୟ ମାଗୁଛୁ । ଆମର ନିଷ୍ପତ୍ତିଟି ଅସଲ ନିଷ୍ପତ୍ତି ହୋଇ ନଥିବାରୁ ଆମେ ଅନୁକ୍ଷଣ ନାନାବିଧ ଭୟ ମଧ୍ୟରେହିଁ ଉତ୍ତେଜିତ ଓ ଆନ୍ଦୋଳିତ ହୋଇ ରହିଛୁ । କିନ୍ତୁ, ମାଆଙ୍କ ଭାଷାରେ ସତ କଥାଟି ହେଉଛି ଯେ, “ଆମର ଅଭୀପ୍ସାର ଉପଲବ୍ଧିଟି ନିମନ୍ତେହିଁ ପରମ କରୁଣା କାର୍ଯ୍ୟ କରିବାରେ ଲାଗିଛି ଏବଂ ସେହି ଉପଲବ୍ଧିଟି ଯେପରି ସବୁଠାରୁ ଅଧିକ ନିଶ୍ଚିତ ଭାବରେ ଓ ସବୁଠାରୁ ଅଳ୍ପ ସମୟରେ ସମ୍ଭବ ହୋଇପାରିବ, ସେଥିଲାଗି ପରମସତ୍ତାଙ୍କ ତରଫରୁ ସବୁକିଛିର ବରାଦ ହୋଇଯାଉଛି । ତେଣୁ ଏହି କ୍ଷେତ୍ରରେ ଭୟ କରିବାକୁ ପ୍ରକୃତରେ ଆଉ କ’ଣ ରହିଲା ?”

 

ମାଆ ଅଧିକ ଜୋର୍ ଦେବାକୁ କଥାଟି ଉପରେ ସତେଅବା ଗାର ଟାଣି ଦେଇ କହିଛନ୍ତି, “ନିଷ୍ଠାର ଅଭାବରୁହିଁ ଭୟର ଉଦ୍ଭବ ହେଉଛି । ଯଦି ତୁମେ ନିଜ ଲାଗି ଏକ ଆରାମଦାୟକ ଜୀବନ ଇଚ୍ଛା କରୁଥିବ, ଯଦି କେବଳ ସୁଖଦ ଏବଂ ରୁଚିକର ପରିସ୍ଥିତିଗୁଡ଼ାକରହିଁ ବାଞ୍ଛା ରଖିଥିବ, ତେବେ ତଦ୍ଦ୍ଵାରା ତୁମେ ଏହି କ୍ଷେତ୍ରରେ ପ୍ରକୃତରେ ନାନା ସର୍ତ୍ତ ଏବଂ ସୀମାର ଆରୋପଣହିଁ କରିବାରେ ଲାଗିଥିବ; ଏବଂ ଏହି ଆରୋପଣଗୁଡ଼ିକ ଲାଗି ରହିଥିଲେ ନାନା ଭୟ ଲାଗି ମଧ୍ୟ ଅନେକ କାରଣ ଅବଶ୍ୟ ରହିଥିବ ।” ମାଆ ଶେଷରେ ବିଷୟଟିର ଉପସଂହାର କରି କହିଛନ୍ତି : “ସାଧନାର କ୍ଷେତ୍ରରେ ଏହାର ଆଦୌ କୌଣସି ସ୍ଥାନ ନାହିଁ ।” ଆମେ ସମସ୍ତେ ସର୍ତ୍ତ ରଖିବାକୁ ଭାରି ଭଲ ପାଉ, ସେହି ଉଦ୍ଦେଶ୍ୟରେ ଆପଣାକୁ ଉତ୍ସର୍ଗୀକୃତ କରି ରଖିବାର ବାଟରେ ଆମେ କେତେ ନା କେତେ ସୀମା ଓ ଗାର ଟାଣି ରଖିବାରେ ଲାଗିଥାଉ । ତେଣୁ ଭୟସନ୍ତାପିତ ହୋଇ ରହିଥାଉ । ଆମେ ନିଜ ଲାଗି ସୁଖ ଇଚ୍ଛା କରୁ, ଆରାମ ଇଚ୍ଛା କରୁ, ଉଚ୍ଚତର ଆସନ ଅଥବା ଅଧିକତର ସ୍ଵୀକୃତି ମଧ୍ୟ ଇଚ୍ଛା କରୁଥାଉ । ଏହିଗୁଡ଼ାକୁହିଁ ସବାଆଗ ଇଚ୍ଛାକରୁ ଓ ସେହିଗୁଡ଼ାକର ପୂରଣ ଲାଗି ହୁଏତ ଆମେ ନିଜଠାରୁ ବଡ଼ ବୋଲି କଳ୍ପନା କରୁଥିବା କୌଣସି ଶକ୍ତିର ଶରଣାପନ୍ନ ହେଉ ଏବଂ ଅତ୍ୟନ୍ତ ଭ୍ରମାଚ୍ଛନ୍ନ ହୋଇ ତାହାକୁ ପରମ କରୁଣା ବୋଲି କହୁ । ସେହି କରୁଣା ଆମ ଲାଗି ଆମ କାମଟିକୁ କରିଦେବ ବୋଲି ଆମେ କେଡ଼େ ଆକୁଳ ଓ ଆତୁର ହୋଇ ରହିଥାଉ । ସେହି ଆତୁରତାର ବଶବର୍ତ୍ତୀ ହୋଇ ଧର୍ମ କରୁ, ଧର୍ମ ଅର୍ଜୁ ଓ ପୁଣ୍ୟ କିଣୁ । ମାତ୍ର ଅସଲ କଥାଟିକୁ ପାସୋରି ରହିଥାଉ । ଅସଲ ଉତ୍ସର୍ଗଟିକୁ ମୋଟେ କରି ନଥାଉ । ତାଙ୍କର କାର୍ଯ୍ୟ ଲାଗି ନିଜକୁ ଉତ୍ସର୍ଗ କରିବା–ଏଇଟି ହେଉଛି ଭୟମୁକ୍ତିରେ ଅସଲ ଚାବିକାଠି । ଯେଉଁ ଭୟ ବର୍ତ୍ତମାନ ଆମ ସହିତ ସମଗ୍ର ସଂସାରକୁ ଏକ ଭୀମଗର୍ତ୍ତର ଅଭିମୁଖରେ ଅଗ୍ରସର କରାଇ ନେଉଛି, ସେହି ଭୟରୁ ମୁକ୍ତି ହେବାର ଅସଲ ଚାବିକାଠି ।

 

ଅସଲ ଉତ୍ସର୍ଗଟି କରି ପାରିଲେ ଅସଲ ଭୟରୁ ମୁକ୍ତ ହେବା ସମ୍ଭବ ହୁଏ । ଅସଲ ବିଶ୍ଵାସଟି ଲାଗି ସମ୍ମତ ହୋଇ ନପାରିଥିବା ପର୍ଯ୍ୟନ୍ତ ନାନାବିଧ ଅବିଶ୍ଵାସ ଆମକୁ ଅତ୍ୟନ୍ତ କ୍ରୂର ଭାବରେ କାମୁଡ଼ି ଧରିଥାଏ, ଆମକୁ ଭାରି ମୁଗ୍ଧ ଏବଂ ଉତ୍ତେଜିତ କରି ରଖିଥାଏ । ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେଇ ସଂସାରରେ ଆଜି କେତେ କିଏ ସବାଆଗ ସବାଆଗକୁ ଚାଲିଯିବାକୁ ଇଚ୍ଛା କରୁଛନ୍ତି; ଅନେକ ବ୍ୟକ୍ତି ଏକଥା ଇଚ୍ଛା କରୁଛନ୍ତି ଏବଂ ସେହିଭଳି ବ୍ୟକ୍ତିମାନଙ୍କର ଉଗ୍ର ସମର୍ଥନ କରି ଅନେକ ରାଷ୍ଟ୍ର ମଧ୍ୟ ସେହି କଥା ଇଚ୍ଛା କରୁଛନ୍ତି । ତେଣୁ ପ୍ରତ୍ୟେକେ ପ୍ରତ୍ୟେକକୁ ଅବିଶ୍ଵାସ କରୁଛନ୍ତି । ବ୍ୟକ୍ତି ବ୍ୟକ୍ତିକୁ ଅବିଶ୍ଵାସ କରୁଛି, ଗୋଷ୍ଠୀ ଗୋଷ୍ଠୀକୁ ଅବିଶ୍ଵାସ କରୁଛି, ରାଷ୍ଟ୍ର ରାଷ୍ଟ୍ର ଅବିଶ୍ଵାସ କରୁଛି । ସବାଆଗ ନିଜକୁହିଁ ଇଚ୍ଛା କଲେ ଦଶା ଠିକ୍ ଏହିପରି ହୋଇଥାଏ । ନିଜପାଇଁ ସୁଖ ଇଚ୍ଛା କରିବା, ଅର୍ଥର କାମନା କରିବା, ନିଜ ଅଭିବୃଦ୍ଧିର ଜାଲଟିକୁହିଁ ଯଥାସମ୍ଭବ ଅଧିକ ବିସ୍ତାରିତ କରି ରଖି ତାହାରି ମେଘଟିଦ୍ଵାରା ଆକାଶରେ ସମଗ୍ର ବିସ୍ତାରଟାକୁ ଆଚ୍ଛାଦିତ କରି ପକାଇବା ତାହାକୁ ସବାବଡ଼ ଯଶ ଏବଂ ଅର୍ଜନ ବୋଲି ଜାଣିବା,–ଆମେ ସମସ୍ତେ ଜୀବନର ବଣିଜ କରି ବାହାରିଥିବା ଏହି ସଂସାରର ଦରବାରରେ ଏହି ଅଭିନୟଟିହିଁ ସବୁଠାରୁ ଅଧିକ ପ୍ରଚଣ୍ଡ ଓ ପରାକ୍ରମଶାଳୀ ଭାବରେ ଅଭିନୀତ ହେବାରେ ଲାଗିଛି । ମାତ୍ର ଅସଲ ବିଶ୍ଵାସଟି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ହୁଏତ ଏପରି ମଧ୍ୟ କୁହାଯାଇପାରିବ ଯେ, ଆମେ ସମସ୍ତେ ସବାଆଗ ନିଜପାଇଁ ସବୁକିଛି ଇଚ୍ଛା କରୁଛୁ ବୋଲି ଆମ ନିଜ ଭିତରେ ଆମର ଅସଲ ବିଶ୍ଵାସଠାରୁ ଅଧିକରୁ ଅଧିକ ପରିଣାମରେ ହାତ ଛାଡ଼ି ଛାଡ଼ି ଯାଉଛି । ଏବଂ ତାହାହିଁ ଆମକୁ ଉଗ୍ର କରୁଛି, କପଟୀ କରୁଛି, ଆମକୁ ପରସ୍ପର ପାଖରେ ଅଧିକରୁ ଅଧିକ ହିଂସ୍ର କରି ଦେଉଛି । ଆମ ସମସ୍ତଙ୍କୁ ଏକ ଭୀମଗର୍ତ୍ତର ଅଭିମୁଖରେ ଅଗ୍ରସର କରାଇ ନେଉଛି ।

 

ସେପାଖରେ ପରମ ସତ୍ୟ, ଏପାଖରେ ଭୀମଗର୍ତ୍ତ; ସେ ପାଖରେ ବିଶ୍ଵାସ ଏବଂ ଏପାଖରେ ଉଗ୍ର ଅବିଶ୍ଵାସ,–ମାଆ ଆମକୁ ଦୁଇଟି ମଧ୍ୟରୁ ଗୋଟିଏ ବାଛିନେବାକୁ ଆହ୍ଵାନ ଦେଇଛନ୍ତି । ଊଣେଇଶବର୍ଷ ତଳେ ସେ ଦେଇଥିବା ଏହି ଆହ୍ଵାନଟିର ତାତ୍ପର୍ଯ୍ୟ ବର୍ତ୍ତମାନ ହୁଏତ ଆହୁରି ଅନେକ ଗୁଣ ବୃଦ୍ଧି ପାଇଛି । ଭୟାଳୁମାନେ ଭୟରୁ ମୁକ୍ତି ପାଇବେ ବୋଲି ଭୟାନକ ଓ ସୃଷ୍ଟିନାଶକାରୀ କେତେବେଳେ ବୁଦ୍ଧିମାନ ଅସ୍ତ୍ର ପକାଇ କରି ରଖିଲେଣି । ନିଜ ଭିତରେ ଅସଲ ବିଶ୍ଵାସଟିର ନାଡ଼ କାଟି ଯାଉଥିବା ସଙ୍ଗେ ସଙ୍ଗେ ସତେଅବା ଏହି ଅସ୍ତ୍ରଗୁଡ଼ାକ ଉପରେ ସେମାନଙ୍କ ବିଶ୍ଵାସ ଖରରୁ ଖରତର ହୋଇ ବୃଦ୍ଧି ପାଇବାରେ ଲାଗିଛି । ଅଥବା ଏପରି ମଧ୍ୟ କୁହାଯାଇପାରିବ ଯେ, ଏହି ଅସ୍ତ୍ରଗୁଡ଼ାକ ଉପରେ ସେମାନଙ୍କ ଆସ୍ଥାମାନ ଯେତିକି ବୃଦ୍ଧି ପାଇବାରେ ଲାଗିଛି, ତେଣେ ନିଜ ଭିତରେ ରହିଥିବା ସେମାନଙ୍କର ଅସଲ ବିଶ୍ଵାସଟିର ନାଡ଼ଟି ସେତିକି ଅଧିକ ଦୁର୍ବଳ ହୋଇ ଯାଉଛି । ଅଧିକରୁ ଅଧିକ ଜମା କରି ବିଶ୍ଵାସ ହରାଇବାରେ ଲାଗିଥିବା ମଣିଷ ସେହି ଭାବରେ କ୍ଷତିପୂରଣ କରିବାକୁ କେତେ ଚେଷ୍ଟା ଓ କେତେ ମିହନ୍ତ କରୁଛି । ଆଉ କିଏ କୌଣସି ଏକ ବାଦ ବା ମତକୁ ଆଶ୍ରା କରି ଅନ୍ୟ ବାଦ ଏବଂ ମତଗୁଡ଼ିକ ସହିତ ଏକ ନିରନ୍ତର ବିବାଦକରି ରଖି ସେହି କ୍ଷତିପୂରଣଟିକୁ ହାସଲ କରି ପାରିବ ବୋଲି ବାହାରିଛି । ଭିତରେ ଅସଲ ମାର୍ଗଟି ସହିତ ସମ୍ପର୍କ ତୁଟି ଯାଇଛି ବୋଲି ବାହାରେ କେତେ ଧର୍ମ କେତେ ମାର୍ଗର କୋଳାହଳ ଉଗ୍ର ଆଡ଼ମ୍ବରରେ ବୃଦ୍ଧି ପାଇବାରେ ଲାଗିଛି । ଭୟ ଭିତରେ ଜର୍ଜର ହୋଇ ରହିବା, ଅସଲ ବିଶ୍ଵାସଟିକୁ ହରାଇ ବସିବା ଏବଂ ତାହାର କ୍ଷତିପୂରଣ କରିବାର ଅତ୍ୟୁଗ୍ରତାରେ କେବଳ ଆପଣାର ସ୍ଵାର୍ଥ, ଆପଣାର ଅର୍ଜନ ଏବଂ ଆପଣାର ସଞ୍ଚୟଗୁଡ଼ାକୁ ପ୍ରାୟ ଏକ ବିଶ୍ଵଗ୍ରାସୀ ଉତ୍ତେଜନାର ବଶବର୍ତ୍ତୀ ହୋଇ ବୃଦ୍ଧି କରିବାରେ ବ୍ୟସ୍ତ ରହିଥିବା,–ଏସବୁ ମୂଳତଃ ଏକ ଉତ୍ସର୍ଗହୀନ ଜୀବନରହିଁ ଲକ୍ଷଣ । ଅସଲ ଆହ୍ଵାନଟିକୁ ପାଖରେ ଆମେ ନିଜକୁ ଯଥାର୍ଥ ଭାବରେ ସମ୍ମତ କରାଇ ନପାରୁଥିବାରୁହିଁ ଆମେ ସମସ୍ତେ ଭୟାକୁଳ ଓ ହିଂସ୍ର ହୋଇ ରହିଛୁ । ଏହି ପରିସ୍ଥିତି ଆମ ସମସ୍ତଙ୍କୁ ସତେଅବା ଏକ ଭୀମଗର୍ତ୍ତ ଆଡ଼କୁ ଟାଣି ନେଇ ଯାଉଛି ।

 

ମାଆ ନିଷ୍ଠାହୀନତାକୁହିଁ ଭୟର କାରଣ ବୋଲି କହି ଅଛନ୍ତି । ଅସଲ ନିଷ୍ଠା ହେଉଛି ପରମ ସତ୍ୟ ପାଖରେ ଆପଣାକୁ ଉତ୍ସର୍ଗୀକୃତ କରି ରଖିବାର ନିଷ୍ଠା । ଆମର ଯାବତୀୟ ଜ୍ଞାନ ଓ ବୁଦ୍ଧିର ଅର୍ଜନକୁ ଆମେ ନିଜର ବୃଦ୍ଧିପାଇଁ ନୁହେଁ, ମାତ୍ର ଉଚ୍ଚତମ ସତ୍ୟର ଅନ୍ଵେଷଣରେହିଁ ଉତ୍ସର୍ଗ କରି ରଖିବା । ଆମର ଯାବତୀୟ କୌଶଳ ଓ ଯାବତୀୟ ଧାନକୁ ମଧ୍ୟ ଆମେ ସେହି ଅନ୍ଵେଷଣ ଲାଗି ଲଗାଇବାରେ ସମର୍ଥ ହେବା । ତେବେ ଯାଇ ନିଜକୁ ତଥା ସମସ୍ତଙ୍କୁ ବର୍ତ୍ତମାନର ଭୀମଗର୍ତ୍ତରୁ ନିବୃତ୍ତ କରି ରଖିପାରିବା । ଭୀମଗର୍ତ୍ତ କହିଲେ ଆମେ କଦାପି ଏପରି ଏକ ଅବସ୍ଥାକୁ ବୁଝିବା ନାହିଁ, ଯାହାକି ଏ ପର୍ଯ୍ୟନ୍ତ ଆସି ନାହିଁ, ଯାହା ଭବିଷ୍ୟତ୍‍ରେ ଆସିବ । ବର୍ତ୍ତମାନ ଆମ ସଂସାରକୁ ଏକ ଆବିଳ ଓ ବିଷଯୁକ୍ତ କରି ରଖିଥିବା ଭୟ, ଅବିଶ୍ଵାସ ଏବଂ ଉଗ୍ର ସ୍ଵାର୍ଥନ୍ଵେଷଣକୁହିଁ ମାଆ ଭୀମଗର୍ତ୍ତ ବୋଲି କହିଛନ୍ତି । ଏହି ଭୀମଗର୍ତ୍ତ ଆମ ନିଜ ଭିତରେ ରହିଛି, ଆମ ସମସ୍ତଙ୍କର ସହଯୋଗରେ ଆମର ଏହି ସଂସାର ଭିତରେ ରହିଛି । ସତେଅବା ସଂସାରରେ ସବୁ ଦୁଷ୍ଟ ବଳ ଏକାଠି ମିଶି ମଣିଷମାନଙ୍କୁ ସେହି ଭୀମଗର୍ତ୍ତଟିକୁ ବାଛି ନେବାକୁହିଁ ପ୍ରରୋଚନା ଦେବାରେ ଲାଗିଛନ୍ତି । ସଂସାରର ସବୁଠାରୁ ଅଧିକ ଉଚ୍ଚ ଅଟ୍ଟାଳିକା ଏବଂ ସବୁଠାରୁ ଅଧିକ କୋଳାହଳମୟ ମନ୍ଦିରମାନଙ୍କରେ ସେହି ପ୍ରରୋଚନାରହିଁ ପତାକାମାନ ଫରଫର ଉଡ଼ିବାରେ ଲାଗିଛି । ଆମେ କ’ଣ ସେଇଟିକୁହିଁ ବାଛିବା ? ନା ପରମସତ୍ୟକୁ ବାଛିବା ? ଆମ ଓ ସମଗ୍ର ସଂସାରର ଭାଗ୍ୟ ଏଇଟି ଉପରେ କିମ୍ବା ସେଇଟି ଉପରେ ମୋଟେ ନିର୍ଭର କରୁନାହିଁ; ଆମେ ଦୁଇଟି ମଧ୍ୟରୁ କେଉଁଟିକୁ ପ୍ରକୃତରେ ବାଛିବା, ସବୁ ତାହାରି ଉପରେହିଁ ନିର୍ଭର କରୁଛି ଆମର ଅସଲ ରଜ୍ଜୁଟି ଆମରି ହାତରେ ରହିଛି ।

 

ଅସଲ ଅନ୍ଵେଷଣଟି ଲାଗି ଆମେ ନିଜକୁ ଯେତିକି ଯେତିକି ଅଧିକ ଉତ୍ସର୍ଗୀକୃତ କରିପାରିବା, ଆମେ ପରସ୍ପରକୁ ସେତିକି ଅଧିକ ପରିଣାମରେ ବନ୍ଧୁରୂପେ ଆବିଷ୍କାର କରିପାରିବା-। ସଂସାରଗୋଟାକୁ ଗିଳି କରି ରହିଥିବା ସକଳ ଅବିଶ୍ଵାସ ସତ୍ତ୍ୱେ ଆମେ ପରସ୍ପର ଭିତରେ ବିଶ୍ଵାସରହିଁ ଆବିଷ୍କାର କରିପାରିବା, ପରସ୍ପରକୁ ସେହି ବିଶ୍ଵାସର ଉଦ୍‌ବୋଧନ ଦେଇପାରିବା ଏବଂ ପରସ୍ପରଠାରୁ ମୂଳତଃ ବିଶ୍ଵାସର ଉଦ୍‌ବୋଧନ ପାଇପାରିବା । ଆମେ ଆମର ଅସଲ ବ୍ୟାକୁଳତାଟି ସହିତ ଯାହାର ଅନ୍ଵେଷଣ କରି ବାହାରିଛୁ, ସେତେବେଳେ ପରସ୍ପର ମଧ୍ୟରେ ଆମେ ତାହାକୁହିଁ ଅନୁଭବ କରିବାକୁ ଆରମ୍ଭ କରିବା ଓ ତେଣୁ ପରସ୍ପରର ସହାୟକ ହୋଇ ପାରିବା-। ଏବଂ, ପରସ୍ପରର ସହାୟକ ହୋଇ ବାଟ ଚାଲି ପାରିଲେ ଆମ ଭିତରେ ଆଉ କୌଣସି ଭୟର ଅବକାଶ କାହିଁକି ରହିବ ? ଅବିଶ୍ଵାସ ଥାନରେ ବିଶ୍ଵାସର ପ୍ରତିଷ୍ଠା ହୋଇପାରିଲେ ଏବଂ, ନିଷ୍ଠାହୀନତା ଓ ତଜ୍ଜନିତ ଭୟ ସ୍ଥାନରେ ନିଷ୍ଠା ଏବଂ ତଜ୍ଜନିତ ଶ୍ରଦ୍ଧାର ପ୍ରତିଷ୍ଠା ହୋଇପାରିଲେ, ମଣିଷ ସ୍ଵାର୍ଥର ପ୍ରକୋପରେ ପଡ଼ି କାହିଁକି ଆଦୌ କୌଣସି ଉଦ୍‌ବେଗଯୁକ୍ତ ସଂଗ୍ରହ ଅଥବା ଜାଲବିସ୍ତାରକୁ ମନ କରିବ ? ତା’ପରେ ଭୀମଗର୍ତ୍ତ ଅପସାରିତ ହୋଇଯିବ । ଆମେ ପରମସତ୍ୟକୁହିଁ ବାଛି ନେଲୁ ବୋଲି ଉଦ୍‌ଘୋଷିତ ହେବ ।

 

ଏପ୍ରିଲ ୧୪, ୧୯୮୬

Image

 

ଜ୍ଞାନ ଓ ଭକ୍ତି

 

ଯାହାର ଜ୍ଞାନ ଥାଏ, ତାକୁ ଜ୍ଞାନୀ ବୋଲି କୁହାଯାଏ । ଭକ୍ତି ଥିବା ମଣିଷକୁ ଭକ୍ତି କୁହାଯାଏ । ସତ କଥା ହେଉଛି, ପ୍ରତ୍ୟେକ ବ୍ୟକ୍ତି ଭିତରେ ଜ୍ଞାନ ଭକ୍ତି ଉଭୟ ଥାଏ,–ମାତ୍ର ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନର କେଉଁ ଦ୍ଵାର ତଥା କେଉଁ ଗବାକ୍ଷଗୁଡ଼ିକୁ ଅଧିକ ଖୋଲିଛି, ସେହି ଅନୁସାରେ ଜଣେ ମଣିଷକୁ ଜ୍ଞାନୀ ବୋଲି କୁହାଯାଇଥାଏ ଓ ଆଉ ଜଣେ ମଣିଷକୁ ଭକ୍ତି ବୋଲି କୁହାଯାଏ । ଭକ୍ତିର ଅନ୍ୟ ନାମ ଶ୍ରଦ୍ଧା । ଏହି ଶ୍ରଦ୍ଧା ହେଉଛି ଅନ୍ଵେଷଣର ଏକ ଅନ୍ତର୍ଗତ ସାଧନ । ଜ୍ଞାନ ମଧ୍ୟ ସେହି ଅନ୍ଵେଷଣର ଆଉ ଗୋଟାଏ ସାଧନ । ଅନ୍ଵେଷଣ କରୁକରୁ ଯେତେବେଳେ ଈପ୍ସିତ ଦୁଆରଟିଏ ଆସି ପହଞ୍ଚି ଗଲାପରି ମନେହୁଏ; ଯେତେବେଳେ ଅହଂକାରମାନେ ପ୍ରକୃତରେ ହଟିଯାଆନ୍ତି, ସେତେବେଳେ ଜ୍ଞାନ ଯେ ଭକ୍ତିଠାରୁ ଆଦୌ ଅଲଗା ନୁହେଁ ଏବଂ ଭକ୍ତି ଯେ ଜ୍ଞାନଠାରୁ ମଧ୍ୟ ଆଦୌ ଅଲଗା ନୁହେଁ, ସେହି ସତ କଥାଟିର ଉପଲବ୍ଧି ହୋଇଥାଏ । ଏବଂ, ଜ୍ଞାନ ଓ ଭକ୍ତି ଗୋଟିଏ ଆଉ ଗୋଟିକର ପରିପନ୍ଥୀ ବୋଲି କହିବା,–ତାହା ମୁଖ୍ୟତଃ ଦମ୍ଭୀମାନଙ୍କର କଥା; ତାହା ଅସାଧନାର କଥା, ମୂଳତଃ ଏକ ଖଳ ଅସ୍ଵୀକାରୀ ଧର୍ମର କଥା ।

 

ପୁରାତନ ଯୋଗ ସାଧନାରେ ଜ୍ଞାନ ଏବଂ ଭକ୍ତିକୁ ଗୋଟିଏ ଗୋଟିଏ ମାର୍ଗ ବୋଲି କୁହାଯାଇଛି । ତେଣୁ ମାର୍ଗ ଅନୁସାରେ ପରମ୍ପରାକ୍ରମେ ଜ୍ଞାନମାର୍ଗୀବି ରହି ଆସିଛନ୍ତି ଓ ଭକ୍ତିମାର୍ଗୀ ମଧ୍ୟ ରହି ଆସିଛନ୍ତି । ଏଗୁଡ଼ିକ ଯେ ଗୋଟିଏ ଗୋଟିଏ ମାର୍ଗ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ । ମାତ୍ର, ମାର୍ଗରେ ଚାଲୁଚାଲୁ, ଅନେକ ଚାଲିବା ଲୋକଙ୍କର ମାର୍ଗ ପ୍ରତି ଯେପରି ଏକ ଆସକ୍ତି ଆସିଯାଏ, ଅନେକ ସମୟରେ ଏହି କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି ଘଟଣା ଘଟିଛି । ଜ୍ଞାନୀ,–ତଥାକଥିତ ଜ୍ଞାନୀମାନଙ୍କର ଜ୍ଞାନମାର୍ଗ ପ୍ରତି ମୋହ ଆସିଛି, ସେମାନଙ୍କର ଜ୍ଞାନ-ମୋହଗୁଡ଼ାକ ସତେଅବା ଅଠା ପରି ହୋଇ ସେମାନଙ୍କୁ ନାନା ଆକର୍ଷଣ କାନ୍ଥ ଓ ଅଧାକାନ୍ଥ ଭିତରେ ନେଇ ଲଖାଇ ରଖିଛି । ଜ୍ଞାନ ବ୍ୟତୀତ ଅନ୍ୟ ମାର୍ଗ କଦାପି ନାହିଁ ବୋଲି ସେମାନେ ଘୋଷଣା କରିଛନ୍ତି । ଅନ୍ୟ ମାର୍ଗଗୁଡ଼ିକୁ ଅସାର ଏବଂ ଅଫଳପ୍ରଦ ବୋଲି କହିଛନ୍ତି, ନିତାନ୍ତ ଅଜ୍ଞାନୀଙ୍କ ପରି ଆଚରଣ କରିଛନ୍ତି । ବେଳେବେଳେ ତଥାକଥିତ ଭକ୍ତିମାର୍ଗୀମାନେ ମଧ୍ୟ ଠିକ୍ ସେହିକଥା କରିଛନ୍ତି । ଦୁଆର ଖୋଲାଇବା ପରିବର୍ତ୍ତେ ସେମାନଙ୍କର ଭକ୍ତି ସେମାନଙ୍କୁ ତୁଚ୍ଛା ଭକ୍ତିର ମାର୍ଗ ନାମକ ଗମ୍ଭିରି ଘର ଭିତରେ ନେଇ ଭର୍ତ୍ତି କରି ଦେଇଛି । ସେମାନେ ବିହ୍ଵଳ ହୋଇ ପଡ଼ିଛନ୍ତି, ଭକ୍ତିରୁ ହୁଡ଼ି ଯାଇଛନ୍ତି । ତାଙ୍କରି ପଦଯୁଗଳର ଯୋଗ୍ୟ ହୋଇପାରିଲେ ଯେ ଭକ୍ତର ଆଖିକୁ ଏକାବେଳକେ ସବୁକିଛି ଦେଖାଯାଏ, ଏହି ସବୁକିଛିଟି ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ସଂଯୁକ୍ତ ହୋଇ ରହିଥିବାର ପ୍ରତ୍ୟକ୍ଷ ଅନୁଭବ ହୋଇଥାଏ, ସେତେବେଳେ ସେହି ପରିଚୟସୂତ୍ରଟି କ୍ରମଶଃ ସେମାନଙ୍କର ହାତଛଡ଼ା ହୋଇଯାଇଛି । ସେତେବେଳେ ସେମାନେ ମଧ୍ୟ ଭକ୍ତି-ମାର୍ଗକୁହିଁ ଏକମାତ୍ର ମାର୍ଗ ବୋଲି ଘୋଷଣା କରିଛନ୍ତି, ସେମାନେ ଏକ ମୂଳଭୂତ ଅସ୍ଵୀକୃତିର ପାଲରେ ଯାଇ ପଡ଼ି ଯାଇଛନ୍ତି । ମାର୍ଗଗୁଡ଼ିକୁ ଏକମାତ୍ର ମାର୍ଗ ବୋଲି ପ୍ରମାଣ କରି ତା’ପରେ ଉଭୟ ମାର୍ଗର ଉତ୍ସାହୀ ପଣ୍ଡିତମାନେ ଅନୁରୂପ ଶାସ୍ତ୍ରମାନ ଲେଖିଛନ୍ତି । ସେହି ଶାସ୍ତ୍ରଗୁଡ଼ିକ ମାର୍ଗଗୁଡ଼ିକୁ ଆହୁରି ଗରୁ କରି ପକାଇଛି । ମାର୍ଗଚାରୀମାନଙ୍କୁ ସତେଅବା ପରିବର୍ତ୍ତନ-କାତର ହୋଇ ରହିବାରେ ଭାରି ସାହାଯ୍ୟ କରିଛି ।

 

ପ୍ରଥମେ ମାର୍ଗ ନଥିଲା, ପ୍ରଥମେ ସ୍ଵଭାବ ଥିଲା । ବ୍ୟକ୍ତିମାତ୍ରକେ ସ୍ଵଭାବର ଭିନ୍ନତା ରହିଛି । କୌଣସି ଦୁଇଜଣ ବ୍ୟକ୍ତିଙ୍କର ସ୍ଵଭାବ ଯେ ଗୋଟାସୁଦ୍ଧା ଏକାଭଳି ନୁହେଁ, ପ୍ରାଚୀନ କାଳର ଗୁରୁମାନେ ସେହି କଥାଟିକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଘୋଷଣା କରି ଯାଇଛନ୍ତି । ଅସଲ ଗୁରୁ ଶାସ୍ତ୍ରଠାରୁ ସ୍ଵଭାବକୁ ଅଧିକ ବୋଲି ମାନେ । ସିଏ କଦାପି ଶାସ୍ତ୍ର ଅନୁସାରେ ସ୍ଵଭାବର ବିବେଚନା କରିବାକୁ ଯାଏଁ ନାହିଁ । ସ୍ଵଭାବକୁ ଦେଖି ଶାସ୍ତ୍ରର ମାନ ନିରୂପଣ କରେ ଶ୍ରୀଅରବିନ୍ଦର ତାଙ୍କର ଏକାଧିକ ଗ୍ରନ୍ଥରେ ସେହି ସ୍ଵଭାବର କଥା କହିଛନ୍ତି । ମନୁଷ୍ୟ–ବ୍ୟକ୍ତିର ଗଭୀରତର ଆସ୍ପୃହାଗୁଡ଼ିକୁ ନିର୍ଣ୍ଣୟ କରିବାର ଚେଷ୍ଟା କରୁଥିବା ଆଧୁନିକ ମନୋବିଜ୍ଞାନ ମଧ୍ୟ ଏହି ସ୍ଵଭାବର, ପ୍ରତ୍ୟେକ ବ୍ୟକ୍ତିର ସ୍ଵଭାବର ଅନନ୍ୟତା ବିଷୟରେ ବହୁ ସତ୍ୟର ଉଦ୍‌ଘାଟନ କରିବାକୁ ଆରମ୍ଭ କଲାଣି । ସେହି ସ୍ଵଭାବରେ ନାନା ଉପାଦାନ ମଧ୍ୟରେ ଗୋଟିଏ ହେଉଛି ଜ୍ଞାନର ବୃତ୍ତି, ଆଉ ଗୋଟିଏ ଶ୍ରଦ୍ଧାର ବୃତ୍ତି-। ସ୍ଥୂଳ ଭାବରେ ଏକ ପରବର୍ତ୍ତୀ ଯୁଗରେ ଏହାକୁ ଯଥାକ୍ରମେ ମସ୍ତିଷ୍କର ବୃତ୍ତି ଏବଂ ହୃଦୟର ବୃତ୍ତି ବୋଲି କୁହାଯାଇଛି । ଉକ୍ତ ବୃତ୍ତିଗୁଡ଼ିକ କୌଣସି ବ୍ୟକ୍ତି ଭିତରେ ଆଦୌ ସମଭାଗ ହୋଇ ରହିନଥାଏ । ସେଇଥିରୁହିଁ ଅନନ୍ୟତାର ଉଦ୍ରେକ ହୁଏ । ସେହି ଅନୁସାରେ ଜଣକ ଭିତରେ ମସ୍ତିଷ୍କର ବୃତ୍ତିଟି ପୁରୋଭାଗରେ ରହିଥାଏ ତ ଆଉ ଜଣକ ଭିତରେ ହୃଦୟର ବୃତ୍ତିଟି ପୁରୋଭାଗରେ ରହିଥାଏ । ପ୍ରଥମ ବ୍ୟକ୍ତିଟିର କ୍ଷେତ୍ରରେ ହୃଦୟର ବୃତ୍ତିଟି ପଶ୍ଚାଦ୍‌ଭାଗରେ ରହିଥାଏ ଏବଂ ଦ୍ଵିତୀୟ ବ୍ୟକ୍ତିଟିର କ୍ଷେତ୍ରରେ ମସ୍ତିଷ୍କର ବୃତ୍ତିଟି ପଶ୍ଚାଦ୍‌ଭାଗରେ ରହିଥାଏ । ଗୋଟିଏ ଉଭା ହୋଇ ରହିଥାଏ ତ ଆରଟି ପୋତାହୋଇ ରହିଥାଏ । ଯେଉଁଠି ପୁରୋଭାଗରେ ରହିଥାଏ, ସେଇଟିହିଁ ଆଗକୁ ଦୃଷ୍ଟିଗୋଚର ହେଉଥାଏ; ସମ୍ପୃକ୍ତ ବ୍ୟକ୍ତିର ଯାବତୀୟ ଆକାଂକ୍ଷା, ଅନୁରକ୍ତି ଏବଂ ଅନ୍ଵେଷଣ ତଥା ଅବଲମ୍ବନରେ ସେଇଟିହିଁ ମୀମାଂସକ ମୁଖ୍ୟ ଏବଂ ସକ୍ରିୟ ହୋଇ ରହିଥିବା ପରି ଦେଖାଯାଉଥାଏ । ମସ୍ତିଷ୍କ ମୁଖ୍ୟ ଥିଲେ ହୃଦୟ ଗୌଣ ହୋଇ ରହିଥିବା ପରି ଲାଗୁଥାଏ; ଏବଂ ହୃଦ୍‌ଭାଗଟି ମୁଖ୍ୟ ଥିଲେ ମସ୍ତିଷ୍କ ଗୌଣ ହୋଇ ରହିଥିବା ପରି ଲାଗୁଥାଏ-

 

ତଥାପି, ମସ୍ତିଷ୍କ ଥାଏ, ହୃଦୟ ମଧ୍ୟ ଥାଏ । ପ୍ରତ୍ୟେକ ମଣିଷ ଭିତରେ ଦୁଇଟିଯାକ ଅବଶ୍ୟ ରହିଥାଏ । ହୁଏତ ଗୋଟିଏ ମୁଖ୍ୟ ହୋଇ ରହିଥାଏ, ଆଉ ଗୋଟିଏ ଗୌଣ ହୋଇ ରହିଥାଏ । ଗୋଟିଏ ଆଗକୁ ରହିଥିବା ପରି ଦେଖା ଯାଉଥାଏ ତ ଆରଟି ପଶ୍ଚାଦ୍‌ଭାଗରେ ରହିଥାଏ । ତାହା ସଂସ୍କାରବଶତଃ ହୁଏ;–ମସ୍ତିଷ୍କର ବାସନା ଏବଂ ହୃଦୟର ବାସନା,–ଆମ ଭିତରେ ଦୁଇଟି ମଧ୍ୟରୁ କେଉଁ ବାସନାଟି ପ୍ରମୁଖ ହୋଇ ରହିଛି, ଆମ ପ୍ରବୃତ୍ତିଗୁଡ଼ିକର ଅଭିବ୍ୟକ୍ତିଟି ମୁଖତଃ ସେହି କଥାଟି ଉପରେ ନିର୍ଭର କରୁଥାଏ । ଯୋଗର ଯେକୌଣସି ଯଥାର୍ଥ ମାର୍ଗ ମସ୍ତିଷ୍କ ଏବଂ ହୃଦୟ ଦୁଇଟିଯାକ ଉପରେହିଁ ନିଘା ରଖିଥାଏ । ଅସଲ ଗୁରୁ ହୃଦୟକୁ ଦେଖେ, ମସ୍ତିଷ୍କକୁବି ଦେଖେ । ହୃଦୟକୁ ପଛରେ ପକାଇ ଦେଇ ଗୋଟାସୁଦ୍ଧା ମସ୍ତିଷ୍କ ଆଡ଼େ ମାଡ଼ିଯାଏ ନାହିଁ କିମ୍ବା ମସ୍ତିଷ୍କକୁ ପଛରେ ପକାଇ ହୃଦୟ ଆଡ଼େ ମାଡ଼ିଯାଏ ନାହିଁ । ବରଂ, ସାଧନାର ଶୈଳୀରେ ଏକ ସାମଗ୍ରିକ ସମତା ସମ୍ଭବ କରାଇପାରିବା ଉଦ୍ଦେଶ୍ୟରେ, ଯଦି କୌଣସି ବ୍ୟକ୍ତି ଭିତରେ କୌଣସି କାରଣରୁ ମସ୍ତିଷ୍କର ଅପେକ୍ଷାକୃତ ଅଧିକ ବିକାଶ ହୋଇ ଯାଇଥାଏ, ତେବେ ଯଥାର୍ଥ ଗୁରୁ ହୃଦୟଭାଗଟିକୁ ବିକଶିତ କରାଇ ଆଣିବା ନିମନ୍ତେ ସେହି କ୍ଷେତ୍ରରେ ଅଧିକତର ଅବକାଶ ସୃଷ୍ଟି କରେ; ଏବଂ ଯଦି କୌଣସି ବ୍ୟକ୍ତି ହୃଦୟ ଆଡ଼େ ଅଧିକ ମାଡ଼ି ଯାଇଥାଏ, ତେବେ ଗୁରୁ ସେହି କ୍ଷେତ୍ରରେ ମସ୍ତିଷ୍କର ଅନୁଶୀଳନ ନିମନ୍ତେ ହୁଏତ ଅଧିକ ଧ୍ୟାନ ଦେଇଥାଏ । ତେବେ ଯାଇ ସାଧନା ଅର୍ଥାତ୍ ପରିପକ୍ଵତାର ମାର୍ଗରେ ଯଥାସମ୍ଭବ ଅଧିକ ସୁସ୍ଥତା ସମ୍ଭବ ହୋଇଥାଏ ।

 

ତଥାପି, ଆମ ସଂସାରରେ ଗୋଟିଏ ମାର୍ଗ ଅଛି, ଯାହାକୁ କି ଭକ୍ତିମାର୍ଗ ବୋଲି କୁହାଯାଏ ଏବଂ ଆଉ ଗୋଟିଏ ମାର୍ଗ ଅଛି, ଯାହାକୁ କି ଜ୍ଞାନମାର୍ଗ ବୋଲି କୁହାଯାଏ । ସାଧନା ଭିତରେ ଉତ୍ତେଜନା ପୂରାଇ ଭକ୍ତି ଓ ଜ୍ଞାନକୁ ନେଇ ସତେଅବା ଏକ ସାମ୍ପ୍ରଦାୟିକତାର ଭିଆଣ କରାଇଆଣିବାର ଉପଦ୍ରବ ସୃଷ୍ଟି କରାଯିବା ପରେ ସଂସାରରେ ବହୁ ମଣିଷ ଭକ୍ତି ଏବଂ ଜ୍ଞାନକୁ ସତେଅବା ଦୁଇଟା ଅଲଗାଅଲଗା ମାର୍ଗ ବୋଲି ବିଚାର କରିବାକୁ ଆରମ୍ଭ କରି ଦେଇଛନ୍ତି । ସେହି ବିଚାରରୁ ଅନେକ ସମୟରେ ବିବାଦ ମଧ୍ୟ ବାହାରିଛି । ବିବାଦଗୁଡ଼ିକୁ ଆହୁରି ଅଧିକ ପରିଣାମରେ ପ୍ରମାଦପ୍ରବଣ କରାଇ ଜ୍ଞାନ-ସମ୍ପ୍ରଦାୟୀମାନେ କ୍ରମେ ଭକ୍ତିକୁ ଅନାବଶ୍ୟକ ବୋଲି ମାନିଛନ୍ତି ଏବଂ ଅପରପକ୍ଷରେ ଭକ୍ତି-ସମ୍ପ୍ରଦାୟୀମାନେ ଜ୍ଞାନକୁ ଅନାବଶ୍ୟକ ବୋଲି ଘୋଷଣା କରିଛନ୍ତି । ଗୋଟିଏ ପକ୍ଷ ଆଉ ଗୋଟିଏ ପକ୍ଷର ପରିହାସ କରିଛି । ଏକଦା ଭକ୍ତିମାର୍ଗୀମାନେ ଭକ୍ତିର ମାର୍ଗକୁ ସହଜ ବୋଲି କହିଛନ୍ତି, କଳିଯୁଗରେ ଭକ୍ତିମାର୍ଗକୁହିଁ ଏକମାତ୍ର ମାର୍ଗ ବୋଲି କେଡ଼େ ଦମ୍ଭ ଓ କେତେ ପ୍ରତ୍ୟୟର ସହିତ ଘୋଷଣା କରିଛନ୍ତି । ସେହି ଉତ୍ସାହରେ ଭକ୍ତି ନାମରେ କେତେ ପ୍ରକାରର ବିହ୍ଵଳତାର ସୃଷ୍ଟି ହୋଇଛି, କେତେ ପ୍ରକାରର ହାସ୍ୟାସ୍ପଦ ଆତୁରତାକୁ ମଧ୍ୟ ଭାରି ଚମତ୍କାର ଭାବରେ ପ୍ରଶ୍ରୟ ଦିଆଯାଇଛି ।

 

ଜ୍ଞାନମାର୍ଗ ମଧ୍ୟ ଭକ୍ତିମାର୍ଗକୁ କମ୍ ଉପହାସ କରି ନାହିଁ । ବ୍ରାହ୍ମଣମାନେ ଓଡ଼ିଶାର ଜଗନ୍ନାଥ ମନ୍ଦିରରେ ଅସଲ ଜଗନ୍ନାଥଙ୍କର ମୂର୍ତ୍ତି ଦର୍ଶନରୁ ବଞ୍ଚିତ ହୋଇ ରହିଥିବା ଶୂଦ୍ର, ନିମ୍ନସ୍ଥ ଏବଂ ଅପାଂକ୍ତେୟମାନଙ୍କ ନିମନ୍ତେ ବାହାରେ ଗୋଟାଏ ପତିତପାବନର ମୂର୍ତ୍ତି ନେଇ ବସାଇ ଦେଇଥିବା ପରି ଜ୍ଞାନୀମାନେ ଜ୍ଞାନର ବହୁ କ୍ଳେଶକର ମାର୍ଗ ଲାଗି ଅଯୋଗ୍ୟ, ଅଳ୍ପସମର୍ଥମାନଙ୍କ ପାଇଁ ଭକ୍ତି ମାର୍ଗ ଯଥେଷ୍ଟ ବୋଲି କେଡ଼େ ଅହଂକାରର ସହିତ କହି ବୁଲିଛନ୍ତି । ଜ୍ଞାନୀପାଇଁ ମଧ୍ୟ ଭକ୍ତିର ଆବଶ୍ୟକତା ରହିଛି ଏବଂ ଭକ୍ତ ଭିତରର ଜିଜ୍ଞାସାହିଁ ତା’ର ଅସଲ ସନ୍ତକ ବୋଲି ସମ୍ପ୍ରଦାୟୀମାନେ କେଡ଼େ ସହଜରେ ଭୁଲି ଯାଇଛନ୍ତି । ଜ୍ଞାନ ଓ ଭକ୍ତି ଉଭୟର ବାଟକୁ ଏମାନେ ବଣା କରି ଦେଇଛନ୍ତି । ସାଧନାଗୁଡ଼ାକ ଏକପକ୍ଷ ହୋଇ ଯାଇଛି । ତଥାକଥିତ ଉପଲବ୍ଧିଗୁଡ଼ିକ ଭାରି ଅସମଞ୍ଜସ ହୋଇ ରହିଛି । ଆମ ସମସ୍ତଙ୍କୁ ଜ୍ଞାନହୀନ ଭକ୍ତି ଏବଂ ଭକ୍ତିହୀନ ଜ୍ଞାନର ଉତ୍ପୀଡ଼ନଗୁଡ଼ାକୁହିଁ ସହ୍ୟ କରିବାକୁ ହୋଇଛି । ଏବଂ, ଅସମଞ୍ଜସ ସାଧନାଗୁଡ଼ାକ ଭାରି ଅବର୍ଜିଆ ଭାବରେ ଭୂଇଁଛଡ଼ା ହୋଇ ରହିବାକୁ ଆଦୌ ବେଶି ସମୟ ଲାଗି ନାହିଁ ।

 

ଶ୍ରଦ୍ଧା ବ୍ୟତୀତ ଜ୍ଞାନ ଶୁଷ୍କ ହୁଏ, କ୍ରୂର ହୁଏ । ପୃଥିବୀରେ ଆଧୁନିକ ଜ୍ଞାନ ନାମରେ ବିଗତ କେତେ ଶହ ବର୍ଷ ହେଲା ଯାହା ହୁହୁ ହୋଇ ବୃଦ୍ଧି ପାଇ ଆସିଛି, ସେଥିରେ ଶ୍ରଦ୍ଧା ନଥିବାରୁ ତାହା ଏକାଧିକ ଅର୍ଥରେ ପୃଥିବୀ ଲାଗି ନାନା ଆତଙ୍କର କାରଣ ହୋଇଛି । ତାହା ଦୂରତାଗୁଡ଼ିକୁ ବଢ଼ାଇବାରେହିଁ ଅଧିକ ସାହାଯ୍ୟ କରିଛି । ପୃଥିବୀକୁ ଭାଗ ଭାଗ କରି ରଖିବାରେହିଁ ଅଧିକତର ପ୍ରରୋଚନା ଦେଇଛି । ତାହା ବଣିକର ଓ ଶାସକର କ୍ଷମତାକୁ ଉଗ୍ରରୁ ଅତ୍ୟୁଗ୍ର କରିବାରେ ହୁଏତ ଅଧିକ ସାହାଯ୍ୟ କରିଛି,–ଅଧିକରୁ ଅଧିକ ମଣିଷଙ୍କୁ ଶକ୍ତିହୀନ କରି ରଖିଛି । ମଣିଷକୁ ତାହା ତାହାର ଅସଲ ନିର୍ଭର ଏବଂ ଅସଲ ବିଶ୍ଵାସଗୁଡ଼ିକଠାରୁ ବାଟ ହୁଡ଼ାଇ ନେଇଯାଇଛି । ଶ୍ରଦ୍ଧାହୀନ ଜ୍ଞାନ କ୍ଷମତାରେ ବସିଥିବା ଅନେକ ଅଯୋଗ୍ୟ ମଣିଷଙ୍କୁ ଗୋଟାଏ ଗୋଟାଏ ଦୈତ୍ୟ ପରି ଆଚରଣ କରିବା ଲାଗି ସୁରାକଗୁଡ଼ିକୁ ଆଣି ଯୋଗାଇ ଦେଇଛି । ଠିକ୍ ସେହିପରି, ଯେତେବେଳେ ଭକ୍ତି ବା ଶ୍ରଦ୍ଧା ଭିତରୁ ଜ୍ଞାନର ଭାଗଟିକୁ ବିତାଡ଼ିତ କରି ରଖାଯାଏ, ସେତେବେଳେ ଭକ୍ତି ନାମରେ, ଗୁରାଏ ଆବୁରୁକାବୁରୁ ବାହ୍ୟତା ଆସି ଥାନ ମାଡ଼ି ବସିଯାଏ । ଗୁଡ଼ାଏ ଘଣ୍ଟବାଜେ, ମିଛ ବାନାଗୁଡ଼ାକ ହୁଏତ ସବୁଠାରୁ ଅଧିକ ଜକଜକ ହୋଇ ଉଡ଼ିବା ଲାଗି ପ୍ରଶ୍ରୟ ପାଆନ୍ତି । ଜ୍ଞାନ ବିନା ଭକ୍ତି ସତେଅବା ଏକ କାମାତୁରତାରେ ପରିଣତ ହୋଇଯାଏ । ସଂସାରକାମୀମାନେ ସେହି କାମାତୁରତା ଭାରି ପ୍ରୋତ୍ସାହନ ଲାଭ କରନ୍ତି । ସେମାନେ ଦେଉଳ ତୋଳି ଦିଅନ୍ତି, ଚାନ୍ଦିନୀ ବସାଇ ଦିଅନ୍ତି–ତୁଚ୍ଛ ତିମିରଗୁଡ଼ାକରହିଁ ବହୁବିଧ ଅର୍ଚ୍ଚନା ହେବାରେ ଲାଗିଥାଏ । ଗୁରୁମାନଙ୍କୁ ମିଛଗୁରୁ ହୋଇ ବାହାରିବା ଲାଗି ସେତେବେଳେ କେତେ ମଉକା ମିଳିଯାଏ । ତୁଚ୍ଛା ବାହ୍ୟତାଗୁଡ଼ାକ ଚଉକି ଉପରେ ବସି ଅସଲ ଅଭୀପ୍ସାଗୁଡ଼ିକୁ କେଡ଼େ ଦର୍ପରେ ହୁରୁଡ଼ାଇ ଦେବାରେ ଲାଗିଥାଆନ୍ତି ।

 

ତେଣୁ, ଖାଲି ଜ୍ଞାନ ନୁହେଁ କି ଖାଲି ଭକ୍ତି ନୁହେଁ,–ଜ୍ଞାନ ଓ ଭକ୍ତି ଉଭୟ ଯଥାର୍ଥ ଜ୍ଞାନର ଭିତରେ ଅସଲ ପ୍ରେରଣକାରୀ ବୀଜରୂପେ ଭକ୍ତି ରହିଥାଏ ଏବଂ ଯଥାର୍ଥ ଭକ୍ତି ଯାବତୀୟ ସଚଳତାରେ ଜ୍ଞାନହିଁ ଆଖି ପରି ହୋଇ ରହିଥାଏ । ତୁଚ୍ଛା ଜ୍ଞାନ ଓ ତୁଚ୍ଛା ଭକ୍ତି ଦୌରାତ୍ମ୍ୟଗୁଡ଼ାକର ସମ୍ମୁଖୀନ ହେବା ଲାଗି ଭାରତୀୟ ସନ୍ଥ-ପରମ୍ପରାର ଏକ ଜ୍ଞାନମିଶା ଭକ୍ତି ବ୍ୟାଖ୍ୟାନ କରାଯାଇଛି-। ଅର୍ଥାତ୍ ସାଧନାରେ ଜ୍ଞାନ ଥିବ, ଭକ୍ତି ରହିଥିବ । ଶ୍ରଦ୍ଧାହିଁ ଯାବତୀୟ ଜ୍ଞାନର ଚାଳକ–ଶକ୍ତିରୂପେ ବ୍ୟବହୃତ ହୋଇ ପାରୁଥିବ । ଭକ୍ତି ଏକ ଅନ୍ତର୍ଗତ ଜ୍ଞାନୋଜ୍ଜ୍ୱଳତାଦ୍ଵାରା ଆପଣାର ଯାବତୀୟ ବିକୃତ-ସମ୍ଭାବନାକୁ ଅତିକ୍ରମ କରି ପାରୁଥିବ । ଯେଉଁମାନେ ଯଥାର୍ଥରେ ଜ୍ଞାନୀ, ସେମାନେ ଭକ୍ତି ବା ଶ୍ରଦ୍ଧାକୁ କଦାପି ବାଦ୍ ଦେଇ ନାହାନ୍ତି; ଯେଉଁମାନେ ଯଥାର୍ଥରେ ଭକ୍ତି, ସେମାନେ କଦାପି ଜ୍ଞାନକୁ ଗୌଣ ବୋଲି କହିନାହାନ୍ତି । କେବଳ ସମ୍ପ୍ରଦାୟୀମାନେହିଁ ସେପରି କରିଛନ୍ତି । କେବଳ ଆପଣାର ମାର୍ଗଟିକୁ ଏକମାତ୍ର ମାର୍ଗ ବୋଲି ଘୋଷଣା କରୁଥିବା ପର୍ଯ୍ୟନ୍ତ ଏକ ସମ୍ପ୍ରଦାୟୀ ସୂତ୍ରତଃ ସମ୍ପ୍ରଦାୟୀ ହୋଇ ରହିବା ଲାଗି ଭିତରୁ ଏକ ଅପବଳ ପାଉଥିବା ପରି ଅନୁଭବ କରୁଥାଏ । ସେହି ଅପବଳ ତା’ର ଅସଲ ମୂଳଟିରେ ତାକୁ ଭାରି ଦୁର୍ବଳ କରି ରଖିଥାଏ । ଭିତରେ ଅସଲ ବଳଟି ଉପରୁ ସଂଯୋଗ ତୁଟିଗଲେହିଁ ମଣିଷ ବାହାରେ ଉଗ୍ର ହୋଇଥାଏ, ନିଜର ପଇତାଟିକୁହିଁ ସଂସାରରେ ସର୍ବଶ୍ରେଷ୍ଠ ପଇତା ବୋଲି କହି ସିଏ ଭାରି ଗୋଳ କରିବାରେ ଲାଗିଥାଏ । ସଂସ୍କାରବଶତଃ ଯେଉଁ ପଥଚାରୀର ଭକ୍ତିଭାଗଟି ବାହାରକୁ ଅଧିକ ପ୍ରକାଶିତ ହୋଇ ରହିଥିବା ପରି ମନେ ହେଉଥାଏ, ତାହାର ଅନ୍ତଃସଦନରେ ଜ୍ଞାନ ରହିଥାଏ, ଏବଂ, ବାହାରକୁ ଯିଏ କେବଳ ଜ୍ଞାନୀ ପରି ଦିଶୁଥାଏ ତା’ ଭିତରେ ଶ୍ରଦ୍ଧା ଅବଶ୍ୟ ରହିଥାଏ । ଦୁଇଟିଯାକ ପ୍ରେରଣା ଏକାବେଳକେ ରହିଥାଆନ୍ତି; କେବଳ ଦୁଇଟିଯାକ ପ୍ରେରଣାଦ୍ଵାରାହିଁ ଜୀବନରେ ଯଥାର୍ଥ ଈପ୍ସିତଗୁଡ଼ିକୁ ସ୍ପର୍ଶ କରିହୁଏ ।

 

ମାଆ ଗୋଟିଏ ଜାଗାରେ (ମାତୃରଚନାବଳୀ (ଇଂରାଜୀ), ଷଷ୍ଠ ଖଣ୍ଡ, ୧୯୯୭, ପୃଷ୍ଠା-୧୨୧) କହିଛନ୍ତି : “ଯେଉଁମାନେ ପ୍ରଧାନତଃ ବୁଦ୍ଧିଦ୍ଵାରାହିଁ ଜୀବନ ତଥା ଜଗତ ସହିତ ସ୍ଥାପନ କରନ୍ତି, ଏକ ସରଳ, ନିଷ୍ଠାଯୁକ୍ତ ଏବଂ ନିର୍ମଳ ହୃଦୟ ରହିଥିବା ଓ ବୁଦ୍ଧିଗତ କୌଣସି ଜଟିଳତା ନଥିବା ବ୍ୟକ୍ତିମାନଙ୍କର ତୁଳନାରେ ବିଶ୍ଵାସର ମାର୍ଗକୁ ଆସିବା ସେମାନଙ୍କ ପକ୍ଷରେ ଅପେକ୍ଷାକୃତ ଅଧିକ କଷ୍ଟକର । ମାତ୍ର ମୁଁ ଭାବୁଛି ଯେ, ଯଦି ଜଣେ ବୁଦ୍ଧିପ୍ରଧାନ ମନୁଷ୍ୟ ବିଶ୍ଵାସର ମାର୍ଗ ଭିତରକୁ ପ୍ରକୃତରେ ଆସିପାରିବ, ତେବେ ସିଏ ଯଥାର୍ଥତଃ ପ୍ରଭୂତ ଶକ୍ତି ଅଧିକାରୀ ହୋଇପାରିବ,–ସିଏ ଏପରି ଭାବରେ ପ୍ରଭୂତ ଶକ୍ତିର ଅଧିକାରୀ ହୋଇପାରିବ, ଯାହାଦ୍ୱାରା କି ପ୍ରକୃତରେ ନାନା ଅସାଧ୍ୟ ମଧ୍ୟ ସାଧ୍ୟ ହୋଇ ପାରିବ ।” ଯେଉଁମାନେ ଜ୍ଞାନରେ ଅଛନ୍ତି ବୋଲି ‘ଭକ୍ତି ନିନ୍ଦନ୍ତି ଏବଂ ତେଣୁ ନିଜକୁ ଯାବତୀୟ ଭକ୍ତି ପାଖରେ ଅଛୁଆଁ କରି ରଖିଥାନ୍ତି ସେମାନଙ୍କର ମାଆଙ୍କର ଏହି କଥାଟିକୁ ପ୍ରକୃତରେ ଅନେକ ପ୍ରେରଣା ଲାଭ କରିବାକୁ ରହିଛି । ମାଆଙ୍କର ଭକ୍ତିଟିକୁ ଆରପଟକୁ ଲମ୍ବାଇ ଦେଇ ସମ୍ଭବତଃ ଏକଥା ମଧ୍ୟ କୁହାଯାଇପାରିବ ଯେ, ଯଦି ଭକ୍ତି ମଧ୍ୟ ଯଥେଷ୍ଟ ଗ୍ରହଣଶୀଳତା ସହିତ, ଜ୍ଞାନ ସହିତ, ତା’ ଆପଣା ଭିତରେ ରହିଥିବା ଜ୍ଞାନଭାଗଟି ସହିତ ନିଜକୁ ସଂଯୁକ୍ତ କରି ରଖିପାରିବ, ତେବେ ସିଏ ମଧ୍ୟ ଅତୁଲ ଓ ଅମିତ ଶକ୍ତି ଅଧିକାରୀ ହୋଇ ପାରିବ, ଯାହାଦ୍ଵାରା କି ଅନେକ ଅସାଧ୍ୟ ପ୍ରକୃତରେ ସାଧ୍ୟ ହୋଇଯିବ ।

 

ତେଣୁ, କଳହ ଜ୍ଞାନ ଆଉ ଭକ୍ତି ଭିତରେ କଦାପି ନୁହେଁ । ଆମ ଭିତରେ ଦୁଇଟିଯାକର ପ୍ରବଣତା ରହିଛି । ଆମେ ଗୋଟିଏ ଦୁଆରକୁ ଖୋଲା ରଖିପାରିବା ସକାଶେ ଆର ଦୁଆରକୁ ବନ୍ଦ କରି ରଖିଥିବା ପର୍ଯ୍ୟନ୍ତ ଆମରି ଭିତରେହିଁ ଜ୍ଞାନ ଏବଂ ଭକ୍ତି ମଧ୍ୟରେ ବିବାଦ ଲାଗି ରହିଥିବ । ଗୋଟିକ ସହିତ ଖିଅ ଲଗାଇ ରଖିବା ସକାଶେ ଆରଟି ସହିତ ଖିଅ ଛିଡ଼ାଇ ରହିବାକୁ ଆମେ ଆବଶ୍ୟକ ବୋଲି ଭ୍ରମ କରୁଥିବା ପର୍ଯ୍ୟନ୍ତ ଆମରି ଭିତରେହିଁ ଭକ୍ତି ଓ ଜ୍ଞାନର ଦ୍ଵନ୍ଦ୍ଵ ଲାଗି ରହିଥିବ-। ପଥଚାରୀ ଦୁଇଟିଯାକକୁ ଚିହ୍ନିବ, ଊର୍ଦ୍ଧ୍ଵାକାଶର ଅଭିଳାଷ ରଖିଥିବା ଆମ ଭିତରର ଚଢ଼େଇଟି ଦୁଇଟିଯାକ ଡେଣାକୁ ସାଙ୍ଗରେ ନେଇ ଅବଶ୍ୟ ବଢ଼ିବ । ତେବେଯାଇ ସାଧନା ବଳିଷ୍ଠ ହେବ; ଭକ୍ତି ଦୁର୍ବଳ ହୋଇ ପଡ଼ୁଥିଲେ ଓ ନାନା ବିହ୍ଵଳତା ମଧ୍ୟରେ ହୁଡ଼ି ଯିବାଲାଗି ମନ କରୁଥିଲେ ଜ୍ଞାନ ତାକୁ ଯଥାର୍ଥ ନେତ୍ରରେ ଦେଖିବାର ଶୈଳୀଟିକୁ ଆସି ଶିଖାଇଦେବ ଏବଂ ଜ୍ଞାନ ଉଗ୍ର ହେବାକୁ, କ୍ରୂର ହେବାକୁ ମନ କରୁଥିଲେ ଭକ୍ତି ତାକୁ କୋମଳତା ଆଣି ଦେବ, ସମଗ୍ରତା ଆଣି ଦେବ, ତାକୁ ଅଧିକରୁ ଅଧିକ ଗ୍ରହଣଶୀଳ କରି ରଖିପାରୁଥିବ । ସୁସ୍ଥ ସାଧନା ସେତିକିବେଳେ ସମ୍ଭବ ହେବ-

 

ଅଗଷ୍ଟ ୧୫, ୧୯୮୬

Image

 

Unknown

ମହତୀ ବିନଷ୍ଟି

 

ମଣିଷମାନେ କୁଆଡ଼େ ସ୍ଵଭାବତଃ ସ୍ଵାର୍ଥକାମୀ,–ସେମାନେ ସବାଆଗ ନିଜର ସମୃଦ୍ଧି କଥା ଭାବନ୍ତି । ପ୍ରତ୍ୟେକ ମଣିଷ ଏହିପରି ଭାବରେ ସ୍ଵାର୍ଥ ଓ ସମୃଦ୍ଧିଦ୍ଵାରା ତାଡ଼ିତ ହୋଇ ଜୀବନରେ ନାନା ଗୁହାଳ ଓ ଗଳି ଭିତରେ ଧାବିତ ହୋଇ ରହିଥିବାରୁ ଏହି ସଂସାରଟାକୁ ମଧ୍ୟ ଅନେକ ଜାଣିବା ଶୁଣିବା ମଣିଷ ମୂଳତଃ ପ୍ରତିଦ୍ଵନ୍ଦ୍ୱିତାର ଏକ ସଂସାର ବୋଲି କହିଛନ୍ତି । ଏହି ସଂସାରରେ ଆଦୌ କେହି କାହାର ନୁହନ୍ତି,–ସବୁ ମଣିଷ ଏଠାକୁ ଆସିଲାବେଳେ ଯେପରି ଏକାକୀ ଆସିଥାନ୍ତି, ଏଠାରୁ ଗଲାବେଳେ ମଧ୍ୟ ଠିକ୍ ସେହିପରି ଏକାକୀ ହୋଇଯାଆନ୍ତି, ଏହିପରି ଏକ ସ୍ଵାର୍ଥବାଦୀ ଯୁକ୍ତିକୁ ଦର୍ଶନର ଉଦାସପୁଟ ଲଗାଇ ଆମ ପୃଥିବୀର ନୀତିବାଦୀମାନେ ମଧ୍ୟ ଏକ ନୈତିକ ଜୀବନର ମୂଳ ଔଚିତ୍ୟଗୁଡ଼ିକୁ ନିର୍ଣ୍ଣୟ କରିବା ଲାଗି ପ୍ରବୃତ୍ତ ହୋଇଥାନ୍ତି । ସମାଜଟା ମଧ୍ୟ ସ୍ୱାର୍ଥରେ ଚାଲେ, ମଣିଷ ମୂଳତଃ ଆପଣା ଲାଗିହିଁ କୁଆଡ଼େ ଅନ୍ୟମାନଙ୍କୁ ଲୋଡ଼େ; ଆତ୍ମ-ଅର୍ଥରେ କୃଷ୍ଣକୁ ବାଞ୍ଛା କରେ,–ଆମ ସଂସାରର ଗୁରୁଜନମାନେ ଲେଖିଥିବା କେତେ ପୁସ୍ତକରେ ଆମକୁ କେତେ ଝିଙ୍ଗାସ ଦେଇ ସବାଆଗ ଆପଣାର ଲାଭ, ଆପଣାର ବୃଦ୍ଧି ଓ ଆପଣାର ମୁକ୍ତି ଲାଗିହିଁ ସବୁଠାରୁ ଅଧିକ ଏକାଗ୍ର ଭାବରେ ତତ୍ପର ହୋଇ ରହିବା ଲାଗି ପ୍ରଚୋଦନା ପ୍ରଦାନ କରିଛନ୍ତି ।

 

ପୃଥିବୀର ଅର୍ଥନୀତି ମଧ୍ୟ ହୁଏତ ଚତୁର ମଣିଷମାନଙ୍କୁହିଁ ବିଜ୍ଞ ବୋଲି କୁହାଯିବାର ପ୍ରାୟ ସେହି ଆବହମାନ କାଳରୁ ପ୍ରଧାନତଃ ସ୍ଵାର୍ଥବୁଦ୍ଧି ମଣିଷମାନଙ୍କ ଦ୍ଵାରା ପରିଚାଳିତ ହୋଇ ଆସିଛି । ମଣିଷର ସ୍ଵାର୍ଥଗତ ସଂସାରଟି ମଧ୍ୟ ସେହି ଅର୍ଥନୀତିଦ୍ଵାରା ସର୍ବାଧିକ ପରିଣାମରେ ଉପକୃତ ହୋଇ ଆସିଛି । ପୃଥିବୀର ତଥାକଥିତ ବିଜ୍ଞାନମାନେ ସେହିସବୁ ଅର୍ଥନୀତି ତୋଷଣ ତଥା ପୋଷଣ କରି ଆସିଛନ୍ତି । ସ୍ଵାର୍ଥକାମୀ ମନୁଷ୍ୟ ସ୍ଵାର୍ଥର ସିଦ୍ଧି ଲାଗି ଭଗବାନଙ୍କୁ ମଧ୍ୟ ଲୋଡ଼ିଛି, ଧର୍ମଗୁଡ଼ିକରେ ଭିଆଣ କରିଛି । ଆହୁରି ଅଧିକ ନିର୍ଭୁଲ ଭାବରେ କହିଲେ, ସ୍ଵାର୍ଥକାମୀ ମନୁଷ୍ୟ ସିଏ ସ୍ଵୟଂ ଭିଆଣ କରୁଥିବା ସୂତ୍ରଗୁଡ଼ିକୁ ବ୍ୟବହାର କରି ତା’ର କାମରେ ଲାଗିପାରିବା ଭଳି କଳ୍ପନାଟିଏ ଗଢ଼ି ଓ ସେଥିରେ ମାଟି ଲେସି ତାକୁହିଁ କାଳକ୍ରମେ ଭଗବାନ ବୋଲି କହିବାକୁ ଆରମ୍ଭ କରିଛି । ଧର୍ମ-ବଣିକରେ ସଫଳ ହେଉଥିବା ମଣିଷ ଲାଗି ସ୍ଵର୍ଗର ବରାଦ ହୋଇଛି ଏବଂ ବିଫଳମାନଙ୍କର ସକାଶେ ନର୍କଗୁଡ଼ିକର ନିର୍ଦ୍ଦେଶ ଦିଆଯାଇଛି । ଏହି ଯାବତୀୟ ନ୍ୟାସ ଓ ଆରୋପକୁ ଭଳିଭଳି କାହାଣୀ ଓ ଉପନ୍ୟାସଦ୍ଵାରା ରଞ୍ଜିତ କରି ଆମ ପୃଥିବୀରେ ପ୍ରାୟ ସବୁ ଧର୍ମରେ ପୁରାଣମାନ ଲେଖାଯାଇଛି ।

 

ମାଆଙ୍କ ସହିତ କଥୋପକଥନ ହେଉଥିବା ସମୟରେ ଜଣେ ସାଧକ ମାଆଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ଆଶ୍ରମରେ ବାସ କରୁଥିବା କେତେକ ବ୍ୟକ୍ତି ବିଭିନ୍ନ କର୍ମ ବିଭାଗରେ ଅନେକ ସମୟରେ ନିଜର ଖିଆରଦ୍ଵାରା ପରିଚାଳିତ ହୋଇ କ’ଣ ମନ କ’ଣ ପକାଉଥିବାରୁ ବହୁପରିଣାମରେ ଅର୍ଥର ବରବାଦ ହେଉଛି । ମାଆ ସଙ୍ଗେ ସଙ୍ଗେ ଉତ୍ତର ଦେଇ କହିଲେ : “ଖାଲି କ’ଣ ଅର୍ଥର ବରବାଦ ବା ନଷ୍ଟ ହେଉଛି ? Energy, Consciousness is infinitely a thousand times more wasted than money–ପଇସାଠାରୁ ଶକ୍ତି ଓ ଚେତନାହିଁ ଅସରନ୍ତି ଭାବରେ ହଜାରଗୁଣ ଅଧିକ ନଷ୍ଟ ହୋଇ ଯାଉଛି ।” କଥାଟିର ବିଶଦ ବ୍ୟାଖ୍ୟା କରି ମାଆ ତା’ପରେ ଯାହାସବୁ କହିଲେ, ତାହାର ସାରାଂଶ ହେଉଛି : ଏପରି ଗୋଟିଏ ମୁହୂର୍ତ୍ତ ମଧ୍ୟ ନାହିଁ, ଯେତେବେଳେ କି ଆଦୌ କିଛି ହେଲେ ନଷ୍ଟ ହେଉନାହିଁ । ବେଳେବେଳେ ଆହୁରି ଅଧିକ ମନ୍ଦ କଥାମାନବି ହେଉଛି । ଅନେକ ସମୟରେ ବ୍ୟକ୍ତିମାନଙ୍କର ପ୍ରାୟ ଏପରି ଏକ ଅଭ୍ୟାସ ହୋଇ ଯାଇଛି ଯେ, ସେମାନେ ନିଜର ଶକ୍ତି ଅନୁସାରେ ଯଥାସମ୍ଭବ ଅଧିକ ଶକ୍ତି ଓ ଅଧିକ ଚେତନା ନିଜ ଭିତରକୁ ଗ୍ରହଣ କରାଇ ନେଉଛନ୍ତି ଏବଂ ତାହାକୁ ଆପଣାର ନାନା ବ୍ୟକ୍ତିଗତ ସନ୍ତୋଷ ବିଧାନରେହିଁ ବିନିଯୋଗ କରୁଛନ୍ତି । ଏହିକଥା ବସ୍ତୁତଃ ପ୍ରତ୍ୟେକ ମୁହୂର୍ତ୍ତରେ ଘଟୁଛି । ଯେଉଁସବୁ ଶକ୍ତି ଓ ଚେତନାକୁ ଏଠାରେ ତୁମମାନଙ୍କ ଅନୁକ୍ଷଣ ଅଜାଡ଼ି ଦିଆଯାଉଛି, ଯଦି ତାହାକୁ ସମ୍ପୂର୍ଣ୍ଣ ଭାବରେ ଯଥାର୍ଥ ଉଦ୍ଦେଶ୍ୟଟି ସାଧନ ଲାଗି ବ୍ୟବହାର କରାଯାଇପାରନ୍ତା, ଅର୍ଥାତ୍ ତାହାକୁ ଦିବ୍ୟ କାର୍ଯ୍ୟଟି ଲାଗି ତଥା ଦିବ୍ୟ କାର୍ଯ୍ୟର ପ୍ରସ୍ତୁତି ଲାଗି ବ୍ୟବହାର କରାଯାଇପାରନ୍ତା, ତେବେ ଆମେ ତ ଆମ ମାର୍ଗରେ ଯଥେଷ୍ଟ ଦୂର ଆଗରେ ଯାଇ ପହଞ୍ଚି ସାରନ୍ତୁଣି; ଆମେ ବର୍ତ୍ତମାନ ଯେଉଁଠି ରହିଛୁ, ତାହାଠାରୁ ଅନେକ ଆଗକୁ ଯାଇ ସାରନ୍ତୁଣି । ମାତ୍ର, ପ୍ରତ୍ୟେକ ବ୍ୟକ୍ତି, ଅଳ୍ପ ବହୁତ ସଚେତନା ଭାବରେ, ଏବଂ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ନିଜର କୌଣସି ସହଜାତ ପ୍ରବୃତ୍ତିଦ୍ଵାରା ତାଡ଼ିତ ହେବାରେ ଲାଗିଥିବା ପରି ଆପଣାର ଯଥାଶକ୍ତି ଅଧିକରୁ ଅଧିକ ଶକ୍ତି ଏବଂ ଚେତନାକୁ ଗ୍ରହଣ କରୁଛନ୍ତି ଏବଂ ସେହି ଶକ୍ତି ନିଜ ଭିତରେ ଅନୁଭବ କରିବାକୁ ଆରମ୍ଭ କଲାମାତ୍ରକେ, ତାହାକୁ ଆପଣାର ବ୍ୟକ୍ତିଗତ ଅଭୀଷ୍ଟଗୁଡ଼ିକର ସାଧନ ନିମନ୍ତେ ବ୍ୟବହାର କରୁଛନ୍ତି, ନିଜର ବ୍ୟକ୍ତିଗତ ସନ୍ତୋଷବିଧାନ ଲାଗି ତାହାର ବିନିଯୋଗ କରିଛନ୍ତି ।

 

[ମାତୃରଚନାବଳୀ, (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ଷଷ୍ଠ ଖଣ୍ଡ ୧୯୭୯, ପୃଷ୍ଠା ୧୫୫-୫୬]

 

ମାଆ ଆହୁରି ଆଗକୁବି କହିଛନ୍ତି, “ଯେଉଁ ମହାନ୍ ଶକ୍ତି ଏଠାରେ ବିଦ୍ୟମାନ ରହିଛି, ଟଙ୍କାପଇସା ଇତ୍ୟାଦି ଯାବତୀୟ ଅର୍ଥଶକ୍ତିଠାରୁ ଯାହା ଅନନ୍ତ ଗୁଣ ଅଧିକ ବୃହତ୍ ଏବଂ ଅନନ୍ତ ଗୁଣ ଅଧିକ ମୂଲ୍ୟବାନ । ଏଠାରେ ବିଦ୍ୟମାନ ରହିଥିବା ଯେଉଁ ଶକ୍ତି ଅସୀମ ଧୈର୍ଯ୍ୟ ଏବଂ ଅଧ୍ୟବସାୟ ସହିତ ସତତ ତଥା ସଚେତନ ଭାବରେ ପ୍ରଦାନ କରାଯାଉଛି, କେବଳ ଗୋଟିଏ ଉଦ୍ଦେଶ୍ୟର ସାଧନ ନିମନ୍ତେ ତାହାକୁ ପ୍ରଦାନ କରାଯାଉଛି, କେବଳ ଦିବ୍ୟ କର୍ମର ଉପଲବ୍ଧି ଉଦ୍ଦେଶ୍ୟରେହିଁ ତାହାକୁ ପ୍ରଦାନ କରାଯାଉଛି । ଏବଂ, ସେହି ଶକ୍ତିକୁ ମୁଁ କଦାପି ବରବାଦ କରିବି ନାହିଁ ବୋଲି ପ୍ରକୃତରେ କିଏ ଚିନ୍ତା କରୁଛି ! କିଏ ପ୍ରକୃତରେ ହୃଦୟଙ୍ଗମ କରୁଛି ଯେ, ଅଗ୍ରଗତି କରିବା ଏବଂ ଅଧିକ ଭଲ ଭାବରେ ବୁଝିପାରିବା ତଥା ବଞ୍ଚି ପାରିବା ଲାଗି ନିଜକୁ ପ୍ରସ୍ତୁତ କରିବା ହେଉଛି ଏଠାରେ ପ୍ରତ୍ୟେକ ବ୍ୟକ୍ତିର ଏକ ପବିତ୍ର କର୍ତ୍ତବ୍ୟ ? କାରଣ, ଲୋକମାନେ ତ ସେହି ଦିବ୍ୟ ଶକ୍ତି ଓ ଦିବ୍ୟ ଚେତନାକୁ ନିଜେ ବଞ୍ଚି ରହିବା ଲାଗି କାମରେ ଲଗାଉଛନ୍ତି ଏବଂ ସେଗୁଡ଼ିକୁ ନିଜର ବ୍ୟକ୍ତିଗତ ଅଭୀଷ୍ଟସାଧନ ଓ ସ୍ଵାର୍ଥ ଲାଗି ବିନିଯୋଗ କରିବାରେ ଲାଗିଛନ୍ତି ।

 

“କେତେ ହଜାର ଟଙ୍କା ନଷ୍ଟ ହୋଇଗଲା ବୋଲି ତୁମକୁ ଆଘାତ ଲାଗିଯାଉଛି, ମାତ୍ର ଯେତେବେଳେ... ଯେତେବେଳେ ସେହି ପରମ ଚେତନାର ଓ ପରମ ଶକ୍ତିର ସ୍ରୋତଗୁଡ଼ିକୁ ସେମାନଙ୍କର ଯଥାର୍ଥ ଗତିପଥରୁ ଅନ୍ୟଆଡ଼କୁ ବିଚ୍ୟୁତ କରି ନିଆଯାଉଛି, ସେତେବେଳେ ତ କାହିଁ ତୁମେ ଆଦୌ କୌଣସି ପ୍ରକାରେ ଆତଙ୍କିତ ଅନୁଭବ କରୁ ନାହଁ !”

 

ଆମେ ଯେଉଁ ଉତ୍ସଟିକୁ ଖୋଜି ବାହାରିଛୁ, ସେହି ଉତ୍ସର ଯାବତୀୟ ଶକ୍ତି ଓ ଯାବତୀୟ ଚେତନା ଅବିରାମ ଏବଂ ଅକୃପଣ ଭାବରେ ଏଇଠି ଆମ ଜୀବନ ଉପରେ ଅଜାଡ଼ି ହୋଇ ପଡ଼ୁଛି । ପରମ କରୁଣା ଆମ ଲାଗି ଅମାପ ବହୁ ସୁଯୋଗର ସୌଭାଗ୍ୟ ବହନ କରି ଆମର ପାଖେପାଖେ ରହିଛି । ଆମେ ପରମ ଲୋଭରେ ତାହାକୁ ଆତ୍ମସାତ କରୁଛୁ, ମାତ୍ର ତାହାକୁ ନିଜର ସ୍ଵାର୍ଥ ଏବଂ କ୍ଷୁଦ୍ର ଅଭିପ୍ରାୟଗୁଡ଼ିକର ପୂରଣରେହିଁ କାମରେ ଲଗାଇବାରେ ତତ୍ପର ହୋଇ ରହିଛୁ । ଭଗବାନ ଆମକୁ ସୁଖରେ ରଖିବେ, ଆମର ଧନ ଓ ଯଶକୁ ଆହୁରି କେତେଗୁଣ ଅଧିକ କରାଇବେ ବୋଲି ଆମେ ଭଗବାନଙ୍କ ପାଖକୁ ଯାଉଛୁ, ତାଙ୍କୁ ପ୍ରାର୍ଥନା କରୁଛୁ ଅଥବା ତାଙ୍କର ନାମକୁ ଜପ କରୁଛୁ । ଆମେ ତାଙ୍କୁ ସିନା ଆମର ନାନା କାମରେ ଲଗାଉଛୁ, ମାତ୍ର ନିଜେ ତାଙ୍କ କାମରେ ଲାଗି ପାରିବା ସକାଶେ ମୋଟେ ରାଜି ହୋଇ ପାରୁନାହୁଁ । ଆମ ଭିତରୁ କିଏ ନିଜର କାର୍ଯ୍ୟ ଓ କାମନାଗୁଡ଼ିକର ସିଦ୍ଧିଲାଗି ଭଗବାନଙ୍କୁ କାମରେ ଲଗାଇ ପାରିବ, ସେହି କଥାଟିର ବାଜି ମରାମରି ହୋଇ ଆମର ବ୍ୟକ୍ତିଗତ ତଥା ସାମୂହିକ ଜୀବନରେ ଧର୍ମ ଓ ଧର୍ମ ଭିତରେ ଏବଂ ମାର୍ଗ ଓ ମାର୍ଗ ଭିତରେ ପ୍ରତିନ୍ଦ୍ଵନ୍ଦ୍ୱିତା ଚାଲିଛି । ଆମରି କାମନାଗୁଡ଼ିକଦ୍ଵାରା ଆକ୍ରାନ୍ତ ହୋଇ ଭଗବାନ ଆମ ସ୍ତରକୁ ଆସି ବହୁସଂଖ୍ୟକ ଠାକୁରରେ ପରିଣତ ହୋଇ ରହିଛନ୍ତି ଏବଂ ଏହି ଠାକୁରମାନଙ୍କୁ ସତେଅବା ଘୋଡ଼ାପରି ବ୍ୟବହାର କରି ଆମର କାମନାଗୁଡ଼ିକ ମଧ୍ୟରେ ଯୁଦ୍ଧ ଚାଲିଛି । ପୃଥିବୀର ଇତିହାସରେ ସ୍ଵାର୍ଥବୁଦ୍ଧି ମଣିଷ କେଡ଼େ ପରାକ୍ରମ ଦେଖାଇ ସେହି ଯୁଦ୍ଧରେ ମାତିକରି ରହିଛି । ମାଆ ଏହାକୁହିଁ ପୃଥିବୀର ମହତୀ ବିନଷ୍ଟି ବୋଲି କହିଛନ୍ତି । ପ୍ରକୃତ ବିଧାନ ଅନୁସାରେ ଏହାର ବିପରୀତ କଥାଟିହିଁ ହେଉଥା’ନ୍ତା । ଆମେ ନିଜ ଉଦ୍ଦେଶ୍ୟରେ ସିଦ୍ଧି ନିମନ୍ତେ ଯାହାଙ୍କୁ ନିଜ ଆଡ଼କୁ ଟାଣି ଆଣିବାରେ ଲାଗିଛୁ, ଉଚିତ ମାର୍ଗଟିରେ ରହିଥିଲେ ଅର୍ଥାତ୍ ଉଚିତ ଚେତନାରେ ରହିଥିଲେ ଆମେ ସ୍ଵୟଂ ନିଜକୁ ତାଙ୍କରି କାର୍ଯ୍ୟଲାଗି ଅଧିକରୁ ଅଧିକ ଯୋଗ୍ୟ ଓ ଅଧିକରୁ ଅଧିକ ପ୍ରସ୍ତୁତ କରିବାରେ ଲାଗିଥାନ୍ତୁ । ଆମର ଯାବତୀୟ ଅର୍ଜନ, ମନନ, ଧ୍ୟାନ ଓ ପ୍ରାର୍ଥନା ଅତ୍ୟନ୍ତ ସ୍ଵାଭାବିକ ଭାବରେ ସେହି ଆଡ଼କୁ ଅଭିପ୍ରେତ ହୋଇ ରହିଥାଆନ୍ତା ।

 

ଶକ୍ତି ତାଙ୍କରି, ଚେତନା ମଧ୍ୟ ତାଙ୍କରି । ଯଥାର୍ଥ ଚେତନାରେ ଯେପରି କୌଣସି ବାଡ଼ ନାହିଁ, ଯଥାର୍ଥ ଶକ୍ତିକୁ ମଧ୍ୟ ଆମେ ସେହିପରି କଦାପି ଆମ ଲାଗି ଉଦ୍ଦିଷ୍ଟ ହୋଇ ରହିଥିବା ଏକ ଶକ୍ତିରୂପେ ବ୍ୟବହାର କରିବାକୁ ମନ କରିବା ନାହିଁ । ସେପରି ହେଲେ ତାହା କେବଳ ବରବାଦ ହେବାରେ ଲାଗିଥିବ । ସଭ୍ୟତା ଓ ଶିକ୍ଷାର ବୃଦ୍ଧି ହେଉଥିବା ସଙ୍ଗେସଙ୍ଗେ ଆମ ପୃଥିବୀରେ ଧନ ବଢ଼ିଛି, ଜ୍ଞାନ ବଢ଼ିଛି, ବିଜ୍ଞାନ ମଧ୍ୟ ବୃଦ୍ଧି ପାଇଛି । ମାତ୍ର ଏଗୁଡ଼ିକୁ ମନୁଷ୍ୟ ତା’ର ବ୍ୟକ୍ତିଗତ ଏବଂ ସାମୂହିକ ଜୀବନରେ ସଂକୀର୍ଣ୍ଣ ସ୍ଵାର୍ଥସିଦ୍ଧିରେ ମୁଖ୍ୟତଃ ଲଗାଇ ଆସିଥିବାରୁ ଏଗୁଡ଼ିକ ପ୍ରକୃତରେ ବରବାଦ ହୋଇଯାଇଛି, ଏବେ ମଧ୍ୟ ବରବାଦ ହେବାରେ ଲାଗିଛି । ଏତେ ଧନ, ଏତେ ବୁଦ୍ଧି ଓ ଏତେ ସାମର୍ଥ୍ୟ ସତ୍ତ୍ୱେ ମନୁଷ୍ୟ ନାନା ଅଭିନବ ପ୍ରକାରେ ବର୍ବର ହୋଇ ରହିଛି । ବର୍ବରତା ହାତରେହିଁ ପୃଥିବୀର ଅଧିକ କ୍ଷମତା ଠୁଳ ହୋଇ ରହିଛି । ତେଣୁ ଅସଲ ମଣିଷ ଅଧିକରୁ ଅଧିକ ବଳହୀନ ଏବଂ ଅସହାୟ ବୋଲି ଅନୁଭବ କରିବାରେ ଲାଗିଛି । ସବୁ ବର୍ବର ମିଶି ପୃଥିବୀଟିକୁ ଅଧିକରୁ ଅଧିକ ସୁନ୍ଦର କରି ଗଢ଼ିବାରେ ନୁହେଁ, ପୃଥିବୀଟାକୁ ଅଧିକରୁ ଅଧିକ ସୁଦକ୍ଷ ଭାବରେ ବରବାଦ ଓ ଧ୍ଵଂସ କରିଦେବାକୁ ବାହାରିଛନ୍ତି । ଧନ ଭର୍ତ୍ତି ହୋଇ ରହିଛି, ମାତ୍ର ପୃଥିବୀରେ ଅଧିକାଂଶ ମଣିଷ ଅପଚରା ଓ ଅଭାବଗ୍ରସ୍ତ ହୋଇ ରହିଛନ୍ତି; ଖାଦ୍ୟ ଭର୍ତ୍ତି ହୋଇ ରହିଛି, ମାତ୍ର ପୃଥିବୀରେ ଅଧିକରୁ ଅଧିକ ମଣିଷ କ୍ଷୁଧାରେ କାଳ କାଟୁଛନ୍ତି । ଦେଉଳଗୁଡ଼ାକ ଭର୍ତ୍ତି ହୋଇ ରହିଛନ୍ତି, ମାତ୍ର ସେଠାରେ ନାନା ମୂର୍ତ୍ତି ଓ ନାନା ପୂଜାଆଡ଼ମ୍ବରର ଭିଆଣ ଭିତରେ ମଣିଷର ଅହଂମାନେହିଁ ସାମୂହିକ ଓ ଗୋଷ୍ଠୀଗତ ନାନା ବେଶ ପିନ୍ଧି ପୂଜା ପାଇବାରେ ଲାଗିଛନ୍ତି । ମନୁଷ୍ୟ ସର୍ବପ୍ରଥମେ ଯାହା ହେଉ ଥାଆନ୍ତା, ତାହା ହୋଇ ପାରୁନାହିଁ ।

 

ମନୁଷ୍ୟ ସର୍ବପ୍ରଥମେ ପୃଥିବୀରେ ଦିବ୍ୟତାର ଅଭିବ୍ୟକ୍ତି ନିମନ୍ତେ ତିଆରି ହେଉଥାଆନ୍ତା-। ତାହାର ସକଳ ଅଗ୍ରଗତି ସେହି ଦିଗରେ ପରିଚାଳିତ ହୋଇ ପାରୁଥାଆନ୍ତା । ନିଜର ବ୍ୟକ୍ତିଗତ ଏବଂ ସାମୂହିକ ଜୀବନରେ ସେହି ନିଷ୍ପତ୍ତିଟିକୁ ଗ୍ରହଣ କରିପାରିଲେ, ଆମ ସଂସାରର ରାଜନୀତି ଓ ଅର୍ଥନୀତି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅଲଗା ପ୍ରକାରର ହୋଇଯାଆନ୍ତା । ବୃଦ୍ଧି ଯଥାର୍ଥରେ ମନୁଷ୍ୟରହିଁ କାମରେ ଲାଗନ୍ତା । ମନୁଷ୍ୟ ମନୁଷ୍ୟ ମଧ୍ୟରେ ରହିଥିବା ବିବିଧ ସମ୍ପର୍କ ଏକାବେଳେକେ ଅନ୍ୟ ସ୍ତରର ହୋଇଯାଆନ୍ତା । ବର୍ତ୍ତମାନ ପରି ଆଉ କେହି କାହାକୁ ଗିଳି ପକାଇବାକୁ ବାହାରନ୍ତେ ନାହିଁ-। ସେମାନେ ଉତ୍ତରୋତ୍ତର ଅଗ୍ରଗତି ଲାଗି ପରସ୍ପରକୁ ବଳ ଦିଅନ୍ତେ, ଉତ୍ସାହ ଦିଅନ୍ତେ-। ସେତେବେଳେ ଯାଇ ମନୁଷ୍ୟ କରୁଣାର ପରିଚୟ ପାଆନ୍ତା, ମହିମାର ଯଥାର୍ଥ ପରିଚୟଟିକୁ ନିଜ ଭିତରେ ଓ ଅନ୍ୟମାନଙ୍କ ସହିତ ନିଜର ସମ୍ପର୍କରେ ଅତ୍ୟନ୍ତ ସରଳ ଭାବରେ ଅନୁଭବ କରି ପାରନ୍ତା-। ମନୁଷ୍ୟର ଜୀବନ ସେତେବେଳେ ସେହି ଯଥାର୍ଥ ଶକ୍ତି ଏବଂ ଯଥାର୍ଥ ଚେତନାର ବାହକ ହୋଇ ରହିପାରନ୍ତା ।

 

ନୂତନ ଚେତନା ସେହି ପରମ ଚେତନାର ଯନ୍ତ୍ରରୂପେ କାର୍ଯ୍ୟ କରେ, ଏହି ପୃଥିବୀକୁ ତାହା ପରମ ଦିବ୍ୟ ସତ୍ୟର ଏକ ଆସ୍ଥାନରୂପେ ତିଆରି କରିବା ନିମନ୍ତେ ଆପଣାକୁ ନିୟୋଜିତ କରି ରଖିଥାଏ । ଅସଲ ଶକ୍ତିଟିକୁ ନିଜ ଭିତରକୁ ଯଥାର୍ଥ ଭାବରେ ସଞ୍ଚାରିତ କରିନେବା ଲାଗି ଆମେ ନିଜକୁ ଯୋଗ୍ୟ ଅର୍ଥାତ୍ ସମ୍ମତ କରି ରଖିପାରିଲେ, ସେହି ମହିମାନ୍ଵିତ ସଂକ୍ରମଣଟିଦ୍ଵାରା ଆମ ଅହଂକାମନାର ସକଳ ବାଡ଼ ଭାଙ୍ଗିଯାଏ, ଆମକୁ ବିଶ୍ଵ ଲାଗି ଈପ୍ସିତ ହୋଇ ରହିଥିବା ପରିବର୍ତ୍ତନଟି ସକାଶେ ଏକ ନିମିତ୍ତ ହୋଇ ପାରିବାର ସୌଭାଗ୍ୟ ପ୍ରାପ୍ତ ହୋଇଯାଏ । ହଁ, ଏହି କ୍ଷେତ୍ରରେ ଆମର ସମ୍ମତିହିଁ ମୁଖ୍ୟତମ ଭୂମିକା ଗ୍ରହଣ କରିଥାଏ । ଆମେ ସମ୍ମତି ଦେଇ ନଥାଉ ବୋଲି କାମନାଗୁଡ଼ାକର ବାଡ଼ ଭିତରେ ପଡ଼ି ରହିଥାଉ ଓ ଆମ ଲାଗି ଅତ୍ୟନ୍ତ ମୀମାଂସକ ଭାବରେ ଅଜାଡ଼ି ହୋଇ ପଡ଼ୁଥିବା ସେହି ଶକ୍ତି ଏବଂ ଚେତନାକୁ ତଥାପି ଆମର ମୁଗ୍‍ଧତା, ଭୟାର୍ତ୍ତତା ଏବଂ କ୍ଷୁଦ୍ରତାଗୁଡ଼ାକ ଅନୁସାରେ ଭାରି ସଂକୁଚିତ କରି ରଖିଥାଉ । ବିବର୍ତ୍ତନର ନିୟତିଟିକୁ ସତେଅବା ଆମ ନିଜ ପାଖରେ ହାର ମନାଇ ଅଟକାଇ ରଖିଥାଉ, ଯଥାର୍ଥରେ ଏକ ମହତୀ ବିନଷ୍ଟିର କାରଣ ହେଉ । ଆମ ଜୀବନର ଯଥାର୍ଥ ପ୍ରତିଶ୍ରୁତିଗୁଡ଼ିକୁ ପ୍ରତିହତ କରି ରଖିଥାଉ-

 

ତେଣୁ, ଶକ୍ତି ଓ ଚେତନା ଆମର ନିଜ ସ୍ଵାର୍ଥଗୁଡ଼ିକୁ ଚରିତାର୍ଥ କରିବା ଲାଗି ନିୟୋଜିତ ହେବାର ଅପକର୍ମଟିକୁ ଆମେ ନିଜର ଜୀବନରେ ବନ୍ଦ କରିଦେଇ ପାରିଲେ ଯାଇ ଆମକୁ ନିମିତ୍ତ କରି ସେମାନେ ପୃଥିବୀରେ ଯଥାର୍ଥ ପରିବର୍ତ୍ତନଗୁଡ଼ିକୁ ତ୍ୱରାନ୍ୱିତ କରି ଆଣିବେ । ପରମ କରୁଣାର ଦାନରୂପେ ଆମକୁ ଏହି ଜୀବନରେ ଯାହାକିଛି ମିଳୁଛି, ତାହା କଦାପି ଆମର ସମ୍ପତ୍ତି ନୁହେଁ ଯେ ତାହାଦ୍ଵାରା ଆମେ ନିଜର ଗର୍ତ୍ତଗୁଡ଼ିକୁ ପୂର୍ଣ୍ଣ କରି ଅନ୍ୟମାନଙ୍କଠାରୁ ଅଧିକ ହୋଇ ଦିଶିବା ଲାଗି ଚେଷ୍ଟା କରୁଥିବା । ଆମର ଧନ, ଆମର ଜ୍ଞାନ,–ଏସବୁକୁ ଆମେ ଅର୍ଜନ କରୁଛୁ ସତ, ମାତ୍ର ଏଗୁଡ଼ିକ ତଥାପି ଆମର ସମ୍ପତ୍ତି ନୁହେଁ । ଏଗୁଡ଼ିକ ସମଗ୍ର ବିଶ୍ଵର କଲ୍ୟାଣ ଲାଗିହିଁ ବ୍ୟବହୃତ ହେବ-। ସମଗ୍ର ବିଶ୍ଵର ଶକ୍ତି ତଥା ଚେତନାର ଅଭିବୃଦ୍ଧି ଘଟାଇବା ଦିଗରେ ବ୍ୟବହୃତ ହେବ । ମାତ୍ର, ସେହି ପୁରାତନ ଚତୁରତା ଏବଂ ଅବିବେକଗୁଡ଼ିକର ବଶବର୍ତ୍ତୀ ହୋଇ ଆମେ ସେଗୁଡ଼ିକୁ ଯେ ପର୍ଯ୍ୟନ୍ତ ଏକୁଟିଆ କେବଳ ନିଜର ଅଥବା ନିଜର ତଥାକଥିତ ଗୋଷ୍ଠୀର ବୃଦ୍ଧି ଲାଗି ଆହରଣ ଓ ଅପହରଣ କରି ଆଣୁଥିବା, ସେପର୍ଯ୍ୟନ୍ତ ମାନବ ସମାଜର ନିୟତି ଦୃଷ୍ଟିରୁ ସେଗୁଡ଼ିକ ବରବାଦ ହେବାରେହିଁ ଲାଗିଥିବ, ପୃଥିବୀରେ ଅଧିକ ଅନର୍ଥ ସୃଷ୍ଟି କରିବାରେହିଁ ନିମିତ୍ତ ପରି କାର୍ଯ୍ୟ କରୁଥିବ-। ବର୍ତ୍ତମାନ ମନୁଷ୍ୟ ଜାତିର ଯାବତୀୟ ଜ୍ଞାନ ଓ ବିଜ୍ଞାନ, ଅର୍ଜନ ଓ ଆହରଣ ଅଧିକତର ପରିମାଣରେ ଆମ ସମସ୍ତଙ୍କ ଲାଗି ଅନର୍ଥରହିଁ ସୃଷ୍ଟି କରିବାରେ ଲାଗିଛି, ଆମର ଅଧିକତର ବୁଦ୍ଧି ଓ ଦୁର୍ବୁଦ୍ଧିରେ ପରିଣତ ହୋଇ ରହିଛି, ବିତ୍ତଶାଳୀମାନଙ୍କର ଯାବତୀୟ ବିତ୍ତ ଓ ତଜ୍ଜନିତ ବଡ଼ିମାମାନ ପୃଥିବୀର ବିନାଶ ଲାଗିହିଁ ସତେଅବା ଅଧିକ ସହାୟତା କରିବାରେ ଲାଗିଛି-

 

ନୂତନ ଚେତନାର ପକ୍ଷ ଗ୍ରହଣ କରିପାରିଲେ ଯାଇ ଆମେ ସେହି ବିନାଶର ମୋଡ଼କୁ ବଦଳାଇ ଦେଇପାରିବା । ଯିଏ ଅସଲ ଚେତନାର ସ୍ପର୍ଶ ପାଇପାରିବ, ସିଏ ସେହି ଚେତନା ହାତରେ, ଶକ୍ତି ହାତରେ ନିମିତ୍ତରୂପେ କାର୍ଯ୍ୟ କରିବାକୁ ରାଜି ହୋଇଯିବ । ଏହିପରି ଭାବରେ ରାଜି ହୋଇ ନଥିବା ପର୍ଯ୍ୟନ୍ତ ଆମେ ପ୍ରକୃତ ଚେତନାଟିର ସଂସ୍ପର୍ଶରେ ଆସିଛୁ ବୋଲି ମଧ୍ୟ କଦାପି ଦାବି କରାଯାଇପାରିବ ନାହିଁ । ଆମର ଯାବତୀୟ ରାଜସିକ ଧର୍ମୋପଚାର ତଥା ସନ୍ତକଗୁଡ଼ାକ ସତ୍ତ୍ୱେ ଆମେ ତଥାପି ଅସଲ ସ୍ପର୍ଶଟିଠାରୁ ଦୂରଛଡ଼ା ହୋଇ ରହିଥିବା । ଏହି ପୃଥିବୀ ବିନଷ୍ଟିରୁ ଆହୁରି ଅଧିକ ଭୟଙ୍କର ବିନଷ୍ଟି ଆଡ଼କୁ ଗତି କରିବାରେ ଲାଗିଥିବ । ମାତ୍ର ଯିଏ ନିର୍ଭୟ ହେବ, ନିମିତ୍ତ ହେବ, ଆପଣାକୁ ସମଗ୍ରଟି ମଧ୍ୟରେ ଆବିଷ୍କାର କରିପାରିବ ଓ ମନୁଷ୍ୟର ସମଗ୍ର ନିୟତିଟି ମଧ୍ୟରେ ନିଜର ନିୟତିଟିକୁ ଅନୁଭବ କରିପାରିବ, ସେଇ ଭବିଷ୍ୟ ଲାଗି ବିହନ ହୋଇ ବାହାରିବ ।

 

ନଭେମ୍ବର ୨୪, ୧୯୮୬

Image

 

ମଣିଷ ଓ ତା’ର ଠାକୁରମାନେ

 

ଭଗବାନ କ’ଣ ବୋଲି ଆମେ ସମସ୍ତେ ପିଲାଦିନେ ବଡ଼ମାନଙ୍କଠାରୁ କେତେ ନା କେତେ କଥା ଶୁଣିଥାଉ, ବହିମାନଙ୍କରେ କେତେ ନା କେତେ କଥା ପଢ଼ିଥାଉ । ଏବଂ, ଆମେ ପ୍ରତ୍ୟେକେ ଯେଉଁ ସମାଜରେ ସାନରୁ ବଡ଼ ହୋଇଥାଉ, ସେହି ସମାଜରେ ବହୁ ଦିନରୁ ପ୍ରଚଳନ ହୋଇ ଆସିଥିବା ବିଧି ତଥା ବିଶ୍ଵାସଗୁଡ଼ାକ ଅନୁସାରେ ପ୍ରାୟ ଅଭ୍ୟାସରେ ପଡ଼ି ଭଗବାନଙ୍କ ବିଷୟରେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଧାରଣା କରି ନେଇଥାଉ । ସେହି ଅନୁସାରେ ଆମେ ଭଗବାନଙ୍କୁ କେତେବେଳେ ଭୟ କରିବାକୁ ଶିକ୍ଷା କରିଥାଉ ତ ପୁଣି କେତେବେଳେ ତାଙ୍କୁ ଶ୍ରଦ୍ଧା କରିବାକୁବି ଶିଖିଥାଉ; କେତେବେଳେ ତାଙ୍କୁ ଆମର ଅତି ନିକଟରେ ଉପସ୍ଥିତ ଥିବାପରି ଅନୁଭବ କରୁ । ତାଙ୍କୁ କେତେବେଳେ ସକଳ ଭୁବନର କେଡ଼େବଡ଼ ରାଜା ବୋଲି କହୁ ତ ପୁଣି କେତେବେଳେ ତାଙ୍କୁ ବନ୍ଧୁ ଓ ସଖା ବୋଲି ସମ୍ବୋଧନ ମଧ୍ୟ କରିଥାଉ । କେତେବେଳେ ଭାରି ଆର୍ତ୍ତଭାବରେ ତାଙ୍କୁ ଦୁଃଖ ଜଣାଉ, ଦୁଃଖରେ ଜର୍ଜର ହୋଇ ତାଙ୍କୁ କେତେ କ’ଣ ମାଗୁ,–ପୁଣି, ଆଉ କେତେବେଳେ ତାଙ୍କୁ ସତେଅବା ଆଉ କ’ଣପରି ଅନୁଭବ କରି କେତେ ଖୁସି ହୋଇଯାଉ କେଜାଣି, ତାଙ୍କପାଖରେ ଆମର ସବୁକିଛିକୁ ନେଇ ଅର୍ପଣ କରିଦେଇ ଆସୁ । କେତେବେଳେ ମୃଗୁଣୀଟିଏ ପରି କେଡ଼େ କାତର ହୋଇପଡ଼ୁ ତ କେତେବେଳେ ତାଙ୍କର ଏହି ଧୂଳି ଉପରେ ସତେଅବା ଫୁଲଟିଏ ହୋଇ ଫୁଟିଉଠି କେତେ ନା କେତେ ଆନନ୍ଦ ଲାଭ କରିଥାଉ । ଏହିପରି ଭାବରେ ଆମେ ନାନାବିଧ ଜାଲରେ ପରିଣତ ହୋଇ ସେହି ଜାଲଦ୍ଵାରା ଭଗବାନଙ୍କୁ ଧରିବାକୁ ଚେଷ୍ଟା କରୁଥାଉ ଅଥବା ସତେଅବା ସମର୍ଥ ସରୋବରଟିଏ ହୋଇ ତାଙ୍କୁ ସେଥିରେ ଯଥାସମ୍ଭବ ସ୍ଵଚ୍ଛ ଭାବରେ ପ୍ରତିଫଳିତ କରିପାରିବାରେ କେଡ଼େ ସରାଗ ଦେଖାଉ; ତାହା କରିପାରିଲେ ଆମେ କେଡ଼େ ଖୁସି ହୋଇଯାଉ, ସତକୁସତ କେଡ଼େ ହାଲୁକା ହୋଇଯାଉ !

 

ଆମ ଭିତରେ ଏପରି ଏକ ଉପାଦାନ ଅନେକ ସମୟରେ ଭାରି ପ୍ରାଧାନ୍ୟଯୁକ୍ତ ହୋଇ ରହିଥାଏ, ଯାହାକି ସତେଅବା ଗୋଟିଏ ଗୁମ୍ଫା ପରି କାର୍ଯ୍ୟ କରେ ଏବଂ ଆଉ ଗୋଟିଏ ଏପରି ଅନ୍ୟ ଉପାଦାନବି ରହିଥାଏ, ଯାହାକି ଆମଲାଗି ଦୁଆର ପରି କାର୍ଯ୍ୟ କରେ । ସେହି ଦୁଆର ଅନେକ ସମୟରେ ଖୋଲିଯାଏ; ଏକାବେଳେକେ ଖୋଲିଯାଏ, ସତେଅବା ବେଳ ଜାଣି ଖୋଲିଯାଏ । ସେହି ଦୁଆରଟିର ବାଟ ଦେଇ ସେତେବେଳେ ଆମ ଭିତରେ କାହାର ପ୍ରବେଶ ଘଟେ କେଜାଣି, ସେତେବେଳେ ଆମଭିତରେ ସତେଯେପରି ସମଗ୍ର ଭୁବନ ନିମନ୍ତେ ମଧ୍ୟ ଯଥେଷ୍ଟ ଜାଗା ହୋଇଯାଏ । ସେତେବେଳେ ବାହାର ଆଉ ଭିତର ମଧ୍ୟରେ ସତେଅବା କୌଣସି ଭେଦ ରହିଛି ବୋଲି ଆଉ ମୋଟେ ମନେ ରହେନାହିଁ । ମନର ସୀମାଗୁଡ଼ିକ ଆମର ଅଜାଣତରେ ଓ ଅତ୍ୟନ୍ତ ସ୍ଵାଭାବିକ ଭାବରେ କୁଆଡ଼େ ମିଳାଇ ଯାଆନ୍ତି ଓ ଅଭିନବ କେତେକେତେ ବିସ୍ତାରକୁ ଲାଭ କରନ୍ତି । ଦୁଆଟି ବନ୍ଦହୋଇ ରହିଥିବା ପର୍ଯ୍ୟନ୍ତ ମଣିଷ ଆପଣା ଭିତରେ ରହିଥିବା ଗୁମ୍ଫାଟାକୁହିଁ ଅସଲ ଘର ଅର୍ଥାତ୍ ସମଗ୍ର ଘର ବୋଲି କହିବାରେ ଲାଗିଥାଏ । ସିଏ ତା’ର ଗୁମ୍ଫାଟି ଭିତରେ ନିବୁଜ ହୋଇ ବସିଥାଏ । ଗୁମ୍ଫା ବାହାରେ ଆଉ କିଛି କେଉଁଠି ରହିଛି ବୋଲି ମୋଟେ ମାନିବାକୁ ମନ କରେନାହିଁ । ଗୁମ୍ଫା ଚାରିପାଖରେ ରହିଥିବା କାନ୍ଥଗୁଡ଼ାକୁ ସିଏ ହୁଏତ ଏତେ ଅତିରଞ୍ଜିତ ଭାବରେ ଦେଖେ ଯେ, ଯାବତୀୟ କାନ୍ଥ ସତ୍ତ୍ୱେ ଦୁଆରଟିଏ ମଧ୍ୟ ହୁଏତ କେଉଁଠି ପ୍ରକୃତରେ ରହିଥିବ ବୋଲି ସିଏ ବେଳେବେଳେ ବିଶ୍ଵାସ କରିବାକୁ ମଧ୍ୟ ଇଚ୍ଛା କରେନାହିଁ । ଦୁଆରଗୁଡ଼ିକୁ ଅସ୍ଵୀକାର କରି ଅଥବା ଭୟ କରି ଗୁମ୍ଫାଗୁଡ଼ାକୁହିଁ ସତେଅବା ପରମ ଆଶ୍ରୟରୂପେ ଗ୍ରହଣ କରୁଥିବା ମଣିଷମାନେ ଯେତେବେଳେ ଆନୁଷ୍ଠାନିକ ଭାବରେ ଏକାଠି ଗୋଟିଏ ଗୋଷ୍ଠୀ କିମ୍ବା ଅନୁଷ୍ଠାନ ଗଠନ କରନ୍ତି, ସେତେବେଳେ ସେହି ଗୋଷ୍ଠୀ ବା ଅନୁଷ୍ଠାନକୁ ଏକ ସମ୍ପ୍ରଦାୟ ବୋଲି କୁହାଯାଏ । ଏକ ବିଶେଷ ନାମ ଦେଇ ଧର୍ମ ବୋଲି ମଧ୍ୟ କୁହାଯାଇଥାଏ ।

 

ପ୍ରତ୍ୟେକ ଧର୍ମ ତଥା ସମ୍ପ୍ରଦାୟର ବିଶେଷ ସନ୍ତକମାନ ରହିଥାଏ । ଭେକ ଓ ବିଧି ରହିଥାଏ । ଦେଉଳ ଓ ଦେବତାମାନେ ରହିଥାନ୍ତି । ଧର୍ମର ଶାସନକୁ ମଣିଷମାନଙ୍କ ଉପରେ ଲଦିକରି ରଖିବା ଉଦ୍ଦେଶ୍ୟରେ ଉପରୁ ତଳଯାଏଁ ନାନା ପାହାଚରେ ଏକ ତନ୍ତ୍ର ମଧ୍ୟ ଆପଣାକୁ ବଳବତ୍ତର କରି ରଖିଥାଏ । ଆପଣା ଭିତରର ଗୁମ୍ଫାଟି ଉପରେହିଁ ହୁଏତ ସବୁଠାରୁ ଅଧିକ ବିଶ୍ଵାସ ରଖିଥିବା ମଣିଷମାନଙ୍କୁ ଏହି ସମ୍ପ୍ରଦାୟ ଓ ଏହି ଧର୍ମମାନ ସତେଅବା ଅମୋଘ ଅଭୟ ପ୍ରଦାନ କରି ରଖିଥାଆନ୍ତି । ଏହି ମଣିଷ ଓ ସେମାନଙ୍କୁ ଚରାଉଥିବା ଶାସକମାନଙ୍କର ସହଯୋଗରେ ଧର୍ମମାନେ କାଳକ୍ରମେ ଗୋଟିଏ ଗୋଟିଏ ଗୁମ୍ଫାରେ ପରିଣତ ହୋଇ ଯାଆନ୍ତି । ତେଣିକି, ସତେଅବା ସାଂସାରିକ ଧର୍ମତାମସାଗୁଡ଼ାକୁ ଅବିରାମ ଭାବରେ ଜମାଇ ରଖିବାକୁ ଗୁମ୍ଫା ଗୁମ୍ଫା ଭିତରେ ବାଦ ଆରମ୍ଭ ହୁଏ, କେତେକେତେ ସଣ୍ଠଣାରେ ନାନାଭଳି ଘୃଣା, ଅହଂକାର ଏବଂ ମିଛ ଔଦ୍ଧତ୍ୟର ସୃଷ୍ଟି ହୋଇଥାଏ । ଗୋଟାଏ ଧର୍ମ ଆଉ ଗୋଟାଏ ଧର୍ମକୁ ସାନ ବୋଲି କହେ । ଧର୍ମର ପ୍ରଚାର ହୁଏ, ହାଟ ବସେ । ମୋର ଧର୍ମହିଁ ପୃଥିବୀଯାକରେ ଏକମାତ୍ର ଧର୍ମ ବୋଲି ଯୋଦ୍ଧାମାନେ କେତେଭଳି ବଡ଼ାଇ କରନ୍ତି । ସେହି ବଡ଼ାଇର ଆଡ଼ମ୍ବରରେ ଭଗବାନଙ୍କୁ ସେମାନେ ସତେଅବା ଆଉ କୁଆଡ଼କୁ ହୁରୁଡ଼ାଇ ଦେବାରେ ଲାଗିଥାନ୍ତି । ତୁଚ୍ଛା ପିତୁଳାମାନେହିଁ ସିଂହାସନ ଉପରେ ବସିଥାନ୍ତି, ଅଧମ ମଣିଷମାନଙ୍କ ଭିତରେ ସବୁଠାରୁ ଅଧିକ ପରାକ୍ରମଶାଳୀ ହୋଇ ରାଜତ୍ଵ କରୁଥିବା ଅହଂକାରର ପ୍ରତୀକ ହୋଇ ରହି ଥାଆନ୍ତି ।

 

ଆମେସବୁ ଗୁମ୍ଫା ଉପରେହିଁ ବିଶ୍ଵାସ କରୁଥିବା ପର୍ଯ୍ୟନ୍ତ ଆମର ଯଥାର୍ଥ ଦୁଆରଟି ଆଉ କିପରି ଖୋଲିପାରନ୍ତା ? ଦୁଆରଟିଏ ଅଛି ବୋଲି ଯେଉଁ ସବାମୂଳ ବିଶ୍ଵାସଟି ରହିଥିଲେ ଯାଇ ଆମେ ହୁଏତ ଏକ ସତ ଆଗ୍ରହ ନେଇ ସେଇଆଡ଼କୁ ମନ କରିପାରନ୍ତେ, ଆମ ଜୀବନରେ ସେହି ବିଶ୍ଵାସବି ପ୍ରକୃତରେ କିପରି ସମ୍ଭବ ହୋଇ ପାରନ୍ତା ? ଆମ ପୃଥିବୀରେ ଧର୍ମ, ସମ୍ପ୍ରଦାୟ, ପୂଜା ଓ ଭେକାଡ଼ମ୍ବରର ଯାବତୀୟ କନ୍ଦଳ ଏବଂ କୋଳାହଳ ସତ୍ତ୍ୱେ ସେଥିଲାଗି ଆଜି ମଣିଷର ଅସଲ ଦୁଆରଗୁଡ଼ିକ ଅତ୍ୟନ୍ତ ଦୟନୀୟ ଭାବରେ ବନ୍ଦ ହୋଇ ରହିଛି । ଯେଉଁ ଦୁଆରଗୁଡ଼ିକ ଖୋଲିଯାଇ ପାରୁଥିଲେ ମଣିଷ ନିଜ ଭିତରେ ବହୁଦୂର ଯାଏଁ ଯାଇ ପାରୁଥାନ୍ତା ଓ ସେହି ଗଭୀରତମ ଅନ୍ତରଙ୍ଗତା ମଧ୍ୟରେ ଆପଣାର ପରମ ଆତ୍ମୀୟ ସହିତ ସାକ୍ଷାତ ହୋଇ ପାରନ୍ତା, ସେହି ଦୁଆରଗୁଡ଼ିକ ବଡ଼ କ୍ରୂର ଭାବରେ ବନ୍ଦ ହୋଇ ରହିଛି । ଦୁଆର କେବଳ ଭିତର ଆଡ଼କୁ ନାହିଁ, ବାହାର ଆଡ଼କୁ ମଧ୍ୟ ରହିଛି । ବାହାର ଆଡ଼କୁ ରହିଥିବା ଦୁଆରଗୁଡ଼ିକୁ ସ୍ଵାଭାବିକ ଭାବରେ ଖୋଲିଦେଇ ପାରୁଥିଲେ ମନୁଷ୍ୟର ଜୀବନରେ ଏକ ଅଭୂତପୂର୍ବ ସମ୍ପ୍ରସାରଣ ହୋଇ ପାରୁଥାନ୍ତା । ତା’ର ଯାବତୀୟ ସମ୍ବନ୍ଧ ଏକ ଅନ୍ୟ ଭୂମି ଏବଂ ଅନ୍ୟ ଆତ୍ମୀୟତାକୁ ସ୍ପର୍ଶ କରି ପାରୁଥାନ୍ତା । ତେବେ ସିଏ ଆପଣାର ଅସଲ ସଂଘବଳଗୁଡ଼ିକର ପରିଚୟ ପାଇ ପାରୁଥାନ୍ତା । ବର୍ତ୍ତମାନର ପୃଥିବୀରେ ନାନାବିଧ ମିଛବଳ,–କ୍ଷମତାବଳ, ଅସ୍ତ୍ରବଳ ଓ ରାଷ୍ଟ୍ରବଳ ଇତ୍ୟାଦି, ଉପରେ ଅତିରିକ୍ତ ଭାବରେ ନିର୍ଭର କରି ମଣିଷ ଯେପରି କ୍ରମେ ଅଧିକରୁ ଅଧିକ ଦୁର୍ବଳ ଏବଂ ଅସହାୟ ହୋଇଯିବାରେ ଲାଗିଛି, ତାକୁ ଆଉ ଆଦୌ ସେହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ନ୍ତା ନାହିଁ । ତେବେ ମଣିଷ ଗୁଣଗୁଡ଼ିକର ଅଭିବୃଦ୍ଧି ନିମନ୍ତେହିଁ ପୃଥିବୀର ସମ୍ପଦଗୁଡ଼ିକର ବିନିଯୋଗ ହୋଇ ପାରୁଥାନ୍ତା । ମନୁଷ୍ୟ ମଧ୍ୟରେ ରହିଥିବା ଦିବ୍ୟତ୍ଵର କ୍ରମୋନ୍ମୋଚନ ଲାଗିହିଁ ଆମ ପୃଥିବୀର ଜ୍ଞାନ, ବିଜ୍ଞାନ, ବଳ ତଥା ସମ୍ବଳଗୁଡ଼ିକ କାମରେ ଲାଗିପାରୁଥାନ୍ତା । ମନୁଷ୍ୟ ମନୁଷ୍ୟ ମଧ୍ୟରେ ଅସଲ ସଖ୍ୟ ସେତିକିବେଳେ ସମ୍ଭବ ହୁଅନ୍ତା । ମଣିଷକୁ ଆଉ ଅଗତ୍ୟା କୌଣସି ପଲ ଭିତରେ ମୁଣ୍ଡ ବିକି ଦେବାକୁ ପଡ଼ନ୍ତାନାହିଁ । ପୃଥିବୀରେ ଏବେ ଭିନ୍ନ ଭିନ୍ନ ପଲ ଭିତରେ ଲାଗିଥିବା ପରସ୍ପରଘାତୀ କଳହଗୁଡ଼ାକ ଲାଗି ମଧ୍ୟ ଆଉ କୌଣସି ଆବଶ୍ୟକତା ରହନ୍ତା ନାହିଁ ।

 

ଗୁମ୍ଫା ମଣିଷ ଏଠାରେ ଯାବତୀୟ ଉନ୍ମୋଚନ ଏବଂ ସମ୍ପ୍ରସାରଣକୁ ଭୟ କରୁଥାଏ । ତେଣୁ ବଡ଼ ସରାଗରେ ସିଏ ଏହି ପୃଥିବୀର ବାହାରେ ସ୍ଵର୍ଗନାମକ ଏକ ଚମତ୍କାର ଉପନ୍ୟାସର ବିଧାନ କରି ରଖିଥାଏ । ତା’ର ସେହି ବିଧାନ ଅନୁସାରେ ଠାକୁରମାନେ ସ୍ଵର୍ଗରେ ବାସ କରୁଥାନ୍ତି, ଏଠି ଏହି ସଂସାରରେ ମୋଟେ ନଥାନ୍ତି । ପ୍ରୟୋଜନ ପଡ଼ିଲେ ସିନା ବେଳେବେଳେ ସଂସାରକୁ ଆସନ୍ତି, ମାତ୍ର ଧର୍ମତଃ ସ୍ଵର୍ଗରେ ବାସ କରୁଥାନ୍ତି । ବହୁ ପରିମାଣରେ ଭୟ ଏବଂ ମସ୍ତିଷ୍କଗତ କିଞ୍ଚିତ୍ ଉର୍ବରତାକୁ ଏକାଠି ମିଶାଇ ଧର୍ମର ବିଧାୟକମାନେ ବଡ଼ସାନ ଭେଦରେ ଦେବତା ଓ ଠାକୁରମାନଙ୍କର ଏକ କେଡ଼େ ମଣ୍ଡନଯୁକ୍ତ କଳ୍ପନା କରି ରଖିଥାନ୍ତି,–ପୁଣ୍ୟଦ୍ଵାରା ସ୍ଵର୍ଗ ମିଳେ, ପାପ କଲେ ନର୍କରେ ପଡ଼ିବାକୁ ହୁଏ; ଏବଂ, ଏହି ସଂସାରରେ ନାନାବିଧ ଯେଉଁ କର୍ତ୍ତୃତ୍ଵ ତଥା ସ୍ଵାର୍ଥମାନେ ମଣିଷମାନଙ୍କ ଉପରେ ରାଜତ୍ଵ କରୁଥାନ୍ତି, ସେହିମାନେହିଁ ସଚରାଚର ପାପ ପୁଣ୍ୟ ଓ ନୀତି ଅନୀତିର ବ୍ୟାଖ୍ୟାଟିଏ ବାଢ଼ି ଦେଇଥାନ୍ତି ଓ ମଣିଷମାନଙ୍କୁ ମଧ୍ୟ ଅନୁଗତ ଓ ଶୀତଳ କରି ରଖିବାରେ ଧର୍ମଗୁଡ଼ାକୁ ଭାରି କାମରେ ଲଗାଇବାରେ ଲାଗିଥାନ୍ତି । ମଣିଷର ଦ୍ଵାରୋନ୍ମୋଚନ ବିଷୟରେ ମଣିଷକୁ ଆଦୌ କିଛି ନକହି ତାକୁ ନାନା ବିଧାନରେ ଏକ ପଙ୍କପାଶ ଭିତରେ ବାଧ୍ୟ, ଭୀରୁ ଏବଂ ଭୟାଳୁ କରି ରଖିଥିବା କେତେକେତେ ପ୍ରକାରର ଅଫିମକୁ ମନୁଷ୍ୟସମାଜର ଇତିହାସରେ ଧର୍ମରୂପେ ବ୍ୟବହାର କରାଯାଇ ଆସିଛି । ମଣିଷକୁ ତା’ର ଅନ୍ତର୍ଗତ ଅନେକ ମହିମାଠାରୁ ଅନ୍ତରାଳ କରି ରଖାଯାଇଛି, ତା’ଠାରୁ ତା’ର କେତେକେତେ ବଳକୁ ଅପହରଣ କରି ନିଆଯାଇଛି । ପୂଜାର ପରିମାଣ ହୁଏତ ଦଶଗୁଣ ବଢ଼ିଛି, ସମ୍ପ୍ରଦାୟମାନେ ଜଟିଳରୁ ଆହୁରି ଜଟିଳ ଅଥଚ ଗ୍ରନ୍ଥିଳରୁ ଆହୁରି ଅଧିକ ଗ୍ରନ୍ଥିଳ ହୋଇ ମଣିଷକୁ ପ୍ରାୟ ଅଣନିଃଶ୍ୱାସୀ କରି ରଖିଛନ୍ତି ଓ ତା’ର ଅସଲ ଉଦୟଗୁଡ଼ିକରୁ ତାକୁ ଅତ୍ୟନ୍ତ ନିର୍ମମ ଭାବରେ ବଞ୍ଚିତ କରି ରଖିଛନ୍ତି । ସଂସାରରେ ସମର୍ଥମାନେ ଦେଉଳ ପରେ ଦେଉଳ ଗଢ଼ି ଥୋଇ ଦେଇଛନ୍ତି, ଦେଉଳର ଆଡ଼ମ୍ବରମୟ ଫିସାଦଗୁଡ଼ାକ ଭିତରେ ମନୁଷ୍ୟର ଅସଲ କ୍ଷୁଧା ଏବଂ ବ୍ୟାକୁଳତାଗୁଡ଼ାକୁ ବାନ୍ଧି କରି ରଖି ଦିଆଯାଇଛି,–କର୍ତ୍ତାମାନେ ଓ ଉତ୍ପୀଡ଼କମାନେ ସୁକୁଟ ଦେଖିବାରେ ଲାଗିଛନ୍ତି ।

 

ଆମର ସାମ୍ପ୍ରତିକ ସଂସାରରେ ଠାକୁରମାନେ ମାଳମାଳ ହୋଇ ରହିଛନ୍ତି । ମଣିଷମାନଙ୍କର ବାହ୍ୟ ସମ୍ପନ୍ନତା ଏବଂ ବାହ୍ୟ ଚତୁରତାମାନ ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ଏହି ଠାକୁରମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ନାନା ନୂଆ ଭିଆଣରେ ଠାକୁରମାନେ ବାହାରୁଛନ୍ତି, ନୂଆ ନୂଆ ଭିଆଣରେ ମଣିଷକୁ କାବୁ କରି ରଖିବା ଲାଗି ଏହି ଠାକୁରମାନଙ୍କୁ ବ୍ୟବହାର କରାଯାଉଛି । ଅନ୍ଧାର ବଢ଼ିବାରେ ଲାଗିଛି, ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି, ଅସହାୟତାମାନେ ବଢ଼ିବାରେ ଲାଗିଛନ୍ତି । ଅସଲ ଆଲୁଅ, ଅସଲ ଜାଗରଣ ଏବଂ ଅସଲ ରତ୍ନଗୁଡ଼ିକ ସତେଅବା କେତେ ତଳେ ଯାଇ ପୋତି ହୋଇ ରହିଲେଣି । ମଣିଷର ସମାଜର ଦମ୍ଭଗୁଡ଼ାକ ବଢ଼ୁଛି ସିନା, ମାତ୍ର ବିଶ୍ଵାସ କମି କମି ଯାଉଛି । ନିଜ ଉପରେ ବିଶ୍ଵାସ, ଭଲ ଉପରେ ବିଶ୍ଵାସ, ପରସ୍ପର ଉପରେ ବିଶ୍ଵାସ,–ଏସବୁ ଅତ୍ୟନ୍ତ କ୍ଷିପ୍ରଗତିରେ କମି କମି ଯିବାରେ ଲାଗିଛନ୍ତି । ଏହି ପୁରୁଣା ଠାକୁରମାନେ ସତେଅବା ଆଉ ଆଦୌ କୌଣସି କାମରେ ଆସିବେ ବୋଲି ମୋଟେ ପ୍ରତ୍ୟୟ ହେଉ ନାହିଁ । ମୂର୍ତ୍ତିଗୁଡ଼ାକ କୌଣସି କାରଣରୁ ମାରା ହୋଇ ସାରିଲେଣି କି କ’ଣ, ସେମାନେ ଆଉ ଆମଲାଗି କୌଣସି ପ୍ରେରଣାର କାରଣ ହୋଇ ପାରୁନାହାନ୍ତି । ତଥାପି ସେହି ପୁରୁଣା ସଂସ୍କାରଗୁଡ଼ାକ ଭିତରେ ସତେଅବା ଗୋଟାସୁଦ୍ଧା କାବୁ ହୋଇ ରହିଥିବା ପରି ଆମେ ଯେଉଁଠି ଥିଲୁ ସେହିଠାରେହିଁ ସେହି ପୁରୁଣା ତାଟିଆଗୁଡ଼ାକୁ କାମୁଡ଼ି କରି ପଡ଼ିରହିଛୁ । ପୁରୁଣା ରୀତିମାନେ ତଥାପି କେଡ଼େ ପ୍ରବଳ ହୋଇ ଆମ ଉପରେ ରାଜତ୍ଵ କରିବାରେ ଲାଗିଛନ୍ତି । ବେଳେବେଳେ ନୂଆ ଉଦ୍‌ବେଳନମାନ ଆସିଛି ସତ, ମାତ୍ର ଆମ ସଂସାରର ଅଧିକ ପାରୁଆମାନେ ତାହାକୁ ଏପରି ବାଗରେ ଆପଣାର ଆୟତ୍ତ କରି ରଖୁଛନ୍ତି ଯେ, ସେଗୁଡ଼ିକ ଅଚିରେ ସେହି ପୁରୁଣା ଫାଶ ଓ ପୁରୁଣା ଖୋପ ଭିତରେ ଯାଇ ପଡ଼ିଯାଉଛି । କାଳ କ୍ରମଶଃ ଅଧିକରୁ ଅଧିକ ଅଣଆୟତ୍ତ ହେବାରେ ଲାଗିଛି । ଅସମଞ୍ଜସତାମାନେ ଆହୁରି କଠିନ ହେବାରେ ଲାଗିଛନ୍ତି । ମଣିଷର ଚେତନା ଭିତରେ ଯେଉଁ ଗଣ୍ଠିଗୁଡ଼ିକ ଫିଟିଯାଇ ପାରିଲେ ମଣିଷ ତା’ର ଅସଲ ବଳଗୁଡ଼ିକର ପରିଚୟ ପାଉଥାନ୍ତା ଓ ତେଣୁ ଅସଲ ସଂକଳ୍ପଗୁଡ଼ିକର ଭାଜନ ହୋଇପାରୁଥାନ୍ତା, ସେହି ଗଣ୍ଠିଗୁଡ଼ିକ ସତେଅବା ଅଧିକରୁ ଆହୁରି ଅଧିକ ଜବର ହେବାରେ ଲାଗିଛନ୍ତି । ସଂସାରର ଅପଶାସକମାନଙ୍କର ଚକ୍ରାନ୍ତରେ ମଣିଷର ଠାକୁରମାନେ ସତେଅବା ମଣିଷକୁ ତା’ର ନାନା ମୋହଗ୍ରସ୍ତତା ଭିତରୁ ନିଦଭଙ୍ଗାଇ ଉଠାଇ ଆଣିବା ଲାଗି ଏକାନ୍ତ ଅସମର୍ଥ ହୋଇ ପଡ଼ିଲେଣି ।

 

ଏହି ଯାବତୀୟ ଅଳିଆ ଭିତରୁ ପରିତ୍ରାଣ ଲାଭ କରିବାର ଉପାୟରୂପେ ମଣିଷକୁ ସମ୍ଭବତଃ ବାହାରର ତାମସାଗୁଡ଼ିକୁ ଛାଡ଼ି ଭିତରେ ସତକୁସତ ଏକ ଆବିଷ୍କାର ଯାତ୍ରାରେ ବାହାରିବାକୁ ପଡ଼ିବ । ମଣିଷ ସ୍ଵୟଂମନ କଲେ ଯାଇ ସେକଥା କରିପାରିବ । ଗଧ ହେବାକୁ ମନା କରି ଦେଇପାରିଲେ ଯାଇ ତା’ ଭିତରେ ସେହି ଅନ୍ୟ ବ୍ୟାକୁଳତାଟି ଜନ୍ମଲାଭ କରିବ । ବାହାରେ ତାକୁ କାବୁ କରି ରଖିଥିବା ଯାବତୀୟ ଗଣ୍ଠିରୁ ତାକୁ ନିଜକୁ ପ୍ରତ୍ୟାହୃତ କରି ଆଣିବାକୁ ପଡ଼ିବ । ଅର୍ଥାତ୍ ସାହସର ସହିତ ସେହି ଗଣ୍ଠିଗୁଡ଼ାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ । ଆପଣାର ଅସଲ କ୍ଷୁଧା ଏବଂ ଅସଲ ଆକୁତିଗୁଡ଼ିକୁ ଭିତର ଆଡ଼କୁ ମୁହାଁଇ ରଖିପାରିଲେ ଯାଇ ତାହା ସମ୍ଭବ ହେବ । ଭୀରୁମାନେ କଦାପି ସେକଥା କରିପାରିବେ ନାହିଁ; ବୋଲ ମାନି, ଏହି ସଂସାରରେ ଯାହା ଯେମିତି ହୋଇ ରହିଛି ତାହାରି ଭିତରେ ସଫଳତା ଅର୍ଜନ କରିବାକୁ ସ୍ଵପ୍ନ ଦେଖୁଥିବା ମଣିଷ କଦାପି ତାହା କରି ପାରିବେନାହିଁ, ପୌତ୍ତଳିକମାନେବି ତାହା କରିପାରିବେନାହିଁ । ବାହାର ଛାଡ଼ି ଭିତରକୁ ଆସିବା, ଆପଣାର ବନ୍ଧୁପରି ଆପଣାଭିତରେ ପ୍ରବେଶ କରିବା, ସାହସର ସହିତ ବିଶ୍ଵାସର ସହିତ ଗଭୀରରୁ ଆହୁରି ଅଧିକ ଗଭୀରକୁ ଯିବାଲାଗି ଆପଣାକୁ ସତକୁସତ ସମ୍ମତ ଓ ପ୍ରସ୍ତୁତ କରି ରଖିବା ଓ ସମୁଚିତ ଭାବରେ ସଜ ହୋଇ ସେହିପରି ଏକ ଆବିଷ୍କାର ଯାତ୍ରାରେ ବାହାରି ଆପଣାର ପରମବନ୍ଧୁଙ୍କୁ ଆବିଷ୍କାର କରିବା,–ମାଆ ସେହି ପ୍ରସଙ୍ଗଟିକୁ The supreme discovery ବୋଲି କହିଛନ୍ତି । ସେହି ଯାତ୍ରାରେ ବାହାରି ପାରିଲେ ନିଜ ଭିତରେ ଯେଉଁ ପରମବନ୍ଧୁ ସହିତ ଭେଟ ହୁଏ ଓ ଯାହାର ସ୍ପର୍ଶ ଆମର ଭିତର ତଥା ବାହାର ଉଭୟ ଜୀବନରେ ପ୍ରକୃତ ବିମୋଚନ ଓ ପ୍ରକୃତ ଆରୋହଣଗୁଡ଼ିକର କାରଣ ହୋଇଥାଏ, ମାଆ ତାହାକୁ the inner Godhead ବୋଲି କହିଛନ୍ତି । ସେହି ପରମବନ୍ଧୁ ବା ପରମଦେବତାଙ୍କୁ ସବାଆଗ ନିଜ ଭିତରେ ଠାବ କରିବାକୁ ହୁଏ, ତାହାଙ୍କୁହିଁ ଆମ ଜୀବନର ଯାବତୀୟ ପ୍ରେରଣାର ସର୍ବମୂଳ ପ୍ରେରଣାରେ ପରିଣତ କରିପାରିବାକୁ ହୁଏ, ତେବେଯାଇ ବାଟଦିଶେ, ବାଟ ମିଳେ; ଗଭୀରରୁ ଆହୁରି ଗଭୀରକୁ ଏବଂ ଊର୍ଦ୍ଧ୍ଵରୁ ଆହୁରି ଅଧିକ ଊର୍ଦ୍ଧ୍ଵକୁ ବାଟ ମିଳିଯାଏ । ଏବଂ ଭିତରେ ଅସଲ ବାଟଟି ମିଳିସାରିଲେ ଯାଇ ବାହାରେ ମଧ୍ୟ ଅସଲ ସମ୍ପ୍ରସାରଣଗୁଡ଼ିକ ସମ୍ଭବ ହୋଇଥାଏ । ଭିତରର ବନ୍ଧୁ ସତକୁସତ ବାହାରକୁ ମଧ୍ୟ ବାଟଗୁଡ଼ିକୁ ଠାବ କରିବାରେ ନିମିତ୍ତ ହୋଇ କାର୍ଯ୍ୟ କରେ । ଅସଲ ସମ୍ବନ୍ଧ ଓ ଅସଲ ସଖ୍ୟଗୁଡ଼ିକ ସେତିକିବେଳେ ଯାଇ ସମ୍ଭବ ହୁଅନ୍ତି । ସେତେବେଳେ ଆଉ ଡର ମାଡ଼େ ନାହିଁ, ନିଜକୁ ମୋଟେ ଏକୁଟିଆ ବୋଲି ମନେ ହୁଏନାହିଁ । ଆଦୌ କାହାକୁ ଇତର ବୋଲି ମନେ ହୁଏନାହିଁ । ସେହି ପରମବନ୍ଧୁ ଆମ ହାତରେ ଧରାଇ ଦେଇଥିବା ଆଲୋକର ମାଧ୍ୟମରେ ସଂସାରରେ ସବୁ ମୁହଁକୁ ଦେଖିହୁଏ । ସକଳ ବନ୍ଧନ କଟିଯାଏ, ସକଳ ଜୁଗୁପ୍‍ସା ଦୂର ହୁଏ,–ଆମେ ସମସ୍ତେ ସତେଅବା ଗୋଟିଏ ଡୋରିରେ ବନ୍ଧା ହୋଇ ରହିଥିବାର ଅନୁଭବ ସେତିକିବେଳେ ହୁଏ ।

 

ଶ୍ରୀଅରବିନ୍ଦ ପ୍ରାୟ ଏକ ସଂଜ୍ଞାନିରୂପଣ କରିବାକୁ ଯାଇ ପରମ ଦିବ୍ୟସତ୍ତାକୁ ଅପରିମିତ ସମ୍ଭାବନା ବୋଲି କହିଛନ୍ତି । ‘The Divine is infinite possibility’. ବୋଲି କହିଛନ୍ତି । ବାଛି ବାଛି ମାତ୍ର କେତେଜଣ ଭାଗ୍ୟବନ୍ତ ବା କର୍ମବନ୍ତଙ୍କ ମଧ୍ୟରେ ନୁହେଁ, ପରମ ଦିବ୍ୟତା ଆମ ସମସ୍ତଙ୍କ ଭିତରେ ରହିଛି । କେତେକ ମଣିଷଙ୍କର ଦୁର୍ବୁଦ୍ଧି ହେତୁ ତଥା ଅବଶିଷ୍ଟ ଅନ୍ୟମାନେ ସେହି ଦୁର୍ବୁଦ୍ଧିକୁ ଏହି ଯୁଗର ବୁଦ୍ଧି ବୋଲି ମାନି ନେଇଥିବା ହେତୁ ସିନା ଆମର ସାମ୍ପ୍ରତିକ ସଂସାର ପ୍ରବଳ ଆଉ ଦୁର୍ବଳ ଏହି ଦୁଇ ଭାଗରେ ବିଭକ୍ତ ହୋଇ ରହିଛି, ମାତ୍ର ସମ୍ଭାବନାଗୁଡ଼ିକ ଆମ ସମସ୍ତଙ୍କ ଭିତରେ ରହିଛି । ପୁଣି, ସେହି ଶ୍ରୀଅରବିନ୍ଦଙ୍କର ଭାଷାରେ କହିଲେ, ଉଦୟନର ଓ ଉନ୍ମୋଚନର ଯାବତୀୟ ସମ୍ଭାବନା ଆସ୍ତିକ ଭିତରେ ଯେପରି ରହିଛି, ନାସ୍ତିକ ଭିତରେ ମଧ୍ୟ ଠିକ୍ ସେହିପରି ରହିଛି । ଅନ୍ତର୍ନିହିତ ହୋଇ ରହିଛି, ମାତ୍ର ଅତ୍ୟନ୍ତ ସୁନିଶ୍ଚିନ୍ତ ଭାବରେ ରହିଛି । ଗୋଟାଏ ମିଛ କର୍ମବାଦର ଫାନ୍ଦ ଭିତରେ ପଡ଼ି ମଣିଷ ନିଜର ଅସଲ କର୍ମ ପ୍ରତିଶ୍ରୁତିଗୁଡ଼ିକୁ ଏଡ଼ି ଚାଲିଯିବାରେ ଲାଗିଛି, ସାମାଜିକ ତଥା ସମ୍ବନ୍ଧଗତ ନାନାବିଧ ପ୍ରସୀମନର ଚକ୍ରାନ୍ତରେ ପଡ଼ି ସିଏ ସତେଅବା ତା’ ଜୀବନର ଏକ ସ୍ଵତଃସିଦ୍ଧ ପରି ଆପଣାକୁ ସାନ ବୋଲି, ତୁଚ୍ଛ ବୋଲି ଓ ନଗଣ୍ୟ ତଥା ସାମାନ୍ୟ ବୋଲି ମାନିନେଇଛି ସତ, ମାତ୍ର ତଥାପି ସକଳ ସମ୍ଭାବନା ତାହାରି ଭିତରେ ଲୁକ୍କାୟିତ ହୋଇ ରହିଛି, ଅପେକ୍ଷା କରି ରହିଛି; ତାହାର ନିଦ୍ରାଭଙ୍ଗ ଲାଗି ଅପେକ୍ଷା କରି ରହିଛି । ଆମର ଏହି ନିଦକୁ ବାହାରୁ ଆଉ କେହି କଦାପି ଭାଙ୍ଗିବାକୁ ଆସିବନାହିଁ, ଆମେ ନିଜେ ଇଚ୍ଛା କଲେ ଯାଇ ଆମର ନିଦ ଭାଙ୍ଗିବ । ଯାବତୀୟ ପରାଜୟ-ବୋଧର ସମାପ୍ତି ସେତିକିବେଳେ ହେବ ।

 

ନିଦ ଭାଙ୍ଗି ନିଜ ଭିତରେ ଅନନ୍ତ ସମ୍ଭାବନାର ସ୍ପର୍ଶ ପାଇଥିବା ମଣିଷ କଦାପି ବାହାରଦ୍ଵାରା ଭଳି ଯିବନାହିଁ । ବାହାରର ପିତୁଳାମାନେ ତାକୁ କଦାପି ଭଣ୍ଡାଇ ପାରିବେନାହିଁ । କୌଣସି ତାତ୍କାଳିକ ରତ୍ନର ଆଶାରେ ସିଏ କଦାପି ପୌତ୍ତଳିକ ହୋଇ ରହିବାକୁ ମନ କରିବନାହିଁ । ଆପଣା ଭିତରେ ଅସଲ ବାସନାଟିର ସୁରାକ ପାଇଥିବା ମଣିଷ ସେହି ବାସନାକୁ ଅବଶ୍ୟ ଖୋଜି ବାହାରିବ; ସେଇଥିରୁହିଁ ତା’ର ଯାତ୍ରା ଆରମ୍ଭ ହେବ,–ସୋପାନଗୁଡ଼ିକୁ ଅତିକ୍ରମ କରି ସିଏ ଗଭୀରରୁ ଆହୁରି ଗଭୀରକୁ ଯିବାକୁହିଁ ଜୀବନର ଅସଲ ଆହ୍ଵାନ ଏବଂ ଅସଲ ଅଧ୍ୟାତ୍ମ ବୋଲି ଗ୍ରହଣ କରିନେବ । ଫିସାଦିମାନଙ୍କର ଫିସାଦକୁ ସିଏ କଦାପି ମାନିନେବନାହିଁ । ଯିଏ ନିଜ ଭିତରେ ସିନ୍ଦୂରା ଫାଟିବାର ବାରତା ପାଇ ସାରିଲାଣି, ସିଏ ଏହି ରାତିର ଠିକାଦାରମାନଙ୍କର ବୋଲକୁ କାହିଁକି ମାନିନେବାକୁ ମନ କରିବ ? ଏବଂ, ଭିତରେ ସିନ୍ଦୂରା ଫାଟିଲେ ବାହାରେ ମଧ୍ୟ ସିନ୍ଦୂରା ଫାଟିବ । ଆପଣା ଭିତରର ଅନନ୍ତ ସମ୍ଭାବନାକୁହିଁ ଆପଣା ଭିତରେ ଅଧିଷ୍ଠିତ ହୋଇ ବସିଥିବା ଅସଲ ଈଶ୍ଵର ଅର୍ଥାତ୍ ଅସଲ ଦିବ୍ୟସତ୍ୟ ବୋଲି ପ୍ରତ୍ୟକ୍ଷ କରିବାକୁ ସମର୍ଥ ହେଲେ ଏହି ବିଶ୍ଵସଂସାର ମଧ୍ୟ ସେହି ଅମିତ ସମ୍ଭାବନାର ଆକର ବୋଲି ପ୍ରତ୍ୟକ୍ଷ ହେବାକୁ ଆରମ୍ଭ କରିବ । ସେତେବେଳେ ଅନ୍ୟ ପ୍ରତ୍ୟେକ ମନୁଷ୍ୟ ଆମକୁ ଅମିତ ସମ୍ଭାବନାରେ ପରିପୂର୍ଣ୍ଣ ହୋଇ ରହିଥିବାର ପ୍ରତ୍ୟକ୍ଷ ହେବେ । ପରସ୍ପରକୁ ଅନାଇ ଦେଖିବାର ଓ ତଉଲିବାର ଆମର ଯାବତୀୟ ଦୃଷ୍ଟି ସେତେବେଳେ ମୂଳଭୂତ ଭାବରେ ଅନ୍ୟ ପ୍ରକାର ହୋଇଯିବ । ସେତେବେଳେ ନିଜକୁ ଉଚ୍ଚ ଓ ଅଧିକ ବୋଲି ପ୍ରମାଣ କରିବା ଲାଗି ଆଉଜଣକୁ ନ୍ୟୂନ, ନୀଚ ଓ ଅଳପ କରି ଦେଖିବାର ଆଦୌ କୌଣସି ପ୍ରୟୋଜନହିଁ ନଥିବ । ତେଣୁ, କେହି ଆଉ କାହାକୁ ଗିଳି ପକାଇବାକୁ ମନ କରିବେନାହିଁ, କେହି କାହାକୁ ଗୋଡ଼ିମାଟି ପରି ଆଦୌ ଦେଖିବେ ନାହିଁ । ଆମଭିତରେ ରହିଥିବା ନିଜପ୍ରତି ତଥା ଅନ୍ୟମାନଙ୍କ ପ୍ରତି ଯେଉଁ ବିକୃତ ଏବଂ କୁତ୍ସିତ ଦୃଷ୍ଟି ବର୍ତ୍ତମାନ ଆମର ଅର୍ଥନୀତି, ରାଜନୀତିଗୁଡ଼ିକୁ ଏବଂ ଜୀବନନୀତିକୁ ନିୟନ୍ତ୍ରିତ କରିବାରେ ଲାଗିଛି, ଆପଣାକୁ ତଥା ଅପର ସମସ୍ତଙ୍କୁ ଅମିତ ଦିବ୍ୟ ସମ୍ଭାବନାଗୁଡ଼ିକର ପ୍ରତୀକରୂପେ ପ୍ରତ୍ୟକ୍ଷ କରିପାରିଲେ ସେହି ଦୃଷ୍ଟି ସଂସାରର ଜୀବନକୁ ନିୟନ୍ତ୍ରିତ କରିବାର ଆଉ କୌଣସି ଅବକାଶ ରହିବ ନାହିଁ । ଏକ ଅନ୍ୟ ପାରସ୍ପରିକତା ଜନ୍ମ ଲାଭ କରିବ ।

 

This is what we mean by ‘Divine’ : all the knowledge we have to acquire, all the power we have to obtain, all the love we have to become, all the perfection we have to achieve, all the harmonious and progressive poise we have to manifest in light and joy, all the new and unknown splendours that have to be realized;–ଶଙ୍କା ସମାଧାନ କଲାପରି ମାଆ ଗୋଟିଏ ଜାଗାରେ ପରମ ଦିବ୍ୟସତ୍ତାଙ୍କର ଏହିପରି ବ୍ୟାଖ୍ୟା କରି ଦେଇଛନ୍ତି । [ମାତୃ-ରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୪ଶ ଖଣ୍ଡ, ୧୯୮୦, ପୃଷ୍ଠା-୧୭] ପରମ ଦିବ୍ୟସତ୍ତା ଅର୍ଥାତ୍ ପରମେଶ୍ଵରଙ୍କୁ ସେହି ଗୋଟିଏ ପୃଷ୍ଠାରେ ମୁଣ୍ଡିମାରି ଦେଲାପରି ମାଆ “God is the perfection that we must aspire to realize” ବୋଲି କହିଛନ୍ତି । ପରମେଶ୍ଵର କହିଲେ ଏକ ପରିପୂର୍ଣ୍ଣତା ବୁଝାଏ, ଯାହାକୁ କି ଆମ ପ୍ରତ୍ୟେକଙ୍କୁ ଉପଲବ୍ଧି କରିବାକୁ ପଡ଼ିବ । ସେହି ପରିପୂର୍ଣ୍ଣତା ବହୁତର ସମ୍ଭାବନାରୂପେ ଆମ ଭିତରେ ରହିଛି, ସତେଅବା ଏକ ପ୍ରତିଶ୍ରୁତିରୂପେ ଅଭିପ୍ରେତ ହୋଇ ରହିଛି; ଅଭିବ୍ୟକ୍ତି ନିମନ୍ତେ, ଆମର ସ୍ଵୀକୃତି ତଥା ନିଷ୍ପତ୍ତି ନିମନ୍ତେ ଅପେକ୍ଷା କରି ରହିଛି । ଆମେ ତାହାର ଉନ୍ମୋଚନ ଏବଂ ଉଦ୍‌ଘାଟନ ଲାଗି ବାଟଟିଏ ଯୋଗାଇଦେବା । ତାହାହିଁ ପରମ ସାଧନା, ତାହାହିଁ ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ । ଆମେ ନିଜ ଭିତରେ ସେହି ଆହ୍ଵାନଟିକୁ ଚିହ୍ନିବା ଏବଂ ପ୍ରତ୍ୟେକ ମନୁଷ୍ୟ ଭିତରେ ମଧ୍ୟ ତାହାର ଉଦ୍‌ବୋଧନ ଦେଇ ପାରିବାଲାଗି ସମର୍ଥ ହେବା । ଆମରି ଭିତରେ ଜ୍ଞାନ ରହିଛି, ଶକ୍ତି ରହିଛି, ପ୍ରେମ ରହିଛି, ସମଞ୍ଜସତାର କ୍ରମୋତ୍ତର ସୋପାନମାନ ରହିଛି,–ଆମରି ଅଜ୍ଞତାରେ ସେଠାରେ କେତେ ମହିମା ଓ କେତେ ଐଶ୍ଵର୍ଯ୍ୟ ଅପେକ୍ଷା କରି ରହିଛି । ଆମେ ସେଗୁଡ଼ିକୁ ସାଧନାଦ୍ଵାରା, ତପସ୍ୟାଦ୍ଵାରା, ସୋପାନ ପରେ ସୋପାନର ଅତିକ୍ରମଦ୍ଵାରା ଉଦ୍‌ଘାଟିତ କରି ଆଣିବା । ସେହି ପ୍ରକ୍ରିୟାଟିକୁହିଁ ଆମ ଜୀବନର ଅର୍ଥାତ୍ ଆମ ଆତ୍ମପରିଚୟର ସର୍ବପ୍ରଧାନ ପ୍ରକ୍ରିୟାରେ ପରିଣତ କରିପାରିଲେ ଆମେ ପରମେଶ୍ଵରଙ୍କର ସ୍ପର୍ଶଲାଭ କରିପାରିବା । ବାହାରେ ବିପୁଳା ପୃଥ୍ଵୀ ଆଡ଼କୁ ଅବଲୋକନ କରି ମଧ୍ୟ ଆମେ ସେଠାରେ ସେହି ପରମେଶ୍ଵରଙ୍କର ଉପସ୍ଥିତି ଅନୁଭବ କରିପାରିବା । ତାହା ପରେ ଆମର ଜୀବନରେ ଅଥବା ଦୃଷ୍ଟିରେ ଉପେକ୍ଷା ନିମନ୍ତେ ଆଉ ଆଦୌ କୌଣସି ସ୍ଥାନ ରହିବନାହିଁ । ଏକ ନିବିଡ଼ ଓ ଅନ୍ତରଙ୍ଗ ସ୍ତରରେ ଆମ ଭିତରେ ଅମିତ ସମ୍ଭାବନାରୂପୀ ପରମେଶ୍ଵରଙ୍କ ସହିତ ବନ୍ଧା ହୋଇ ରହିପାରିଲେ ଆମେ ବାହାରେ ମଧ୍ୟ ସେହି ପରମେଶ୍ଵରଙ୍କର ପ୍ରକଟ-ରୂପ ଏହି ବୃହତ୍ତର ଜଗତରେ ତାଙ୍କରି ଅଭିପ୍ରାୟଗୁଡ଼ିକର ପୂରଣ ଲାଗି ନିମିତ୍ତ ହୋଇ ଅବଶ୍ୟ ବ୍ୟବହୃତ ହୋଇପାରିବା ।

 

ମାଆ ପରମ ଦିବ୍ୟସତ୍ତା ବା Divineର ଯେଉଁ ବ୍ୟାଖ୍ୟା କରିଛନ୍ତି, ସେଥିରେ କୌଣସି ପୌତ୍ତଳିକତା ଲାଗି ଆଦୌ କୌଣସି ସ୍ଥାନ ନାହିଁ । ପୌତ୍ତଳିକତାକୁ ଆମେ ପୃଥିବୀରେ କତିପୟ ମଣିଷମାନଙ୍କର ସେହି ପୁରୁଣା ବେଭାର ବୋଲି ଜାଣିବା, ଯାହାକି ଧର୍ମ ନାମରେ ଏଠି ନାନାବିଧ ଭ୍ରମର ପଟଳ ସୃଷ୍ଟି କରି ରଖିଛି ଓ ମଣିଷ ଭିତରେ ରହିଥିବା ଯାବତୀୟ ଉଦୟସମ୍ଭାବନାର ପଥରେ ଯୁଗେଯୁଗେ ବାଧାରୂପେ ଠିଆ ହୋଇ ଆସିଛି । ଆମର ଏହି ସହସ୍ର ନିତ୍ୟସମ୍ବନ୍ଧର ପୃଥିବୀରୁ ପରମେଶ୍ଵରଙ୍କୁ ସତେଅବା ବହିଷ୍କୃତ କରି ରଖିବାର ମତଲବରେ ତାହା ଆମକୁ ତୁଚ୍ଛା ବାହ୍ୟତାଗୁଡ଼ାକୁହିଁ ଭଗବାନ ବୋଲି ଦେଖାଇ ଦେଇଛି । ସଂସାରର ଉନ୍ମୋଚନ-ପଥକୁ ବଣା କରି ରଖିଛି । ଆପଣାର କ୍ଷୁଦ୍ର ଓ ଈଶ୍ଵରବର୍ଜିତ ଅଭୀଷ୍ଟଗୁଡ଼ିକର ସିଦ୍ଧି ଲାଗି ଚତୁର ଆତ୍ମକାମୀ କେତେକ ମଣିଷ ଯେତେବେଳେ ସମାଜକୁ ଓ ମଣିଷ ସମୂହକୁ ଅନ୍ଧାର ଓ ଅଜ୍ଞାନ ଭିତରେ ମୁଗ୍ଧ କରି ରଖିବାଲାଗି ମନ କରିଛନ୍ତି, ଆମ ସଂସାରରେ ହୁଏତ ସେହି ପ୍ରୟୋଜନରେ ପଡ଼ି ଏହି ପିତୁଳାମାନଙ୍କର ଭିଆଣ ହୋଇଛି, ବଡ଼ ସାନର ଭିଆଣ ହୋଇଛି, କର୍ମବାଦକୁ ସବାବଡ଼ ରାଜା କରି ବସାଇ ଦିଆଯାଇଛି, କର୍ମବାଦୀ ମଣିଷମାନେ ହୁଏତ ଅପେକ୍ଷାକୃତ ଅଧିକ ସହଜରେ ଅସମ୍ମାନ ଓ ଅବଜ୍ଞାଗୁଡ଼ାକୁ ଆଦରି ନେଇ ପାରିଛନ୍ତି । ସତ୍ୟ ଯେ ଭିତରେ ରହିଛି, ଏକ ଆଧ୍ୟାତ୍ମିକ ପାରସ୍ପରିକତା ମଧ୍ୟରେ ଯେ ଅସଲ ଉତ୍ତୋଳନଟିର ବାଟ ନିହିତ ହୋଇ ରହିଛି, ମଣିଷକ୍ରମେ ସେକଥା ପାସୋରି ପକାଇଛି ଏବଂ ଅତ୍ୟନ୍ତ ଅସମ୍ମାନିତ ଭାବରେ ଭାଗ୍ୟକୁ କାମୁଡ଼ି ପଡ଼ିରହିଛି । ତା’ର ଅସହାୟତାଗୁଡ଼ିକୁ ପ୍ରମାଣ କରି ଦେଖାଇ ଦେବାକୁ ପଣ୍ଡିତମାନେ କେତେ କେତେ ଶାସ୍ତ୍ରର ବଖାଣ କରିଛନ୍ତି,–ତାକୁ ବଡ଼ ଭୀରୁ କରି ରଖିଛନ୍ତି । ଆପଣାର ଦୁଆରଟିକୁ ଖୋଲି ଆପଣାର ଅସଲ ପରିଚୟଟିକୁ ଲାଭ କରିବାର ସେହି ଅସଲ ବାଟଟିକୁ ମଣିଷମାନଙ୍କ ଠାରୁ ଅନ୍ତରାଳ କରି ରଖି ଦିଆଯାଇଛି । ଏହି ଦୁଷ୍ଟ ମତଲବଟିକୁହିଁ ଅନୁରୂପ ଭାବରେ ବଳୁଆ କରି ରଖିବାକୁ ମଣିଷର ସମାଜ, ଶାସନ ତଥା ସମ୍ବନ୍ଧ-ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ନାନା ଅବିବେକ ଭିତରେ ବାନ୍ଧି ରଖି ଦିଆଯାଇଛି ।

 

ଥରେ ଆଶ୍ରମରେ ପିଲାଟିଏ ମାଆଙ୍କୁ ପଚାରିଲା, “ମାଆ, ଯଦି କେହି ଆପଣଙ୍କୁ ‘ଆପଣ ଭଗବାନ କି ?’ ବୋଲି ପ୍ରଶ୍ନ କରେ, ତେବେ ଆପଣ ସେହି ପ୍ରଶ୍ନର କି ଉତ୍ତର ଦେବେ ?” ମାଆ ପ୍ରକୃତରେ କି ଉତ୍ତର ଦେଇଥିବେ, ଆପଣମାନେ ଥରେ ଭାବିକରି କହିଲେ ! ମାଆ କହିଲେ, “ତୁମେ ମୋତେ ଯେଉଁ ପ୍ରଶ୍ନଟି ପଚାରିଲ, ତାହା ପ୍ରତ୍ୟେକ ମଣିଷକୁ ମଧ୍ୟ ପଚରାଯାଇ ପାରିବ । ଏବଂ, ତାହାର ଉତ୍ତର ହେଉଛି, ‘ହଁ’ ମାତ୍ର ମଣିଷ ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥିବା ଶକ୍ତିଗୁଡ଼ିକ ଦୃଷ୍ଟିରୁ ଆମେ ପ୍ରଶ୍ନଟିର ଉତ୍ତରରେ ‘ହଁ’ ବୋଲି କହିପାରିବା । ଏବଂ, ସେହି ସମ୍ଭାବନାଗୁଡ଼ିକୁ ଜୀବନର ବାସ୍ତବ ସତ୍ୟରେ ପରିଣତ କରିବା ହେଉଛି ପ୍ରତ୍ୟେକ ମନୁଷ୍ୟର ଦାୟିତ୍ଵ ଓ କର୍ତ୍ତବ୍ୟ ।” [ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୩ଶ ଖଣ୍ଡ, ୧୯୮୦, ପୃଷ୍ଠା-୫୩] ଈଶ୍ଵର ଆମ ପ୍ରତ୍ୟେକଙ୍କ ଭିତରେ ଅପରିମେୟ ସମ୍ଭାବନାରୂପେ ଅନ୍ତର୍ହିତ ହୋଇ ରହିଛନ୍ତି । ଯଦି ଆମ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ଯାବତୀୟ ଶିକ୍ଷାର ମାଧ୍ୟମରେ ମୂଳତଃ ଏହି ବଳବାନ୍ ସତ୍ୟଟି ସହିତ ପରିଚିତ କରି ଦିଆଯାଇ ପାରୁଥାନ୍ତା, ତେବେ ଆମ ପୃଥିବୀକୁ କେଡ଼େ ଅନ୍ୟ ପ୍ରକାରେ ଗଢ଼ି ହୋଇପାରନ୍ତା ! ଯଦି ଆମ ପୃଥିବୀର ଗୁରୁମାନେ ଶିଷ୍ୟମାନଙ୍କୁ ଅନ୍ୟ ଯାବତୀୟ ପରାମର୍ଶ ଦେବା ପୂର୍ବରୁ ସେମାନଙ୍କୁ ଆତ୍ମ-ଆବିଷ୍କାରର ଏହି ବଳିଷ୍ଠ ପଥଟିର ଉଦ୍‌ବୋଧନ ଦେଇ ପାରୁଥାନ୍ତେ, ତେବେ ଆମର ତଥାକଥିତ ଧର୍ମଗୁଡ଼ିକ ପ୍ରକୃତରେ କେତେକେତେ ଅସହାୟତା ଏବଂ ବାହିକ୍ୟତାରୁ ମୁକ୍ତ ହୋଇ ପାରନ୍ତେ ଓ ମଣିଷର ଅସଲ କେତେ କାମରେ ଲାଗି ପାରନ୍ତେ ! ମଣିଷ ମଣିଷ ଭିତରେ ବାଡ଼ ହୋଇ ଠିଆ ହୋଇଥିବା କେତେ ମିଛ କେଡ଼େ ସହଜରେ ଆମ ପୃଥିବୀରୁ ବିଦା ହୋଇ ଚାଲିଯାଇ ପାରନ୍ତେ ! ଆମକୁ ପ୍ରାୟ ଅଣନିଃଶ୍ୱାସୀ କରି ବାନ୍ଧି ରଖିଥିବା କେତେ କେତେ ଅନାବଶ୍ୟକ ଅତିଲିପ୍ତତା ଏବଂ ଅତିରିକ୍ତତା ମଧ୍ୟରୁ ମୁକ୍ତ ହୋଇ ଆମେ କେଡ଼େ ସହଜରେ ଜୀବନର ଅସଲ ପ୍ରୟାସ ଓ ଅସଲ ଶ୍ରେୟଃଗୁଡ଼ିକ ମଧ୍ୟକୁ ଚାଲିଆସି ପାରନ୍ତେ ଓ ପରସ୍ପରର ଉଦୟରେ ସହୃଦୟ ବନ୍ଧୁପରି ପରସ୍ପରର ସହାୟତା କରିପାରନ୍ତେ ।

 

ଏହି ପଥ ଏକ ଭିନ୍ନ ପଥ । ପୁରାତନ ଅନେକ ପଥ ସହିତ ଏହାର ଆଦୌ କୌଣସି ସାମଞ୍ଜସ୍ୟ ନାହିଁ । ତେଣୁ ଏହା ଏକ ନୂତନ ପଥ । ଅସଲ ଗୁରୁ ଆମକୁ ଏହି ପଥଟିକୁହିଁ ଦେଖାଇ ଦେଇ ପାରୁଥିବ । ଆମର ଯାବତୀୟ ଅର୍ଜନ ଓ ଅନୁଭବ ଆମକୁ ସତତ ସେହି ପଥଟିର ନିକଟବର୍ତ୍ତୀ କରି ଆଣି ପାରୁଥିବ । ତେବେ ଆମ ଜୀବନରେ ପୌତ୍ତଳିକତା ଲାଗି ଆଉ କୌଣସି ପ୍ରୟୋଜନ ରହିବ ନାହିଁ । ଆମର ଅସଲ ଠାକୁରମାନେ ଆମରି ଭିତରେହିଁ ଦୃଶ୍ୟ ଓ ପ୍ରତ୍ୟକ୍ଷ ହେବାକୁ ଆରମ୍ଭ କରିବେ । ସାମୂହିକ ଜୀବନ କହିଲେ ଆମେ ସେତେବେଳେ ଏପରି ଏକ ମହିମାମୟ ସହବଦ୍ଧତାର ଅନୁଭବ କରିପାରିବା, ଯାହାକି ଆମକୁ ଏକାଠି ଗୋଟିଏ ସଖ୍ୟର ଭୂମି ଉପରେ ଏକ ଅନ୍ୟ ପ୍ରକାରର ଭବିଷ୍ୟ ଆଡ଼କୁ ପରିଚାଳିତ କରି ନେଇଯାଉଛି । ସେତେବେଳେ ବର୍ତ୍ତମାନର ଯାବତୀୟ ଧର୍ମର ଆଉ କୌଣସି ପ୍ରୟୋଜନ ରହିବ ନାହିଁ । ନିମିତ୍ତ ହେବାହିଁ ଏକମାତ୍ର ଧର୍ମରୂପେ ସ୍ଵୀକୃତ ହେବ । ଏ ଠାକୁରମାନେ ବିଦାହୋଇ ଯିବେ । ଆମେ ବାଟ ଚାଲୁଥିବା ସମୟରେହିଁ ଆମ ସହିତ ଆମର ଅସଲ ଠାକୁରମାନେ ଏକାଠି ବାଟ ଚାଲୁଥିବା ପରି ମନେ ହେଉଥିବ ।

 

ନବଜ୍ୟୋତି, ୨୪ ଏପ୍ରିଲ, ୧୯୮୭

Image

 

ଏକ ସଦିଚ୍ଛା, ଏକ ଉଦାସୀନତା

 

ଜଣେ ଜିଜ୍ଞାସୁ ସାଧକ ଥରେ ମାଆଙ୍କୁ ପ୍ରଶ୍ନ କରିଥିଲେ :

 

What should be the attitude of the sadhak of Sri Aurobindo’s yoga towards the various forms of Gods worshipped by different religions in the past and the present ? If he continues to worship them, will it create an obstacle to his progress and prevent his realization of his aim ?

 

[ଅତୀତ ତଥା ବର୍ତ୍ତମାନର ବିଭିନ୍ନ ଧର୍ମଗୁଡ଼ିକ ଯେଉଁସବୁ ବିଭିନ୍ନ ଦେବତାଙ୍କର କଳ୍ପନା କରି ସେମାନଙ୍କୁ ପୂଜା କରିବାପାଇଁ ପରାମର୍ଶ ଦେଇଛନ୍ତି ଓ ଦେଉଛନ୍ତି, ଶ୍ରୀଅରବିନ୍ଦଙ୍କ ଦ୍ଵାରା ପ୍ରଦର୍ଶିତ ଯୋଗମାର୍ଗର ଜଣେ ସାଧକର ସେଗୁଡ଼ିକ ପ୍ରତି କିଭଳି ଦୃଷ୍ଟିକୋଣ ରହିବା ଉଚିତ ? ଯଦି ସିଏ ସେହି ଦେବତାମାନଙ୍କୁ ତଥାପି ପୂଜା କରିବାକୁ ମନ କରେ, ତେବେ ତଦ୍ଦ୍ଵାରା ତା’ର ଅଗ୍ରଗତିରେ ପ୍ରକୃତରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ କି ଏବଂ ଲକ୍ଷ୍ୟଟିର ଉପଲବ୍ଧିକୁ ତାହା ଅଟକାଇ ରଖିବ କି ?]

 

ମାଆ ଅତ୍ୟନ୍ତ ସଂକ୍ଷିପ୍ତ ଭାବରେ ପ୍ରଶ୍ନଟିର ଉତ୍ତର ଦେଇ କହିଥିଲେ :

 

A benevolent goodwill towards all worshippers.An enlightened indifference towards all religions.

 

[ପୂଜା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଏକ ଉଦାର ସଦିଚ୍ଛା ।

 

ଯାବତୀୟ ଧର୍ମ ପ୍ରତି ଏକ ପ୍ରବୁଦ୍ଧ ବା ଜ୍ଞାନସମ୍ପନ୍ନ ଉଦାସୀନତା ।]

 

[ମାତୃ-ରଚନାବଳୀ (ଇଂରାଜୀ), ଜନ୍ମ ଶତବାର୍ଷିକୀ ସଂସ୍କରଣ, ୧୨ଶ ଖଣ୍ଡ, ୧୯୭୮, ପୃଷ୍ଠା-୩୧୦]

 

ଯେତେବେଳେ ମତସବୁ ଆପଣାର ଚତୁର୍ଦ୍ଦିଗରେ ବଡ଼ବଡ଼ କାନ୍ଥମାନ ଛିଡ଼ା କରି ଆପଣାକୁ କୌଣସି ବିଶେଷ ନାମରେ ପରିଚିତ କରାଇବା ସକାଶେ ମନ କରନ୍ତି, ସେତିକିବେଳେ ଗୋଟିଏ ଗୋଟିଏ ଧର୍ମର ସୃଷ୍ଟି ହୋଇଥାଏ । ସାଧନାରେ ଆଗ ପଥ, ହୁଏତ ତା’ପରେ ଯାଇ ମତ; ସବାଆଗ ଅନ୍ଵେଷଣ, ହୁଏତ ତା’ପରେ ଯାଇ ଉପାସନା । ମାତ୍ର ଯେତେବେଳେ ମତର ଅତିଭାରଦ୍ଵାରା ପଥଟି ସତେଅବା କୁଆଡ଼େ ପୋତି ହୋଇଯାଏ, ସେତିକିବେଳେ ଜଣେ ଜଣେ ବ୍ୟକ୍ତି ସତେଅବା କୌଣସି ଅନ୍ୟ ଆଗ୍ରହ ନେଇ ବାହାରନ୍ତି, ଯେଉଁମାନେ କି ମତଟିକୁ ନେଇ ସମ୍ପ୍ରଦାୟଟିଏ ସୃଷ୍ଟି କରନ୍ତି । ସମ୍ପ୍ରଦାୟରେ ହାଡ଼, ମାଉଁସ ଏବଂ ଚମ ଲଗାହୋଇ କ୍ରମଶଃ ଏକ ଧର୍ମର ଭିଆଣ ହୁଏ । ସେହି ଭିଆଣଗୁଡ଼ାକ ଆବଶ୍ୟକ ପ୍ରତିଷ୍ଠାମାନ ଆଣି ଯୋଗାଇଦେବାଲାଗି ଧର୍ମଗ୍ରନ୍ଥମାନ ରଚିତ ହୁଏ; ପ୍ରାୟ ଯେକୌଣସି ଉପନ୍ୟାସ ପରି ସରସ ଲାଗିବା ଭଳି ପୁରାଣମାନ ଲେଖାଯାଏ । ସେହି ପୁରାଣମାନଙ୍କର ହିରୋ ଚରିତ୍ରମାନଙ୍କୁ ଦେବତାର ଆସ୍ଥାନ ଯୋଗାଇ ଦିଆଯାଏ ଏବଂ ସେହି ଦେବତାମାନଙ୍କୁ ଏକ ସୁଦୃଶ୍ୟ ସୋପାନକ୍ରମରେ ସଜାଇ ଦିଆଯାଏ, ସାନବଡ଼ କରି ଦେଖାଇ ଦିଆଯାଏ ।

 

ପୃଥିବୀର ଧର୍ମଗୁଡ଼ିକରେ ପ୍ରାୟ ସର୍ବତ୍ର ଏହିପରି ଗୋଟିଏ ଅଭିନୟ ବାରବାର ଅଭିନୀତ ହୋଇ ଆସିଛି । କୌଣସି ଅପଭଗବାନଙ୍କର ଅଭିପ୍ରାୟ ଅଥବା ଅଭିଶାପରୁ ଯେ ଏପରି ହୋଇଛି, ତାହା ଆଦୌ ନୁହେଁ । ଆମେ ଯେତିକି ଇଚ୍ଛା କରୁଛୁ, ଆମେ ପ୍ରାୟ ସେତିକି ଭିତରେ ଆମର ଧର୍ମ ଅର୍ଥାତ୍ ଅନ୍ଵେଷଣ ଏବଂ ସନ୍ତୋଷଗୁଡ଼ିକୁ ଭାରି ଚମତ୍କାର ଭାବରେ ସୀମାବଦ୍ଧ କରି ରଖିଦେଇଛୁ । ଆମେ ସତେଅବା ପଲ ହୋଇ ରହିବାଲାଗି ଅଧିକ ଆଗ୍ରହ ପ୍ରଦର୍ଶନ କରିଛୁ, ପଥଟିଏ ଚାଲିବା ସକାଶେ ହୁଏତ ସେତେବେଶି ଆଦୌ ମନକରି ପାରିନାହୁଁ । ଅସଲ ଆହ୍ଵାନଗୁଡ଼ିକ ସତକୁସତ ଆମର ଅନ୍ତର ଭିତରେ ଅନୁଭୂତ ହୋଇପାରୁଥାନ୍ତା । ଅସଲ ଉପଲବ୍ଧିଗୁଡ଼ିକ ପ୍ରକୃତରେ ସେହି ଭିତରେହିଁ ଉପଲବ୍ଧ ହୋଇ ପାରୁଥାନ୍ତା । ଏବଂ ସେହି ଉପଲବ୍ଧିଗୁଡ଼ିକର ରସାୟନ ଏବଂ ସଂକ୍ରମଣଦ୍ଵାରା ବାହାରେ ମଧ୍ୟ ଆମର ସମ୍ବନ୍ଧଗୁଡ଼ିକ ସୋପାନ ଉଠିଯାଇ ପାରୁଥାନ୍ତେ । ଅର୍ଥାତ୍, ଆମର ଭିତରେ ଆସି ବାଜୁଥିବା ସ୍ପର୍ଶଗୁଡ଼ିକ ଅନୁସାରେ ଆମର ବାହାରଗୁଡ଼ିକ ମଧ୍ୟ ଅକୁଣ୍ଠ ଓ ସ୍ଵାଭାବିକ ଭାବରେ ବଦଳି ଯାଉଥାନ୍ତା । ଆମର ଯାବତୀୟ ଧର୍ମ ଆମକୁ ସତକୁସତ ଧାରଣ କରି ରହିଥାନ୍ତା, ଆମ ସଂସାରଟି ମଧ୍ୟରେ ତାହା ଅତ୍ୟନ୍ତ ସଚଳ ଏବଂ ଦୃଶ୍ୟମାନ ଭାବରେ ରହିଥିବାର ପ୍ରତ୍ୟକ୍ଷ ହୋଇ ପାରୁଥାନ୍ତା । ପ୍ରକୃତ ପ୍ରେରଣା ସେତିକିବେଳେ ମିଳୁଥାନ୍ତା । ଇତିହାସର ପ୍ରାୟ ପ୍ରତ୍ୟେକ ଧର୍ମର ପଶ୍ଚାତ୍‍ରେ ସବାମୂଳରେ ଠିକ୍ ସେହିପରି ଏକ ପ୍ରେରଣା ରହିଥିଲା; ଏକ ଆଧ୍ୟାତ୍ମିକ ଆହ୍ଵାନ ଅତ୍ୟନ୍ତ ସ୍ପଷ୍ଟଭାବରେ ରହିଥିଲା । ସେହି କ୍ଷେତ୍ରରେ ସର୍ବଦା ଏକ ଜୀବନସନ୍ଦେଶ ରହିଥିଲା, ସେହି ସନ୍ଦେଶ ଆମ ଜୀବନରୁ ଏକ କ୍ରମଉତ୍ତରଣରହିଁ ଅପେକ୍ଷା ରଖିଥିଲା । ସେହି ସନ୍ଦେଶ ସତକୁସତ ଆମ ଜୀବନକୁ ଛୁଇଁ ପାରିଥା’ନ୍ତା, ଆମର ଦୃଷ୍ଟିରେ ଏବଂ ଚେତନାରେ ତାହା ଅଧିକରୁ ଅଧିକ ପରିପୂର୍ଣ୍ଣତା ଆଣିଦେବାରେ ସମର୍ଥ ହୋଇଥାଆନ୍ତା । ମାତ୍ର ତାହା ହୋଇପାରିଲାନାହିଁ । ଆମେ ସେଥିଲାଗି ମନ କଲୁନାହିଁ ବୋଲି ତାହା ହୋଇପାରିଲା ନାହିଁ । ଅନ୍ୟ କିସମର ଗୁରୁମାନେ ଆସି ଅସଲ ପ୍ରେରଣାଟିକୁ ସତେଅବା ଭାରି ଶୀତଳ କରି ରଖିବାକୁ ମନ କଲେ । ଆମ ଭିତର ସହିତ ଲାଗିଥିବା ଆମର ଖିଅଟିକୁ ସେମାନେ ସତେଅବା କେତେ ଚକ୍ରାନ୍ତ କରି ଛିଣ୍ଡାଇଦେଲେ ।

 

ଫଳରେ ଧର୍ମମାନେ ବାନା ହେଲେ, ଦେଉଳ ହେଲେ, ଦେଉଳ ଭିତରେ ପିତୁଳା ହୋଇ ରହିଲେ । ଏହି ଧର୍ମ ପୃଥିବୀରେ ଭୟ ବଢ଼ାଇଲା, ଘୃଣା ବଢ଼ାଇଲା, ସମ୍ପ୍ରଦାୟ ଭେଦରେ ମଣିଷକୁ ମଣିଷଠାରୁ ଭାରି ଦୂରଛଡ଼ା କରିରଖିଲା । ଅସଲ ନାଡ଼ଟି କଟିଯିବା ଫଳରେ ଧର୍ମ କ୍ରମେ କ୍ଷମତାଧୀଶମାନଙ୍କର ଅଧୀନ ହୋଇ ରହିବାକୁ ବାଧ୍ୟ ହେଲା । ରାଷ୍ଟ୍ରର ଅଧୀନ ହେଲା, ନାନା ନ୍ୟସ୍ତସ୍ଵାର୍ଥ ହାତରେ ଅତ୍ୟନ୍ତ ଲଜ୍ଜାଜନକ ଭାବରେ ବ୍ୟବହୃତ ହେବାକୁ ଲାଗିଲାକ । ରାଜାମାନେ ଦେବତମାନଙ୍କ ଲାଗି ବଡ଼ରୁ ଆହୁରି ବଡ଼ଦେଉଳମାନ ତୋଳାଇଲେ । ଆପଣାର ଅନ୍ତର ଭିତରେ ଗୋଟାସୁଦ୍ଧା କବାଟ ପକାଇଦେଇ ଦେବତାମାନଙ୍କୁ ଦେଉଳ ଭିତରେ ପାଇହେବ ବୋଲି ଘୋଷଣା କରି ଏକ ଅନ୍ୟ ହାଉଆର ସୃଷ୍ଟି ହେଲା, ଏକ ନିର୍ମମ ଅତ୍ୟାସକ୍ତିକୁ ଭାରି ପ୍ରଶ୍ରୟ ମଧ୍ୟ ଦିଆଗଲା । ରାଜାମାନେ ରାଜ୍ୟ ଜୟ କରି ଯେଉଁସବୁ ଲୁଟି ମାଲ୍ ବୋହି ଆଣୁଥିଲେ, ସେମାନେ ତଥାପି ଧର୍ମରେ ରହିଛନ୍ତି ବୋଲି ଲୋକ ମନରେ ଏକ ପ୍ରତ୍ୟୟ ସୃଷ୍ଟିକରି ରଖିବାଲାଗି ସେହି ଲୁଟି ମାଲ୍‍କୁ ଲଗାଇ ଦେଉଳ ତୋଳାଇଲେ, କୀର୍ତ୍ତି ଅର୍ଜିଲେ । ରାଜ୍ୟରେ ଠାକୁରଙ୍କର ଆଦ୍ୟ-ସେବକ ବୋଲାଇଲେ । ଧର୍ମଘରେ ଭୂତ ପଶିଗଲା, ଧର୍ମର ସାହାଯ୍ୟ ନେଇ ନାନାବିଧ ଅନ୍ୟକାମୁକତା ଏବଂ ଅନ୍ୟ ଉତ୍ତେଜନାର ସୃଷ୍ଟି କରାଗଲା । ମଧ୍ୟଯୁଗର ଇତିହାସରୁ ଜଣାଯାଏ, ରାଜାମାନେ ଆପଣାର ଯୁଦ୍ଧାଭିଯାନର କାମୁକତାଗୁଡ଼ିକୁ ତୃପ୍ତ କରିବା ଲାଗି ଧର୍ମଗୁଡ଼ାକର ଭାରି ସାହାଯ୍ୟ ନେଉଥିଲେ ଓ ଧର୍ମକୁ ଅଫିମରୂପେ ବ୍ୟବହାର କରୁଥିଲେ । ତଥାକଥିତ ଧର୍ମଗୁରୁ ଓ ଧର୍ମନେତାମାନେ ରାଜାମାନଙ୍କର ସେହିସବୁ ଚତୁର ଚକ୍ରାନ୍ତ ଲାଗି ଆପଣାର ଆଶୀର୍ବାଦ ମଧ୍ୟ ଦେଉଥିଲେ । ଇତିହାସକାରମାନେ କହନ୍ତି ଯେ ଆମର ଏହି ପୃଥିବୀରେ ଧର୍ମର ନାମରେହିଁ ସର୍ବାଧିକ ହତ୍ୟା କରାଯାଇଛି । ଅର୍ଥାତ୍, ଧର୍ମକୁ ଆଳ କରି ମଣିଷ ଯେତେ ହିଂସ୍ର ହେବାଲାଗି ଉତ୍ସାହ ପାଇଛି, ଆଉ କୌଣସିଥିରୁ ସେ ଏତେବେଶି ଉତ୍ସାହ ପାଇନାହିଁ । ଦେଉଳ ଭିତରେ ଦେବତାମାନେ ଅଧିକରୁ ଅଧିକ ରାଜସିକତା ସହିତ ପୂଜା ପାଇଛନ୍ତି ଓ ଯାବତୀୟ ଧର୍ମଭାବନାକୁ ପାଉଁଶ ଭିତରକୁ ଫିଙ୍ଗିଦେଇ ମଣିଷମାନେ ହିଂସ୍ର ହୋଇଛନ୍ତି । ଧର୍ମ ସତେଅବା ମଣିଷକୁ ନିଶା ଖାଇ ବାଟ ହୁଡ଼ିବାରେହିଁ ଅଧିକ ସାହାଯ୍ୟ କରିଛି । ଧର୍ମଜୀବନ କହିଲେ ମୂଳତଃ ଯେ ଆପଣାର ଭିତରେ ଏବଂ ବାହାରେ ସତକୁସତ କେତେକ ଡୋର ବାନ୍ଧିବାକୁ ବୁଝାଏ, ସେହି କଥାଟି କୁଆଡ଼େ ପାସୋର ହୋଇ ରହିଛି ।

 

ବର୍ତ୍ତମାନ ପୃଥିବୀରେ କେତେ ଧର୍ମ, କେତେ ଠାକୁର, କେତେ ଦେଉଳ । ଯେଝା ଠାକୁରକୁ ଯିଏ ରଥରେ ବସାଇ ବାନା ଉଡ଼ାଇ ଦାଣ୍ଡକୁ ବାହାରିଛନ୍ତି । ରଥଗୁଡ଼ାକୁ ଈର୍ଷା ଓ ଉତ୍ତେଜନାରେ ପାଚି କେଡ଼େ ଉଦ୍ଦଣ୍ଡ ଦେଖାଯାଉଛନ୍ତି । ନୂଆ ଗୁରୁଙ୍କଠାରୁ ସୂତ୍ର ନେଇ ନୂଆ ମଣ୍ଡଳୀମାନେ ଗଢ଼ା ହେଉଛନ୍ତି ଓ ସେମାନେ ନୂଆ ନୂଆ ସମ୍ପ୍ରଦାୟ ଗଢ଼ି ଅଲଗା ହୋଇ ଦିଶିବାକୁ କେଡ଼େ ପ୍ରବଳ ହୋଇ ବାହାରି ପଡ଼ୁଛନ୍ତି । ତେଣେ ଆମ ସଂସାରରେ ଓ ଆମର ସମ୍ବନ୍ଧଗୁଡ଼ିକରେ ପାଷାଣ୍ଡତାହିଁ ବଢ଼ିବାରେ ଲାଗିଛି । ପାଷଣ୍ଡମାନଙ୍କ ହାତରେହିଁ ସତେଅବା ସବୁଯାକ ଅଢ଼ା କବଳିକୃତ ହୋଇ ରହିଛି । ତୁଚ୍ଛା ମୂଢ଼ ଓ ଅନ୍ଧମାନଙ୍କୁ ଆଧୁନିକ ରାଜନୀତିର ଭାଷାରେ fundamentalists ବୋଲି କୁହାଯାଉଛି । ଅସଲ ସତ୍ୟଗୁଡ଼ାକ ଲୁଚିଗଲେ ଓ ବାହାରକୁ ଆସିବାକୁ ସାହସ ନକଲେ ଯାଇ ବୋଧହୁଏ ଉଗ୍ର ଓ ଉଦ୍ଦଣ୍ଡମାନେହିଁ ଆପଣାକୁ ଫଣ୍ଡାମେଣ୍ଟାଲିଷ୍ଟ ବୋଲି କହି ମୁକୁଟ ପିନ୍ଧି ଖଣ୍ଡା ଧରି ବାହାରକୁ ବାହାରନ୍ତି ଓ ଉଗ୍ର ହୋଇ ନାଚନ୍ତି । ବର୍ତ୍ତମାନ ପୃଥିବୀରେ ଚାଲିଥିବା ଉପାସନାଗୁଡ଼ିକରେ ଯଦି ପ୍ରକୃତ ବଳ ଏତେ ଟିକିଏହେଲେ ରହିଥାନ୍ତା, ତେବେ ଆମ ପୃଥିବୀ କଦାପି ଏପରି ଏକ ଆସୁରିକ ସୁଆଙ୍ଗରେ ପରିଣତ ହୋଇ ରହିନଥାନ୍ତା । ଯଦି ଭିତରେ ଆଦୌ କୌଣସି ଆସ୍ଥାନ ନଥାଇ ଦେଉଳମାନଙ୍କରେ ଭେଟ ହୋଇ ଯାଉଥାନ୍ତା, ତେବେ ମଣିଷମାନେ କଦାପି ଏତେ ଭୀରୁ ହୋଇନଥାନ୍ତେ ଏବଂ ନିଜକୁ କଦାପି ଏତେବେଶି ଅସହାୟ ପରି ଅନୁଭବ କରୁନଥାନ୍ତେ । କ୍ଷମତା ପାଖରେ ସେମାନେ କଦାପି ଆପଣାକୁ ଏତେ ସହଜରେ ବିକିଦେଉ ନଥାନ୍ତେ । ବର୍ତ୍ତମାନ ପୃଥିବୀରେ ହୁଏତ ସବୁଠାରୁ ଅଧିକ ଏକ ବିଡ଼ମ୍ବନାର କଥା ହେଉଛି ଯେ, ମଣିଷ ତା’ର ମନ୍ଦିରଗୁଡ଼ାକୁ ସୁନା ଓ ଶଙ୍ଖମର୍ମର ପଥରରେ ଛାଉଣି କରି ରଖିବାକୁ ଅଧିକରୁ ଅଧିକ ମନ କରିବା ସଙ୍ଗେସଙ୍ଗେ ଏଣେ ଅଧିକରୁ ଅଧିକ ଭୀରୁ ହେବାରେ ଲାଗିଛି, ଅଧିକରୁ ଅଧିକ ହିଂସ୍ର ମଧ୍ୟ ହେବାରେ ଲାଗିଛି । ତା’ର ବାଟ ଚାଲିବା ମଧ୍ୟ ସେତିକି ସେତିକି ଯୁକ୍ତିର ସହିତ ବନ୍ଦ ହୋଇ ଯାଉଛି । ଭିତରେ ଆପଣାର ଅସଲ ଘର ଓ ଅସଲ ବିଶ୍ଵାସଗୁଡ଼ିକର ଥାନରେ ସିଏ ହୁଏତ ଏକାବେଳେକେ ଅବଲମ୍ବନହୀନ ଏବଂ ନିଃସ୍ଵ ହେବାରେ ଲାଗିଛି କି କ’ଣ କେଜାଣି, ବାହାରେ ଅଧିକ ଆତୁରତା ସହିତ ସିଏ ତୁଚ୍ଛା କଣ୍ଢେଇଗୁଡ଼ାକୁହିଁ ଅଧିକ ଉଗ୍ରତାର ସହିତ ଆବୋରି କରି ରହିବାକୁ ଭାରି ମନ କରୁଛି । ତା’ ଚେତନାର ଘରଗୁଡ଼ିକ ସତେଅବା ସମ୍ପୂର୍ଣ୍ଣ ଭାବରେ ଅଚେତନ ହୋଇ ରହିଛି । ତେଣିକି ସିଏ ଆଦୌ ସାହସ କରି ପାରୁନାହିଁ ।

 

ଶ୍ରୀଅରବିନ୍ଦଙ୍କର ପ୍ରଦର୍ଶିତ ପଥ ଏକ ଅନ୍ୟ ପଥ । ଦେଉଳ, ଦେବତା, ଉପାସନା, ସମ୍ପ୍ରଦାୟ, ମତ ଏବଂ ରଥଗୁଡ଼ାକୁ ଯଦି ଧର୍ମ ବୋଲି କୁହାଯାଏ, ତେବେ ଶ୍ରୀଅରବିନ୍ଦଙ୍କର ପ୍ରେରଣାକୁ ସେହିପରି ଗୋଟିଏ ଶ୍ରେଣୀର ଅନ୍ତର୍ଭୁକ୍ତ କରି ଏକ ଧର୍ମପ୍ରେରଣା ବୋଲି କୁହାଯାଇପାରିବ ନାହିଁ । ଶ୍ରୀଅରବିନ୍ଦ ଚେତନାର କଥା କହିଛନ୍ତି । ସିଏ ଚେତନାର ବାଟ ଚାଲିବା ଓ ଚେତନାରେ ପାହାଚ ଉଠିବା କଥା କହିଛନ୍ତି । ଏହି ବାଟ ଓ ପାହାଚଗୁଡ଼ିକ ଆମ ଭିତର ଆଡ଼କୁ ପଡ଼ିଛି ଅର୍ଥାତ୍ ଉପରକୁ ପଡ଼ିଛି । ଭିତରକୁ ଯିବା ଅର୍ଥାତ୍ ଆପଣା ଚେତନାରେ ଏକ ସମ୍ପ୍ରସାରଣ ଘଟାଇବା । ନିଜର ଅଳପଗୁଡ଼ିକ ସହିତ ମୋହ ତୁଟିଗଲେ ଯାଇ ବହୁତ ଆଡ଼କୁ, ସକଳ ଆଡ଼କୁ ଓ ପରମ ଆଡ଼କୁ ବାଟ ଫିଟିଯିବ । ନିଜଭିତରେ ଓ ଆପଣାର ସଚେତନ ସମ୍ପ୍ରସାରଣଗୁଡ଼ିକରେ ଅହଂର ଗାରଗୁଡ଼ିକୁ ପାର ହୋଇ ଯାଉଥିବା ସଙ୍ଗେସଙ୍ଗେ ଆମେ ଭୂମାର ପରିଚୟ ଲାଭ କରିବା ଏବଂ ସେହି ପରିଚୟଟିର ପରିବେଷ୍ଟନୀଟି ମଧ୍ୟରେ ଆପଣାକୁ ନୂତନ କରି ଗଢ଼ିବା । ତେବେଯାଇ ଆମେ ଆମ ଚେତନାରେ ତଥା ଜୀବନରେ ଆମଲାଗି ଅପେକ୍ଷା କରି ରହିଥିବା ନୂତନ ପ୍ରସ୍ଥଗୁଡ଼ିକର ଆବିଷ୍କାର କରିପାରିବା । ଏହି ସତତ ଆରୋହଣ ଏବଂ ସତତ ଅତିକ୍ରମଣଫଳରେହିଁ ପରମସତ୍ୟ ଆମର ଜୀବନମଧ୍ୟକୁ ଅବତରଣ କରି ଆସିବ, ଆମର ଜୀବନ ଭିତରକୁ କରୁଣାର ଧାରା ହୋଇ ପ୍ରବାହିତ ହେବାକୁ ଲାଗିବ ଏବଂ ଆମର ଜୀବନକୁ ଧନ୍ୟ କରିଦେବ । ସତେଅବା କେଉଁ ଜନନୀର ହାତଦୁଇଟି ଆଶୀର୍ବାଦ ହୋଇ ଆମର ଏହି ଜୀବନକୁ ନୂତନରୂପେ ଗଢ଼ିବାର ଦାୟିତ୍ଵ ଗ୍ରହଣ କରିବ । ନୂତନରୂପେ ଗଢ଼ିହୋଇ ଯାଉଥିବା ସଙ୍ଗେ ସଙ୍ଗେ ବାହାରେ ଆମର ସମ୍ବନ୍ଧଗୁଡ଼ିକ ମଧ୍ୟ ବଦଳି ଯାଉଥିବ । ଏହି ପରିବର୍ତ୍ତନ ଲାଗି ବହୁ ବ୍ୟକ୍ତି ସମ୍ମତ ଓ ପ୍ରସ୍ତୁତ ହୋଇ ବାହାରିଲେ କ୍ରମେ ଆମର ସାମୂହିକ ଜୀବନଗୁଡ଼ିକ ମଧ୍ୟ ଆଉ ପୂର୍ବଭଳି ଠିକ୍ ସେହିପରି ହୋଇ ରହିବାକୁ ମୋଟେ ମନ କରିବେନାହିଁ । ବର୍ତ୍ତମାନର ଏହି ପୃଥିବୀରେ, ଆମର ତଥାକଥିତ ସାମୂହିକ ସମ୍ବନ୍ଧଗୁଡ଼ିକର ଜୀବନରେ ଆମେ କେତେକେତେ ଦଉଡ଼ିରେ କେତେପ୍ରକାରେ ବାନ୍ଧିହୋଇ ରହିଛୁ; ସଂସାରକୁ ମାୟାଜଞ୍ଜାଳ ବୋଲି କହୁଥିଲେ ମଧ୍ୟ ଆମେ ତଥାପି ଅତ୍ୟନ୍ତ ଅସହାୟ ଭାବରେ ସେହି ମାୟାଗୁଡ଼ିକ ମଧ୍ୟରେ ଘାଣ୍ଟି ହେଉଛୁ । ଆମ ଭିତରେ ଈପ୍ସିତ ନୂତନ ଚେତନା ଏବଂ ନୂତନ ଶ୍ରଦ୍ଧାର ଉନ୍ମୀଳନ ଘଟିଲେ ଏହି ସଂସାରକୁ ମଧ୍ୟ ଆମର ବଳ ପାଇବ । ଆମ ଭିତରେ ଏକ ନୂତନ ବିଶ୍ଵାସ ଜନ୍ମଲାଭ କରିବ, ଯାହାକି ଆମ ଭିତରେ ଏହି ପୃଥିବୀକୁ ବଦଳାଇ ପାରିବାଲାଗି ଆବଶ୍ୟକ ନୂତନ ବଳଟିଏ ଆଣି ଦେଇଯିବ ।

 

ବିବର୍ତ୍ତନର ପରବର୍ତ୍ତୀ ଖନ୍ଦଗୁଡ଼ିକରେ ମନୁଷ୍ୟସମାଜ ଲାଗି ଏହିଭଳି ଏକ ବୃହତ୍ ଭବିଷ୍ୟ ଅଭିପ୍ରେତ ହୋଇ ରହିଛି । ଯେତେବେଳେ ଉଦ୍ଭିଦ ଇତର ପ୍ରାଣୀରୂପେ ବିବର୍ତ୍ତିତ ହୋଇ ଆସୁଥିଲା କିମ୍ବା ଯେତେବେଳେ ଇତର ପ୍ରାଣୀର ପାହାଚଟି ଭିତରୁ ମନୁଷ୍ୟ ବିବର୍ତ୍ତିତ ହୋଇ ଆସୁଥିଲା, ସେତେବେଳେ ବିବର୍ତ୍ତନ ସମଗ୍ରତଃ ଗୋଟିଏ ବହିଃପ୍ରକ୍ରିୟାରୂପେ ଚାଲୁଥିଲା, ଅର୍ଥାତ୍, ବିବର୍ତ୍ତନ ସହିତ ଜଡ଼ିତ ହୋଇ ରହିଥିବା ଉଦ୍ଭିଦ ଅଥବା ଇତର ପ୍ରାଣୀ ବିବର୍ତ୍ତନର ଧାରାରେ ସ୍ଵୟଂ କୌଣସି ସହଯୋଗ କରି ପାରୁ ନଥିଲା । ସହଯୋଗ କରିବାଲାଗି ସେମାନଙ୍କର କୌଣସି ସାମର୍ଥ୍ୟ ନଥିଲା । ମାତ୍ର ମନୁଷ୍ୟ ହେଉଛି ଏକ ସଚେତନ ପ୍ରାଣୀ; ସିଏ ମନକଲେ ସେହି ସହଯୋଗଟିକୁ କରିପାରିବ । ତା’ର ସେହି ସାମର୍ଥ୍ୟ ଅବଶ୍ୟ ରହିଛି । ମନୁଷ୍ୟ ଭିତରେ ଆତ୍ମସଚେତନ ହେବାର ସାମର୍ଥ୍ୟ ରହିଛି; ଆପଣାର ଚେତନାକୁ ସଂକେନ୍ଦ୍ରିତ କରି ତାହାକୁ ଏକ ନିର୍ଦ୍ଦିଷ୍ଟ ବୃହତ୍ତର ଲକ୍ଷ୍ୟସାଧନ ନିମନ୍ତେ ନିୟୋଜିତ ହେବାଲାଗି ବାଟ ଛାଡ଼ିଦେବା,–ଏହି ସାମର୍ଥ୍ୟ ମଣିଷ ଭିତରେ ଅଛି । ସେହି ସାମର୍ଥ୍ୟ ହେଉଛି ତପସ୍ୟାର ସାମର୍ଥ୍ୟ, ସାଧନାର ସାମର୍ଥ୍ୟ, ଏକ ସଚେତନ ଶ୍ରଦ୍ଧାର ସାମର୍ଥ୍ୟ । ଅହଂର ଖୋଳପାଟା ଭିତରେ ଆବଦ୍ଧ ହୋଇ ରହିଥିଲେ ମଧ୍ୟ ନିଜକୁ ସେହି ଖୋଳପା ଭିତରୁ ବାହାର କରିଆଣି ବିଶ୍ଵଚେତନ ହେବାର ସାମର୍ଥ୍ୟ ମନୁଷ୍ୟ ଭିତରେ ଅନ୍ତର୍ନିହିତ ହୋଇରହିଛି । ଏହିଭଳି ଏକ ବିଶ୍ଵଚେତନାହିଁ ଆମର ବିଶ୍ଵକୁ ବଦଳାଇ ଦେଇପାରିବ । ତାହାରି ବଳରେହିଁ ମନୁଷ୍ୟ ସକଳ ପ୍ରକାରର ବ୍ୟକ୍ତିଗତ ତଥା ସାମୂହିକ ଅହଂଚେତନାରୁ ମୁକ୍ତିଲାଭ କରି ବାହାରି ଆସିପାରିବ । ଆଗେ, ପୁରାତନ ସାଧନାର ରୀତିରେ ମୁକ୍ତି କହିଲେ ଏହି ସଂସାରରୁ ଖସି ପଳାଇବାକୁହିଁ ବୁଝାଉଥିଲା । ମଣିଷ ପରମାର୍ଥ ବୋଲି ଯାହାକୁ ଖୋଜୁଛି, ତାହା ସତେଅବା ଏହି ପୃଥିବୀର ବାହାରେ ଆଉ କେଉଁଠି ରହିଛି ବୋଲି ଏକ ବିନାଶକାରୀ ଭ୍ରମ ମନୁଷ୍ୟ–ସାଧନାର ଯାବତୀୟ ଦ୍ଵାରକୁ ରୁଦ୍ଧ କରି ରଖିଥିଲା । ତାହା ମଣିଷକୁ ଅତ୍ୟନ୍ତ ଭୀରୁ ଓ ଅତ୍ୟନ୍ତ ଆର୍ତ୍ତ କରି ରଖିଥିଲା । ନୂତନ ଯୋଗର ସାଧନା ହେଉଛି ବୀରର ସାଧନା; ସଚେତନ ଓ ସହଯୋଗୀ ମଣିଷର ସାଧନା । ସାଧନାର ସେହି ନୂତନ ଉତ୍ସ ଏବଂ ନୂତନ ପ୍ରେରଣାଟିକୁ ନିଜ ଭିତରେ ଅନୁଭବ କରିବାକୁ ହେବ, ଜୀବନର ମାର୍ଗରେ ତାହାର ଠାବ କରିବାକୁ ପଡ଼ିବ । ସେହି ମାର୍ଗଟିଲାଗି ଯୋଗ୍ୟ ଏବଂ ସମ୍ମତ ହୋଇ ପାରିଲେ ଆମେ ବିଶ୍ଵବିବର୍ତ୍ତନ ଅର୍ଥାତ୍ ଈଶ୍ଵରେଚ୍ଛାର ପୂରଣ ହେବାର କ୍ଷେତ୍ରରେ ସକ୍ରିୟ ଭାବରେ ସହଯୋଗ କରିପାରିବା, ଆମେ ସେହି ଲକ୍ଷ୍ୟ ପୂରଣରେ ନିମିତ୍ତରୂପେ ବ୍ୟବହୃତ ହୋଇପାରିବା । ଏକ ନୂତନ ପୃଥିବୀ ସମ୍ଭବ ହୋଇଆସିବ । ପୃଥିବୀପୃଷ୍ଠରେ ଏକ ଭଗବତ୍–ସାମ୍ରାଜ୍ୟର ପ୍ରତିଷ୍ଠା ହେବ ବୋଲି ଅତୀତର ବହୁ ଧର୍ମ ଓ ଧର୍ମାଦର୍ଶ ଯେଉଁ ସ୍ଵପ୍ନ ଦେଖି ଆସିଥିଲେ, ସେତିକିବେଳେ ଯାଇ ସେହି ସ୍ଵପ୍ନଟି ବାସ୍ତବରେ ପରିଣତ ହେବ । ଜୀବନ ମଧ୍ୟକୁହିଁ ପରମ ଦିବ୍ୟତାର ଅବତରଣ ଘଟିବ, ଏହି ପୃଥିବୀର ସମ୍ବନ୍ଧଗୁଡ଼ିକ ମଧ୍ୟରେ ଭଗବାନ ଜଳଜଳ ହୋଇ ଅନୁଭୂତି ହେବାକୁ ଲାଗିବେ । କହିବା ବାହୁଲ୍ୟ ଯେ, ସେତେବେଳେ ମଣିଷ ଲାଗି ଅଫିମ ପରି କାର୍ଯ୍ୟ କରୁଥିବା ଏହି ଧର୍ମ ଓ ଏହି ଦେବତାମାନଙ୍କର ଆଉ କୌଣସି ପ୍ରୟୋଜନ ରହିବ ନାହିଁ । ସେତେବେଳେ ଉପାସନାର ସ୍ତର ବଦଳିଯିବ । ଏକ ଆଧ୍ୟାତ୍ମିକ ଜୀବନର ପ୍ରବର୍ତ୍ତନ ହେବ । ବିବର୍ତ୍ତନର ଧାରାରେ ମନୁଷ୍ୟ ଜାତି ଆଜି ସେହି ସ୍ତରଟି ମଧ୍ୟକୁ ପ୍ରବେଶ କରିବାଲାଗି ଭିତର ଓ ବାହାର ଉଭୟ କ୍ଷେତ୍ରରେ ପ୍ରସ୍ତୁତ ହେବାରେ ଲାଗିଛି । ପୂର୍ଣ୍ଣ-ଯୋଗର ଆହ୍ୱାନ ଆମ ସମସ୍ତଙ୍କୁ ସେହି ଉଦ୍ଦେଶ୍ୟରେହିଁ ସମ୍ମତ କରିନେଉଛି ।

 

ପରବର୍ତ୍ତୀ ବିବର୍ତ୍ତନର ଏହି ଆହ୍ୱାନଟିକୁ ଯେଉଁମାନେ ନିଜ ଭିତରୁ ଶୁଣି ପାରୁଛନ୍ତି ଓ ସେହି ବୃହତ୍‌ ପରିବର୍ତ୍ତନଟି ଲାଗି ଆପଣାକୁ ନିମିତ୍ତ ବା ଯନ୍ତ୍ରରୂପେ ତିଆରି କରିବା ଲାଗି ନିଷ୍ପତ୍ତି କରି ନେଇଛନ୍ତି, ଏହି ବିବର୍ତ୍ତନର ସମାଜରେ ତଥାପି ଆସନ ଜମାଇ ବସିଥିବା ଧର୍ମଗୁଡ଼ିକ ପ୍ରତି ସେମାନଙ୍କର ଦୃଷ୍ଟିକୋଣ ମୂଳତଃ କିପରି ହେବା ଉଚିତ ? ଯେଉଁମାନେ ସେହି ପୁରୁଣା ରୀତିରେ ସଂସାରଟାକୁ ପାର ହୋଇଯାଇ କଳ୍ପିତ ଆଉ କେଉଁଠାରେ ପରମମୋକ୍ଷ ଲାଭ କରିବାର ବାସନା ରଖି ପୁରୁଣା ଦେବତାମାନଙ୍କର ଉପାସନା କରୁଛନ୍ତି, ଓ ଯେଉଁମାନଙ୍କର ପ୍ରୀତ୍ୟର୍ଥେ ନିତି ନୂଆ ମନ୍ଦିରମାନ ତିଆରି ହେବାରେ ଲାଗିଛି, ସେମାନଙ୍କ ପ୍ରତି ମଧ୍ୟ ଏମାନଙ୍କର କିପରି ଦୃଷ୍ଟିକୋଣ ରହିବା ଉଚିତ ? ମାଆଙ୍କ ଭାଷାରେ କହିଲେ, ପ୍ରଥମଟିର କ୍ଷେତ୍ରରେ ଏକ ଉଦାସୀନତା ବା ଉପେକ୍ଷାଭାବହିଁ ପୁରାତନ ଧର୍ମଗୁଡ଼ିକ ପ୍ରତି ଆମ ଦୃଷ୍ଟିକୋଣର ମୀମାଂସକ ଭାବ ହୋଇ ରହିବ । ଆମେ ଏହି ଧର୍ମଗୁଡ଼ିକର ବିରୋଧ କରିବାନାହିଁ,–ଆଗେ ଯେପରି ଧର୍ମୋତ୍ସାହୀମାନେ ପୁରୁଣା ଧର୍ମଗୁଡ଼ିକ ବିରୋଦ୍ଧରେ ଯୁଦ୍ଧଘୋଷଣା କରୁଥିଲେ ଓ ପିତୁଳା ଭାଙ୍ଗି ବାହାରୁଥିଲେ, ଆମ ଦୃଷ୍ଟିକୋଣରେ ସେପରି କୌଣସି ଅରାଜକତା ଲାଗି ଆଦୌ କୌଣସି ସ୍ଥାନ ରହିବ ନାହିଁ । ଇତିହାସରେ ଯେଉଁମାନେ ପିତୁଳା ଭାଙ୍ଗିଛନ୍ତି, ଅଧିକାଂଶ କ୍ଷେତ୍ରରେ ସେହିମାନେହିଁ ନାନା ନୂତନ ପୌତ୍ତଳିକତାର କାରଣ ହୋଇଛନ୍ତି । ଆମେ ପିତୁଳା ଭାଙ୍ଗିବା ନାହିଁ ସତ, ମାତ୍ର ପିତୁଳା ପଛରେ ଯିବାଲାଗି ମଧ୍ୟ ଆଦୌ ମନ କରିବା ନାହିଁ । ଆମେ ନିଜକୁ ନୂତନ ଭାବରେ ଗଢ଼ିବା, ଚେତନାରେ ସୋପାନ ଉଠିବା ଏବଂ ଏକ ନୂତନ ସମ୍ବନ୍ଧର ଭୂମି ଉପରେ ଆପଣାର ଜୀବନକୁ ବଞ୍ଚିବା ଲାଗି ସମର୍ଥ ହେବା । ପୁରାତନ ରୀତିଗୁଡ଼ିକର ଅରଣ୍ୟ ମଧ୍ୟରୁ ଆମେ ଆମର ନୂତନ ସହଯାତ୍ରୀମାନଙ୍କୁ ଆବିଷ୍କାର କରି ବାହାରିବା, ଆମେ ପରସ୍ପରକୁ ଠାବ କରି ବାହାରିବା । ଆମର ଯେଉଁ ପୃଥିବୀଟିକୁ ପୁରାତନ ନାନାଭାବେ କାମୁଡ଼ି ଧରିଛି ଓ ନୂତନ ପ୍ରବର୍ତ୍ତନର ପଥକୁ ନାନା କୁଣ୍ଠା ଏବଂ ଅନିଚ୍ଛାର ରାଜସିକତାଦ୍ୱାରା ଓଗାଳି ରହିଛି, ସେହି ପୃଥିବୀରେ କୋଟି କୋଟି ମଣିଷ ଏପରି ଅଛନ୍ତି, ଯେଉଁମାନେ କି ସେହି ପୁରାତନ ମାର୍ଗରେହିଁ ଉପାସନା କରୁଛନ୍ତି । ପୃଥିବୀରେ ସବୁଠାରୁ ଅଧିକ ବାନା ସେହିମାନଙ୍କର ଦେଉଳ ଉପରେ ଉଡ଼ୁଛି । ସେହି ଉପାସକମାନଙ୍କ ପ୍ରତି ଆମେ ଉଦାର ହେବା, ସଦିଚ୍ଛା ରଖିବା । ସେମାନଙ୍କୁ ସେମାନଙ୍କର ମାର୍ଗରୁ ଓହରାଇ ଆଣିବା ସକାଶେ ଆମେ ଆଦୌ କୌଣସି ଉତ୍ସାହ ଦେଖାଇବା ନାହିଁ । ସ୍ୱମାର୍ଗର ବୃତ୍ତଗୁଡ଼ିକୁ ବୁଲି ସେମାନେ ମଧ୍ୟ ଯେ ଅସଲ ଥାନାଟିକୁ ଏବଂ ଅସଲ ଚେତନା ମଧ୍ୟକୁ ଆସିବେ, ସେମାନଙ୍କ ବିଷୟରେ ଆମେ ସେହି ସଦିଚ୍ଛାଟିକୁ ସତତ ପୋଷଣ କରି ରହିଥିବା । ମାତ୍ର କଦାପି ସେହି ମାର୍ଗଗୁଡ଼ିକର ଅନୁକରଣ କରି ଆମ ଅଭୀପ୍ସାକୁ ଖୁଣ କରି ପକାଇବା ନାହିଁ । ଅତୀତରେ ଅନେକ ନୂଆ ପୁରୁଣାଗୁଡ଼ାକର ଅନୁକରଣ କରି ପୁରୁଣାକୁ ଅତିକ୍ରମ କରିବା ସକାଶେ କେତେ ନା କେତେ ପ୍ରୟାସ କରିଛି ଏବଂ ସେହି ଭ୍ରମ ଭିତରେ ପଡ଼ି ସ୍ୱୟଂ ପୁରୁଣା ହୋଇଯାଇଛି, ଭାରି ଶୋଚନୀୟ ଭାବରେ ନିଜର ବାଟରୁ ହୁଡ଼ିଯାଇଛି । ଆମେ ସେପରି କରିବାନାହିଁ । ଅଧିକରୁ ଅଧିକ ମଣିଷଙ୍କୁ ଆକର୍ଷିତ କରି ପାରିବାର ମାୟାରେ ପଡ଼ି ଆମେ କଦାପି ନିଜକୁ ସେହି ପୁରୁଣା ରୀତିଗୁଡ଼ାକ ଅନୁସାରେ ଆକର୍ଷକ କରି ଦେଖାଇବା ନାହିଁ । ସେହିସବୁ ଆଗ୍ରହର ଶିକାର ହେଲେ ଆମେ ଅଧବାଟରେ ଅଟକି ରହିଯିବା । ଯୁଗ ଆଗକୁ ଚାଲିଯିବ ଆମେ ପଛରେ ପଡ଼ି ରହିଯିବା ।

 

ଆପଣାର ମାର୍ଗରେ ପରସ୍ପରକୁ ବଳ ଓ ନିର୍ଭର ଦେଇପାରିବା ଲାଗି ଆମର ଲକ୍ଷ୍ୟଟି ଆମ ସମ୍ମୁଖରେ ଅତ୍ୟନ୍ତ ସ୍ପଷ୍ଟ ହୋଇ ରହିପାରିବା ଉଚିତ । ବାହାରର କୌଣସି ସନ୍ତକଦ୍ୱାରା ନୁହେଁ, ଅନ୍ତରର ଯଥାର୍ଥ ଅଭୀପ୍ସାଟିଦ୍ୱାରା ଆମେ ପରସ୍ପରକୁ ଚିହ୍ନିନେଇ ପାରିବା ଉଚତ । ଆମେ ତେବେଯାଇ ପ୍ରକୃତ ସହଯୋଗୀ ହୋଇ ବାହାରି ପାରିବା । ଦିବ୍ୟ ପରମ ଇଚ୍ଛାଟି ସହିତ ମାଆ ଯେଉଁ Collaborationର କଥା କହିଛନ୍ତି, ଆମେ ସେତେବେଳେ ଯାଇ ତା’ର ଯୋଗ୍ୟ ହୋଇପାରିବା ।

 

ନବଜ୍ୟୋତି, ୧୫ ଅଗଷ୍ଟ ୧୯୮୭

Image

 

ତୀର୍ଥାଟନର ମାୟା

 

ପୃଥିବୀରେ ଧର୍ମମାନେ ଅଛନ୍ତି, ତୀର୍ଥମାନେବି ଅଛନ୍ତି । ତୀର୍ଥମାନଙ୍କରେ ଦେବତାମାନେ ରହିଛନ୍ତି । ଧର୍ମାନୁପ୍ରେରିତ ମନୁଷ୍ୟମାନେ ଏହି ଦେବତାମାନଙ୍କୁ ନେଇ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ବସାଇଛନ୍ତି ଓ ସେହି ଅନୁସାରେ ପ୍ରାୟ ଏକ ଧର୍ମାନୁପ୍ରେରିତ ଅତ୍ୟୁଲ୍ଲାସ ସହିତ ସେହି ଥାନଗୁଡ଼ିକୁ ତୀର୍ଥ ବୋଲି କୁହାଯାଇଛି । ସବୁ ତୀର୍ଥରେ ଯେ ଦେବତାମାନେ ସ୍ଥାପିତ ହୋଇଛନ୍ତି ସେକଥା ଆଦୌ ନୁହେଁ । ଆଦୌ କୌଣସି ଦେବତା ନଥାଇ ମଧ୍ୟ ତୀର୍ଥମାନ ରହିଛି । ଆଗକାଳର, ଅର୍ଥାତ୍‌ ଅତି-ପ୍ରାଚୀନ କାଳରେ ଥିଲା, ଏବେ ମଧ୍ୟ ରହିଛି । ତୀର୍ଥଦ୍ୱାରା କୌଣସି ଧର୍ମର ଧର୍ମତ୍ୱକୁ ପ୍ରତିପାଦନ କରିବା, ଏବଂ, ଆହୁରି ଆଗକୁ ଯାଇ କହିଲେ, ତୀର୍ଥାଟନଦ୍ୱାରା ଧର୍ମାବଲମ୍ବୀମାନଙ୍କର ଧର୍ମସ୍ଥତ୍ୱକୁ ପ୍ରତିପାଦନ କରିବା, ତାହା ପ୍ରାୟ ଆବହନମାନ କାଳରୁ ଏକ ଅପ୍ରତିପାଦ୍ୟ ଅର୍ଦ୍ଧସତ୍ୟପ୍ରାୟ ହୋଇ ରହିଛି । ତୀର୍ଥକୁ ଆସିବାମାତ୍ରେ ଯଦି ତାହା ମନୁଷ୍ୟର ଜୀବନ ଭିତରେ ଧର୍ମଲାଗି ଅଧିକ ଥାନ ଛାଡ଼ି ଦେବାର ଏକ ନିମିତ୍ତରୂପେ କାର୍ଯ୍ୟ କରୁଥା’ନ୍ତା, ତେବେ ଆମର ଏହି ଛୋଟିଆ ପୃଥିବୀରେ ଏତେଗୁଡ଼ାଏ ଧର୍ମପାଇଁ ସତକୁସତ ମୋଟେ ଜାଗା କୁଳାଉ ନଥାନ୍ତା । ପୃଥିବୀର ସ୍ଥିତାବସ୍ଥାରେ ହୁଏତ ଏକ ଭୟଙ୍କର ଅରାଜକତା ଆସି ପହଞ୍ଚି ଯାଉଥାନ୍ତା । ସାନ୍ନିଧ୍ୟ-ଲୋଭରେ ତୀର୍ଥକୁ ଆସି ଯଥାର୍ଥ ସାନ୍ନିଧ୍ୟର ଆହ୍ୱାନ-ସ୍ପର୍ଶଟିଏ ଲାଭ କରି ଧର୍ମସ୍ଥ ଭକ୍ତ ଓ ସମର୍ପିତମାନେ ତଥାକଥିତ ସେହି ତୀର୍ଥଗୁଡ଼ିକର ବେଢ଼ାକୁ ଡେଇଁ ସତକୁସତ ଏପରି ଏକ ବୃହତ୍ତା ମଧ୍ୟକୁ ବାହାରି ଯାଉଥାଆନ୍ତେ, ଯାହାରକି କୌଣସି ସୁମାରି କରାଯାଇ ପାରୁନଥାନ୍ତା ।

 

ଭଳିଭଳି ଧର୍ମ, ଭଳିଭଳି ତୀର୍ଥ । କିନ୍ତୁ ତୀର୍ଥ ସବୁଠାରେ । ଉପାସନା ସଗୁଣ ଅଛି, ନିର୍ଗୁଣ ମଧ୍ୟ ରହିଛି । ଭାରତୀୟ ଉପାସନା ଭିତରେ ଶୂନ୍ୟୋପାସକମାନେ ମଧ୍ୟ ରହିଛନ୍ତି । ଉପାସକମାନଙ୍କର ପ୍ରୀତି ଅର୍ଥରେ ଶୂନ୍ୟକୁ ପ୍ରାୟ ଏକ ଅତ୍ୟାନୁରାଗୀ ପୌତ୍ତଳିକତାରେ ମାଠି; ରୂପ ଦେଇ ଶୂନ୍ୟପୁରୁଷରେ ପରିଣତ କରାଯାଇଛି ଏବଂ ଶୂନ୍ୟ ମନ୍ଦିରମାନ ତୋଳା ହୋଇ ଦୀର୍ଘ ଘଣ୍ଟାନିନାଦ ସହିତ ସେହି ଶୂନ୍ୟମନ୍ଦିରରେ ଶୂନ୍ୟପୁରୁଷଙ୍କର ପାଦପଦ୍ମକୁ ବନ୍ଦନା କରାଯାଉଛି । ମନ୍ତ୍ରକୁ ମଧ୍ୟ ମନନର ସ୍ତରରୁ କେଡ଼େ ଚାତୁର୍ଯ୍ୟର ସହିତ ଖସାଇ ଆଣି ସାକାର ଉପାସନାର ପିତୁଳା କରି ବସାଇ ଦିଆଯାଉଛି । ମନ୍ତ୍ରରୁ ବୀଜମନ୍ତ୍ର, ବୀଜମନ୍ତ୍ରରୁ ଏକାକ୍ଷର ମନ୍ତ୍ର ଅର୍ଥାତ୍ ଓଁ । ବିଭିନ୍ନ ଉପନିଷଦରେ ସେହି ଓଁ ବା ପ୍ରଣବର କେତେପ୍ରକାରେ ଶ୍ଳାଘା କରାଯାଇଛି । ଅଲିଅଳ ପୌତ୍ତଳିକମାନେ ହାତପାଆନ୍ତାରେ ପାଇବେ ବୋଲି ପ୍ରଣବକୁ ପ୍ରଣବେଶ୍ୱର ଠାକୁରରେ ପରିଣତ କରି ଆପଣାର ସାକାର ଲାଳସାଗୁଡ଼ାକ ଲାଗି ସତେଅବା ଏକ ଆଲମ୍ବନ ପାଇ ଯାଉଛନ୍ତି । ଗାୟତ୍ରୀ ମୂଳତଃ ଏକ ମନ୍ତ୍ରର ନାମ । ଏବଂ ଅତ୍ୟାନୁରାଗୀ ଗୃହସ୍ଥମାନଙ୍କ ଲାଗି କେତେ କ୍ଷେତ୍ରରେ ଗାୟତ୍ରୀକୁ ମଧ୍ୟ ଏକ ଦେବୀରେ ପରିଣତ କରି ଦିଆଯାଇଛି ଏବଂ ଠାକୁରାଣୀରୂପେ ପୂଜା କରାଯାଉଛି । ମଣିଷ ଭିତରେ ପୌତ୍ତଳିକ ହେବାର ଏକ ସ୍ୱାଭାବିକ ଆକର୍ଷଣ ରହିଛି ବୋଲି ପୌତ୍ତଳିକ ଧର୍ମ-ସମୀକ୍ଷକମାନେ ଅନେକ ସମୟରେ କହିଥା’ନ୍ତି । ସେମାନେ ପ୍ରକୃତରେ କେଡ଼େ ସହଜରେ ଧର୍ମର ବୃହତ୍ତର ଆହ୍ୱାନଗୁଡ଼ିକୁ ଏକ ତୁଚ୍ଛ ତୀର୍ଥାଟନ ମଧ୍ୟକୁ ସ୍ଖଳିତ କରି ନେଇଆସନ୍ତି ।

 

ଗୋଟିଏ ଗୋଟିଏ ଧର୍ମରେ ପିତୁଳାପୂଜାକୁ ନିଷିଦ୍ଧ ବୋଲି ଘୋଷଣା କରାଯାଇଛି । ତଥାପି ସେହି ଧର୍ମଗୁଡ଼ିକରେ ମଧ୍ୟ ତୀର୍ଥମାନଙ୍କର ମୋଟେ କୌଣସି ଅଭାବ ନାହିଁ । ସମସ୍ତେ ତୀର୍ଥ-ପର୍ଯ୍ୟଟନ କରି ପାରନ୍ତିନାହିଁ । ତେଣୁ ଯେଉଁ ଭାଗ୍ୟବାନମାନେ ତାହା କରି ପାରନ୍ତି, ଇସ୍‍ଲାମ ଧର୍ମରେ ସେମାନଙ୍କୁ ହାଜୀ ବୋଲି କୁହାଯାଏ । ହାଜୀ ହେବାକୁ ସାଧାରଣ ଧର୍ମାନୁସରଣର ସ୍ତରଠାରୁ ସତେଅବା ଗୋଟାଏ ବା କେତେଟା ପାହାଚ ଉପରକୁ ଉଠିଯିବା ବୋଲି ବିଶ୍ୱାସ କରାଯାଏ । ଭାରତବର୍ଷରେ ତୀର୍ଥାଟନକୁ ସର୍ବଦା ଏକ ବିଶେଷ ମହତ୍ତ୍ୱ ଦିଆଯାଇ ଆସିଛି । ଅମୁକ ତୀର୍ଥରେ ବୁଡ଼ ପକାଇବ, ଅମୁକ ତୀର୍ଥରେ ଶ୍ରାଦ୍ଧ ଦେବ, ଅମୁକ ତୀର୍ଥରେ ମୁଣ୍ଡନ କରାଇବ,–ଇତ୍ୟାଦି, ଇତ୍ୟାଦି କେତେ କ’ଣ କଥାର ବରାଦ ଓ ବଖାଣ ମଧ୍ୟ କରାଯାଇଛି । କେଉଁ ତୀର୍ଥରେ କ’ଣ କଲେ କେତେ ଗୁଣ ଅଧିକ ପୁଣ୍ୟ ହୁଏ, ମାହାତ୍ମ୍ୟମାନଙ୍କରେ ସେହି କଥାଟିକୁ ଭାରି ପ୍ରଲୋଭନପୂର୍ଣ୍ଣ ଭାଷାରେ ବ୍ୟାଖ୍ୟା କରି ଦିଆଯାଇଛି । ଦେବତାମାନେ ସାଧାରଣତଃ ସ୍ୱର୍ଗରେ ରହୁଥିଲେ ମଧ୍ୟ ବର୍ଷର ଏକ ନିର୍ଦ୍ଦିଷ୍ଟ ଦିନରେ ଏକ ନିର୍ଦ୍ଦିଷ୍ଟ ତୀର୍ଥକୁ ଅବତରଣ କରି ଆସିଥା’ନ୍ତି ବୋଲି ସତେଅବା କେହି ସତକୁସତ ଆଖିରେ ଦେଖିଥିବା ପରି କୁହାଯାଇଛି । ତୀର୍ଥଗୁଡ଼ିକର ପଛରେ ଗୋଟିଏ ଗୋଟିଏ ମଧୁର କିମ୍ବଦନ୍ତୀ ଯୋଡ଼ିଦେଇ ଆମର ଧର୍ମବେବର୍ତ୍ତାମାନେ ଆମକୁ କେଡ଼େ ଚମତ୍କାର ଭାବରେ ଉଚ୍ଚାଟିତ କରି ରଖିବାକୁ ଚେଷ୍ଟା କରିଛନ୍ତି ଓ ଜଗତକୁ ତୀର୍ଥାଟନର ମାୟା ଭିତରେ ଘାରିକରି ରଖିଛନ୍ତି । ତୀର୍ଥାଟନକୁ ମୋକ୍ଷର କାରଣ ବୋଲି ଘୋଷଣା କରାଯାଇଛି, ମୋକ୍ଷକାମୀମାନଙ୍କର ଗ୍ରୀବାକୁ ଏଭଳି କରି ଆହୁରି ଅଧିକ ଉଦ୍‌ଗ୍ରୀବ କରି ରଖିବାଲାଗି ଚେଷ୍ଟା କରାଯାଇଛି ।

 

ସଂସାରରେ ସବୁଯାକ ଦଉଡ଼ଧାପଡ଼ ସରିଗଲେ ବହୁ ଧର୍ମର ଶାସ୍ତ୍ରରେ ତୀର୍ଥବାସକୁହିଁ ସମୁଚିତ କର୍ତ୍ତବ୍ୟ ବୋଲି କୁହାଯାଇଛି । ଜୀବନ-ନାଟକର ଶେଷ ଅଙ୍କଟିକୁ କୌଣସି ତୀର୍ଥରେ କଟାଇ ପାରିଲେ ପୂର୍ବବର୍ତ୍ତୀ ଅଙ୍କଗୁଡ଼ିକରେ କରାଯାଇଥିବା ଓ ଅର୍ଜିଥିବା ଯାବତୀୟ କଳୁଷର ପ୍ରକ୍ଷାଳନ ସମ୍ଭବ ହୁଏ ବୋଲି ସାଧୁବାଣୀମାନ ରହିଛି । ଅନ୍ତକାଳଟିକୁ କୌଣସି ତୀର୍ଥରେ ବା କ୍ଷେତ୍ରରେ କଟାଇବା ସକାଶେ ପ୍ରାର୍ଥନା କରି ଭକ୍ତମାନେ କେତେ ଭଜନ ଓ ଜଣାଣ ରଚନା କରିଛନ୍ତି । ଏହି ଭଜନ ଓ ଜଣାଣଗୁଡ଼ିକୁ ଯେ କେବଳ ମରହଟ୍ଟୀ କାଳର ଲୋକମାନେ ଗାଉଥିଲେ ସେକଥା ମୋଟେ ନୁହେଁ,–ଆମର ଏକାଳରେବି ସେଗୁଡ଼ିକ ସମାନ ଭାବରେ ଲୋକପ୍ରିୟ ହୋଇ ରହିଛି । ତୀର୍ଥର ଶ୍ମଶାନକୁ ସ୍ୱର୍ଗଦ୍ୱାର ବୋଲି ଘୋଷଣା କରାଯାଇଛି । ଆମ ଏହି ମୁଲକଟିରେ ଏପରି ବହୁସଂଖ୍ୟକ ମଣିଷ ଏବେ ମଧ୍ୟ ରହିଛନ୍ତି, ଯେଉଁମାନେ କି ନିଜ ଗାଁ ମଶାଣିରେ ପୋଡ଼ାହେବା ଅପେକ୍ଷା ଶ୍ରୀକ୍ଷେତ୍ରରେ ପୋଡ଼ାହେବାକୁ ସେମାନଙ୍କ ଭିତରେ ରହିଥିବା ବିଚରା ଆତ୍ମାଟି ଲାଗି ବହୁଗୁଣରେ ଅଧିକ ସୁଖକର ବୋଲି ବିଚାର କରୁଥିବେ । ଅଥବା, ଜଣେ ମଣିଷର କୌଣସି ଏକ କ୍ଷେତ୍ର ବା ତୀର୍ଥରେ ମରିବାକୁ ଓ ପୋଡ଼ା ହେବାକୁ ସେହି ମଣିଷଲାଗି ସତକୁସତ ଏକ ମହାଭାଗ୍ୟ ବୋଲି ଅନୁଭବ କରୁଥିବା ମଣିଷମାନେ ଏକାଳରେ ମଧ୍ୟ ବହୁସଂଖ୍ୟାରେ ରହି ଅଛନ୍ତି । ତୀର୍ଥମାନେ ଲୋଭ ପରି ବହୁ ମଣିଷକୁ ବଡ଼ ଶୋଚନୀୟ ଭାବରେ ମାଡ଼ି ବସିଛନ୍ତି । ତୀର୍ଥାଟନ ଏକ ମାୟା ପରି ହୋଇ ବହୁ ମଣିଷଙ୍କର ଗୋଡ଼କୁ କେଡ଼େ ଶକ୍ତ କରି ବାନ୍ଧିରଖିଛି ଓ ସେମାନଙ୍କୁ ଏକ ମିଛ ସାନ୍ତ୍ୱନା ଅର୍ଥାତ୍‌ ଏକ ମିଛ ଦମ୍ଭ । ଅସଲ ଯୋଗ୍ୟତାଟିକୁ ହାସଲ ନକରି ଆପଣାକୁ ତଥାପି ଯୋଗ୍ୟ ହୋଇ ଗଲାପରି ଅନୁଭବ କରିବାର ଏକ ମିଛ ଦମ୍ଭ ।

 

ଚେତନା ଭିତରେ ଅଛି, ଚେତନା ବାହାରେ ଅଛି; ଭିତରେ ଥାଇ ବାହାରଟାକୁ ଭିତରକୁ ଟାଣିବାରେ ଲାଗିଛି, ବାହାରେ ଥାଇ ଭିତରଟାକୁ ବାହାର ମଧ୍ୟକୁ ସମ୍ପ୍ରସାରିତ କରିନେଉଛି । ଅଳପ ଭିତରେ ବାନ୍ଧିହୋଇ ରହିବାପାଇଁ ଆଣ୍ଟ କରି ରହିଥିବା ମନ ମଝିରେ କେତେ ପ୍ରକାରର ବାଡ଼ ବସାଇ ରଖିବାର ଫିକର କରିବାରେ ଲାଗିଛି । ଆପଣାର ସାନ କାଠିଗୁଡ଼ିକ ଅନୁସାରେ ଗୋଟିଏ ଗୋଟିଏ ନାଆଁବି ଦେଇଦେଉଛି; ସେଗୁଡ଼ିକୁ ସିଏ ନିଜର ଧର୍ମ ବୋଲି କହୁଛି, ନିଜର ସମ୍ପ୍ରଦାୟ ବୋଲି କହୁଛି, ମୋହାସକ୍ତ ଭାବରେ ଅଳପଟିଏ କରି ଜାବୁଡ଼ି ଧରିପାରିଲେ ଯାଇ ସିଏ ସତେଅବା ସତକୁସତ କିଛି ପାଇଲା ବୋଲି ଅନୁଭବ କରୁଛି । ମୁକ୍ତି କହିଲେ ଏଡେବଡ଼ ସଂସାରରେ ଯିଏ ଏକା ତାହାରି ମୁକ୍ତି ବୋଲି ବୁଝିବାକୁ ଆରମ୍ଭ କରିଛି । ପୁଣ୍ୟ କହିଲେ ପ୍ରଧାନତଃ ତାହାର ଏହି ବିଶେଷ ଲାଭଗୁଡ଼ିକୁହିଁ ବୁଝିଛି । ଭଗବାନଙ୍କର ଏହି ସଂସାରରେ ସତେଅବା କେବଳ କାହାରି ବୁଦ୍ଧି ନିମନ୍ତେ ସିଏ କେଡ଼େ ଅହଂକାରୀ ହୋଇ ପ୍ରାର୍ଥନା କରିଛି । ସଂସାରକୁ ମାୟା ବୋଲି କହିବାରେ ଲାଗିଥିଲେ ମଧ୍ୟ ସେହି ମାୟାଭିତରେ ଆପଣାକୁ ତଥାପି ସଫଳ ଓ ସମ୍ପନ୍ନ କରି ରଖିବାକୁ କେଡ଼େ ନିକୁଛିଆ ଓ ନିର୍ମମ ଭାବରେ ଭଗବାନଙ୍କୁ ଡାକିବାକୁ ବାହାରିଛି । ଭିତରେ ତୁଚ୍ଛା ଆପଣାଟାକୁ ପ୍ରାୟ ବଳାତ୍କାର କଲାପରି କାମୁଡ଼ି ଧରିଥିଲେ ମଧ୍ୟ ବାହାରେ ଉପେକ୍ଷାଟାକୁହିଁ ସବୁଠାରୁ ବଡ଼ ଅଳଙ୍କାର କରି ପିନ୍ଧିଛି । ବେଳେବେଳେ ମନେହୁଏ, ଏହି ମଣିଷମାନଙ୍କରହିଁ ସତେଯେପରି ମୂର୍ତ୍ତିଟିଏ ଦରକାର, ସଂସାରଠାରୁ ଅଲଗା ହୋଇ ରହିଥିବା ମନ୍ଦିରଟିଏ ଦରକାର । ବାହାରେ ପିତୁଳାଗୁଡ଼ାକୁ ନ ଲୋଡ଼ିଲେ ସତେଯେପରି ଏମାନଙ୍କ ଭିତରେ ଏଡ଼େ ଏଡ଼େ ସିଂହାସନରେ ବସିଥିବା ଆତ୍ମକାମିତାର ପିତୁଳାଗୁଡ଼ାକ ଆଦୌ ଟୋପାଏ ପାଣିବି ପାଇବେ ନାହିଁ, ଅତ୍ୟନ୍ତ ଆର୍ତ୍ତଭାବରେ ଏମାନେ ସତତ ସେହିପରିହିଁ ଭାବିବାରେ ଲାଗିଛନ୍ତି । ତୀର୍ଥାଟନ ଏହିଭଳି ଲୋକମାନଙ୍କୁହିଁ ସର୍ବଦା କେତେ ନା କେତେ ଉତ୍ତେଜନା ଓ କେତେ ନା କେତେ ଖୋରାକ ଯୋଗାଇ ଆସିଛି । କେଉଁ ଦୁଷ୍ଟ ବିଧାତାର ଅଭିଶାପରୁ ଯେ ସେମାନେ ଏହି ମାୟାଟି ଭିତରେ ଆସି ପଡ଼ିଯାଇଛନ୍ତି, ସେକଥା ମୋଟେ ନୁହେଁ; ଆପଣା ଭିତରେ ନାନା ଅଳ୍ପତା ଓ ଆତ୍ମକାମିତାର ଦୁଷ୍ଟାମିକୁ ନାନା କାରଣରୁ ପ୍ରଶ୍ରୟ ଦେଉଥିବାରୁହିଁ ସେମାନେ ବିଧାତା ତଥା ନିଜ ମଧ୍ୟରେ ଏକ ଉଚ୍ଚ ବାଡ଼ ତିଆରି କରି ରଖିଛନ୍ତି । ଅନୁକୂଳ ଯଜମାନମାନଙ୍କୁ ପୃଥିବୀରେ ଅନୁକୂଳ ପଣ୍ଡା ମିଳିଯିବାରେ ପୃଥିବୀରେ କେବେହେଲେ ଆଦୌ କୌଣସି କଷ୍ଟ କରିବାକୁ ପଡ଼ିନାହିଁ । ମାୟାଗୁଡ଼ିକ ସେଇଥିଲାଗି ଭାରି ମଧୁର ଲାଗୁଛି ।

 

ଯାହାଙ୍କର ଆରାଧନା କରିବାକୁ ମୁଁ ମୋ ଜୀବନର ପରମ ସମ୍ପତ୍‌ ବୋଲି ସ୍ୱୀକାର କରିନେଇଛି, ସିଏ କ’ଣ ଖାଲି ମୋର ଅଣାୟତ୍ତ ଲାଳସାଗୁଡ଼ାକ ଭିତରେ ବାନ୍ଧିହୋଇ ରହିଛନ୍ତି ଯେ ମୁହୁର୍ମୁହୁଃ ତୀର୍ଥାଟନଦ୍ୱାରା ମୁଁ ତାଙ୍କୁ ଏକାବେଳେକେ ପାଖରେ ପାଉଥିବା ପରି ଅନୁଭବ କରିପାରିବି ? ଅଥବା, ହୁଏତ ଏପରି ହେବ ଯେ, ମୁଁ ତୀର୍ଥବାସ ସମୟରେ ତାଙ୍କୁ ଯେପରି ଏକାବେଳେକେ ପାଇ ଯାଉଥିବା ପରି ଅନୁଭବ କରୁଥିବି, ତୀର୍ଥରୁ ସଂସାରକୁ ଆସିବାମାତ୍ରକେ ତାଙ୍କୁ ସେହିପରି ଏକାବେଳେକେ ହରାଇ ବସିବାର ଦୀନତା ଭିତରେ ଆସି ପଡ଼ିଯିବାରେ ଲାଗିଥିବି-। ଯେତିକି ଲାଳସାରେ ତୀର୍ଥରେ ତାଙ୍କୁ ଜାବୁଡ଼ି ଧରିବାକୁ ଦଉଡ଼ି ଯାଉଥିବି, ପ୍ରାୟ ସେତିକି ଲାଳସାରେହିଁ ତାଙ୍କୁ ଛାଡ଼ି ସଂସାର ଭିତରକୁ ପୁଣି ପଶି ଆସୁଥିବି । ଦୁଇ ଲାଳସା ଭିତରେ ପଡ଼ି ମୁଁ ନିଜପାଖରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଧରା ଦେଉ ନଥିବି,–ତାଙ୍କପାଖରେ ଧରା ଦେବା ତ ଆହୁରି ଅଧିକ ଦୁରୂହ ବ୍ୟାପାର । ଠୁଳ କରି ଦେଖିବାରେ ଆଦୌ କୌଣସି ଅପରାଧ ହୁଏନାହିଁ; ଆମ ଅନୁରାଗର ଘରଗୁଡ଼ିକରେ ଅସଲ ଉତ୍ତରଣ ସମ୍ଭବ ହେଉଥିବା ପର୍ଯ୍ୟନ୍ତ ତାଙ୍କୁ ଠୁଳ କରି ଦେଖିବାଦ୍ୱାରା ଆଦୌ କୌଣସି ପ୍ରମାଦ ଘଟେନାହିଁ । ଆମର ଅନୁରାଗ ସତକୁସତ ମନ କରି ପାରିଲେ ଆମେ ଏହି ସମସ୍ତ ବିଶ୍ୱବ୍ରହ୍ମାଣ୍ଡକୁ ମଧ୍ୟ ଆପଣା ଭିତରେ ଅତ୍ୟନ୍ତ ଠୁଳ ଭାବରେ ଅନୁଭବ କରିପାରନ୍ତେ । ଆପଣାକୁ ମଧ୍ୟ ଚାହିଁବାମାତ୍ରକେ ଏହି ସବୁକିଛି ସହିତ ସଂଯୁକ୍ତ ହୋଇ ରହିଥିବାର ଅନୁଭବ କରିପାରନ୍ତେ । ତାଙ୍କୁ ଆମେ ତୀର୍ଥ ଭିତରେ ଦେଖନ୍ତେ, ତୀର୍ଥର ବାହାରେ ମଧ୍ୟ ଦେଖନ୍ତେ-। ବେଢ଼ା ଭିତରେ ଦେଖି ପାରନ୍ତେ, ବେଢ଼ାର ବାହାରେ ମଧ୍ୟ ଦେଖିପାରନ୍ତେ । ବେଢ଼ା ଭିତରେ ପଶିଯିବା ଲାଗି ଆଦୌ କୌଣସି ପ୍ରକାର କାମୁକତା ମଧ୍ୟ ଅନୁଭବ କରନ୍ତେନାହିଁ ଏବଂ ବେଢ଼ାଭିତରୁ ବାହାରି ଆସି ସଂସାର ଭିତରେ ଏକାବେଳେକେ ଏକ ଅନ୍ୟ କାମୁକତାଦ୍ୱାରା ଗୋଟାସୁଦ୍ଧା ଅକଳ ଓ ଅଣଆୟତ୍ତ ହୋଇ ରହିବାକୁ ମୋଟେ ମନ କରନ୍ତେନାହିଁ । ଆମ ଭିତରେ ପାପର ଲାଳସା ଏବଂ ପୁଣ୍ୟର ଲାଳସା, ଉଭୟ କ୍ଷେତ୍ରରେହିଁ ସତକୁସତ ଏକ ସ୍ୱାଭାବିକ ବିମୋଚନ ସମ୍ଭବ ହୋଇପାରନ୍ତା ।

 

ଆଧ୍ୟାତ୍ମିକ ବାସନା, ଅର୍ଥାତ୍‌ ଏକାବେଳେକେ ତାଙ୍କର ହୋଇଯିବାର ବାସନା । ତାଙ୍କରି ଉପରେ ସବୁକିଛି ଲଦି ଦେଇ କୋଢ଼ିହୋଇ ବସିବାର ବାସନା ନୁହେଁ; ତାଙ୍କରି ପୃଥିବୀରେ ତାଙ୍କରି କାର୍ଯ୍ୟ କରିବାର ବାସନା, ସେହି କାର୍ଯ୍ୟଗୁଡ଼ିକ ନିମନ୍ତେ ଅଧିକରୁ ଅଧିକ ଯୋଗ୍ୟ ଏବଂ ସମ୍ମତ ହୋଇପାରିବାଲାଗି ଜୀବନରେ ପାହାଚକୁ ପାହାଚ ଉଠିଯିବାର ଏବଂ ପାଖୁଡ଼ାକୁ ପାଖୁଡ଼ା ପ୍ରସ୍ଫୁଟିତ ହେବାର ବାସନା । ମଣିଷ ଯାହାଲାଖି ହେବାଲାଗି ଆପେ ଅଳପ ଭିତରୁ ଅଧିକକୁ ଯାଇଥା’ନ୍ତା, ତାହାକୁହିଁ କୌଣସି ପ୍ରକାରେ ଆପଣାର ଅଳପ ବା ଚିହ୍ନା ଛାଞ୍ଚଗୁଡ଼ିକ ଭିତରକୁ ଟାଣିଆଣି ପିତୁଳାଟିଏ କରି ବସାଇବାର ସେହି ଅନ୍ୟ ଚତୁର ବାଟଟି,–ପୃଥିବୀର ଧର୍ମଗୁଡ଼ିକରେ ବହୁ ଆଳରେ ସମସ୍ତଙ୍କୁ ସେହି ବାଟଟି ସହିତ ଛନ୍ଦିଦେଇ କିଳି ରଖିବାର ମନ୍ତ୍ରଣା ଭିତରେ ଯାଇ ପଡ଼ିଯାଇଛୁ । ଅଥବା, ନାନା କୁଣ୍ଠାର କାରଣରୁ ଆମେ କିଳିହୋଇ, ଛନ୍ଦିହୋଇ ରହିବାଲାଗି ଇଚ୍ଛା କରୁଥିବାରୁ ହୁଏତ ଜାଣି ଜାଣି ସେହି ମନ୍ତ୍ରଣା ପାଖରେ ଯାଇ ଧରାଦେଇଛୁ । ଅନେକ ମଣିଷ ଖୋଲା ଆକାଶଟାକୁ ସାମନା କରି ପାରନ୍ତିନାହିଁ କି କ’ଣ କେଜାଣି, ସେମାନେ ସତେଅବା କାହାଦ୍ୱାରା ତାଡ଼ିତ ହେବାରେ ଲାଗିଥିବା ପରି ଘର ଭିତରେ ଯାଇ ପଶନ୍ତି ଓ ନିଜର କ୍ଷୁଦ୍ର ଝରକାଟିଏ ଖୋଲି ତାହାରି ଭିତର ଦେଇ ଆକାଶକୁ ଦେଖିବାକୁ ଚେଷ୍ଟା କରନ୍ତି । ଭିତର ଓ ବାହାରକୁ ପୂର୍ଣ୍ଣ ଏବଂ ପ୍ରସନ୍ନ କରି ରଖିଥିବା ନୀରବତାକୁ ସେମାନେ ସହ୍ୟ କରିପାରନ୍ତିନାହିଁ କି କ’ଣ କେଜାଣି, ତାହାରି ଚକିତକାରୀ ଆକର୍ଷଣଟାକୁ ଏଡ଼ିପାରିବା ଲାଗି ମାଇକ୍‌ଟାକୁ ଲଗାଇଦେଇ ଗୀତ ଶୁଣନ୍ତି, ଅଥବା ନିଜ ଘରେ ରେଡ଼ିଓ ଯନ୍ତ୍ରଟାକୁ ଯାଇ ଖୋଲି ଦିଅନ୍ତି । କାଚ ଭିତରୁ ସୂର୍ଯ୍ୟୋଦୟ ଦେଖନ୍ତି, ସୂର୍ଯ୍ୟାସ୍ତ ଦେଖନ୍ତି, ବଗିଚାର ଫୁଲକୁ ଆଣି ଘରେ କୌଣସି ସାନ ବିଶେଷ ପାତ୍ରରେ ଖଞ୍ଜିକରି ରଖନ୍ତି । ସମ୍ଭବତଃ ସେହିଠାରୁହିଁ ପିତୁଳାପୂଜାର ବୀଜବପନ ହୋଇଯାଏ । ଶକ୍ତି, ସୌନ୍ଦର୍ଯ୍ୟ, କଲ୍ୟାଣ–ଏଗୁଡ଼ିକୁ ପୌତ୍ତଳିକମାନେ ସତେଅବା ଏକ ସିଂହବିକ୍ରମରେ ଆପଣାର ଚଉକାନ୍ଥ ଭିତରେ ବାନ୍ଧିକରି ରହିବାକୁ ମନ କରୁଥା’ନ୍ତି,–ସତ୍ୟକୁ କାନରେ ନୋଳି, ନାକରେ ନୋଲକ ଓ ପାଦରେ ଝୁଣ୍ଟିଆ ପିନ୍ଧାଇ ରଖିଲେ ସତ୍ୟ ସତେଅବା ସେମାନଙ୍କର ନିଜ ସମ୍ପତ୍ତି ପରି ଦେଖାଯିବ ଓ ତେଣୁ ପ୍ରକୃତରେ ଅଧିକ ସୁନ୍ଦର ଦେଖାଯିବ ବୋଲି ବିଶ୍ୱାସ କରୁଥାନ୍ତି ।

 

ଏବଂ, ଯାବତୀୟ ଜାକଜମକିଆ ବିଶ୍ୱାସ ପଛରେ ସବାତଳେ ଏକ ମୂଳଭୂତ ଅବିଶ୍ୱାସହିଁ ପ୍ରତିମାଲୋଭୀ ଓ ତୀର୍ଥକାମୀ ମଣିଷମାନଙ୍କର ମଞ୍ଜ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥାଏ-। ଯିଏ ସର୍ବବ୍ୟାପୀ, ତାଙ୍କୁ କେବଳ ଏକ ନିବୁଜ ଘର ଭିତରେ ଦେଖିବା,–ନିଜର ଏହି ଚିହ୍ନା ଘରଟି ମଧ୍ୟରେ ନିବୁଜ କରି ଦେଖି ପାରିବାପାଇଁ ତାଙ୍କୁ ଘର ବାହାରେ ଆଉ କୌଣସିଠାରେ ନ ଦେଖିବା ବା ଦେଖିବାକୁ ବାରଣ କରିବା,–ଏକଥା ଅବିଶ୍ୱାସୀହିଁ କରିପାରିବ । କେବଳ ଜଣେ ନାସ୍ତିକହିଁ ତାହା କରିପାରିବ । ସମଗ୍ର ସଂସାରଟାକୁ ଯିଏ ଜଳାକବାଟିର ଦେଖିବା ଭିତରେହିଁ ଦେଖିବ ବୋଲି ହରବର ହୋଇ ରହିଥାଏ ଓ ଅସଲ ଆଖିଗୁଡ଼ିକୁ କାଦୁଅ ବଲବଲ କରି ରଖିଥାଏ, ସିଏ ପ୍ରକୃତରେ ନାସ୍ତିକ । ତା’ର ଅବିଶ୍ୱାସଟାହିଁ ତା’ର ତଥାକଥିତ ବିଶ୍ୱାସଗୁଡ଼ାକୁ ସୂତା ବାନ୍ଧି ମୃଗୀପରି ନଚାଇବାରେ ଲାଗିଥାଏ । ତା’ର ମୋହଟାହିଁ ସବାମୂଳରେ ରହି ତା’ର ତଥାକଥିତ ଭକ୍ତିକୁ ତୁଣ୍ଡିବାନ୍ଧି ଚଳାଇବାରେ ଲାଗିଥାଏ । ତୁଣ୍ଡି ବନ୍ଧାହେବାକୁ ମନ କରୁଥିବା ମଣିଷମାନେହିଁ ସଂସାରରେ ସମ୍ପ୍ରଦାୟ ଗଢ଼ିବାରେ ସବୁଠାରୁ ଅଧିକ ସହଯୋଗ କରନ୍ତି,–ମଣିଷର ଉଦୟଗୁଡ଼ିକୁ ନାନା ଗଣ୍ଠି ପକାଇ ଅଟକାଇ ରଖିବାକୁ ମନ କରୁଥିବା ଗୁରୁମାନେହିଁ ସଂସାରରେ ସମ୍ପ୍ରଦାୟ ଗଢ଼ିବାରେ ପୁରୋଧା ହୋଇ ବାହାରନ୍ତି । ଆଧ୍ୟାତ୍ମିକତାକୁ ସେମାନେ ସାମ୍ପ୍ରଦାୟିକତାର ବହୁ ଅପ୍ରଶସ୍ତ ଭିଆଣ ଭିତରେ ପକାଇ ରଖିବାକୁ ଫନ୍ଦି କରୁଥା’ନ୍ତି । ସେହି ଉଭୟ ପକ୍ଷର ସାଲିସିରେ ସଂସାରରେ ମନ୍ଦିର ତିଆରି ହୁଏ, ମନ୍ଦିରଗୁଡ଼ାକ ଜମିଲେ ଗୋଟିଏ ତୀର୍ଥ ପରି ଦେଖାଯାଏ-। ତା’ପରେ ଡାହୁକମାନେ ଆସି ତୀର୍ଥମାହାତ୍ମ୍ୟମାନ ଲେଖିଦିଅନ୍ତି । ସାମ୍ପ୍ରଦାୟିକ ଶାସ୍ତ୍ର ସ୍କନ୍ଦ ବା ପଦ୍ମପୁରାଣଠାରୁ ଆରମ୍ଭ କରି ବିରଜା ମାହାତ୍ମ୍ୟ ପର୍ଯ୍ୟନ୍ତ ସବୁଠାରେ ଆମକୁ ଯଥାର୍ଥ ଅଧ୍ୟାତ୍ମର ଗୋଡ଼ରେ ଢିଙ୍କିଆ ପକାଇ ମହିମାଗୁଡ଼ିକୁ, ଆହ୍ୱାନଗୁଡ଼ିକୁ ଆଉଗୋଟାଏ ଉତ୍ତେଜନାମୂଳକ ଅଳପ କିଛିରେ ପରିଣତ କରି ରଖିବାର ଚେଷ୍ଟା କରାଯାଇଥିବାର ଦେଖିବାକୁ ମିଳିବ । ସତ୍ୟକୁ, ପରମସତ୍ତାକୁ, ପରମାଶକ୍ତିକୁ ଯେତିକି ଯେତିକି ବେଢ଼ାଭିତରେ ଅଳ୍ପତାର ନାନା ଲାବଣ୍ୟ ଦେଇ ବାନ୍ଧି ରଖିବାର ପ୍ରୟାସ କରାଯାଏ, ଆମର ଦ୍ୱାରଗୁଡ଼ିକୁ ସତେଅବା ସେତିକି ସେତିକି କିଳି ରଖିବାର ବରାଦ କରାଯାଉଥାଏ । ପିତୁଳାମାନେ ଆଧ୍ୟାତ୍ମିକତାକୁ ଗିଳିପକାନ୍ତି,–ବାଟ ଚାଲିବା ଓ ପାହାଚ ଉଠିବାକୁହିଁ ସେତେବେଳେ ସବାବଡ଼ ଆହ୍ୱାନ ବୋଲି କୁହାଯାଏ ନାହିଁ,–ସନ୍ତକଗୁଡ଼ିକୁ ଦେହ ଉପରେ ଛାପ କରି ଲଗାଇବା ଓ ଏକ ନିର୍ଦ୍ଦିଷ୍ଟ ଫର୍ମୁଲା ଅନୁସାରେ ପଦଟିଏ ପଇଟାଇବା କିମ୍ବା ଛତିଟିଏ ଧରିବାକୁହିଁ ସେତେବେଳେ ପରମ ଭକ୍ତର କର୍ତ୍ତବ୍ୟ ବୋଲି ଘୋଷଣା କରାଯାଏ-

 

ଭକ୍ତି ଅନେକ ପ୍ରକାରର ରହିଛି, ସେହି ଅନୁସାରେ ଅନେକ ପ୍ରକାରର ଭକ୍ତିଶାସ୍ତ୍ର ଲେଖା ହୋଇଛି । ଭକ୍ତିକୁ ଭାଗ ଭାଗ କରି ଯେଉଁସବୁ ତଥାକଥିତ ଭକ୍ତି-ସମ୍ପ୍ରଦାୟମାନ ଗଢ଼ାଯାଇଛି, ତାହାର ମୁଖପାତ୍ରମାନେ ମଧ୍ୟ ଆଦୌ କମ୍‌ ଶାସ୍ତ୍ର ଲେଖି ନାହାନ୍ତି । ସେହି ଶାସ୍ତ୍ରଗୁଡ଼ିକରେ ଅନେକ ସ୍ଥଳରେ ଭକ୍ତିକୁ ପ୍ରାୟ ଏକ ପୌତ୍ତଳିକତା ଭିତରେ ଆଣି ପକାଇ ଦିଆଯାଇଛି । କୃଷ୍ଣବାଞ୍ଛାକୁ ଆତ୍ମାବାଞ୍ଛା ଭିତରେ ପକାଇ କୁଆଡ଼େ ଚଳୁ କରି ଦିଆଯାଇଛି । ବହୁ ଅଳ୍ପତା, ଅତ୍ୟାତୁରତା ତଥା ଅପ୍ରଶସ୍ତତାକୁ ମଧ୍ୟ ଭାରି ବିହ୍ୱଳ ଓ ପ୍ରମତ୍ତ ଭାବରେ ଉକ୍ତି ବୋଲି ଚଳାଇ ଦିଆଯାଇଛି । ତା’ ଫଳରେ ଉଗ୍ରତା ବଢ଼ିଛି, ଅସଲ ଭକ୍ତିରେ ହ୍ରାସ ଘଟିଛି । ଉଗ୍ରତା ବଢ଼ିବାରୁ ପ୍ରତିମାତୃଷ୍ଣା ବଢ଼ିଛି, ତୀର୍ଥମାନେ ବଢ଼ିଛନ୍ତି, ତୀର୍ଥାଟନର ମାୟାକୁ ସତେଅବା ରାଣୀମାନଙ୍କ ଭିତରେ ପାଟରାଣୀ କରି ବସାଇ ଦିଆଯାଇଛି । ଭାରତବର୍ଷରେ ଏହିସବୁ ଅତ୍ୟାଗ୍ରହ ପ୍ରଶ୍ରୟ ପାଇବାର ବହୁପୂର୍ବରୁ ଭକ୍ତିକୁ ଜୀବନର ଏକ ସାଧନାଙ୍ଗ ଅର୍ଥାତ୍ ଚାରଣାଙ୍ଗ ବୋଲି ସ୍ୱୀକାର କରି ଯେଉଁସବୁ ଶାସ୍ତ୍ର ଲେଖାଯାଇଛି, ସେଥିରୁ ନାରଦଭକ୍ତି-ସୂତ୍ରାଣି ହେଉଛି ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ । ଯାବତୀୟ ସାମ୍ପ୍ରଦାୟିକତାରୁ ମୁକ୍ତ ରହି ସେହି ଗ୍ରନ୍ଥରେ ଭକ୍ତିକୁ ଅଧ୍ୟାତ୍ମଚାରଣାର ଏକ କ୍ରମୋତ୍ତର ମାର୍ଗ ବୋଲି ଗ୍ରହଣ କରାଯାଇଛି । ଭକ୍ତମାନେ ଯେଉଁଠାକୁ ଯାଆନ୍ତି, ତାହାହିଁ ତୀର୍ଥ; ଯେଉଁ କାର୍ଯ୍ୟ କରନ୍ତି, ତାହାହିଁ ସୁକର୍ମ; ସେମାନେ ଯେଉଁସବୁ ଶାସ୍ତ୍ରର ରଚନା କରନ୍ତି, ତାହା ହେଉଛି ସତ୍‌ଶାସ୍ତ୍ର (ତୀର୍ଥୀକୁର୍ବନ୍ତି ତୀର୍ଥାନି, ସୁକର୍ମୀକୁର୍ବନ୍ତି କର୍ମାଣି, ସଚ୍ଛାସ୍ତ୍ରୀକୁର୍ବନ୍ତି ଶାସ୍ତ୍ରାଣି)–ଗ୍ରନ୍ଥଟିରେ ଏହି ସାହସପୂର୍ଣ୍ଣ ଘୋଷଣାଟିକୁ କରାଯାଇଛି । ଅର୍ଥାତ୍‌, ଆଗ ଭକ୍ତଟିଏ ହୁଅ, ଆଗ ଦେବତାର ଯୋଗ୍ୟ ଫୁଲଟିଏ ହୋଇ ଫୁଟିଉଠ, ଓ ଖୁସି ହୋଇ ଫୁଟିଉଠ । ସେହି ଖୁସିରେ ନିଜ ଭିତରର କଠିନତାଗୁଡ଼ିକୁ ଜୟ କର । ତା’ପରେ ଯେଉଁଠାକୁ ଯାଅ, ଯେଉଁ କାର୍ଯ୍ୟ କର ବା ଯାହା ଲେଖ, ସେଥିରେ ଆଦୌ କିଛି ଯାଏଁ ଆସେ ନାହିଁ । ମାତ୍ର, ଅନ୍ୟ ପକ୍ଷରେ, ଅମୁକ ବିଶେଷ ଜାଗାଟି ହେଉଛି ତୀର୍ଥ ଏବଂ ସେହି ଜାଗାକୁ ଗଲେ ମୋତେ ତୀର୍ଥାଟନର ପୁଣ୍ୟ ବା ଲାଭ ମିଳିବ ଓ ସେହି ପୁଣ୍ୟରୁ ମୋ ଭକ୍ତିଘରେ ମଧ୍ୟ ଅଧିକ ଭକ୍ତି ସମ୍ଭବ ହେବ,–ଏଇଟା ମିଛ କଥା, ଏଇଟା ଭ୍ରମ । ଏବଂ ଆମ ଜୀବନର ପ୍ରାୟ ଯାବତୀୟ ଭ୍ରମ ପରି ତାହା ଆମକୁ ନାନାବିଧ ଉପାୟରେ ଏକ ପଳାୟନ ଲାଗିହିଁ ମହୌଷଧି ଯୋଗାଇ ଦେଇଥାଏ ।

 

ସେହି ପର୍ଯ୍ୟାୟରେ ସ୍ଥାନାନ୍ତରରେ ‘ଅତୀର୍ଥାନି ତୀର୍ଥୀକୁର୍ବନ୍ତି, ଅପବିତ୍ରାଣି ପବିତ୍ରୀକୁର୍ବନ୍ତି’ ବୋଲି ମଧ୍ୟ କୁହାଯାଇଛି । ଅର୍ଥାତ୍ ଯେଉଁମାନେ ଭକ୍ତ, ସେମାନେ ତଥାକଥିତ ଅତୀର୍ଥଗୁଡ଼ିକୁ ମଧ୍ୟ ତୀର୍ଥରେ ପରିଣତ କରିଦିଅନ୍ତି, ତଥାକଥିତ ଅପବିତ୍ର ଯାବତୀୟ ବସ୍ତୁକୁ ସେମାନେ ପବିତ୍ର ବସ୍ତୁରେ ପରିଣତ କରିଦିଅନ୍ତି । ସେହି ସମାନ ଉତ୍ସାହରେ ସମାନ ଦୃଢ଼ତାର ସହିତ କୁହାଯାଇପାରିବ ଯେ, ଅସଲ ଭକ୍ତମାନେ ଏହି ସଂସାରକୁ ମଧ୍ୟ ଭଗବାନଙ୍କର ସଂସାର ବୋଲି ଅନୁଭବ କରୁଥା’ନ୍ତି ଏବଂ ଏହି ସଂସାରକୁ ମଧ୍ୟ ଭଗବାନଙ୍କର ସଂସାରରେ ପରିଣତ କରିବାଲାଗି ସତତ ପ୍ରୟାସ କରୁଥାନ୍ତି । ସେମାନେ ଭିତରେ ଏକ ଉଜ୍ଜ୍ୱଳ ବିଶ୍ୱାସର ବାହକ ହୋଇ ରହିଥାନ୍ତି, ତାହାରିଦ୍ୱାରା ପରିଚାଳିତ ହେଉଥାଆନ୍ତି । ତେଣୁ, ସେମାନେ ଯେଉଁଠାରେ ଥାଆନ୍ତୁ ପଛକେ, ସେଠାରେ ମଧ୍ୟ ଯଥାର୍ଥ ସାନ୍ନିଧ୍ୟଟିକୁ ଅନୁଭବ କରୁଥାନ୍ତି, ଯଥାର୍ଥ ଭାବରେ ଯୁକ୍ତ ହୋଇ ରହିଥାନ୍ତି,–ଏହି ଅତୀର୍ଥଗୁଡ଼ାକୁ ଛାଡ଼ି ତଥାକଥିତ କୌଣସି ତୀର୍ଥକୁ ପଳାଇଯିବେ ବୋଲି ଆଦୌ ଉଚ୍ଛନ୍ନ ହୋଇ ପଡ଼ୁନଥାନ୍ତି । ସେମାନେ ତଥାକଥିତ ଅପବିତ୍ରଗୁଡ଼ିକର ପଶ୍ଚାତ୍‍ରେ ପବିତ୍ରର ସନ୍ଦର୍ଶନ କରି ପାରୁଥାନ୍ତି, ଅନ୍ଧାରର ଗର୍ଭ ମଧ୍ୟରେ ଆଲୋକର ପ୍ରତ୍ୟକ୍ଷ କରୁଥା’ନ୍ତି । ସେମାନଙ୍କର ବିଶ୍ୱାସର ଘରଟି ସେମାନଙ୍କ ପାଖେପାଖେ ରହିଥାଏ, ସେମାନଙ୍କର ସମସ୍ତ ସଂକଳ୍ପ ଏକ କ୍ରିୟାଶୀଳ ବିଶ୍ୱାସଦ୍ୱାରା ସଞ୍ଚାରିତ ହୋଇ ରହିଥାଏ । ସେମାନେ କଦାପି ପ୍ରତ୍ୟାଖ୍ୟାତ ହୁଅନ୍ତିନାହିଁ । ଭଗବାନଙ୍କୁ ପାଇବେ ବୋଲି ସଂସାରକୁ ପ୍ରତ୍ୟାଖ୍ୟାତ କରି ରଖନ୍ତିନାହିଁ । କିମ୍ବା ସଂସାରଟାକୁ ଉତ୍ତମ ଭାବରେ ମନ୍ଥନ କରି ଲକ୍ଷ୍ମୀଲାଭ କରିବେ ବୋଲି ତେଣେ ଭଗବାନଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାତ କରି ରଖନ୍ତିନାହିଁ । ସଂସାରକୁ ଏକ ଅତୀର୍ଥ ମଣି ଯେଉଁମାନେ ବାଇ ହୋଇ ତୀର୍ଥକୁ ଧାଇଁ ଯାଉଥାନ୍ତି, ସେମାନେ ଏଠାରେ କିମ୍ବା ସେଠାରେ କୌଣସିଠାରେ ମୋଟେ କିଛି ଦେଖିପାରନ୍ତି ନାହିଁ । ଉଭୟ ଥାନରେହିଁ ଅଠାରେ ପଡ଼ି ରହିଥାନ୍ତି, ସତେଅବା ଏକ ନାସ୍ତିକତାର କବଳରେ ପଡ଼ିଥାଆନ୍ତି ।

 

ସଂସାରଭିତରୁ ପଳାଇବାକୁହିଁ ଯେଉଁମାନେ ମୋକ୍ଷ ବୋଲି ମାନନ୍ତି, ସେମାନେ ଯେ ବାରବାର ତୀର୍ଥାଟନର ମୋହ ଭିତରେ ପଡ଼ିବେ ଓ ସେହି ମୋହଭିତରେ ପଡ଼ିବାରୁ ଅଶେଷ ଆନନ୍ଦ ଲାଭକରୁଥିବେ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ସେମାନଙ୍କର ଅନ୍ତର୍ଗତ ଦୁରବସ୍ଥାଟିକୁ ଥରେ ବୁଝିପାରିଲେ ଆମେ ସେମାନଙ୍କ ଭିତରେ ରହିଥିବା ତୀର୍ଥମୋହଟିକୁ ଦେଖି ଆଦୌ ବିଚଳିତ ହୋଇ ପଡ଼ିବାନାହିଁ । ମାତ୍ର, ବିମୋଚନ କହିଲେ ଯେଉଁଠି ସଂସାର ଭିତରୁ ପଳାଇଯିବାକୁ ନୁହେଁ, ମାତ୍ର ସଂସାର ଭିତରେ ରହି ଏଇଠି ଭଗବାନଙ୍କର କାର୍ଯ୍ୟ କରିବାକୁ ବୁଝାଏ,–ଚେତନାରେ ନିଜ ଭିତରେ ତାଙ୍କରି ସହିତ ସଂଯୁକ୍ତ ହୋଇ ନିତ୍ୟବିବର୍ତ୍ତନରତ ବାହାରର ଏହି ସଂସାରରେ ତାଙ୍କର ଅଭିପ୍ରେତ କାର୍ଯ୍ୟଗୁଡ଼ିକରେ ସହଯୋଗ କରିବାକୁ ବୁଝାଏ, ସେଠି ଆମେ ଆମର ପୁରୁଣା ତରାଜୁଗୁଡ଼ାକଦ୍ୱାରା ତଉଲି ତୀର୍ଥ ଓ ଅତୀର୍ଥ ମଧ୍ୟରେ ମିଛ ବାରଣଗୁଡ଼ାକୁ ତଥାପି ମୁଣ୍ଡାଇ ଧରିଥିବା କାହିଁକି ? ଆମେ ତାଙ୍କରି ସଂସାର ଭିତରେ ରହି ଯାହାସବୁ କାର୍ଯ୍ୟ କରୁଛୁ, ତାହା କ’ଣ ତାଙ୍କର କାର୍ଯ୍ୟ ନୁହେଁ ? ସଂସାର ଭିତରେ ଆମେ କରୁଥିବା କାର୍ଯ୍ୟଗୁଡ଼ିକ ସତକୁସତ ତାଙ୍କର କାର୍ଯ୍ୟ ନୁହେଁ ବୋଲି ଏକ ଭାବନା ପାପ ହୋଇ ଆମ ଭିତରେ ଆମକୁ କାମୁଡ଼ି ଧରିଥିବା ପର୍ଯ୍ୟନ୍ତ ସମ୍ଭବତଃ ଆମେ ତୀର୍ଥ କହିଲେ ଆଉ ଏକ ସ୍ୱତନ୍ତ୍ର ସ୍ଥାନକୁ ବୁଝିଥାଉ ଏବଂ ସୁଯୋଗ ପାଇବାମାତ୍ରକେ ପଘା ଛିଣ୍ଡାଇ ସେଠାକୁ ପଳାଇ ଯିବାକୁ ଭାରି ମନ କରୁଥାଇ । ଅଥବା, ଆମେ ଜୀବନରେ ଦୁଇଟା ପଘା ରଖିଥାଉ, ଯାହାକୁ କି ସ୍ଥାନ ଓ ସୁବିଧା ଅନୁସାରେ ବେକରେ ଗଳାଇବାକୁ ଉଚିତ ବୁଦ୍ଧି ବୋଲି ବିଚାର କରୁଥାଉ । ଯେଉଁ ପଘାକୁ ମଣିଷ ବାଧ୍ୟ ହୋଇ ବେକରେ ବାନ୍ଧିଥାଏ, ତାହା ଏହିପରି ଦୁଇଟା ପଘା ହୋଇ ଆମକୁ ଭାରି ହଇରାଣ କରେ,–ଆମକୁ ସମ୍ମୋହିତ କରି ରଖିଥାଏ । ଆମ ଚେତନାର ସ୍ନାୟୁଗୁଡ଼ାକ ସତେଅବା ଆମର ସେହି ପୁରୁଣା ଭୂଗୋଳଗୁଡ଼ାକଦ୍ୱାରା ପରିଚାଳିତ ହେବାରେ ଲାଗିଥାନ୍ତି । ଆମ ହାତରେ ତୀର୍ଥରେ କିଣା ଯାଇଥିବା ବେତବାଡ଼ି ଚକଚକ ଦିଶୁଥାଏ, ତୀର୍ଥ ନାମାବଳି ଆମର ଅଙ୍ଗକୁ ଆବୃତ କରି ରଖିଥାଏ ସତ, ମାତ୍ର ଭିତରେ ଆମେ ଆପଣା ପାଖରେ ଭାରି ପ୍ରତ୍ୟାଖ୍ୟାତ ହୋଇ ରହିଥାଉ । ତୀର୍ଥରୁ ତୀର୍ଥକୁ ଧାଇଁବାରେ ଲାଗିଥାଉ, ତୀର୍ଥକାକର ଦଶା ଭୋଗୁଥାଉ ।

 

ଆମର ଚେତନା ବଦଳିବ । ଅର୍ଥାତ୍ ଆମେ ବଦଳିଯିବା ଓ ଆମର ସମ୍ବନ୍ଧଗୁଡ଼ିକ ବଦଳିଯିବ । ବର୍ତ୍ତମାନର ପୃଥିବୀ ସେହିଭଳି ଏକ ବୃହତ୍‌ ପରିବର୍ତ୍ତନ ଲାଗି ଅପେକ୍ଷା କରି ରହିଛି । ବିବର୍ତ୍ତନର ପରବର୍ତ୍ତୀ ପାହାଚଟିରେ ବିଶ୍ୱଲାଗି ସେହି ପରିବର୍ତ୍ତନଟି ଅଭିପ୍ରେତ ହୋଇ ରହିଛି ଏବଂ ଆମର ସମ୍ମତ ହାତ ବାଜି ତାହା ତ୍ୱରାନ୍ୱିତ ହୋଇପାରିବ ବୋଲି ଆମର ଚାରିପାଖରେ ଉଦ୍‌ଘୋଷିତ ହେବାରେ ଲାଗିଛି । ଆମେ ଯେଉଁମାନେ ଏହିପରି ଗୋଟିଏ ଯୋଜନାକୁ ନିଜ ଜୀବନରେ ସ୍ୱୀକାର କରି ନେଇଛୁ, ଆମର ତୀର୍ଥ ଏହିଠାରେ, ଏଇଠି ଆମେ କରୁଥିବା ତାଙ୍କରି କାମଟି ଭିତରେ । ସିଏ ଏଇଠି ଆମରି ପାଖରେ ଅଛନ୍ତି, ଆମକୁ ନିର୍ଦ୍ଦେଶ ଦେଉଛନ୍ତି । ଆମର ଯାବତୀୟ ପ୍ରମତ୍ତପଣିଆ ଛାଡ଼ି ଆମେ ଏଇଠି ତାଙ୍କରି ନିର୍ଦ୍ଦେଶ ଶୁଣିବାର ଯୋଗ୍ୟ ହେବା । ତେବେଯାଇ ଏହି ଅତୀର୍ଥଗୁଡ଼ାକୁ ତୀର୍ଥରେ ପରିଣତ କରିବାର ମନ୍ତ୍ରଟି ଆମେ ତାଙ୍କଠାରୁ ପାଇପାରିବା । ଏଠାରେ ଯାବତୀୟ ଅପବିତ୍ରଗୁଡ଼ାକର ଢାଙ୍କୁଣି ଖୋଲି ଏହି ଜୀବନକୁ ଓ ଏହି ସଂସାରକୁ ଏକ ପବିତ୍ର ଘରରୂପେ ତିଆରି କରିପାରିବା । ତେବେଯାଇ ମାୟାଭିତରୁ ମୁକ୍ତ ହୋଇ ବାହାରିଆସି ପାରିବା ।

 

ଶ୍ରୀଅରବିନ୍ଦଙ୍କର ସାଧନାଭିଧାନରେ ‘ନେତି’ ଶବ୍ଦଟିର ଯେପରି କୌଣସି ତାତ୍ପର୍ଯ୍ୟ ନାହିଁ-। ସମଗ୍ରକୁ ଖଣ୍ଡିଆ କରି ଦେଖିବା ହେଉଛି ନେତି । ମୂଳକୁ ଛାଡ଼ି ଶୂନ୍ୟରେ ବୁଲିବା ହେଉଛି ନେତି-। ତୀର୍ଥକୁ ଯିବାର ଲୋଭରେ ଏଠି ସଂସାର ଭିତରେ ଆମେ କରୁଥିବା ତାଙ୍କର କାର୍ଯ୍ୟଟିକୁ ପଛେ କରିବା ବୋଲି କହି ଛାଡ଼ି ଚାଲିଯିବା ହେଉଛି ନେତି । ଆମରି ଭିତରେ ହୁଏତ ଗୋଟାଏ ପାଖରେ ନିପଟ ଜଡ଼ବାଦୀଟିଏ ରହିଛି ଓ ଆରପାଖରେ ନିପଟ ବୈରାଗ୍ୟବାଦୀଟାଏ ମଧ୍ୟ ରହିଛି-। ଗୋଟାଏ ଆରଟାର ଅନୁପୂରକ ହୋଇ ରହିଛି; ଅଥଚ ନିଜେ ଆଦୌ ଧରା ନପଡ଼ି ଆରଟାକୁ ଧରା ପକାଇ ଦେବାର ଯାବତୀୟ ହୁନ୍ଦର କରିବାରେ ଲାଗିଛି । ଗୋଟାଏ ଆରଟାକୁ ମୋଟେ ସହି ପାରୁନାହିଁ । ତେଣୁ, ଜୀବନରେ ତୀର୍ଥକାକ ହେବାହିଁ ସାର ହେଉଛି । ତୀର୍ଥକାକମାନଙ୍କର ଉପଦ୍ରବ ସକାଶେ ଅନେକ ସମୟରେ ତୀର୍ଥମାନେବି ଠିକ୍ ସଂସାର ପରି ଭାରି ଅବର୍ଜିଅ ଦେଖାଯିବାକୁ ଆରମ୍ଭ କଲେଣି । ନାସ୍ତିକମାନେହିଁ ସେହି ଅବର୍ଜିଆ ହେବାରେ ନିମିତ୍ତ ପରି କାର୍ଯ୍ୟ କରୁଛନ୍ତି-। ତଥାକଥିତ ତୀର୍ଥକୁ ବାରବାର ଦଉଡ଼ି ଯାଇ ଆମେ ଆମର ନାସ୍ତିକତାଗୁଡ଼ାକୁ ମୋଟେ ଅତିକ୍ରମ କରି ପାରିବାନାହିଁ । ବିଶ୍ୱାସଦ୍ୱାରାହିଁ ତାହା ସମ୍ଭବ ହେବ । ବିଶ୍ୱାସ ହେଉଚି ଏକ ସମ୍ମତି,–ଆମର ମିଛ ପୂର୍ବମୋହଗୁଡ଼ାକୁ ସତକୁସତ ପୂର୍ବମୋହ ବୋଲି ଚିହ୍ନିନେଇ ପାରିଲେ ଯାଇ ଆମେ ଅତ୍ୟନ୍ତ ସ୍ୱାଭାବିକ ଭାବରେ ସେହି ସମ୍ମତିର ଭାଜନ ହେବା । ତା’ପରେ ସାରା ସଂସାର ଆମକୁ କେବଳ ତାଙ୍କରି ଆସ୍ଥାନ ପରି ଅନୁଭୂତ ହେବାକୁ ଆରମ୍ଭ କରିବ ।

 

ନବଜ୍ୟୋତି, ନଭେମ୍ବର, ୧୯୮୭ ଓ ଫେବୃଆରୀ ୧୯୮୮

Image

 

Unknown

ଅଲୌକିକର ଆକର୍ଷଣ

 

Man demands miracles that he may have faith; he wishes to be dazzled in order that he may see.

 

–Sri Aurobindo Birth Centenary Library.

 

Vol.20, page-58

 

ଏହି ସଂସାରରେ ଯାହାକିଛି ଘଟୁଛି, ଯଦି ସେଗୁଡ଼ିକୁ ଲୌକିକ ବୋଲି କୁହାଯାଏ, ତେବେ ସଂସାରର ବାହାରେ ଯାହାକିଛି ଅଛି ବା ଘଟୁଛି, ତାହାକୁ ଅବଶ୍ୟ ଅଲୌକିକ ବୋଲି କୁହାଯିବ । ମଣିଷ, ସାଧାରଣ ମଣିଷ, ଯାହା କରିପାରୁଛି, ତାହା ସବୁକିଛି ଲୌକିକ; ‍ଯାହା ସାଧାରଣ ମଣିଷର ଅକ୍ତିଆର ପରିଧିର ବାହାରେ, ତାହା ତେଣୁ ଅଲୌକିକ ହେବାକୁ ବାଧ୍ୟ । ପ୍ରତ୍ୟେକ ଧର୍ମରେ ବହୁ ଅଲୌକିକ ପ୍ରସଙ୍ଗ ରହିଛି । ଇହସଂସାରର ଲିପ୍ତ ମଣିଷମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମହାପୁରୁଷମାନେ କେତେ କ’ଣ ଅଲୌକିକ ଘଟଣା ଘଟାଇଛନ୍ତି, ଅନ୍ତତଃ ଘଟାଇଛନ୍ତି ବୋଲି ଶାସ୍ତ୍ରମାନଙ୍କରେ କୁହାଯାଇଛି । ଧର୍ମ ଅନୁସାରେ ଶାସ୍ତ୍ରଗୁଡ଼ିକୁ ଲେଖାଯାଇଛି ଏବଂ ସେହି ଶାସ୍ତ୍ରଗୁଡ଼ିକୁହିଁ ସତ୍ୟ ବୋଲି ମାନି ନେବାଲାଗି ଭୟାର୍ତ୍ତ ଧାର୍ମିକମାନଙ୍କୁ ନାନାଭାବେ ପ୍ରବର୍ତ୍ତାଯାଇଛି । ସେଥିଲାଗି ପୃଥିବୀରେ ଏପରି ଗୋଟିଏହେଲେ ଧର୍ମମାର୍ଗ ନାହିଁ, ଯେଉଁଥିରେ କି ଅଲୌକିକ କଥାମାନଙ୍କର ସାହାଯ୍ୟ ନିଆ ନଯାଇଛି । ମାର୍ଗର ପ୍ରକୃତ ଅର୍ଥ ହେଉଛି ବାଟ ଚାଲିବା, ଏକ ନିର୍ଦ୍ଦିଷ୍ଟ ଅନ୍ୱେଷଣରେ ବାଟ ଚାଲିବା । ଧର୍ମଗୁଡ଼ିକର ମାର୍ଗ ମଧ୍ୟ ସେହି ଅନୁସାରେ ଧର୍ମସ୍ଥ ମଣିଷମାନଙ୍କୁ ପ୍ରଧାନତଃ ଏକ ବାଟ ଚାଲିବାର ଉଦ୍‌ବୋଧନ ଦେଇଥାନ୍ତା । ତାହାହେଲେ ଆମ ପୃଥିବୀରେ ଧର୍ମର ଇତିହାସ ଓ ମଣିଷର ଇତିହାସ ଅଲଗା ପ୍ରକାରର ହୋଇଯାଇଥା’ନ୍ତା । ମାତ୍ର ଏକାଧିକ କାରଣରୁ ତାହା ହୋଇପାରିନାହିଁ । ସାଧାରଣ ମଣିଷମାନେ ସତେଅବା ସାଧାରଣ ମଣିଷ ହୋଇ ରହିବେ ଓ କେବେହେଲେ ଆଉ କିଛି ହେବେନାହିଁ ବୋଲି ବିଶ୍ୱାସ କରି ଧର୍ମଗୁଡ଼ିକରେ ବହୁ ଅଲୌକିକ କଥାମାନଙ୍କର ଭିଆଣ କରାଯାଇଛି ଓ ସେଗୁଡ଼ିକରେ ବିଶ୍ୱାସ କରିବାକୁହିଁ ଉଚିତ ମାର୍ଗ ବୋଲି କୁହାଯାଇଛି । ବାଟ ଚାଲିବାକୁ ରୋକି ଦିଆଯାଇଛି । ଯେଉଁ ବିଶ୍ୱାସ ମଣିଷର ଦୁଆର ଖୋଲିଦିଏ, ସତକୁସତ ଅନ୍ୱେଷଣରେ ବାହାରକରେ ଏବଂ ଜୀବନରେ ପ୍ରୀତିର ସମ୍ପ୍ରସାରଣ ଘଟାଇବା ଲାଗି ଉଦ୍‌ବୁଦ୍ଧ କରିନିଏ, ସେହି ବିଶ୍ୱାସର ଜାଗୃତି ଘଟାଇବାକୁ ଧର୍ମମାନେ ଭାରି ଭୟ କରିଛନ୍ତି କି କ’ଣ କେଜାଣି, ଆମ ଧର୍ମଗୁଡ଼ିକର ସଂସାରରେ ତାହାର ଏକ ନିରାପଦ ବିକଳ୍ପରୂପେ ଅଲୌକିକଗୁଡ଼ାକ ଉପରେ ବିଶ୍ୱାସ କରି କିଳିହୋଇ ରହିବାକୁ ଆଦୌ ବାଟ ନଚାଲିବାକୁହିଁ ପରାମର୍ଶ ଦିଆଯାଇଛି ।

 

ଖୁବ୍‌ ସମ୍ଭବ ଏହିପରି ଏକ ଉତ୍ସାହରେ ପଡ଼ି ଅଧିକାଂଶ ଧର୍ମରେ ଭଗବାନଙ୍କୁ ଏହି ପୃଥିବୀର ବାହାରେ ବୋଲି କଳ୍ପନା କରାଯାଇଛି । ଭଗବାନ ଏଠି ନଥାନ୍ତି, ତାଙ୍କୁ ଡାକିଲେ ସିଏ ସତେଅବା କେଉଁ ବାହାରୁ ଏହି ପୃଥିବୀକୁ ଆସନ୍ତି । ଅଥବା, ଯେତେବେଳେ ନିତାନ୍ତ ପ୍ରୟୋଜନ ପଡ଼େ, ଅର୍ଥାତ୍ ପୃଥିବୀରେ ଧର୍ମର ଗ୍ଳାନି ଘଟେ, ଅଧର୍ମ ଅତିଶୟ ହୋଇଯାଏ, ଦୁଷ୍କୃତମାନଙ୍କର ବିନାଶ ଲାଗି ଏବଂ ସାଧୁମାନଙ୍କର ଉଦ୍ଧାର ଲାଗି ସିଏ ଏହି ପୃଥିବୀକୁ ଆସନ୍ତି । କାମ ସାରି, ଧର୍ମର ସଂସ୍ଥାପନ କରିଦେଇ ସିଏ ପୁନର୍ବାର ତାଙ୍କର ଅସଲ ମୁକାମକୁ ଚାଲିଯାଆନ୍ତି । ପୁନର୍ବାର ପ୍ରୟୋଜନ ପହଞ୍ଚିବା ପର୍ଯ୍ୟନ୍ତ ସିଏ ସେଇଆଡ଼େହିଁ ରହନ୍ତି । ଏହି ଦୃଷ୍ଟିରୁ ଭଗବାନ ଲୌକିକ ନୁହନ୍ତି, ଅଲୌକିକ । ସେଥିଲାଗି ତାଙ୍କ ନାମରେ ଦି’ଗଉଣି ଅଲୌକିକ କଥା ଯୋଡ଼ିକରି ନକହିଲେ ସତେଅବା ତାଙ୍କର ଭଗବାନତ୍ୱ ଅସାବ୍ୟସ୍ତ ହୋଇ ରହିଯାଏ । ଭାରତବର୍ଷର ଇତିହାସରେ ବହୁ କାରଣରୁ ଅଲୌକିକ ଉପାଦାନଗୁଡ଼ିକକୁ ଅତିରିକ୍ତ ପ୍ରଶ୍ରୟ ଦିଆଯାଇ ଭଗବାନଙ୍କୁ ଅଲୌକିକ କରି ରଖିବାର ଉଦ୍ଦେଶ୍ୟରେ ବହୁ ଉପନ୍ୟାସ ରଚନା କରାଯାଇଥିଲା । ସମ୍ପ୍ରଦାୟଗୁଡ଼ିକୁ ଦୃଢ଼ କରି ରଖିବାର ଉଦ୍ଦେଶ୍ୟରେ ସେହି ପୁରାଣଗୁଡ଼ିକୁ ଲେଖାଯାଇଥିଲା । ତଦ୍ଦ୍ୱାରା ସମ୍ପ୍ରଦାୟ ଅବଶ୍ୟ ରହିଲା, ମାତ୍ର ସତ୍ୟ କୁଆଡ଼େ ଗଲା ? ସତ୍ୟମାନେ ମାର୍କା ପିନ୍ଧିଲେ ଓ ଏହିପରି ଅନେକ ମାର୍କା ମଧ୍ୟରୁ ଆମରି ମାର୍କାଟି ସର୍ବଶ୍ରେଷ୍ଠ ବୋଲି ସାବ୍ୟସ୍ତ କରିବାକୁ ପ୍ରତ୍ୟେକଟିକୁ ଅଲୌକିକତାର ହୀରାନୀଳା ଦେଇ ବହୁ ଆଡ଼ମ୍ବରରେ ସଜାଇ ଦିଆଗଲା ।

 

ସନ୍ଥ ଓ ମହାପୁରୁଷମାନେ ଭଗବାନଙ୍କର ବାଣୀ ପ୍ରଚାର କରିବାକୁ ଆମର ଏହି ପୃଥିବୀରେ ଯୁଗେଯୁଗେ ଜନ୍ମଗ୍ରହଣ କରିଛନ୍ତି । ସେମାନେ ଏହି ସଂସାରର ମଣିଷମାନଙ୍କୁ ସତ୍ୟର ଉଦ୍‌ବୋଧନ ଦେବାକୁ ଆସିଛନ୍ତି । ସେମାନଙ୍କ ଅନ୍ତେ ସେମାନଙ୍କର ପନ୍ଥୀମାନେ ଯେତେବେଳେ ସେମାନଙ୍କ ନାମରେ ପନ୍ଥାଟିଏ ବା ସମ୍ପ୍ରଦାୟଟିଏ ପ୍ରତିଷ୍ଠା କରିବାର ଭେଳିକିରେ ପଡ଼ି ଯାଇଛନ୍ତି, ସେତେବେଳେ ସେମାନେ ମହାପୁରୁଷ ଓ ସନ୍ଥମାନଙ୍କୁ ଏକାବେଳେକେ ବହି ଅଲୌକିକତାର ସୂତାରେ ଗୁରାଇତୁରାଇ ଦେଇଛନ୍ତି । ଏବଂ ସେମାନଙ୍କୁ ଯଥାସମ୍ଭବ ଅଧିକ ଶୋଭନୀୟ କରି ଦେଖାଇଛନ୍ତି । ସାଧାରଣମାନଙ୍କୁ ଗୋଟାସୁଦ୍ଧା ଚକିତ କରି ଦେଇଛନ୍ତି । ବୁଦ୍ଧଦେବ, ଶଙ୍କରାଚାର୍ଯ୍ୟ, କବୀର, ନାନକ, ଚୈତନ୍ୟ ସମସ୍ତେ ଏହି ଅଲୌକିକତାର କବଳ ଭିତରେ ଯାଇ ପଡ଼ିଯାଇଛନ୍ତି । ଓଡ଼ିଶାର ପଞ୍ଚସଖା ସମେତ ମୋଟେ ଶହେବର୍ଷ ତଳର ଭୀମଭୋଇଙ୍କୁ ମଧ୍ୟ ଅଲୌକିକତାର ବହୁ କାହାଣୀରେ ଜୁଡ଼ୁବୁଡ଼ୁ କରି ଦିଆଯାଇଛି । ରାଜଦରବାରମାନଙ୍କରେ ସମ୍ପ୍ରଦାୟମାନଙ୍କଠାରୁ ଅଲୌକିକତାର ପରୀକ୍ଷା ନିଆଯାଇଛି ଓ ସେହି ଅନୁସାରେ ସେମାନଙ୍କର ଶ୍ରେଷ୍ଠତ୍ୱ ଅଥବା ଅଶ୍ରେଷ୍ଠତ୍ୱର ନିର୍ଣ୍ଣୟ ମଧ୍ୟ କରାଯାଇଛି । ଭାରତବର୍ଷ ବାହାରେ ମଧ୍ୟ ଧର୍ମସମ୍ପ୍ରଦାୟଗୁଡ଼ିକରେ ଏକଥା ହୋଇଛି । ସାଧାରଣ ମଣିଷ, ଅର୍ଥାତ୍‌ ସାଧାରଣ ଓ ତୁଚ୍ଛ ହୋଇ ରହିବାକୁ ସତେଅବା ସଂକଳ୍ପ କରି ବସିଥିବା ମଣିଷ ଏହି ଅଲୌକିକତାର ପ୍ରମାଣଟିଏ ନପାଇଲେ କାହାକୁ ଅସାଧାରଣ ବୋଲି ସ୍ୱୀକାର କରିବାକୁ କାଳେ କାଳେ ନିତ୍ୟାନ୍ତ ଅମଙ୍ଗ ହୋଇ ରହିଛି । ଏହାଦ୍ୱାରା ଧର୍ମ ଜୀବନକୁ ଛାଡ଼ିଯାଇଛି ଓ ମାର୍ଗମାନେ ଗୋଟାଏ ଗୋଟାଏ ମାଦଳ ମୂର୍ତ୍ତିରେ ପରିଣତ ହୋଇଯାଇଛନ୍ତି ସିନା, ମାତ୍ର ଧର୍ମ ଭିତରେ ଭାରି କୋଳାହଳ ବଢ଼ିଛି,–ବହୁ ଅନ୍ୟ ଉତ୍ତେଜନା ଲାଗି ବାଟ ଫିଟିଯାଇଛି ।

 

ଯୋଗ ଓ ତନ୍ତ୍ର ଭାରତବର୍ଷରେ ଏକଦା ଅଧ୍ୟାତ୍ମିକ ଉପଲବ୍ଧିର ଗୋଟିଏ ଗୋଟିଏ ମାର୍ଗ ହୋଇ ରହିଥିଲେ । ଜୀବନର ଉନ୍ମୋଚନ ଏବଂ ଉତ୍ତୋଳନ ଲାଗି ଗୋଟିଏ ଗୋଟିଏ ବିଶେଷ ନିମିତ୍ତ ଓ ଆହ୍ୱାନ ହୋଇ ରହିଥିଲେ । କ୍ରମେ ସାଧନା ହଟିଗଲା, ଅନ୍ତଃଚାରଣା ହଟିଗଲା, ଯୋରର ଏବଂ ତନ୍ତ୍ରର ବହୁ ମାର୍କା ବାହାରିଲା ଏବଂ ଅଲୌକିକତାକୁ ମାପକରୂପେ ବ୍ୟବହାର କରି ମାର୍କା ମାର୍କା ଅର୍ଥାତ୍‌ ସମ୍ପ୍ରଦାୟ ସମ୍ପ୍ରଦାୟ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଲା । ସେଥିଲାଗି ଏବେ ସାଧାରଣର ଅର୍ଥରେ କୌଣସି ନା କୌଣସି ଅଲୌକିକ ଘଟଣା ଘଟାଇ ପାରୁଥିବା ଜଣେ ମଣିଷକୁ ଯୋଗୀ ବୋଲି କୁହାଯାଉଛି । ଅସାଧ୍ୟ ସାଧନର କୌଣସି ଉଦାହରଣ ଦେଖାଇ ନ ପାରିଲେ ଜଣକୁ ତାନ୍ତ୍ରିକ ବୋଲି କହିବାର କୌଣସି ଯୁକ୍ତିଯୁକ୍ତତାହିଁ ରହୁନାହିଁ । ଏହି ପର୍ଯ୍ୟାୟରେ ତାନ୍ତ୍ରିକତା ଏକ ନିର୍ମଳ ଗୁଣିଗାରୁଡ଼ିର ସ୍ତରକୁ ମଧ୍ୟ ଅଧଃପତିତ ହୋଇ ଆସିସାରିଲାଣି । ସାଧନା କହିଲେ ସତେଅବା କେତେଟା କିମିଆ ଦେଖାଇ ଆପଣାର ଅଲୌକିକତା ପ୍ରମାଣ କରିବାର କେତେଟା କୂଟ ଓ କୌଶଳକୁ ବୁଝାଇଲାଣି । ସେଥିପାଇଁ ଯୋଗ ଓ ତନ୍ତ୍ରକୁ ନେଇ ଦାଣ୍ଡରେ ପ୍ରଦର୍ଶନମାନ ବସିଲାଣି, ଆମ ସହରମାନଙ୍କରେ ତାହାର ଲୋକପ୍ରିୟତା ବଢ଼ିଲାଣି । ଭାରତୀୟ ଗୁରୁମାନେ ସେହି ଅପୂର୍ବ ଡେଉଁରିଆଗୁଡ଼ିକୁ ବିକ୍ରି କରିବା ଲାଗି ୟୁରୋପ, ଆମେରିକା ଗଲେଣି । ଏବଂ, ଯୋଗ ଏବଂ ତନ୍ତ୍ରର ହୁଏତ ଧାର ଧାରୁନଥିବା ଅନେକ ନିପଟ ଭାରତୀୟ ଏହି ନୂତନ କରାମତିଗୁଡ଼ିକୁ ଦେଖି ନିଜର ଦେଶ ବିଷୟରେ ଗର୍ବ ଅନୁଭବ କଲେଣି । ସତ୍ୟକୁ ସମ୍ପ୍ରଦାୟରେ ପରିଣତ କରିଦେବାର ଓ ସାଧନାକୁ ଏକ ଅଲୌକିକ ପ୍ରଦର୍ଶନ ମଧ୍ୟକୁ ସ୍ଖଳିତ କରି ଆଣିବାରେ ଆଧୁନିକ ଧର୍ମସରାଗୀ ମଣିଷମାନେ ସତେଅବା ଭାରି ଗୌରବ ଅନୁଭବ କରୁଛନ୍ତି । ଅତ୍ୟାଧୁନିକ ସଭ୍ୟତା ସହିତ ଅଲୌକିକତାର ଏହି ନାଗରାଗୁଡ଼ାକ ଭାରି ସମଛନ୍ଦ ହୋଇ ବାଜି ପାରୁଛନ୍ତି । ସହଜରେ ବିହ୍ୱଳ ହୋଇପଡ଼ିବା ଓ କିଛି ଅଲୌକିକତାର ଦର୍ଶନ କରି ଜୀବନରେ ସତକୁସତ କୌଣସି ଅଲୌକିକତା ଘଟିଲା ବୋଲି ଅନୁଭବ କରିବା, କୌଣସି କାରଣରୁ ଅସାଧାରଣ କିଛି ଦେଖି ତଦ୍ଦ୍ୱାରା ସତକୁସତ ଏକ ଦେଖା ହୋଇଗଲା ବୋଲି ଗୋଟାସୁଦ୍ଧା ଭେଳିକି ଭିତରେ ପଡ଼ିଯିବା–ସବୁଦିନ ପରି ଏବେମଧ୍ୟ ଏହା ବହୁ ମଣିଷଙ୍କ ସକାଶେ ଏକ ଉଚ୍ଚାଟନର ସାମଗ୍ରୀରେ ପରିଣତ ହୋଇ ରହିଛି । ଏବଂ, ଆବଶ୍ୟକତାରେ ପଡ଼ି ତୁଚ୍ଛା ଉଚ୍ଚାଟନଗୁଡ଼ାକୁହିଁ ଅନେକ ସମୟରେ ଆଧ୍ୟାତ୍ମିକତା ବୋଲି କୁହାଯାଇଛି ।

 

ଶ୍ରୀଅରବିନ୍ଦ ଏହି ଆଖି ଝଲସିଯିବା ବିଷୟରେ କହିଛନ୍ତି । ତଥାକଥିତ କିମିଆ ଓ ଅଲୌକିକତା ବିଷୟରେ କହିଛନ୍ତି । କିମିଆ ନ ଦେଖିଲେ ଅନେକ ସମୟରେ ବିଶ୍ୱାସ ହୁଏନାହିଁ । ଅନେକ ସମୟରେ ସାଧକମାନେ ମଧ୍ୟ ଏହି କିମିଆ ଦେଖିବାକୁ ଅତ୍ୟଧିକ ପରିମାଣରେ ଲାଳସାଗ୍ରସ୍ତ ହୋଇ ରହିଥାନ୍ତି । ସେମାନେ ଅସାଧାରଣ କହିଲେହିଁ ଅଲୌକିକକୁ ବୁଝନ୍ତି । ଜୀବନରେ ମୋ’ ଲାଗି ଆଜି ଯାହା ଦୂରବର୍ତ୍ତୀ, ଅପହଞ୍ଚ ଓ ଅସାଧାରଣ ହୋଇ ରହିଛି, ଅର୍ଥାତ୍‌ ମୋର ଉପସ୍ଥିତ ଏହି ପାହାଚଟିକୁ ଉଠିଯାଇ ପାରିଲେ ଯେ ତାହା ମୋ’ ଲାଗି ଆଉ କଦାପି ଅପହଞ୍ଚ ହୋଇ ରହିବ ନାହିଁ, କିମିଆର ଭ୍ରମୋଚ୍ଚାଟନରେ ପଡ଼ି ସେମାନେ ସେହି କଥାଟିକୁ ଏକାବେଳେକେ ଭୁଲିଯାଆନ୍ତି । ଭୁଲିଗଲେ କୋଳାହଳ ଜମେ, ନୂଆ ନୂଆ ପୁରାଣ ଲେଖାହୁଏ, ମାତ୍ର ସତ୍ୟ ହୁଏତ ହାତଛଡ଼ା ହୋଇଯାଏ । ଯାହା ବସ୍ତୁତଃ ଏକ ଅନୁଭବର କଥା, ତାହା ଅଲୌକିକତାର ଏକ ଉପନ୍ୟାସରେ ପରିଣତ ହୋଇଯାଏ । ଦେଖିବା ସକାଶେ ଆଦୌ କୌଣସି କୋଳାହଳ କରିବାକୁ ପଡ଼େ ନାହିଁ । ଭେଦିଲେ ଲେଖାହୁଏ, ପାହାଚଟି ଉଠିଗଲେ ଦେଖିହୁଏ, ପରିଧିଗୁଡ଼ିକୁ ବଢ଼ାଇ ଦେଇପାରିଲେ ଦେଖିହୁଏ । ମାତ୍ର ଏସବୁ କ୍ଷେତ୍ରରେ କୌଣସି କୋଳାହଳ କରିବାର ପ୍ରୟୋଜନ ନଥାଏ । ସତକୁସତ ଭଲପାଇପାରୁଥିବା ମଣିଷ କୌଣସି କୋଳାହଳ କରେନାହିଁ । ଭଲପାଇବା ବିଷୟରେ ବହୁ ଅଲୌକିକତାର ଅବତାରଣା କରି ଲେଖା ହୋଇଥିବା କୌଣସି ଉପନ୍ୟାସକୁ ପାଠ କରୁଥିବା ବ୍ୟକ୍ତିହିଁ କୋଳାହଳ କରୁଥାଏ । ସେହି କୋଳାହଳ ମଧ୍ୟରେ ସେ ଅସଲ ଆହ୍ୱାନଟିକୁ ଭୁଲିଯାଏ, ଆପଣାର ଅସଲ ଅସମର୍ଥତାଗୁଡ଼ିକୁ ଭୁଲି ରହିବାରେ ସେହି କୋଳାହଳ ବହୁତ ସାହାଯ୍ୟ କରିଥାଏ ।

 

ଅସଲ ଦେଖିବା ମଣିଷ ଆଖି ଝଲସି ଯିବାକୁ କଦାପି ଦେଖିବା ବୋଲି ମାନି ନିଏନାହିଁ-। ମାତ୍ର ଆଖି ଝଲସି ଉଠିବାକୁହିଁ ସବୁଠାରୁ ଅଧିକ ଆକର୍ଷଣ ଘଟଣା ବୋଲି ଗ୍ରହଣ କରୁଥିବା ମଣିଷ ବହୁ ସମୟରେ ଆଖି ଝଲସି ଯିବାଟାକୁ ସତେଅବା ଦେଖିବା ବୋଲି ଭ୍ରମ କରୁଥାଏ-। ହୁଏତ ସିଏ ଦେଖିବା ଲାଗି ଯେତେ ବ୍ୟାକୁଳ ନହୁଏ, ଆଖିଗୁଡ଼ାକ ଝଲସିଉଠିବା ଲାଗି ତା’ଠାରୁ ଅଧିକ ବ୍ୟାକୁଳ ହୋଇ ରହିଥାଏ । ଶ୍ରୀଅରବିନ୍ଦ ଏହି କିମିଆପ୍ରିୟ ଓ ଆଖି ଝଲସି ଉଠିବାଟାକୁ ଅଧିକ ସ୍ପୃହଣୀୟ ବୋଲି ମନେ କରୁଥିବା ମଣିଷମାନଙ୍କୁ ସତର୍କ କରି ଦେବାକୁ ଆହୁରି କେତେକ କଥା କହିଛନ୍ତି । ଉକ୍ତ ପ୍ରବୃତ୍ତିଗୁଡ଼ିକୁ ଧୈର୍ଯ୍ୟହୀନତା ଏବଂ ଅଜ୍ଞାନ ବୋଲି କହିଛନ୍ତି । ସାଧନାର ଜୀବନରେ ତାହାଯୋଗୁଁ ଅତିଶୟ ବିପଦ ଓ ବିପର୍ଯ୍ୟୟ ମଧ୍ୟରେ ଆସି ପଡ଼ିବାକୁ ହୁଏ ବୋଲି ମଧ୍ୟ କହିଛନ୍ତି । ଯିଏ ଆମରି ଭିତରୁ ଅସଲ ଆଖି ହୋଇ ଆମକୁ ପରିଚାଳିତ କରି ନେଉଥାନ୍ତି, ତାଙ୍କରି ପରିଚାଳନା ବିରୁଦ୍ଧରେ ବିଦ୍ରୋହ କରିବା ବ୍ୟକ୍ତି କିମିଆ ଆଡ଼େ ମନ ବଳାଏ ଓ ଏକ କୋଳାହଳମୟ ଆଖି ଝଲସାକୁ ଦେଖିବା ବୋଲି କହିବାକୁ ପ୍ରବୃତ୍ତ ହୁଏ । ସେତେବେଳେ ଅଧିକ ଦୁର୍ବିପାକରେ ପଡ଼ି ଅସଲ ପରିଚାଳନାଟିରୁ ମନ ଛାଡ଼ିଯାଏ । ସେହି ପରିଚାଳନା ସତେଅବା ଆଉ ମୋଟେ ଯଥେଷ୍ଟ ସନ୍ତୋଷ ଦେଇପାରେ ନାହିଁ । ବାଉଳା ହୋଇ ସାଧକ ଅନ୍ୟ ସନ୍ତୋଷ ଖୋଜି ବାହାରେ । ତା’ ଭିତରର ଉତ୍ତେଜନା ଓ ବାସନାଗୁଡ଼ିକ ତାକୁ ଅନ୍ୟ ସନ୍ତୋଷଗୁଡ଼ିକ ଆଡ଼କୁ ଧାବିତ କରାଏ । ସେତେବେଳେ ହୁଏତ ବିକୃତକାରୀ ଅନ୍ୟ କୌଣସି ପ୍ରବଳ ଶକ୍ତି ଆଡ଼କୁ ଚିତ୍ତ ଚାଳିତ ହୋଇଯାଏ ଓ ମନ ଭଳିଯାଏ । ବାଉଳାରେ ଆମେ ତାହାରି ପରିଚାଳନାରେ ପରିଚାଳିତ ହେବାଲାଗି ନିଷ୍ପତ୍ତି କରୁ ଓ ତାହାକୁହିଁ ନାଁଟିଏ ଦେଇ ଭଗବାନ ବୋଲି କହୁ । ଅସଲ ମାର୍ଗଟି ପଛରେ ପଡ଼ିରହେ । ଆଖିଝଲସା ବହୁ ଅଲୌକିକତାକୁ ପ୍ରଶ୍ରୟ ଦେଇଥିବା ବହି ସମ୍ପ୍ରଦାୟ ହୁଏତ ଏହିପରି ଅଥାନମାନଙ୍କରେହିଁ ଭଗବାନଙ୍କର ଆରୋପ କରିଛନ୍ତି ଓ ବହୁ ମିଛ ପରିଚାଳନାରେ ହୁଡ଼ି ଅଧିକ ସନ୍ତୋଷ ଲାଭ କରିଛନ୍ତି । ମାର୍ଗଗୁଡ଼ାକୁ ବହୁ ବିକୃତିଦ୍ୱାରା ଭଣ୍ଡୁର କରି ଦେଇଛନ୍ତି ।

 

ଯିଶୁଖ୍ରୀଷ୍ଟ ଏକଦା ଏହିପରି ବହୁ ଅଲୌକିକ ସାଧନମାନ ଦେଖାଇ ତତ୍କାଳୀନ ଆକୃଷ୍ଟମାନଙ୍କୁ ଚମତ୍କୃତ କରିଥିବାର ବାଇବେଲ ପୁସ୍ତକରେ ଉଲ୍ଲେଖ ଅଛି । ଯିଶୁ ଏକ ଜୀବନମାର୍ଗର ଉଦ୍‌ଘୋଷକ ଥିଲେ । ସେହି ମାର୍ଗ ଆଡ଼କୁ ମନୁଷ୍ୟମାନଙ୍କର ଆଗ୍ରହ ଜାଗୃତ କରିବାକୁହିଁ ସିଏ ଅଦ୍ଭୁତ ଘଟଣାମାନ ଘଟାଉଥିଲେ । ଅସାଧାରଣମାନ ଦେଖାଇ ସାଧାରଣମାନଙ୍କର ଚିତ୍ତୋତ୍ତଳନ କରିବାକୁ ଚେଷ୍ଟା କରୁଥିଲେ । ମାତ୍ର, ହୁଏତ ଏପରି ଘଟୁଥିଲା ଯେ, ସାଧାରଣମାନେ ମାର୍ଗଟି ଅପେକ୍ଷା ଯିଶୁଙ୍କର ଅଲୌକିକ ଘଟଣାମାନ ଦେଖିବାକୁ ଓ ତାହାରିଦ୍ୱାରାହିଁ ଚମତ୍କୃତ ହେବାକୁ ଅଧିକ ଆଗ୍ରହ ପ୍ରକାଶ କରିବାକୁ ଲାଗିଲେ । ଏହା ଯିଶୁଖ୍ରୀଷ୍ଟଙ୍କୁ ଅତିଶୟ ଦୁଃଖିତ କରି ପକାଉଥିଲା ଓ କ୍ଷୁଣ୍ଣ ହୃଦୟରେ ସେ ଲୋକକୋଳାହଳ ମଧ୍ୟରୁ ଦୂରକୁ ପଳାଇ ଯାଉଥିଲେ । ଏକ ନିର୍ଜନ ଉପତ୍ୟକାରେ ଅନ୍ତତଃ କେତେଦିନ ଏକାନ୍ତରେ ଅତିବାହିତ କରିବାଲାଗି ସିଏ ପଳାଇ ଯାଉଥିଲେ । ବିଭିନ୍ନ ଧାର୍ମିକ ଆନ୍ଦୋଳନରେ ମଣିଷମାନେ କାହିଁକି ଆଧ୍ୟାତ୍ମିକ ଆବେଦନ ଓ ଆହ୍ୱାନଗୁଡ଼ିକୁ ଗୌଣ ସ୍ଥାନ ଦେଇ ଅଲୌକିକ ଓ ଅଦ୍ଭୁତଦ୍ୱାରାହିଁ ଅଧିକ ଆକୃଷ୍ଟ ହୋଇଛନ୍ତି, ତାହାର ଏକ ଚମତ୍କାର ଗବେଷଣା ଓ ଅନୁସନ୍ଧାନ କରାଯାଇପାରନ୍ତା । ଏବେ ମଧ୍ୟ ଠିକ୍ ସେହି ପ୍ରବୃତ୍ତିଟି ଅଧିକତର ମଣିଷଙ୍କ ଲାଗି ଅଧିକ ଗ୍ରହଣୀୟ ହୋଇ ରହିଛି । ମାର୍ଗକୁ ଅଲୌକିକତାର ଉତ୍ସାହରେ ପୋତି ପକାଇଲେ ସେଇଥିରୁ କୋଳାହଳମୟ ପୂଜାର ଉଦ୍ଭବ ହୁଏ, ବର୍ଣ୍ଣାଢ଼୍ୟ ଠାକୁରମାନେ ବାହାରନ୍ତି, ନୂଆକୁ ପୁନର୍ବାର ପୁରୁଣାର ଗ୍ରାସ ଭିତରେ ନେଇ ଫିଙ୍ଗି ଦିଆଯାଏ ।

 

ଅଲୌକିକ ଏବଂ ଅଦ୍ଭୁତ ଘଟଣାଗୁଡ଼ିକ ଦେଖିବା ଲାଗି ମନୁଷ୍ୟର ଯେଉଁ ଅତିପ୍ରବଳ ଉତ୍ସାହ ରହିଛି, ମାଆ ତାହାକୁ କେବେହେଲେ ତୃପ୍ତ କରିପାରିବେ ନାହିଁ ବୋଲି ଗୋଟିଏ ସ୍ଥାନରେ କହିଛନ୍ତି । ଏକଦା ମାଆ ସେସବୁ କରୁଥିଲେ, କରିବାକୁ ହୁଏତ ଉଚିତ ବୋଲି ମଣୁଥିଲେ । ତାଙ୍କରି ନିଜ ଭାଷାରେ କହିଲେ, there was a time when I could and did do it.–“ଏକଦା ମୁଁ ଏକଥା କରିପାରୁଥିଲି ଓ ପ୍ରକୃତରେ କରୁଥିଲି ।’’ [ମାତୃ-ରଚନାବଳୀ, ଶତବାର୍ଷିକୀ ଇଂରାଜୀ ସଂସ୍କରଣ, ୧୩ଶ ଖଣ୍ଡ, ୧୯୮୦, ପୃଷ୍ଠା-୪୯] ଏହି ସମର୍ଥତାଟି ବିଷୟରେ ସତ କଥାଟିକୁ ସ୍ପଷ୍ଟ କରିଦେଇ ମାଆ ପୁଣି କହିଛନ୍ତି But for that one must live in the vital consciousness and use vital forces, which is not very recommendable,–ସେସବୁ wonders and miracles କରିବାକୁ ହେଲେ ପ୍ରାଣିକ ଚେତନାରେ ଅବସ୍ଥାନ କରିବାକୁ ପଡ଼େ ଓ ପ୍ରାଣିକ ଶକ୍ତିଗୁଡ଼ିକର ବ୍ୟବହାର କରିବାକୁ ପଡ଼େ । ଏହାକୁ ମାଆ ଆଦୌ ଖୁବ୍‌ ବେଶି କରଣୀୟ ବୋଲି ବିବେଚନା କରିନାହାନ୍ତି-। ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଆମର ଚାରଣା ଏବଂ ଅଭିଳାଷଗୁଡ଼ିକ ପ୍ରାଣିକ ସ୍ତରରେ ରହିଥିଲେ ଆମକୁ ଏସବୁ ପ୍ରକୃତରେ ଭାରି ଭଲ ଲାଗିବ ଏବଂ, ଗୁରୁ ହୋଇଥିଲେ ଦେଖାଇବାକୁ ଭଲ ଲାଗିବ ଏବଂ ଅନୁଗାମୀ ହୋଇଥିଲେ ଅଧିକରୁ ଅଧିକ ଦେଖିବାକୁ ମଧ୍ୟ ଭଲ ଲାଗିବ । ଏଭଳି ଗୁରୁ ଏବେ ମଧ୍ୟ ଅଛନ୍ତି, ଗୁରୁମାନଙ୍କ ଅନୁସାରେ ଅନୁରକ୍ତ ଶିଷ୍ୟ ଓ ଭକ୍ତମାନେ ମଧ୍ୟ ଅଛନ୍ତି । ଅସଲ ଉଦ୍‌ବର୍ତ୍ତନ ଏବଂ ଉଦ୍‌ବେଳନଟିକୁ ଟଳାଇ ଦେବାକୁ ମନ କରିଥିବା ଏଭଳି ବ୍ୟକ୍ତି ବହୁତ ଅଛନ୍ତି । ଆମର ଏ ଯୁଗରେ ସମ୍ଭବତଃ ଅଧିକତର ସଂଖ୍ୟାରେ ଅଛନ୍ତି-। ଆମେ ସେମାନଙ୍କୁ ହାଟରେ ମଧ୍ୟ ଚାହିଁଲାମାତ୍ରକେ ଅବଶ୍ୟ ଭେଟି ପାରିବା ।

 

ମାତ୍ର ଯଦି ଭଗବାନ ଏଇଠି ଏଇ ସଂସାରରେ ଭରି ରହିଛନ୍ତି ବୋଲି ଅନୁଭବ କରାଯାଏ, ଯଦି ଏହି ଜଗତକୁ ଦିବ୍ୟ ବିବର୍ତ୍ତନର ଏକ ଭୂମି ବୋଲି ଗ୍ରହଣ କରାଯାଏ, ଏବଂ ସର୍ବୋପରି, ଯଦି ଚେତନାକୁହିଁ ମନୁଷ୍ୟ ହିସାବରେ ଆମ ସମସ୍ତଙ୍କର ଅସଲ ଉପଲବ୍ଧିଗତ ପ୍ରସ୍ଥ ବୋଲି କୁହାଯାଏ, ତେବେ ଆଉ କୌଣସି ପ୍ରକାର ଅଦ୍ଭୁତ ବା ଅଲୌକିକ ଭିତରକୁ ପଶିବା ଲାଗି ଆମେ ମୋଟେ ମନ କରିବାନାହିଁ । ପୁରାଣ କିମ୍ବା ଉପନ୍ୟାସ ରଚନା କରି ତାହାରି ରହସ୍ୟମୟତା ମଧ୍ୟରେ ସାନ୍ତ୍ୱନା ନେବାଲାଗି ମଧ୍ୟ ଆଉ କୌଣସି ଅବକାଶ ରହିବ ନାହିଁ । ଆଧ୍ୟାତ୍ମିକତା କହିଲେ ସେତେବେଳେ ଏକାବେଳେକେ ଏକ ଅନ୍ୟ ଉନ୍ମେକ୍ଷଣା ଓ ଏକ ଅନ୍ୟ ଆବେଦନକୁ ବୁଝାଇବ । ଯିଏ ସ୍ୱୟଂ ତାଙ୍କର ନିମିତ୍ତ ହେବ ବୋଲି ମନ କରିଥିବ, ସିଏ କଦାପି ଅଲୌକିକତାର ଏକ ଦୂରତା ରଚନା କରି ତାହାରି ଭିତରେ ଲୁଚି କରି ରହିପାରିବ ନାହିଁ । ଯେଉଁଠାରେ ତାଙ୍କଠାରୁ କେବଳ ଅଧିକରୁ ଅଧିକ ମାଗିବାର ଆତୁରତାହିଁ ରହିଥାଏ, ସମ୍ଭବତଃ ସେହିଠାରେହିଁ ମଣିଷ ତାଙ୍କୁ ଅଲୌକିକ କରିପକାଏ,–ତାଙ୍କୁ ଏତେ ବଡ଼ ରହସ୍ୟ କରି ଥାପି ଏକ ନିକାଞ୍ଚନ ଅହଂକାରିତା ମଧ୍ୟରେ ଫୁଲି ଏଡ଼େବଡ଼ ହୋଇ ରହିବାକୁ ଇଚ୍ଛା କରୁଥାଏ । ମାତ୍ର ତାଙ୍କରି ନିମିତ୍ତ ହେବାଲାଗି ସମ୍ମତ ହୋଇଗଲେ ଏହିସବୁ ଗମ୍ଭୀରାଡ଼ମ୍ବରର ଆଉ କୌଣସି ଆବଶ୍ୟକତା ରହେନାହିଁ । ତାଙ୍କରି ନିମିତ୍ତ ହେବାକୁ ରାଜି ହୋଇଯିବା ଅର୍ଥ ଚେତନାର ମାର୍ଗରେ ଅଧିକରୁ ଅଧିକ ଆଗକୁ ଯିବା ଲାଗି ରାଜି ହୋଇଯିବା । ଚେତନାର ଏହି ଅଭିବୃଦ୍ଧି ଇଚ୍ଛା କରିବାର ଅର୍ଥ ହେଉଛି ଚେତନାର ସମ୍ପ୍ରସାରଣ ପାଇଁ ରାଜି ହୋଇଯିବା, ବଦଳିବା ଲାଗି ରାଜି ହୋଇଯିବା । ଏପାଖରୁ ସମ୍ମତି ମିଳିଗଲେ ସିଏ ସ୍ୱୟଂ ସତେଅବା ଆମ ପରିଚାଳନାର ଭାର ଗ୍ରହଣ କରିବାକୁ ଆପେଆପେ ଆସି ପହଞ୍ଚିଯାଆନ୍ତି । ଦର୍ଶନ ଦିଅନ୍ତି, ସ୍ପର୍ଶ ଦିଅନ୍ତି, ଅନୁଭବରେ ଧରା ଦିଅନ୍ତି, ଅନୁଭବକୁ ଏକ ଅପରୋକ୍ଷ ଶକ୍ତି ଆହରଣରେ ରୂପାନ୍ତରିତ କରି ଦିଅନ୍ତି । ତେଣୁ ରହସ୍ୟ ଲାଗି ଉପନ୍ୟାସ ଲାଗି ଅଥବା ଅଲୌକିକତାଲାଗି ଆଉ କୌଣସି ଆକର୍ଷଣ ରହେନାହିଁ । ଜୀବନ କହିଲେ ତେଣିକି ତାଙ୍କରିଠାରୁ ମିଳିଥିବା ଏକ ପ୍ରତ୍ୟକ୍ଷ ପୁଞ୍ଜିପରି ବୋଧହୁଏ । ଅନିଭବ କରୁଥିବା ମଣିଷ ଅଲୌକିକତାକୁ କଦାପି ମନ କରେନାହିଁ ।

 

ଆମର ସମ୍ବନ୍ଧ ଓ ଆମର ଭୂମିକାଟିକୁ ବସ୍ତୁତଃ କେଡ଼େ ସ୍ପଷ୍ଟ କରିଦେଇ ମାଆ ପୁଣି କହିଛନ୍ତି : Our research will not be a research effected by mystic means. It is in life itself that we wish to find the Divine. And it is through this discovery that life can really be transformed. (ତତ୍ରୈବ, ପୃଷ୍ଠା-୨୧୭) ଏହା ପ୍ରକୃତରେ ଏକ ଆହ୍ୱାନ, ଏକ ଅଭିନବ ଆହ୍ୱାନ । ଆମର ଅନ୍ୱେଷଣରେ ଆଦୌ କୌଣସି ରହସ୍ୟମୟତା ରହିବନାହିଁ, ଅଲୌକିକ ଓ ଅଦ୍ଭୁତଗୁଡ଼ାକୁ ଖୋଜିବାର ଓ ସେଇଥିରେହିଁ ପୁଲକିତ ହେବାର କୌଣସି ଆଳସ୍ୟ ରହିବନାହିଁ । ଆମେ ତାଙ୍କୁ ଏହି ଜୀବନରେହିଁ ଖୋଜି ବାହାରିବା । ତାଙ୍କୁ ନିଜଭିତରେ ଖୋଜି ବାହାରିବା, ତାଙ୍କରି ନିମିତ୍ତ ହୋଇ କାର୍ଯ୍ୟ କରିବାର ଆନନ୍ଦ ଭିତରେହିଁ ଆମେ ତାଙ୍କୁ ଖୋଜି ବାହାରିବା । ଏବଂ, ଏଇଠି ଏକ ନୂତନ ଚେତନା, ନୂତନ ସମ୍ବନ୍ଧ ଓ ନୂତନ ବ୍ୟବସ୍ଥାର ମଧ୍ୟଦେଇହିଁ ଆମେ ତାଙ୍କୁ କ୍ରମୋଦ୍‌ଘାଟିତ କରି ଆଣିବା । ଆମର ଏହି ଜୀବନ କଦାପି ଚିରଦିନ ଲାଗି ତାଙ୍କଠାରୁ ବିଚ୍ଛିନ୍ନ ଓ ପରିତ୍ୟକ୍ତ ହୋଇ ରହିବନାହିଁ, ଏଥିରେ ଏକ ରୂପାନ୍ତର ଅବଶ୍ୟ ଘଟିବ ଏବଂ ରୂପାନ୍ତରର ସେହି ପ୍ରକ୍ରିୟାରେ ଆମେ ସମସ୍ତେ ଜଣେ ଜଣେ ସମ୍ମତ ସହଯୋଗକାରୀ ହୋଇ ବାହାରିବା,–ଏହି ନୂତନ ସମ୍ଭାବନାଟିକୁ ଆପଣାର ଚେତନା ମଧ୍ୟରେ ଆବିଷ୍କାର କରିନେଇ ପାରିଲେ ଆମେ ତାଙ୍କୁ ଏହି ପୃଥ୍ୱୀଜୀବନରେ ପ୍ରତିଷ୍ଠା କରିପାରିବା । ତେଣୁ, ତାଙ୍କ ଲାଗି ବ୍ୟାକୁଳତା ରଖିବାର ଅର୍ଥ ହେଉଛି, ଜୀବନରେ ତାଙ୍କ ଆଡ଼କୁ ଓ ପରସ୍ପରର ଯଥାର୍ଥ ପରିଚୟ ଆଡ଼କୁ ସୋପାନ କରି ଅଗ୍ରସର ହେବା,–ଆପଣାର ଅନୁଭବକୁ ସୋପାନ ସୋପାନ କରି ସମ୍ପ୍ରସାରିତ କରି ତାଙ୍କୁ ଆମର ଅଧିକରୁ ଅଧିକ ନିକଟବର୍ତ୍ତୀ କରି ଆଣିବା । ତାଙ୍କୁ ଏଇଠି ଦେଖିବା, ପରସ୍ପର ମଧ୍ୟରେ ତାଙ୍କର ସଙ୍ଗ, ସଖ୍ୟ ଓ ସହଯୋଗ ଲାଭ କରିବା । ଯାବତୀୟ ରହସ୍ୟମୟତା ଓ ଅଲୌକିକତା ଏକ ରୋମାଞ୍ଚକତାର କାରଣ ହୋଇପାରେ ସତ, ମାତ୍ର ତାଙ୍କୁ ଆମଠାରୁ ସର୍ବଦା ଦୂରବର୍ତ୍ତୀ କରି ରଖିବାରେ ମଧ୍ୟ ବେଶ୍‌ ଆନନ୍ଦ ପାଉଥାଏ । ଯୋଗକୁ ମନ କରିଥିବା ସମ୍ପୃକ୍ତ ସମସ୍ତଙ୍କୁ ଭଗବାନ ସେହି ଦୁର୍ଯୋଗରେ ଘାଣ୍ଟିହେବାକୁ ମୋଟେ ନଦିଅନ୍ତୁ ।

 

ନବଜ୍ୟୋତି, ଏପ୍ରିଲ ୨୪, ୧୯୮୮

Image

 

ନିତ୍ୟାନିତ୍ୟବସ୍ତୁବିବେକମ୍‌

 

ଏହି ପୃଥିବୀରେ ନିତ୍ୟ କ’ଣ, ପୁଣି ଅନିତ୍ୟବି କ’ଣ ? ଯାହା ସବୁଦିନ ରହିବ, ତାହାହିଁ କ’ଣ ନିତ୍ୟ, ଏବଂ ଯାହା ସବୁଦିନ ନରହିବ, ତାହାହିଁ କ’ଣ ଅନିତ୍ୟ ? ଅଥବା, ଗୋଟିଏ ବସ୍ତୁ ଯଦି ଆଉ ଗୋଟିଏ ବସ୍ତୁର ତୁଳନାରେ ଅପେକ୍ଷାକୃତ ଅଧିକ ଦୀର୍ଘସ୍ଥାୟୀ ହୋଇ ରହିଛି, ତେବେ ଆମେ କ’ଣ ତାକୁ ପ୍ରକୃତରେ ସେହି ଅପେକ୍ଷାକୃତ କମ୍‌ ଦୀର୍ଘସ୍ଥାୟୀ ବସ୍ତୁଠାରୁ ଅଧିକ ନିତ୍ୟ ବୋଲି କହିପାରିବା ? ପୃଥିବୀରେ ବିଭିନ୍ନ ଧର୍ମ ଏବଂ ଦର୍ଶନରେ ଏହି ପ୍ରସଙ୍ଗଟି ଉପରେ ବହୁ ଆଲୋଚନା ହୋଇ ଆସିଛି । ଆଗେ ହେଉଥିଲା, ଏବେ ମଧ୍ୟ କମ୍‌ ହେଉନାହିଁ ।

 

ଏହି ସବୁକିଛି ଯେ ଅନିତ୍ୟ, ସେକଥାକୁ ଆମେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଅଙ୍ଗେ ନିଭାଉଛୁ । ଅନିତ୍ୟ ବସ୍ତୁଗୁଡ଼ାକ ଭିତରେ ମାତ୍ର ଅଳ୍ପ କେଇଦିନ ନିମନ୍ତେ ପୃଥିବୀକୁ ଆସୁଥିବା ମଣିଷ ଯେ କାଳେ କାଳେ ଏକ ନିତ୍ୟବସ୍ତୁର ଠାବ କରିବାଲାଗି ମନ କରିଆସିଛି, ସମ୍ଭବତଃ ତାହାକୁହିଁ ଆମ ପୃଥିବୀର ଏକ ବିଶେଷ ଭାବରେ ମହିମାମୟ ସମ୍ପଦର ଅନୁଭବ କରୁଛି ଏବଂ ସେଇଥିଲାଗି ବାହାରେ ଏହି ଯାବତୀୟ ଅନିତ୍ୟର ମେଳାଭିତରୁ ନିତ୍ୟର ସନ୍ଧାନ କରିବାରେ ଲାଗିଛି । ସେଇଥିଲାଗି ପୃଥିବୀର ଯାବତୀୟ ଅନିତ୍ୟ ଭିତରେ ମଧ୍ୟ ସିଏ ଏକ ନିତ୍ୟସତ୍ୟର ବାସନା ପାଇପାରୁଛି । ବହୁ ଅନିତ୍ୟ ବସ୍ତୁଦ୍ୱାରା ତା’ର ଏହି ଜୀବନ ବେଢ଼ି ହୋଇ ରହିଥିଲେ ମଧ୍ୟ ତଥାପି ଏସବୁ ଯେତିକି ଦିଶୁଛି, ମୋଟେ ସେତିକି ନୁହେଁ ବୋଲି ମଣିଷ ଅତ୍ୟନ୍ତ ନିର୍ଭୁଲ ଭାବରେ ଅନୁଭବ କରୁଛି ଓ ଆପଣାର ସର୍ବୋତ୍ତମ ଜିଜ୍ଞାସାଗୁଡ଼ିକୁ ସିଏ ତାହାର ସେହି ଅନୁରାଗଟି ଉଦ୍ଦେଶ୍ୟରେ ନିୟୋଜିତ କରି ରଖୁଛି । ତେଣୁ, ଯେଉଁ ଅଳ୍ପଦର୍ଶନମାନେ ସଂସାରକୁ ଗୋଟାସୁଦ୍ଧା ମିଥ୍ୟା ବୋଲି କହି ବ୍ରହ୍ମନାମକ ପ୍ରାୟ ଏକ ଅବସ୍ତୁକୁହିଁ ସତ୍ୟ ବୋଲି କହୁଛନ୍ତି, ଅଧିକାଂଶ ମଣିଷଙ୍କର ମନ ସେଥିରେ ମୋଟେ ବୋଧ ହେଉନାହିଁ । ବୋଧ ହୋଇ ଯାଉଥିଲେ ତାହା ସମୀଚୀନ ମଧ୍ୟ ହେଉନଥା’ନ୍ତା ।

 

ସଂସାର ବା ଜଗତକୁ ମିଥ୍ୟା ବୋଲି କହିବା ଅର୍ଥାତ୍‌ ତାହାକୁ ଉପେକ୍ଷା କରିବା । ଏହି ଉପେକ୍ଷା କାଳକାଳରୁ ଆପଣାର ଜୀବନକୁ ଯଥାସମ୍ଭବ ସମ୍ପୂର୍ଣ୍ଣ ଭାବରେ ନବଞ୍ଚିବା ଲାଗି ପ୍ରାୟ ଏକ ବାହାନା ପରି କାର୍ଯ୍ୟ କରିଆସିଛି । କେବଳ ସେତିକି ନୁହେଁ, ଆପଣାର ଜୀବନକୁ ଭାଗଭାଗ ଓ ଖଣ୍ଡଖଣ୍ଡ କରି ବଞ୍ଚିବାଲାଗି ସମ୍ଭବତଃ ଏହିଥିରୁହିଁ ଅନେକ ପ୍ରଶ୍ରୟ ମିଳିଛି । ଅର୍ଥାତ୍, ଆମର ପରିବାର ଆମର ସମୂହଠାରୁ ଅସଂଲଗ୍ନ ହୋଇ ରହିଛି, ଆମର ଠାକୁରମାନେ ଆମ ଜୀବନର ନିତ୍ୟସମ୍ବନ୍ଧଗୁଡ଼ିକରୁ ବିଚ୍ୟୁତ ହୋଇ ରହିଛନ୍ତି । ଆମ ସାହିତ୍ୟ, କଳା, ସଙ୍ଗୀତ ପ୍ରଭୃତି ତଥାକଥିତ ସୂକ୍ଷ୍ମ କ୍ଷେତ୍ରଗୁଡ଼ିକ ଜୀବନର ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରୁ ବିଚ୍ୟୁତ ହୋଇ ରହିଛି । ଆମ ଜୀବନ ଆଦର୍ଶ ଓ ବାସ୍ତବ ଭିତରେ ଦୁଇଫାଳ ହୋଇ ଯାଇଛି । ଏପାଖର ମୁଦ୍ରାଗୁଡ଼ାକ ସେପାଖର ବଜାରରେ ଆଦୌ କୌଣସି କାମ ଦେବନାହିଁ ବୋଲି ମାୟାବାଦୀ ମହାପୁରୁଷମାନେ ଆମକୁ କେତେକେତେ ଆଶ୍ୱାସନା ଦେବାକୁ ମଧ୍ୟ ଆସି ପହଞ୍ଚିଯାଇଛନ୍ତି । ମୂଳତଃ ସେହି ଉପେକ୍ଷାଭାବଦ୍ୱାରା ତାଡ଼ିତ ହୋଇ ଅନେକ ସଂସାରଟାକୁ ତୁଚ୍ଛା ଦୁଃଖପୂର୍ଣ୍ଣ ବୋଲି କହିଛନ୍ତି । ଦୁଃଖଗୁଡ଼ାକୁ ଆହ୍ୱାନ ବୋଲି ଗ୍ରହଣ କରି ଏକ ମୂଳଭୂତ ଅଭୀପ୍ସାର ପ୍ରେରଣାରେ ପାହାଚକୁ ପାହାଚ ଉଠିଯିବାରେ ଯେ ଜୀବନର ଅସଲ ସୁଖ ଓ ଅସଲ ଆନନ୍ଦ ନିହିତ ହୋଇ ରହିଛି, ଆମର ମହାପୁରୁଷମାନେ ସଚରାଚର ଆମକୁ ସେକଥା କହିବାଲାଗି ଆଦୌ ଉଚିତ ବୋଲି ମନେ କରିନାହାନ୍ତି । ତେଣୁ ଏହି ପୃଥିବୀଟା ଆମଦ୍ୱାରା ଯେପରି ହୋଇ ପାରିଥାନ୍ତା, ତାହା ମୋଟେ ହୋଇପାରି ନାହିଁ । ସ୍ୱର୍ଗ ଆଉ କେଉଁଠି ଅଛି ବୋଲି କୁହାଯାଇଥିଲେ ମଧ୍ୟ ଏହି ପୃଥିବୀଟାକୁହିଁ ଯାବତୀୟ ଅର୍ଥରେ ସତକୁସତ ଏକ ନର୍କରେ ପରିଣତ କରି ରଖାଯାଇଛି । ଦୁଃଖକୁହିଁ ଆମର ଜୀବନ ତଥା ଏହି ଜଗତକୁ ବ୍ୟାଧିଗ୍ରସ୍ତ କରି ରଖିଥିବା ଅସଲ କୀଟ ବୋଲି ଘୋଷଣା କରାଯାଇଛି-। ସେହି ଦୁଃଖର ସମ୍ମୋହଟାହିଁ ମଣିଷକୁ ନାନାପ୍ରକାରେ ଉତ୍ତେଜିତ କରି ରଖିଛି, ପାଷଣ୍ଡ କରି ପକାଇଛି, ନିର୍ମମ କରିଛି, ଅନେକ ଶ୍ରଦ୍ଧାରୁ ବଞ୍ଚିତ କରି ରଖିଛି ।

 

ବୈରାଗ୍ୟ ଏପରି ଗୋଟିଏ ଶବ୍ଦ, ପୃଥିବୀରେ ଯାହାରକି ବହୁପ୍ରକାରେ ବିକୃତ ବ୍ୟାଖ୍ୟା କରାଯାଇଛି । ବିଶେଷତଃ ଧର୍ମମାନଙ୍କରେ ଏହି ଶବ୍ଦଟିକୁ ବହୁ ଏକଦେଶୀ ମତଲବ ସହିତ ବ୍ୟବହାର କରାଯାଇଛି । ଯେଉଁ ଅସ୍ଥିର ବା ଅଧୀରମାନେ ସଂସାରଦ୍ଵାରା ଆହତ ହୋଇ ସଂସାର ଛାଡ଼ିଛନ୍ତି ଏବଂ ତଥାପି ଆପଣାର ଉଦର ନିର୍ବାହପାଇଁ ସଂସାର ଉପରେ ଭାର ଦେଇ ରହିବାକୁ ବାଧ୍ୟ ହୋଇଛନ୍ତି, ସେମାନେ ବୈରାଗ୍ୟକୁ ସତେଅବା ସତ୍ୟର ସମବାଚୀ କରି ଦେଖାଇବାକୁ ଚେଷ୍ଟା କରିଛନ୍ତି । ବୈରାଗ୍ୟ ଯେ କେତେ ପ୍ରକାରର, ଓ କେତେ ସ୍ତରର ହୋଇପାରେ, ସକାରାତ୍ମକ ଓ ନକାରାତ୍ମକ ଉଭୟ ପ୍ରକାରର ହୋଇପାରେ, ସେକଥାକୁ କେଡ଼େ ଅଜ୍ଞତା ଅଥବା ଚତୁରତା ସହିତ ପ୍ରଚ୍ଛନ୍ନ କରି ରଖି ଦେଇଚନ୍ତି । କାଷ୍ଟବୈରାଗ୍ୟର ମଧ୍ୟ ସ୍ତୁତି କରାଯାଇଛି, କାଷ୍ଠବୈରାଗ୍ୟମାନଙ୍କରବି ସ୍ତୁତିଗାନ କରାଯାଇଛି । ତୁଚ୍ଛା ବୈରାଗ୍ୟ ଓ ତୁଚ୍ଛା ବୈରାଗୀମାନେ ପୂଜାପାଇଛନ୍ତି, ତେଣେ ସଂସାରଟାକୁ ତିମିର ଭିତରେ ଛାଡ଼ିଦିଆଯାଇଛି । କୌଣସି ଉଚ୍ଚତର ଶ୍ରଦ୍ଧାର ଭାଜନ ହେବାଲାଗି ଯେ ଏକ ନିମ୍ନତର ଶ୍ରଦ୍ଧାକୁ ପରିହାର କରାଯାଇପାରେ ଏବଂ କେବଳ ସେହି କ୍ଷେତ୍ରରେ ଯେ ବୈରାଗ୍ୟ ଏକ ସକାରାତ୍ମକ ଶକ୍ତିରୂପେ କାର୍ଯ୍ୟ କରିପାରେ, ଏକଥା ଆମ ଶାସ୍ତ୍ରମାନଙ୍କରେ ଖୁବ୍ କମ୍ କୁହାଯାଇଛି । ଏକ ବୃହତ୍ତର ଅନୁରାଗ ନିମନ୍ତେହିଁ ଅପେକ୍ଷାକୃତ ଅଳପ ଯାବତୀୟ ବସ୍ତୁଲାଗି ବୈରାଗ୍ୟ,–ଏହି ଅସଲ କଥାଟି ଉପରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଇନାହିଁ । ସଂସାର ଲାଜରା ହୋଇ ରହିଛି, ଅସଲ ପୁରୁଷାର୍ଥ ସଂସାରକୁ ତ୍ୟାଗ କରିବାରେହିଁ ନିହିତ ହୋଇ ରହିଛି ବୋଲି ବିଚରା ସଂସାରର ମଣିଷକୁ ବୁଝାଇ ଦିଆଯାଇଛି ।

 

ଅଧିକ ଲାଗି ଅଳପକୁ ବର୍ଜନ କରିବା, ଆମ ଜୀବନରେ ଯଥାର୍ଥ ବୈରାଗ୍ୟ କହିଲେ ସେହି କଥାଟିକୁହିଁ ବୁଝାଇବା ଉଚିତ । ଜୀବନରେ, ଆମ ପ୍ରତ୍ୟେକଙ୍କର ଜୀବନରେ, ଅଧିକରୁ ଅଧିକ ଲାଗି ଯଦି ଏକ ଆସ୍ପୃହା ସଦା ପ୍ରଜ୍ଜ୍ୱଳିତ ହୋଇ ରହିଥାଏ, ତେବେ ଆମେ କେବେହେଲେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଆସି ଅଟକି ରହିଯିବା ନାହିଁ । ଆମେ ସତତ ଅଧିକରୁ ଅଧିକ ହେବାକୁ ଇଚ୍ଛା କରୁଥିବା, ଆପଣାକୁ ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ଦେଇ ପାରିବାଲାଗି ଇଚ୍ଛା କରୁଥିବା । ଅସଲ ଜ୍ଞାନ କଦାପି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସି ଅଟକି ଯାଏନାହିଁ । ଅସଲ ଜ୍ଞାନ ସତତ ଅଧିକରୁ ଅଧିକ ହେବାକୁ ଇଚ୍ଛା କରୁଥାଏ । ଅର୍ଥାତ୍ ଅଧିକରୁ ଅଧିକ ଦେଖିପାରୁଥାଏ । ଅଧିକରୁ ଅଧିକ ଊର୍ଦ୍ଧ୍ୱକୁ ଦେଖି ପାରୁଥାଏ ଏବଂ ଅଧିକରୁ ଅଧିକ ଗଭୀରକୁ ଦେଖିପାରୁଥାଏ । ଅଧିକରୁ ଅଧିକ ମନ କରୁଥାଏ । ଯେତିକି ହାସଲ କରିଛି, ତାହାକୁ ସିଏ ତଥାପି ଅଳପ ବୋଲି ଅନୁଭବ କରେ । ତେଣୁ, ସେ ଯେତିକି ଭିତରେ ରହିଛି, ସେତିକି ଭିତରେ ପଡ଼ିରହିବା ବିଷୟରେ ସିଏ ଏକ ବୈରାଗ୍ୟହିଁ ଅନୁଭବ କରେ ଏବଂ ସେହି ବୈରାଗ୍ୟ ଅର୍ଥାତ୍ ଅଳ୍ପତାବୋଧ ତାକୁ ଅଧିକକୁ ମନ କରିବାଲାଗି, ଅଧିକ ହେବାଲାଗି ଏବଂ ଅଧିକର ଯୋଗ୍ୟ ହେବାଲାଗି ପ୍ରେରଣା ଦିଏ । ଏହିପରି ଭାବରେ ଆମେ ପାହାଚକୁ ପାହାଚ ଉଠିଯିବାରେ ଲାଗିଥାଉ । ଆପଣା ଭିତରେ ଆମେ ସତେଅବା କେଉଁ ପରମସମ୍ପତ୍‍ର ଆପ୍ରାଣ ପାଇଥାଉ କେଜାଣି, ଆମେ ଯେତିକିରେ ଅଛୁ, ସେତିକି ଆମକୁ ଆଉ ଆଦୌ ଭଲ ଲାଗେ ନାହିଁ ।

 

ଜ୍ଞାନ ବେଳକୁ ଯାହା, ଆମର ଶ୍ରଦ୍ଧା ଏବଂ କର୍ମବେଳକୁ ମଧ୍ୟ ସେଇଆ । ଅସଲ ଶ୍ରଦ୍ଧା କଦାପି ଏକ କ୍ଷୁଦ୍ର ବୃତ୍ତ ଭିତରେ ଆବଦ୍ଧ ହୋଇ ରହିପାରେ ନାହିଁ । ବୃତ୍ତଟିକୁ ସତତ ଅଧିକରୁ ଅଧିକ ବୃହତ୍ କରିବାରେ ଲାଗିଥିବା, ତାହାହିଁ ହେଉଛି ଶ୍ରଦ୍ଧାର ଅସଲ ଧର୍ମ । ଶ୍ରଦ୍ଧାର ଧର୍ମ ଠିକ୍ ଆଲୁଅର ଧର୍ମ ପରି । ତାହା କେବେହେଲେ ଏକ ଆୟତନ ଭିତରେ ଆବଦ୍ଧ ହୋଇ ରହିପାରେ ନାହିଁ । ଆୟତନର ବାହାରକୁ ଉଛୁଳି ପଡ଼ିବାରେ ଲାଗିଥାଏ । ଜଣେ ମଣିଷକୁ ଭଲ ପାଉ ପାଉ ସବୁ ମଣିଷକୁ ଭଲ ପାଇବାର ବୃହତ୍ତର ସୂତ୍ରଟି ମିଳିଯାଏ । ଗୋଟିଏ ଦେଶକୁ ଭଲ ପାଉ ପାଉ ପୃଥିବୀର ସବୁ ଦେଶ ସୁନ୍ଦର ଓ ମହାନ୍ ଦିଶିବାକୁ ଆରମ୍ଭ କରନ୍ତି । ଭଗବାନଙ୍କୁ ଗୋଟିଏ ମୂର୍ତ୍ତି ଭିତରେ ଠାବ କରୁ କରୁ ସକଳ ମୂର୍ତ୍ତି ଭିତରେ ଏବଂ ସକଳ ମୂର୍ତ୍ତି-କଳ୍ପନାର ସେପାଖରେ ମଧ୍ୟ ସିଏ ଅନୁଭୂତ ହେବାକୁ ଆରମ୍ଭ କରନ୍ତି । ନିଜ ଭିତରେ ତାଙ୍କର ଠାବ ମିଳୁମିଳୁ ସିଏ ସମଗ୍ର ଜଗତ ମଧ୍ୟରେ ପ୍ରତିଭାତ ହୋଇ ରହିଥିବାର ଦୃଷ୍ଟିଗୋଚର ହୁଅନ୍ତି । ତାଙ୍କୁ ଆଉ କାନ୍ଥ ଭିତରେ, ଖୋପ ଭିତରେ ଅଥବା ଛାଞ୍ଚ ଭିତରେ କିଳିକରି ରଖିବା ମୋଟେ ସମ୍ଭବ ହୁଏ ନାହିଁ । ଅର୍ଥାତ୍ ଅସଲ ଅନୁଭବଟି ଆଡ଼କୁ ଆଖି ଖୋଲି ଯାଉଥିବା ସଙ୍ଗେ ସଙ୍ଗେ ଏହି ଯାବତୀୟ ମୂର୍ତ୍ତି, ଯାବତୀୟ ଛାଞ୍ଚ ଓ ଯାବତୀୟ ଖୋପ ପ୍ରତି ଏକ ସ୍ଵାଭାବିକ ବୈରାଗ୍ୟ ଜାତ ହୁଏ । ସେହି ବୈରାଗ୍ୟ ଛାଞ୍ଚଗୁଡ଼ିକୁ, ମୂର୍ତ୍ତିଗୁଡ଼ିକୁ ଓ ଖୋପଗୁଡ଼ିକୁ ଡେଇଁ ଚାଲିଯିବା ନିମନ୍ତେ ପ୍ରେରଣା ଦିଏ । ବୈରାଗ୍ୟ ବହୁ ଉନ୍ମୋଚନର କାରଣ ହୁଏ, ଆମରି ଭିତରେ ବହୁ ସମ୍ଭାବନାକୁ ଉଦ୍‌ଘାଟିତ କରିଆଣେ ।

 

ଅଳପ ପ୍ରତି ବୈରାଗ୍ୟ, ତାହାହିଁ ଆମକୁ ଉତ୍ତରୋତ୍ତର ଅଧିକ ଆଡ଼କୁ ବାଟ କଢ଼ାଇ ନେଉଥାଏ । ସେତେବେଳେ ବୈରାଗ୍ୟ ଆମ ଜୀବନରେ ଏକ ସକାରାତ୍ମକ ସୁସ୍ଥ ପ୍ରେରଣାରୂପେ କାର୍ଯ୍ୟ କରେ । ଆମେ ଅଳପ ଭିତରେ ରହିଥିବା ପର୍ଯ୍ୟନ୍ତ ଆମର ସଂସାରଟା ମଧ୍ୟ ପ୍ରାୟ ଦୁଇଭାଗ ହୋଇ ରହିଥାଏ । ଗୋଟାକୁ ଭଲ ପାଇବାକୁ ହେଲେ ଆମେ ପ୍ରାୟ ଏକ ଅବଶ୍ୟମ୍ଭାବୀ ନିୟମ ପରି ଆଉଗୋଟାକୁ ଘୃଣା କରିବାକୁ ବାଧ୍ୟ ହେଉ । ଗୋଟାକୁ ନିଜର ବୋଲି ଅନୁଭବ କରିପାରିବା ନିମନ୍ତେ ଆହୁରି ଅନେକକୁ ଅପର ଓ ତେଣୁ ଅବର ବୋଲି ଅନୁଭବ କରିଥାଉ । ଅନେକ ମଣିଷ ନିଜର ଦେଶକୁ ଭଲ ପାଆନ୍ତି, ନିଜର ଜାତିକୁ ଭଲ ପାଆନ୍ତି । ଅନ୍ୟ ଦେଶଗୁଡ଼ିକ ପ୍ରତି ଓ ଅନ୍ୟ ଜାତିଗୁଡ଼ିକ ପ୍ରତି ପ୍ରଧାନତଃ ଏକ ଅଶ୍ରଦ୍ଧା ପ୍ରଦର୍ଶନ କରିହିଁ ସେମାନେ ନିଜର ଦେଶପ୍ରତି ବା ନିଜର ଜାତିପ୍ରତି ସେହି ଶ୍ରଦ୍ଧାକୁ ପ୍ରକଟ କରିଥା’ନ୍ତି । ଗୋଟାଏ କାହାକୁ ଘୃଣା ନକଲେ ଗୋଟାକୁ ମୋଟେ ଭଲ ପାଇ ହୁଏନାହିଁ ବୋଲି ଗୋଟାଏ ଅତ୍ୟନ୍ତ ପ୍ରମାଦକାରୀ ଭ୍ରମ ସେମାନଙ୍କୁ ସତେଅବା ସତତ କାମୁଡ଼ି ଧରିଥାଏ । ସେତିକିବେଳେ ସେହି ପ୍ରମାଦଟିରୁ ନିଷ୍କୃତି ଲାଭ କରି ଆଗକୁ ବାହାରି ଯିବାଲାଗି ବୈରାଗ୍ୟ ଆମ ଜୀବନରେ ଭାରି କାମ ଦିଏ । ବୈରାଗ୍ୟ ଆମକୁ ମୋହରୁ ମୁକ୍ତ କରେ, ଅଳପର ମୋହରୁ ମୁକ୍ତ କରେ, ଏକ ବୃହତ୍ତର ଅନୁରାଗ ଲାଗି ବାଟ ଫିଟାଇ ଦେଇ ତାହା ଆମକୁ ମୋହମୁକ୍ତ କରେ ।

 

ପୃଥିବୀରେ ବହୁତ ମଣିଷ ତଥାକଥିତ ନିଜପାଇଁ ସବୁକିଛି କରୁଥା'ନ୍ତି । ନିଜପାଇଁ ବଳ ଚାହୁଁଥାନ୍ତି, ଜ୍ଞାନ ଚାହୁଁଥାନ୍ତି, ଯଶ ଇଚ୍ଛା କରୁଥାନ୍ତି, ସଫଳତାର ଅନ୍ୱେଷଣ କରୁଥାନ୍ତି । ଭିତରେ କେଉଁଠି କ’ଣ ଅବିଶ୍ଵାସ ଲୁକ୍କାୟିତ ହୋଇ ରହିଥାଏ କେଜାଣି ଅଥବା ଭଗବାନଙ୍କର ଏହି ସଂସ୍କାରକୁ ସେମାନେ କେଜାଣି କାହିଁକି ଅତ୍ୟନ୍ତ ଅଳପ ବୋଲି ଅନୁଭବ କରୁଥାନ୍ତି, ଏହି ପୃଥିବୀରେ ସମସ୍ତଙ୍କ ଲାଗି ମୋଟେ ଜାଗା ହେବନାହିଁ ବୋଲି ସେମାନେ ଭାରି ପ୍ରଚଣ୍ଡ ଭାବରେ ବିଶ୍ଵାସ କରୁଥା'ନ୍ତି । ତେଣୁ କେବଳ ଆପଣାର ଗାତଟିକୁ ଭରିବାରେ ଲାଗିଥାନ୍ତି । କେବଳ ଆପଣା ଲାଗି ସୁଖ ମାଗନ୍ତି, ଆପେ ବଞ୍ଚିରହିବେ ବୋଲି ସଂସାରଗୋଟାକୁ ଯଥାସମ୍ଭବ ଦୁହିଁ ଆଣିବେ ବୋଲି ବାହାରି ଥାଆନ୍ତି,–ସେମାନେ ତାହାକୁହିଁ କେଡ଼େ ନିର୍ବୋଧ ଭାବରେ ଜୀବନସଂଗ୍ରାମ ବୋଲି କହୁଥାନ୍ତି । ସେହି ସଂଗ୍ରାମ ସ୍ଵାର୍ଥାନ୍ଧତାକୁ ଜନ୍ମଦିଏ, ଏକ ଦୟନୀୟ ଅହଂଲିପ୍ତତାକୁ ଜନ୍ମଦିଏ । ସେହି ଦୁଇ ରାକ୍ଷସଙ୍କର କବଳରେ ପଡ଼ି ମଣିଷମାନେ ଭଗବାନଙ୍କୁ ମଧ୍ୟ ପ୍ରଧାନତଃ ନିଜ କାମରେ ଲଗାଇ ରଖିବାକୁ କେତେ ଉତ୍ସାହ ଦେଖାଇବାରେ ଲାଗିଥା’ନ୍ତି । ସେତିକିବେଳେ ବୈରାଗ୍ୟ ଭାରି କାମ ଦିଏ । ଭଗବାନଙ୍କର କାମରେ ଲାଗିପାରିବାଦ୍ଵାରାହିଁ ଯେ ମନୁଷ୍ୟ ଯଥାର୍ଥ ସୁଖ ଲାଭ କରିପାରେ, ଆପଣାର ସମସ୍ତ ଜ୍ଞାନ, ଅର୍ଥ ଏବଂ ସାମର୍ଥ୍ୟକୁ ଏଠି ସମସ୍ତଙ୍କ ଲାଗି ଲଗାଇ ପାରିବାରେହିଁ ଯେ ତା' ଜୀବନର ଅସଲ ସାର୍ଥକତା ନିହିତ ହୋଇ ରହିଛି, ଆପଣା ପ୍ରତି ଏକ ଯଥାର୍ଥ ବୈରାଗ୍ୟ ଦୃଷ୍ଟି ରଖିବାଦ୍ଵାରାହିଁ ସେ ଏହି ସତ୍ୟୋପଲବ୍ଧିର ଯୋଗ୍ୟ ହୁଏ ।

 

ତେଣୁ ବୈରାଗ୍ୟ ନିଜ ପ୍ରତି, ସଂସାର ପ୍ରତି ନୁହେଁ । ଆପଣାର ସାନ ସୀମାଗୁଡ଼ିକୁ ଡେଇଁଯାଇ ଅଧିକରୁ ଅଧିକ ବିଷୟରେ ସଚେତନ ହେବା ଓ ଅଧିକରୁ ଅଧିକ ଲାଗି ଅନୁରାଗ ରଖିବା,–ଏହି ଆସ୍ପୃହାଟି ହେଉଛି ଆମ ଜୀବନରେ ଅସଲ ବୈରାଗ୍ୟର ଆସ୍ପୃହା । ଆପଣାର ସୁଖ, ଆପଣାର ମୁକ୍ତି, ଆପଣାର କଲ୍ୟାଣ ଏବଂ ଆପଣାର ପୁଣ୍ୟ,–ଏଗୁଡ଼ିକ ଆମ ଭିତରେ ଆମକୁ କାବୁକରି ରଖିଥିବା ବହୁବିଧ ଅଳ୍ପର ଆମ ବିରୁଦ୍ଧରେ ଏକ ସୁଯୋଜିତ ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ରହିଁ ମଣିଷକୁ ପ୍ରାୟ କାଳକାଳରୁ ଅଧମ କରି ରଖିଛି, ତା’ର ସଂସାରଟାକୁ ଅଧିକାଂଶତଃ ଏକ ଦଣ୍ଡଭୋଗରେ ପରିଣତ କରି ରଖିଛି, ବିଶ୍ଵବିଧାତାଙ୍କ ସହିତ ତା’ର ସମ୍ବନ୍ଧଗୁଡ଼ିକୁ ଅତ୍ୟନ୍ତ ଆର୍ତ୍ତ କରି ରଖିଛି । ଭୂମାର ଅନୁରାଗହିଁ ତାକୁ ଏହି ଆର୍ତ୍ତତା ଓ ଏହି ଦଣ୍ଡଭୋଗରୁ ମୁକ୍ତ କରି ଆଣିପାରିବ-। ଅଳପ ପ୍ରତି, ଅହଂ ପ୍ରତି ଏକ ମୂଳଭୂତ ବୈରାଗ୍ୟହିଁ ତାକୁ ଅସଲ ବାଟରେ ବାହାର କରିନେଇ ପାରିବ । ଆପଣାର କାମନାପୂରିତ ଆତ୍ମାଟି ପ୍ରତି ଏକ ମୂଳଭୂତ ବୈରାଗହିଁ ତାକୁ ଅସଲ ବାଟରେ ବାହାର କରିନେଇ ପାରିବ । ଆପଣାର କାମନାପୂରିତ ଆତ୍ମାଟି ପ୍ରତି ଏକ ବୈରାଗ୍ୟପ୍ରଧାନ ଦୃଷ୍ଟି ରଖିପାରିଲେ ସିଏ ଆପଣା ଭିତରେ ଅସଲ ଉଜ୍ଜ୍ୱଳ ଆତ୍ମାଟିକୁ ଆବିଷ୍କାର କରିନେଇ ପାରିବ, ସମଗ୍ର ପୃଥିବୀ ଲାଗି ଏକ ଉଜ୍ଜ୍ଵଳ ନିୟତିକୁ ତ୍ଵରାନ୍ୱିତ କରି ଆଣିବାରେ ସିଏ ସହଯୋଗ କରିପାରିବ ।

 

ତେଣୁ, ଅସଲ ବୈରାଗ୍ୟର ମୂଳରେ ଅନୁରାଗହିଁ ଜନନୀ ପରି ହୋଇ ରହିଛି । ଅସଲ ଆସ୍ପୃହାଟିର କ୍ଷେତ୍ରରେ ଯାବତୀୟ ଯଥାର୍ଥ ନିରାସକ୍ତତା ଏକ ପରମଆସକ୍ତତାର ପରିପୂରକ ବା ପରିକର ହୋଇ ରହିଛି । ଆମକୁ କ୍ଷୁଦ୍ର କରି ରଖିଥିବା, ଅଳପ କରି ରଖିଥିବା, ଅଯୁକ୍ତ କରି ରଖିଥିବା ଏହି ଖୋଳଗୁଡ଼ିକରୁ ଆପଣାକୁ ମୁକ୍ତ କରି ଆଣିବାର ଅନୁରାଗ, ତାହାହିଁ ବୈରାଗ୍ୟ । ଏକ ବୃହତ୍ତର ସମ୍ଭାବନା ଆମଲାଗି ଅପେକ୍ଷା କରି ରହିଛି, ବୃହତ୍ତର ସଖ୍ୟ ଆମକୁ ହାତ ବଢ଼ାଇ ଡାକୁଛି । ସେହି ହାତକୁ ଦେଖିପାରିବା, ସେହି ଡାକକୁ ଶୁଣିପାରିବା,–ଆମକୁ ପ୍ରାୟ ମୁଗ୍ଧ ଓ କବଳିତ କରି ରଖିଥିବା ଏହି ଯାବତୀୟ ଅଳ୍ପପ୍ରତି ଆମର ବୈରାଗ୍ୟ ଜନ୍ମିଲେ ଯାଇ ଆମେ ସେହି ଅନ୍ୟଟିଲାଗି ନିମିତ୍ତ ହୋଇପାରିବା, ନିମିତ୍ତର ଭାଜନ ହୋଇପାରିବା । ତା'ପରେ ଅନୁରାଗ ଓ ବୈରାଗ୍ୟ, ଅର୍ଜନ ଓ ବର୍ଜନ,–ଏଗୁଡ଼ିକ ଆମକୁ ସତକୁସତ ସେହି ଗୋଟିଏ ଆସ୍ପୃହା ଅର୍ଥାତ୍ ବାସନାରହିଁ ଏପାଖ ଓ ସେପାଖ ବୋଲି ମନେହେବ । ଉଭୟ ଭିତରେ ରହିଥିବା ଦ୍ଵନ୍ଦ୍ୱ ଦୂର ହୋଇଯିବ ।

 

ନବଜ୍ୟୋତି, ୧୫ ଅଗଷ୍ଟ, ୧୯୮୮

Image

 

ଧର୍ମ, ଦେଶ ଏବଂ ପରିବାର

 

ପୃଥିବୀରେ ବହୁ ଧର୍ମ ରହିଛି, ବହୁ ଦେଶ ରହିଛି ଓ ବହୁସଂଖ୍ୟକ ପରିବାର ରହିଛନ୍ତି । ପୃଥିବୀର ଜଣେ ଜଣେ ମଣିଷ ହିସାବରେ ଆମେ ନିଜକୁ ଅମୁକ ପରିବାରର, ଅମୁକ ଦେଶର ଏବଂ ଅମୁକ ଧର୍ମର ବୋଲି କହିଥାଉ ଏବଂ ସେହିଗୁଡ଼ିକର ମାଧ୍ୟମରେ ନିଜର ଏକ ପରିଚୟ ଦେବାର ଚେଷ୍ଟା କରିଥାଉ । ମାତ୍ର, ଏହା କ’ଣ ଆମର ପ୍ରକୃତ ପରିଚୟ ? ଆମେ ଏଇ ସଂସାରରେ ଯେଉଁ ଘରେ ଜନ୍ମ ହୋଇଛୁ, ନିଜକୁ ଯେଉଁ ଦେଶର ନାଗରିକ ବୋଲି କହୁଛୁ ଏବଂ ଯେଉଁ ଧର୍ମର ପଇତା ପିନ୍ଧିଛୁ, ଆମକୁ ଚିହ୍ନଟ କରିଦେବା ସକାଶେ ସେହିଗୁଡ଼ିକ କ’ଣ ଅସଲ ମାଧ୍ୟମ ? ପୃଥିବୀରେ ପ୍ରତ୍ୟେକ ଧର୍ମର ଇତିହାସ ରହିଛି, ପ୍ରତ୍ୟେକ ଦେଶରେ ମଧ୍ୟ ଗୋଟିଏ ଇତିହାସ ରହିଛି, ପ୍ରତ୍ୟେକ ପରିବାର ଗଢ଼ି ଉଠିବା ପଛରେ ଇତିହାସଟିଏ ଅବଶ୍ୟ ରହିଛି । ବିଭିନ୍ନ ଜଳବାୟୁରେ ବିଭିନ୍ନ ତାତ୍କାଳିକ ଆବଶ୍ୟକତାର ଏକ ସାମୟିକ ଗରଜକୁ ମେଣ୍ଟାଇବାର ଚେଷ୍ଟା କରି ଇତିହାସର ଧର୍ମଗୁଡ଼ିକ ତିଆରି ହୋଇଛି । ଶାସ୍ତ୍ରଟିଏ ଲେଖାଯାଇ, ନିୟମଗୁଡ଼ିକୁ ଏକ ପବିତ୍ରତାର ଶିକୁଳି ପିନ୍ଧାଇଦେଇ ଏବଂ କେତୋଟି ଠାକୁରଙ୍କୁ ବେଦୀ ଉପରେ ବସାଇଦେଇ ଧର୍ମଗୁଡ଼ିକୁ ଦୋରସ୍ତ କରି ରଖାଯାଇଛି । ସେହିସବୁ ଧର୍ମ ରଜାମାନଙ୍କର ଖିଆଲ ଅନୁସାରେବି ବଦଳି ଯାଇଛି,–ରଜା ଇଚ୍ଛା କରିବାରୁ କେତେ ଧର୍ମର ମୁଣ୍ଡ କଟାଯାଇଛି ଓ କବନ୍ଧଗୁଡ଼ାକରେ ହୁଏତ କେତେଟା ନୂଆ ମୁଣ୍ଡକୁ ଆଣି ଯୋଡ଼ି ଦିଆଯାଇଛି । ପ୍ରଜାମାନେ ଅଧିକାଂଶ ସ୍ଥଳରେ ଏହି ରାଜାନୁସାରୀ ଧର୍ମକୁ ନିଜର ଧର୍ମ ବୋଲି କହିବାକୁ ବାଧ୍ୟ ହୋଇଛନ୍ତି । ରାଜାନୁଗତ୍ୟ ଅନୁସାରେ ଧର୍ମାନୁଗତ୍ୟ ତଥା ଈଶ୍ଵରାନୁଗତ୍ୟର ନିର୍ଣ୍ଣୟ ହୋଇଯାଇଛି । କାନକୁ ଯେତେ ହାସ୍ୟାସ୍ପଦ ଶୁଭୁଥିଲେ ମଧ୍ୟ ଅଧିକାଂଶ ଧର୍ମ ବିଷୟରେ ଏହାହିଁ ହେଉଛି ସତକଥା ।

 

ଠିକ୍ ସେହିପରି ଦେଶ ଦେଶଗୁଡ଼ିକର ସୀମା ଯୁଦ୍ଧରେ ରାଜା ଓ ରାଷ୍ଟ୍ରସ୍ଵାମୀମାନଙ୍କର ଜୟ ଓ ପରାଜୟ ଅନୁସାରେ ବଦଳି ବଦଳି ଯାଇଛି, କେତେବେଳେ ଅନେକ ତଥାକଥିତ ଦେଶ ଏକାଠି ହୋଇ ଗୋଟିଏ ଦେଶ ହୋଇଛି, ପୁଣି କେତେବେଳେ ଗୋଟିଏ ଦେଶ ବହୁ ତଥାକଥିତ ଦେଶରେ ବିଭକ୍ତ ହୋଇଯାଇଛି । ଦେଶ ସହିତ ଜାତି ନାମକ ଅନ୍ୟ ଅଭିଧାନଟିକୁ ଯୋଡ଼ି ଦେଇ ତାହାକୁ ଅତୀବ ମଧୁର ଅଥବା ଉତ୍ତେଜିତ ଭାବରେ ଭାରି ଭାବପ୍ରବଣ କରି ଦିଆଯାଇଛି । ଦେଶକୁ କେଡ଼େ ବିଗଳିତ ଭାବରେ ଜନନୀ ବୋଲି କୁହାଯାଇଛି । ସେହି ଜନନୀର ପୂଜା କରାଯାଇଛି । ତାହାକୁ ସ୍ଵର୍ଗଠାରୁ ଅଧିକ ଗରୀୟାନ୍ ବୋଲି କୁହାଯାଇଛି । ଦେଶଲାଗି ପ୍ରାଣ ଦେବାକୁ ଏକ ପବିତ୍ର କର୍ତ୍ତବ୍ୟ ବୋଲି କହି ପ୍ରାୟ ଏକ ନୂତନ ଧର୍ମବାଦର ଭିଆଣ କରାଯାଇଛି । ଇଉରୋପରେ ସାମନ୍ତବାଦର ବିଲୋପ ସଙ୍ଗେ ସଙ୍ଗେ ଓ ପୁଞ୍ଜିବାଦର ନୂତନ ପ୍ରତିଷ୍ଠାଟିହିଁ ସାମାଜିକ ବ୍ୟବସ୍ଥାଗୁଡ଼ିକୁ ଶାସନ କରିବାର ଦାୟିତ୍ଵ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଜାତୀୟତାବାଦ ନାମକ ଯେଉଁ ନୂତନ ଠାକୁରଟିକୁ ସିଂହାସନରେ ନେଇ ବସାଇ ଦିଆଯାଇଛି, ଊନବିଂଶ ଶତାବ୍ଦୀରେ ସେହି ଠାକୁରଙ୍କୁ ଭାରତବର୍ଷକୁ ଆମଦାନି କରି ଅଣାଯାଇଛି । ତାହାରି ଉଚ୍ଛ୍ୱାସରେ ଖାଲି ଭାରତବର୍ଷକୁ ନୁହେଁ, ଭାରତ ଭିତରେ ଥିବା ନିଧୂମ୍ ଖଣ୍ଡଗୁଡ଼ାକୁ ମଧ୍ୟ ସମାନ ଉତ୍ସାହରେ ଏବଂ ଉତ୍ତପ୍ତତାରେ ଜାତି ବା ଦେଶ ବୋଲି କୁହାଯାଇଛି । ଏପରି କହି କେତେ ମଣିଷ କେତେ ଉଲ୍ଲାସ ଅନୁଭବ କରିଛନ୍ତି । ତାହା ଆମର ସାହିତ୍ୟ ଓ ସଂସ୍କୃତିଭାବନା ଭିତରକୁ ମଧ୍ୟ କେଡ଼େ ପ୍ରକୋପର ସହିତ ଚରିଯାଇଛି । ମୋ’ ଦେଶ, ମୋ’ ଜାତି କହି ପଲ ପଲ ମଣିଷ କେଡ଼େ ଉଶ୍ୱାସ ଅନୁଭବବି କରିଛନ୍ତି-

 

ଆମ ବଂଶ ଓ ପରିବାରକୁ ନେଇ ଆମେ କେତେ ଗର୍ବ ଅନୁଭବ ନକରୁ ! ବିଶେଷତଃ, ଜାତିଭେଦକୁହିଁ ସମାଜସ୍ଥ ମନୁଷ୍ୟର ସର୍ବପ୍ରଧାନ ଭେଦ ବୋଲି ମାନୁଥିବା ଭାରତୀୟ ସମାଜରେ ବଂଶାଭିମାନ ଏବଂ ପାରିବାରିକ ବହ୍ଵାଡ଼ମ୍ବରର ପ୍ରଦର୍ଶନ ନିମନ୍ତେ ପ୍ରାୟ ଅତିରିକ୍ତ ଭାବରେ କେତେ ଗରିଷ୍ଠ ଖାଦ୍ୟ ଯୋଗାଇ ଦିଆଯାଇ ଆସିଛି । ପୃଥିବୀଯାକ ଅଧିକାଂଶ କ୍ଷେତ୍ରରେ ରାଜାମାନେ ଆପଣାର ବଂଶଟାକୁ ସୂର୍ଯ୍ୟବଂଶ ଅଥବା ଚନ୍ଦ୍ରବଂଶ ବୋଲି କହି କେତେ ଉତ୍‌ଫୁଲ୍ଲତା ଅନୁଭବ କରିଛନ୍ତି । ଆମ ଏ ଯୁଗରେ ଆମେ ସାନ ମୀନମାନେ ମଧ୍ୟ ଆପଣାର ବଂଶଗତ ତଥାକଥିତ ମର୍ଯ୍ୟାଦାଗୁଡ଼ାକୁ ନେଇ କେତେ ଫୁଲିଉଠିଲା ପରି ଅନୁଭବ ନ କରିଛୁ ଓ ଏବେମଧ୍ୟ ନକରୁଛୁ ! ଆଗେ କୁଳ ଅନୁଯାୟୀ କୁଳଦେବତାମାନେ ମଧ୍ୟ ରହିଥିଲେ । ଏବେ ମଧ୍ୟ ରହିଛନ୍ତି । ସମ୍ଭବତଃ ସେହିପରି ଏକ ଭାବନାରୁ ଇଷ୍ଟଦେବତାର ସେହି ଅନ୍ୟ ଅପବାଦଟି ମଧ୍ୟ ସୃଷ୍ଟି ହୋଇଛି । ଅନେକ ମଣିଷ ଏହି ପୃଥିବୀରେ କାଳେ କାଳେ ରହି ଆସିଛନ୍ତି, ଯେଉଁମାନେ କି କୌଣସି ପଲ ସହିତ ଆପଣାକୁ ବାନ୍ଧି ନ ରଖିଥିଲା ପର୍ଯ୍ୟନ୍ତ ଆପଣାକୁ ସତେଅବା ଆଦୌ କିଛି ବୋଲି ଅନୁଭବ କରିପାରନ୍ତି ନାହିଁ । ହୁଏତ ସେହିପରି ଏକ ଦୟନୀୟ ନିଃସଙ୍ଗତାବୋଧରୁ ମଣିଷ ଆପଣାର ପରିବାରକୁ ନେଇ ଏତେ ଗର୍ବ କରି ଆସିଛି, କୁଳ ନାମରେ ମିଛ ପତାକାମାନ ଉଡ଼ାଇଛି, ଦେଶକୁ ଠାକୁରାଣୀ କରି ବସାଇ ଦେଇଛି ଏବଂ ଆପଣାର ଧର୍ମକୁ ଜଗତଯାକରେ ଶ୍ରେଷ୍ଠ ଓ ଅନନ୍ୟ ବୋଲି କହିଛି । ଆପଣା ଭିତରର କୌଣସି ଖଣ୍ଡିଆଟାକୁ ଲୁଚାଇବା ଲାଗି ବାହାରେ ନିଜକୁ ଯାବତୀୟ ଦୁର୍ବୁଦ୍ଧି ସହିତ ଅନନ୍ୟ ଓ ଶ୍ରେଷ୍ଠ ବୋଲି ସାବ୍ୟସ୍ତ କରିବାଲାଗି ସିଏ ଯୁଗେଯୁଗେ କେତେ ହନ୍ତସନ୍ତ ନ ହୋଇଛି !

 

ଗୋଟିଏ ପ୍ରଶ୍ନର ଉତ୍ତରବ୍ୟାଖ୍ୟା ଦେବା ପ୍ରସଙ୍ଗରେ ମାଆ ଗୋଟିଏ ଜାଗାରେ (ଇଂରାଜୀ ମାତୃରଚନାବଳୀ, ୩ୟ ଖଣ୍ଡ, ଶତବାର୍ଷିକୀ ସଂସ୍କରଣ, ୧୯୭୭, ପୃଷ୍ଠା-୮୧) ଏହି ତିନୋଟିଯାକ କଥାର–ଧର୍ମ, ଦେଶ ଓ ପରିବାର ବା କୁଳର,–ଆଲୋଚନା କରିଛନ୍ତି । ପ୍ରତ୍ୟେକ ମନୁଷ୍ୟ କେଉଁ ଧର୍ମଗୋଷ୍ଠୀ ଭିତରେ ରହିଛି ଓ ତାହାକୁ ଆପଣାର ଧର୍ମ ବୋଲି କହୁଛି, ସେ କେଉଁ ଦେଶରେ ଜନ୍ମଗ୍ରହଣ କରିଛି ଓ ତେଣୁ ତାହାକୁ ନିଜର ଦେଶ ବୋଲି କହୁଛି ଏବଂ, ଠିକ୍ ସେହିପରି ଭାବରେ, କେଉଁ ପରିବାରରେ ଜଣେ କନ୍ମଗ୍ରହଣ କରିଛି ଏବଂ ତାହାକୁ ନିଜର ପରିବାର ବୋଲି କହୁଛି, ମାଆ ଏହି ସମସ୍ତ ପ୍ରସଙ୍ଗଟିକୁ ନିତାନ୍ତ ଆକସ୍ମିକ ବୋଲି କହିଛନ୍ତି । ପ୍ରକୃତରେ କୌଣସି ମଣିଷ ନିଜର ଧର୍ମଟିକୁ ବାଛିନାହିଁ; ନିଜର ଦେଶକୁ ବାଛିନାହିଁ କିମ୍ବା ନିଜର କୁଳକୁ ମଧ୍ୟ ବାଛିନାହିଁ । ବାସ୍ତବତଃ ଏହାର ଠିକ୍ ଓଲଟାଟାହିଁ ଘଟିଛି । ଅର୍ଥାତ୍, ସିଏ ଅତ୍ୟନ୍ତ ଆକସ୍ମିକ ଭାବରେ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଛି, ସଂସ୍କାର ଏବଂ ପରିବେଶଦ୍ଵାରା ବାଧ୍ୟ ହୋଇ ତାହାକୁହିଁ ନିଜର ପରିବାର ବୋଲି କହି ଶିଖିଛି । ଯେଉଁ ଦେଶରେ ଆକସ୍ମିକ ଭାବରେ ଜନ୍ମଗ୍ରହଣ କରିଛି, ସେହି ଦେଶକୁହିଁ ସିଏ ନିଜର ଦେଶ ବୋଲି କହି ଶିଖିଛି । ତା’ ପରିପାର୍ଶ୍ୱର ସମାଜରେ ଯେଉଁ ଧର୍ମ ଚଳୁଥାଏ, ସିଏ ସେହି ଧର୍ମକୁହିଁ କାଳକ୍ରମେ ନିଜର ଧର୍ମ ବୋଲି କହି ଶିଖେ, ନିଜର ଧର୍ମ ବୋଲି ମାନେ । ଦୈବନିର୍ଦ୍ଦିଷ୍ଟ ଭାବରେ ଏହିପରି ମାନିନେବା ବ୍ୟତୀତ କୌଣସି ମନୁଷ୍ୟର ଜୀବନରେ ଆଉ ଅନ୍ୟ କୌଣସି ସମ୍ଭାବନାର ପ୍ରକୃତରେ ଆଦୌ କୌଣସି ଅବକାଶ ନଥାଏ । ଅର୍ଥାତ୍, ଆପଣାର ହେତୁ ହେବା ପୂର୍ବରୁହିଁ ସେ ଏହି ଛାଞ୍ଚ ବା ପ୍ରକାରଗୁଡ଼ିକୁ ନିଜର ବୋଲି ଗ୍ରହଣ କରି ନେଇଥାଏ । ବିବେକ ଖଟାଇବାର, ବାଛି ନେବାର ବେଳ ନ ଥାଏ । ହୁଏତ ଏହିସବୁ ବ୍ୟାପାରରେ ଅସଲ କଣାଟି ସେଇଠାରେ ରହି ଥାଏ ଏବଂ ସମ୍ଭବତଃ ସେଇଥିଲାଗି ମଣିଷମାନେ ସଚରାଚର ମୋ' ଧର୍ମ, ମୋ’ ଦେଶ, ମୋ’ କୁଟୁମ୍ବ ବୋଲି କହି ଫୁଲାଇ ହେବାକୁ ଏତେ ବେଶି ଭଲ ପାଇଥା’ନ୍ତି-

 

ମାଆ କହିଛନ୍ତି, ଯେଉଁସବୁ କଥାକୁ ଆମେ ଆଦୌ କୌଣସି ପ୍ରକାରେ ବାଧ୍ୟ ନ ହୋଇ ବାଛିଥାଉ, ଅତ୍ୟନ୍ତ ମୁକ୍ତଭାବରେ ଆପଣା ବିବେକର ମାନକ ଉପରେ ତଉଲି ଗ୍ରହଣ କରିଥାଉ, ଆମ ଜୀବନରେ କେବଳ ସେହିଗୁଡ଼ିକରହିଁ ଏକ ଯଥାର୍ଥ ଅନ୍ତର୍ନିହିତ ମୂଲ୍ୟ ରହିଥାଏ, ଜୀବନରେ ସେହିଗୁଡ଼ିକରହିଁ କୌଣସି ବାସ୍ତବ ଯଥାର୍ଥତା ବା ସାର୍ଥକତା ମଧ୍ୟ ରହିଥାଏ । ଯେଉଁଗୁଡ଼ିକୁ ଆମ ଉପରେ ବାହାରୁ ଆଣି ଲଦି ଦିଆଯାଇଥାଏ, ସେଗୁଡ଼ିକର ପ୍ରକୃତରେ ଖୁବ୍ ବେଶି ମୂଲ୍ୟ ନଥାଏ, ବାସ୍ତବ ଯଥାର୍ଥତା ମଧ୍ୟ ନଥାଏ । ତେଣୁ, ଆମେ ଯଦି ଆମର ପ୍ରକୃତ ଧର୍ମ ବିଷୟରେ ସୁନିଶ୍ଚିତ ହୋଇ ରହିବାକୁ ଇଚ୍ଛା କରୁଥାଉ, ତେବେ ଆମକୁ ସେହି ଧର୍ମକୁ ନିଜେ ବାଛିବାକୁ ପଡ଼ିବ । ଯଦି ଆମେ ଆମ ନିଜର ପ୍ରକୃତ ଦେଶଟି ବିଷୟରେ ସୁନିଶ୍ଚିତ ହେବାକୁ ଇଚ୍ଛା କରୁଥାଉ, ତେବେ ସେଇଟିକୁ ମଧ୍ୟ ନିଜେ ବାଛିବାକୁ ପଡ଼ିବ । ଏବଂ, ଯଦି ଆମର ଅସଲ ଓ ପ୍ରକୃତ ପରିବାରଟି ବିଷୟରେ ଆମେ ସୁନିଶ୍ଚିତ ହେବାକୁ ଇଚ୍ଛା କରୁଥାଉ, ତେବେ ତାହାକୁ ନିଜେ ବାଛିବାକୁ ପଡ଼ିବ । ଅତ୍ୟନ୍ତ ମୁକ୍ତଭାବେ ବାଛିନେବାକୁ ପଡ଼ିବ । କିନ୍ତୁ ଆକସ୍ମିକ ଦୈବର ବିଧାନ ଅନୁସାରେ ଯଦି ଆମେ ଆମକୁ ଯାହା ଦିଆହୋଇଛି, ସେଇଟିକୁହିଁ ନିଜର ବୋଲି ଗ୍ରହଣ କରିନେଉ, ତେବେ ତଦ୍ଦ୍ୱାରା ଆମର ଆଦୌ କୌଣସି ଉନ୍ନୟନ ଯେ ହେବ ବା ଅଧୋଗମନ ଘଟିବ, ସେହି ବିଷୟରେ ଆମେ ଆଦୌ ସୁନିଶ୍ଚିତ ହୋଇପାରିବା ନାହିଁ । ଆମ ଜୀବନରେ ସେହିଗୁଡ଼ିକରହିଁ ଯଥାର୍ଥ ପ୍ରୟୋଜନ ରହିଛି ବୋଲି ମୋଟେ ସୁନିଶ୍ଚିତ ହୋଇପାରିବା ନାହିଁ ।

 

ବାଧ୍ୟ ହୋଇ କେତେଟା ଆକସ୍ମିକତାକୁ ଆପଣାର ବୋଲି ଗ୍ରହଣ କରି ନନେଇ ମାଆ ଆମକୁ ଆମର ସେହି ବର୍ହିପ୍ରଦତ୍ତ ପରିବେଶ ବା ବଂଶାନୁଗତ ବେଷ୍ଟନୀ ଭିତରେ ପଶି ନଯାଇ ଦଣ୍ଡେ ଅଟକି ଯିବାକୁ ପରାମର୍ଶ ଦେଇଛନ୍ତି ଓ ଅନ୍ତର୍ପ୍ରବିଷ୍ଟ ହୋଇ ବର୍ହିପ୍ରକୃତିର ଯନ୍ତ୍ରବତ୍ ବରାଦଗୁଡ଼ିକଦ୍ଵାରା ଆମ ଉପରେ ଲଦି ଦିଆଯାଇଥିବା ଏହି ବସ୍ତୁଗୁଡ଼ିକ ଉପରେ ସ୍ଥିର ତଥା ମୋହମୁକ୍ତ ହୋଇ ଦୃଷ୍ଟିନିକ୍ଷେପ କରିବାକୁ କହିଛନ୍ତି । ସେଗୁଡ଼ିକର ଯଥାର୍ଥ ମୂଲ୍ୟ ନିର୍ଦ୍ଧାରଣ କରି ତା’ପରେ ଯାଇ ନିଜର ଧର୍ମ, ନିଜର ଦେଶ ଓ ନିଜର ପରିବାରକୁ ବାଛିନେବାକୁ କହିଛନ୍ତି । ଏହିପରି କରିପାରିଲେ ଏବଂ ଏହିପରି ଭାବରେ ନିଜପାଇଁ ଯଥାର୍ଥ ଧର୍ମଟିଏ, ଯଥାର୍ଥ ଦେଶଟିଏ ଓ ଯଥାର୍ଥ ପରିବାରଟିଏ ବାଛିନେଇ ପାରିଲେ ଯାଇ ମଣିଷ ଏକ ଅନ୍ତର୍ଗତ ସତ୍ୟର ପୂର୍ଣ୍ଣ ଅନୁମୋଦନ ସହିତ “ଏଇଟି ମୋ’ ପରିବାର, ଏଇଟି ମୋ’ ଦେଶ ଓ ଏଇଟି ମୋ’ର ଧର୍ମ” ବୋଲି କହିପାରିବ ବୋଲି ମାଆ ସୂଚିତ କରି ଦେଇଛନ୍ତି ।

 

ପୃଥିବୀରେ ଯେତିକି ସମାଜ, ସେହି ଅନୁସାରେ ସେତିକି ବିଧାନ । ଯେତିକି ସମ୍ପ୍ରଦାୟ, ସେତିକି ଧର୍ମ ଓ ବିଧି । କୌଣସି ଦେଶରେ କୌଣସି ସମୟରେ କ୍ଷମତାସୀନ ରାଷ୍ଟ୍ରର କାଇଦାଗୁଡ଼ାକ ଅନୁସାରେ ସେହି ଦେଶର ପରିମଳ । କୌଣସି ସ୍ଥାନୀୟ ସମାଜରେ ମାନ୍ୟତା ପାଇଥିବା ତାତ୍କାଳିକ ମର୍ଯ୍ୟାଦାଗୁଡ଼ିକ ଅନୁସାରେ ସେହି ସମାଜସ୍ଥ ପରିବାରଗୁଡ଼ିକର ମର୍ଯ୍ୟାଦା ଅଥବା ଅମର୍ଯ୍ୟାଦା । ମାତ୍ର, ଯାବତୀୟ ଧର୍ମଗତ ସତ୍ୟ, ଦେଶଗତ ସତ୍ୟ ଏବଂ ପରିବାର-ସତ୍ୟ ଅପେକ୍ଷା ଆହୁରି ବଡ଼ ସତ୍ୟ ହେଉଛି ମଣିଷ ଭିତରେ ରହିଥିବା ସତ୍ୟ । ସେହି ସତ୍ୟଟି ପ୍ରସ୍ଫୁଟନ ନିମନ୍ତେ ଆମ ସମସ୍ତଙ୍କ ଭିତରେ ଅପେକ୍ଷା କରି ରହିଛି । ସେହି ସତ୍ୟର କୌଣସି ଧର୍ମ ନାହିଁ, କୌଣସି ଦେଶନାହିଁ, କୌଣସି ପରିବାର ମଧ୍ୟ ନାହିଁ । ଆପଣାର ସ୍ୱଭାବଟିକୁ ଚିହ୍ନି ଅଧିକରୁ ଅଧିକ ଗଭୀରକୁ ଯିବା ଲାଗି ଓ ଆମ ଜୀବନର ଉନ୍ମୀଳନକାରୀ ସୂତ୍ରଗୁଡ଼ିକୁ ଅଧିକରୁ ଅଧିକ ପ୍ରସାରିତ କରିଦେବା ଲାଗି ମନ କରିପାରିଲେ ଆମେ କ୍ରମଶଃ ସେହି ସତ୍ୟର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇପାରିବା, ସେହି ସତ୍ୟର ପରିଚୟଭୂମି ଉପରେ ଆପଣାର ଅସଲ ପରିଚୟଟିକୁ ମଧ୍ୟ ଲାଭ କରିପାରିବା । ସେହି ସତ୍ୟ ହେଉଛି ଦିବ୍ୟ ସତ୍ୟ, ତାହାହିଁ ବିଶ୍ଵ-ସତ୍ୟ । ଅନ୍ତରଙ୍ଗତାର ପଥ ଉପରେ ସେହି ସତ୍ୟଟି ସହିତ ଆମ ସାକ୍ଷାତକାର ଘଟିପାରିଲେ ଯାଇ ଆମେ ଯଥାର୍ଥରେ ଅର୍ଥାତ୍ ସକଳ ଅର୍ଥରେ ମୁକ୍ତ ହୋଇପାରିବା, ମୁକ୍ତ ହୋଇ ବାଟଟିଏ ଚାଲିପାରିବା । ତାହାରି ଦର୍ପଣ ଉପରେହିଁ ଆମର ଅସଲ ଧର୍ମ, ଅସଲ ଦେଶ ଏବଂ ଅସଲ ପରିବାରଟିକୁ ବାଛିନେଇପାରିବା । ସେହି ବାଛିନେବା ଲାଗି ଯୋଗ୍ୟ ହେବାର ସାଧନା ହେଉଛି ଯୋଗ । ଯୋଗ ମୁକ୍ତିପାଇଁ, ମୁକ୍ତଭାବରେ ଆପଣାର ଅବଲମ୍ବନଗୁଡ଼ିକୁ ବାଛିନେବା ପାଇଁ ଏବଂ ସେହି ଅବଲମ୍ବନଗୁଡ଼ିକ ସହିତ ସତତ ଯୁକ୍ତ ହୋଇ ରହିବାପାଇଁ ।

 

ମାଆ ଉପସଂହାର କରି କହିଛନ୍ତି (ତତ୍ରୈବ, ପୃଷ୍ଠା-୮୩), “ତୁମେ ଯେତେବେଳେ ଯୋଗମାର୍ଗକୁ ଆସିବ, ସେତେବେଳେ ତୁମକୁ ଆପଣାର ମନୋଗତ ସକଳ ରଚନା ଏବଂ ତୁମ ପ୍ରାଣିକ ସ୍ତରର ସକଳ ବାଡ଼ ଓ ଅର୍ଗଳକୁ ଟିକିଟିକି କରି ଭାଙ୍ଗିଦେବାକୁ ପଡ଼ିବ । ସେତେବେଳେ ତୁମକୁ ସତେଅବା ଶୂନ୍ୟରେ ଝୁଲିକରି ରହିବାକୁ ପଡ଼ିବ, ଆପଣାର ବିଶ୍ଵାସ ବ୍ୟତୀତ ତୁମ ପାଖରେ ମୋଟେ ଅନ୍ୟ କୌଣସି ଅବଲମ୍ବନ ନଥିବ । ସେତେବେଳେ ଅତୀତର ‘ମୁଁ’ଟିକୁ ଭୁଲିଯିବାକୁ ପଡ଼ିବ; ଅତୀତରେ ଯାହାକିଛି ଭିତରେ ତୁମେ ଲାଖି ରହିଥିଲ, ଯାହାକିଛିକୁ ଜାବୁଡ଼ି ଧରିଥିଲ, ସେଗୁଡ଼ିକରୁ ହାତ ଖସାଇ ଆଣିବାକୁ ପଡ଼ିବ । ଆପଣା ଚେତନାର ଡାଳରୁ ସେଗୁଡ଼ିକୁ ଛିଣ୍ଡାଇ ଫୋପାଡ଼ି ଦେବାକୁ ପଡ଼ିବ, ଏକ ନୂତନ ଜନ୍ମ ଲାଭ କରିବାକୁ ପଡ଼ିବ । ସକଳ ପ୍ରକାରର ଶୃଙ୍ଖଳ ଓ ବନ୍ଧନରୁ ମୁକ୍ତ ହୋଇ ବାହାରି ଆସିବାକୁ ପଡ଼ିବ । ତୁମେ ଆଗରୁ କ’ଣ ଥିଲ, ତୁମେ ସେକଥା ମୋଟେ ଭାବିବ ନାହିଁ; ତୁମେ ଯାହା ହେବାପାଇଁ ଅଭୀପ୍ସା ରଖିଛ, ତାହାରି ଚିନ୍ତା କରିବ । ତୁମେ ଯେଉଁ ସତ୍ୟସମ୍ପଦଟିକୁ ଉପଲବ୍ଧି କରିବାକୁ ଇଚ୍ଛା କରୁଛ, ସତତ ତାହାରି ଭିତରେହିଁ ବିଚରଣ କରୁଥିବ । ମୃତ ଅତୀତଟା ଆଡ଼ୁ ସମ୍ପୂର୍ଣ୍ଣ ଭାବରେ ମୁହଁ ବୁଲାଇ ଆଣିବ ଏବଂ ସିଧା ହୋଇ ଭବିଷ୍ୟ ଆଡ଼କୁ ଅନାଇ ପାରିବ ।”

 

ମାଆ ସବାଶେଷରେ କେଡ଼େ ପ୍ରେରଣାଦାୟକ ଭାବରେ “ତୁମେ ସେହିଠାରେହିଁ ଆପଣାର ଅସଲ ଧର୍ମ, ଅସଲ ଦେଶ ଏବଂ ଅସଲ ପରିବାରକୁ ଆବିଷ୍କାର କରିପାରିବ” ବୋଲି କହୁଛନ୍ତି । ସେଠାରେ କେବଳ ସେହି ପରମ ଦିବ୍ୟସତ୍ତାଙ୍କ ବ୍ୟତୀତ ଆଉ କେହି ନଥିବେ, ଆଉ କିଛି ହେଲେ ନଥିବ । ତାଙ୍କରି ଭିତରେହିଁ ଆମକୁ ଆମର ଅସଲ ଧର୍ମଟି ଦିଶିଯିବ, ଅସଲ ଦେଶଟି ମଧ୍ୟ ଦୃଷ୍ଟିଗୋଚର ହେବ, ଅସଲ ପରିବାରଟିବି ଦିଶିଯିବ । ଜୀବନରେ ଏହି ଯୋଗ ତଥା ଆବିଷ୍କାର ସମ୍ଭବ ହୋଇଗଲେ ଆମେ ଆମ ଉପରେ ଦୈବବଶତଃ ଲଦି ଦିଆଯାଇଥିବା ଧର୍ମ, ଦେଶ ଏବଂ ପରିବାରର ସେହି ପୁରାତନ ଅଭିଧାଗୁଡ଼ିକୁ କଦାପି ଆମର ଅସଲ ଧର୍ମ, ଅସଲ ଦେଶ ଓ ଅସଲ ପରିବାର ବୋଲି ଗ୍ରହଣ କରିନେବାକୁ ମନ କରିବା ନାହିଁ । ଭବିଷ୍ୟତ୍‍ରେ ଯେଉଁ ଅସଲ ଧର୍ମ ଆସୁଛି, ଯାହା ଆମରି ଭିତରେ ଅଙ୍କୁରରୂପେ, ସମ୍ଭାବନାରୂପେ ବର୍ତ୍ତମାନ ମଧ୍ୟ ଅପେକ୍ଷା କରି ରହିଛି, ତାହା ହେଉଛି ଆମର ଅସଲ ଧର୍ମ । ତାହାହିଁ ହେଉଛି ଆମର ଉପସ୍ଥିତ ଅସଲ ଆହ୍ଵାନ । ଭବିଷ୍ୟତ୍‍ରେ ଏକ ଅନ୍ୟ ଯୁଗସମ୍ଭାବନାର ସନ୍ଦେଶ ବାହକରୂପେ ଯେଉଁ ଦେଶଟି ବା ଜୀବନନିୟତିର ଭୂମିଟି ଆମ ସମସ୍ତଙ୍କ ଲାଗି ଅପେକ୍ଷା କରି ରହିଛି, ଆମ ଏଯୁଗର ଶ୍ରେଷ୍ଠତମ ବାସନାଗୁଡ଼ିକର ତପସ୍ୟାଦ୍ଵାରା ଯାହା କ୍ରମେ ନିକଟବର୍ତ୍ତୀ ହୋଇଆସୁଛି, ତାହାହିଁ ଆମର ଅସଲ ଦେଶ । ଏବଂ, ଭବିଷ୍ୟତ୍‍ର ଯେଉଁ ପରିବାରଟି ଏବେ ମଧ୍ୟ ମାନବର ଅସଲ ଅନୁରାଗଗୁଡ଼ିକୁ, ଅସଲ ସଂକଳ୍ପଗୁଡ଼ିକୁ ଉଦ୍‌ବେଳିତ ଏବଂ ଉଦ୍‌ବୋଧିତ କରି ଆଣିବାକୁ ଆରମ୍ଭ କଲାଣି, ତାହାହିଁ ହେଉଛି ଆମର ଅସଲ ପରିବାର । ଆମର ଅସଲ ଚେରଗୁଡ଼ିକ ତାହାରି ଭିତରେ ରହିଛି । ଆମେ ମନକଲେ ଅର୍ଥାତ୍ ଶ୍ରଦ୍ଧା ରଖିଥିଲେ ଏବଂ ଅସଲ ଆହ୍ଵାନଗୁଡ଼ିକୁ ଶୁଣିପାରୁଥିଲେ ଆମ ପାଠଚକ୍ରଗୁଡ଼ିକରେ ଆଜି ମଧ୍ୟ ଆମେ ସେହି ନୂତନ ପରିବାରଟିର ଚାକ୍ଷୁଷ ଦର୍ଶନ କରିପାରିବା ।

 

ନବଜ୍ୟୋତି, ନଭେମ୍ବର ୨୪, ୧୯୮୪

Image

 

ଅସଲ କାମ୍ୟ, ଅଧିକ କାମ୍ୟ

 

ସୁଖ ଜୀବନର ଲକ୍ଷ୍ୟ ନୁହେଁ, ସୁଖ ହେଉଛି ଏକ ପରିଣାମ । ଯଥାର୍ଥ ଭାବରେ ଜୀବନଟିଏ ବଞ୍ଚିପାରିଲେ ତାହାର ପରିଣାମସ୍ଵରୂପହିଁ ମଣିଷକୁ ସୁଖ ମିଳିଥାଏ । ଯେଉଁ ମଣିଷମାନେ ସୁଖକୁହିଁ ଅସଲ ଲକ୍ଷ୍ୟ ଓ ଅସଲ କାମ୍ୟ ବୋଲି ଗ୍ରଣ କରିଥାନ୍ତି, ସେମାନଙ୍କୁ ସୁଖ ଚିତା କାଟି କାଟି ପଳାଇ ଯିବାରେ ଲାଗିଥାଏ । ସୁଖବାଦୀମାନେ ଯୁଗେଯୁଗେ ହାରିଛନ୍ତି; ସଂସାରରେ ସବୁଠାରୁ ଅଧିକ ପ୍ରତାପ ଓ ପରାକ୍ରମ ଦେଖାଇଛନ୍ତି । ସବୁଠାରୁ ଅଧିକ ଜମା କରିଛନ୍ତି, କ୍ଷମତା ଓ ସେହିପରି ଆହୁରି କେତେ କ’ଣ ଅଦ୍ରବ୍ୟକୁ ଦୈତ୍ୟ ପରି ଗିଳି ପକାଇବାକୁ ବାହାରିଛନ୍ତି । ସେମାନେ କେବେହେଲେ ସୁଖୀ ହୋଇ ନାହାନ୍ତି । ଆଉ କୁଆଡ଼େ ହୁଡ଼ି ଯାଇଛନ୍ତି, ସଂସାରରେ ବହୁ ଅନାବଶ୍ୟକ ଦୁଃଖର ବୃଦ୍ଧିରେ ସହାୟକ ହୋଇଛନ୍ତି ସତ, ମାତ୍ର ଅସଲ ସୁଖରୁ ବହୁଦୂରରେ ରହିଛନ୍ତି । ଆଗ ସୁଖ ପାଇଲେ ତା’ପରେ ଯାଇ ଜୀବନଟିଏ ବଞ୍ଚିହେବ ବୋଲି କେଡ଼େ ଭ୍ରାନ୍ତ ଭାବରେ ଭାବିଛନ୍ତି । ତେଣୁ ଜୀବନଟିଏ ବଞ୍ଚିପାରୁଥିଲେ ସେମାନେ ଯେଉଁ ସୁଖର ଅଧିକାରୀ ହୋଇଥାନ୍ତେ, ସେଥିରୁ ବଞ୍ଚିତ ହୋଇ ରହିଛନ୍ତି ।

 

ସୁଖ ପରି ଶାନ୍ତି ହେଉଛି ଆଉ ଗୋଟିଏ ଶବ୍ଦ । ଶାନ୍ତି ଜୀବନର ଲକ୍ଷ୍ୟ ନୁହେଁ, ଶାନ୍ତି ହେଉଛି ଯଥାର୍ଥ ଭାବରେ ଜୀବନଟିଏ ବଞ୍ଚିପାରିବାର ପରିଣାମ । ସାଧାରଣତଃ ଗେହ୍ଲା ମଣିଷମାନେ ଆଗ ଶାନ୍ତି ଚାହାନ୍ତି, କୀବନଟିଏ ବଞ୍ଚିବାକୁ ପ୍ରାୟ କେବେହେଲେ ମନ କରନ୍ତି ନାହିଁ । ଜୀବନଟିଏ ବଞ୍ଚିଲେ ସତକୁସତ ଆପଣାର ପାତ୍ରଟି ପରିପୂର୍ଣ୍ଣ ହୋଇ ଆସୁଥିବାର ଯେଉଁ ଅନୁଭବ ମିଳିଥାଏ, ସେମାନେ ସେହି ଅନୁଭବରୁ ସର୍ବଦା ବଞ୍ଚିତ ହୋଇ ରହିଥାନ୍ତି । ସେହି ଅନୁଭବହିଁ ଯଥାର୍ଥ ଶାନ୍ତି ଆଣିଦେଇଥାଏ । ତାଙ୍କରି କାମରେ ଲାଗିପାରିବାର ଶାନ୍ତି, ତାଙ୍କରି କରୁଣାରୁ ଲାଭ କରିଥିବା ଜୀବନରୂପୀ ପୁଞ୍ଜିଟିକୁ ଅନୁକ୍ଷଣ ତାଙ୍କରି କାମରେ ଲଗାଇ ପାରିବାର ଶାନ୍ତି । ପୋଖରୀ ଭିତରେ ସଚରାଚର ଏପରି ଅନେକ ବେଙ୍ଗ ରହିଥିବେ, ଯେଉଁମାନେକି ପୋଖରୀର ପାଣି ଏତେଟିକିଏ ଚହଲିବାମାତ୍ରକେହିଁ ଭୀତତ୍ରସ୍ତ ହୋଇ ଉଠୁଥିବେ । କୌଣସି କାରଣରୁ ପାଣି ଚହଲିବାକୁ ଆରମ୍ଭ କରିବାମାତ୍ରକେ ସେମାନଙ୍କୁ ସତେଅବା କେଉଁଠୁ ଗୋଟାଏ ଧଣ୍ଡସାପ ମାଡ଼ି ଆସୁଥିବା ପରି ଲାଗୁଥିବ । ସେମାନଙ୍କର ସଂସାରଟିକୁ ଗିଳି ପକାଇବାକୁ ମାଡ଼ି ଆସୁଥିବା ପରି ମନେ ହେଉଥିବ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ନିଜ ନିଜ ସଂସାରଟିକୁ ସତେଅବା ଗୋଟିଏ ଗଡ଼ିଆପରି ମନେ କରୁଥାନ୍ତି । ଅଭ୍ୟାସର ଗଡ଼ିଆଟିଏ ପରି ଅଭ୍ୟସ୍ତ ଓ ତେଣୁ ପରିଚିତ ଖୋପଗୁଡ଼ିକର ଗଡ଼ିଆଟିଏ ପରି ମନେ କରୁଥାନ୍ତି । ଖୋପ ଭିତରେ ରହିବାକୁହିଁ ଶାନ୍ତି ବୋଲି ମାନନ୍ତି । ଜୀବନ କହିଲେ ସେମାନେ ଏପରି ଏକ ଶାନ୍ତିମୟ ଗଡ଼ିଆର କଳ୍ପନା କରୁଥାନ୍ତି, ଯେଉଁଥିରେ କି ସେମାନେ ନିଜ ପରିବାର ସହିତ ଶାନ୍ତିରେ ରହିଥାନ୍ତି, ସୁଖରେ ଥାଆନ୍ତି । ସେହି ଗଡ଼ିଆରେ ଭଗବାନ ଥାଆନ୍ତି, ଉଚିତ ଓ ଅନୁଚିତର ବହୁ ବିଧାନମାନ ରହିଥାଏ । ମାତ୍ର ସେମାନେ ସମସ୍ତେ ଗଡ଼ିଆଟିର ସୁଖବିଧାନ ନିମନ୍ତେହିଁ ରହିଥାନ୍ତି ।

 

ଜୀବନରେ ସବାଆଗ ଶାନ୍ତି ଖୋଜୁଥିବା ବ୍ୟକ୍ତିମାନେ ବେଳେବେଳେ ଏଠି ଏହି ସଂସାରରେ ଭାରି ନିରାଶ ହୋଇ ସଂସାର ଛାଡ଼ି ଜଙ୍ଗଲକୁ ପଳାଇ ଯାଆନ୍ତି । ସଂସାର ନାମକ ବାରିଧି ଭିତରେ ଅରଣ୍ୟ ମଧ୍ୟରେ ଆପଣା ଲାଗି ଦୀପଟିଏ ତିଆରି କରି ରହିଥାନ୍ତି । ସେମାନେ ସଂସାରକୁ ମାୟା ବୋଲି ହୁରି କରନ୍ତି, ସଂସାରବାସୀଙ୍କୁ ସଂସାର ବିମୁଖତାର ପରାମର୍ଶ ଦିଅନ୍ତି । ସଂସାର ଭିତରେ ଯେଉଁମାନେ ଗଡ଼ିଆଟି ଭିତରେ ତଥାକଥିତ ଶାନ୍ତି ଖୋଜୁଥାନ୍ତି ଅଥବା ସଂସାରନାମକ ଅଶାନ୍ତି ମଧ୍ୟରୁ ବାହାରି ଯିବାକୁ ଇଚ୍ଛା କରୁଥିଲେ ମଧ୍ୟ ତଥାପି ବହୁ କାରଣରୁ ବାହାରି ପାରୁନଥାନ୍ତି, ସେମାନେ କେଡ଼େ ଚମତ୍କାର ଭାବରେ ସେହି ସଂସାରବିମୁଖ ଅରଣ୍ୟଦାସୀମାନଙ୍କୁ ଆଦରି ଯାଇଥାନ୍ତି । ସେମାନଙ୍କୁ ଗୁରୁ କରନ୍ତି, ସେମାନଙ୍କର ପାଦସେବା କରନ୍ତି, ସେହିମାନଙ୍କର କ୍ଷଣମେବ-ସଙ୍ଗତି ଲାଭ ବ୍ୟତୀତ ଏହି ଭବାର୍ଣ୍ଣବକୁ ପାରି ହେବାଲାଗି ଆଉ ଆଦୌ କୌଣସି ନଉକା ନାହିଁ ବୋଲି ଗୁଣି ହେଉଥାନ୍ତି । ତଥାପି କ’ଣ ଶାନ୍ତି ମିଳେ ? ସଂସାରରୁ ଶାନ୍ତି ମିଳେ ନା ଅରଣ୍ୟରୁ ଶାନ୍ତି ମିଳେ ? ଅସଲ କାମ୍ୟଟାକୁ ନଲୋଡ଼ି ପାରିବା ପର୍ଯ୍ୟନ୍ତ ଏବଂ ଅସଲ କାମ୍ୟଟି ଲାଗି ଜୀବନ ବଞ୍ଚି ନପାରିବା ପର୍ଯ୍ୟନ୍ତ ଶାନ୍ତି ମିଳିବ ବା କିପରି ?

 

ମନୁଷ୍ୟମାନଙ୍କର ଏହି ପୃଥିବୀରେ ଦିବ୍ୟ ପରମା କରୁଣାର ବିମୋଚନକାରୀ କ୍ରିୟାର ଦୁଇଟି ଦିଗ ବା ବିଭାବ ରହିଛି ବୋଲି ମାଆ କହିଛନ୍ତି । ସେହି ଦୁଇଟିଯାକ ବିଭାବକୁ ସିଏ ପରସ୍ପରର ଅନୁପୂରକ ବୋଲି କହିଛନ୍ତି । ଦୁଇଟିଯାକ ବିଭାବ ସମ୍ପୃକ୍ତ ସମସ୍ତଙ୍କଲାଗି ସମାନ ଭାବରେ ଅପରିହାର୍ଯ୍ୟ, ମାତ୍ର ପୃଥିବୀରେ ସେହି ଦୁଇଟିର ଗୁରୁତ୍ଵ ଓ ମର୍ମକୁ ସଚରାଚର ଆଦୌ ସମାନ ଭାବରେ ହୃଦୟଙ୍ଗମ କରାଯାଏ ନାହିଁ......both are equally indispensable, but are not equally appreciated) ବୋଲି ମାଆ କହିଛନ୍ତି-। (ଇଂରାଜୀ ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ, ୧୯୮୦, ପୃଷ୍ଠା-୧୯୯) ଗୋଟିଏ ବିଭାବ ହେଉଛି ସେହି ସାର୍ବଭୌମ ଅଖଣ୍ଡ ଶାନ୍ତି, ଯାହାକି ମନୁଷ୍ୟକୁ ବ୍ୟଗ୍ରତାରୁ, ଯାବତୀୟ ସଂଘାତରୁ ଏବଂ ଦୁଃଖଭୋଗରୁ ମୁକ୍ତ କରି ନେଇଆସେ । ଏବଂ ଅନ୍ୟ ବିଭାବଟି ହେଉଛି ସେହି ସଦାଗତିଶୀଳ ସର୍ବଶକ୍ତିଶାଳୀ ଅଗ୍ରଗତି, ଯାହାକି ଜଡ଼ତାକୁ ନାଶ କରେ, ବେଡ଼ି ଫିଟାଇଦିଏ, ପାଶମୁକ୍ତ କରିଆଣେ । ଆମର ଆକୁଳତାଗୁଡ଼ିକୁ ଅତ୍ୟନ୍ତ ନିବିଡ଼ ଭାବରେ ବୁଝିଥିବା ପରି ମାଆ ତା’ପରେ କହିଛନ୍ତି ଯେ ପୃଥିବୀରେ ସଚରାଚର ସମସ୍ତେ ଶାନ୍ତିଟିକୁ ଆଗ ବୁଝନ୍ତି, ତାହାକୁହିଁ ସବାଆଗ ଲୋଡ଼ନ୍ତି । ସେମାନେ ସେହି ଶାନ୍ତିକୁ ଏକ ଦିବ୍ୟ ଦାନ ବୋଲି ହୃଦୟଙ୍ଗମ କରି ପାରନ୍ତି । ମାତ୍ର, ଅନ୍ୟ ବିଭାବଟିକୁ, ଅର୍ଥାତ୍ ଅଗ୍ରଗତିକୁ ସବୁ ମନୁଷ୍ୟ ଆଦୌ ସ୍ଵାଗତ କରିପାରନ୍ତି ନାହିଁ । କେବଳ ଯେଉଁମାନଙ୍କ ଭିତରେ ପ୍ରଗାଢ଼ ଓ ତୀବ୍ର ଅଭୀପ୍ସା ରହିଥାଏ, ଯେଉଁମାନଙ୍କର ଅଭୀପ୍ସା ମଧ୍ୟରେ ଯଥାର୍ଥ ସାହସ ରହିଥାଏ, ସେମାନେହିଁ ଅଗ୍ରଗତିକୁ ମଧ୍ୟ ସମାନ ଭାବରେ କାମ୍ୟ ବୋଲି ବୁଝନ୍ତି । ସେହି ଅଗ୍ରଗତି ଲାଗି ସେମାନେ ନିମିତ୍ତ ହୁଅନ୍ତି । ଆପଣାର ଭାଷାରେ ମାଆ ଦୁଇ ବିଭାବକୁ the sovereign immutable peace ଏବଂ the dynamic all-powerful progress ବୋଲି କହିଛନ୍ତି । ୧୯୫୮ ମସିହା ଏପ୍ରିଲ ମାସର ଦର୍ଶନଦିବସ ଅବସରରେ ମାଆ ଏହି କଥାଟିକୁ କହିଛନ୍ତି । ସର୍ବାଧିକ ମନୁଷ୍ୟ ଶାନ୍ତି ଚାହାନ୍ତି । ମାତ୍ର ସେମାନେ ସେହି ପରିମାଣରେ ଅଗ୍ରଗତି ଇଚ୍ଛା କରନ୍ତି ନାହିଁ କାହିଁକି ? ଅର୍ଥାତ୍, ଅଗ୍ରଗତି ପ୍ରତି ବିମୁଖ ହୋଇ ସେମାନେ ଯେଉଁ ଶାନ୍ତି ପାଇବେ ବୋଲି ଇଚ୍ଛା କରୁଥା’ନ୍ତି, ତାହା ସେମାନଙ୍କର ଜୀବନରେ ଯଥାର୍ଥ ଶାନ୍ତି ଆଣି ଦେଇପାରେ କି ? ଏହି ପୃଥିବୀରେ ବହୁ ପ୍ରକାରର ଜଡ଼ତା ଆମକୁ କାମୁଡ଼ି ଧରିଥାଏ, ଆମେ ବହୁ ପ୍ରକାରର ଫାଶ ଭିତରେ ବାନ୍ଧିହୋଇ ପଡ଼ିଥାଉ ଏବଂ ଆମ ଗୋଡ଼ରେ ବହୁ ପ୍ରକାରର ବେଡ଼ି ବନ୍ଧା ହୋଇ ରହିଥାଏ । କେବଳ ଅଗ୍ରଗତିଦ୍ଵାରାହିଁ ସେହିସବୁ ଜଡ଼ତାର ବିନାଶ ହୋଇପାରେ, ସେହିସବୁ ବେଡ଼ି ଫିଟି ଯାଇପାରେ । ସୁସ୍ଥ, ସମ୍ମତ, ପ୍ରସ୍ତୁତ ମନ ସବାଆଗ ତା’ ବେଡ଼ିଗୁଡ଼ାକ ଫିଟିଯାଉ ବୋଲି ଇଚ୍ଛା କରିବହିଁ କରିବ, ତା’ର ଜଡ଼ତାଗୁଡ଼ାକ କଟିଯିବା ସକାଶେହିଁ ସିଏ ସବୁଠାରୁ ଅଧିକ ବ୍ୟାକୁଳତା ପ୍ରକାଶ କରିବ-। ବେଡ଼ିଗୁଡ଼ାକ ଫିଟି ଯାଉଥିବାଦ୍ଵାରା ଏବଂ ଜଡ଼ତାଗୁଡ଼ିକ କଟି ଯାଉଥିବାଦ୍ଵାରାହିଁ ସିଏ ସବୁଠାରୁ ଅଧିକ ଶାନ୍ତି ଲାଭ କରିବ । ମାତ୍ର, ଆମ ପୃଥିବୀର ସର୍ବାଧିକ ମନୁଷ୍ୟ ସେହି ଅଗ୍ରଗତିର କାମନା କରିନାହାନ୍ତି । ସେହି ଅଗ୍ରଗତି ନିମନ୍ତେ ସମ୍ମତ ହେବା ତ ଆହୁରି ଅଧିକ ଦୂରର କଥା । ସେମାନେ ଯେଉଁଠାରେ ଅଛନ୍ତି, ସେହିଠାରେହିଁ ଶାନ୍ତି ଲୋଡ଼ିଛନ୍ତି । ଆପଣାର ଜଡ଼ତାଗୁଡ଼ାକ ସହିତହିଁ ଶାନ୍ତି ଲୋଡ଼ିଛନ୍ତି–ବେଡ଼ିଗୁଡ଼ାକୁ, ବାଡ଼ଗୁଡ଼ାକୁ ମୋଟେ ଡେଇଁବା ଲାଗି ମନ କରିନାହାନ୍ତି । ଏହି ଶାନ୍ତିର ଅର୍ଥ ହେଉଛି, କେଉଁଠି ଆଦୌ କିଛିହେଲେ ଚହଲିବ ନାହିଁ, କେଉଁଠି ଆଦୌ କିଛିହେଲେ ଭାଙ୍ଗିବନାହିଁ–ଅଥଚ ଆମେ ଶାନ୍ତିରେ ରହିବା ଏବଂ ଆମ ଭଗବାନ ଆମଲାଗି ସେହି ଶାନ୍ତିମୟ ଜୀବନର ବ୍ୟବସ୍ଥା କରିଦେବେ । ଏହିପରି ଏକ ଗେଲବସର ଭୟାର୍ତ୍ତ ମନରେହିଁ ଆମେ ତାଙ୍କ ପାଖରେ ଧନ ମାଗିଛୁ, ରୂପ ମାଗିଛୁ, ଜୟ ମାଗିଛୁ ଏବଂ ଇତ୍ୟାଦି ଇତ୍ୟାଦି ଆହୁରି କେତେ କ’ଣ ମାଗିଛୁ । ତାଙ୍କଠାରୁ ଆମେ ଅଗ୍ରଗତି କରିପାରିବା ନିମନ୍ତେ ବଳ ମାଗିନାହୁଁ, ସାହସ ମାଗିନାହୁଁ, ତୁଣୀରରେ ଅଧିକ ଶର ମଧ୍ୟ ମାଗିନାହୁଁ । ତେଣୁ, ପୃଥିବୀ ଯେଉଁଠି ଥିଲା ସେଇଠି ଅଛି, ଦେବତାମାନେ ସତେଅବା ଆମର କୁହା ମାନି ପଥର ହୋଇଯାଇଛନ୍ତି । ଆମର ଅଗ୍ରଗତିଦ୍ଵାରା ସିନା ପୃଥିବୀ ବଦଳନ୍ତା,–ଆମର ଚେତନା ଏବଂ ସମ୍ବନ୍ଧଗୁଡ଼ିକ ମଧ୍ୟ ବଦଳି ଯାଉଥା’ନ୍ତା-। ଆମର ତଥାକଥିତ ଶାନ୍ତିକାମନା ହେତୁ ତାହା ହୋଇ ପାରିନାହିଁ ।

 

ଅଗ୍ରଗତିର ଇଚ୍ଛା କରିବା ଅର୍ଥାତ୍ ଆପଣାକୁ ତାଙ୍କରି କାମଲାଗି ଯୋଗ୍ୟତର କରି ତିଆରି କରିବା । ସବାଆଗ ତାଙ୍କୁ ବାଟ ଛାଡ଼ିଦେବା,–ଆପେ ତାଙ୍କର ନିମିତ୍ତ ହୋଇ ପାରିବାକୁହିଁ ଜୀବନର ସର୍ବବୃହତ୍ ଐଶ୍ଵର୍ଯ୍ୟ ବୋଲି ଅନୁଭବ କରିବା । ଏହାର ଅନ୍ୟନାମ ତପସ୍ୟା । ପୃଥିବୀରେ ଅଧିକାଂଶ ମନୁଷ୍ୟ ଆପଣାର ଗଡ଼ିଆଗୁଡ଼ିକୁ ଦୋରସ୍ତ କରି ରଖିବାକୁହିଁ ଯେଉଁ ତଥାକଥିତ ତପସ୍ୟା କରି ଆସିଛନ୍ତି, ତାହାଦ୍ୱାରା ପୃଥିବୀରେ ତମସା ବୃଦ୍ଧିପାଇଛି, ତାମସିକତା ବୃଦ୍ଧି ପାଇଛି । ଗଡ଼ିଆଗୁଡ଼ାକରେ ଭୟ ବୃଦ୍ଧି ପାଇଛି, ଈର୍ଷା ବୃଦ୍ଧି ପାଇଛି । ଧର୍ମମାନେ ପ୍ରଧାନତଃ ଈର୍ଷାଳୁ ହୋଇ କେଡ଼େ ଚକଚକ ଦେଖାଯାଇଛନ୍ତି । ତଥାକଥିତ ଧର୍ମସ୍ଥ ମନୁଷ୍ୟମାନେ ଅଫିମ ଖାଇ ଶୋଇ ପଡ଼ିଛନ୍ତି ଓ ସେହିପରି ଶୋଇ ପଡ଼ିବାକୁହିଁ ଶାନ୍ତି ବୋଲି କହିଛନ୍ତି । ସେମାନେ ଆଦୌ କୌଣସି ବିବର୍ତ୍ତନରେ ବିଶ୍ଵାସ କରି ନାହାନ୍ତି । ବିବର୍ତ୍ତନରେ ସହଯୋଗ କରିବା ତ ଆହୁରି ଅଧିକ ଦୂରର କଥା ।

 

ଏହି ବିବର୍ତ୍ତନ ପ୍ରକୃତିର ବିବର୍ତ୍ତନ, ବିଶ୍ଵ-ପ୍ରକୃତିର ବିବର୍ତ୍ତନ । ଶ୍ରୀଅରବିନ୍ଦ ତାହାକୁ ପ୍ରକୃତିର ଯୋଗଚାରଣା ବୋଲି କହିଛନ୍ତି । ମନୁଷ୍ୟର ସ୍ତରକୁ ଆସି ସେହି ବିବର୍ତ୍ତନ ଏକ ସଚେତନ ପ୍ରକ୍ରିୟାରେ ପରିଣତ ହୋଇଛି । ମଣିଷମାନଙ୍କ ଭିତରୁ ଯେଉଁମାନେ ବୁଝିବେ ଓ ଇଚ୍ଛା କରିବେ, ସେମାନେ ସେହି ପ୍ରକ୍ରିୟାକୁ ବହୁଗୁଣରେ ତ୍ଵରାନ୍ୱିତ କରିନେଇ ପାରିବେ । ସେହି ବିବର୍ତ୍ତନ ହେଉଛି ଅନ୍ନର ଭୂମିରୁ ଆନନ୍ଦର ଭୂମିକୁ ବିବର୍ତ୍ତନ । ଏହା ହେଉଛି ଏକ କ୍ରମୋତ୍ତର (Progressive) ବିବର୍ତ୍ତନ । ଏବେ ମଧ୍ୟ ଏହି ପୃଥିବୀରେ ଅଧିକରୁ ଅଧିକ ମନୁଷ୍ୟଙ୍କର ଜୀବନରେ ଅନ୍ନର ପ୍ରତିଷ୍ଠା ସମ୍ଭବ ହୋଇ ପାରିନାହିଁ । ତେଣୁ ଆହୁରି ଅନେକ ପଥ ବାକି ରହିଛି । ଏହି ପଥତକ ସରିବା ପରେ ଆହୁରି କେତେ କେତେ ଉଚ୍ଚତର ଉନ୍ମୋଚନ ମଧ୍ୟ ମନୁଷ୍ୟ ଲାଗି ଅପେକ୍ଷା କରି ରହିଛି । ତେଣୁ ଜଡ଼ତା ପରିହାର କରିବାକୁ ହେବ; ବେଡ଼ିଗୁଡ଼ାକ ପ୍ରତି, ଅଭ୍ୟସ୍ତତାଗୁଡ଼ାକ ପ୍ରତି ରହିଥିବା ଆମର ସକଳ ମୋହର ବନ୍ଧନକୁ ଛିଡ଼ାଇବାକୁ ହେବ । ମାଆ କହୁଛନ୍ତି, ଅଭୀପ୍ସା ଯଥାନୁରୂପ ଭାବରେ ତୀବ୍ର ହୋଇ ପାରିଲେ ଯାଇ ସେହି ଅଗ୍ରଗତି ସମ୍ଭବ ହେବ । ଅସଲ ଶାନ୍ତି ସେହି ଅଗ୍ରଗତିରେ, ଅସଲ ଶାନ୍ତି ନିମିତ୍ତ ହେବାରେ । ସେହି ଅଗ୍ରଗତିହିଁ ଆମର ଅସଲ କାମ୍ୟ, ଅଧିକ କାମ୍ୟ । ଆମର ଦେବତାମାନେ ଆମକୁ ଯାବତୀୟ ପାଶରୁ ମୁକ୍ତ ହୋଇ ଆସିବାରେହିଁ ସାହାଯ୍ୟ କରନ୍ତୁ, ସେମାନେ ଆମ ସହିତ ସହଯୋଗ କରନ୍ତୁ । ଆମ ସହିତ ସେମାନେ ଯାତ୍ରୀ ହୋଇ ବାହାରି ପଡ଼ନ୍ତୁ । ଆମ ଚେତନାର ଅଭିବୃଦ୍ଧି ସଙ୍ଗେସଙ୍ଗେ ସେମାନେ ମଧ୍ୟ ନୂଆ ନୂଆ ବିସ୍ତୃତି ଏବଂ ବ୍ୟଞ୍ଜନାରେ ଆମ ଜୀବନରେ ଅନୁଭୂତ ହେଉଥାନ୍ତୁ ।

 

ନବଜ୍ୟୋତି, ଫେବୃଆରୀ ୨୧, ୧୯୮୯

Image

 

ଯୋଗର ଅନ୍ୟ ନାମ : ଜୀବନାୟନ

 

But the very spirit of yoga is this, to make the exceptional normal, and to turn that which is above us and greater than our normal selves, into our constant consciousness.

 

(ଜନ୍ମ–ଶତବାର୍ଷିକୀ ସଂସ୍କରଣ, ୨୧ଶ ଖଣ୍ଡ, ପୃଷ୍ଠା-୫୬୯)–ଶ୍ରୀଅରବିନ୍ଦ

 

ଆଗେ ଯୋଗୀମାନେ ଅରଣ୍ୟରେ ଥିଲେ, ସଂସାର ବାହାରେ ଥିଲେ–ସେହିଠାରେ ଯୋଗର ସାଧନା କରୁଥିଲେ । ସଂସାର ବାହାରେ ଥିବା ବାସସ୍ଥାନକୁ ଆପଣାର ଆଶ୍ରମ ବୋଲି କହୁଥିଲେ । ଏହି ସଂସାର ଭିତରେ ରହିଥିବା ପର୍ଯ୍ୟନ୍ତ ଆଦୌ କୌଣସି ଯୋଗର ସାଧନା ହୋଇପାରିବନାହିଁ ବୋଲି ସେମାନେ ଅତ୍ୟନ୍ତ ନିଷ୍ଠାର ସହିତ ବିଚାର କରୁଥିଲେ । ସେମାନଙ୍କର ନିଷ୍ଠା ଅନ୍ୟଥାନରେ ଯାଇ ରହିଥିଲା । ଅନ୍ତତଃ ଏହି ସଂସାରରେ ଆଦୌ ନଥିଲା । ଅନେକ ସ୍ଥଳରେ ଆପଣାକୁ ସଂସାରରୁ ବିଯୁକ୍ତ କରି ନେବାକୁହିଁ ଭଗବାନଙ୍କ ସହିତ ଯୁକ୍ତ ହେବା ବୋଲି ବିଚାର କରାଯାଉଥିଲା । ବିଚରା ଯେଉଁମାନେ ଏହି ସଂସାର ଭିତରେ ରହୁଥିଲେ, ସେମାନେ ନାନା କାରଣରୁ କେବଳ ସାଧାରଣ ହୋଇ ପଡ଼ି ରହୁଥିଲେ, ତୁଚ୍ଛା ପଙ୍କରେ ଘାଣ୍ଟି ହେଉଥିଲେ ଓ ତେଣୁ ସଂସାରତ୍ୟାଗୀ ଯୋଗୀମାନଙ୍କୁ ଅସାଧାରଣ ବୋଲି ବିଚାର କରୁଥିଲେ ।

 

ଏକ ସମଗ୍ର ଅର୍ଥରେ କହିଲେ, ଯୋଗସାଧନା ସେତେବେଳେ ଏକ Exceptional ବ୍ୟାପାର ହୋଇ ରହିଥିଲା, Exceptional ମାନଙ୍କର ବ୍ୟାପାର ହୋଇ ରହିଥିଲା । ଜୀବନ ଭିତରକୁ ଯୋଗର ଅଭିମନ୍ତ୍ରଣ ହୋଇପାରିବ ବୋଲି ସାଧାରଣମାନେ ଯେପରି ବିଶ୍ଵାସ କରିବାକୁ ଆଦୌ କୌଣସି ସାହସ ନ କରିବେ, ପ୍ରାୟ ସେଇଥିପାଇଁ ତାହାକୁ ଜୀବନର ବାହାରେ ବିଶେଷମାନଙ୍କର ଏକ ଧନ୍ଦା କରି ରଖାଯାଇଥିଲା । ଯୋଗକୁ ଜୀବନଛଡ଼ା କରି ରଖିବାର ଦୁର୍ବିଚାରଫଳରେ କ୍ରମଶଃ ଯୋଗୀମାନେବି ବହୁ ସମ୍ପ୍ରଦାୟ ଭିତରେ ବଣା ହୋଇ ରହିଲେ । ଜୀବନକୁ ଧର୍ମତଃ ଭଗବଦ୍‌ବିଧାନର ନିକଟବର୍ତ୍ତୀ କରାଇବା ଯେ ଯେକୌଣସି ଯୋଗମାର୍ଗର ସର୍ବପ୍ରଥମ ପ୍ରେରଣା ହୋଇ ରହିବା ଉଚିତ, ସେହି ସତ୍ୟଟି କ୍ରମଶଃ ପାସୋରି ହୋଇଗଲା । ସାଧାରଣଙ୍କଠାରୁ ଆପଣାକୁ ଅଲଗା କରି ଚିହ୍ନାଇ ଦେବାକୁ, କୌଣସି ପ୍ରକାରେ ଏହି ପୃଥିବୀର ପଙ୍କଗୁଡ଼ିକୁ ନିଜର ଦେହରେ ନଲଗାଇବାକୁ ଅସାଧାରଣମାନେ ସତେଅବା ସ୍ଵୟଂ ବଣା ହୋଇ ସଂସାରଠାରୁ ସେହି ସତ୍ୟଟିକୁ ପାସୋର କରି ରଖିଲେ । ପ୍ରାୟ ସେହି ସଂସ୍କାର ଅଥବା କୁସଂସ୍କାର ବଶତଃ ସଂସାରର ଆଖିରେ ଏବେ ମଧ୍ୟ ଯୋଗୀମାନେ ଆପଣାକୁ Exceptional କରି ରଖିଛନ୍ତି । ସଂସାରର ଘରଗୁଡ଼ିକୁ ପ୍ରାୟ ଅସ୍ଵୀକାର କରି ମଠଗୁଡ଼ିକୁ ଅତ୍ୟନ୍ତ ଚମତ୍କାର ଅଥଚ ଅସ୍ଵାଭାବିକ ଭାବରେ Exceptional କରି ରଖିଛନ୍ତି । ସାଧନାର ପୀଠଗୁଡ଼ିକ ତଦ୍ଦ୍ୱାରା ଗୋଟିଏ ଗୋଟିଏ ଭବ୍ୟ ତୀର୍ଥସ୍ଥାନରେ ପରିଣତ ହୋଇପାରିଛନ୍ତି ସତ, ମାତ୍ର ସଂସ୍କାର ମଧ୍ୟ ଆପଣାର ବହୁ ସମ୍ଭାବନା ବିଷୟରେ ବିସ୍ମୃତ ହୋଇ ରହିଛି । Exceptional ମାନେ Normal ବା ସାଧାରଣମାନଙ୍କୁ କ୍ରମଶଃ ଭାରି ଅକିଞ୍ଚନ ଓ ଭାଗ୍ୟବାଦୀ ହୋଇ ରହିବାରେ ସହାୟତା କରୁଛନ୍ତି । ଆମର ଏହି ତଥାକଥିତ ବହୁ ଆଲୋକନର ଯୁଗରେ ମଧ୍ୟ ତାହାହିଁ ବଳବତ୍ତର ହୋଇ ରହିଛି ।

 

ଯୋଗର ସାଧନା Exceptional କୁ Normalରେ ପରିଣତ କରିଦିଏ,–ତାହାହିଁ ଯାବତୀୟ ଯୋଗାଚାରର ଅସଲ ପ୍ରାଣସତ୍ୟ ବୋଲି ଶ୍ରୀଅରବିନ୍ଦ ଯୋଗ-ସମନ୍ଵୟ ଗ୍ରନ୍ଥରେ ଲେଖିଛନ୍ତି । ଯାହା ଆମର ଊର୍ଦ୍ଧ୍ଵରେ ରହିଛି, ଆମର ଏହି ନିତ୍ୟନୈମିତ୍ତିକ ଜୀବନର ଭୂମିକାଗୁଡ଼ିକଠାରୁ ଯାହା ଏକ ବୃହତ୍ତର ପ୍ରତିଶ୍ରୁତିକୁ ବହନ କରି ଆମଲାଗି ଅପେକ୍ଷା କରି ରହିଛି, ତାହାକୁ ଆମର ସତତଚେତନାରେ ପରିଣତ କରାଇ ଦେବାକୁ ଶ୍ରୀଅରବିନ୍ଦ ଆମକୁ ଉଦ୍‌ବୋଧନ ଦେଇଛନ୍ତି । ଆମେ ଆପଣାକୁ ସଚରାଚର ଏକ ଦୁର୍ବଳ ନିର୍ଭରଶୀଳତା ଏବଂ ବିଶ୍ଵାସହୀନତାର କବଳରେ ପଡ଼ି ଯେତିକି ବୋଲି ଭାବିଥାଉ, ତାହା ଅପେକ୍ଷା ଏକ ବୃହତ୍ତର ପ୍ରତିଶ୍ରୁତି ଆମଲାଗି ଅପେକ୍ଷା କରିରହିଛି । ଆପଣା ଆପଣାର ଭାଗ୍ୟ ଏବଂ ଅଳ୍ପତାର ପାଚେରୀକୁ ଆପଣା ଚାରିପାଖରେ ଘେରାଇ ଦେଇ ଆମେ ନିଜ ଆକାଶକୁ ଯେତିକି ବୋଲି ଦେଖୁଛୁ ଏବଂ ଯାହାକୁ ଆମର ଅବଶ୍ୟମ୍ଭାବୀ ନିୟତି ବୋଲି ମାନି ନେଇଛୁ, ତା'ଠାରୁ ଅନେକ ଅଧିକ ବୃହତ୍ ଆକାଶଗୁଡ଼ିକ ଆମଲାଗି ଅପେକ୍ଷା କରି ରହିଛନ୍ତି, ସେହି ଆକାଶଗୁଡ଼ିକର ସମ୍ଭାବନାକୁ ଆପଣା ଜୀବନରେ ଏକ ସମ୍ମତିସୂଚକ ଶ୍ରଦ୍ଧାସହିତ ସ୍ଵୀକାର କରିନେବାକୁ ହେବ । ମଣିଷ, ପ୍ରତ୍ୟେକ ମଣିଷ, ଆପଣାକୁ ଯେତିକି ବୋଲି ଭାବୁଛି, ମଣିଷ ଆଦୌ ସେତିକି ନୁହେଁ, ତା’ ଭିତରେ ଏକ ବିରାଟ ସମ୍ଭାବନାମୟ ଅନ୍ୟ ଗବାକ୍ଷ ଅପେକ୍ଷା କରି ରହିଛି । ପୃଥିବୀରେ ପ୍ରଚାରିତ ଏବଂ ଶାସ୍ତ୍ରମାନଙ୍କରେ ଘୋଷିତ ଯାବତୀୟ ଯୋଗ ତାକୁ ସେହି ସତ୍ୟଟିକୁହିଁ ସ୍ମରଣ କରାଇଦେବା ଉଚିତ-। ଆପଣାକୁ ଅକିଞ୍ଚନ ବୋଲି ଭାବିବା, ଆପଣାକୁ ନିତାନ୍ତ ସାଧାରଣଟିଏ ବୋଲି ଭାବି ଅସାଧାରଣମାନଙ୍କ ଉପରେ ଅତ୍ୟନ୍ତ ହୀନ ଓ ଦୟନୀୟ ଭାବରେ ନିର୍ଭରଶୀଳ ହୋଇ ରହିବା–ଏପରି ହେଲେ ମନୁଷ୍ୟର ଜୀବନରେ ଆଦୌ କୌଣସି ଯୁକ୍ତ ହେବା ସମ୍ଭବ ହେବନାହିଁ-

 

ସମଗ୍ର ଜୀବନକୁ ଏକ ଯୋଗଚାରଣା ମଧ୍ୟକୁ ଉତ୍ତୋଳିତ କରିନେବାର ବାଣୀ ଆମକୁ ଶ୍ରୀଅରବିନ୍ଦଙ୍କର ଉଦ୍‌ବୋଧନ ଭିତରୁ ଶୁଣିବାକୁ ମିଳିଥାଏ । ପୃଥିବୀର ସାମାଜିକ ଇତିହାସ ପୃଥିବୀର ଅଧିକାଂଶ ମଣିଷଙ୍କୁ ନିତାନ୍ତ ସାଧାରଣ ଓ ଅର୍ବାଚୀନ ବୋଲି ଦେଖି ଆସିଛି ବୋଲି ସେମାନେ ନିଜକୁ ଏବେ ମଧ୍ୟ ସେହିପରି ସାଧାରଣ ଏବଂ ଅର୍ବାଚୀନ ବୋଲି ଅନୁଭବ କରୁଛନ୍ତି । ଅଧିକାଂଶ ଗୁରୁ ଶିଷ୍ୟମାନଙ୍କୁ ସତେଅବା ନାନା ଭେଳିକି ଭିତରେ ଚକିତ ଓ ବିସ୍ମିତ କରି ରଖିବେ ବୋଲି ପ୍ରାୟ ଜାଣିଶୁଣି Exceptional ହୋଇ ରହିଛନ୍ତି । ସେମାନଙ୍କର ବେଶଭୂଷା ଅଲଗା ବା Exceptional ହୋଇ ରହିଛି, ସେମାନଙ୍କର ଖାଦ୍ୟ ପାନୀୟ ସମେତ ଜୀବନର ବେଭାରଗୁଡ଼ିକ ଅତ୍ୟନ୍ତ ଦୃଶ୍ୟମାନ ଭାବରେ ଅଲଗା ହୋଇ ରହିଛି । ଅସଲ ରୀତିଗୁଡ଼ିକ ହୁଏତ ଏକାବେଳେକେ ଅନ୍ୟ ପ୍ରକାରର ହୋଇଥା’ନ୍ତା । ଗୁରୁମାନେ Normal ଜୀବନ ଭିତରକୁ ଆସିଥାନ୍ତେ; ବେଶଭୂଷା ଖାଦ୍ୟପାନୀୟ ଏବଂ ଯାବତୀୟ ବେଭାରରେ ଆପଣାକୁ ଆଦୌ ଅଲଗାକରି ରଖିବାକୁ ମନକରି ନଥାନ୍ତେ । ସେମାନେ ଏହି ପୃଥିବୀରେ ସାଧାରଣ ଜୀବନ ଭିତରେ ମିଶିକରି ରହିଥାନ୍ତେ,–ଅଥଚ ଏକ ବୃହତ୍ତର ଚେତନା ସହିତ ଯୁକ୍ତ ହୋଇ ରହିଥା’ନ୍ତେ । ଚେତନା ସହିତ ଯୁକ୍ତ ହୋଇ ରହିଲେ ମନୁଷ୍ୟର ସମ୍ବନ୍ଧଗୁଡ଼ିକ ମଧ୍ୟ ଯେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ବଦଳି ଯାଏଁ, ସେମାନେ ସେହି ସତ୍ୟଟିର ଚାକ୍ଷୁଷ ପ୍ରେରଣାପ୍ରାୟ ହୋଇରହିଥାନ୍ତେ । ଏହି ପୃଥିବୀକୁ ଏକ ଅନ୍ୟ ଭୂମିକୁ ଉତ୍ତୋଳିତ କରି ନେବାରେ ଏବଂ ଏହି ପୃଥିବୀର ଜୀବନକୁ ଏକ ଅନ୍ୟ ବିସ୍ତାର ତଥା ଅନ୍ୟ ଗଭୀରତା ଆଣିଦେବାରେ ସେମାନେ ପୃଥିବୀ ଭିତରେ ମନୁଷ୍ୟମାନଙ୍କର ଅସଲ ସାଥୀ ଓ ଅସଲ କର୍ମୀ ହୋଇ ରହିଥାନ୍ତେ । ଅସଲ ସାଥୀମାନଙ୍କ ପରି ବାହାରେ ମୋଟେ ଅଲଗା ବୋଲି ଚିହ୍ନା ପଡ଼ୁନଥା’ନ୍ତେ, ମୋଟେ ବାରି ହେଉ ନଥା’ନ୍ତେ, ମୋଟେ କୋଳାହଳ କରୁନଥାନ୍ତେ; ତଥାପି ଏହି ପୃଥିବୀର ହାତ ଧରି ତାହାକୁ ପାହାଚ ପାହାଚ କରି ତା’ର ପ୍ରତିଶ୍ରୁତି ନିୟତିଟି ଆଡ଼କୁ ପରିଚାଳିତ କରି ନେଉଥାନ୍ତେ ।

 

ଯାହା ଅସାଧାରଣ, ତାହା ସାଧାରଣରେ ପରିଣତ ହେବ; ଯାହା ଊର୍ଦ୍ଧ୍ଵରେ ଅଛି ବୋଲି ପବିତ୍ର ପାଠ୍ୟପୁସ୍ତକମାନଙ୍କରେ ଘୋଷଣା କରାଯାଇଛି, ତାହା କ୍ରମଶଃ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସିବ, ଦୂରର ମେଘ ତଳି ଲାଗିବାର ଶ୍ରଦ୍ଧାରେ ଆମର ଏହି ସାଧାରଣ ଜୀବନରେ ସତେଅବା ଆମର ବନ୍ଧୁଭଳି ପ୍ରବେଶ କରିବ,–ଆଦୌ ଘର ବାରିବ ନାହିଁ, ଭେଦ ବାରିବ ନାହିଁ, ଅଭିରୁଚିର ସକଳ ମୋହକୁ ବର୍ଜନ କରିବ,–ତେବେ ଯାଇ ହେବ । ତେବେ ଯାଇ ପୃଥିବୀର ଚେତନାରେ ସେହି ଈପ୍ସିତ ସାତତ୍ୟର ଉତ୍ତୋଳନ ସମ୍ଭବ ହେବ । ସେତେବେଳେ ସମସ୍ତ ପୃଥିବୀହିଁ ଏକ ତୀର୍ଥଭୂମିରେ ପରିଣତ ହେବ; କୌଣସି ନିର୍ଦ୍ଦିଷ୍ଟ ପୀଠ ବା ବିଶେଷ ସ୍ଥାନକୁ ନୁହେଁ, ସମଗ୍ର ପୃଥିବୀର ସାଧାରଣ ଘରଗୁଡ଼ିକୁହିଁ ଆଗାମୀ ସତ୍ୟର ପ୍ରୟୋଗଶାଳା ବୋଲି ଅନୁଭବ କରିବା ସମ୍ଭବ ହେବ । ଏବେ ତ ଆମେ ଏଠି ଅଛୁ, ସତ୍ୟ ସେଠି ଯାଇ ରହିଛି । ଆମେ ଏଠି ତଳେ ଧୂଳି ଉପରେ ରହିଛୁ, ଆମର ଗୁରୁମାନେ, ଆମର ପରମ ପ୍ରଦର୍ଶକମାନେ ଆମଠାରୁ ଦୂରବର୍ତ୍ତୀ ହୋଇ ଆସ୍ଥାନ ଉପରେ ବସିଛନ୍ତି, କେତେ ବାଗରେ କେଡ଼େ ଉଚ୍ଚ ଦିଶୁଛନ୍ତି, କେଡ଼େ ଅଲଗା ଦିଶୁଛନ୍ତି,–ଆପଣାର ଭବ୍ୟତାଦ୍ଵାରା ଆମ ସାଧାରଣମାନଙ୍କର ହେୟତାକୁ ଅତ୍ୟନ୍ତ ନିପୁଣ ଭାବରେ ପ୍ରମାଣିତ କରି ଦେଇଛନ୍ତି । ଅସାଧାରଣ ସାଧାରଣର ନିକଟବର୍ତ୍ତୀ ହୋଇ ଆସିବାର ସେହି ଅବଶ୍ୟ ରୀତିଟି ସତେଅବା କେଉଁ ଗାଣିତିକ ନିରାପତ୍ତା ଦୃଷ୍ଟିରୁ ପ୍ରାୟ ନିଷିଦ୍ଧ ହୋଇ ରହିଛି । ତେଣୁ, ଦଣ୍ଡେ ଘଡ଼ିଏ ତୀର୍ଥସାନ୍ନିଧ୍ୟ, ଶ୍ରେଷ୍ଠ-ସାନ୍ନିଧ୍ୟ ଅଥବା ଶାସ୍ତ୍ର-ସାନ୍ନିଧ୍ୟ ବ୍ୟତୀତ ସାଧାରଣମାନଙ୍କର ଜୀବନରେ ଆଉ ଅଧିକ କିଛି ମୋଟେ ସମ୍ଭବ ହୋଇ ପାରୁନାହିଁ । ତୀର୍ଥମାହାତ୍ମ୍ୟ ଲେଖା ହେବାରେ ଲାଗିଛି । ତୀର୍ଥରୁ ବହୁଦୂରରେ ରହି ସାଧାରଣମାନେ ସେଗୁଡ଼ିକର ପାରାୟଣ କରୁଛନ୍ତି । ପୁଣ୍ୟଲାଭ କରୁଛନ୍ତି । ଆଲୁଅ ଅନ୍ଧାରଠାରୁ ଅଲଗା ହୋଇ ରହିଛି । ସନ୍ନ୍ୟାସ ସଂସାରଠାରୁ ଅଲଗା ହୋଇ ରହିଛି । ସଂସାର ଭିତରେ ପଶିରେ ସେମାନେ ସଂସାର ଭଳି ପଙ୍କମୟ ହୋଇଯିବେ ବୋଲି ଆଉ ଭୟ କରୁଛନ୍ତି କି ? Normal ସହିତ ସମ୍ପର୍କ ବଢ଼ାଇଲେ ନିଜେ Normal ହୋଇଯିବେ ବୋଲି Exceptional ମାନେ ସମ୍ଭବତଃ କାଳେ କାଳେ ହାଡ଼େ ହାଡ଼େ ଭୟକରି ଆସିଛନ୍ତି । ମାତ୍ର, ଯଥାର୍ଥ ବିଡ଼ମ୍ବନାଟି ହେଉଛି ଯେ, Exceptionalମାନଙ୍କର ମୂଳ ଯଦି Normal ଭିତରେ ନରହିବ, ସ୍ଵର୍ଗର ଚେର ଯଦି ଏଇଠି ଏହି ମାଟି ଭିତରେ ନରହିବ, ଏହି କ୍ଷୁଦ୍ରଗୁଡ଼ିକୁ ସାଙ୍ଗରେ ନେଇ ଯଦି ବୃହତ୍ ମହାଦେଶଟିର ରଚନା ନହେବ, ତେବେ ସେହି ତଥାକଥିତ Exceptional ଆଉ ଭଗବାନଙ୍କର ପ୍ରକୃତରେ କେଉଁ କାର୍ଯ୍ୟରେ ଲାଗିବ ? ଅନ୍ଧାର ଦୂର କରିବାର କାମରେ ନଲାଗିଲେ ଆଲୁଅର ଆଉ କେଉଁ ସାର୍ଥକତା ରହିବ ?

 

ତେଣୁ, ଯାହା ବହିରେ ଅଛି, ତାହା ଜୀବନକୁ ଆସିବ । ଯାହା ଗୁରୁଜନମାନଙ୍କର ତୁଣ୍ଡରୁ ଉପଦେଶର ରାଜପୋଷାକ ପିନ୍ଧି ଆମ ଉପରେ ଯୁଗଯୁଗ ଧରି ଅଜାଡ଼ି ହୋଇ ପଡ଼ିବାରେ ଲାଗିଛି, ତାହାକୁ ଜୀବନରୂପେ ଉକୁଟାଇ ଆଣିବାକୁ ପଡ଼ିବ । ମହାନ୍‍ମାନେ ସ୍ଵତନ୍ତ୍ର ବହୁବିଧ ଭାବାବେଶରେ ଯେଉଁସବୁ ସତ୍ୟକୁ ସ୍ୱପ୍ନରୂପେ ଦେଖିଛନ୍ତି, ନିତ୍ୟଜୀବନର ସାଧାରଣ ଯାବତୀୟ ସମ୍ବନ୍ଧରେ ତାହାକୁ ମୂର୍ତ୍ତରୂପ ଦେବାକୁ ହେବ । ସେହିଭଳି ଏକ ଅଭିନବ ପରିବର୍ତ୍ତନ ଲାଗି ଯୁଗ ଅପେକ୍ଷା କରି ରହିଛି, ବର୍ତ୍ତମାନର ସ୍ଥିତିଟି ମଧ୍ୟ ଆମଲାଗି ମୁଖ୍ୟତଃ ସେହି ଆହ୍ଵାନଟିକୁ ବହିଆଣି ପାରିବା ଉଚିତ । ଆମର ଚେତନା କ’ଣ ଚିରକାଳ ଦୁଇଟା ଭାଗରେ ବିଭାଜିତ ହୋଇ ରହିଥିବ ? ଗୋଟାକୁ ଆମେ ଆଠପହରୀ କରି ଆଉ ଗୋଟାକୁ ପୋଷାକୀ କରି ରଖିଥିବା ? ଗୋଟାକୁ ଆମର ବାସ୍ତବ ବୋଲି କହି ଆଉ ଗୋଟାକୁ ଆଦର୍ଶ ବୋଲି କହୁଥିବା ଓ ସେହି ଆଦର୍ଶ ଆମର ବାସ୍ତବଗୁଡ଼ାକରୁ ଯୋଜନ ଯୋଜନ ଦୂର ହୋଇ ରହିଥିବ ? Exceptional ଗୁଡ଼ାକ ଯେପର୍ଯ୍ୟନ୍ତ Normalକୁ ଭୟ କରୁଥିବେ, ସେପର୍ଯ୍ୟନ୍ତ Exceptionalମାନେ Normalଠାରୁ ଦୂରଛଡ଼ା ହୋଇରହିଥିବେ, ଅତୀତ ସହିତ ଭବିଷ୍ୟତ୍‍ର ଆସନ୍ନ ମହାଯୁଦ୍ଧରୁ ଯେପର୍ଯ୍ୟନ୍ତ ସେମାନେ ନାକ ଟେକି ବିଲଗ ହୋଇ ରହିଥିବେ, ସେପର୍ଯ୍ୟନ୍ତ ଭଗବାନଙ୍କର ପାଦ କଦାପି ଏହି ଭୂମିକୁ ସ୍ପର୍ଶକରି ପାରିବନାହିଁ । ଯେପର୍ଯ୍ୟନ୍ତ ମୋକ୍ଷମାନେ ହିମାଳୟରେ କ୍ରୀଡ଼ାରତ ହୋଇ ଲୀଳାସ୍ଵାଦନ କରିବାରେ ଲାଗିଥିବେ; ମନ୍ଦିର, ଆଶ୍ରମ, ମଠ ଓ ପୀଠଗୁଡ଼ାକ ଦୂରର ବୃକ୍ଷରୂପେ ଶୋଭାପାଉଥିବେ ଏବଂ ଜୀବନ ପ୍ରବଞ୍ଚିତ ହୋଇରହିଥିବ, ବିବର୍ତ୍ତନ ବିଳମ୍ବିତ ହୋଇ ରହିଯାଉଥିବ । ଅନ୍ଧାର ହେଣ୍ଡି ମାରୁଥିବ । ଏବଂ, ଧର୍ମ ନାମରେ ନିପଟ କପଟମାନେ ମଣିଷର ଉଦୟକୁ ଭୁତାଇ ଭୁରୁଡ଼ାଇ ଦେବାରେ ଲାଗିଥିବେ ।

 

ଯେଉଁମାନେ ମଣିଷର ଉଦୟକୁ ପ୍ରକୃତରେ ନିଷ୍ଠାର ସହିତ ବିଶ୍ଵାସ କରୁଛନ୍ତି, ପୃଥିବୀର ଉଦୟକୁ ଭଗବତ୍‌ସତ୍ୟର ଯଥାର୍ଥ ପ୍ରତିଷ୍ଠା ବା ଅବତରଣ ବୋଲି ଅନୁଭବ କରୁଛନ୍ତି, ଯେଉଁମାନେ ସେହି ଉଦୟ ବା ଭତ୍ତୋଳନର ପ୍ରକ୍ରିୟାରେ ସତକୁସତ ଯନ୍ତ୍ର ହେବେ ବୋଲି ଆପେ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ସେମାନେ ଆଉ Exceptional ହୋଇ ନରହନ୍ତୁ, ସେମାନେ ଓହ୍ଲାଇ ଆସନ୍ତୁ । ଆମରି ଭିତରକୁ ଆସି ସେମାନେ ଆପଣାର ଯାବତୀୟ ବେଭାର ଏବଂ ଯାବତୀୟ ସମ୍ବନ୍ଧରେ ଆମର ଅସଲ ନିୟତିଟିକୁ ଦେଖାଇ ଦିଅନ୍ତୁ, ସେମାନେ ଏହି ପଙ୍କଭିତରୁ ପଦ୍ମ ଫୁଟାଇବାର ବହୁ ଅପେକ୍ଷିତ ଧାରାଟିରେ ନିମିତ୍ତ ହୁଅନ୍ତୁ । ସତ୍ୟକୁ ସେମାନେ ଉଚ୍ଚ ପାହାଡ଼ର କେଉଁ ଗୁପ୍ତ ଖୋଲରେ କାରାରୁଦ୍ଧ ହୋଇ ରହିବାରେ ଆଦୌ କୌଣସି ସହଯୋଗ ନ କରନ୍ତୁ । ଯେଉଁ ଯୋଗ ବିଯୁକ୍ତ ହୋଇ ରହିବାର ଛଳପ୍ରଶ୍ରୟଗୁଡ଼ାକୁ ବାଟ ଛାଡ଼ି ଦେଇ ବହୁବିଧ ଆଳସ୍ୟ ଓ ଅସମ୍ମତି ମଧ୍ୟରେ କାଳକୁ ବାନ୍ଧି ରଖିବାର ଅପପ୍ରୟାସ କରୁଥାଏ, ଏବଂ ତେଣୁ Exceptional ଗୁଡ଼ାକୁ ପାଟ ପିନ୍ଧାଇ ସାଧାରଣ ପୃଥିବୀଟାକୁ ତାଟକା କରି ରଖିବାର ଶ୍ରଦ୍ଧା ରଖିଥାଏ, ସେହି ଯୋଗକୁ ସେହି ପୁରାତନ ପଳାୟନ-ପ୍ରୀତିର ଏକ ନବୀନ ସଂସ୍କରଣ ବୋଲି କହିବାକୁହିଁ ପଡ଼ିବ । ଏବଂ, ତାହାର ଜାଲ ଭିତରୁ ବାହାରି ଆସିବାକୁ ପଡ଼ିବ ।

 

ଯେକୌଣସି କାରଣରୁ ହେଉ ପଛକେ, ଆମେ Normal ଠାରୁ Exceptionalକୁ ଅଲଗା କରି ରଖିବାକୁ ଇଚ୍ଛା କରୁଛୁ ବୋଲି ଆମର ଅସଲ ନିୟତି ଓ ଅସଲ ସମ୍ଭାବନାଗୁଡ଼ିକୁ ମଧ୍ୟ ଅପହଞ୍ଚ କରି ରଖିଛୁ । ମଣିଷମାନଙ୍କୁ ସେମାନଙ୍କ ମଧ୍ୟରେ ନିହିତ ହୋଇ ରହିଥିବା ଅସଲ ଅଗ୍ନିଟି ବିଷୟରେ ଅନବହିତ ଓ ଅସଚେତନ କରି ରଖିଛୁ । ଊର୍ଦ୍ଧ୍ଵକୁ ସମ୍ଭବତଃ ଚିରଦିନ ସେହି ଊର୍ଦ୍ଧ୍ଵରେ ଅଲଗା କରି ରଖିବାର ଖଳବୁଦ୍ଧିର ଜଞ୍ଜାଳରେ ଯାଇ ପଡ଼ିଯାଇଛୁ । ଯାହା ଊର୍ଦ୍ଧ୍ଵ, ତାହା ଆମର ସତତ ଚେତନାରେ ପରିଣତ ହେବ । ଆମେ ସେଥିଲାଗି ବାଟ ଛାଡ଼ିଦେବା ।

 

ନବଜ୍ୟୋତି, ଏପ୍ରିଲ ୨୪, ୧୯୮୯

Image

 

ତିନି ସୋପାନ, ତିନିଭଳି ସେନା

 

New words are needed to express new ideas, new forms are necessary to manifest new forces,–ମାଆ: ମାତୃରଚନାବଳୀ, ଶତବାର୍ଷିକୀ (ଇଂରାଜୀ ସଂସ୍କରଣ) ୧୫ଶ ଖଣ୍ଡ, ୧୯୮୦, ପୃଷ୍ଠା-୧୦୦

 

ଓଡ଼ିଶାରେ ଯେତେବେଳେ ଶ୍ରୀଅରବିନ୍ଦ ପାଠଚକ୍ରଗୁଡ଼ିକ ଆରମ୍ଭ କରାଗଲା, ସେତେବେଳେ ସେହି ପାଠଚକ୍ରଗୁଡ଼ିକ ଏକ ଅଦୂର ଭବିଷ୍ୟତ୍‍ରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକୁ ଆରମ୍ଭ କରିବାରେ ନିମିତ୍ତରୂପେ କାର୍ଯ୍ୟ କରିବେ ବୋଲି କେହି କଳ୍ପନା ମଧ୍ୟ କରି ନଥିଲେ । ମାତ୍ର ଦିନ ଆସିଲା, ସତକୁସତ ତାହାହିଁ ହେଲା । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ ଜନ୍ମଲାଭ କଲେ । ସାନରୁ ବଡ଼ ହେଲେ, କେତୋଟିରୁ ଅନେକ ହେଲେ । ପାଠଚକ୍ରଟିଏ ହୁଏତ ଗତାନୁଗତିକ ଭାବରେ କେତେବର୍ଷ ଚାଲିଆସିବା ପରେ ଯାବତ୍ କର୍ମବିଧି ସତେଅବା କେବଳ ଗୋଟାଏ ରୁଟିନ୍ ପରି ମନେହେଲା । ନିୟମ ଅନୁସାରେ ଦୁଇତିନିଟା ବହିରୁ କିଛି ପଢ଼ିଦେଇ ନିୟମ ଅନୁସାରେ ଟିକିଏ ଆଖିବୁଜି ଧ୍ୟାନ କରିଦେବା, ତା’ପରେ ଘରକୁ ଯିବା ଓ ସପ୍ତାହକ ପରେ ପୁଣି ସେହିପରି କରିବାଲାଗି ପାଠଚକ୍ରରେ ମିଳିତ ହେବା, କାଳକ୍ରମେ ଏତିକି କାମ ବଡ଼ ଅଯଥେଷ୍ଟ ମନେହେଲା । ବନ୍ଧୁମାନେ ଆହୁରି ଅଧିକ କିଛି କରିବାକୁ ମନ କଲେ । ଏହି ଅଧିକ କିଛି କରିବା ବିଷୟରେ ନିଜଭିତରେ ଖୁରୁଡ଼ୁଖାରୁଡ଼ୁ ହେଉ ହେଉ ଆଗକୁ ସ୍କୁଲ୍‍ଟିଏ ଦେଖାଗଲା । ସତେଅବା ତାହାର ମୁହୂର୍ତ୍ତଟି ଆସି ଉପସ୍ଥିତ ହୋଇ ଯାଇଥିଲା । ପାଠଚକ୍ରର ଉଦ୍ୟମ ସମ୍ପ୍ରସାରିତ ହେଲା, ବନ୍ଧୁମାନଙ୍କ ପ୍ରାଣରେ ନୂଆ ଆଡ଼କୁ ବାଟ ଖୋଲିଗଲା । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏହିଁ ଆମର କର୍ମଧାରାରେ ପାଠଚକ୍ର ପରେ ପରବର୍ତ୍ତୀ ପଦକ୍ଷେପ ବୋଲି ଆମକୁ ସ୍ପଷ୍ଟ ଭାବରେ ଦେଖାଗଲା ।

 

ଆମ ଭିତରୁ ଅନେକ ବନ୍ଧୁ ଆଦୌ କୌଣସି କୁଣ୍ଠା ପ୍ରକାଶ ନକରି ଏକଥା ଅବଶ୍ୟ କହିବେ ଯେ, ଯେଉଁସବୁ ପାଠଚକ୍ରରେ ବା ପାଠଚକ୍ରର ଆନୁକୂଲ୍ୟରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟିଏ ସ୍ଥାପିତ ହେଲା, ସେସବୁ ପାଠଚକ୍ରର ଢଙ୍ଗ ବଦଳିଗଲା । କର୍ମଧାରାର ପରିଧି ବଦଳିଗଲା । ସବୁଦିନେ ଶିକ୍ଷାକେନ୍ଦ୍ରରେ ପିଲାମାନଙ୍କର ସାମନା କରିବାକୁ ପଡ଼ିଲା । ଏବଂ, ପିଲାମାନଙ୍କର ମାଧ୍ୟମରେ ସେମାନଙ୍କର ବାପାମାଆମାନଙ୍କର । କେତେ ପ୍ରକାରର ପିଲା, ତେଣୁ ତଦନୁସାରେ କେତେପ୍ରକାର ବାପା ମାଆ । ବାପାମାଆମାନେ ଅଳ୍ପବହୁତେ ଆମସହିତ ଆସି ଯୋଡ଼ିହୋଇ ଯିବାରୁ ଆମେ ମଧ୍ୟ ଅଳ୍ପବହୁତେ ସେମାନଙ୍କ ସହିତ ଯୋଡ଼ିହୋଇ ଯିବାକୁ ଲାଗିଲୁ । ପାଠଚକ୍ରର କୁଟୁମ୍ବଟି ବଢ଼ି ଯିବାପରି ମନେ ହେଲା । ସ୍କୁଲ୍‍ର ଶିକ୍ଷକ ହିସାବରେ କେତେ ନୂଆ ଭାଇଭଉଣୀ ଆସି ଯୋଗ ଦେଲେ । ସେମାନେ ନିକଟରୁ ଆସିଲେ, ଦୂରରୁ ମଧ୍ୟ ଆସିଲେ । ସେମାନଙ୍କ ମଧ୍ୟରୁ କିଏ ବେଶି ପାଠ ପଢ଼ିଥିଲେ, କିଏ କମ୍ ପାଠ ପଢ଼ିଥିଲେ, କିଏ ଆଗରୁ କୌଣସି ନା କୌଣସି ପାଠଚକ୍ରର ସମ୍ପର୍କରେ ଆସିଥିଲେ, ପୁଣି କେହି କେହି ଏକାବେଳେକେ ନୂଆ ହୋଇ ଆମର ଏହି ଜମାୟତ ଭିତରେ ଆସି ସାମିଲ ହୋଇଗଲେ । ସେମାନଙ୍କ ସହିତ ଘଷି ହୋଇ ଆମ ଭିତରର କେତେ ପୁରୁଣା ଧାରଣା ବଦଳିଗଲା, ଆମ ସହିତ ଘଷି ହୋଇ ସେମାନଙ୍କ ଭିତରେ ଥିବା କେତେ ପୁରୁଣା ଧାରଣାବି ଧକା ଖାଇଲା । ଯେଉଁଠାରେ ଦୁଇପକ୍ଷ ପରସ୍ପରକୁ ଆରେଇଗଲେ, ସେଠାରେ ଶିକ୍ଷାକେନ୍ଦ୍ର ଭଲ ଚାଲିଲା । ଯେଉଁଠି ଆରେଇ ଯିବାରେ ଅସୁବିଧା ହେଲା ସେଠାରେ ନୂତନ ସମସ୍ୟାମାନ ଆସି ପହଞ୍ଚିଲା । ବେଳେବେଳେ ଗୋଳିଆ ନଳିଟା ଭିତରେ ଚାରିକଣିଆ ଗୋଟିଟାଏ ବଡ଼ କର୍କଶ ଭାବରେ ଠକ୍ ଠକ୍ ହୋଇ ବାଜିଲା ପରି ଲାଗିଲା ।

 

ଶିକ୍ଷାକେନ୍ଦ୍ର ବର୍ଷକୁବର୍ଷ ଆକାରରେ ବଢ଼ିଲା । ଶିକ୍ଷକମାନେ ତାଲିମ ପାଇବାକୁ ଗଲେ । ସେମାନଙ୍କର ବର୍ଷିକିଆ ସମ୍ମିଳନୀମାନ ବସିଲା । ସେମାନେ ସେସବୁ ସ୍ଥାନରୁ ଅନେକ ସମୟରେ ନୂତନ ଆଖି ଓ ନୂତନ ବିଚାରମାନ ନେଇ ଫେରିଲେ । ତେଣୁ ଗୋଟାସୁଦ୍ଧା ଆମ ପାଠଚକ୍ରିଆଙ୍କର ଅକ୍ତିଆରରେ ରହିବାପରେ ମୋଟେ ମନେ ହେଲେ ନାହିଁ । ସେଥିରୁ ପାଠଚକ୍ରରେ ଆମେ ବିଭିନ୍ନ ପ୍ରକାରେ ଲାଭବାନ୍ ହେଲୁ, ହଇରାଣ ମଧ୍ୟ ହେଲୁ । ବେଳେବେଳେ ଆମ ପୁରୁଣା ଦାନ୍ତଗୁଡ଼ାକରେ ସତେଅବା ନୂଆ ପିଠାଗୁଡ଼ିକୁ ଦାନ୍ତେଇବା ପରି ଅନୁଭବ କଲୁ । ମାତ୍ର, ସେକଥା ଯାହା ହେଉ ପଛକେ, ଆମ ପାଠଚକ୍ର ଘରେ ଏହି ଶିକ୍ଷାକେନ୍ଦ୍ରଫଳରେ ସତେଅବା ଏକ ନୂଆ ପବନ ଆସି ପ୍ରବେଶ କଲା, ପୁରୁଣା ଗଡ଼ିଆଟିରେ ନୂଆପାଣି ଆସି ପଶିଗଲା । ଆମ ସ୍କୁଲ୍‍ରେ ଶିକ୍ଷକମାନଙ୍କର ପାଠଚକ୍ର ଗଢ଼ାଗଲା, ପିଲାଙ୍କର ସ୍ଵତନ୍ତ୍ର ପାଠଚକ୍ର ଚାଲିଲା । ଆମେସବୁ ମଧ୍ୟ ବେଳେବେଳେ ସେଠି ଯାଇ ବସି ଆସିଲୁ । ଶିକ୍ଷାକେନ୍ଦ୍ରର ଯେଉଁ ପରିଚାଳନା ସମିତିଟିଏ ରହିଲା, ସେଥିରେ ମଧ୍ୟ ପାଠଚକ୍ର ବାହାରୁ ବ୍ୟକ୍ତିମାନେ ଆସି ପହଞ୍ଚିଲେ । ଏହିପରି ଭାବରେ ବାଲ୍ୟପରେ ପୌଗଣ୍ଡ ଆସି ପହଞ୍ଚିଲା । ପାଠଚକ୍ରରେ ଶ୍ରୀଅରବିନ୍ଦ ଓ ମାଆଙ୍କର ନୂଆ ନୂଆ ବହିସବୁ ପ୍ରବେଶର ଅଧିକାର ପାଇଲେ । ଆଲୋଚନାର ଆୟାମଗୁଡ଼ିକ ବିସ୍ତାରିତ ହୋଇଗଲେ, ଉପରର ମେଘ ତଳ ଆଡ଼କୁ ଆସି ଭୂଇଁ ଛୁଇଁଲା ପରି ମନେ ହେଲା । ଭାରି ଭଲ ହେଲା । ସତେଅବା ପାଦେ ଆଗେଇଯିବା ପରି ଲାଗିଲା । ଯେଉଁସବୁ ପାଠଚକ୍ର ଶିକ୍ଷାକେନ୍ଦ୍ରର ନୂତନ କାର୍ଯ୍ୟକ୍ରମଟି ମଧ୍ୟକୁ ପ୍ରସାରିତ ହୋଇ ନ ପାରିଲେ, ସେଗୁଡ଼ିକ ସତେଅବା ନିଷ୍ପ୍ରାଣ ହୋଇଆସିଲେ । ଗୋଟିଏ ଗୋଟିଏ ପାଠଚକ୍ର କ୍ରମେ ଅନେକ ଘରୋଇ ପାଠଚକ୍ରରେ ପରିଣତ ହୋଇଗଲେ, ଗୋଟିଏ ପରିବାରର ଦୁଇ ତିନିଜଣ ସଦସ୍ୟ ମଧ୍ୟରେ ବାଡ଼ ଦିଆ ହୋଇ ରହିଲେ । ସାତଦିନରେ ଥରେ ପାଠଚକ୍ର ଘରେ ସବୁଦିନିଆ ଢଙ୍ଗରେ ପୁସ୍ତକପାଠ ଓ ଧ୍ୟାନ, ବରଷକରେ ଥରେ ବାର୍ଷିକୋତ୍ସବର ପାଳନ ଓ ସେଥିରେ ବାହାରୁ ଆସିଥିବା ଜଣେ ବା କେଇଜଣ ଅତିଥିଙ୍କ ତୁଣ୍ଡରୁ ପ୍ରବଚନ ଶ୍ରବଣ ଏବଂ କେଉଁଠାରେ ସମ୍ମିଳନୀମାନ ହେଉଥିଲେ ସାମର୍ଥ୍ୟ ଅନୁସାରେ ସେଥିରେ କେତେଜଣଙ୍କର ଯୋଗଦାନ,–ସେହି ପାଠଚକ୍ରଗୁଡ଼ିକ ପ୍ରାୟ ଏହିପରି ଏକ ରୁଟିନ୍ ମଧ୍ୟରେ ବାନ୍ଧିହୋଇ ରହିଲେ । ଆଗପରି ଆଉ ପାଠଚକ୍ରରେ କାହାରି ଉତ୍ସାହ ନାହିଁ ବୋଲି ପରସ୍ପର ପାଖରେ ଦୁଃଖ ପ୍ରକାଶ କଲେ ।

 

ପ୍ରଥମ ପର୍ଯ୍ୟାୟରେ ଆମର ଶିକ୍ଷାକେନ୍ଦ୍ରଗୁଡ଼ିକ ସତେଅବା ଗୋଟିଏ ଗୋଟିଏ ମଡ଼େଲ୍ ହୋଇ ରହିଥିଲେ । ଆମେ ସେଗୁଡ଼ିକୁ ଭୂମି କରି ଆମ ଉଦ୍ୟମଶକ୍ତିର ପ୍ରୟୋଗ କରୁଥିଲୁ । ସାରା ଓଡ଼ିଶାରେ ଏହିପରି ପ୍ରୟୋଗ ପ୍ରାୟ ସାତ ଆଠ ଜାଗାରେ ହେଉଥିଲା । ସ୍କୁଲ୍‍ଗୁଡ଼ିକ ସାତ ଆଠଟି ମଡ଼େଲ୍ ପରି ଦେଖାଯାଉଥିଲେ । ଏଗୁଡ଼ିକର ସଂଖ୍ୟା କେବେ ବଢ଼ିବ ବୋଲି ଆମର ନିଜର ମଧ୍ୟ ଆଦୌ କୌଣସି ପ୍ରତ୍ୟୟ ନଥିଲା । ସମାଗତ ଏକ ବିଶେଷ ମୁହୂର୍ତ୍ତ ଯେ ଆମକୁ ନିମିତ୍ତ କରି ଆପଣାର କାର୍ଯ୍ୟ ଆରମ୍ଭ କରିଦେଲାଣି, ନିଜ ପେଡ଼ିଟିକୁ ସଜାଇବାରେ ବ୍ୟସ୍ତ ଥିବା ଆମେ ତାହାର ପତ୍ତା ମଧ୍ୟ ପାଉନଥିଲୁ । ଆପଣାର ଏହି ନୂଆ ଡିହଟି କିପରି ତିଷ୍ଠି ରହିବ, କ୍ରମେ ଅଧିକ ସୁନ୍ଦର ଦେଖାଯିବ, ଆମେ ସମସ୍ତେ ମୁଖ୍ୟତଃ ତାହାହିଁ ଚିନ୍ତା କରୁଥିଲୁ । ନିଜର ବରଜଟିକୁ ରକ୍ଷା କରିବା ଲାଗି ବିଚରା ପାନଚାଷୀ ଯେଉଁଭଳି ଏକ ନିଷ୍ଠାରେ ଦୁନିଆଯାକର ମିହନ୍ତ କରୁଥାଏ, ମୂଳଦୁଆଟିକୁ ଚେକାଛାଉଣି କରି ରଖିଥାଏ ଓ ରାତିଦିନ ତାହାକୁ ଜଗି ସେଇଠି ପଡ଼ି ରହିଥାଏ, ସ୍କୁଲ୍‍ଗୁଡ଼ିକ ସମ୍ବନ୍ଧରେ ଆମର ନିଷ୍ଠାଟି ପ୍ରାୟ ସେହିପରି ହୋଇ ରହିଥିଲା । ପ୍ରଥମ ଅବସ୍ଥାରେ ଏହି ମଡ଼େଲ୍‍ଗୁଡ଼ିକ ସହରରେ ତିଆରି ହେଲା । କେବଳ ସହରମାନଙ୍କରେହିଁ ଏହିଭଳି ମଡ଼େଲ୍‍ଟିଏ ତିଆରି କରିବା ସମ୍ଭବ ବୋଲି ସେତେବେଳେ ଆମ କେତେକଙ୍କ ମଧ୍ୟରେ ଏକ ଅନ୍ଧବିଶ୍ଵାସ ମଧ୍ୟ ରହିଥିଲା । ମାତ୍ର, ବିଧାତା ସ୍ଵୟଂ ଆସି ଆମ ଅନ୍ଦାଜଗୁଡ଼ିକୁ ଭାଙ୍ଗିଦେଇ ଗଲେ । ଆମେ ନାହିଁ କରୁ କରୁ ତଥାପି ହଁ କରି ପକାଇଲୁ । ଗାଁମାନଙ୍କରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକ ଉଦ୍ୟମ ଆରମ୍ଭ ହୋଇଗଲା । ଅନେକ ସମୟରେ କର୍ତ୍ତାମାନଙ୍କର ଆକଟକୁ ନମାନି ମଧ୍ୟ ହେବାକୁ ଲାଗିଲା । ସେହି Leapକୁ ଅଟକାଇ ପାରିଲେ ନାହିଁ । ସ୍କୁଲ୍ ସଂଖ୍ୟା ବଢ଼ି ଚାଲିଲା, କୋଡ଼ିଏରୁ ଚାଳିଶ ହେଲା, ଚାଳିଶରୁ ପଚାଶ ହେଲା । ଯେଉଁମାନଙ୍କ ବିଷୟରେ ଉଲ୍ଲେଖ କରି, ସତେଅବା ଏକ ନୂତନ ଦିଗନ୍ତର ଆଭାସ ଦେଉଥିବା ପରି ମାଆ ଏକଦା Children taken from anywhere, who have no way of learning at home, whose parents are ignorant, who have no possibility of having any means to learn, nothing, nothing, nothing but the raw material ବୋଲି କହିଥିଲେ (ଇଂରାଜୀ ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ୧୨ଶ ଖଣ୍ଡ, ପୃଷ୍ଠା-୪୨୫), ସେମାନେ ମଧ୍ୟ ଆମ ଶିକ୍ଷାକେନ୍ଦ୍ରରେ ଆମ ସମ୍ମୁଖରେ ଏକ ଅଭିନବ ଆହ୍ଵାନରୂପେ ଆସି ଆବିର୍ଭୂତ ହେଲେ । ସହରର ଥିଲାବାଲାଏ ହଠାତ୍ ବିଶ୍ଵାସ କରି ପାରିଲେନାହିଁ, ସମ୍ଭବତଃ ଟିକିଏ ଘାବରେଇ ଗଲେ, ତଥାପି କାଳକ୍ରମେ ମଙ୍ଗିଲେ, ସାଙ୍ଗରେ ରହିଲେ । ଆମେ କାଁଭାଁ modelର ପର୍ଯ୍ୟାୟଟିକୁ ପାରି ହୋଇ movementର ଦ୍ଵିତୀୟ ପର୍ଯ୍ୟାୟରେ ଆସି ପହଞ୍ଚିଲୁ ।

 

ଏହି ବାଟରେ ସରକାରଙ୍କ ସହିତ ମଧ୍ୟ ଆମର ଭେଟ ହେଲା । ସେମାନେ କ’ଣ ବୁଝିଲେ କେଜାଣି, ଆମକୁ ସାହାଯ୍ୟ କରିବେ ବୋଲି କହିଲେ । ସେମାନେ ଆମକୁ ସଜ୍ଜନ ବୋଲି ଭାବିଥିଲେ । ଆମ ତରଫରୁ କୌଣସି ବିପଦର ଆଶଙ୍କା ନାହିଁ ବୋଲି ବିଚାରିଥିଲେ । ଆମେ ଦଶଟା ବା ବାରଟା ମଡ଼େଲ୍ ହୋଇ ରହିବୁ ଓ ସ୍ତନ୍ୟପାୟୀ ଶିଶୁମାନଙ୍କ ପରି ତୁନି ହୋଇଯିବୁ ବୋଲି ମନେ କରିଥିଲେ । ତେଣୁ, ଆମେସବୁ ଯେତେବେଳେ ମଡ଼େଲ୍‍ର ବୋଧ୍ୟ ଗାରଟିକୁ ପାରି ହୋଇ movementର ଅନାବାଦି ଭୂଇଁ ଭିତରକୁ ଯିବାକୁ ମନ କଲୁ, ସେତେବେଳେ ସିଏ ଆମକୁ ମୋଟେ ବୁଝିପାରିଲେ ନାହିଁ । ତାଙ୍କ ଭାଷାରେ ଆମକୁ କେତେ ବୁଝାଇଲେ । ତା’ପରେ କ୍ରମେ ବିଗିଡ଼ିବାକୁ ଆରମ୍ଭ କଲେ । ଆମ ବେକରେ ଢିଙ୍କିଆ ପକାଇବାକୁ ଚେଷ୍ଟା କଲେ, ତାଙ୍କ ହାଟର ସାରୁଗୁଡ଼ାକ ଅନୁସାରେ ଆମ ଉତ୍ସାହ ଓ ଆମ ଉଦ୍ୟମର ମୂଳ କରି ବାହାରିଲେ । ଆମ ଭିତରୁବି କେତେକ ସଙ୍ଗୀ ମଡ଼େଲ୍‍ରୁ movement ଭିତରକୁ ପାଦ ପକାଇବାକୁ ଆଶଙ୍କା ପ୍ରକାଶ କଲେ । ସେମାନେ ପଛରେ ରହିଗଲେ । ମଡ଼େଲ୍‍ଗୁଡ଼ିକୁ କେତେ ନା କେତେ ଯତ୍ନରେ ଦି’ଶେଣିଆରୁ ତିନିଶେଣିଆ ଓ ତିନିଶେଣିଆରୁ ପାଞ୍ଚଶେଣିଆ କଲେ । ବଜାରରେ ନାଁ କଲେ । ଆମ ପିଲାଙ୍କୁ ମଧ୍ୟ ପ୍ରଚଳିତ ହାଟଗୁଡ଼ିକର ହିସାବ ଅନୁସାରେ ମୂଲ କଲେ । ସେଇଥିରୁ କେତେ ଖୁସି ପାଇଲେ । ହାତରେ ଯେତେ ଯେତେ ନୂଆ ଖଡ଼ୁ ପିନ୍ଧିଲେ ମଧ୍ୟ ସେଇ ପୁରୁଣା ବୋହୂମାନଙ୍କ ପରି ଦିଶିଲେ । ପରମ୍ପରା ଭିତରେ ପାଟ ପିନ୍ଧିଥିବା ବିଶେଷମାନଙ୍କ ପରି ଦେଖାଗଲେ । ସେମାନେ ରହିଗଲେ, movement ଆଗକୁ ଆଗକୁ ଯିବାକୁ ଲାଗିଲା । ଶିକ୍ଷାକେନ୍ଦ୍ରଗୁଡ଼ିକର ସଂଖ୍ୟା ଶହେକୁ ଛୁଇଁଯିବା ପରି ମନେ ହେଲା ।

 

ଏହି ଦ୍ଵିତୀୟ ସ୍ରୋତଟି ଭିତରେ ନପଡ଼ି ଆମେବି ଆଉ କୁଆଡ଼େ ଯାଇଥାନ୍ତୁ ? ତେଣୁ ଆମର ନଜରଗୁଡ଼ାକ ମଧ୍ୟ ବଦଳିଯିବାକୁ ଲାଗିଲା । ଗୋଟିଏ ଗୋଟିଏ ଦ୍ଵୀପ ହିସାବରେ ଆମେ ଯେ କଦାପି ତିଷ୍ଠି ରହି ପାରିବୁ ନାହିଁ, ସେକଥା ଜଳଜଳ ହୋଇ ଦେଖାଗଲା । ମଡ଼େଲ୍ ଅବସ୍ଥାରେ ବେଳେବେଳେ ଆମର ମାମଲତ୍‍କାରୀ ଦେଖାଇବାକୁ ମଧ୍ୟ ଆମକୁ ଅବସର ମିଳି ଯାଉଥିଲା । ଏଣିକି ତାହାର ଚ୍ୟାଲେଞ୍ଜ ମଧ୍ୟ ହେଲା । ସତେଅବା ଏକ ଦ୍ଵିତୀୟ ସମ୍ପୂର୍ଣ୍ଣ ଅଲଗା ପ୍ରକାରର force ମଡ଼େଲ୍ ପର୍ଯ୍ୟାୟର ପୁରୁଣା force ଗୁଡ଼ାକୁ ଚ୍ୟାଲେଞ୍ଜ କରିବାକୁ ଆସିଲେ । ଏହି ସମୟରେ ଆମ ଭିତରୁ ଜଣେ ପ୍ରାୟ ସମ୍ପୂର୍ଣ୍ଣ ଅଜାଣତରେ ‘ଜଙ୍ଗଲ ଯାହାର ଜମି ତାହାର’ ବୋଲି ସମସ୍ତଙ୍କ ଆଗରେ କହି ପକାଇଲେ । ସତେଅବା ଆଗାମୀ କାଳଟି ତାଙ୍କରି ମୁହଁ ଦେଇ କଥାଟିକୁ କହିଦେଲା । Movement ପରେ ଆମର take-off ପର୍ଯ୍ୟାୟଟି ଆସି ପହଞ୍ଚିଲା । ଏଥର ଆମେ ସତକୁସତ ବାଟଚଳାଇବୁ, ସଚେତନ ଭାବରେ ବାଟ ଚାଲିବୁ, ବିଶ୍ଵାସକୁହିଁ ପ୍ରଧାନ ପାଥେୟ କରି ବାଟଚାଲିବୁ । ଏହି ନୂତନ ପର୍ଯ୍ୟାୟଟିର ଆବଶ୍ୟକତା ଅନୁସାରେ ଏକ ନୂତନ ସେନାରୂପେ ଗଢ଼ିହୋଇଯିବୁ । ପୁରୁଣାକୁ ବଦଳାଇ ଦେବା ଯେ ଆମର ଏହି ଶିକ୍ଷା-ଉଦ୍ୟମଟିର ଅସଲ ଉଦ୍ଦେଶ୍ୟ, ଆମର ଆଚରଣ, ଆମର ପାରସ୍ପରିକ ସମ୍ବନ୍ଧ ଓ ଆମ କର୍ମକ୍ଷେତ୍ରର ଯାବତୀୟ ଅବଲମ୍ବନଦ୍ଵାରା ତାହାର ପ୍ରମାଣ ଦେବୁ । ନୂଆର ସମୟ ଆସିଲାଣି, ତେଣୁ ଏଥର ପୁରୁଣା ନିଶ୍ଚୟ ବଦଳିଯିବ,–କେବଳ ଏତିକି କହି ଆମେ କଦାପି ସନ୍ତୁଷ୍ଟ ହୋଇ, ଚତୁର ହୋଇ ରହିଯିବୁ ନାହିଁ । ଆମେ ନିଜେ ନୂଆ ହୋଇଯିବୁ, ଆମ ଶିକ୍ଷାକେନ୍ଦ୍ରଗୁଡ଼ିକ ସେହି ନୂଆରହିଁ ଗୋଟିଏ ଗୋଟିଏ ନମୁନା ହୋଇ ରହିବ । ଆମ ଭିତରୁ ଯେଉଁମାନେ ପୁରୁଣାର ଆଣ୍ଠୁଏ ଗୁହ ଭିତରେ ବୁଡ଼ି ରହିଛନ୍ତି, ପୁରୁଣା ଉପରେ ନିର୍ଭର କରି ରହିଛନ୍ତି, ପୁରୁଣା ଠାରୁ ଏବେ ମଧ୍ୟ ଶରଧା ତୁଟାଇ ପାରିନାହାନ୍ତି, ସେମାନେ ହୁଏତ ଏଇଠି ଅଟକି ରହିଯିବେ ।

 

ଆମେ ଯାହା କହୁଛୁ, ତାହାହିଁ ହେବୁ । ଆମ ଚେତନା ପରି ଆମ ଡୋରଗୁଡ଼ାକ ମଧ୍ୟ ଠିକଣା ସ୍ଥାନରେ ଯାଇ ଲାଗିଯାଇ ପାରୁଥିବ । ଆଗାମୀ କାଲିକୁ ଆମେ ଆଜି ବଞ୍ଚିବୁ, ଆମର ଶିକ୍ଷାକେନ୍ଦ୍ରଗୁଡ଼ିକରେ ବଞ୍ଚିବୁ; କେବଳ ବ୍ୟକ୍ତିଗତ ଜୀବନର ତଥାକଥିତ ଖାସ୍ ସହରଗୁଡ଼ିକରେ ନୁହେଁ, ଆମ ଗୋଷ୍ଠୀ ଜୀବନରେ ମଧ୍ୟ ଆମେ ସେହି ଆଗାମୀ ଶ୍ରଦ୍ଧାଟିକୁ ବଞ୍ଚିବୁ । ଆମେ ଯେତେ ଅପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ତାହାହିଁ କରିବୁ । ତେବେ ଯାଇ Take-off ପର୍ଯ୍ୟାୟର ସେନାନୀ ହୋଇ ବାହାରି ପାରିବୁ; ଆମେ ଆଉ ଯାହା ହେବୁ ପଛକେ, କପଟୀ କଦାପି ହେବୁନାହିଁ । ଏହି କପଟୀ ହେବା ବିଷୟରେ ମାଆ କୋଉଠି କହିଛନ୍ତି (ଇଂରାଜୀ ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ୩ୟ ଖଣ୍ଡ, ପୃଷ୍ଠା-୧୯୦) to pretend that you want live the spiritual life and not to do it, to pretend that you want to seek the truth and not to do it, to display the external signs of consecration to the divine life…. but within to be concerned with oneself, one’s selfishness and ones own needs : this is hypocrisy,–ଏଣିକି ଆମେ ଏଇଥିଲାଗି ପରସ୍ପରକୁ ବଳ ଦେବା, ପରସ୍ପରକୁ ସାହାଯ୍ୟ କରିବା, ଆମ ଭିତରର ଗଉଁଗୁଡ଼ାକୁ ଭାଙ୍ଗିଦେବା, ଆମର ସ୍ଵତନ୍ତ୍ର ଅହମିକାଗୁଡ଼ିକୁ ତାଙ୍କରି ଆଗରେ ଖୋଲି ରଖିଦେବା । ତେବେ ଯାଇ ଆମେ ତାଙ୍କର ଯୋଗ୍ୟ ହୋଇ ପାରିବା, ଏହି ତୃତୀୟ ପର୍ଯ୍ୟାୟରେ ତାଙ୍କରି ସେନାରେ ଯାଇ ସାମିଲ ହୋଇ ପାରିବା,–ପରସ୍ପରକୁ ଯଥାର୍ଥଭାବେ ଆବିଷ୍କାର କରିନେଇ ପାରିବା ।

 

ନବଜ୍ୟୋତି, ଅଗଷ୍ଟ ୧୫, ୧୯୮୯

Image

 

ଉଭୟକାମୀ ଉଭୟପାଦୀ

 

One must renounce being adapted to life as it is and succeeding in it if one wants to prepare for life as it will be and to become an active and effective part of it.

 

–ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୯୭୮, ୧୨ଶ ଖଣ୍ଡ, ପୃଷ୍ଠା-୫୫

 

ସିଏ ଏକ ଅନ୍ୟ ଚେତନା, ଏକ ଅନ୍ୟ ଅନୁରାଗ, ଏକ ଅନ୍ୟ ସମ୍ବନ୍ଧ । ତେଣୁ ଏକ ଅନ୍ୟ ସମାଜ ଓ ଏକ ଅନ୍ୟ ଭବିଷ୍ୟତ୍‍, ତାହାହିଁ ଆମର ପରବର୍ତ୍ତୀ ଭବିଷ୍ୟତ୍‍ । ମାଆ ଓ ଶ୍ରୀଅରବିନ୍ଦ ସେହି ଭବିଷ୍ୟତ୍‍ ଉଦ୍‌ବୋଧନ ଦେଇ ଏହି ଅଭିନବ କ୍ଷେତ୍ରଗୁଡ଼ିକର ଆହ୍ଵାନଗୁଡ଼ିକୁ ଆମ ସମ୍ମୁଖକୁ ଆଣିଛନ୍ତି । ଏବେ ପୃଥିବୀର ବୈଜ୍ଞାନିକ ଅନୁରାଗମାନେ ମଧ୍ୟ ସେହି ପରବର୍ତ୍ତୀ ଭବିଷ୍ୟତ୍‍ର କଥା କହିଲେଣି । ଅସଲ ମୁହୂର୍ତ୍ତଟି ଊର୍ଦ୍ଧ୍ଵରୁ ଆହ୍ଵାନ ଦେବାକୁ ଆରମ୍ଭ କଲାଣି । ତଳୁ ଭୂମିଟା ମଧ୍ୟ ତାହାରି ଆବାହନ କରିବା ନିମନ୍ତେ ପ୍ରସ୍ତୁତ ହୋଇଆସୁଛି, ଏବଂ ଆମେ ଯେଉଁମାନେ ତାଙ୍କରିଦ୍ଵାରା ବଛାହୋଇଛୁ ବୋଲି ସତକୁସତ ଅନୁଭବ କରି ଏକାଠି ହୋଇଛୁ, ଆମେ କାହିଁକି ତଥାପି ସେଇ ପୁରୁଣା କାଦୁଅଗୁଡ଼ାକୁ ମୁଣ୍ଡାଇ କୁନ୍ଥାଇ ହେଉଥିବା ? ଆମେ କାହିଁକି ତା’ଭିତରୁ ବାହାରି ଆସିପାରିବା ନାହିଁ ?

 

ଆମ ଭିତରେ ହୁଏତ ଦୁଇଟା ଲୋଭ ରହିଛି । ଗୋଟାଏ ଲୋଭର ନାମ ଆସକ୍ତି ଏବଂ ସେହି ଆସକ୍ତି ପଛରେ ଦୁନିଆଯାକର ଭୟ । ତାହା ଆମର ମଞ୍ଜଟାକୁ କାମୁଡ଼ି ଧରିଛି, ଆମ ଜୀବନର ଅସଲ ସଂକଳ୍ପଗୁଡ଼ିକୁ କାବୁକରି ରଖିଛି । ଆମକୁ ନାବାଳକ ବୋଲି ଭାବୁଛି କି କ’ଣ, ଆମ ନାହିଟାକୁ ତା’ନାଡ଼ରୁ ମୋଟେ କାଟିବାକୁ ବାଟ ଛାଡ଼ି ଦେଉନାହିଁ । ଆମର ଆର ଲୋଭଟିର ନାମ ହେଉଛି ଆସ୍ପୃହା, ଅର୍ଥାତ୍ ଆମର ଅସଲ ବ୍ୟାକୁଳତା । ଗୋଟାସୁଦ୍ଧା ତାଙ୍କରି ହୋଇଯିବାର ବ୍ୟାକୁଳତା, ଗୋଟାସୁଦ୍ଧା ତାଙ୍କରି କାର୍ଯ୍ୟରେ ନିୟୋଜିତ ହୋଇପାରିବାର ବ୍ୟାକୁଳତା । ଆମକୁ ସବା ଉଚ୍ଚ ହୋଇ ଆମ ଚେତନାର ସର୍ବୋଚ୍ଚ ଶିଖରରେ ଯାହା ଦେଖାଯାଉଛି ଓ ଆମ ଭିତରେ ଆମର ସେହି ଗଭୀରତମ ମୂଳରେ ଜନନୀରୂପେ ଯିଏ ଆମଲାଗି ପରମଧାତ୍ରୀ ହୋଇ ରହିଛି, ଆମର ଏହି ଅସଲ ବ୍ୟାକୁଳତା ଏକାବେଳେକେ ସେହି ଉଭୟଟି ସହିତ ଗଅଁଠ ହୋଇ ରହିଛି । ସେହି ବ୍ୟାକୁଳତା ଆମ ଜୀବନର ଉଦ୍ଦେଶ୍ୟ-ଘରଟି ବିଷୟରେ ଆମକୁ କେତେ କେତେ ବାର୍ତ୍ତା ଆଣି ଦେଇଯାଉଛି । କରୁଣା ହୋଇ ଆମର ଏକାବେଳେକେ ପାଖେପାଖେ ରହିଛି ଏବଂ ଆମର ସମ୍ମତି ଲାଗି ଅପେକ୍ଷା କରିଛି । ଦୁଇ ଲୋଭ ଭିତରେ ଆମେ ସତେଅବା ଅଧାଅଧି ହୋଇ ରହିଛୁ-। ଆମ ଭିତରର ଚାଲାଖ୍ ଅଂଶଟା ଆମ ଗଭୀରର ନମନୀୟ ଓ ସହଜ ଅଂଶଟିକୁ ବାଟ ଛାଡ଼ିଦେଉନାହିଁ । ବାହାରେ ଆମେ ହୁଏତ ତା’ ବେଳ ବା ସେହି ବେଳଟି ଆସି ପହଞ୍ଚିଗଲା ବୋଲି କେତେ ସଂକୀର୍ତ୍ତନ କରୁଛୁ, ମାତ୍ର ଭିତରେ କବାଟଗୁଡ଼ିକୁ କିଳି ରଖିଛୁ । ଭୀରୁ ଓ ତେଣୁ ଅମଙ୍ଗ ହୋଇ ରହିଛୁ ।

 

ମାଆ ଏକାବେଳେ ସିଧା ସିଧା କହିଦେଇଛନ୍ତି ଯେ, ଜୀବନର ଓ ପୃଥିବୀର ଯେଉଁ ସମ୍ଭାବନା ମଣିଷ ହିସାବରେ ଆମ ସମସ୍ତଙ୍କ ଲାଗି ଅପେକ୍ଷା କରି ରହିଛି, ଯଦି ଆମେ ସତକୁସତ ତାହାରି ଲାଗି ଆପଣାକୁ ପ୍ରସ୍ତୁତ କରିନେବାକୁ ଇଚ୍ଛା କରୁଥାଉ ଏବଂ ସେହି କ୍ଷେତ୍ରରେ ଏକ ସକ୍ରିୟ ଏବଂ ଫଳପ୍ରଦ ଅଂଶ ହୋଇ ରହିବାକୁ ମନ କରୁଥାଉ, ତେବେ ବର୍ତ୍ତମାନ ଜୀବନ ଓ ପୃଥିବୀ ଯେମିତି ରହିଛି, ସେହିଟା ସହିତ ସୁଚାରୁରୂପେ ଖାପ ଖାଇ ରହିଯିବାର ଓ ସେଥିରେ ସଫଳତା ଲାଭ କରିବାର ସମସ୍ତ ପ୍ରୟାସକୁ ଆମକୁ ପରିତ୍ୟାଗ କରିବାକୁ ପଡ଼ିବ । ଆମ ପାଠଚକ୍ର ଓ ଶିକ୍ଷାକେନ୍ଦ୍ରମାନଙ୍କରେ, ଏବଂ ଏପରିକି ଆମ ବ୍ୟକ୍ତିଗତ ତଥା ସାମୂହିକ ସାଧନାର କ୍ଷେତ୍ରଗୁଡ଼ିକରେ ବୋଧହୁଏ ଆମର ଅସଲ ସମସ୍ୟାଟି ଏଇଠାରେ । ସେଇଥିରୁହିଁ ଆମର ସବୁଯାକ ପ୍ରମାଦ । ଯେଉଁ ଅତୀତ ସହିତ ଆମକୁ ଯୁଦ୍ଧ କରିବାକୁ ହେବ ବୋଲି ଆମେ ସଭାରେ କହୁଛୁ,–ସେହି ଅତୀତ ସହିତ ଆମର ବାସନାର ଓ ଦମ୍ଭଗୁଡ଼ାକର କି ନାଡ଼ସବୁ କୋଉଠି ଲାଗି ରହିଛି କେଜାଣି, ଆମେ ଆମର ସଭା ବାହାର ଜୀବନରେ ଯଥାସମ୍ଭବ ଖାପ ଖାଇ ରହିଯିବାକୁ ଓ ସେଇଥିରେ ବହୁପ୍ରକାର ସଫଳତା ଲାଭ କରିବାରେ କେଡ଼େ ତତ୍ପର ହୋଇ ରହିଛୁ । ଭବିଷ୍ୟତ୍‍ ଉପରେ ଆମର ପୂରା ପ୍ରତ୍ୟୟ ଆସିନାହିଁ କି କ’ଣ କେଜାଣି, ଅତୀତଟାକୁ ବର୍ଜନ କରି ଚାଲିଆସିବାକୁ ଆମର ଆଉ ମୋଟେ ସାହସ ହେଉନାହିଁ । ଆମ ଲୋଭର ଅସଲ ନାଡ଼ଗୁଡ଼ାକ ହୁଏତ ତାହାରି ଭିତରେ ଯାଇ ରହିଛି । ଆମ ଚତୁରତା ଅଥବା ନିର୍ବୋଧତାଗୁଡ଼ାକ ଆମକୁ ଏକ ହାସ୍ୟାସ୍ପଦ ଦ୍ଵନ୍ଦ୍ଵ ଭିତରେ ପକାଇ ରଖିଛନ୍ତି ।

 

ଆମର ବର୍ତ୍ତମାନ ସମାଜଟା ସାମନ୍ତବାଦ ଭିତରେ ପଡ଼ିରହିଛି । ସେଠି ବଡ଼ମାନେ ଅଛନ୍ତି, ତେଣୁ ସାନମାନେ ମଧ୍ୟ ଅଛନ୍ତି । ଜଣେ ମଣିଷ ହିସାବରେ ପ୍ରତ୍ୟେକକୁ ସମ୍ମାନ ଦିଆଯାଉ ନାହିଁ । ଆମ ପୁରୁଣା ପଣ୍ଡିତମାନେ ଆମର ସକଳ କରଣି ଏବଂ ଚଳଣିକୁ କର୍ମବାଦ ଭିତରେ ଗୋଟାସୁଦ୍ଧା ବାନ୍ଧି ରଖିଛନ୍ତି । ଭାରତବର୍ଷରେ ସାମନ୍ତବାଦ ଓ କର୍ମବାଦ ଯୁଗଯୁଗ ଧରି ସଙ୍ଗାତ ବସି ଆସିଛନ୍ତି ଓ ମଣିଷର ଆଧ୍ୟାତ୍ମିକ ଉଦୟଗୁଡ଼ିକୁ ଭୁତାଇ ଦେଇ ଆସିଛନ୍ତି । କୋଉ ମଣିଷର କେତେ ସମ୍ପତ୍ତି ଅଛି ବା କ୍ଷମତା ଅଛି, ସେହି ଅନୁସାରେ ତାକୁ ଉତ୍ତମ ସ୍ଥାନ ମିଳିଛି, ଉତ୍ତମ ବୋଲି କୁହାଯାଉଛି । ତାହାକୁ ତା’ର ଭାଗ୍ୟ ବୋଲି କୁହାଯାଉଛି । ଆଧ୍ୟାତ୍ମିକତାମାନେ ବହି ଭିତରେ ମୁଦ ପଡ଼ି ରହିଛନ୍ତି, ଧର୍ମଗୁଡ଼ିକୁ ନେଇ ଦେଉଳ ଭିତରେ ପହଡ଼ ପକାଇ ରଖି ଦିଆଯାଇଛି । ଏବଂ, ଯେଉଁମାନେ ଆମ ଭିତରୁ ଅଧିକ ସତର୍କ, ସେମାନେ ଏହିପରି ଏକ ସମାଜ ଭିତରେ ମଲ୍ଲ ହୋଇ ବସିଛନ୍ତି । ସାମନ୍ତବାଦୀ ସମାଜରେ ଏହି ମଲ୍ଲମାନେହିଁ କାଳେ କାଳେ ସାମନ୍ତ ହୋଇ ରହିଥା’ନ୍ତି । ସେମାନେ ଧର୍ମକୁ ପଘାରେ ବାନ୍ଧି ଗୁହାଳଘରେ ପାଳୁଥା’ନ୍ତି । ଜୀବନ ମ୍ଳେଚ୍ଛ ହୋଇ ପଡ଼ିଥାଏ । ମଣିଷକୁ ପାର୍ଥିବ ଓ ପାରତ୍ରିକ ବହୁ ଭୟରେ କାବୁକରି ରଖା ଯାଇଥାଏ । ସବୁରି ଭିତରେ ବ୍ରହ୍ମ ବିରାଜମାନ କରୁଛନ୍ତି ବୋଲି ବହିରେ କୁହା ଯାଉଥାଏ, ମାତ୍ର ସେହି ବ୍ରହ୍ମବୋଧକୁ ଜୀବନ ଭିତରୁ ବହିଷ୍କୃତ କରି ରଖା ଯାଇଥାଏ । ଉତ୍ତମମାନେ, ଅର୍ଥାଧୀଶ, ଧର୍ମାଧୀଶ ଓ କ୍ଷମତାଧୀଶମାନେ ଅଧମମାନଙ୍କୁ ବହନ ପରି ବ୍ୟବହାର କରୁଥା’ନ୍ତି । ଶୂଦ୍ର ବୋଝ ବୁହେ, ଶୂଦ୍ର ବୋଲ ମାନେ ଓ ଶୂଦ୍ର ଭାଗ୍ୟ ଆଦରି ରହିଥାଏ । ସବୁଠାରେ ବିରାଜିତ ଭଗବାନ ଶୂଦ୍ର ଭିତରେ ହୁଏତ ରହିଥିବେ ବୋଲି କେହି ପ୍ରତିବାଦ କରି ପ୍ରଶ୍ନ ପଚାରେନାହିଁ । ମୁହଁରେ ତୁଣ୍ଡି ବନ୍ଧା ହୋଇଥାଏ ।

 

ବର୍ତ୍ତମାନ ଜୀବନ ଏହିପରି ଏକ ଅବିବେକଦ୍ଵାରା ଚାଲୁଛି । ଭାରତବର୍ଷରେ କାଳ କାଳ ହେଲା ଏହିପରି ଚାଲି ଆସିଛି । ପୃଥିବୀର ଗୋଡ଼ରେ ବହୁ କ୍ରୂରତା ଓ ବହୁ ନୃଶଂସତାର ପଥର ବନ୍ଧାହୋଇ ରହିଛି । ଏହିଭଳି ଏକ ପୃଥିବୀ ସହିତ ଯେଉଁମାନେ ତଥାପି ଖାପ ଖାଇ ରହିବାକୁ ସତତ ଉଦ୍ୟମ କରୁଛନ୍ତି ଓ ତାହାକୁହିଁ ବାସ୍ତବ ବୁଦ୍ଧି ବୋଲି କହୁଛନ୍ତି, ଯେଉଁମାନେ ଏଭଳି ଏକ ପୃଥିବୀରେ ସଫଳତା ହାସଲ କରିବାକୁହିଁ ଆପଣାର ସର୍ବପ୍ରଥମ ଯୋଗ୍ୟତା ଓ ସର୍ବପ୍ରଥମ କର୍ତ୍ତବ୍ୟ ବୋଲି ଗ୍ରହଣ କରିଛନ୍ତି, ପରବର୍ତ୍ତୀ ଭବିଷ୍ୟତ୍‍ର ଆଗାମୀ ପୃଥିବୀଟି ଲାଗି ଆସ୍ଥାନଗୁଡ଼ିକୁ ପ୍ରସ୍ତୁତ କରି ଆଣିବାରେ ବିଚରା ସେମାନେ ପ୍ରକୃତରେ କି ସାହାଯ୍ୟ କରିପାରିବେ ? ଆମେ ଯାହା ଉପରେ ବିଜୟ ହାସଲ କରିବାକୁ ବାହାରିଛୁ, ସେଇଟାକୁହିଁ ସବାଆଗ ସମ୍ପଦ ବୋଲି କାମୁଡ଼ି ରହିଥିବା ପର୍ଯ୍ୟନ୍ତ ସେମାନେ ସତକୁସତ ନୂତନର ପକ୍ଷରେ ରହିଛନ୍ତି ବୋଲି କିପରି କୁହାଯାଇ ପାରିବ ? ଏହି ପୃଥିବୀଟି ସହିତ ଆପଣାକୁ ଖାପ ଖୁଆଇନେଇ ସେଥିରେ ସଫଳତା ହାସଲ କରିବାକୁ ବାହାରିଥିବା ସେହି ପୁରୁଣାଆଖିମାନେ ସୁଯୋଗ ପାଇଲେ ଆମକୁ ମଧ୍ୟ ଶୀତଳ କରି ପକାଇବେ, ଅନ୍ଧାର ସହିତ ମିତ ନ ବସିଲେ ଆଲୋକ ଲାଗି ଆଦୌ କୌଣସି ଆସ୍ଥାନ ତିଆରି କରିବା ସମ୍ଭବ ନୁହେଁ ବୋଲି ସେମାନେ ଆମକୁ କେତେ ଫୁସୁଲାଇବେ, ଧର୍ମଶାସ୍ତ୍ରରୁ ବାକ୍ୟୋଦ୍ଧାର କରି ଆମକୁ ମଧ୍ୟ ଏଇଠି ବସିପଡ଼ିବା ଲାଗି କେତେ ପ୍ରବର୍ତ୍ତାଇବେ । ପୃଥିବୀର ଇତିହାସରେ କାଳେ କାଳେ ସଫଳ ସାମନ୍ତମାନେ ତାହାହିଁ କରି ଆସିଛନ୍ତି, ଏବେ ମଧ୍ୟ କରିବାରେ ଲାଗିଛନ୍ତି ।

 

ଆମର ପାଠଚକ୍ର, ଆମର ଶିକ୍ଷାକେନ୍ଦ୍ର ଓ ସାଧନାସ୍ଥଳଗୁଡ଼ିକ ପ୍ରକୃତରେ ଆମ ଆକାଂକ୍ଷିତ ଭବିଷ୍ୟଟି ଲାଗି ଗୋଟିଏ ଗୋଟିଏ ଆସ୍ଥାନରୂପେ ଗଢ଼ିଉଠି ପାରିବା ଉଚିତ । ଅର୍ଥାତ୍, ପୃଥିବୀ ଯେପରି ଅଛି, ତାହାରି ସହିତ ଖାପ ଖାଇ ସଫଳତାମାନ ହାସଲ କରିବାର ଯାବତୀୟ ପ୍ରଲୋଭନକୁ ଅମାର ପ୍ରତ୍ୟାଖ୍ୟାନ କରିପାରିବା ଉଚିତ । ଆଧ୍ୟାତ୍ମିକ ସମାଜରେ ସାମନ୍ତ ବୋଲି କେହି ରହିବେନାହିଁ, ଅଧମମାନଙ୍କଠାରୁ ଅଧିକ ଦିଶୁଥିବା ମୁକୁଟଧାରୀ ଉତ୍ତମ ମଧ୍ୟ କେହି ରହିବେନାହିଁ । ସେଠି ମଣିଷ ମଣିଷକୁ ଶୋଷଣ କରିବନାହିଁ, ମଣିଷ ମଣିଷକୁ ଗୋଡ଼ିମାଟି ପରି ହେୟ ଦୃଷ୍ଟିରେ ଦେଖିବନାହିଁ । ଏପରିକି ଜ୍ୟଷ୍ଠ ମଧ୍ୟ କନିଷ୍ଠ ଅଧମ ବା ଅର୍ବାଚୀନ ବୋଲି ଭାବିବନାହିଁ । ନିଜର କ୍ଷମତାଦ୍ଵାରା ନିଜକୁ ବଡ଼ କରି ଦେଖାଇବାକୁ ସେତେବେଳେ ଏକ ଦୁଷ୍ଟ ଲକ୍ଷଣ ବୋଲି କୁହାଯିବ । ମଣିଷ ଭିତରେ ଭଗବାନ ଦେଖାଯିବେ,–ମଣିଷ ଭିତରକୁ ଅନାଇଦେବାମାତ୍ରକେ ଆମେ ଖୋଜି ବୁଲୁଥିବା ଆମର ଅସଲ ସାଙ୍ଗଟି ଦିଶିଦିଶି ଯାଉଥିବ । ତା’ପରେ ତାକୁ ହୀନ ବୋଲି ମଣିବାକୁ ଆମର ଆଉ ଅବକାଶ ରହିବ କୁଆଡ଼ୁ ? ଚେତନା ବଦଳିବ, ଅର୍ଥାତ୍ ପରସ୍ପରକୁ ଆମେ ଏକାବେଳେକେ ଅଲଗା ଆଖିରେ ଦେଖିବାକୁ ଆରମ୍ଭ କରିବା-। ଚେତନା ସତକୁସତ ଆମର ସମ୍ବନ୍ଧଗୁଡ଼ିକୁ ମଧ୍ୟ ବଦଳାଇଦେବ । ସମ୍ବନ୍ଧ ବଦଳିବାର ଅର୍ଥ ହେଉଛି ସମାଜ ବଦଳିଯିବ । ସେତେବେଳେ ଏ ଅର୍ଥନୀତି ରହିବନାହିଁ, ଏ ରାଜନୀତି ମଧ୍ୟ ରହିବନାହିଁ । କ୍ଷମତା ଦେଖାଇ ଅନ୍ୟମାନଙ୍କୁ ନିଜର ଅଧସ୍ତନ କରି ରଖିବାକୁ ଆଦିମତା ବୋଲି କୁହାଯିବ ।

 

ଆମେ ସତକୁସତ ଏଗୁଡ଼ିକ ଉପରେ ବିଶ୍ଵାସ ରଖିଛୁ ତ ? ଅର୍ଥାତ୍, ସମାଜ ଓ ସମ୍ବନ୍ଧମାନ ପ୍ରକୃତରେ ଏହିଭଳି ଏକ ନୂତନ ଛାଞ୍ଚରେ ଗଢ଼ାହେଉ ବୋଲି ଇଚ୍ଛା କରୁଛୁ ତ ? ତେବେ ଆମ ପାଠଚକ୍ର, ଶିକ୍ଷାକେନ୍ଦ୍ର ଓ ସାଧନାସ୍ଥଳମାନଙ୍କରେ ସବାଆଗ ଆମର ସମ୍ବନ୍ଧଗୁଡ଼ିକ ବଦଳି ଯାଉଥିବାର ସୂଚନା ମିଳିପାରିବା ଉଚିତ । ଆମ ପାଠଚକ୍ରରେ କେହି ସାମନ୍ତ ରହିବେନାହିଁ, ଆମର ଶିକ୍ଷାକେନ୍ଦ୍ରରେ ମଧ୍ୟ କେହି ସାମନ୍ତ ରହିବେନାହିଁ । ସଂଗଠକମାନେ ଶିକ୍ଷକମାନଙ୍କୁ ନିଜର ବେତନଭୋଗୀ ଅଧସ୍ତନ ବୋଲି ଭାବିବେନାହିଁ । କେହି କାହାକୁ ଗୋଡ଼ିମାଟି ପରି ଆଚରଣ ଦେଖାଇବେ ନାହିଁ । ଏବଂ, ଆମ ସାଧନାସ୍ଥଳଗୁଡ଼ିକରେ ଆମର ସାଆନ୍ତିଆ ଉପଦ୍ରବମାନ ଚାଲିଥିବା ପର୍ଯ୍ୟନ୍ତ ଏଗୁଡ଼ିକୁ ସାଧନାସ୍ଥଳ ବୋଲି କାହିଁକି କୁହାଯିବ ? ଆମେ ସତକୁସତ ଯେଉଁ ଭବିଷ୍ୟତ୍‍ ପୃଥିବୀଟି ଆସୁ ବୋଲି ଇଚ୍ଛା କରୁଛୁ, ଆମ ପାଠଚକ୍ର, ଶିକ୍ଷାକେନ୍ଦ୍ର ଓ ସାଧନାସ୍ଥଳମାନଙ୍କରେ ଆମର ସାମୂହିକ ଜୀବନ ଓ ଆଚରଣରେ ସେହି ଭବିଷ୍ୟତ୍‍ର ଚାକ୍ଷୁଷ ପ୍ରତିଫଳନ ହୋଇପାରୁଥିବା ଉଚିତ । ନହେଲେ, ଆମ ସଭାଗୁଡ଼ାକରେ କୁହାଯାଉଥିବା ସବୁଯାକ ସ୍ଵପ୍ନ ଅଚିରେ କେବଳ ଅଗାଡ଼ି ପାଲଟିଯିବ । ବାହାରକୁ ଦେଉଳ ଥିବ, ତୁଳସୀଚଉରା ଥିବ, ଦେଉଳ ଚାରିପାଖରେ ବେଢ଼ା ବୁଲିଥିବ ଓ ଦେଉଳ ଉପରେ ବାନାଟିଏ ମଧ୍ୟ ଉଡ଼ୁଥିବ ସତ, ତଥାପି ଆମ ଭବିଷ୍ୟତ୍‍ର ସେହି ସମ୍ଭାବ୍ୟ ପୃଥିବୀ ଲାଗି କେବେହେଲେ ନିମିତ୍ତ ହୋଇ କାର୍ଯ୍ୟ କରି ପାରିବାନାହିଁ । ଆମେ ପଣ୍ଡାହୋଇ ରହିଯିବା, ବାବାଜି ହୋଇ ରହିଯିବା ବା ଚାରଣ ହୋଇ ରହିଯିବା ସିନା, ମାତ୍ର ଯନ୍ତ୍ରଟିଏ ହୋଇ ପାରିବାନାହିଁ; ସନ୍ତାନଟିଏ ହୋଇପାରିବାନାହିଁ । ଏବଂ ସବୁଠାରୁ ଅଧିକ ଶୋଚନୀୟ କଥାଟି ହେଉଛି, ଆମକୁ ଦେଖି ଆମର ପରିପାର୍ଶ୍ଵସ୍ଥ ଅନ୍ୟମାନେ ଆମେ ଗାଇ ବୁଲୁଥିବା ଭବିଷ୍ୟଟି ବିଷୟରେ ଆଦୌ ଅନ୍ଦାଜ କରିପାରିବେନାହିଁ । ଅର୍ଥାତ୍, ଯୋଉ ସବୁଥିରେ ଆମେ ପ୍ରକୃତରେ ବିଶ୍ଵାସ କରୁଛୁ, ଆମର ବ୍ୟକ୍ତିଗତ ଓ ସାମୂହିକ ଜୀବନ ତଥା ସମ୍ବନ୍ଧଗୁଡ଼ିକରେ ସାନବଡ଼ ସକଳ କାର୍ଯ୍ୟରେ ସତତ ତାହାରି ପ୍ରତିଫଳନ ହୋଇପାରୁଥିବା ଉଚିତ, ଆମକୁ ଅନାଇଦେବାମାତ୍ରକେ ଆମ ହୃଦୟଭିତରେ ଜଳୁଥିବା ଅସଲ ଆସ୍ପୃହାଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦିଶିଯାଇ ପାରୁଥିବା ଉଚିତ । ଆମର ହୃଦୟ ସତକୁସତ ଯେଉଁଠି, ଆମର ଜୀବନ ଓ ଆମ ସମ୍ବନ୍ଧଗୁଡ଼ିକ ମଧ୍ୟ ସତତ ସେହିଠାରେ ରହିଥିବା ଉଚିତ, ତାହାରିଦ୍ଵାରା ପରିଚାଳିତ ହେଉଥିବା ଉଚିତ ।

 

ଆମର ପାଦ ଏଠି ଗୋଟିଏ ଓ ସେଠି ଗୋଟିଏ ହୋଇ ରହିଥିବା ପର୍ଯ୍ୟନ୍ତ ଆମର କାମନାଟି ମଧ୍ୟ ଠିକ୍ ସେହିପରି ଦୁଇଆଡ଼କୁ ବାଣ୍ଟି ହୋଇ ରହିଛି ବୋଲି କୁହାଯିବ । ଏବଂ ଯେତେବେଳେ ଆମେ ଏହିପରି ଦୁଇଆଡ଼େ ବାଣ୍ଟିହୋଇ ରହିଥାଉ, ସେତେବେଳେ ପ୍ରାୟ ନିୟମତଃ ଆମର ଏଠାଟା ସେଠା ଉପରେ ଘୋଡ଼ା ଚଢ଼ି ବସିଥାଏ, ଆମର ଆସକ୍ତିଗୁଡ଼ିକହିଁ ଆମର ଆସ୍ପୃହାଗୁଡ଼ିକୁ ନିୟନ୍ତ୍ରିତ କରୁଥାଏ । ଆମର ଖୁଣ୍ଟଗୁଡ଼ିକ ଏକାବେଳେକେ ଏଇଠାରେହିଁ ମଜବୁତ୍ ଭାବରେ ପୋତାହୋଇ ରହିଥାନ୍ତି ଓ ସେଠା ପବନଟି ଆମ ଦେହରେ ବେଳେବେଳେ ଆସିବାକୁଥିଲେ ମଧ୍ୟ ଆମର ଅସଲ ଲୋଭଗୁଡ଼ିକ ଏଇଠି ରହିଥାନ୍ତି, ଆମ ଭିତରଟାକୁ ବଡ଼ ଉପଦ୍ରବମୟ କରିରଖିଥାନ୍ତି । ଭିତର ସହିତ ବାହାରର ନିୟମତଃ ପ୍ରାୟ କୌଣସି ଖିଅ ଲାଗିନଥାଏ । ତେଣୁ ବାହାରେ ମଧ୍ୟ ଆମେ ଆଦୌ କମ୍ ଉପଦ୍ରବ କରୁନାହିଁ । ଆମେ ପ୍ରଚଣ୍ଡ ହେଉ, ନିଜର ତଥାକଥିତ କ୍ଷମତାଗୁଡ଼ିକୁ ଜାରି କରିବାରେ ବଡ଼ ଆନନ୍ଦ ପାଉ, ଭଗବାନଙ୍କ ଘରେ ଓ ଭଗବାନଙ୍କର କାର୍ଯ୍ୟରେ ମଧ୍ୟ ଆମର ନାଆଁଟା ତାଲିକାର ସବା ଉପରେ ରହୁ ବୋଲି ଦାବି କରି କେତେ ଖୁମାଣ ଦେଖାଇ ହେଉଥାଉ । ଏଠି ଅର୍ଜନ କରିଥିବା ସଫଳତା ବା ଅଧିକ ପାରଙ୍ଗମତାଗୁଡ଼ାକୁ ସେଠି ମଧ୍ୟ ଜାହିର୍ କରିବାରେ ଲାଗିଥାଉ । ଆମର ଏହି ମିଛ ପ୍ରଚଣ୍ଡତାଗୁଡ଼ାକୁ ଦେଖି ଭଗବାନ ପ୍ରକୃତରେ କେତେ ହସୁ ନଥିବେ ! ତାଙ୍କର କାମ ଲାଗି ଗଢ଼ାହୋଇଥିବା ଆସ୍ଥାନଗୁଡ଼ିକୁ ଆମେ ଉଭୟକାମିତା ଏବଂ ଉଭୟପାଦିତାଦ୍ଵାରା ଭାରି ଭଣ୍ଡୁର କରି ରଖିଥାଉ । ଉଭୟପାଦିତା ଓ ଆମର ଉଭୟକାମିତାଗୁଡ଼ିକ ଅତ୍ୟନ୍ତ ଦୟନୀୟ ଭାବରେ ଧରାପଡ଼ି ଯାଉଥାଏ । ଆମର ଲୋଭଗୁଡ଼ିକ ଏଠି ବାନ୍ଧିହୋଇ ରହିଥିବା ପର୍ଯ୍ୟନ୍ତ ଭଗବାନ ମଧ୍ୟ ରସିକତା କରି ଆମକୁ ଏହିଠାରେହିଁ ସଫଳତା ପରେ ସଫଳତା ଆଣି ଦେଉଥାନ୍ତି, ବହୁବିଧ ଇହମଧୁରତାଦ୍ଵାରା ଆମର ମୁହଁକୁ ବାନ୍ଧିରଖିଥାନ୍ତି । ସେହି ସଫଳତାଗୁଡ଼ିକହିଁ ଆମକୁ ସାରିଦିଏ, ଆମର ଆସ୍ପୃହାଘରଟିକୁ କିଳି ରଖିଥାଏ । ଆମେ ଭିତରେ ଅସ୍ପୃଶ୍ୟ ହୋଇରହିଥାଉ ।

 

ଆମ ପାଠଚକ୍ର, ଶିକ୍ଷାକେନ୍ଦ୍ର ଓ ସାଧନାସ୍ଥଳଗୁଡ଼ିକରେ ଆମେ ଉଭୟପାଦୀ ହେବାକୁ କଦାପି ଉତ୍ସାହ ଦେଖାଇବା ନାହିଁ । ଉଭୟକାମିତାର ଦୁର୍ଭାଗ୍ୟରୁ ମୁକୁଳି ଆମେ ପରସ୍ପରକୁ ରକ୍ଷା କରିବାପାଇଁ ଚେଷ୍ଟା କରିବା, ଆମେ ଆସକ୍ତିଗୁଡ଼ିକୁ ସମ୍ପ୍ରସାରିତ କରି ଆସ୍ପୃହାରେ ରୂପାନ୍ତରିତ କରିଦେବା । ପୃଥିବୀ ଯେଉଁ ଅସନା ଭିତରେ ରହିଛି, ସେହି ଅସନାର ବହ୍ଵାଡ଼ମ୍ବର ଭିତରେ ଆମେ ଆଉ କୌଣସି ପ୍ରକାର ସଫଳତା ଲାଭ କରିବାକୁ ବ୍ୟଗ୍ରତା ଦେଖାଇବା ନାହିଁ । ଏହି ଅସନା ସହିତ ନିଜକୁ ଖାପ ଖୁଆଇ ରଖି ଅର୍ଥାତ୍ ପୁରୁଣାଗୁଡ଼ାକ ସହିତ ସମୁଦିପଣ କରି ଆମେ ନିଜକୁ କିମ୍ବା ପରସ୍ପରକୁ ମୋଟେ ଧୋକା ଦେବାନାହିଁ । ଆମ ପାଠଚକ୍ର, ଆମ ଶିକ୍ଷାକେନ୍ଦ୍ର ଓ ଆମର ସାଧନାଗୃହଗୁଡ଼ିକ ବାହାରୁ ଦେଖିବାକୁ ମଧ୍ୟ ଭବିଷ୍ୟତ୍‍ର ସେହି ପରବର୍ତ୍ତୀ ଅନ୍ୟ ପୃଥିବୀଟିର ସନ୍ତକ ହୋଇରହିବ । ତେବେ ଯାଇ ଆମେ ସତକୁସତ ସେଇ ଭବିଷ୍ୟତ୍‍କୁ ପ୍ରସ୍ତୁତ କରି ଆଣିବାରେ ସକ୍ରିୟ ବହୁଭାବରେ ସହଯୋଗ କରି ପାରିବା । ଏକାଠି ତାଙ୍କର ଯନ୍ତ୍ରରୂପେ କାର୍ଯ୍ୟ କରିବାକୁ ହେଲେ ଆମମାନଙ୍କ ସାମୂହିକ କ୍ଷେତ୍ରଗୁଡ଼ିକରେ ଯେଉଁ ସଖ୍ୟ ଓ ସହାନୁଭବ ସର୍ବପ୍ରଧାନ ହୋଇ ରହିବା ଉଚିତ, ଆମ ଜୀବନର ଆଠପହରଯାକ ସେହି ସଖ୍ୟର ସନ୍ତକ ହୋଇ ରହିପାରିବା ଉଚିତ । ଆମ ଭିତରେ ଯେପରି କୌଣସି ଉଭୟକାମୀ ଆସକ୍ତି ଓ ଉଭୟପାଦୀ ଲାଳସା ପ୍ରଚ୍ଛନ୍ନ ହୋଇ ରହି ନଯାଏ, ସେଥିଲାଗି ଆମକୁ ଆମର ସକଳ ସମ୍ବନ୍ଧକୁ ମଧ୍ୟ ବିନୟଯୁକ୍ତ କରି ରଖିବାକୁ ପଡ଼ିବ । ତେବେଯାଇ ଆମର ଅନୁଷ୍ଠାନ ଓ ଉଦ୍ୟମଗୁଡ଼ିକ ଯଥାର୍ଥରେ ତାଙ୍କର ଆସ୍ଥାନରୂପେ କାର୍ଯ୍ୟ କରିପାରିବେ । ନହେଲେ, ଦୋକାନଗୁଡ଼ିକ କେଡ଼େ ମନୋହର ଦିଶୁଥିବ, ବାନାମାନେ କେଡ଼େ ଦର୍ପରେ ଉଡ଼ୁଥିବେ ଓ ଆମ ସମସ୍ତଙ୍କର ମସ୍ତକ ଉପରେ ଚିତାଗୁଡ଼ାକ ହୁଏତ କେଡ଼େ ଦାଉଦାଉ ହୋଇ ଶୋଭା ପାଉଥିବ ସିନା, ଆମେ ତଥାପି ବହୁ ଦ୍ଵନ୍ଦ୍ଵ ଓ ବହୁ ବୈମନସ୍ୟ ଭିତରେ ଘାଣ୍ଟିହେବାରେ ଲାଗିଥିବା, ପରସ୍ପର ଉପରେ ଦୋଷ ବୋଳିବାରେ ଲାଗିଥିବା, ଏବଂ ଏହି ମନ୍ଦିରଗୁଡ଼ିକର ଓ ଏହି ଆହ୍ଵାନଗୁଡ଼ିକର ଅଯୋଗ୍ୟ ହୋଇ ରହିଥିବା ।

 

ନବଜ୍ୟୋତି, ନଭେମ୍ବର ୨୪, ୧୯୮୯

Image

 

ଅଭୀପ୍ସା ଅନୁସାରେ କରୁଣା

 

“People believe that the Grace means making everything smooth for all your life. It is not true.”–ମାତୃ ରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ, ୧୯୮୦, ପୃଷ୍ଠା-୧୯୪ ।

 

ଭଗବାନଙ୍କୁ ଅନେକ ମଣିଷ କରୁଣାମୟ ବୋଲି କହିଛନ୍ତି । ଯୁଗେଯୁଗେ କହି ଆସିଛନ୍ତି, ଏବେ ମଧ୍ୟ କହୁଛନ୍ତି । ଆମ ଭାରତବର୍ଷରେ ବିଭିନ୍ନ ଛନ୍ଦବନ୍ଧ ଦେଇ ସେହି କଥାଟିକୁ କେଡ଼େ ଆଶ୍ଵସ୍ତିର ସହିତ କୁହାହୋଇ ଆସିଛି । କିଏ ଧନ ଗଦାକରି ରଖିଛି, କିଏ ଅଙ୍ଗଦ ପରି ଆପଣାର ଲାଙ୍ଗୁଳଟାକୁ ଗୁଡ଼ାଇ ଗୁଡ଼ାଇ ମଥାନେ ଉଚ୍ଚ କରି ତାହାରି ଉପରେ ଯାଇ ବସିଛି ଓ ରାକ୍ଷସ ପରି ଉଚ୍ଚ ଦିଶିବ ବୋଲି ଇଚ୍ଛା କରୁଛି । ତାହା ହାତରେ କ୍ଷମତା, କାହା ପାଖରେ ଜ୍ଞାନ, ଏବଂ କାହା ପାଖରେ କେତେ କେତେ ପ୍ରକାରର ସୁଖ, କେତେ କେତେ ପ୍ରକାରର ଅତିରିକ୍ତତା । ସେମାନେ ସମସ୍ତେ ବିଶ୍ଵାସ କରୁଛନ୍ତି ଯେ ପରମ ଜଗତକର୍ତ୍ତାଙ୍କର କରୁଣାରୁହିଁ ସେମାନଙ୍କୁ ଏସବୁ ମିଳିଛି, ସୁଖ ମିଳିଛି, ଗରିମା ମିଳିଛି, ଏବଂ ଗୌରବ ମିଳିଛି । ଭାରତବର୍ଷରେ କର୍ମବାଦ ବୋଲି ଯେଉଁ ଅସାମାଜିକ ଅନ୍ଧନ୍ୟାୟଟି ଆମ ସମାଜର ପ୍ରାୟ ଏକ ନିୟାମକ ସୂତ୍ର ପରି ରହିଆସିଛି, ଅନେକେ ସତେଯେପରି ସେହି କର୍ମକୁ କୌଣସି କରୁଣା ନାମକ ଗୋଦାମରୁ କମାଇ କରି ଆଣିଥିବା ପରି ବିଚାର କରିଥାନ୍ତି । ଭଗବାନ ସେମାନଙ୍କୁ ଦେଇ ନଥିଲେ ସେମାନେ ପାଇଥାଆନ୍ତେ କୁଆଡ଼ୁ ? ଭଗବତ୍ କରୁଣା ବ୍ୟତୀତ ସେମାନଙ୍କର କର୍ମ ଏପରି ତେଜ ହୋଇ ରହିଥାନ୍ତା କିପରି ? ଅଧ୍ୟାତ୍ମର ତରାକୁ ଉପରେ ଏହି ବିଶ୍ଵାସର ପରମ୍ପରାଟିକୁ ମଧ୍ୟ ତଉଲି ଦେଖାଯାଇ ପାରିବ । ଆମେ ଅନେକ ସମୟରେ ଆମକୁ ସୁହାଇବ ବୋଲି ଆମ ନିଜର ତରାଜୁ ଉପରେ ଅଧ୍ୟାତ୍ମକୁ ତଉଲିବାର ଅଭ୍ୟାସରେ ମାତିଯାଉ ସତ, ମାତ୍ର ତଦ୍ଦ୍ଵାରା ସ୍ଵୟଂ ବିଡ଼ମ୍ବନା ଭିତରେ ପଡ଼ି ରହିଥାଉ । ଆମେ ଗଡ଼ିଆ ଭିତରୁ ବାହାରି ପାରୁନାହିଁ କି ଆଖି ସଫା କରି ମୋଟେ ଦେଖି ପାରୁନାହିଁ ।

 

ଆମ ଗୋଡ଼ରେ କଣ୍ଟାଟିଏ ପଶିବ ନାହିଁ, ଆମ ଜୀବନରେ ଦୁଃଖ ବୋଲି କିଛି ରହିବ ନାହିଁ, ସବୁ ସୁରୁଖୁରୁ ଭାବରେ ଘଟିଯାଉଥିବ, ଅଗ୍ରଗତି କରୁଥିବ–ଏବଂ, ନିତାନ୍ତ ସାଂସାରିକ ଅର୍ଥରେ ଏସବୁ ହେଉଥିବ,–ପୁରୁଣା ପୃଥିବୀର ଅନେକ ମଣିଷ ଭଗବାନଙ୍କର କରୁଣା କହିଲେ ଆପଣା ଜୀବନରେ ଏହିସବୁକୁହିଁ ବୁଝିଥାନ୍ତି । ଏହିଭଳି ଏକ କରୁଣାକୁ ଲୋଡ଼ିହିଁ ସେମାନେ ଭଗବାନଙ୍କ ପାଖକୁ ଯାଆନ୍ତି । ମନ୍ଦିରରେ ସେମାନେ କେତେ ମନାସ କରନ୍ତି, ଭଗବାନଙ୍କ ପାଇଁ କେତେ କ’ଣ ଖଞ୍ଜିଦିଅନ୍ତି, ଏବଂ ତାହାରି ବଦଳରେ ଆପଣାଲାଗି ଚିକ୍କଣ, ସମତଳ, ସୁଖମୟ ଜୀବନଟିଏ ମାଗୁଥାନ୍ତି । ନିଜ କାମନାର ଅଭିଧାନ ଅନୁସାରେ ସେମାନେ କରୁଣାର ଅର୍ଥଟିଏ ବାହାର କରୁଥାନ୍ତି । ଯୁଗକୁ ସୁହାଉଥିବା ପୁରୋହିତମାନେ ସେହି ଅର୍ଥର ଆବୃତ୍ତି କରନ୍ତି । ମନ୍ଦିରରେ ମହୋତ୍ସବ ଲାଗି ରହିଥାଏ । ଆମ ଭିତରେ ଯେଉଁଠି ଭଗବାନ ଆମ ଲାଗି ସତକୁସତ ଅପେକ୍ଷା କରି ରହିଥାନ୍ତି, ସେଇଟି ସହିତ କେବଳ ଆପଣା ଲାଗି ନିରାମୟକାମୀ ମଣିଷମାନଙ୍କର ସମ୍ଭବତଃ ଆଦୌ କୌଣସି ଯୋଗସୂତ୍ର ନଥାଏ । ନିଜର ଅସଲ ଘରେ ପ୍ରାୟ ସମସ୍ତ ଉନ୍ମୋଚନ ନିଷିଦ୍ଧ ହୋଇ ରହିଥିବା ମଣିଷମାନଙ୍କର ବରାଦରେ ମନ୍ଦିରମାନଙ୍କରେ କେଡ଼େ ଆନନ୍ଦରେ ଘଣ୍ଟ ବାଜୁଥାଏ । ମଣିଷମାନେ କରୁଣାର ଜୟଜୟକାର କରୁଥାନ୍ତି ।

 

ମାଆ କହୁଛନ୍ତି It is not true-ଏପରି ହୁଏ ନାହିଁ । କରୁଣା ଏକ ନିଦ ଔଷଧ ନୁହେଁ ଯେ ତାହା ଆମକୁ ସୁଖ ଭିତରେ ସଫଳତା ଭିତରେ, ସମତଳଟା ଭିତରେ ଶୁଆଇ ପକାଇବାକୁହିଁ ଆପଣାର କାର୍ଯ୍ୟ ବୋଲି ଗ୍ରହଣ କରି ନେଇଥାଏ । ଜାଲରେ ଛନ୍ଦିହୋଇ ରହିଥିବା ଓ ସେହିପରି ଛନ୍ଦିହୋଇ ରହିବାକୁ ଏହି ମର୍ତ୍ତ୍ୟଜୀବନର ପରମ ପଦାର୍ଥ ବୋଲି ମାନୁଥିବା ମଣିଷମାନେ ଆଉ ଅଧିକ କ’ଣ କରି ପାରନ୍ତେ ? କରୁଣା ହେଉଛି ଏକ ଆହ୍ଵାନ, ଏକ ବିମୋଚନକାରୀ ଆହ୍ଵାନ । ମଣିଷ ନିଦରେ ଶୋଇଥିବାବେଳେ ଯେପରି ହୁଏ, ନିଜପାଇଁ ତୁଚ୍ଛା ସୁଖକାମନାଗୁଡ଼ାକ ଭିତରେ ଶୋଇ ରହିଥିବାବେଳେ ସିଏ ସେହି ଆହ୍ଵାନକୁ କଦାପି ଶୁଣିପାରେ ନାହିଁ । ତାକୁ ବାନ୍ଧି ରଖିଥିବା ଦଉଡ଼ିମାନେ ସତେଅବା କେଡ଼େ ଭଲ ଲାଗୁଥାନ୍ତି । ତେଣୁ, ଦଉଡ଼ିଗୁଡ଼ାକୁ ଛିଣ୍ଡାଇ ମୁକ୍ତ ହୋଇ ବାହାରି ଆସିବାକୁ ତା’ର ମୋଟେ ମନ ହୁଏ ନାହିଁ । ଆପଣାର ବହୁ ନିଦ ଓ ବହୁ ଫାଶରୁ ମୁକ୍ତ ହୋଇ ପାରିଲେ ଯାଇ ଯେ ମଣିଷ ଯଥାର୍ଥ କରୁଣାର ଭାଜନ ହୁଏ, ଓ ଭାଜନ ହେଉ ହେଉ ବିମୋଚିତ ହୁଏ ଏବଂ ବିମୋଚିତ ହୋଇ ତାହାରି ଏକ ଯନ୍ତ୍ର ହୋଇ ବାହାରେ, ନିଦଗୁଡ଼ାକର ନିଶ୍ଚିତ ସମତଳରେ ରହିବାକୁହିଁ ଜୀବନର ନିରାପଦତମ କାମ୍ୟ ବୋଲି ଗ୍ରହଣ କରି ନେଇଥିବା ମଣିଷ ତାହାର ରହସ୍ୟ ଭିତରେ ପଶିପାରିବ କିପରି ?

 

ଦିବ୍ୟ ପରମ କରୁଣାର କାର୍ଯ୍ୟ ହେଉଛି ଏକ ବିମୋଚନକାରୀ କାର୍ଯ୍ୟ । ପୃଥିବୀର ମଣିଷମାନଙ୍କୁ ସେମାନେ ଆଦରି ରହିଥିବା ନାନା ଫାଶରୁ ତାହା ସେମାନଙ୍କୁ ମୁକ୍ତ କରିବାକୁହିଁ ଆପଣାକୁ ସକ୍ରିୟ କରି ରଖିଥାଏ । ଯୋଉମାନେ ଫାଶଗୁଡ଼ାକୁ ଇହଜୀବନର ଅସଲ ନାଡ଼ି ବୋଲି ଧରି ନେଇଥାନ୍ତି, ସେମାନେ ହୁଏତ ସେହି ସକ୍ରିୟତାର ମଣ୍ଡଳ ଭିତରୁ ଆପଣାକୁ ବାହାରେ ବାହାରେ ରଖିଥାନ୍ତି । ମାଆ କହିଛନ୍ତି, ମନୁଷ୍ୟର ସଂସାରରେ ଏହି କରୁଣା ଆପଣାକୁ କାର୍ଯ୍ୟକାରୀ କରିବାର ଦୁଇଟି ଦିଗ ବା ବିଭାବ ରହିଛି । ଏହି ଦୁଇଟି ବିଭାବ ମଧ୍ୟରୁ କେଉଁଟି ଅଧିକ ବା କେଉଁଟି ଅଳ୍ପ, ସେକଥା ଆଦୌ ନୁହେଁ । ମାଆଙ୍କ ଭାଷାରେ ଦୁଇଟିଯାକ ପରସ୍ପରର ଅନୁପୂରକ । ଦୁଇଟିଯାକ ସମାନ ଭାବରେ ଅପରିହାର୍ଯ୍ୟ । ଅର୍ଥାତ୍, ନିଜ ଜୀବନରେ ଆମେ କରୁଣାର ଏହି ଦୁଇଟିଯାକ ବିଭାବକୁ ଆବାହନ କରି ଆଣିପାରିଲେ ଯାଇ ଆମର ବିମୋଚନ ଏବଂ ଅଧ୍ୟାତ୍ମ ବିଚରଣ ସମ୍ପୂର୍ଣ୍ଣ ହୋଇ ପାରିବ । ଗୋଟିକର ଅଭାବରେ ଆରଟି ହୁଏତ ଅସମ୍ପୂର୍ଣ୍ଣ ବା ଖଣ୍ଡିଆ ହୋଇ ରହିଯିବ । ଅର୍ଥାତ୍, ପୃଥିବୀପୃଷ୍ଠରେ ଭଗବାନଙ୍କ କାର୍ଯ୍ୟରେ ଆମର ସହଯୋଗ ମଧ୍ୟ ଅସମ୍ପୂର୍ଣ୍ଣ ରହିଯିବ । ଏହି ପ୍ରସଙ୍ଗଟିର ଆଲୋଚନା କରି ମାଆ କହିଛନ୍ତି ଯେ ଆମେ ସମସ୍ତେ ଅଧିକାଂଶ କ୍ଷେତ୍ରରେ ସେହି କଥାଟିକୁ ହୃଦୟଙ୍ଗମ କରି ପାରୁନାହିଁ । (ତତ୍ରୈବ, ପୃଷ୍ଠା-୧୯୯) ଦୁଇଟି ମଧ୍ୟରୁ ଗୋଟିକ ଲାଗି ଅଧିକ ଉତ୍ସୁକତା ଦେଖାଉ ଏବଂ ଅନ୍ୟଟିଠାରୁ ଦୂରଛଡ଼ା ହୋଇ ରହିଥାଉ । ଗୋଟିକୁ ସବୁଯାକ ବୋଲି ମାନୁ ଏବଂ ତେଣୁ ପ୍ରାୟ ଅଧାପନ୍ତରିଆ ହୋଇ ରହିଯାଉ ।

 

ଦୁଇଟି ବିଭାବକୁ ମାଆ ଏହିପରି ଭାବରେ ଆମଲାଗି ବିଶ୍ଳେଷଣ କରି ଦେଇଛନ୍ତି । ପରମ କରୁଣା ଆମ ଜୀବନକୁ ସ୍ପର୍ଶ କରି ତାହାକୁ ଅଖଣ୍ଡ ପ୍ରଶାନ୍ତିରେ ଭରିଦିଏ । ସେହି ପ୍ରଶାନ୍ତିହିଁ ଆମ ଜୀବନର ସର୍ବନିୟାମକ ଅଧିଷ୍ଠାତା ହୋଇ ରହେ ସମସ୍ତ ଉଦ୍‌ବେଗ ଓ ଉଦ୍‌ବିଗ୍ନତା ଦୂର ହୁଏ, ସକଳ ପ୍ରକାରର ସଂଘାତ ଏକ ସମଞ୍ଜସତା ଭିତରେ ବିଲୀନ ହୋଇଯାଏ । ସମଞ୍ଜସତା ଆମ ଜୀବନର ସକଳ ଦୁଃଖଭୋଗର ଅପନୋଦନ କରାଏ । ଏବଂ, ଦ୍ଵିତୀୟ ବିଭାବଟି କ’ଣ ? ମାଆଙ୍କର ବିଶ୍ଳେଷଣ ଅନୁସାରେ, ସେଇଟି ହେଉଛି ଏକ ଅତ୍ୟନ୍ତ ଗତିଶୀଳ ଓ ଅତ୍ୟନ୍ତ ଶକ୍ତିଶାଳୀ ଅଗ୍ରଗତି । ସେହି ଅଗ୍ରଗତି ଆମକୁ ଯାବତୀୟ ବନ୍ଧନ ଓ ପାଶରୁ ମୁକ୍ତ କରାଏ, ସତତ ମୁକ୍ତ କରାଇ ନେଉଥାଏ । ଆମର ଯାବତୀୟ ଜଡ଼ତା ମଧ୍ୟରୁ ଆମକୁ ମୁକୁଳାଇ ନେଇଯାଏ । ଜୀବନରେ ଆମେ ପାହାଚ ପାହାଚ ଉଠିବାରେ ଲାଗିଥାଉ, ଚେତନାର କ୍ରମାରୋହଣ ଲାଗି ରହିଥାଏ । ସେହି କ୍ରମାରୋହଣ ହେଉଛି ଅଗ୍ରଗତି । ଏହି ଅଗ୍ରଗତି ଆମକୁ ପାଖୁଡ଼ା ପାଖୁଡ଼ା କରି ଖୋଲି ଦେଉଥାଏ-। ଆମେ ସତେଯେପରି ଅଭୀପ୍ସିତ କେଉଁ ଶିଖରଦେଶର ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାରେ ଲାଗିଥାଉ ।

 

ଗୋଟିଏ ପ୍ରଶାନ୍ତି, ଆରଟି ଅଗ୍ରଗତି । ସାଧନାର ବୃକ୍ଷରେ ପ୍ରଶାନ୍ତି ଭୂଇଁର କାମ କରେ, ଅଗ୍ରଗତି ଆମକୁ ଅପେକ୍ଷମାଣ ଆକାଶଗୁଡ଼ିକ ଆଡ଼କୁ ପ୍ରସାରିତ କରିନିଏ । ପ୍ରଶାନ୍ତି ବିନା ପ୍ରସାରଣ କଦାପି ସମ୍ଭବ ନୁହେଁ, ପ୍ରସାରଣ ବିନା ପ୍ରଶାନ୍ତି ପ୍ରାୟ ନିଷ୍ଫଳା ହୋଇ ରହିଯାଏ । ମାଆ କହିଛନ୍ତି, ସମସ୍ତେ ସେହି ପ୍ରଶାନ୍ତିକୁ ଇଚ୍ଛା କରନ୍ତି, ତାହାକୁ ଏକ ଦିବ୍ୟ ପରମ ଦାନ ବୋଲି ଗ୍ରହଣ କରିବା ଲାଗି ସଦା ଇଚ୍ଛୁକ ହୋଇ ରହିଥାନ୍ତି । ମାତ୍ର, ସମସ୍ତେ ପ୍ରଗତିର ସେହି ଦ୍ଵିତୀୟ ବିଭାବଟିକୁ ଆମନ୍ତ୍ରଣ କରି ଆଣିବାକୁ ମନ କରି ପାରନ୍ତିନାହିଁ । ସେମାନେ ସେହି ପ୍ରଥମ ପାହୁଣ୍ଡରେହିଁ ରହିଯାଆନ୍ତି । ମାଆଙ୍କ ଭାଷାରେ ଯେଉଁମାନଙ୍କର ଅଭୀପ୍ସା ପ୍ରଗାଢ଼ ହୋଇ ପାରିଥାଏ, ଯେଉଁମାନଙ୍କର ଜୀବନରେ ଅଭୀପ୍ସା ସହିତ ସାହସ ସାଥୀ ବା ଉତ୍‌ପ୍ରେରକ ପରି ହୋଇ ରହିଥାଏ, କେବଳ ସେହିମାନେ ଏହି ଦ୍ଵିତୀୟଟିକୁ ମଧ୍ୟ ଆପଣାର ସ୍ଵାଗତ ଜଣାନ୍ତି । ସମସ୍ତେ ପାରନ୍ତିନାହିଁ; ଆହୁରି ନିର୍ଭୁଲ ଭାବରେ କହିଲେ ଇଚ୍ଛା କରନ୍ତି ନାହିଁ ବୋଲି ପାରନ୍ତି ନାହିଁ । ସେମାନେ ପ୍ରଥମଟିକୁହିଁ ଯଥେଷ୍ଟ ମଣନ୍ତି, ତେଣୁ ପ୍ରଥମଟିରେହିଁ ରହିଯାଆନ୍ତି । ଜୀବନରେ ପରମ କରୁଣାର ସ୍ପର୍ଶ ବାଜିଲେ ଯେଉଁ ପ୍ରଶାନ୍ତି ଉପଲବ୍ଧ ହୁଏ, ଅନେକ ମଣିଷଙ୍କ ଲାଗି ସେଥିଭିତରେ ହୁଏତ ଏକ ମୋହକତା ରହିଥାଏ । ଆମଭିତରୁ ଅନେକେ ସତେଅବା ପ୍ରଲୁବ୍‌ଧ ହେଲାପରି ସେହି ମୋହକତା ଭିତରେହିଁ ରହିଯାଆନ୍ତି । ଏକ ଅଖଣ୍ଡ ପ୍ରସନ୍ନତାର ପ୍ରାପ୍ତିକୁ ଜୀବନର ପରମ ପ୍ରାପ୍ତି ପ୍ରାୟ ମଣନ୍ତି । ସେହି ସ୍ଥିତିରୁ ମୋଟେ ଏତେଟିକିଏ ହଲଚଲ ହେବାକୁ ଇଚ୍ଛା କରନ୍ତିନାହିଁ । କେଡ଼େ ଖୁସି ରୁହନ୍ତି, କେଡ଼େ ନିମଗ୍ନ ହୋଇ ରହନ୍ତି, ମର୍ତ୍ତ୍ୟରେ ସତତ ସେହି ମକରନ୍ଦ ପାନ କରିବାକୁହିଁ ଚରମପ୍ରାପ୍ତି ବୋଲି ଗ୍ରହଣ କରନ୍ତି । ସତେ ଯେପରି ଆଉ କିଛି କରିବାର ନଥାଏ, ଆଦୌ କିଛି ଦେବାର ନଥାଏ । ଆଦୌ କୌଣସି ପାହାଚ ଉଠିବାକୁ ଚେଷ୍ଟା କଲେ କାଳେ ଏହି ଅମୋଘ ଶାନ୍ତି ଚହଲି ପଡ଼ିବ, ଆଉ ପାହୁଣ୍ଡେ ପକାଇବାମାତ୍ରକେ କାଳେ ପ୍ରଥମ ପହୁଣ୍ଡଟିର ହାତଛଡ଼ା ହୋଇଯିବ, ସେମାନେ ସେଥିଲାଗି ଆଉ ଆଗକୁ ସାହସ କରନ୍ତି ନାହିଁ । ନିଜକୁ ଅଲୋଡ଼ା କରି ରଖନ୍ତି ।

 

ପୁରାତନ ମାର୍ଗରେ ଯାବତୀୟ ସାଧନା ସମ୍ଭବତଃ ଏହି ପ୍ରସନ୍ନତାଟିକୁ ଲାଭ କରିବାର ସୋପାନ ପର୍ଯ୍ୟନ୍ତ ଆସୁଥିଲା, ତାହାକୁ ଭଗବତ୍ କରୁଣା ପ୍ରାପ୍ତ କରିବାର ପରମ ବରଦାନ ବୋଲି ବିଚାରୁଥିଲା । ଆଉ ଅଧିକ ଆଗକୁ ସାହସ କରିବାକୁ ମନ କରୁ ନଥିଲା । ନିଜପାଇଁ ପରମ ଶାନ୍ତି,-ହୁଏତ ତାହାହିଁ ଅଧିକ ମଣିଷଙ୍କ ସକାଶେ ସାଧନାରେ ପ୍ରାପ୍ତିର ଚରମ ସୀମା ହୋଇ ରହିଛି । ତଥାକଥିତ ଏହି ପ୍ରାପ୍ତିଟି ପାଖକୁ ଆସି ଅଧିକାଂଶ ମଣିଷଙ୍କର ଅଭୀପ୍ସା ମଧ୍ୟ ହୁଏତ ଶାନ୍ତ ହୋଇଯାଉଛି । ଆମ ଚତୁର୍ଦ୍ଦିଗରେ ଏହି ପୃଥିବୀଟି ଏପରି ବହୁ ବିକ୍ଷୋଭ ଓ ବିକୃତିଦ୍ଵାରା ଉପଦ୍ରବମୟ ହୋଇ ରହିଛି ଯେ, ଏଠି ଶାନ୍ତିରେ ବାସ କରିବାକୁ ଓ ଶାନ୍ତିଲାଭ କରି ପ୍ରସନ୍ନ ରହିବାକୁହିଁ ସାଧନାର ସମ୍ଭାବ୍ୟ ସକଳ ପ୍ରାପ୍ତି ବୋଲି ଗ୍ରହଣ କରି ନିଆଯାଉଚି । ନିଜ ଭିତରେ ମଧ୍ୟ ଆମର ନିମ୍ନ ପ୍ରକୃତିର ବହୁ ବନ୍ଧନ ଓ ଉପଦ୍ରବ ଆମକୁ ଏଭଳି କାବୁ କରି ରଖିଛି ଯେ, ଆମେ ସେଗୁଡ଼ିକରୁ ଏକ ଆପାତ ମୁକ୍ତି ଲାଭ କରିବାକୁହିଁ ମୂଳତଃ ଏକ ଶାନ୍ତି ଖୋଜୁଛୁ, ଶାନ୍ତିକୁହିଁ ପରମ ପରିତ୍ରାଣ ବୋଲି ମଣୁଛୁ । ସେହି ଶାନ୍ତି ସତେଅବା ଆମର ଜୀବନକୁ କୃତାର୍ଥ କରି ଦେଉଚି, ଆମର ଆଖିଟାକୁ ମଧ୍ୟ ବୁଜିଦେଇ ଯାଉଛି । ଭିତର ଆଡ଼କୁ ତଥା ବାହାର ଆଡ଼କୁ ବୁଜିଦେଇ ଯାଉଛି । ଆମ ଭିତରଟା ଯେମିତି ଥିଲା ସେମିତି ରହୁଛି, ପ୍ରାୟ ଏକ ବୁଦ୍ଧିଗତ ଉପେକ୍ଷାର ପାଚେରୀ ଦେଇ ଆମେ ଆମର ପୁରୁଣାଟାକୁ ସେପାଖକୁ ଠେଲି ରଖିଦେଉଛୁ, ସତେ ଯେପରି ସେଇଟା ଆମର ନୁହେଁ, ସେହିପରି ନିଜକୁ ବାଆଁରେଇ ଭୁଲାଇ ରଖୁଛୁ ଓ ଏପାଖରେ ଶାନ୍ତି ମଧ୍ୟରେ ବାସ କରୁଛୁ, ତାହାକୁହିଁ ଏହି ମର୍ତ୍ତ୍ୟରେ ସମ୍ଭବ ସବୁକିଛି ବୋଲି ଗ୍ରହଣ କରି ନେଉଛୁ । ଏବଂ, ପ୍ରକାରେ ବିଷୟରେ ମଧ୍ୟ ଠିକ୍ ସେହିପରି ଏକ ଅଜବ ସମାଧାନ କରି ବସୁଛୁ । ବହୁପ୍ରକାରେ ବିକୃତ ଓ ବିକଟାଳ ହୋଇ ରହିଥିବା ପୃଥିବୀଟାକୁ ମଧ୍ୟ ଆମେ ଦୁଇଭାଗରେ ବାଣ୍ଟି ଦେଉଛୁ ଓ ସଜ୍ଜନ ହୋଇ ଆମ ପାଖଟିରେ ରହି ଶାନ୍ତିରେ ବାସ କରୁଛୁ । ସେପାଖର ଯାବତୀୟ ବିକ୍ଷୋଭ ଦୂର ହେବା ବା ନ ହେବାକୁ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କ ହାତରେ ଛାଡ଼ିଦେଉଛୁ । ଆମ ଭିତର ପରି ଆମ ପୃଥିବୀଟା ମଧ୍ୟ ଦୁଇଭାଗ ହୋଇ ରହୁଛି । ଏହା ହେଉଛି, କାରଣ ଆମେ ନିଜ ଭିତରେ, ଚେତନାରେ ଏବଂ ପୃଥିବୀ ସହିତ ରହିଥିବା ଆମ ସମ୍ବନ୍ଧର କ୍ଷେତ୍ରରେ ଏକ ଜଡ଼ତାକୁ ଆଦରି ନେଇଛୁ ।

 

ସେହି ଜଡ଼ତା ଦୂର ହେବ । ଆମ ଭିତରେ ବନ୍ଧନଗୁଡ଼ାକ ତୁଟିଯିବ । ଆମେ ଆଗକୁ ଯିବା ପୁରୁଣାର ପାଶଗୁଡ଼ିକରୁ ମୁକ୍ତ ହୋଇ ଯାଉଥିବା । ତଥାକଥିତ ଶାନ୍ତିକୁହିଁ ଚରମପ୍ରାପ୍ତି ବୋଲି ମାନିନେବା ଓ ଅଗ୍ରଗତିର ସକଳ ମାର୍ଗକୁ ପ୍ରଧାନତଃ ଆପଣା ଭିତରେ ଥିବା ଅବିଶ୍ଵାସର ବାଡ଼ି ଦେଇ ଉଗାଳି ରଖିଥିବା,-ହୁଏତ ଅଧିକାଂଶ ମଣିଷ ଏତିକିରେ ଅଟକି ରହିଥିବେ । ମାତ୍ର, ଆମେ ଯଦି ସତକୁସତ ଏକ ନୂଆ ପୃଥିବୀ ଆସୁଛି ବୋଲି ବିଶ୍ଵାସ କରୁଥିବା, ନୂଆ ପୃଥିବୀର ଆସିବାପାଇଁ ଆପଣାକୁ ଏକ ଯନ୍ତ୍ରରୂପେ ବ୍ୟବହାର କରିବାକୁ ସମ୍ମତି ଦେଇଥିବା, ତେବେ ଆମେ କଦାପି ସେତିକିରେ ଅଟକି ରହିଯିବା ନାହିଁ । ଆମ ଭିତରେ, ଆମର ଚେତନାରେ ଶାନ୍ତି ବିରାଜମାନ କରୁଥିବ ସତ, ମାତ୍ର ଅଭୀପ୍ସା ଅଗ୍ରଗତି ମଧ୍ୟ ଇଚ୍ଛା କରୁଥିବ । ଆମ ଭିତରେ ଆମର ବନ୍ଧନଗୁଡ଼ିକୁ ଛିନ୍ନ କରି ଆମକୁ ସତେଅବା ଗୋଟାଏ କରି ଗଢ଼ିନେବାର ସାହସ ରଖିଥିବ ଏବଂ ବାହାରର ବହୁ ବିଷମତା ଓ ବିରୂପତାକୁ ଦୂର କରି ସେଇଟିକୁ ମଧ୍ୟ ଗୋଟାଏ କରି ଗଢ଼ିବାର ସ୍ଵପ୍ନ ଦେଖୁଥିବ । ଆମେ ଯଦି ପ୍ରଥମ ପାହୁଣ୍ଡଟିକୁହିଁ ଯଥେଷ୍ଟ ବୋଲି ମଣୁଥିବା, ତେବେ ଆମ ଭିତରେ ଭାରି ଖଣ୍ଡିଆ ହୋଇ ରହିବା ଲାଗି ବାଧ୍ୟ ହେଉଥିବା । ଅଶାନ୍ତିଗୁଡ଼ାକୁ ଆମର ଆଉ କୌଣସି ବଳ ପାଉ ନଥିବ; ନିଜ ଭିତରେ ନୁହେଁ କି ନିଜର ବାହାରେ ମଧ୍ୟ ନୁହେଁ । ପୁରୁଣାଗୁଡ଼ିକ ପାଷଣ୍ଡ ହୋଇ ନାଚୁଥିବେ,-ଆମ ଭିତରେ ନାଚୁଥିବେ, ବାହାରେ ମଧ୍ୟ ନାଚୁଥିବେ । ଏକ ମୂଳଭୂତ ଜଡ଼ଟା ଆମକୁ ତାହାର ସମକ୍ଷରେ ଜଡ଼ତାଗ୍ରସ୍ତ କରି ରଖିଥିବ, ଗୀତାର ଭାଷାରେ କ୍ଳୀବ କରି ରଖିଥିବ । ଆମେ ଲାଭ କରିଥିବା ତଥାକଥିତ ଶାନ୍ତି ଆମର ଅଧ୍ୟାତ୍ମଯାତ୍ରାରେ ପ୍ରାୟ ଏକ ବିସ୍ମରଣ ପରି କାର୍ଯ୍ୟ କରୁଥିବ ।

 

ତେଣୁ ଅଭୀପ୍ସାକୁ ଆହୁରି ଅଧିକ ପ୍ରଗାଢ଼ କରିବାକୁ ହେବ, ଯେପରି ଆମେ ପ୍ରାୟ ଏକପଟିଆ ହୋଇ କଦାପି ଶାନ୍ତିଲାଭର ପ୍ରଥମ ପାହୁଣ୍ଡଟିରେ ଅଟକି ରହିଯିବା ନାହିଁ । ଅସଲ ଯନ୍ତ୍ର କାମରେ ଲାଗେ, ତେଣୁ ଶାନ୍ତିଲାଭକୁ ଚରମ ବୋଲି ମାନି ନିଏନାହିଁ । ଶାନ୍ତି ଭିତରେ ବାସ କରିବାର ଫାଶରେ ପଡ଼ି କେତେ କେତେ ଅଧ୍ୟାତ୍ମପୁରୁଷ ଆମ ପୃଥିବୀରେ ନିଜର ନିକାଞ୍ଚନଟିଏ ଖୋଜି ଅଲଗା ହୋଇ ରହିଲେ, ଉପେକ୍ଷାକୁହିଁ ଅବଲମ୍ବନ କରି ରହିଲେ । ସେମାନେ ସମତଳରେ ରହିଗଲେ । ଅନେକ ସମୟରେ ଏକ ନିର୍ମମ ଜଡ଼ତାକୁହିଁ ସମତଳରେ ରହିବା ବୋଲି ଭ୍ରମ କଲେ-। ଏପରି କରି ଆପଣା ଅଗ୍ରଗତିର ସମ୍ଭାବନାଗୁଡ଼ିକୁ ସେମାନେ ସତେଅବା ଅଳ୍ପତା ଓ ନିରାପତ୍ତାର କଣ୍ଟା ଦେଇ କିଳି ରଖିଲେ । ସେହି ଅଳ୍ପତାକୁ ଶାନ୍ତି ବୋଲି କହିଲେ । ପୃଥିବୀମୟ ଅଶାନ୍ତି ଭିତରେ ଅସାହସୀମାନଙ୍କର ସେହି ଶାନ୍ତି ମନ୍ଦିର ହୋଇ ରହିଗଲା, ଆଶ୍ରମ ହୋଇ ରହିଗଲା; ହୁଏତ ଠାକୁରଟିଏ ହୋଇବି ରହିଗଲା । ସାଧନା ବହୁ ସମ୍ପ୍ରଦାୟରେ ବିଭକ୍ତ ହୋଇଗଲା-। ତେଣୁ, ଅନୁପୂରକ ଦ୍ଵିତୀୟ ପାହୁଣ୍ଡଟି ପକାଇବା ଲାଗି ମଧ୍ୟ ଅଭୀପ୍ସା ସାହସୀ ହୋଇ ବାହାରିବା ଉଚିତ, ଅଗ୍ରଗତିକୁ ଜଡ଼ତାରୁ ମୁକ୍ତହେବାକୁ ସମାନ ଭାବରେ ଅପରିହାର୍ଯ୍ୟ ବୋଲି ଗ୍ରହଣ କରିନେବା ଉଚିତ ।

 

ନବଜ୍ୟୋତି, ଫେବୃଆରୀ ୨୧, ୧୯୯୦

Image

 

Unknown

ଯୋଗକ୍ଷତର ଉପଦ୍ରବ

 

ଯୋଗ, ଅର୍ଥାତ୍ ଯୁକ୍ତ ହେବା । ଯୁକ୍ତ ହେବାର ଅର୍ଥ ହେଉଛି ଯାବତୀୟ ଦୂରତାକୁ କାଟିବା । ଯାବତୀୟ ଦୂରତାକୁ କାଟିବା ଯଦି ଯୁକ୍ତ ହୋଇପାରିବା ନିମନ୍ତେ ଅପରିହାର୍ଯ୍ୟ ହୋଇଥାଏ, ତେବେ ସେହି ଦୂରତାଗୁଡ଼ିକୁ ଅତିକ୍ରମ କରିବା ଲାଗି ବାଟ ଚାଲିବା । ଏହି ବାଟଟି ଆଗରୁ ତିଆରି ହୋଇ ରହି ନଥାଏ । ନିଜର ବାଟକୁ ନିଜେ ଆବିଷ୍କାର କରିବାକୁ ହୁଏ, ଅର୍ଥାତ୍ ତିଆରି କରିବାକୁ ହୋଇଥାଏ । ଏହି ଦୃଷ୍ଟିରୁ ଯୋଗୀମାନେ ଲେଖିଥିବା କେତେକ ଶାସ୍ତ୍ରରେ ଯୋଗର ସାଧନାକୁ ଅତିକ୍ରମଣ ବୋଲି କୁହାଯାଇଛି । ଆରୋହଣ ବୋଲି ମଧ୍ୟ କୁହାଯାଇଛି ।

 

ଭାରତବର୍ଷରେ ଯୋଗର ପରମ୍ପରା ହଜାର ହଜାର ବର୍ଷର ପରମ୍ପରା । ଯୁକ୍ତ ହେବାକୁ ଯଦି ଏହି ପରମ୍ପରାରେ ସର୍ବପ୍ରଧାନ ମହତ୍ତ୍ଵ ଦିଆଯାଇଥାନ୍ତା, ତେବେ ଭାରତବର୍ଷ ସତକୁସତ କେତେ ଐଶ୍ଵର୍ଯ୍ୟରେ ଐଶ୍ଵର୍ଯ୍ୟବାନ୍ ହୋଇ ରହି ନଥାନ୍ତା ! ଅତିକ୍ରମଣ ବା ଆରୋହଣ ଆଦି କର୍ମରେ କୁଶଳତା ଲାଭ କରିବାକୁ ଯଦି ସବାଆଗ କଥା ବୋଲି ସତକୁସତ ଗୁରୁତ୍ଵ ଦିଆଯାଇଥାନ୍ତା, ତେବେ ହଜାର ହଜାର ବର୍ଷର ପରମ୍ପରା ଆମର ଅନ୍ତର୍ଗତ ତଥା ବହିଃସ୍ଥ ଜୀବନକୁ ଏଠି କେଡ଼େ ଉଜ୍ଜ୍ଵଳ କରିଦେଇ ନଥାନ୍ତା ! ଯଦି ସାଧନାର ସ୍ତରରେ ଯୁକ୍ତ ହେବାକୁହିଁ ସର୍ବପ୍ରଧାନ ଧ୍ୟେୟ ବୋଲି ଗ୍ରହଣ କରାଯାଇଥାନ୍ତା, ତେବେ ଯୋଗ ଭିତରେ ଏତେସବୁ ସମ୍ପ୍ରଦାୟ କାହିଁକି ସୃଷ୍ଟି ହୋଇଥାନ୍ତା ? ଯେଉଁମାନେ ସତକୁସତ ଦିଅଁଙ୍କର ଦର୍ଶନପାଇଁ ଦେଉଳକୁ ଯାଉଥାନ୍ତି, ସେମାନଙ୍କ ମଧ୍ୟରେ କାହିଁକି ଏତେ ଝଗଡ଼ା ଲାଗିବ ? ଗୋଟାଏ ଦିଅଁ କାହିଁକି ଦଶଟା ଦିଅଁରେ ଭାଙ୍ଗି ଚୂରମାର ହୋଇଯିବେ, ଗୋଟାଏ ଦେଉଳ କାହିଁକି ଦଶଟା ହେବ, ଗୋଟାଏ ସମ୍ପ୍ରଦାୟ କାହିଁକି ଜିରାରୁ ଶିରା ଉଖାରିଲା ପରି କାଳକ୍ରମେ ଦଶଟା ସମ୍ପ୍ରଦାୟରେ ଖିନ୍‍ଭିନ୍ ହୋଇଯିବ ? ଯିଏ ସକଳ ଭୁବନର କର୍ତ୍ତା, ଯିଏ ସକଳ ଭୁବନକୁ ପରିପୂର୍ଣ୍ଣ କରି ବିରାଜମାନ ରହିଛନ୍ତି, ଯିଏ ଆମ ହୃଦୟ ଭିତରେ ମଧ୍ୟ ଅଛନ୍ତି, ଆମେ ଭାଗ ଭାଗ ଓ ବିବଦମାନ ଭାବରେ ଏହିପରି ଅଯୁକ୍ତ ଓ ଅଲକ୍ଷଣା ହୋଇ ରହୁ ବୋଲି ସିଏ କ’ଣ ସତରେ ଇଚ୍ଛା କରୁଥିବେ ?

 

ଜ୍ଞାନ, କର୍ମ ଓ ଭକ୍ତି,–ଏଗୁଡ଼ିକ ଯୋଗସାଧନାର ବାଟ । ଯିଏ ନିଜ ଭିତରେ ଅସଲ ସାଧକଟିକୁ ଠାବ କରିପାରିଛି ଓ ଅସଲ ଦିଅଁଟିର ଆହ୍ଵାନକୁ ଶୁଣିପାରିଛି, ସିଏ ନିଜ ଅନୁଭବରୁ ଅବଶ୍ୟ କହିବ ଯେ, ଏଗୁଡ଼ିକ ପରସ୍ପରଠାରୁ ମୋଟେ ଅଲଗା ନୁହନ୍ତି,–ଏମାନେ ପରସ୍ପରର ପରିପୂରକ । ପରିପୂରକ ଭାବରେହିଁ ଗୋଟିଏ ସୁସ୍ଥ ବାଟ । ଯେଉଁଠାରେ, ଏହି ତିନୋଟି ମଧ୍ୟରୁ କୌଣସି ଗୋଟିଏ ଅନ୍ୟ ଦୁଇଟିକୁ ଉପେକ୍ଷାପ୍ରାୟ କରି ଏକମୁହାଁ ହୋଇ ଆଗେଇ ଯାଏଁ, ତାହା ଜୀବନରେ, ସାଧନାରେ ଏବଂ ଉପଲବ୍ଧିରେ ବହୁ ଅସ୍ଵାସ୍ଥ୍ୟର କାରଣ ହୁଏ । କର୍ମ ଓ ଭକ୍ତିକୁ ଛାଡ଼ି ତଥାକଥିତ କେବଳ ଜ୍ଞାନ ନିର୍ମମ ହୁଏ, ଜ୍ଞାନ ଓ କର୍ମକୁ ଛାଡ଼ି ତଥାକଥିତ କେବଳ ଭକ୍ତି ସଚରାଚର ଏକ ସ୍ପର୍ଶକାତର ଭାବପ୍ରବଣତାରେ ପରିଣତ ହୁଏ ଏବଂ, ଭକ୍ତି ଜ୍ଞାନକୁ ଛାଡ଼ି ତଥାକଥିତ ତୁଚ୍ଛା କର୍ମ ପ୍ରାୟ ଏକ ବିଚାରହୀନ ଏବଂ ବହୁକ୍ଷତିକାରକ ମିଛ ତତ୍ପରତାରେ ପରିଣତ ହୋଇଯାଏ । ଏକଥା ସାଧନାର ମାର୍ଗରେ ପ୍ରତ୍ୟେକ ସାଧକ ଅନୁଭବ କରିଥାଏ ଓ ତେଣୁ ଖାଲି କର୍କଶ ଦଉଡ଼ିଟିଏ ନ ହୋଇ କୋମଳ ବେଣୀଟିଏ ହେବାକୁ ଉଦ୍ୟମ କରିଥାଏ । ଜ୍ଞାନ, କର୍ମ ଓ ଭକ୍ତି ହେଉଛନ୍ତି ସେହି ବେଣୀର ତିନୋଟି ସରି । ବେଣୀଟିଏ ହୋଇ ପାରିବାରୁହିଁ ନମନୀୟତା ଆସେ, ଦୃଷ୍ଟିରେ ସମଗ୍ରତା ଆସେ । ଯୋଗାଡ଼ ଆରୋହଣ-ମାର୍ଗରେ ଏପରି ଗୋଟିଏ ସ୍ଥିତି ରହିଛି, ଯେଉଁଠାରେ ପହଞ୍ଚିଲେ ସାଧକ ଆପଣାକୁ ଜ୍ଞାନୀ, ଭକ୍ତ ବା କର୍ମୀ ବୋଲି ନିର୍ଦ୍ଦିଷ୍ଟ କରି ଆଦୌ କିଛି କହିପାରେ ନାହିଁ । ସିଏ କେବଳ ଯୁକ୍ତ ହୋଇ ରହିଥାଏ, ସେହି ଯୁକ୍ତ ହେବାର ଚେତନାଟିହିଁ ପରମ ବରଦାନ ପରି ତା’ର ଜୀବନକୁ ପ୍ରତିଭାତ ଓ ପ୍ରସନ୍ନ କରି ରଖିଥାଏ ।

 

ଶ୍ରୀଅରବିନ୍ଦଙ୍କର ଯୋଗର ବିଶେଷ ନାମଟି ହେଉଛି ସମଗ୍ର ଯୋଗ, ପୂର୍ଣ୍ଣଯୋଗ । ଯୋଗ ସମ୍ବନ୍ଧରେ ସେ ଯେଉଁ ବିଶେଷ ଗ୍ରନ୍ଥଟି ଲେଖିଛନ୍ତି, ତାହାର ନାମ ହେଉଛି ‘ଯୋଗସମନ୍ଵୟ’-। ଅଲଗାଅଲଗା ଯେତେଟା ବାଟ ଅଛି, ସବୁଗୁଡ଼ିକୁ ଏକାଠି ମିଶାଇ ଏକ ଆଖିଦୃଶିଆ ସମଷ୍ଟିର ଅବତାରଣା କରିବାକୁ ଶ୍ରୀଅରବିନ୍ଦ ସମନ୍ଵୟ ବୋଲି କହି ନାହାନ୍ତି । ସମନ୍ଵୟ ଦୃଷ୍ଟିର କ୍ଷେତ୍ରରେ, ସଂଯୁକ୍ତ ହେବାର କ୍ଷେତ୍ରରେ । ପରମ ଆସ୍ପଦଙ୍କୁ ଏକାବେଳେକେ ନିଜର ଭିତରେ ଓ ନିଜର ବାହାରେ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିବାର କ୍ଷେତ୍ରରେ । ସମନ୍ଵୟ ନଥିଲେ ସାଧନା ଖଣ୍ଡିଆହିଁ ରହିଯିବ । ଅନେକ ମଣିଷ ତାଙ୍କୁ କେବଳ ନିଜ ଭିତରେହିଁ ଦେଖନ୍ତି, ସଂସାର ଭିତରେ ଦେଖିବେ ନାହିଁ ବୋଲି ନାନା କାରଣରୁ ଜିଦ୍ ଧରି ବସିଥା’ନ୍ତି । ସଂସାର ଭିତରେ ରହିଥିଲେ ମଧ୍ୟ ସେମାନେ ସଂସାରରେ ନଥାନ୍ତି ଅଥବା ସଂସାରର ସ୍ପର୍ଶ ବାଜି ଅଶୁଦ୍ଧ ହୋଇଯିବେ ବୋଲି ସଂସାର ବାହାରକୁ ପଳାନ୍ତି । ଗିରିକୋଟରକୁ ପଳାନ୍ତି, ଅରଣ୍ୟକୁ ପଳାନ୍ତି, ନିକାଞ୍ଚନକୁ ପଳାନ୍ତି । ସେମାନେ ଯୋଗର ଜଗତରେ ଭାରି ଭୀତ, କାତର ଓ କ୍ଷତଯୁକ୍ତ ହୋଇ ରହିଥାନ୍ତି । ସେମାନଙ୍କର ହୃଦୟ ଭିତରେ ସେମାନେ ସତକୁସତ ଖଣ୍ଡିଆ ହୋଇ ରହିଥାନ୍ତି । ଖଣ୍ଡିଆଟିକୁ ସତେଅବା ଲୁଚାଇବା ଉଦ୍ଦେଶ୍ୟରେ ସେମାନେ ସମ୍ପ୍ରଦାୟ, ଭେକ ବା ସଂସ୍କାରର ବହୁବିଧ ଜାଲ ଭିତରେ ପ୍ରାୟ ଅଚେତା ହୋଇ ରହିଥାନ୍ତି । ସେହି କ୍ଷତର ଉପଦ୍ରବକୁ ଯେ କେବଳ ସେହିମାନଙ୍କୁ ସହ୍ୟ କରିବାକୁ ପଡ଼େ ତା’ ନୁହେଁ, ଜଗତକୁ ମଧ୍ୟ ସେହି କାରଣରୁ ଆଦୌ କମ୍ ଭୋଗିବାକୁ ପଡ଼େ ନାହିଁ ।

 

ଯେଉଁ ଯୋଗୀମାନଙ୍କ ପଛରେ ସଂସାର ଭୂତ ପରି ଗୋଡ଼ାଇଥାଏ, ସେମାନେ ଆପଣାର ସାଧନାଘରୁ ସବାଆଗ ସେହି ଭୂତମାନଙ୍କୁ ଛଡ଼ାଇବାରେହିଁ ସବୁଠାରୁ ଅଧିକ ଶ୍ରମ ଓ ସମୟ ବ୍ୟୟ ଓ କ୍ଷୟ କରିବାରେ ଲାଗିଥାନ୍ତି । ସଂସାରକୁ ସେମାନେ ମାୟା ବୋଲି କହୁଥାନ୍ତି ଓ ସେହି ମାୟାରୁ ତଥାପି ମୁକ୍ତ ହୋଇ ପାରୁନଥାନ୍ତି । ସଂସାର ଭିତରେ ରହି ମଧ୍ୟ ଯେ ମାୟାରୁ ମୁକ୍ତ ହୋଇପାରିବା ସମ୍ଭବ ହୁଏ, ଠିକଣା ଥାନମାନଙ୍କରେ ଯୁକ୍ତ ହୋଇ ରହିପାରିଥିଲେ ଯେ ଏହି ମାୟା ଭିତରେ ମଧ୍ୟ ଭଗବାନ ଦୃଶ୍ୟ ହୋଇପାରନ୍ତି, ସଂସାର ଭୀତ ବ୍ୟକ୍ତିମାନେ ସେକଥାର କଳ୍ପନା କରିପାରନ୍ତି ନାହିଁ । ଏହି ସଂସାରରେ ଯେଉଁ ଗୁମ୍ଫାରେ, ଯୋଉ ଶିଖର ଉପରେ ବା ଯେଡ଼େ ନିକାଞ୍ଚନରେ ଯାଇ ରହିଗଲେ ମଧ୍ୟ ତଥାପି ସେମାନଙ୍କୁ ଭୂତ ଗୋଡ଼ାଇଥାଏ ବୋଲି ଶେଷକୁ ସେମାନେ ସଂସାରରୁ ବିଦାୟ ନେଇ ଚାଲିଗଲେ ଯାଇ ମୁକ୍ତି ମିଳିବ ବୋଲି ଅତ୍ୟନ୍ତ ବିହ୍ଵଳ ଭାବରେ ବିଶ୍ଵାସ କରିବାକୁ ଆରମ୍ଭ କରନ୍ତି । ପାରମ୍ପରିକ ଯୋଗମାର୍ଗଗୁଡ଼ିକରେ ଏହାକୁହିଁ ଚରମ ଶରଣ ବୋଲି ଘୋଷଣା କରାଯାଇଥିଲା । ହିମାଳୟର ତୁଷାରପ୍ରବାହ ଭିତରକୁ ସ୍ଵେଚ୍ଛାପ୍ରବୃତ୍ତ ଲମ୍ଫପ୍ରଦାନ କରି ଜୀବନ ବିସର୍ଜନ କରିବାକୁ ମଧ୍ୟ ଏକଦା ଭାରତବର୍ଷରେ ମୁକ୍ତିର ମାର୍ଗ ବୋଲି ବିବେଚନା କରାଯାଉଥିଲା । ଭିତରେ ଏକ ଦାରୁଣ ଓ କର୍କଶ କ୍ଷତ ନଥିଲେ ବାହାରେ ନିଜ ଜୀବନକୁ ଦେଇ କେହି ଏପରି ଉପଦ୍ରବ କରିବା ଲାଗି କଦାପି ବିଚାର କରୁ ନଥାନ୍ତେ । ସାଧନା ଯେତେବେଳେ ପ୍ରଧାନତଃ ଏକ ସନ୍ତାପରେ ପରିଣତ ହୁଏ, ଜୀବନରୂପୀ ସନ୍ତାପରୁ ନିଷ୍କୃତି ପାଇବ ବୋଲି ମଣିଷ ଯେତେବେଳେ ସାଧନା ନାମକ ଅନ୍ୟ ଏକ ସନ୍ତାପରେ ଯାଇ ପ୍ରବେଶ କରେ, ତଦ୍ଦ୍ଵାରା ତା’ର ସନ୍ତାପ ପ୍ରକୃତରେ କେବେହେଲେ ଯାଏନାହିଁ । ଭିତରେ କ୍ଷତ ଥାଏ, ବାହାରେ ସନ୍ତାପ ରହିଥାଏ । ବାହାରେ ସାଧନାର ନାମରେ କେତେ ଭେକ ପିନ୍ଧା ହୋଇଯାଏ, ଶାସ୍ତ୍ରୀୟ ପଦ୍ଧତିରେ କେତେଭଳି ଅଙ୍ଗମଣ୍ଡନ ହୋଇଥାଏ, ସାଧନାକୁ ଏକ ସରବ ଅର୍ଥାତ୍ କୋଳାହଳମୟ ଔଚିତ୍ୟ ଦେବା ଲାଗି ସମ୍ପ୍ରଦାୟବି ଗଢ଼ା ହୋଇଥାଏ । ସମ୍ପ୍ରଦାୟ ଅନୁସାରେ ଦେଉଳର ଥାପନା ହୋଇଥାଏ, ତୀର୍ଥର ମାହାତ୍ମ୍ୟମାନ ଲେଖା ହେଉଥାଏ, ପଣ୍ଡାମାନେ ମଧ୍ୟ ଥାଆନ୍ତି, ତଥାପି ଭିତରେ କ୍ଷତଟା ସତେଅବା ଜଳଜଳ ହୋଇ ଦିଶୁଥାଏ । ବହୁ ମିଛ ଉତ୍ସାହର ଉପଦ୍ରବ ଭିତରେ କୌଣସି କ୍ଷତ ନାହିଁ ବୋଲି ଯେତେ ତା’ପରେ ଯେତେ ଯାହା ଦେଖାଇ ହେବାକୁ ଇଚ୍ଛା କରୁଥିଲେ ମଧ୍ୟ ଭିତରେ ତଥାପି କ୍ଷତଟା ଆଁକରି ଅନାଇଥାଏ । କ୍ଷତଟା ଭଲ ହେଲେ ଯାଇ ବାହାରେ ଉପଦ୍ରବ ବନ୍ଦ ହୁଏ । ଉପଦ୍ରବର ଆଉ କୌଣସି ଆବଶ୍ୟକତା ନଥାଏ । ଯୁକ୍ତ ହେଲେ, ସମଗ୍ର ଦୃଷ୍ଟି ହେଲେ ଯାଇ କ୍ଷତ ଯାଏଁ ।

 

ଭଗବାନଙ୍କୁ ଆମେ କାହିଁକି ମନ କରୁ ? ଯୁକ୍ତ ହେବାକୁ କାହିଁକି ମନ କରୁ ? କାହାରି ହାତରେ ଯନ୍ତ୍ରଟିଏ ହେବାକୁ ଆମେ କାହିଁକି ମନ କରୁ ? ଅନେକ ମଣିଷ ଭବଯନ୍ତ୍ରଣାରୁ ଉଦ୍ଧାର ପାଇବାଲାଗି ଭଗବାନଙ୍କୁ ଆଶ୍ରା କରିଥାନ୍ତି । ସଂସାରର ପ୍ରକୋପ ସହି ନପାରି ସଂସାରରେ ଅନେକେ ଦେଉଳ ଆଡ଼କୁ ମନ କରନ୍ତି । ସଂସାର ପ୍ରତି ବିରକ୍ତ ହୋଇ ଅନେକ ମଣିଷ ଭଗବାନଙ୍କୁ ଲୋଡ଼ନ୍ତି । ବିରକ୍ତମାନଙ୍କର ଲୋଡ଼ିବା ପଛରେ ମଧ୍ୟ ଦୁଇ ପ୍ରକାରର କାରଣ ନିହିତ ହୋଇ ରହିଥାଏ । ସଂସାରରେ ଯୋଉସବୁ କଥା ଆମକୁ ବିରକ୍ତ କରି ରଖିଛି, ସେଗୁଡ଼ିକୁ ଭୁଲିବାପାଇଁ, ସେଗୁଡ଼ିକର ଫାଶରୁ ମୁକ୍ତ ହେବାପାଇଁ ବା ଅନ୍ତତଃ ମୁକ୍ତ ହେଲୁ ବୋଲି ଟିକିଏ ଉଶ୍ଵାସ ହୋଇ ଅନୁଭବ କରିବାପାଇଁ ଆମେ ଅନେକ ସମୟରେ ଭଗବାନଙ୍କୁ ଲୋଡ଼ୁ । ଘର ଛାଡ଼ି ଦେଉଳକୁ ଆସୁ । ଘରେ ଅଶାନ୍ତି, ଦେଉଳରେ ଶାନ୍ତି । ସଂସାରଯାକ ଅଶାନ୍ତି, ତୀର୍ଥରେ ଶାନ୍ତି । ଘଡ଼ିକ ସକାଶେ ତୀର୍ଥରେ ବା ଦେଉଳରେ ରହିଲେ ମଧ୍ୟ ତଥାପି ଶାନ୍ତି । ଏବଂ, ଅନ୍ୟଆଡ଼ୁ କହିଲେ, କ୍ଷଣକ ସକାଶେ ଶାନ୍ତି ମିଳୁଥିବା ପରି ମନେ ହେଉଥିଲେ ମଧ୍ୟ ତଥାପି ଅଶାନ୍ତି । ଭିତରେ କ୍ଷତ, ତେଣୁ ଭିତରେ ଅଶାନ୍ତି, ବାହାରେ ମଧ୍ୟ ଅଶାନ୍ତି । ଘଡ଼ିଏ ଆସି ଦେଉଳରେ ବସିଲେ କ୍ଷତ ମୋଟେ ଭଲ ହୋଇଯାଏ ନାହିଁ । ଘଡ଼ିକପାଇଁ ହୁଏତ ଭୁଲି ହୋଇଯାଏ ସିନା, ମାତ୍ର କଦାପି ଭଲ ହୁଏନାହିଁ-। କ୍ଷତଟାକୁ ବହନ କରୁଥିବା ବ୍ୟକ୍ତିମାନେ ଭାରି ଉପଦ୍ରବୀ ହୁଅନ୍ତି ।

 

ଭଗବାନ ଆମର ସବୁ ଦୁଃଖ ଦୂର କରିଦେବେ ବୋଲି ଆମେ ଆଉଦଳେ ମଣିଷ ଭଗବାନଙ୍କ ପାଖକୁ ଆସୁ । ତାଙ୍କୁ ସଙ୍କଟମୋଚନ ବୋଲି କହୁ, ବିପଦବନ୍ଧୁ ବୋଲି କହୁ । ପତିତପାବନ ଜଗତ ଉଦ୍ଧାରଣ ବୋଲି କହି କେତେ କୋଳାହଳ କରୁ । ତାଙ୍କୁ ଆମ ଦୁଃଖଗୁଡ଼ିକର ବୈଦ୍ୟରୂପେ ବ୍ୟବହାର କରିବାକୁ ଧର୍ମରେ କେତେପ୍ରକାର ବିଧିର ବ୍ୟବସ୍ଥା ହୋଇଥାଏ । ତାଙ୍କୁ ସନ୍ତୁଷ୍ଟ କରିବା ଲାଗି ସାଧନାରେ ଆରାଧନାରେ ମଧ୍ୟ କେତେପ୍ରକାର ଆଚାର ଓ ଉପଚାର ଖଞ୍ଜି ଦିଆଯାଇଥାଏ । ପ୍ରାଚୀନକାଳରେ ପ୍ରକୃତିଶକ୍ତିଗୁଡ଼ିକୁ ସନ୍ତୁଷ୍ଟ କରି ସେମାନଙ୍କଠାରୁ ବଳ, ବରାଭୟ ପାଇବା ଉଦ୍ଦେଶ୍ୟରେ ଯେପରି ଭାରତବର୍ଷରେ ସୂକ୍ତ ଓ ସ୍ତୋତ୍ରମାନଙ୍କର ଉଦ୍ଭାବନ ହୋଇଥିଲା, ଏହାକୁ ଆମେ ଅନେକ ଦୃଷ୍ଟିରୁ ତାହାରି ଏକ ଅବଶେଷ ବୋଲି କଳ୍ପନା କରିପାରିବା । ଭଗବାନ ଖାଲି ମୋ’ର ନା ସମଗ୍ର ଜଗତର ? ତେଣୁ, ଭଗବାନଙ୍କୁ ନିଠକରି ମୁଁ ଯେଉଁ ସାଧନା କରୁଛି, ସେହି ସାଧନାର ଫଳ ଖାଲି ମୋ’ର ନା ସମଗ୍ର ଜଗତର ? ସମଗ୍ର ଜଗତର ଉଦୟ ଭେବ ଏବଂ ସେହି ଜଗତର ଏକ ଅଂଶ ହିସାବରେ ତଦ୍ଦ୍ଵାରା ମୋର ମଧ୍ୟ ଉଦୟ ହେବ, ଏପରି ଅନୁଭବ କରିବା ଏବଂ ଏହାକୁହିଁ ଆପଣା ସାଧନାର ପ୍ରଧାନତମ ପ୍ରାଣ-ମେରୁଦଣ୍ଡ କରି ରଖିବା, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଅଲଗା କଥା । ମାତ୍ର, ପୃଥିବୀରେ ଅଧିକାଂଶ ମନୁଷ୍ୟ ଯାହା କରନ୍ତି, ମୁଁ ଭଗବାନଙ୍କୁ ଡାକିଲେ ଭଗବାନ ଜଗତର ସବୁ କାମକୁ ପଛରେ ପକାଇଦେଇ ଆଗ ମୋ ଦୁଃଖକୁ ଦୂର କରିଦେବେ, ମୋ’ଲାଗି ସୁଖନାମକ ଏକ କୋଠାଘରର ବ୍ୟବସ୍ଥା କରିଦେବେ, ନିଜ ଭିତରେ ବୃହତ୍ କ୍ଷତଟାଏ ନଥିଲେ କେହି କଦାପି ଏଭଳି ଦମ୍ଭ କରିପାରିବ ନାହିଁ । ଯୋଗସାଧନାରେ ମଧ୍ୟ ଅନେକ ସମୟରେ ସେହିଭଳି କଥାଟିଏ ଦୃଷ୍ଟିଗୋଚର ହୋଇଥାଏ । କ୍ଷତ ଥିବା ଯୋଗୀମାନେହିଁ ଭଗବାନଙ୍କୁ ସମଗ୍ର ପୃଥିବୀର ବୋଲି ନ ଭାବି ଖାଲି ସେମାନଙ୍କର, ସେମାନଙ୍କ ସମ୍ପ୍ରଦାୟର ଅଥବା ସେହିମାନଙ୍କ ମତର ଏକ ପରମ ପରିଚାରକ ବୋଲି ବିଚାର କରୁଥାନ୍ତି ।

 

ଏହି ପୃଥିବୀକୁ ପରମ ସତ୍ୟମୟଙ୍କର ଏକ ବିବର୍ତ୍ତନଭୂମି ବୋଲି ଗ୍ରହଣ କରିନେଲେ ସତେଅବା ସବୁକିଛି ଅଲଗା ପ୍ରକାରର ହୋଇଯାଏ । ବିବର୍ତ୍ତନର ସମଗ୍ର ଯୋଜନାଟି ମଧ୍ୟରେ ମୁଁ ବି ଜଣେ । ଆପଣାର ଯାବତୀୟ ସାଧନା ମଧ୍ୟ ଦେଇହିଁ ମୁଁ ସେହି ଯୋଜନାରେ ସହଯୋଗୀ ହେବି-। ସହଯୋଗୀ ହେବାକୁହିଁ ଯୁକ୍ତ ହୋଇ ରହିବାର ସବାଆଗ କଥା ବୋଲି ସ୍ଵୀକାର କରିନେବି-। ତାଙ୍କରି ଯନ୍ତ୍ର ବା ନିମିତ୍ତ ହେବା,–ତାହାହିଁ ତାଙ୍କ ସହିତ ରହିଥିବା ଆମର ଏହି ଯାବତୀୟ ଦୂରତାର ଅବସାନ ଘଟାଇବ,–ଆମ ଯୋଗସାଧନାରେ ଏହାହିଁ ଆମର ପ୍ରଥମତମ ବ୍ୟାକରଣ ହୋଇ ରହିପାରୁଥିବା ଉଚିତ । ସିଏ ଯନ୍ତ୍ର ହେବାକୁ ଚାହେଁ, ସିଏ ଖୁସି ହୋଇ ତାଙ୍କ ପାଖକୁ ଆସେ-। ଯନ୍ତ୍ର ହେବାର ଆନନ୍ଦରେ ସିଏ ନିଜର ଦୁଃଖଗୁଡ଼ାକୁ ପାସୋରିଦିଏ, ତେଣୁ ଦୁଃଖଗୁଡ଼ାକୁ ଜଣାଇବାର କଥାଟି ମଧ୍ୟ ତା’ର ଆଦୌ ମନେ ରହେନାହିଁ । ସିଏ ବିରକ୍ତ ହୋଇ, ସନ୍ତପ୍ତ ହୋଇ କଦାପି ଭଗବାନଙ୍କ ପାଖକୁ ଆସେ ନାହିଁ । ନିଜର କୌଣସି କ୍ଷତକୁ ଏଡ଼େବଡ଼ କରି ଦେଖାଇ ହେବାକୁ ସିଏ ଏହି ଆୟତନଟିକୁ ମୋଟେ ଆସି ନ ଥାଏ । ସିଏ ନିଜପାଇଁ ଯୋଗ କରେନାହିଁ, ନିଜପାଇଁ କିଛି ମାଗେନାହିଁ । ତା’ର କୌଣସି ତପସ୍ୟା ରାକ୍ଷସୀ ତପସ୍ୟାର ଗାରଗୁଡ଼ିକୁ ମୋଟେ ସ୍ପର୍ଶ କରେନାହିଁ । ରାକ୍ଷସ ନିଜପାଇଁ ତପସ୍ୟା କରେ, ନିଜପାଇଁ ମାଗେ । ଭିତରେ କ୍ଷତ, ବାହାରେ ଉଗ୍ର; ଭିତରେ ଭୀତ, ବାହାରେ ଉପଦ୍ରବୀ,-ତାହାହିଁ ରାକ୍ଷସର ଲକ୍ଷଣ । ଭିତରେ ଅହଂଟାହିଁ ଭଗବାନ ହୋଇ ବସିଥିବା ପର୍ଯ୍ୟନ୍ତ ବାହାରେ ସାଧନା ନାମରେ ଆମେ ବହୁବିଧ ଉପଦ୍ରବ କରିବାରେ ଲାଗିଥାଉ । ଏହି ଉପଦ୍ରବରୁ ଭିତରେ କ୍ଷତଟିଏ ଅବଶ୍ୟ ରହିଛି ବୋଲି ସଙ୍କେତ ମିଳି ଯାଉଥାଏ-। ଯୋଗର ମାର୍ଗରେ ଯାତ୍ରା କରି ଆମେ ପ୍ରକୃତରେ କେତେ କ’ଣର ଯୋଗ୍ୟ ହୋଇ ପାରିଥାନ୍ତୁ, ଭଗବାନଙ୍କର କେତେ କାମରେ ଲାଗି ପାରିଥାନ୍ତୁ । ମାତ୍ର, ଭଗବାନଙ୍କୁ ନିଜ କାମରେ ଲଗାଇବାର ଫିକର କରି, ତାଙ୍କର ବଳରେ ଆମେ ସ୍ଵୟଂ ଏଡ଼େ ବଡ଼ଟାଏ ହୋଇଯିବୁ ବୋଲି ନିର୍ବୋଧତା ଦେଖାଇବାଫଳରେ ଆମେ ଯୋଗର କ୍ଷତଗୁଡ଼ିକୁହିଁ ବହନ କରି ରହିଥାଉ । ଉପରେ ଯୋଗ ନାମରେ କେତେ ଭେକ, ରାଜସିକତା ଓ କେତେ କୋଳାହଳ ଆମ ଅସ୍ତିତ୍ଵଟିକୁ ଭାରି ଜମାଇ ରଖିଥାଏ ସତ, ମାତ୍ର ଅସଲ ନିବେଦନଗୁଡ଼ିକର କ୍ଷେତ୍ରରେ ଆମେ ସତେଅବା ଭାରି ଅଲୋଡ଼ା ଓ ଖଣ୍ଡିଆ ହୋଇ ବୁଲୁଥାଉ । ଆମର ଯୋଗ ଯଥାର୍ଥ ମାର୍ଗରେ ଯାଇଥିଲେ ଆମଲାଗି କେତେ ପ୍ରତିଶ୍ରୁତିର କାରଣ ହୋଇଥା’ନ୍ତା; ମାତ୍ର ଏକାଧିକ କାରଣରୁ ଆମର ନାନାବିଧ ଅନ୍ୟ ଅନୁରକ୍ତି ହେତୁ ତାହା ଆମକୁ କେତେପ୍ରକାର କ୍ଷତବିକ୍ଷତ ଓ ବିକଳ କରି ଛାଡ଼ି ଚାଲି ଯାଇଥାଏ-

 

ତେଣୁ, ଯୋଗ ନାମରେ ପୃଥିବୀରେ ଯେତେ ଉପଦ୍ରବ, ନିଜପାଇଁ ମାଗିବାର ଯେତେପ୍ରକାରର ଜ୍ଵର, ସମ୍ପ୍ରଦାୟଟିଏ ବଢ଼ାଇବାର ଯେତେଭଳି ଉତ୍ତେଜନା, ଆମରି ବାଟରେହିଁ ସମସ୍ତଙ୍କୁ ସବୁକିଛି ଅବଶ୍ୟ ମିଳିବ ବୋଲି ଯେତେ ଯେତେ ଦମ୍ଭ, କିଛି ନ ପାଇଥିଲେ ମଧ୍ୟ ସତେଅବା ସବୁକିଛି ମିଳିଗଲାଣି ବୋଲି ଦେଖାଇ ହେବାର ଯେତେ ଅଭିନୟ,-ଏହି ଯାବତୀୟ କୋଳାହଳ ଏବଂ ଅତ୍ୟୁତ୍ସାହରୁ ଆମେ କଦାପି ଯୋଗର ବା ତା’ର ପ୍ରତିଶ୍ରୁତିଗୁଡ଼ିକର ବିଚାର କରିବା ନାହିଁ, ଆମେ ଏଗୁଡ଼ିକରୁ ଏଗୁଡ଼ିକୁ ଦାବି କରୁଥିବା ମନୁଷ୍ୟମାନଙ୍କ ଭିତରେ ରହିଥିବା କ୍ଷତଟିକୁ ଜାଣିବାକୁହିଁ ଚେଷ୍ଟା କରିବା । ଯେଉଁମାନେ ଏସବୁ ଦାବି କରିଛନ୍ତି, ସେମାନେ କାଳେକାଳେ ଧନ ଓ ଦ୍ରବିଣଗୁଡ଼ିକ ଖଟାଇ ସବୁଠାରୁ ଉଚ୍ଚ ଦେଉଳମାନ ଗଢ଼ିଛନ୍ତି, ପରମସତ୍ୟକୁ ଶଙ୍ଖମର୍ମର ଉଚ୍ଚାୟତନ ମଧ୍ୟରେ କେଡ଼େ ଭବ୍ୟ କରି ରଖିଛନ୍ତି; ଯାହାପାଇଁ ତୁମେ ଭିତରେ ସାହସ କରିପାରିବ ନାହିଁ, ବାହାରେ ଅଟ୍ଟାଳିକାଗୁଡ଼ିକର ମାଧ୍ୟମରେ ତୁମେ ତାହାକୁ ଅକ୍ଳେଶରେ ପାଇପାରିବ ବୋଲି ସତେଅବା ସବୁ ଜାଣିଥିବା ପରି କେଡ଼େ ଉଲ୍ଲାସରେ କହିଛନ୍ତି । ସେମାନେ ବହୁ କାରଣରୁ ନିଜ ଭିତରେ ଏକ ଦୁଷ୍ଟ କ୍ଷତକୁହିଁ ବହନ କରି ରହିଛନ୍ତି । ପରମସତ୍ୟକୁ ବହୁ ନାମ ଓ ରୂପର ଜଙ୍ଗଲ ଭିତରେ ବାଟବଣା କରିଦେଇ ସେମାନେ ସତେଅବା ସେହି କ୍ଷତଗୁଡ଼ାକର ଶାସନକୁହିଁ ସାଧନାର ପୃଥିବୀ ଉପରେ ମଡ଼ାଇ ରଖିବାକୁ ଚାହୁଁଛନ୍ତି । ସେହି ପୁରାତନ ଭ୍ରମର ପୁନରାବୃତ୍ତି କରିବା ଲାଗି ପ୍ରରୋଚନା ଦେଉଛନ୍ତି ।

 

ଆମେ ସେହି ପ୍ରରୋଚନାରେ ମୋଟେ ରାଜି ହେବାନାହିଁ । କୌଣସି ଭବଯନ୍ତ୍ରଣାରୁ ଓ ସଂସାରବିରକ୍ତିରୁ ଉପଶମକାମୀ ଭାବରେ ନୁହେଁ, ଯେଉଁମାନେ ମୂଳତଃ ଖୁସି ହୋଇ ତାଙ୍କୁ ଲୋଡ଼ିଛନ୍ତି, ତାଙ୍କର କାମରେ ଲାଗିବେ ବୋଲି ମନ କରିଛନ୍ତି, ତାଙ୍କୁ ନିଜପାଇଁ ଆଦୌ କିଛି ମାଗିବେନାହିଁ ବୋଲି ସଂକଳ୍ପ କରିଛନ୍ତି, ସେମାନଙ୍କର ମାର୍ଗ, ସେମାନଙ୍କର ନିଷ୍ଠା ଓ ସେମାନଙ୍କର ସଂସ୍କାର ନିଶ୍ଚୟ ଅନ୍ୟପ୍ରକାରର ହେବ । ସେମାନେ ନିଜ ଭିତରୁହିଁ ଅସଲ ଡାକରାଟିକୁ ପାଇଛନ୍ତି । ସେମାନେ ଯାହାକୁ ଲୋଡ଼ୁଛନ୍ତି, ପୃଥିବୀରେ ଯାହାଙ୍କର ପରିପ୍ରକାଶ ଘଟୁ ବୋଲି ଏକ ଅବିଚଳ ଅସ୍ପୃହା ନେଇ ବାଟ ଚାଲୁଛନ୍ତି, ତାହାର ଉପସ୍ଥିତିକୁ ସେମାନେ ସବାଆଗ ନିଜ ଭିତରେହିଁ ଅନୁଭବ କରିଛନ୍ତି ଓ ତାହାକୁ ସବାଆଗରେ ରଖି ବାଟଚାଲିବେ ବୋଲି ସମ୍ମତ ହୋଇଛନ୍ତି । ସେଇଥିଲାଗି ବାଟ ସହଜ ଲାଗିଛି, ସ୍ଵାଭାବିକ ଲାଗିଛି । କୌଣସି କ୍ଷତ ନାହିଁ, କୌଣସି ଉପଦ୍ରବ ନାହିଁ, କେବଳ ଅଙ୍ଗୀକାରହିଁ ରହିଛି ।

 

ନବଜ୍ୟୋତି, ଏପ୍ରିଲ ୨୪, ୧୯୯୦

Image

 

ସାଧୁ ସତକଥା କହିବ

 

ଗୋଟାଏ କଥା ସତକଥା, ଆଉ ଗୋଟାଏ ହେଉଛି ଭଲ କଥା । ସବୁ ସତକଥା ମୋଟେ ଭଲ କଥା ନୁହେଁ । ସତକଥା ଦୁଆରଗୁଡ଼ାକୁ ଭାଙ୍ଗେ, ଭିତରକୁ ବାଟ ଫିଟାଇଦିଏ, ଆମକୁ ବାହାରକୁ ବାହାର କରି ଆଣେ; ଯାହା ପାଖରୁ ଆମେ କେତେ ବୁଦ୍ଧି ଏବଂ କେତେ କୌଶଳରେ ହୁଏତ ଲୁଚି ଲୁଚି ବୁଲୁଥିଲେ, ସତକଥା ଆମକୁ ସତେଅବା ଗୋଟାସୁଦ୍ଧା ତାହାରି ସମ୍ମୁଖରେ ଆଣି ହାବୁଡ଼ାଇ ଦିଏ । ଭଲ କଥା କଥାଗୁଡ଼ାକୁ ସାଉଁଳେଇ ରଖିବାକୁ ଚେଷ୍ଟା କରୁଥାଏ । ଅନେକ ନାହାକ ଅଛନ୍ତି ଯେଉଁମାନେ କି ଆମ ହସ୍ତରେଖା କିମ୍ବା ଭାଗ୍ୟପତ୍ରଗୁଡ଼ାକର ଗଣନା କରି ଆମକୁ ଯଥାସମ୍ଭବ ଭଲକଥାଗୁଡ଼ିକୁ କହିବା ନିମନ୍ତେ ଚେଷ୍ଟା କରୁଥାନ୍ତି । ସତକଥା ଉପରେ ପୁଟ ଦେଇ, ସେଗୁଡ଼ିକୁ ବହୁ ବକ୍ରତାଦ୍ଵାରା ସୁନ୍ଦର ଓ ସୁଗୋଲ କରି ବାନ୍ଧି ଭଲକଥାର ରୂପ ଦେଇ ଆମକୁ କେତେ କ’ଣ କହନ୍ତି । ଆମର ଅବବୋଧଗୁଡ଼ିକୁ ଥାପୁଡ଼େଇ ରଖିଥାନ୍ତି । ପ୍ରଧାନତଃ ସେହି କାରଣରୁ ସିନା ବହୁ ମଣିଷ ଏଡ଼େ ଆଗ୍ରହରେ ନାହାକମାନଙ୍କ ପାଖକୁ ଯାଆନ୍ତି । ଜାତକ ଦେଖାନ୍ତି, ହାତଗୁଡ଼ାକୁ ବଢ଼ାଇ ଦିଅନ୍ତି । ଭିତରେ ଘାଆଗୁଡ଼ାକ ସଲସଲ ହେଉଥିବା ମଣିଷମାନେ ନାହାକକୁ ହାତ ଦେଖାଇବା ନିମନ୍ତେ ହୁଏତ ସବୁଠାରୁ ଅଧିକ ଭଲ ପାଉଥାନ୍ତି ।

 

ଅସଲ ସାଧୁ ସତକୁସତ ସତକଥାହିଁ କହିବ । ଖାଲି ଭଲ କଥା କହିବ ନାହିଁ । ଖାଲି ଭଲକଥାଗୁଡ଼ାକ କହି ମନବୋଧ କରାଇବ ନାହିଁ । ଖାଲି ଭଲ କଥାମାନ କହି ସଜ୍ଜନ ବୋଲାଇବ ନାହିଁ । ସିଏ ଆମର ଅସଲ ସମ୍ଭାବନାଗୁଡ଼ିକର ଦ୍ଵାର ଉପରେ ଆଘାତ ଦେଇ ଜାଣିଥିବ । ଆମର ଅସଲ ଦ୍ଵାରଗୁଡ଼ିକୁ ଖୋଲିଦେଇ ପାରୁଥିବ । ଆମକୁ ସାମନାସାମନି ଆଣି ଠିଆ କରାଇଦେଇ ପାରୁଥିବ । ଯେଉଁ ଦ୍ଵାରଗୁଡ଼ିକ ଖୋଲିଗଲେ ମଣିଷର ଭୟ ତୁଟିଯାଏ, ମିଛ ଅସହାୟତା ଏବଂ ନିର୍ଭରଶୀଳତାଗୁଡ଼ିକର ମୋହ ଭାଙ୍ଗିଯାଏ, ଅସଲ ସାଧୁ ଆମକୁ ସେହି ଦ୍ଵାରଗୁଡ଼ିକ ଖୋଲିଯାଇ ପାରିବାର ଉଦ୍‌ବୋଧନ ଦେଇପାରୁଥିବ ।

 

ପ୍ରଧାନତଃ ଭଲକଥା କହି ମନବୋଧ କରାଇ ରଖିବାକୁ ଚେଷ୍ଟାକରି ଆସିଥିବା ସାଧୁମାନେ ସଂସାରରେ ବହୁ ପ୍ରକାରର ନିର୍ଭରଶୀଳତାକୁ ବୃଦ୍ଧି କରିବାରେହିଁ ଭାରି ସାହାଯ୍ୟ କରିଛନ୍ତି । ତଦ୍ଦ୍ଵାରା ଏକ ଅସାଧୁ ସଂସାରରେ ତଥାକଥିତ ସାଧୁମାନଙ୍କର ବାନା ଉଡ଼ିବାରେ ଅଥବା ସଦାବର୍ତ୍ତ ବଢ଼ିବାରେହିଁ ଅଧିକ ସହାୟତା ମିଳିଛି ଏବଂ ସଂସାର ଅସାଧୁ ହୋଇ ରହିବା ସକାଶେ ସତେଅବା ଭାରି ପ୍ରଶ୍ରୟ ପାଇଛି । କେବଳ ସଜ୍ଜନମାନଙ୍କର ସଙ୍ଗତି ଲାଭଦ୍ଵାରାହିଁ ଭବରୂପୀ ଅର୍ଣ୍ଣବକୁ ପାରିହେବାର ନୌକା ସମ୍ଭବ ହୋଇ ପାରିବ ବୋଲି ଭଲ କଥାମାନ କହି ଆମ ସାଧୁମାନେ ଆମକୁ ଭାରି ଥୋବରା କରି ରଖିଛନ୍ତି । ସଜ୍ଜନର ସଙ୍ଗତି ଲାଭ ଅପେକ୍ଷା ନିଜେ ସଜ୍ଜନଟିଏ ହେବା ଅର୍ଥାତ୍ ଭିତରକୁ ବାଟଟିଏ କାଢ଼ି ସମ୍ପୂର୍ଣ୍ଣ ଏକ ଅଲଗା ଆଖିରେ ସଂସାରକୁ ଦେଖି ଜୀବନରେ ପାହାଚ ପାହାଚ ଉଠିଯିବା ଯେ ଆମ ସମସ୍ତଙ୍କ ସକାଶେ ଏକ ବୃହତ୍ତର ଆହ୍ଵାନ, ଭଲକଥା କହିବାକୁ ସାଧୁମାନେ ଆମକୁ ସେକଥା କ୍ଵଚିତ୍ କହିଛନ୍ତି । ସେକଥା କହିବାକୁ କ୍ଵଚିତ୍ ସାହସ କରିଛନ୍ତି ।

 

ସେପ୍‍ଟେମ୍ବର ୦୧, ୧୯୮୮

Image

 

ହାରିବାକୁ ପଡ଼େ

 

ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ଭିତରେ ହାରି ହାରି ଯାଉଥାନ୍ତି । ଆପଣାର ଭିତରେ ଭାରି ପ୍ରବଳ ହୋଇ ରହିଥିବା ସତେଅବା କେଉଁ ଜ୍ୟେଷ୍ଠ ଦୋସରଟିଠାରୁ କେତେ ନା କେତେ ଗଞ୍ଜଣା ସହିବାରେ ଲାଗିଥାନ୍ତି । ତେଣୁ ସେହି ଦୋସରଟି ପାଖରୁ ଲୁଚି ଲୁଚି ବୁଲୁଥାଆନ୍ତି । ସେହିମାନେହିଁ ବାହାରେ ସବୁ ଥାନରେ ସମସ୍ତଙ୍କ ପାଖରେ ଜିତିବେ ବୋଲି ଭାରି ପ୍ରବଳ ବାହାରିଥାନ୍ତି । ଭିତରେ ଆପଣା ସହିତ କୋଉଠି କ’ଣ କଜିଆ ଲଗାଇଥାନ୍ତି କେଜାଣି, ସେମାନଙ୍କର ସେହି ଦୁଃଖ ଓ ଗ୍ଳାନିଟି ବାହାରେ ଏକ ଅତି ଅସ୍ଵାଭାବିକ ପ୍ରକୋପରୂପେ ବ୍ୟକ୍ତ ହେବାରେ ଲାଗିଥାଏ । ସେହି ପ୍ରକୋପ ଜିତିବାଟାକୁହିଁ ଜୀବନର ସର୍ବଶ୍ରେଷ୍ଠ ସଫଳତା ବୋଲି ଗ୍ରହଣ କରି ନେଇଥାଏ । ହାରିଯିବାଠାରୁ ତା’ ଲାଗି ଅଧିକ ଲଜ୍ଜା ଆଉ କିଛି ହେଲେ ନଥାଏ । ମାତ୍ର, ଏହି ସଂସାରରେ ଅସଲ ଜୀବନଟିଏ ବଞ୍ଚିବାକୁ ଇଚ୍ଛା କରୁଥିଲେ ମଣିଷକୁ ବାରବାର ହାରିବାକୁ ପଡ଼େ । ଅନ୍ୟ ମଣିଷମାନଙ୍କ ପାଖରେ ହାରିବାକୁ ପଡ଼େ, ପୃଥିବୀ ପାଖରେ ହାରିବାକୁ ପଡ଼େ; ତେବେ ଯାଇ ରାହା ମିଳେ । ତେବେ ଯାଇ ବିଜୟ ମିଳେ, ତେବେଯାଇ ଥାନ ମିଳେ । ଏବଂ, ଥାନ ମିଳିଲେ ବଳବି ମିଳିଯାଏ । ନିଜର ଅହଂକାରଗୁଡ଼ାକୁ ଆହୁରି ଅଧିକ ପରିମାଣରେ ଫୁଲାଇଦେବା ପାଇଁ ନୁହେଁ, ସକଳ ଅହଂକାରକୁ ଅତିକ୍ରମ କରି ଆମର ଅସଲ ଯାତ୍ରା, ଅସଲ ସଖ୍ୟ ଏବଂ ଅସଲ ଉଦୟର ପର୍ବଟିକୁ ଆରମ୍ଭ କରି ପାରିବା ଲାଗି ବଳ ମିଳିଯାଏ ।

 

ଯିଏ ହାରିବାକୁ ଡରେ, ବାହାରେ କେଡ଼େ ରେଣ୍ଟିରେ ଗଡ଼ ପରେ ଗଡ଼ ଜିତିବ ବୋଲି କେତେ ପ୍ରକୋପରେ ବାହାରିଥାଏ, ସିଏ ଆପଣାର ଗଣ୍ଠିଗୁଡ଼ାକୁ ମୋଟେ ଫିଟାଇ ଦେବାକୁ ଇଚ୍ଛା କରେ ନାହିଁ । ସେହି ଗଣ୍ଠିଗୁଡ଼ାକହିଁ ସତେଅବା ତା’ ଜୀବନର ଅସଲ ପ୍ରାଣପିଣ୍ଡୁଳା ହୋଇ ରହିଥାନ୍ତି-। ଗଣ୍ଠିଗୁଡ଼ାକ ଫିଟିଗଲେ କିମ୍ବା କାଟି ହୋଇଗଲେ ତା’ ଜୀବନରେ ସତେ ଯେମିତି ଆଦୌ କୌଣସି ଅସ୍ତିତ୍ଵ ରହିବ ନାହିଁ ବୋଲି ସିଏ ହାଡ଼େ ହାଡ଼େ ଭୟ କରୁଥାଏ । ଆମ ଭିତରେ ରହିଥିବା ଏହି ଗଣ୍ଠିମାନେହିଁ ବାହାରକୁ ଗୋଟାଏ ଗୋଟାଏ ଗଉଁ ହୋଇ ପ୍ରକାଶ ପାଆନ୍ତି । ସେମାନେ ଆମ ମିଛ ଦର୍ପଗୁଡ଼ାକର ସନ୍ତକ ହୋଇ ରହିଥାନ୍ତି । ଆମ ଆନ୍ତଃଦାରିଦ୍ର୍ୟଗୁଡ଼ିକର କ୍ଷତିପୂରଣ କରାଉଥାନ୍ତି । ଆମର ସକଳ କ୍ଷମତା ଓ ସକଳ ଉଚ୍ଚାସନ ସତ୍ତ୍ୱେ ଆମକୁ କେଡ଼େ କ୍ଷୁଦ୍ର କରି ରଖିଥାନ୍ତି !

 

ଥରେ ଭାବିକରି ଦେଖିଲ, ଯେଉଁ ମାଷ୍ଟର ପିଲାମାନଙ୍କ ପାଖରେ କେତେବେଳେ ହେଲେ ହାରୁନାହିଁ, ଯୋଉ ବାପାମାଆ ନିଜ ସନ୍ତାନମାନଙ୍କ ପାଖରେ କେବେ ହାରୁନାହାନ୍ତି, କେବଳ ଜିତାପଟ ପାଇବେ ବୋଲି ଯେଉଁମାନେ ସଂସାରରେ ସାଙ୍ଗ ଖୋଜି ବାହାରିଛନ୍ତି ଅଥବା ପଦ ବା କ୍ଷମତାକୁ ଲୋଡ଼ୁଛନ୍ତି, ଯୋଉ ଭକ୍ତ ଭଗବାନଙ୍କ ପାଖରେ କଦାପି ହାରି ଯିବନାହିଁ ବୋଲି ଆଣ୍ଟ ବାନ୍ଧିଛି,-ଏମାନେ ସମସ୍ତେ ଆମର ଏହି ପୃଥିବୀଟିକୁ ସତକୁସତ କେଡ଼େ ଦରିଦ୍ର କରି ରଖିନାହାନ୍ତି ! ଏବଂ, ସେମାନେ ନିଜ ଭିତରେ ସନ୍ତାପିତ ହୋଇ ରହିନାହାନ୍ତି !

 

ସେପ୍‍ଟେମ୍ବର ୧୫, ୧୯୮୮

Image

 

ଅତୀତ ଆହୁରି...

 

ଆମେ ବର୍ତ୍ତମାନକୁ ଖଟୁଲିଟିଏ କରି ତା’ଉପରେ ଅତୀତକୁ ଭଗବାନ କରି ବସାଇ ଦେଇଥାଉ ଏବଂ ଭବିଷ୍ୟତ୍‍ ନାମରେ ଘଣ୍ଟ ଓ ମର୍ଦଳ ବଜାଇବାରେ ଲାଗିଥାଉ । ପୃଥିବୀରେ ପ୍ରାୟ ଆବହମାନ କାଳରୁ ଏହାକୁହିଁ ସବୁଠାରୁ ଅଧିକ ନିରାପଦ ବୋଲି କୁହାଯାଇ ଆସିଛି । ଅନେକ ଗୁରୁ ମଧ୍ୟ ଯୁଗେଯୁଗେ ଏହିପରି ରହି ଆସିଛନ୍ତି, ଯେଉଁମାନେ କି ପୃଥିବୀକୁ ବଦଳାଇବା ଅପେକ୍ଷା ପୃଥିବୀକୁ ନିରାପଦ ରଖିବା ବିଷୟରେ ଅଧିକ ଉପଦେଶ ଦେଇଛନ୍ତି । ପୃଥିବୀକୁ ନିରାପଦ ରଖିବା ଅର୍ଥାତ୍ ପୃଥିବୀ ଯେମିତି ଅଛି, ତାକୁ ଠିକ୍ ସେହିପରି ଅବସ୍ଥାରେ ରଖିବା । ଏବଂ, କେତେକ ଧର୍ମରେ ଏପରି ମଧ୍ୟ କୁହାଯାଇଛି ଯେ, କେବଳ ଭଗବାନ ଏହି ପୃଥିବୀକୁ ବଦଳାଇ ପାରିବେ । କେତେବେଳେ ପୃଥିବୀ ବଦଳିବ, ସିଏ ସ୍ଵୟଂ ସେହି କଥାଟିକୁ ଠିକ୍ କରିବେ ଓ ସେହି ଅନୁସାରେ ପୃଥିବୀକୁ ଆସିବେ ।

 

ଆମେ ଅତୀତ ଭିତରେ ପଡ଼ି ରହିବାକୁ ସୁଖ ପାଉଥିବା ପର୍ଯ୍ୟନ୍ତ ଭଗବାନ କଦାପି ଏହି ପୃଥିବୀକୁ ଆସିବେ ନାହିଁ । ଏକ ଅନ୍ୟ ଭବିଷ୍ୟ ଯେତେବେଳେ ଆମକୁ ସତକୁସତ ବ୍ୟାକୁଳ କରିବ ଓ ତେଣୁ ଆମେ ସତକୁସତ ଅତୀତ ଭିତରୁ ବାହାରି ଆସିବା ନିମନ୍ତେ ଆଗକୁ ଗୋଡ଼ ବାହାର କରି ପାରିବା, ଭଗବାନ ପ୍ରକୃତରେ ପୃଥିବୀରେ ଆପଣାର କାର୍ଯ୍ୟଟିକୁ ଆରମ୍ଭ କରିଦେଲେଣି ବୋଲି ଆମେ ସେତିକିବେଳେ ଯାଇ ପ୍ରତ୍ୟକ୍ଷ କରିପାରିବା । ଭଗବାନ ହେଉଛନ୍ତି ଭବିଷ୍ୟତ୍‍ର ପ୍ରତୀକ । ସେହି ଭବିଷ୍ୟତ୍‍ ସତକୁସତ ଆସନ୍ନ ହୋଇ ଆସୁଛି ବୋଲି ଅନୁଭବ ନକରୁଥିବା ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ମଧ୍ୟ କଦାପି ଆସିଲେ ବୋଲି ଅନୁଭବ କରିପାରିବା ନାହିଁ । ଭଗବାନ ଆମ ଭିତରେ ଅତୀତଟା ଆହୁରି ବଞ୍ଚି ରହିଥାଉ ବୋଲି କଦାପି ଇଚ୍ଛା କରିବେନାହିଁ । ଅତୀତଟା ତଥାପି ବଞ୍ଚି ରହିଥାଉ ବୋଲି ଆମେ ଇଚ୍ଛା କରୁଥାଉ ଏବଂ ତେଣୁ ଭବିଷ୍ୟକୁ ବାଟ ଛାଡ଼ିଦେବାକୁ ଅମଙ୍ଗ ହୋଇ ରହିଥାଉ । ସେହି ଅତୀତ ଆମକୁ ଭାରି ସୁହାଉଥାଏ । ତେଣୁ ଭବିଷ୍ୟ ପଟେ ନରହି ଅତୀତ ପଟେ ରହିଥାଉ । ଭଗବାନଙ୍କୁ ଖଟୁଲି କରି ରଖି ଦେଇଥାଉ ଏବଂ ତାହାରି ଉପରେ ନିଜେ ରଜା ହୋଇ ବସିଥାଉ । ଭଗବାନଙ୍କୁ ଚିତାକାଟି ଯିଏ ଆମ ଭିତରେ ରଜା ହୋଇ ବସିବାକୁ ମନ କରୁଥାଏ, ତାହାରି ଅନ୍ୟନାମ ହେଉଛି ଅତୀତ । ଆମର ଶିକ୍ଷାରେ, ଆମର ପାରସ୍ପରିକ ସମ୍ବନ୍ଧରେ, ଆମର ଶ୍ରଦ୍ଧାଗୁଡ଼ିକରେ ଏହିପରି ଭାବରେ ଆମେ ନିଜେ ରଜା ହୋଇ ବସିଥାଉ । ଭଗବାନଙ୍କୁ ବାଟ ଛାଡ଼ି ଦେଉନାହିଁ । ଭଗବାନ ଭିତରେ ଥାଆନ୍ତି । ଆମର ଦାଉରେ ମାଡ଼ିମକଚି ହୋଇ କୋଉଠି ରହି ଯାଇଥାନ୍ତି । ଆମ ଜୀବନରେ ଆମରି ମୁଦ୍ରାଗୁଡ଼ିକରେ ସଉଦା ଚାଲିଥାଏ ।

 

ହଁ, ଅତୀତ ଆହୁରି ବଞ୍ଚି ରହିବାକୁ ଚାହେଁ । ଅତୀତ ସତକୁସତ ଯାଉ ବୋଲି ଆମେ ନିଜେ ମନ ନକଲେ ଅତୀତ କଦାପି ଯାଏନାହିଁ । ତେଣୁ ଏକ ନିଷ୍ପତ୍ତି ଗ୍ରହଣ କରିବାକୁ ହୁଏ । ସମ୍ମତ ହେବାକୁ ହୁଏ । ଖୋଳଗୁଡ଼ାକ ଓ ବହଳଗୁଡ଼ାକ ସତକୁସତ ଖସିପଡ଼ୁ ବୋଲି ଇଚ୍ଛା କରିବାକୁ ହୁଏ । ତେବେ ଭଗବାନ ସତକୁସତ ଦୃଶ୍ୟ ହୋଇ ଆସନ୍ତି । ନିଜ ଭିତରୁ ଦୃଶ୍ୟ ହୋଇଆସନ୍ତି । ଆମେ ଆସ୍ଥାନ ହୋଇଯାଉ ଓ ସିଏ ସେହି ଆସ୍ଥାନ ଉପରେ ଆସି ବସନ୍ତି । ଆମେ ନିମିତ୍ତ ହେଉ ଏବଂ ଆମକୁ ନିମିତ୍ତ କରି ସିଏ କେତେକଅଣ କରିଯାଆନ୍ତି । ଆମକୁ ଉଦ୍ଧାର କରନ୍ତି ।

 

ଅକ୍ଟୋବର ୦୧, ୧୯୮୮

Image

 

ଆସ୍ତିକ ନାସ୍ତିକ

 

ଯିଏ ଭଗବାନଙ୍କଠାରେ ବିଶ୍ଵାସ ରଖେ, ତାହାକୁ ଆସ୍ତିକ ବୋଲି କହନ୍ତି । ଯିଏ ଭଗବାନଙ୍କୁ ବିଶ୍ଵାସ କରେ ନାହିଁ, ସିଏ ହେଉଛି ନାସ୍ତିକ । ଶବ୍ଦ ଦୁଇଟିର ଭାଷାଗତ ଅର୍ଥରେ ଏହିପରି କୁହାଯିବ । ମାତ୍ର ଇତିହାସରେ ଅଧିକାଂଶ ସ୍ଥଳରେ ସେଭଳି ହୋଇନାହିଁ । ଯିଏ ଭଗବାନ ଅଛନ୍ତି ବୋଲି ସତକୁସତ ବିଶ୍ୱାସ କରେ, ଅର୍ଥାତ୍, ଭଗବାନଙ୍କୁ ଅନୁଭବ କରେ, ବାହାରେ ଭିତରେ ଉଭୟଠାରେ ଅନୁଭବ କରେ, ଅର୍ଥାତ୍ ବାହାର ଭିତରର ଭେଦଟିକୁ ଭୁଲିଯାଏ, ତାକୁ ସତକୁସତ ସଂସାରରେ ଆଦୌ କେହି ହେଲେ ନାସ୍ତିକ ଦିଶନ୍ତି ନାହିଁ । ଉପର ମୁହଁରେ ଅର୍ଥାତ୍ ଉପର ବୁଦ୍ଧିରେ ଯିଏ ଯାହା କହୁଥାଉ ପଛକେ, ଭଗବାନଙ୍କୁ ଅନୁଭବ କରି ପାରୁଥିବା ଜଣେ ବ୍ୟକ୍ତି ଧର୍ମତଃ ବାହାରେ ସମସ୍ତଙ୍କ ଭିତରେ ମଧ୍ୟ ଭଗବାନଙ୍କୁ ଅନୁଭବ କରି ପାରନ୍ତା । ତେବେ ସେ କାହାକୁ ନାସ୍ତିକ ବୋଲି କହିପାରନ୍ତା ? ସେପରି କହିଲେ ଆପଣା ପାଖରେ ମିଛୁଆ ହୁଅନ୍ତା । ଅଥବା, ଉପସଂହାର କରି ଏକଥା ହୁଏତ କୁହାଯାଇପାରିବ ଯେ, ଯିଏ ଭଗବାନଙ୍କୁ ବାହାରେ କି ନିଜ ଭିତରେ କୋଉଠି ହେଲେ ଅନୁଭବ କରିନାହିଁ, କେବଳ ବୁଦ୍ଧିରେ ପଡ଼ି କିମ୍ବା ଭୟଦ୍ଵାରା ପ୍ରଣୋଦିତ ହୋଇ ଅଥବା ଖାଲି ସଂସ୍କାରବଶତଃ ଭଗବାନ ଅଛନ୍ତି ବୋଲି କହୁଛି, ନିଜକୁ ଆସ୍ତିକ ବୋଲି ଧରି ନେଇଥିବାରୁ କେବଳ ସେଇ ଆଉ କାହାକୁ ନାସ୍ତିକ ବୋଲି କହିବାକୁ ମନ କରିବ । ସେପରି କହି ଭାରି ଖୁସି ପାଉଥିବ ଏବଂ ଫାଶ ଭିତରେ ବାନ୍ଧି ହୋଇ ରହିଥିବ ।

 

ଭଗବାନଙ୍କୁ ବିଶ୍ଵାସ କରିବା ନାଆଁରେ ଅନେକ ମଣିଷ ଠାକୁରମାନଙ୍କୁ ବିଶ୍ଵାସ କରିଥାନ୍ତି । ଠାକୁର ଠାକୁରରେ ଭେଦ ରହିଥାଏ । ଧର୍ମ ନାମକ ଅଟ୍ଟାଳିକାମାନ ଗଢ଼ି ଦିଆଯାଏ । ସେତେବେଳେ, ଠାକୁର ଠାକୁରରେ ଅମେଳ ହେଲେ ଗୋଟାଏ ପଟ ଅପର ପଟଟାକୁ ନାସ୍ତିକ ବୋଲି କହେ । ଅର୍ଥାତ୍, ଯିଏ ମୋ’ ଠାକୁରମାନଙ୍କୁ ପୂଜା ନ କରୁଛି, ମୁଁ ତାକୁ ନାସ୍ତିକ ବୋଲି କହେ-। ଏବଂ, ମୁଁ ଯେହେତୁ ଆଉ କାହାର ଠାକୁରମାନଙ୍କୁ ପୂଜା ନ କରୁଛି, ସିଏବି ସମାନ ପ୍ରତାପରେ ମୋତେ ନାସ୍ତିକ ବୋଲି କହୁଥାଏ । ଏହିପରି ଲୀଳା ଲାଗି ରହିଥାଏ । ଯୁଗେଯୁଗେ ଏହିପରି ଲୀଳା ଲାଗି ଆସିଛି ।

 

ଇଉରୋପୀୟ ମଧ୍ୟଯୁଗରେ ମାର୍ଟିନ୍ ଲୁଥର୍ ମହାମାନ୍ୟ ପୋପ୍‌ଙ୍କୁ ନାସ୍ତିକ ବୋଲି କହୁଥିଲେ ଏବଂ ମହାମାନ୍ୟ ପୋପ୍ ମାର୍ଟିନ୍ ଲୁଥର୍‌ଙ୍କୁ ନାସ୍ତିକ ବୋଲି କହୁଥିଲେ । ବାଡ଼ ଭାଙ୍ଗିଗଲେ ଯାଇ ଭଗବଦ୍-ବିଶ୍ଵାସର ଅସଲ ପ୍ରତିଷ୍ଠା ସମ୍ଭବ ହୁଏ । ବିଶ୍ଵାସୀ ମଣିଷକୁ କେହି ନାସ୍ତିକ ବୋଲି ଦିଶନ୍ତି ନାହିଁ । ତେଣୁ ସିଏ ନିଜକୁ ଆସ୍ତିକ ବୋଲି କହି ଗଉଁ କରିବାକୁ ଫୁରୁସତ୍ ମଧ୍ୟ ପାଏନାହିଁ । ଅବିଶ୍ଵାସୀହିଁ ଫୁରୁସତ୍ ପାଏ । ଅନୁଭବକୁ ଡରୁଥିବା ମଣିଷ ଫୁରୁସତ୍ ପାଏ । ତେଣୁ ଅନ୍ୟ ବିଶ୍ଵାସୀମାନଙ୍କୁ ନିଜଠାରୁ ଅଲଗା କରି ଦେଖୁଥାଏ । ଆପଣା ଭିତରେ ଏକ କ୍ଷତିପୂରଣର ଆନନ୍ଦ ପାଉଥାଏ ।

 

ଅକ୍ଟୋବର ୧୫, ୧୯୮୮

Image

 

ଠାକୁରଟିଏ ଦରକାର

 

ଅବିଶ୍ଵାସୀ ମଣିଷକୁ ଠାକୁରଟିଏ ଅବଶ୍ୟ ଦରକାର । ବିଶ୍ଵାସ ବଢ଼ିଲେ ମଣିଷ ତାଙ୍କୁ ଏଠି ଦେଖିପାରେ, ସେଠିବି ଦେଖିପାରେ । ବାହାରେ ଦେଖିପାରେ, ଭିତରେ ମଧ୍ୟ ଦେଖିପାରେ । ନିକାଞ୍ଚନରେ ଦେଖିପାରେ, ମଣିଷମେଳରେ ମଧ୍ୟ ଦେଖିପାରେ । କେବଳ କୌଣସି ଗୋଟିଏ ବିଶେଷ ବା ବିଶିଷ୍ଟ ଦିନରେ ନୁହେଁ । ବିଶେଷ ଅବିଶେଷ ସବୁଦିନ ତାଙ୍କୁ ସର୍ବଦା ଦେଖିପାରେ, ସାନରେ ଦେଖିପାରେ, ବଡ଼ରେବି ଦେଖିପାରେ । ନିଜର ନିଃଶ୍ଵାସପରି ଅନୁଭବ କରିପାରେ । ସିଏ ପାଖେପାଖେ ରହିଥାଆନ୍ତି; ସଙ୍ଗୀ ହୋଇ ରହିଥାଆନ୍ତି, ପରିଚାଳକ ହୋଇ ରହିଥାନ୍ତି । ପ୍ରେରଣା ଯୋଗାଉ ଥାଆନ୍ତି, ପ୍ରେରିତ କରୁଥାନ୍ତି । ସତେଅବା ଆମର ଆଖି ହୋଇ ରହିଥାନ୍ତି ।

 

ସିଏ ରହିଛନ୍ତି ବୋଲି ଶାସ୍ତ୍ରରେ କେତେ କେତେ ପ୍ରମାଣ ଦିଆ ହୋଇଥାଏ । ତଥାପି, ଶାସ୍ତ୍ର ପଢ଼ିବା ମଣିଷକୁ ସିଏ ଅନେକ ସମୟରେ ଅଗୋଚର ହୋଇ ରହିଥାନ୍ତି । ନିଜ ଭିତରକୁ ବିଶ୍ଵାସ ନ ପାଇଲେ ମଣିଷ ମନ୍ଦିରକୁ ମନ କରେ । ମନ୍ଦିର ଭିତରେ ସିଏ ରହିଛନ୍ତି ବୋଲି ପ୍ରମାଣ କରିବାକୁ ମଣିଷ ତାଙ୍କ ନାମରେ ମନ୍ଦିର ଉପରେ ବାନା ଉଡ଼ାଏ । ଅନ୍ଧାର ଭିତରେ କାଳେ ସିଏ ଦୃଶ୍ୟ ନହେବେ ବୋଲି ଦୀପ ଜାଳେ । ବାନାଟିଏ ଉଡ଼ିଲେ କିମ୍ବା ଦୀପଟିଏ ଜଳିଲେ ଯେ ବିଶ୍ଵାସ ବଳେ ବଳେ ଆସିଯାଏ, ସେକଥା ମୋଟେ ନୁହେଁ । ତଥାପି, ଅବିଶ୍ଵାସୀ ମଣିଷ ବାନାକୁ ଦେଖୁଥାଏ, ଦୀପ ଜାଳୁଥାଏ, ଠାକୁରଟିଏ ଥାପି କେଡ଼େ ସନ୍ତୋଷ ପାଏ । ସନ୍ତୋଷ ପାଏ ସତ, ତଥାପି ଭେଟ ପାଇ ପାରେନାହିଁ ।

 

ଅନେକ ମଣିଷ ନିଜପାଇଁ ତାଙ୍କୁ ଲୋଡ଼ନ୍ତି । ଏହି ଲୋକମାନେହିଁ ସଚରାଚର ତାଙ୍କୁ ଠାକୁରରେ ପରିଣତ କରିଦିଅନ୍ତି । ଦୂରରୁ ଥାଇ ମାଗନ୍ତି । ତାଙ୍କରି କାମ କରିବା ଲାଗି ସମ୍ମତ ହୋଇପାରିଲେ ଯାଇ ଅସଲ ବିଶ୍ଵାସ ଭିତରକୁ ସାହସ ହୁଏ । ତାଙ୍କୁ ଅତି ପାଖରେ, ଗୋଟାସୁଦ୍ଧା ନିଜ ଭିତରେ ଅନୁଭବ କରିପାରିଲେ ଯାଇ ତାଙ୍କର କାମ କରିବା ସହଜ ହୋଇଯାଏ । ତାଙ୍କୁ ଆଉ ମୋଟେ ଡର ମାଡ଼େନାହିଁ । ତାଙ୍କଠାରୁ ଲୁଚି ବୁଲିବାକୁ ମୋଟେ ମନ ହୁଏ ନାହିଁ ।

 

ସିଏ ମୋ’ ଭିତରେ ଅଛନ୍ତି, ସଙ୍ଗୀ ହୋଇ ରହିଛନ୍ତି । ତେଣୁ ମୋର ତାଙ୍କରି କାମ କରିବାକୁ ଏତେ ମନ ହେଉଛି । ସେଇଥିପାଇଁ ତାଙ୍କର କାମ କଲାବେଳେ ଏଡ଼େ ଖୁସି ଲାଗୁଛି, ଏଡ଼େ ନିର୍ଭୟ ଲାଗୁଛି । ନିଜକୁ କିଳି ରଖିବାକୁ ମନ କରୁଥିବା ପର୍ଯ୍ୟନ୍ତ ମୁଁ ହୁଏତ ତାଙ୍କୁ ମଧ୍ୟ କୌଣସି ନା କୌଣସି ପ୍ରକାରେ କିଳି ରଖିବା ସକାଶେ ଭାରି ମନ କରୁଥିବି । ତାଙ୍କୁ ଆଜି ଅମୁକ ନାଆଁଟିଏ ଦେଉଥିବି, କାଲି ସମୁକ ନାଆଁଟିଏ ଦେଉଥିବି । ନାଆଁ ନାଆଁ ଭିତରେ ବାଛବିଚାର କରୁଥିବି । ତଥାପି ଅସଲ ସୂତାଟିକୁ ମୋଟେ ପାଇପାରୁ ନଥିବି । ମୋର ତଥାକଥିତ ବିଶ୍ଵାସଗୁଡ଼ିକ ମୋ’ ପ୍ରତିମାତୃଷ୍ଣାରୂପୀ ଗୋଟାଏ ପ୍ରବଳ ଘୋଡ଼ାର ଟାପୁତଳେ ଛିନ୍‌ଛତର ହୋଇଯିବାରେ ଲାଗିଥିବେ । ତେଣୁ, ସବା ଆଗ ସମ୍ମତିଟିଏ ଦରକାର ।

 

ନଭେମ୍ବର ୦୧, ୧୯୮୮

Image

 

ଇଷ୍ଟଦେବ–ସଂସ୍କୃତି

 

ମଣିଷ ତାଙ୍କୁ ଯୋଉଠି ଖୋଜିବ, ତାଙ୍କୁ ସେଠାରେ ଅବଶ୍ୟ ପାଇବ ବୋଲି ଆମ ଶାସ୍ତ୍ରରେ ଲେଖାଯାଇଛି । ଆମେ ତାଙ୍କୁ ଯେଉଁଠି ଠାବ କରିପାରିବା, ସିଏ ଆମକୁ ସେଠି ଅବଶ୍ୟ ଦୃଶ୍ୟ ହେବେ ବୋଲି ପୃଥିବୀର ଗୁରୁମାନେ କହି ଆସିଛନ୍ତି । ସେକଥା ଅବଶ୍ୟ ଏକ ଠିକ୍ କଥା; ମାତ୍ର ତଥାପି, ମୁଁ ତାଙ୍କୁ ଯେଉଁଠାରେ ଦେଖିଲି ବୋଲି ଦାବି କରୁଛି, ଯଦି କୌଣସି କାରଣରୁ ସେହିଠାରେହିଁ ଅଟକି ରହିଯାଏ, ତେବେ ମୋ’ ସହିତ ମୋର ଭଗବାନ ମଧ୍ୟ ସେହିଠାରେ ଅଟକି ରହିଯିବେ । ଠିକ୍ ମୋରି ପରି ଅନ୍ଧ ହୋଇ ରହିଯିବେ, ଅଳପ ହୋଇ ରହିଯିବେ । ତା’ପରେ ଆମର ଯାବତୀୟ ପିତୁଳା ବା ପ୍ରତିମା ଆମକୁ ଅଧିକତଃ ପୌତ୍ତଳିକ ହେବାରେହିଁ ସାହାଯ୍ୟ କରିବେ । ଆମର ଭଗବତ୍‌ପ୍ରୀତି ଏକ ଅସ୍ଵାସ୍ଥ୍ୟକର ପ୍ରତିମାତୃଷ୍ଣା ଭିତରେ ଗନ୍ଧିଆ ହୋଇ ରହିଯିବ-

 

ମଣିଷ ପୌତ୍ତଳିକ ହେବାକୁ ମନ କରିବାରୁ ବୋଧହୁଏ ପୃଥିବୀରେ ଏକ ଇଷ୍ଟଦେବ ସଂସ୍କୃତି ଆପଣାର ପ୍ରାଦୁର୍ଭାବ ବିସ୍ତାର କରିବା ଲାଗି ଯୁଗେଯୁଗେ ଏତେ ବେଶି ପ୍ରଶ୍ରୟ ପାଇଆସିଛି-। ଏହି ବିଶ୍ଵ ଯେତିକି ବଡ଼, ଭଗବାନ ମଧ୍ୟ ସେତିକି ବଡ଼ ହୋଇଥାନ୍ତେ । କେବଳ ଏହି ବିଶ୍ଵ ଭିତରେବି ତାଙ୍କୁ କିଳିକରି ରଖାଯାଇ ପାରିବ ନାହିଁ ବୋଲି ତାଙ୍କୁ ବିଶ୍ଵାତୀତ ବୋଲି କୁହାଯାଇଛି-। ମାତ୍ର, ମୁଁ ଯଦି ତାଙ୍କୁ ମୋର ଇଷ୍ଟଦେବ ବୋଲି କହି ନିଜର ଘରଭିତରେ ବାନ୍ଧି ରଖିବାର ଅହଂକାର କରିବି, ତେବେ ତଦ୍ଦ୍ଵାରା ମୁଁ ନିଜେହିଁ ଅତ୍ୟନ୍ତ ଅଳପ ଭିତରେ ବାନ୍ଧିହୋଇ ରହିଯିବି-। ଜଗତର ନାଥ ଜଗନ୍ନାଥ ସତ, ମାତ୍ର ଜଣେ ଓଡ଼ିଆ ହିସାବରେ ମୁଁ ଯେତେବେଳେ ତାଙ୍କୁ ଓଡ଼ିଆମାନଙ୍କର ଇଷ୍ଟଦେବ ବୋଲି କହି ଅହଂକାର ବାହାର କରିବି, ସେତେବେଳେ ମୁଁ ଜଗନ୍ନାଥ ଚେତନା ଭିତରୁ ଜଗନ୍ନାଥଙ୍କୁ ବଡ଼ ଦୟନୀୟ ଭାବରେ ବାହାର କରି ଆଣି ତାଙ୍କୁ ମୋର କ୍ଷୁଦ୍ର କୌଶଳରେ ଠାକୁରଟିଏ କରି ଥାପି ରଖିବାରହିଁ ପ୍ରୟାସ କରୁଛି ବୋଲି କୁହାଯିବ । ଏପରି କରି ଆପଣା ଚେତନାକ୍ଷେତ୍ରର ଅନେକ ସମ୍ଭାବନାକୁ ମୁଁ ବାଡ଼ ଦେଇ, କାନ୍ଥ ଉଠାଇ ଭାରି ବ୍ୟାହତ ଓ କ୍ଷତବିକ୍ଷତ କରି ପକାଇବି ।

 

ମୋର ଇଷ୍ଟ ଯେତିକି, ମୋର ଦେବତା ମଧ୍ୟ ସେତିକି । ମୋର ଚେତନାର ଉତ୍ତରଣ ଘଟୁଥିବା ସଙ୍ଗେସଙ୍ଗେ ଦେବତା ବିଷୟରେ ମୋର ଅବଧାରଣାଟି ମଧ୍ୟ ଅନୁରୂପ ଭାବରେ ବିକଶିତ ଓ ସମୃଦ୍ଧ ହେବାରେ ଲାଗିଥିବ । ମୋ’ ଦେବତା ପରିଧିରେ ବଢ଼ୁଥିବେ, ଆବେଦନରେ ମଧ୍ୟ ବଢ଼ୁଥିବେ । ମାତ୍ର, ଯଦି ମୁଁ ନିଜ ଭିତରେ ବାଟ ଚାଲିବି ନାହିଁ ବୋଲି ମନା କରି ଦେଇଥିବି, ତେବେ ମୋର ଇଷ୍ଟଦେବ ମଧ୍ୟ ମୋ’ ସାନ ଟୁଙ୍ଗୀଟି ଭିତରେ ଭାରି ଅଳପ ହୋଇ ରହିବାକୁ ବାଧ୍ୟ ହେବେ, ମୋ’ ସାନ କରାଟଟିର ଅଫିମ ହୋଇ ରହିବେ । ମୋ’ ଭିତରର ପାଷଣ୍ଡ ‘ମୁଁ’ଟା ଜିତିବାରେ ଲାଗିଥିବ, ସିଏ ହାରି ହାରି ଯାଉଥିବେ ।

 

ନଭେମ୍ବର ୧୫, ୧୯୮୮

Image

 

Unknown

ଜନ୍ମଗତ ଅଧିକାର

 

ଅଧିକାର ହିସାବରେ ପ୍ରତ୍ୟେକ ମଣିଷର କେତେ କ’ଣ ରହିଛି । ସେହିସବୁ ଅଧିକାର ଅନେକ କ୍ଷେତ୍ରରେ ବହିମାନଙ୍କରେ ଲେଖା ହୋଇରହିଛି । କୌଣସି ଏକ ଦେଶର ନାଗରିକ ହିସାବରେ ଜଣେ ମଣିଷର ଅଧିକାର ରହିଛି । ଭାରତବର୍ଷର ବାଳ ଗଙ୍ଗାଧର ତିଳକ ଏକଦା ସ୍ଵାଧୀନତାଲାଭକୁ ଏହି ଦେଶରେ ପ୍ରତ୍ୟେକ ମନୁଷ୍ୟର ଜନ୍ମଗତ ଅଧିକାର ବୋଲି ଘୋଷଣା କରିଥିଲେ । ଭାରତବର୍ଷ ସ୍ଵାଧୀନତା ପାଇସାରିବା ପରେ ଆମର ଏଠି ଆହୁରି କେତେ କେତେ ପ୍ରକାରର ଅଧିକାରର କଥା କୁହାଯାଉଛି । ଆଧୁନିକ ପୃଥିବୀରେ ମଧ୍ୟ ଆର୍ଥିକ, ରାଜନୀତିକ ତଥା ରାଷ୍ଟୀୟ କ୍ଷେତ୍ରରେ କ୍ରମେ ଅଧିକରୁ ଅଧିକ ଅଧିକାରର ଚର୍ଚ୍ଚା ହେଲାଣି ।

 

ଅଧିକାର ଅନେକ ସ୍ତରର । ମଣିଷର ପେଟ ପୂରିବ, ପିଲାଏ ପାଠ ପଢ଼ିବେ, ସମସ୍ତଙ୍କ ସକାଶେ କାମ ଯୋଗାଇ ଦିଆଯିବ, ରୋଗରେ ପଡ଼ିଲେ ସବୁ ମଣିଷଙ୍କର ଚିକିତ୍ସା ହୋଇ ପାରୁଥିବ-ଏଗୁଡ଼ିକ ପ୍ରତ୍ୟେକ ମନୁଷ୍ୟର ଅବଶ୍ୟ ଗୋଟାଏ ଗୋଟାଏ ଅଧିକାର । ମାତ୍ର, ଯଦି ଆମେ ଟିକିଏ ଅଧିକ ଗଭୀରକୁ ଯାଇ ଚିନ୍ତା କରିବା, ଅର୍ଥାତ୍, ରାଜନୀତିର ଊର୍ଦ୍ଧ୍ଵକୁ ଯାଇ ରାଜନୀତିକ ଅଧିକାରର ଏବଂ ଅର୍ଥନୀତି ଊର୍ଦ୍ଧ୍ଵକୁ ଯାଇ ଅର୍ଥନୈତିକ ଅଧିକାରର ଚିନ୍ତା କରିବା, ତେବେ ଅବଶ୍ୟ ହୃଦୟଙ୍ଗମ କରିବା ଯେ,ଏକ ଅସଲ ଅଧିକାର ନେଇ ପ୍ରତ୍ୟେକ ମନୁଷ୍ୟ ଏହି ପୃଥିବୀକୁ ଆସିଛନ୍ତି, ଓ ସେହି ଅଧିକାରଟିକୁ ଜୀବନରେ ସତକୁସତ ଫଳାଇ ପାରିବା ନିମନ୍ତେହିଁ, ସହାୟକ ବା ଅନୁପୂରକରୂପେ ଅନ୍ୟାନ୍ୟ ଯାବତୀୟ ଅଧିକାର ଏକ ଆବଶ୍ୟକତା ରହିଛି ।

 

ମାଆଙ୍କ କଥା ଅନୁସାରେ ମନୁଷ୍ୟର ଏହି ଅସଲ ଜନ୍ମଗତ ଅଧିକାରଟି ହେଉଛି “ଦିବ୍ୟ ଉପଲବ୍ଧିର ସୋପାନରେ ସର୍ବପ୍ରଥମେ ଯାଇ ପହଞ୍ଚିବାର ସମ୍ଭାବନା ଓ ସାମର୍ଥ୍ୟ ।” (ଇଂରାଜୀ ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ, ୧୯୮୦, ପୃଷ୍ଠା-୨୭୨) ଆମର ସବୁଯାକ ବାସନା, ସବୁଯାକ ପ୍ରୀତି ଓ ସବୁଯାକ ସମ୍ବନ୍ଧ ମୂଳତଃ ସେହି ଜନ୍ମଗତ ଅଧିକାର ପ୍ରାପ୍ତି ଲାଗି ନିୟୋଜିତ ହୋଇ ପାରୁଥାନ୍ତା । ମାତ୍ର, ମାଆ ତା’ପରେ ମନ୍ତବ୍ୟ ପ୍ରକାଶ କରି କହିଛନ୍ତି ଯେ, ପ୍ରାୟ ସର୍ବତ୍ର ଆମେ ଛାର ଏଇଟା ଅଥବା ସେଇଟା ହାସଲ କରିବାର ଉତ୍ତାପର କବଳରେ ପଡ଼ି ଆମର ସେହି ମୂଳଭୂତ ଜନ୍ମଗତ ଅଧିକାରଟିକୁ କେଡ଼େ ଶୋଚନୀୟ ଭାବରେ ହରାଇବସୁ (Selling the birthright for a mass of pottage) । ଆମେ ଜୀବନରେ କେତେ କେତେ ଗଡ଼ ଜିତିବାରେ ମହାଉନ୍ମାଦନାରେ ମାତିକରି ରହିଥାଉ : ଧନର ଗଡ଼କୁ ଜିତୁ, ପଦମର୍ଯ୍ୟାଦା ରାଜ୍ୟ ଭିତରେ ପଶି କେତେ କ’ଣ ଲୁଟି ନେଇଆସୁ । ଆମେ କ୍ଷମତା କାମନା କରୁ, ନିଜର ଜୀବନରୁ ସତେଅବା ମନୋରମା ଭାର୍ଯ୍ୟାଟାଏ କରି ସଜାଇ ଦେଇ ମହାତୃପ୍ତିର ସହିତ ତାହାରି ସହିତ ରମଣ କରିବାରେ ଲାଗିଥାଉ । ଅସଲ ଦ୍ଵାରଟିକୁ ପ୍ରାୟ ଜାଣିଶୁଣି ବନ୍ଦ ରଖିଥାଉ । ଆମ ଭିତରେ ରହିଥିବା ଭଗବାନ ଅନନ୍ତ କାଳ ନିମନ୍ତେ ଅବଶ୍ୟ ଅପେକ୍ଷା କରି ରହିବେ ବୋଲି ତାଙ୍କର କାମଟିକୁ ସବାପଛରେ କରିବୁ ବୋଲି ରଖିଥାଉ । ଅଥବା, ସେହି ଦୁଆରଟିକୁ କେବେହେଲେ ଖୋଲିବୁ ନାହିଁ ଓ ତାଙ୍କୁ ଦଗାଟାଏ ଦେବୁ ବୋଲି ମନସ୍ଥ କରିଥାଉ ।

 

ଡିସେମ୍ବର ୦୧, ୧୯୮୮

Image

 

ସହ ନୌ ଭୁନକ୍ତୁ

 

ଖାଇବାଟା ସବୁଠାରୁ ସାନ କଥା, ସବୁଠାରୁ ବଡ଼କଥାବି । ଅନେକ ମଣିଷ ଅଛନ୍ତି, ଯୋଉମାନେ କି ଏକୁଟିଆ ଖାଇବାକୁ ଭାରି ସୁଖ ପାଆନ୍ତି; ଅନେକ ଏପରି ମଧ୍ୟ ଅଛନ୍ତି, ଯେଉଁମାନଙ୍କୁ କି ଏକାଠି ବସି ନଖାଇଲେ ମୋଟେ ସୁଖ ଲାଗେନାହିଁ । ଏଭଳି ଘରମାନ ଅଛି, ଯେଉଁଠି ବାପା ଆଗ ଖାଇଯାଆନ୍ତି, ତା’ପରେ ଯାଇ ପିଲାମାନେ ଖାଆନ୍ତି । ଅଥବା, ଆଗ ଯାହିତାହି କରି ପିଲାମାନଙ୍କୁ ବାଢ଼ି ଦିଆଯାଏ । ତା’ପରେ ବାପା ବା କର୍ତ୍ତା ଖାଇବସନ୍ତି । ତା’ପରେ ଯାଇ ଗୃହିଣୀ ଖାଆନ୍ତି । ଚାକର ପିଲାଟି କେତେବେଳେ ଖାଏ କେଜାଣି ? ଶାସ୍ତ୍ରରେ ଯାହା ଲେଖା ହୋଇଥାଉ ପଛକେ, ପ୍ରକୃତ ପରମ୍ପରାଟି ଅନୁସାରେ ଗୁରୁ ଆଉ ଶିଷ୍ୟ କେବେହେଲେ ଏକାଠି ଖାଇ ବସନ୍ତି ନାହିଁ । ହୁଏତ ପୂର୍ବେ ସେହି ପ୍ରାଚୀନ ଯୁଗରେ କଦବା କେବେ ଏକାଠି ବସୁଥିଲେ, ଏବେ ଏକାଠି ବସିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ ।

 

କିଏ ଆଗ ଖାଇବ, କିଏ ପଛେ ଖାଇବ, କାହା ଭାଗରେ ଲାଞ୍ଜ ଓ କାହା ଭାଗରେ ମୁଣ୍ଡ ପଡ଼ିବ, କାହାଲାଗି ପାଞ୍ଚଟା ଜାଗାରେ ପାଞ୍ଚ ଠାଆ ବଢ଼ାଯିବ ଏବଂ କାହାକୁ ସେହି ଭାତ କଡ଼ରେ ମେଞ୍ଚାଏ ବା କେଞ୍ଚାଏ କରି ବାଢ଼ି ଦିଆଯିବ, ଏଥିରୁ କୁଆଡ଼େ କୋଉ ମଣିଷକୁ ଆମେ କେତେ ଖାତିରି କରୁଛେ, ତାହାରି ଏକ ପ୍ରତୀକାତ୍ମକ ପ୍ରମାଣ ମିଳିଥାଏ । ଦୂରତାଗୁଡ଼ିକୁ ବେଶ୍ ମାପିହୁଏ, ଦୂରତା ନଥିଲେ କାହାକୁ କେତେ ସମ୍ମାନ ଦିଆଯିବ, ତାହାର ନିର୍ଦ୍ଧାରଣ କରି ହେବନାହିଁ ବୋଲି ଭାରି ଆଶଙ୍କା କରାଯାଉଥାଏ । ତେଣୁ ଗୋଟାଏ ଗୋଟାଏ ସଂସ୍କୃତିରେ ଦୂରତାଗୁଡ଼ିକ ଲାଗି ବିଶେଷ ବିଧାନମାନ ରହିଥାଏ । ସମ୍ପୃକ୍ତ ସମସ୍ତେ କେଡ଼େ ନିରୀହ ଭାବରେ ସେହି ଦୂରତାକୁ ମାନି ନେଇଛନ୍ତି ।

 

ଆମ ସମ୍ମିଳନୀମାନଙ୍କରେ ଆମେ ଏକାଠି ବସି ଖାଇ ପାରୁନାହୁଁ । ଏକାଠି ଗୋଟିଏ ଧାଡ଼ିରେ ଅନ୍ନଶାଳା ଭିତରକୁ ଯାଇ ପାରୁନାହୁଁ । ଦୂରତା ରଖି ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ବୋଲି ଅନୁଭବ କରିବାକୁ ଯେପରି ଆମକୁ ପୂର୍ଣ୍ଣ ପ୍ରତ୍ୟୟ ଓ ପୂର୍ଣ୍ଣ ପ୍ରଶ୍ରୟ ମିଳିବ, ଆମର ଅନୁରାଗୀମାନେ ଆଗରୁ ସେହି ବ୍ୟବସ୍ଥା କରି ରଖିଥାନ୍ତି । ତେଣୁ ସାଧାରଣମାନଙ୍କୁ ଅଗଣାରେ ବସାଇ ଅସାଧାରଣମାନଙ୍କୁ ଚଉକିରେ ବସାଇ ଅଲଗାଅଲଗା ଚର୍ଚ୍ଚା କଲାପରି ଆମ ଖାଇବାରେ ମଧ୍ୟ ସତେଅବା ବଳେ ବଳେ ଦୁଇଟା ପଂକ୍ତି ହୋଇଯାଏ । ଦୁଇ ପଂକ୍ତି ପରସ୍ପରକୁ ପ୍ରକୃତରେ କିଭଳି ଦୃଷ୍ଟିରେ ଦେଖୁ ଥାଆନ୍ତି କେଜାଣି ? ଭବିଷ୍ୟତ୍‍ରେ କେତେ କ’ଣ ଘଟିବ ବୋଲି ସଭାରୁ ସ୍ଵପ୍ନ ଦେଖୁଦେଖୁ ଆମେ ବର୍ତ୍ତମାନର ଚିହ୍ନା ଲୋକଗୁଡ଼ାଙ୍କ ଭିତରେ କେତେବେଳେ ଯେ ଯାଇ ପଶିଯାଉ, ଆମ ନିଜକୁ ମଧ୍ୟ ସେକଥା ମାଲୁମ ନଥାଏ । ଉପନିଷଦରେ ଗୁରୁଶିଷ୍ୟ ଏକାଠି ବସି ଖାଇବା କଥା କହିଛନ୍ତି । ସେଇଥିରୁ ସେମାନଙ୍କୁ ପରସ୍ପରକୁ ଶକ୍ତିମନ୍ତ କରିବାର ଓ କେବେହେଲେ ଏକ ଆରେକୁ ଦ୍ଵେଷ ନକରିବାର ପ୍ରେରଣା ମିଳିବ ବୋଲି ଘୋଷଣା କରିଛନ୍ତି । ଯଦି ସେ ଯୁଗରେ ମିଳୁଥିଲା, ତେବେ ଏ ଯୁଗରେ ମଧ୍ୟ ଅବଶ୍ୟ ମିଳିବ । ଆମ ବର୍ତ୍ତମାନର ଦୂରତାଗୁଡ଼ାକୁ ଭାଙ୍ଗିଦେଇ ପାରିଲେ ଆମେ ହୁଏତ ଅଧିକ ସ୍ଵାଭାବିକ ଭାବରେ ଭବିଷ୍ୟତ୍‍ର ସେହି କାଂକ୍ଷିତ ସାମୀପ୍ୟଗୁଡ଼ିକ ଆଡ଼କୁ ମୋହି ଯାଇ ପାରିବା ।

 

ଡିସେମ୍ବର ୧୫, ୧୯୮୮

Image

 

ଭାଗ୍ୟ ଓ ଭଗବାନ

 

ଭଗବାନ ଖାଲି ବାହାରେ ଅଛନ୍ତି ଯେଉଁମାନେ ବିଶ୍ଵାସ କରନ୍ତି, ସେମାନେ ଭାଗ୍ୟବାଦୀ ହୁଅନ୍ତି । ଭଗବାନ ସବୁଠାରେ ସବୁ ଘଟରେ ପୂର୍ଣ୍ଣ ହୋଇ ରହିଛନ୍ତି । ସିଏ ବାହାରେ ଅଛନ୍ତି, ଭିତରେବି ଅଛନ୍ତି; ମୋ’ ଭିତରେ ଅଛନ୍ତି, ଅନ୍ୟ ସମସ୍ତଙ୍କ ଭିତରେ ମଧ୍ୟ ରହିଛନ୍ତି । ଏହି ସର୍ବମୂଳ ସତ୍ୟଟିକୁ ଯିଏ ଯେତିକି ଭୁଲିକରି ରହିବାକୁ ମନ କରିଛି, ସିଏ ସଚରାଚର ସେତିକି ଉତ୍ସାହ ଏବଂ ଉଦ୍ଦାମତା ସହିତ ଦେଉଳକୁ ମନ କରିଛି, ତୀର୍ଥକୁ ମନ କରିଛି । ସିଏ ସେତିକି ପରିଣାମରେ ଏକାବେଳେକେ ନିକଟଗୁଡ଼ାକ ପ୍ରତି ଆଖି ବୁଜିଦେଇ ଦୂର ଲାଗି ଝୁରି ବାହାରିଛି ଏବଂ ଅସଲ ବାଟରୁ ହୁଡ଼ିଛି ।

 

ଅସଲ ବାଟରୁ ହୁଡ଼ିଲେହିଁ ମଣିଷ ପ୍ରାୟ ବାଧ୍ୟ ହୋଇ ଭାଗ୍ୟବାଦୀ ହୋଇଥାଏ । ଭାଗ୍ୟବାଦୀ ଅତ୍ୟନ୍ତ ଲାଳସା ସହିତ ନିଜ ଜୀବନଟିକୁହିଁ ଜାବୁଡ଼ି ଧରିଥାଏ, ଗୋଟାସୁଦ୍ଧା ନିଜର ବିଚାର କରିହିଁ ନର୍କକୁ ଡରୁଥାଏ ଏବଂ ସ୍ଵର୍ଗଲାଗି ଲୋଭାସକ୍ତ ହୋଇ ରହିଥାଏ । ଭାଗ୍ୟବାଦୀ ସଂସାର ବିଷୟରେ ଅତ୍ୟନ୍ତ ବିମୁଖ ହୋଇ ରହିଥାଏ । ଅନ୍ୟମାନଙ୍କୁ ପଛରେ ପକାଇ ଦେଇ ଏକୁଟିଆ ସବାଆଗ ଯାଇ ତଥାକଥିତ ପରମ ସୁଖକୁ ଭୁଞ୍ଜିବ ବୋଲି ନସରପସର ହେଉଥାଏ । ଭଗବାନ ସିନା ସଂସାରରେ ରହିଥାନ୍ତି, ମାତ୍ର ଭାଗ୍ୟବାଦୀ ସଂସାରକୁ ଛାଡ଼ି, ଆପଣାର କୋରଡ଼ଟି ଭିତରେ ଯାଇ କଂସା କାମୁଡ଼ି ପଡ଼ି ରହିଥାଏ ।

 

ତାଙ୍କୁ ଛାଡ଼ିଲେ ନୁହେଁ, ଗୋଟାସୁଦ୍ଧା ନିଜକୁ ଲୋଡ଼ିଲେ ଆଦୌ ନୁହେଁ, ଭଗବାନଙ୍କ ଲାଗି ଏହି ସମଗ୍ର ଜଗତର ସବୁ କ୍ଷେତ୍ରରେ ଆପଣାକୁ ଉନ୍ମୋଚିତ ଏବଂ ଇଚ୍ଛୁକ କରି ରଖିପାରିଲେ ଯେ ମନୁଷ୍ୟ ଆପଣାର ଅସଲ ଭାଗ୍ୟଟିର ଯୋଗ୍ୟ ହୁଏ, ବିଚରା ଭାଗ୍ୟବାଦୀକୁ ସେହି କଥା କିଏ ବୁଝାଇ ଦେଇ ପାରିବ ? ଭାଗ୍ୟବାଦୀ ଅନେକ ସମୟରେ ପୃଥିବୀର ଭାଗ୍ୟଠାରୁ ତଥାକଥିତ ନିଜର ଭାଗ୍ୟଟି ଲାଗି ଅଧିକ ହନ୍ତସନ୍ତ ହେବାରେ ଲାଗିଥାଏ ଓ ତେଣୁ ଆପଣାର ଅସଲ ଭାଗ୍ୟଠାରୁ ବଞ୍ଚିତ ହୋଇ ରହେ । ନିକର ତଥାକଥିତ ଭାଗ୍ୟଟାକୁ ନେଇ ସିଏ ଏପରି ଭାବରେ ଘୋଷାରି ହେଉଥାଏ ଯେ, ଏହି ପୃଥିବୀର ସମସ୍ତଙ୍କ ସହିତ ତା’ ଲାଗି ଯେଉଁ ନିୟତିଟି ଅଭିପ୍ରେତ ହୋଇ ରହିଛି, ନିଜ ଭିତରୁ ସିଏ ତାହାର କୌଣସି ସଙ୍କେତ ମଧ୍ୟ ପାଇପାରେ ନାହିଁ । ତେଣୁ ନିଜର ଭାଗ୍ୟ ନାମରେ ଗାତ ପରେ ଗାତ ଅଣ୍ଡାଳି ବୁଲୁଥାଏ; କେଡ଼େ ଦୁର୍ଦ୍ଦାନ୍ତ ହୁଏ, କେଡ଼େ ହୀନବୃଦ୍ଧି ହୁଏ; ତଥାପି ଅସଲ ଜୀବନୋଦ୍ୟମଟିରେ କୌଣସି ଭାଗ ନେଇପାରେ ନାହିଁ ।

 

ଭଗବାନ ବାହାରେ ଅଛନ୍ତି, ଭଗବାନ ଭିତରେ ଅଛନ୍ତି; ସାଧନାର ଭାଷାରେ ଆଗପଛ କରି କହିବାକୁ ଗଲେ, ସିଏ ଆଗ ଭିତରେହିଁ ଅଛନ୍ତି । ତାଙ୍କୁ ଆଗ ଭିତରେ ଠାବ କରିପାରିଲେ ଯାଇ ବାହାରେ ମଧ୍ୟ ଠାବ କରିହୁଏ । ଭିତରେ ଖିଅଟି ଲାଗି ରହିଥିଲେ ଯାଇ ଦେଉଳ ଭିତରେ, ତୀର୍ଥରେ ମଧ୍ୟ ତାଙ୍କ ସହିତ ଖିଅ ଲଗାଇ ପାରିବା ସମ୍ଭବ ହୁଏ । କିନ୍ତୁ ଏହି ପୃଥିବୀରେ ତାଙ୍କର କାର୍ଯ୍ୟ କରିବା ଲାଗି ରାଜି ନ ହୋଇଥିବା ପର୍ଯ୍ୟନ୍ତ, ନିଜର କବାଟଗୁଡ଼ାକୁ ଫିଟାଇ କୋରଡ଼ ଭିତରୁ ବାହାରି ନଆସିବା ପର୍ଯ୍ୟନ୍ତ ନିଜ ଭିତରେ ସିଏ ରହିଛନ୍ତି ବୋଲି ବିଶ୍ଵାସ ମଧ୍ୟ ହୋଇ ପାରେନାହିଁ । ଠାବ କରିବା ତ ଆହୁରି ଅଧିକ ଦୂରର କଥା ।

 

ଜାନୁଆରୀ ୦୧, ୧୯୮୯

Image

 

ହେଉ ଇଚ୍ଛା ପୂରଣ

 

‘Fiat voluntas tua’ ବୋଲି ଲାଟିନ୍ ଭାଷାରେ ଗୋଟିଏ କଥା ଅଛି । ଏହା ହେଉଛି ଖ୍ରୀଷ୍ଟୀୟ ଉପାସନାର ଗୋଟିଏ କଥା । ଭକ୍ତିମାର୍ଗରେ ଏକ ଅସଲ କଥା । ତେଣୁ ଉଭୟ କର୍ମମାର୍ଗ ଏବଂ ଜ୍ଞାନମାର୍ଗରେ ମଧ୍ୟ ଅସଲ କଥା । ପୂର୍ଣ୍ଣ ଯୋଗରେ, ଯେଉଁଠି ସମଗ୍ର ଜୀବନକୁହିଁ ଯୋଗଚାରଣାର ଭୂମି ବୋଲି ଗ୍ରହଣ କରି ନିଆଯାଇଥାଏ, ସେ ସେଥିରେ ଜ୍ଞାନୀଠାରୁ କର୍ମୀ ଅଲଗା ନୁହେଁ କିମ୍ବା କର୍ମୀଠାରୁ ଭକ୍ତ ମଧ୍ୟ ଅଲଗା ନୁହେଁ ।

 

‘ତୋମାର ଇଚ୍ଛା କରୋହେ ପୂର୍ଣ୍ଣ ଆମାର ଜୀବନମାଝେ’ ବୋଲି କବି ରବୀନ୍ଦ୍ରନାଥ ମଧ୍ୟ ଗୀତାଞ୍ଜଳିରେ ଲେଖିଛନ୍ତି । ଆମେ ଜାଣୁ କି ନଜାଣୁ, ଇଚ୍ଛା କରୁ କି ନକରୁ, ଏହି ଜଗତରେ ତାଙ୍କରି ଇଚ୍ଛାହିଁ ପୂର୍ଣ୍ଣ ହୋଇ ଚାଲିଛି । ଆମ ଜୀବନର ଅସଲ କେନ୍ଦ୍ରରେ ଏବଂ ଅସଲ ବାସନାଗୁଡ଼ିକ ଭିତରେ ସେଇ ଆପଣାକୁ ଉପଲବ୍ଧି କରିବାରେ ଲାଗିଛନ୍ତି । ଯେତେବେଳେ ବାହାରୁ ଥାଇ, ଉପରୁ ଥାଇ ତାଙ୍କ ପ୍ରକ୍ରିୟାଟିର ଭଗାରି ହୋଇ ଆମେ ତଥାକଥିତ ନିଜର ଇଚ୍ଛାଗୁଡ଼ିକୁ ପୂରଣ କରିବା ଲାଗି ଉତ୍ସାହ ଦେଖାଉଛୁ ବା ଉଦଣ୍ଡ ହୋଇ ପଡ଼ୁଛୁ, ସେତେବେଳେ ଆମେ ଆମରି ଜୀବନ ଭିତରେ ତାଙ୍କର କାର୍ଯ୍ୟଟିକୁ ବ୍ୟାହତ ଏବଂ ବିଳମ୍ବିତ କରି ପକାଉଛୁ । ଏହି ପୃଥିବୀକୁ ନେଇ ଅଭିପ୍ରେତ ହୋଇ ରହିଥିବା ତାଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରିଦେଉଛୁ । ତାଙ୍କର ଇଚ୍ଛାପୂରଣକୁ ଛାଡ଼ି ଆମର ଅଲଗା କୌଣସି ଇଚ୍ଛାପୂରଣ ଅଛି ବୋଲି ଆମେ ଯେତେବେଳେ ଭାବିବାକୁ ଆରମ୍ଭ କରୁଛୁ ଓ ଏହି ପୃଥିବୀରୁ ବାହାର ହୋଇ ଏକାଏକା କେବଳ ଆମରି ଲାଗି କୌଣସି ସଫଳତା ହାସଲ କରିନେବାର ଉପାୟମାନ ଚିନ୍ତା କରୁଛୁ, ଆମେ ସେତିକିବେଳେହିଁ ତାଙ୍କ ବାଟରେ ବାଧା ସଦୃଶ ଠିଆ ହୋଇ ରହୁଛୁ ।

 

ଅଧିକରୁ ଅଧିକ ନିବିଡ଼ ଭାବରେ ତାଙ୍କରି କାମରେ ଲାଗିବା,-ତାଙ୍କରି ଇଚ୍ଛା ପୂରଣ ହେଉ ବୋଲି କହିବାର ଏହାହିଁ ହେଉଛି ଅସଲ ତାତ୍ପର୍ଯ୍ୟ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ତଥାକଥିତ ନିଜର ତାତ୍କାଳିତ ଓ ୟାଡ଼ୁସାଡ଼ୁ ଇଚ୍ଛାଗୁଡ଼ିକର ପୂରଣ ମନାସି ତାଙ୍କ ପାଖକୁ ଯାଆନ୍ତି, ତାଙ୍କ ମୂର୍ତ୍ତି ପାଖରେ ଯାଇ ବସନ୍ତି ଓ ତାଙ୍କୁ ଧ୍ୟାନ କରନ୍ତି । କେଡ଼େ କାକୁସ୍ଥ ଭାବରେ ତାଙ୍କୁ ସ୍ମରଣ କରୁଥାନ୍ତି । ଅସଲ ପିଣ୍ଡଟି ଭିତରେ ସେମାନେ ମୂଳତଃ ଅବିଶ୍ଵାସୀ ହୋଇ ରହିଥାନ୍ତି । ସେମାନେ ନିଜକୁ ଚାହୁଁଥାନ୍ତି, ତାଙ୍କୁ ନିଜପାଇଁ ନାନା କାମରେ ଲଗାଇବେ ବୋଲି ଇଚ୍ଛା ପୋଷଣ କରିଥାନ୍ତି । ସଂସାରର ମଣିଷ ଏହିପରି ଭାବରେ ତାଙ୍କୁ ସତେଅବା ଭୂତପରି ବ୍ୟବହାର କରି ଆପଣାର ବହୁ ଅଭୀଷ୍ଟସାଧନାରେ ହାତବାରିଶି ପରି ବ୍ୟବହାର କରି ଆସିଛି । ଏହି ସଂସାରକୁ ସିଏ ଭାରି କୁତ୍ସିତ କରି ରଖିଛି । ନିଜର ଜୀବନରେ ମଧ୍ୟ ଭାରି ଶୋଚନୀୟ ଭାବରେ ଅସ୍ପୃଶ୍ୟ ହୋଇ ରହିଛି । ନିଜର ଅସଲ ରତ୍ନଟି ପାଖରେ ଅସ୍ପୃଶ୍ୟ ହୋଇ ରହିଛି । ନିଜର ଅସଲ ସମ୍ଭାବନାଠାରୁ ଚୋରପରି ଦୂରରେ ଦୂରରେ ରହିଛି । ସେହି ଦମ୍ଭଗୁଡ଼ାକୁ ଛାଡ଼ିଲେ ଯାଇ ଆମ ଜୀବନରେ ତାଙ୍କର ଇଚ୍ଛା ପୂରଣ ହୋଇ ପାରିବ ।

 

ଜାନୁଆରୀ ୧୫, ୧୯୮୯

Image

 

ସମତ୍ଵଂ ଯୋଗମୁଚ୍ୟତେ

 

ଆପଣାର ଅସଲ କେନ୍ଦ୍ରଟି ଆଡ଼କୁ ଉତ୍ସାହ ହେଲେ ଏହି ସମଗ୍ର ଜୀବନଟିର ଅଧିକରୁ ଅଧିକ ସମୀପ ହୋଇଆସିବା ଲାଗି ମଧ୍ୟ ଏକ ଉତ୍ସାହ ଜାତ ହୋଇଥାଏ । ଆପଣାର ଗଭୀର ଆଡ଼କୁ ମନ ବଳିଲେ ଆପଣାକୁ ବେଷ୍ଟିତ କରି ରହିଥିବା ଏହି ସବୁଟି ଆଡ଼କୁ ମନ ମଧ୍ୟ ବଳେ । ଆମର ଗଭୀର ଆମକୁ ଊର୍ଦ୍ଧ୍ଵ ମଧ୍ୟକୁ ପରିଚାଳିତ କରି ନେଇଯାଏ, ଆମର ଊର୍ଦ୍ଧ୍ଵ ମଧ୍ୟ ଗଭୀର ଆଡ଼କୁ ପରିଚାଳିତ କରି ନେଇଯାଏ । ଏହିଭଳି ଭାବରେ ପରିଚାଳିତ ହୋଇ ପାରିବାର ଆଉ ଗୋଟାଏ ନାମ ହେଉଛି ଶ୍ରଦ୍ଧା । କେନ୍ଦ୍ରଟି ପ୍ରତି ଶ୍ରଦ୍ଧା, ଜୀବନ ପ୍ରତି ଶ୍ରଦ୍ଧା, ଜଗତ ପ୍ରତି ଶ୍ରଦ୍ଧା । ଶ୍ରଦ୍ଧାରୁ ସମତା । ଭଗବଦ ଗୀତାରେ ସମତାକୁ ଯୋଗ ବୋଲି କୁହାଯାଇଛି । ଆମକୁ ଆମର ଅସଲ ଠାବଟିରେ ଯାଇ ପହଞ୍ଚି ପାରିବାର ବାଟ ବତାଇ ଦିଆଯାଇଛି ।

 

ସମତା ହେଉଛି ଏକ ସକାରାତ୍ମକ ଶବ୍ଦ, ସକାରାତ୍ମକ ସ୍ଥିତି । ଆମର ଅସଲ ସଂଯମ ଛାଡ଼ିଯିବାରେ ନୁହେଁ, ଆମର ଅସଲ ସଂଯମ ସମତାରେ । ସମତାପାଇଁ ସଂଯମ, ଅଧିକରୁ ଅଧିକ ସମତାପାଇଁ ଅଧିକରୁ ଅଧିକ ସଂଯମ । ଗନ୍ତବ୍ୟ ଥାନଟିଏ ବାଛି ନେଇଥିଲେ ଯେପରି ଶ୍ରଦ୍ଧାର ସହିତ ବାଟ ଚାଲିହୁଏ, ଆଉ କୁଆଡ଼େ ହୁଡ଼ିଯିବାର ଯେପରି କୌଣସି ଭୟ ନଥାଏ, ଇଏ ପ୍ରାୟ ସେହିପରି ଗୋଟାଏ କଥା । ଆମ ଭିତରେ ସମତାହିଁ ଆମ ଚାହାଣିରେ ଶ୍ରଦ୍ଧା ହୋଇ ଫୁଟିଉଠେ, ବିସ୍ତାର ଆଣିଦିଏ । ଯେଉଁମାନେ ଆଚରିତ ସଂଯମଗୁଡ଼ାକୁ ଅଧିକରୁ ଅଧିକ ସମତା ଅର୍ଜନ କରିବାରେ ବ୍ୟବହାର କରି ପାରନ୍ତି ନାହିଁ, ସେମାନେ ଗ୍ରନ୍ଥିଳ ହୁଅନ୍ତ, ହୁଡ଼ି ଯାଆନ୍ତି, ଉଦାସୀନ ହୁଅନ୍ତି ।

 

Equality does not mean indifference–ବୋଲି ମାଆ କେଡ଼େ ସ୍ପଷ୍ଟ ଭାବରେ କହିଛନ୍ତି । [ଇଂରାଜୀ ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ, ୧୯୮୦, ପୃଷ୍ଟା-୧୪୯] ଆମକୁ ସାବଧାନ କରି ଦେଇଛନ୍ତି । ପୁରାତନ ସାଧନାରେ ଉଦାସୀନତାକୁହିଁ ଉପଲବ୍ଧିର ଖାତରେ ସବୁଠାରୁ ବଡ଼ କରି ବସାଇ ଦିଆଯାଇଛି । ଶ୍ରଦ୍ଧାବାନ କଦାପି ଉଦାସୀନ ହୋଇ ପାରିବନାହିଁ । ଉଦାସୀନ ମଣିଷର ସର୍ବପ୍ରଧାନ ସନ୍ତକ ହେଉଛି ଅବଜ୍ଞା । ଆମର ଏହି ବର୍ତ୍ତମାନ ପୃଥିବୀରେ ଅବଜ୍ଞାଗୁଡ଼ାକହିଁ ସଇତାନ ପରି ଆମକୁ ଅତ୍ୟନ୍ତ ଶୋଚନୀୟ ଭାବରେ ବଞ୍ଚିତ କରି ରଖିଛି । ଆମକୁ ନିଜ ନିଜର ଗୁମ୍ଫାଟି ଭିତରେ କିଳି ରଖିଦେଇଛି । ତେଣୁ, ଆପଣାକୁ କିଳି ରଖିବାକୁହିଁ ଆମେ ଅନେକ ସମୟରେ ସମତା ବୋଲି ଭ୍ରମ କରୁଛୁ । ନିର୍ମମ ହୋଇ ରହିଛୁ, ଆପଣାର ଗ୍ରନ୍ଥିଗୁଡ଼ିକ ମଧ୍ୟରେ ସଦାଶଙ୍କିତ ହୋଇ ବାସ କରୁଛୁ । ଭଗବାନଙ୍କ ନାମରେ ମିଛଟାରେ ଘଣ୍ଟ ବଜାଉଛୁ ଓ ମେଦିନୀ କମ୍ପାଇବାରେ ଲାଗିଛୁ ।

 

ଅବଜ୍ଞାଗୁଡ଼ାକୁ ଶ୍ରଦ୍ଧାରେ ପରିଣତ ହୋଇପାରିଲେ ଯାଇ ସମତାର ସିନ୍ଦୂରା ଫାଟିବ । ଭିତରର ସମତା ବାହାରକୁ ପ୍ରକଟ ହୋଇ ଆସିବ । ଖାଲି ଚେତନା ନୁହେଁ, ଆମର ସମ୍ବନ୍ଧଗୁଡ଼ାକ ମଧ୍ୟ ଆମ ଭିତରେ ତାଙ୍କରି ବରାଦ ଅନୁସାରେ ବଦଳିବାକୁ ଆରମ୍ଭ କରିବ । ଗୁହାମୁକ୍ତିର ସାଧନା ହେଉଛି ଅସଲ ହେଉଛି ଅସଲ ସାଧନା । ଜଣେ ଉଦାସୀନ ମଣିଷହିଁ ଗୁହାଟିକୁ ତାଙ୍କର ଆସ୍ଥାନ ବୋଲି ଭ୍ରମ କରୁଥାଏ । ସିଏ ଗୁହାରେ ନଥାନ୍ତି । ଏକାବେଳେକେ ଅନ୍ୟ ଏକ ଭୂମିରେ ସିଏ ଆମଲାଗି ଅପେକ୍ଷା କରି ରହିଥାନ୍ତି ।

 

ଫେବୃଆରୀ ୦୧, ୧୯୮୯

Image

 

ଭଲ ମନରେ ନା ଭଲ ବିଧିରେ ?

 

ବିଧିଗୁଡ଼ିକୁ ଏହି ମଣିଷହିଁ ତିଆରି କରିଛି । ଭଲ ବିଧିଗୁଡ଼ାକୁ ହୁଏତ କେଉଁ ଭଲ ମଣିଷମାନେ ତିଆରି କରିଛନ୍ତି ସତ, ମାତ୍ର ତଥାପି ସେହି ମଣିଷମାନେହିଁ ତିଆରି କରିଛନ୍ତି । ଦେବତାମାନେ କଦାପି ତିଆରି କରିନାହାନ୍ତି । ଦେବତାମାନଙ୍କର ପୂଜା କିପରି ହେବ, କେଉଁ ଦେବତାଙ୍କର କିପରି ପୂଜା ହେବ, ଏହି ବିଧିଗୁଡ଼ିକୁ ମଧ୍ୟ ଦେବତାମାନେ ନୁହନ୍ତି, ମଣିଷମାନେ ତିଆରି କରିଛନ୍ତି । ବିଧିଗୁଡ଼ାକ ବହିରେ ଲେଖା ହୋଇରହିଛି । ବିଧିଗୁଡ଼ାକ କ୍ରମେ ପରମ୍ପରାରେ ପରିଣତ ହୋଇଯାଇଛି ଏବଂ ଅନେକ ସମୟରେ ସେହି ବହିଗୁଡ଼ିକୁ ଧର୍ମଶାସ୍ତ୍ର ବୋଲି କୁହାଯାଇଛି-। ସେହି ପରମ୍ପରାଗୁଡ଼ାକୁ ମଧ୍ୟ ପବିତ୍ର ପରମ୍ପରା ବୋଲି କୁହାଯାଇଛି ।

 

ବିଧି ବଢ଼ି ବଢ଼ି କ୍ରମେ ଅସଲ ଭାବଗୁଡ଼ିକୁ ଗ୍ରାସ କରିବାକୁ ବାହାରିଛି । ଧ୍ୟାନର ବିଧି ବତାଇ ଦିଆଯାଇଛି, ଉପାସନାର ବିଧି ବତାଇ ଦିଆଯାଇଛି । ମନ୍ତ୍ର ପଢ଼ିବାର ଓ ଜପ କରିବାକୁ ବିଧିଗୁଡ଼ିକୁ ମଧ୍ୟ ବତାଇ ଦିଆଯାଇଛି । ବିଧିଗୁଡ଼ିକ ଯେ ସର୍ବଦା ଆମକୁ ଭାବ ଆଡ଼କୁ ପରିଚାଳିତ କରି ନେଇଛନ୍ତି, ସେକଥା ଆଦୌ ନୁହେଁ । ବରଂ ଅଧିକାଂଶ ସମୟରେ ବିଧିଗୁଡ଼ିକହିଁ ଆମର ଅସଲ ଭାବ ଓ ଅସଲ ବାସନାଗୁଡ଼ିକୁ ଅତ୍ୟନ୍ତ ସ୍ଥୂଳ କରି ପକାଇବାରେ ସାହାଯ୍ୟ କରିଛନ୍ତି, ବାହ୍ୟଗୁଡ଼ାକୁ ଭାରି ପୃଥୁଳ କରି ରଖିଛନ୍ତି । ସେଥିଲାଗି ଗୋଟାଏ ଗୋଟାଏ ଦେଉଳରେ ଏହି ବିଧିମାନେହିଁ ସ୍ୱୟଂ ଦେବତାଙ୍କୁ ମଧ୍ୟ ତଡ଼ିଦେବାର ଷଡ଼ଯନ୍ତ୍ର କରିବାକୁ ମନ ବଳାଇଛନ୍ତି । ବିଧିଗୁଡ଼ାକୁ ମାନି ଅନେକ ମଣିଷ କ୍ଷମତାକୁ ସତ ଭାବକୁ ଛୁଇଁ ପାରିଲେ ବୋଲି ବେଳେବେଳେ ଏକ ଶୁଖିଲା ସାନ୍ତ୍ଵନା ମଧ୍ୟ ପାଇ ପାରିଛନ୍ତି ।

 

ବିଧି ଆଗ ନୁହେଁ, ମନ ହେଉଛି ଆଗ । ଭଲ ମନଟିଏ ହୁଏତ ହୃଦୟ ଆଡ଼କୁ ମଧ୍ୟ ବାଟ ବଢ଼ାଇ ନେଇପାରେ । ଆମ ଭିତରେ ଆମର ଅସଲ ଅନୁରାଗ ଅର୍ଥାତ୍ ଅସଲ ସମ୍ମତିଟି ଯେଉଁଠି ଅପେକ୍ଷା କରି ରହିଛି, ଉପଯୁକ୍ତ ମନଟିଏ ଆମକୁ ହୁଏତ ସେହିଠାରେ ନେଇ ପହଞ୍ଚାଇ ଦେଇପାରେ, ଆମ ହାତରେ ଅସଲ ଖିଅଟିକୁବି ଧରାଇ ଦେଇପାରେ ଏବଂ ଅସଲ ଖିଅଟିକୁ ଧରି ପାରିଲେ ବିଧିଗୁଡ଼ାକୁ ମୋଟେ କୌଣସି ପ୍ରୟୋଜନ ନଥାଏ । ଯେଉଁମାନେ ବିଧିଗୁଡ଼ାକୁ ସାର କରି ଧରିଥାନ୍ତି, ବିଧିରେ ନହେଲେ ମୋଟେ କିଛି ହୋଇପାରିବ ନାହିଁ ବୋଲି କଥାରେ ଉପଦ୍ରବ କରିବାରେ ଲାଗିଥାନ୍ତି ଏବଂ ତୁଚ୍ଛ ବିଧିଗୁଡ଼ାକ ମଧ୍ୟରେହିଁ ବହଳ ହୋଇ ରହିଥାନ୍ତି, ଆଧ୍ୟାତ୍ମିକ ସାଧନାର କ୍ଷେତ୍ରରେ ସେମାନଙ୍କୁ ହୁଏତ ନିପାତ ବସ୍ତୁବାଦୀ ବୋଲି କୁହାଯାଇପାରିବ । ବସ୍ତୁବାଦୀ ବସ୍ତୁ ପଖାରେହିଁ ହୃଦୟକୁ ବିକିଦେଇ ସାରିଥାଏ । ଆମେ ଯେଉଁମାନେ ବିଧିଗୁଡ଼ାକୁହିଁ ହୃଦୟ ଉପରେ ମହାଜନ କରି ବସାଇ ରଖିଥାଉ, ଆମର ଯାବତୀୟ ଆଧ୍ୟାତ୍ମିକତାକୁ ହୁଏତ ଏକ ଆଡ଼ମ୍ୱରୀ ବସ୍ତୁବାଦ ଭାରି କାମୁଡ଼ି ଧରିଥାଏ, ଆମକୁ ସତେଅବା କେଡ଼େ ବଡ଼ ବୋଲି ଦେଖାଇବାର ଫନ୍ଦି କରିବାରେ ଲାଗିଥାଏ ।

 

ମାର୍ଚ୍ଚ ୦୧, ୧୯୮୯

Image

 

ମଣିଷ ଆଉ ଦେବତା

 

ଦେବତାମାନେ ମଣିଷମାନଙ୍କଠାରୁ ପ୍ରକୃତରେ କେତେ ଦୂରରେ ? ବିଭିନ୍ନ ଦେଶର କଳ୍ପନା ଅନୁସାରେ ଦେବତାମାନେ ସ୍ଵର୍ଗରେ ଥାଆନ୍ତି । ମଣିଷ ଏହି ପୃଥିବୀକୁ ବଦଳାଇ ବଦଳାଇ ସର୍ବୋତ୍ତମ ସ୍ତରରେ ଯେପରି ଭାବରେ ଦେଖିବାକୁ ଇଚ୍ଛା କରି ଆସିଛି, ସିଏ ତାହାକୁହିଁ ସ୍ଵର୍ଗ ବୋଲି କହିଛି । ସ୍ଵର୍ଗକୁ ଯିବାଲାଗି ଆଶା କରିଛି । ସେହି ଆଶାଟିକୁ ଫଳବତୀ କରିବାର ମାର୍ଗରୂପେ ଧର୍ମରୂପେ ଧର୍ମଗୁଡ଼ିକର ଭିଆଣ ହୋଇଛି, ନୀତିଗୁଡ଼ିକର ପ୍ରଣୟନ କରାଯାଇଛି । ଜଣେ ତପସ୍ଵୀ ନିଜର ତପସ୍ୟାରେ, ଚେତନାରେ ଓ ଜୀବନରେ ଉପରକୁ ଉଠି ଆମକୁ ସେହି ଆକାଂକ୍ଷିତ, ସମ୍ଭାବ୍ୟ, ମହନୀୟ ଜୀବନଟିର ବାର୍ତ୍ତା କହିଛନ୍ତି ଓ ସେହି ବାର୍ତ୍ତାଟିର ପ୍ରେରଣାରେ ତାଙ୍କୁ ପରେ ଗୋଟିଏ ଧର୍ମର ନିର୍ମାଣ ହୋଇଛି । ପ୍ରେରଣାଟିକୁ ଆୟତନ ଦେବାକୁ ଯାଇ ଧର୍ମପୁସ୍ତକ ଲେଖାଯାଇଛି, ମାର୍ଗ ବତାଇ ଦେବାର ଘୋଷଣା କରି ସମ୍ପ୍ରଦାୟମାନ ଗଢ଼ି ଉଠିଛି । ଭଳିଭଳି ସନ୍ତକ ବାହାରିଛି ।

 

ମାଆ କହିଛନ୍ତି, ମଣିଷ ଦେବତାମାନଙ୍କଠାରୁ ଆହୁରି ଅଧିକ ଶକ୍ତିର ଅଧିକାରୀ ହୋଇପାରିବ [ଇଂରାଜୀ ମାତୃରଚନାବଳୀ, ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ, ପୃଷ୍ଠା-୩୮୦] ମନୁଷ୍ୟ ସର୍ବୋଚ୍ଚ ପରମେଶ୍ଵରଙ୍କର ଅଧିକ ନିକଟକୁ ଆସିପାରିବ । ସିଏ ଯେ ଆଦୌ କିଛି ନକରି ଆପେଆପେ ତାହା ସମ୍ଭବ କରିପାରିବ, ସେ କଥା ଆଦୌ ନୁହେଁ । ଦେବତାମାନଙ୍କ ତୁଳନାରେ ପରମେଶ୍ଵରଙ୍କର ଅଧିକ ନିକଟବର୍ତ୍ତୀ ହୋଇ ପାରିବାର ଶକ୍ତି ମଣିଷ ଭିତରେ ରହିଛି । ଅନ୍ତର୍ନିହିତ ହୋଇ ରହିଛି । ସେହି ପ୍ରଚ୍ଛନ୍ନ ଶକ୍ତିକୁ କାର୍ଯ୍ୟକାରୀ କରାଇପାରିଲେ ଯାଇ ତାହା ହେବ । ପ୍ରେମ ଓ ଆତ୍ମଦାନଦ୍ଵାରା ମନୁଷ୍ୟ ଅବଶ୍ୟ ସେହି ଶକ୍ତିର ଅଧିକାରୀ ହୋଇପାରିବ । ଅର୍ଥାତ୍ ଯେତେବେଳେ ସିଏ ନିଜ ଅହଂର ଅଡ଼ାଭିତରୁ ମୁକ୍ତ ହୋଇ ବାହାରି ଆସି ପାରିବ, ଯେତେବେଳେ ଭିତରେ ଓ ବାହାରେ ଅହଂର ବାଧାଟିକୁ ଅତିକ୍ରମ କରିଯିବ, ସେତେବେଳେ ଯାଇ ସିଏ ସେହି ଶକ୍ତିକୁ ଲାଭ କରିବ ଦେବତାମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ ।

 

ତେବେ କୁହନ୍ତୁତ, ଆମେ ଦେବତାମାନଙ୍କର ପୂଜା କରିବା ନା ନିଜ ଭିତରେ ଥିବା ଅହଂଟିକୁ ଅତିକ୍ରମ କରିବାର ପ୍ରୟାସ କରିବା ? ଆଗେ ଦେବତାମାନଙ୍କୁ ପ୍ରସନ୍ନ କରିବା ଲାଗି ମଣିଷମାନେ ତପସ୍ୟା କରୁଥିଲେ । ଏ ଯୁଗର, ଏ ଯୋଗର ତପସ୍ୟା ହେଉଛି ଅହଂ ମୁକ୍ତିର ତପସ୍ୟା ।

 

ମାର୍ଚ୍ଚ ୧୫, ୧୯୮୯

Image

 

ଏ ବାଟ, ଆର ବାଟ

 

ମଣିଷ ମୃତ୍ୟୁର କଥା ଚିନ୍ତା କଲା । ପ୍ରଧାନତଃ ମୃତ୍ୟୁର ଭୟହିଁ ଭଗବାନଙ୍କୁ ଲୋଡ଼ିବା । ମାତ୍ର ସିଏ କହିପାରିଲା ନାହିଁ ଯେ, ମୋତେ ଭଗବାନ ଜନ୍ମ ଦେଇଛନ୍ତି, ସେଇ ମୋତେ ଏହି ସଂସାରକୁ ଆଣିଛନ୍ତି, ଏହି ସଂସାର ପରେ ମୋତେ ସେଇ ଯୁଆଡ଼େ ନେବେ, ମୁଁ ସେହି ଆଡ଼କୁ ଯିବି । ହସି ହସି ଯିବି । ସିଏ ଯୋଉଠାକୁ ନେବେ, ସେଠାରେ ମଧ୍ୟ ମୁଁ ତାଙ୍କ କାମ କରିବି ।

 

ମନୁଷ୍ୟ ଏହି ସଂସାରରେ ଦୁଃଖ ପାଇଲା ବୋଲି ଅଭିଯୋଗ କଲା । ସଂସାରକୁ ଝିଙ୍ଗାସିଲା, ଭଗବାନଙ୍କୁ ଝିଙ୍ଗାସିଲା । ନିଜର ଦୁଃଖଟାହିଁ ତାକୁ ପୃଥିବୀର ସବୁଠାରୁ ବଡ଼ ଦୁଃଖ ବୋଲି ଲାଗିଲା । ସେହି ଦୁଃଖର ହରଣ ନିମନ୍ତେ ସେ ଭଗବାନଙ୍କ ଆଗରେ ଜଣାଣ ଗାଇଲା, ଆଖି ବୁଜି ଭଜନ କଲା । ସିଏ କହି ପାରିଲା ନାହିଁ, ମୁଁ ତାଙ୍କରିଠାରେହିଁ ନିଜକୁ ସମର୍ପିତ କରି ଦେଇଛି । ତେଣୁ ମୁଁ ତାଙ୍କରି କାର୍ଯ୍ୟ କରିବି, ସେଇ ହେଉଛି ମୋର ପରମସୁଖ । ତାହାହିଁ ମୋର ଯାବତୀୟ ଦୁଃଖ ଭରଣା କରିନେବ ।

 

ଏହି ସଂସାରରେ ମଣିଷ ଲାଗି ଦୃଶ୍ୟ ଓ ଅଦୃଶ୍ୟ କେତେ କେତେ ସଙ୍ଗ । ମଣିଷ ସଙ୍ଗକୁ ଡରିଲା, ଅନ୍ୟ ଯେଉଁମାନେ ଏଠି ତା’ର ସଙ୍ଗୀ ହୋଇ ପାରିଥାନ୍ତେ, ସିଏ ସେମାନଙ୍କୁ ଈର୍ଷା କଲା । ତେଣୁ ଏତେ ଏତେ ସଙ୍ଗ ଥାଇ ମଧ୍ୟ, ପରମସଙ୍ଗ ଥାଇ ମଧ୍ୟ, ସିଏ ନିଃସଙ୍ଗ ହେଲା । ନିଜର ଦର୍ପଣ ଉପରେ ଭଗବାନଙ୍କୁ ଦେଖିଲା । ଭଗବାନଙ୍କର ଦର୍ପଣ ଉପରେ ଆପଣାକୁ ଦେଖି ପାରିବାର ସଦ୍‌ବୁଦ୍ଧି ସତ୍‌ହୃଦୟକୁ ହରାଇ ବସିଲା । ନିଜ ଭିତରେ କେଡ଼େ ଉତ୍ସାହର ସହିତ ଦୁଇଖଣ୍ଡ ହୋଇ ରହିଲା । ତା’ ଭିତରେ ଗୋଟାଏ ଖଣ୍ଡ ଆର ଖଣ୍ଡଟାର ବଇରୀ ହେଲା । ସେହି ନିତ୍ୟବୈରରୁ ସିଏ ବହୁତ ସୁଖ ପାଇଲା । ଜଗତରେ ଦୁଃଖ ବଢ଼ାଇଲା, ବହୁ ଦୁଃଖର କାରଣ ହେଲା । ଜଗତରେ ଭାରି କ୍ରୂର ହେଲା । ଆପଣାର ସେହି ଯାବତୀୟ କ୍ରୂରତାକୁ ଘୋଡ଼ାଇ ରଖିବା ଲାଗି ଭଗବାନଙ୍କ ନାମରେ କ୍ରୂର ପୁରାଣମାନ ଲେଖିବାକୁ ମନ କଲା ।

 

ଏହି ବାଟଟାକୁ ଛାଡ଼ିଦେଲେ ଯେ ମଣିଷ ବଳେବଳେ ସେ ବାଟକୁ ଆସିଯିବ, ସେକଥା ମୋଟେ ନୁହେଁ । ଆର ବାଟଟାକୁ ଅନ୍ତର ଭିତରୁ ମନ କଲେ ଯାଇ ସିଏ ଏହି ବାଟଟାକୁ ଛାଡ଼ିଦେଇ ପାରିବ । ଆପଣାର ଦୁର୍ବୁଦ୍ଧିଗୁଡ଼ାକୁ, ଅଳପଗୁଡ଼ାକୁ ଡେଇଁଯାଇ ପାରିଲେ ଯାଇ ସିଏ ନିଜ ଭିତରେ ଅନ୍ତରନାମକ ସେହି ଅନ୍ୟ ଘର ଓ ଅନ୍ୟ ଦର୍ପଣଟିର ସନ୍ଧାନ ପାଇ ପାରିବ । ତା’ପରେ ଯାଇ ସତକୁସତ ବାଟ ଚାଲି ପାରିବ । ତା’ର ଅସଲ ମୁହୂର୍ତ୍ତିଟି ସତକୁସତ ସେତିକିବେଳେ ଯାଇ ଆସିବ । ସେହି ଅନ୍ତର ଭିତରେ ପ୍ରବେଶ କରିପାରିଲେ ଯାଇ ସିଏ ବାହାରର ଏହି ବିଶ୍ଵକୁ ମଧ୍ୟ ବାଟ ପାଇଯିବ । ବାହାର ଆଉ ଭିତର ମଧ୍ୟରେ ରହିଥିବା ଦ୍ଵନ୍ଦ୍ଵମାନ ତୁଟିଯିବ । ବାହାର ଅନ୍ତର ମଧ୍ୟକୁ ଠୁଳ ହୋଇଆସିବ, ଭିତର ବାହାର ମଧ୍ୟକୁ ପ୍ରସାରିତ ହୋଇଯିବ । ସେତେବେଳେ ଭଗବାନ ସାକ୍ଷାତ ଡୋରଟିଏ ପରି ଦେଖାଯିବେ । ସେଇ ଡୋରହିଁ ମଣିଷର ମୁହୂର୍ତ୍ତଗୁଡ଼ିକୁ ଏକତ୍ର ଗୋଟିଏ ନିବିଡ଼ତାରେ ବାନ୍ଧିରଖିବ । ଡୋରରେ ବନ୍ଧା ହୋଇଯାଇ ପାରିଲେ ଆଉ ଦୁଃଖ ବୋଲି କିଛି ରହିବ ନାହିଁ । ନିମିତ୍ତର ଜୀବନରେ ପୁଣି ଦୁଃଖ ବୋଲି ଗୋଟାଏ ପଦାର୍ଥ କ’ଣ ଅଛି ? ନିମିତ୍ତତାହିଁ ଆମର ସକଳ ନିଃସଙ୍ଗତାକୁ ଦୂର କରିଦେବ ।

 

ଏପ୍ରିଲ ୦୧, ୧୯୮୯

Image

 

ତାଙ୍କ କାମ କରିବାର ବାଟ

 

ତାଙ୍କ ନାମରେ କେହି ଦେଉଳ ତୋଳିଦିଏ, ଆଉ କେହି ଦେଉଳ ଭିତରକୁ ପାହାଚ ବସାଇଦିଏ, କେହି ଆଲୁଅ ଜାଳିଦିଏ, ଆଉ କିଏ ଫାନୁସ ବାନ୍ଧେ, କିଏ ଭକ୍ତମାନଙ୍କୁ ଖାଇବାକୁ ଦିଏ, ଆଉ କିଏ ନାମସଂକୀର୍ତ୍ତନର ଯାବତୀୟ ଖର୍ଚ୍ଚକୁ କେଡ଼େ ଉଦାର ଭାବରେ ନିଜ ଉପରକୁ ଆବୋରିନିଏ । ସଂସାର ଭିତରେ ଭଗବାନଙ୍କ ନାମରେ କୋଳାହଳ ଲାଗି ରହିଥାଏ । ଏମାନେ ସମସ୍ତେ ଭଗବାନଙ୍କର କାମ କରୁଛନ୍ତି ବୋଲି ଚାରିଆଡ଼େ ପେଁକାଳି ବାଜୁଥାଏ । ସଂସାର ଯୋଉଠି ଥିଲା, ସେଇଠି ଥାଏ; ତାଙ୍କର କାମ କରୁଥିବା ଲୋକମାନେ ଯୋଉଠି ଥିଲେ ସେଇଠି ରହିଥାନ୍ତି । କେହି କୋରଡ଼ ଭିତରୁ ବାହାରିବାକୁ ମୋଟେ ମନ କରନ୍ତି ନାହିଁ ।

 

ପୃଥିବୀରେ ଯଦି ଆଦୌ କୌଣସି ଦେଉଳ ନଥାନ୍ତା, ତେବେ କ’ଣ ଭଗବାନ ଏହି ପୃଥିବୀରେ ନଥାନ୍ତେ ? ତାଙ୍କ ଲାଗି କୋଠା ଗଢ଼ିଦେବା ମଣିଷମାନେ ଯଦି କିଛି ନ କରୁଥାନ୍ତେ, ତେବେ କ’ଣ ଏହି ଜଗତରେ ଭଗବାନଙ୍କର ଆଶ୍ରୟ ବୋଲି ସତରେ କିଛି ନଥାନ୍ତା ? ଭକ୍ତି ଓ ଉପାସନାର ଏହି ଆଡ଼ମ୍ବରମୟ କୋଳାହଳଗୁଡ଼ାକ ଲାଗି ନଥିଲେ କ’ଣ ସିଏ ସତକୁସତ ଅପୂଜା ଓ ଅପଚରା ହୋଇ ରହି ଯାଉଥାଆନ୍ତେ ?

 

ନିଜର ଜୀବନରେ ଚେତନାର ଭୂମିରେ ଉତ୍ତରୋତ୍ତର ଆଗକୁ ଯାଉଥିବା, ତାହାହିଁ ତାଙ୍କ କାମ କରିବାର ସର୍ବୋତ୍ତମ ମାର୍ଗ । ଚେତନାରେ ଅଗ୍ରସର ହେବାର ଅର୍ଥ ହେଉଛି ନିଜର ଗଭୀରତମ କେନ୍ଦ୍ରରେ ତାହାଙ୍କୁ ସ୍ପର୍ଶ କରି ରହିବା । ଅର୍ଥାତ୍ ବାହାରେ ଭିତରେ ଏହି ସବୁକିଛିକୁ ସ୍ପର୍ଶ କରି ରହିବା, ସମ୍ପ୍ରସାରିତ ହେବା, ଡୋର ଲଗାଇବାକୁ ମୋଟେ ନ ଡରିବା, ଶ୍ରଦ୍ଧାରେ ଏହି ସବୁଟି ସହିତ ଯୁକ୍ତ ହୋଇ ରହିବା, ଥାନ ନ ବାରିବା, ଭେକ ନ ବାରିବା, କ୍ଷେତ୍ର ନ ବାରିବା, ଜୀବନର ସକଳ କ୍ଷେତ୍ରକୁ ତାଙ୍କରି ଉପସ୍ଥିତିଦ୍ଵାରା ମହିମାମୟ କରି ରଖିବା । ଚେତନାରେ ସତକୁସତ ଅଗ୍ରସର ହେଉଥିବା ମଣିଷ ତାଙ୍କୁ କେଡ଼େ ସହଜରେ ନିରନ୍ତର ଆପଣାର ବନ୍ଧୁ କରି ପାଇ ପାରନ୍ତା । ସେହି ମଣିଷ ଯେତେବେଳେ ଯାହାକିଛି କରନ୍ତା, ତାହା ଅତ୍ୟନ୍ତ ନିର୍ଭୁଲ ଭାବରେ ତାଙ୍କରି କାମରେହିଁ ପରିଣତ ହୋଇଯାଆନ୍ତା । ନିୟତ ପାହାଚ ପରେ ପାହାଚ ସମ୍ପ୍ରସାରିତ ହୋଇଯିବା ସମ୍ଭବ ହେଉଥାନ୍ତା । ଆମେ ବାଟ ଚାଲୁଚାଲୁ ବଦଳି ଯାଉଥାନ୍ତେ ଏବଂ ଏହି ବଦଳିଯିବା ସଙ୍ଗେସଙ୍ଗେ ପୃଥିବୀ ମଧ୍ୟ ବଦଳି ଯାଆନ୍ତା । ତେଣୁ, ଚେତନା ଘରେ କୋଲପ ଫିଟୁ, ଆମ ଶ୍ରଦ୍ଧାଗୁଡ଼ିକର ଘରେ ତାଙ୍କର କରୁଣା ବାଜି ଆମକୁ ଗୋଟାସୁଦ୍ଧା ମୁକୁଳା କରି ରଖିଥାଉ । ତେବେ ଆମକୁ ଅସଲ ସନ୍ତାନତ୍ଵର ଅଧିକାର ଆପେଆପେ ମିଳିଯିବ, ଆମକୁ ସକଳ ବିଶ୍ଵର ଅଧିକାର ମିଳିଯିବ ।

 

ମେ ୧୫, ୧୯୮୯

Image

 

ସିଏ ଭିତରେ ନା ବାହାରେ ?

 

ଯୋଉମାନେ ଅଧିକ ଜାଣନ୍ତି, ଅଧିକରୁ ଅଧିକ ଜାଣିବା ଲାଗି ସତତ ଉଦ୍ୟମ କରୁଥାନ୍ତି, ସେମାନଙ୍କୁ ସଂସାରରେ ପଣ୍ଡିତ ବୋଲି କୁହାଯାଏ । ଏହି ପଣ୍ଡିତମାନଙ୍କ ଭିତରୁ କେହି ଭଗବାନଙ୍କୁ ନିର୍ଭୁଲ ଭାବରେ ଠାବ କରିବାକୁ ଯାଇ ସିଏ ଆମ ଭିତରେ ରହିଛନ୍ତି ବୋଲି ପ୍ରମାଣ ଦେଇ କହିଛନ୍ତି ଓ ଆଉ କେହି ଅନ୍ୟ ପ୍ରମାଣମାନ ଦେଇ ସିଏ ବାହାରେ ରହିଛନ୍ତି ବୋଲି କହିଛନ୍ତି-। ଏହାଫଳରେ ବାର ପ୍ରକାରର ବାଦ ସୃଷ୍ଟି ହୋଇଛି । ବାଦଗୁଡ଼ାକୁ ଠିଆ କରି ରଖିବା ଲାଗି ଅନୁକୂଳ ଶାସ୍ତ୍ର ଲେଖାଯାଇଛି ଏବଂ, ଧର୍ମମତଗୁଡ଼ାକ ମଧ୍ୟ ଉର୍ବର ଉତ୍ସାହ ପାଇ ଆମ ପୃଥିବୀରେ ଶୋଭାଯାତ୍ରା ଲଗାଇ ରହିଛନ୍ତି । ସାଧାରଣ ମଣିଷମାନଙ୍କର କଳନାରେ ସତେଅବା ଭେଳିକି ଲଗାଇ ରଖିଛନ୍ତି । ଭଗବାନ ଭିତରେ ଅଛନ୍ତି ବୋଲି ବିଶ୍ଵାସ କଲେ ମଣିଷର ତା’ପରେ ଆଉ ପ୍ରାୟ କିଛିହେଲେ କରିବାର ନଥାଏ । କୋଳାହଳ କରିବାର ମଧ୍ୟ କୌଣସି ଅବସର ନଥାଏ-

 

ତେବେ, ସିଏ ଭିତରେ ଅଛନ୍ତି ନା ବାହାରେ ଅଛନ୍ତି ? ତୁମେ ତାଙ୍କୁ ଭିତରେ ଦେଖିବାକୁ ଚାହୁଁଛ ତ ଭିତରେ ଖୋଜ । କିମ୍ବା, ବାହାରେ ଦେଖିବାକୁ ଚାହୁଁଛ ତ ବାହାରେ ଖୋଜ । ମାତ୍ର ସତକୁସତ ତାହାଙ୍କୁହିଁ ଖୋଜ । ତାଙ୍କୁ ଖୋଜୁଥିବାର ବାହାନାରେ ଆଉ କିଛିକୁ ଖୋଜ ନାହିଁ କିମ୍ବା ଆଉକିଛିକୁ ମନ କରନାହିଁ । ଭିତରେ ବା ବାହାରେ ଯେଉଁଠି ହେଲେ ତୁମେ ତାଙ୍କୁ ଖୋଜୁଥାଅ ପଛକେ, ସତକୁସତ ଖୋଜୁଥିଲେ ତୁମେ ତାଙ୍କୁ ନିଶ୍ଚୟ ପାଇବ । ଭିତରେ ବାହାରେ ଉଭୟ ଥାନରେ ପାଇବ । ମାତ୍ର, ତାଙ୍କୁ ଖୋଜିବାର ବାହାନାରେ ଆଉକିଛିକୁ ମନ କରୁଥିଲେ, ତାଙ୍କୁ ଭିତରେ କି ବାହାରେ କୋଉଠି ହେଲେ ପାଇପାରିବ ନାହିଁ । ତେଣୁ ଆମେ ନିଜ ଜୀବନରେ କରିଥିବା ନିଷ୍ପତ୍ତିଟିକୁ ସବାଆଗ ବୁଝିବା ।

 

ତାଙ୍କ ଥାନରେ ଭିତର ଆଉ ବାହାର ମଧ୍ୟରେ ଆଦୌ କୌଣସି ଫରକ ନାହିଁ । ଭିତରେ ତାଙ୍କୁ ଦେଖିଥିବା ବ୍ୟକ୍ତିମାନେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ତାଙ୍କୁ ବିଶ୍ଵଯାକବି ଦେଖି ପାରିଛନ୍ତି । ବିଶ୍ଵରେ ତାଙ୍କର ସାକ୍ଷାତ ପାଇ କେଡ଼େ ସ୍ଵାଭାବିକ ଭାବରେ ଭିତରକୁ ମଧ୍ୟ ଚାଲିଆସି ପାରିଛନ୍ତି । ଦେଖିବାକୁ ମନ କରିଥିବା ଲୋକମାନେହିଁ ଭିତର ଆଉ ବାହାର ନେଇ ବିବାଦ ଲଗାଇଛନ୍ତି ।

 

ଜୁନ୍ ୦୧, ୧୯୮୯

Image

 

ଯେତେ ପୂଜି ମଧ୍ୟ ଅବିଶ୍ଵାସ

 

ଯେତିକି ପ୍ରକାର ଠାକୁର, ସେତିକି ପ୍ରକାରର ପୂଜା । ଅଥବା, ହୁଏତ ଏପରି ମଧ୍ୟ କୁହାଯାଇପାରିବ ଯେ, ଯେତିକି ପ୍ରକାରର ପୂଜା, ସେତିକି ପ୍ରକାରର ଠାକୁର । ଯୋଉଦିନଠାରୁ ମଣିଷ ସ୍ଵୟଂ ତା’ ଭଗବାନମାନଙ୍କ ଉପରେ ମାମଲତ୍‍କାର ହେବାକୁ ମନ କଲାଣି, ସମ୍ଭବତଃ ସେହି ଦିନଠାରୁ ସିଏ ପୂଜା ନାମକ ଏକ ଗହନ ଅରଣ୍ୟରେ ନିଜର ଅସଲ ପଥଗୁଡ଼ିକୁ ହରାଇଦେଇ ଆସିଲାଣି । ସବୁ ମୂର୍ତ୍ତି, ସବୁ ମନ୍ଦିର ତାକୁ ମୂଳତଃ ତା’ ନିଜ ଅନ୍ତରର ମନ୍ଦିର ଭିତରେ ଅପେକ୍ଷା କରି ରହିଥିବା ନିବିଡ଼ତମ ରତ୍ନଟି ଆଡ଼କୁ ପରିଚାଳିତ କରାଇ ଆଣୁଥାନ୍ତେ । ମାତ୍ର ଆମ ପୃଥିବୀରେ ପୂଜାଗୁଡ଼ିକରହିଁ ବଜାରଗୁଡ଼ାକ ଏପରି ଭାବରେ ମେଲା ହୋଇ ରହିଛି ଯେ, ଅସଲ ଦରବଟି ତା’ ନିଜ ଭିତରେ ରହିଛି ବୋଲି ମଣିଷ ଆଉ ବିଶ୍ଵାସ ମଧ୍ୟ କରି ପାରୁନାହିଁ । ପୃଥିବୀର ଦୁଃଖ ବଢ଼ାଉଛି ।

 

ପୃଥିବୀର ଦୁଃଖ ପୂଜାଗୁଡ଼ାକ ସକାଶେ ବଢ଼ୁନାହିଁ । ଏହି ମୂର୍ତ୍ତିଗୁଡ଼ାକ ସକାଶେ ମଧ୍ୟ ମୋଟେ ବଢ଼ୁନାହିଁ । ମଣିଷର ଅବିଶ୍ଵାସ ସକାଶେ ବଢ଼ୁଛି । ଯୋଉ ଦେବତାଠାରୁ ଯେତେ ଅଧିକ ବରଦାନ ମିଳିବ, ଯୋଉ ଦେବତା ତା’ ଘରକୁ ଯେତେ ଭର୍ତ୍ତି କରି ରଖିବେ, ଯୋଉ ଦେବତା ତାକୁ ଅନ୍ୟ ମଣିଷମାନଙ୍କଠାରୁ ଯେତେ ଅଧିକ ବଡ଼ ହୋଇ ଦିଶିବାରେ ସାହାଯ୍ୟ କରିବେ, ମଣିଷ ସେହିମାନଙ୍କର ପୂଜା ନିମନ୍ତେ ଅହରହ ସତର ଦୁଆର ହୋଇ ବୁଲୁଛି ।

 

ତଥାପି ତା’ର ବିଶ୍ଵାସ କେଉଁଠି ହେଲେ ଠାବ ପାଇପାରୁ ନାହିଁ ଅଥବା ତା’ ନିଜ ଘର ଭିତରକୁ ବାଟ ଫିଟାଇ ପାରିବାର କୁଞ୍ଚିକାଠିଟି ତା’ ହାତକୁ ମୋଟେ ଆସି ପାରୁନାହିଁ । କୋଉ ଠାକୁର ତାକୁ କେତେ ଦେବେ, ସିଏ ପ୍ରାୟ ସେହି ଅନୁସାରେ ଠାକୁରମାନଙ୍କର ହିସାବ କରିବାରେ ଲାଗିଛି । ତା’ର ଲୋଭ ଯାଉନାହିଁ ଏବଂ ହିସାବ ମଧ୍ୟ ସରୁନାହିଁ । ଅବିଶ୍ଵାସ ବଢ଼ିବାରେ ଲାଗିଛି । ଆମର ଏବର ପୃଥିବୀରେ ଯଦି ବିଶ୍ଵାସୀ ମଣିଷ ସତକୁସତ ଅଧିକ ଥାଆନ୍ତେ, ତେବେ ଦେଉଳଗୁଡ଼ାକ ମୋଟେ ଏତେ ଭିଡ଼ କରି ରହିନଥାନ୍ତେ । ମଣିଷ ତା’ ଚାରିପାଖକୁ ଅନାଇଦେବାମାତ୍ରକେ ତା’ର ଅସଲ ଦୁଆରଟି ଖୋଲି ଯାଉଥାନ୍ତା । ସିଏ ଅସଲ ଘରେ ତା’ର ଅମୂଲ୍ୟ ରତ୍ନଟିକୁ ପାଇ ଯାଉଥାନ୍ତା, ଅସଲ ଆଖିଗୁଡ଼ିକୁ ଲାଭ କରି କୃତାର୍ଥ ହୋଇ ଯାଉଥାନ୍ତା । ପୂଜା ନାମରେ, ଠାକୁରମାନଙ୍କ ନାମରେ ଏହିଭଳି ରାଜସିକ ତାମସିକତା କମାଇ ରଖିବାକୁ ତା’ର ଆଦୌ ମନ ହେଉନଥାନ୍ତା ।

 

କିଛି ପାଇବାର ଲୋଭ, ପାଇକରି ସତେଅବା କ’ଣ ଗୋଟାଏ ହୋଇଯିବାର ବା କ’ଣ ହାସଲ କରି ପକାଇବାର ଲୋଭ, କାହାର କୃପା ଲାଭ କରି ଅନ୍ୟ ଅନେକଙ୍କଠାରୁ ଅଧିକ ହୋଇ ଦିଶିବାର ଏବଂ ସେମାନଙ୍କୁ ବଳିଯାଇ ଆଗକୁ ଚାଲିଯିବାର ଲୋଭ,-ଏଗୁଡ଼ାକ ହେଉଛି ଅବିଶ୍ଵାସର ସନ୍ତକ । ଭଗବାନଙ୍କୁ ଲୋଡ଼ୁଥିବାର ନୁହେଁ, ଭଗବାନଙ୍କୁ ବୁଡ଼ାଇଦେଇ ସବା ଉପରେ ନିଜେ ପହଁରିବାକୁ ମନ କରୁଥିବାର ସନ୍ତକ । ଏହି ସନ୍ତକଗୁଡ଼ାକୁ ଛାଡ଼ିବାକୁ ପଡ଼ିବ । ରାକ୍ଷସ ଓ ଆହୁରି ବଡ଼ ରାକ୍ଷସ ହୋଇ ଭଗବାନଙ୍କର ଏହି ସଂସାରରେ ଭଳିଭଳି ଉପଦ୍ରବ କରିବାର ଯାବତୀୟ ଲୋଭକୁ ପରିତ୍ୟାଗ କରି ସବାଆଗ ତାଙ୍କର ସନ୍ତାନଟିଏ ହେବାକୁ ମନ କଲେ ଯାଇ ଏହି ସନ୍ତକଗୁଡ଼ାକ ଆମକୁ ବଳେ ବଳେ ଛାଡ଼ି ପଳାଇବେ । ତେବେଯାଇ ବିଶ୍ଵାସ ବଢ଼ିବ ।

 

ଆମ ନିଜ ଜୀବନରେ ବଢ଼ିବ, ଏହି ପୃଥିବୀରେ ଆମର ପାରସ୍ପରିକ ଜୀବନରେ ମଧ୍ୟ ବଢ଼ିବ । ସେତେବେଳେ ଆଖି ମେଲାଇଦେବାମାତ୍ରେ ଭଗବାନ ଦିଶି ଯାଉଥିବେ, ଜୀବନକୁ ଛୁଇଁଦେବାମାତ୍ରକେ ତାଙ୍କୁ ଛୁଇଁଆସିବା ପରି ମନେ ହେଉଥିବ । ଅନୁକ୍ଷଣ ତାଙ୍କୁ ଛୁଇଁକରି ରହି ଜୀବନ ବଞ୍ଚୁଥିବା ପରି ଅନୁଭବ ହେବ ।

 

ଜୁନ୍ ୧୫, ୧୯୮୯

Image

 

ଆଗ କିଏ ବଦଳିବ ?

 

ଏହି ପୃଥିବୀଟାହିଁ ଆଗ ବଦଳିଯାଉ, ତା’ପରେ ଆମେ ପ୍ରତ୍ୟେକେ କେଡ଼େ ଫଟ୍‌ଫାଟ୍ ହୋଇ ବଦଳିଯିବା,-ଏହିପରି ଭାବିବାଟା ପ୍ରକୃତରେ କେଡ଼େ ସହଜ । ମାତ୍ର, ଅସଲ ଅଭୀପ୍ସା ରଖୁଥିବା ବ୍ୟକ୍ତି କଦାପି ସେଭଳି କହିବ ନାହିଁ । ଯିଏ ସତକୁସତ ଭଲ ପାଇବସେ, ସିଏ କ’ଣ ସାରା ପୃଥିବୀରେ ଆଗ ସମସ୍ତେ ଭଲ ପାଇବାର ବାଟକୁ ଆସନ୍ତୁ ବୋଲି କହି ଅପେକ୍ଷା କରି ବସିଥାଏ ? ଭଲ ପାଇବାର ଇତିହାସରେ ଏପରି କଦାପି ଘଟିନାହିଁ । ଏବଂ ଯିଏ ସତକୁସତ ଭଗବାନଙ୍କୁ ଭଲ ପାଉଥିବ, ତାଙ୍କର ଏହି ପୃଥିବୀଟିକୁ ଭଲ ପାଉଥିବ, ସିଏ କଦାପି ଆଗ ପୃଥିବୀଟା ବଦଳୁ ବୋଲି ଅପେକ୍ଷା କରି ପାରିବ ନାହିଁ । ସିଏ ଭଲ ପାଉ ପାଉ ବଦଳି ଯିବାକୁ ଆରମ୍ଭ କରିବ । ଅତ୍ୟନ୍ତ ସ୍ଵାଭାବିକ ଭାବରେ ତା’ର ଜୀବନ ଏକ ଅନ୍ୟ ସୋପାନକୁ ଉନ୍ନୀତ ହୋଇଯିବ । ଭଲ ପାଇବାକୁ ସତକୁସତ ରାଜି ହୋଇଥିବା ମନୁଷ୍ୟର ସମ୍ବନ୍ଧଗୁଡ଼ିକ ମଧ୍ୟ ବଦଳିଯିବ । ଏବଂ, ତା’ ସମ୍ବନ୍ଧଗୁଡ଼ିକ ବଦଳି ଯାଉଥିବା ସଙ୍ଗେସଙ୍ଗେ ତା’ ଚାରିପାଖରେ ପୃଥିବୀ ମଧ୍ୟ କଦାପି ସେହି ପୁରୁଣା ପୃଥିବୀଟା ହୋଇ ରହି ପାରିବନାହିଁ ।

 

ଆମର ଅଭୀପ୍ସାହିଁ ଆମ ସମ୍ମତିର ସ୍ତରଟିକୁ ନିରୂପଣ କରି ଦେଉଥିବ । ଆମର ଅଭୀପ୍ସାହିଁ ଆମ ଭିତରେ ରହିଥିବା ଅସଲ ମୂଳଟିର ପରିଚୟ ଦେଇପାରିବ । ଆମେ ସତକୁସତ ଯାହାକୁ ଭଲ ପାଇବା, ଭାରି ସହଜରେ, ପ୍ରାୟ ଅତ୍ୟନ୍ତ ଆୟାସ-ଶୂନ୍ୟ ଭାବରେ ଆମେ ତାହାରି ନିମିତ୍ତ ହେବାଲାଗି ପ୍ରସ୍ତୁତ ହୋଇଯିବା । ସେହି ପ୍ରସ୍ତୁତ ହେବାଲାଗି ଆଦୌ କୌଣସି ଶାସ୍ତ୍ର କିମ୍ବା ସଂହିତାର ପ୍ରୟୋଜନ ନଥିବ, ଦୈହିକଠାରୁ ଆରମ୍ଭ କରି ନୈତିକ ଓ ଧାର୍ମିକ ପର୍ଯ୍ୟନ୍ତ କୌଣସି କସରତ କରିବାର ପ୍ରୟୋଜନ ମଧ୍ୟ ନଥିବ । ଏବଂ, ଭଲ ପାଇ ନ ପାରିଥିବା ପର୍ଯ୍ୟନ୍ତ, ଆପଣାର ଅଭୀପ୍ସା ଘରେ ସମ୍ମତ ହୋଇ ନ ପାରିଥିବା ପର୍ଯ୍ୟନ୍ତ, କେଉଁ କସରତ ଆମର ପ୍ରକୃତରେ କେଉଁ ବିମୋଚନକୁ ସମ୍ଭବ କରାଇପାରିବ ?

 

ଯେପରି ବ୍ୟକ୍ତିଗତ ଅଭୀପ୍ସା, ଠିକ୍ ସେହିପରି ସାମୂହିକ ଅଭୀପ୍ସା । ଆମର ଅଭୀପ୍ସା ଭଲ ପାଇବାର କ୍ଷେତ୍ରଟି ମଧ୍ୟକୁ ଉନ୍ନୀତ ହୋଇ ଆସିବା ସଙ୍ଗେସଙ୍ଗେ ଆମର ତଥାକଥିତ କାମ୍ୟ ଏବଂ ଧ୍ୟେୟଗୁଡ଼ିକ କଦାପି ଆମର ତଥାକଥିତ ବ୍ୟକ୍ତିଗତ ବାଡ଼ ଭିତରେ ଆବଦ୍ଧ ହୋଇ ରହି ପାରିବନାହିଁ । ସେହି ବାଡ଼ଗୁଡ଼ିକୁ ଡେଇଁବାର ବଳ ଆମ ଭିତରେ ବଳେ ବଳେ ଆସିଯିବ । ଆମେ ସାଙ୍ଗମାନଙ୍କୁ ଖୋଜି ବାହାରିଯିବା ଏବଂ ଅନାୟାସରେ ସାଙ୍ଗ ପାଇଯିବା । ଏହି ସାଙ୍ଗମାନେ ଏକାଠି ଏକ ଅଭିନବ ଗୋଷ୍ଠୀର ଗଠନ କରିବେ । ସେମାନେ ପରସ୍ପରକୁ ଭଲ ପାଇବେ, ଅର୍ଥାତ୍ ଏକ ଆରେକୁ ଏକତ୍ର ବାନ୍ଧି ରଖିଥିବା ଡୋରଟିକୁ ଜୀବନର ସବାଆଗ ସନ୍ତକରୂପେ ଗ୍ରହଣ କରି ନେବେ । ସେମାନେ ପରସ୍ପରକୁ ଅଗ୍ରସର କରାଇ ନେବାରେ ପରସ୍ପରର ସହାୟକ ହେବେ ।

 

ପୃଥିବୀର ପରିବର୍ତ୍ତନରେ ସେହିମାନେହିଁ ଗୋଟିଏ ଗୋଟିଏ ଗୋଷ୍ଠୀ ହିସାବରେ ବିହନ ହୋଇ ବାହାରିବେ । ଏହି ପୁରୁଣା ପୃଥିବୀଟା ଭିତରେ ଥାଇ ମଧ୍ୟ ସେମାନେ ନୂଆ ପୃଥିବୀଟିକୁ ବଞ୍ଚିବେ, ଏକାଠି ବଞ୍ଚିବେ । କାଲିର ଜୀବନଟିକୁ ଆଜି ବଞ୍ଚିବେ । ଏହିସବୁ ଗୋଷ୍ଠୀଗୁଡ଼ିକର ମାଧ୍ୟମରେ ପୃଥିବୀ ଲାଗି ଅପେକ୍ଷା କରି ରହିଥିବା ଆଗାମୀ ପରିବର୍ତ୍ତନଟି ସମ୍ଭବ ହେବ ବୋଲି ମାଆ କେତେକେତେ ସ୍ଥାନରେ କହିଛନ୍ତି । ଆମ ଉପରେ କେତେ ଆସ୍ଥା ରଖି ସିଏ ସେହି କଥାଟିକୁ କହିଛନ୍ତି । ଆମେ ସେହି ଆସ୍ଥାର ଭାଜନ ହେବା । ସେହି ଭାଜନ ହେବାରୁହିଁ ଆବଶ୍ୟକ ବଳ ସମ୍ଭବ ହେବ । ସେହି ବଳ ପୃଥିବୀ ବଦଳାଇ ଦେବ । ପୃଥିବୀର ଆଗାମୀ ବିବର୍ତ୍ତନଟି ବିଷୟରେ ବିଚାର କରୁଥିବା ବୈଜ୍ଞାନିକମାନେ ମଧ୍ୟ କ୍ରମେ ସେହି କଥା କହିଲେଣି । ସମ୍ମତ ଗୋଷ୍ଠୀଗୁଡ଼ିକ ନିମନ୍ତେ ପରବର୍ତ୍ତୀ ସେହି ବିବର୍ତ୍ତନ ସତେଅବା ଅପେକ୍ଷା କରି ରହିଛି । ଏକୁଟିଆ ବାଟ ଚାଲି ଅରଣ୍ୟ ଅଥବା ଦ୍ଵୀପମାନଙ୍କ ଭିତରେ ବାଟ ହୁଡ଼ି ଯାଇଥିବା ମଣିଷମାନେ ଏଣିକି ମୋଟେ ପାରିବେ ନାହିଁ । ସିଂହମାନେ ଏକାଠି ହେଲେ ଓ ପରସ୍ପରକୁ ଲୋଡ଼ିଲେ ଯାଇ ପୃଥିବୀର ଚକ ଆଗକୁ ଘୂରିବ, ଅତ୍ୟନ୍ତ ସୁନିଶ୍ଚିତ ଓ ବେଗଯୁକ୍ତ ଭାବରେ ଆଗକୁ ଘୂରିଯାଇ ପାରିବ ।

 

ଜୁଲାଇ ୦୧, ୧୯୮୯

Image

 

ତୁମେ ଯେଉଁଆଡ଼ୁ ଆସ ପଛକେ

 

ମଣିଷ ତାଙ୍କୁ ସ୍ଥାନକୁ ସ୍ଥାନ ଠାବ କରି ସିଏ ଏହି ସବୁକିଛି ମଧ୍ୟରେ ପୂର୍ଣ୍ଣ ହୋଇ ରହିଛନ୍ତି ବୋଲି ଆବିଷ୍କାର କଲା ଅଥବା ସିଏ ଏହି ସବୁକିଛି ମଧ୍ୟରେ ପୂର୍ଣ୍ଣ ହୋଇ ରହିଥିବାର ପରମ ସତ୍ୟଟିକୁ ଆଗ ଆଘ୍ରାଣ କରିପାରି ତା’ପରେ ତାଙ୍କୁ ସ୍ଥାନକୁ ସ୍ଥାନ ଆବିଷ୍କାର କରିବାକୁ ଆରମ୍ଭ କଲା, ସେକଥା କିଏ କହି ପାରିବ ? ମଣିଷ ଆଗ ତାଙ୍କୁ ନିଜ ଭିତରେ ଅତ୍ୟନ୍ତ ନିକଟବର୍ତ୍ତୀ ଭାବରେ ଦେଖିଲା ଓ ସେହି ଦେଖିଥିବାର ପ୍ରତ୍ୟକ୍ଷ ଅନୁରାଗଟିକୁ କ୍ରମପ୍ରସାରିତ କରି ସିଏ ତାଙ୍କୁ ଏହି ପୃଥିବୀର ପ୍ରତ୍ୟେକ ସ୍ଥାନରେ ଦେଖିଲା ଅଥବା ଏହି ପୃଥିବୀରେ ପ୍ରତ୍ୟେକ ସ୍ଥାନରେ ତାଙ୍କୁ ଅନୁଭବ କରୁ କରୁ କ୍ରମେ ନିଜ ଭିତରେ ମଧ୍ୟ ତାଙ୍କୁ ଦେଖିବାକୁ ଆରମ୍ଭ କଲା ଓ ସେଠାରେ ମଧ୍ୟ ତାଙ୍କରି ସାନ୍ନିଧ୍ୟରେ ବାସ କରିବାକୁ ଆସିଲା, ସେହି କଥାଟିକୁ କେଉଁ ଗଣକ ପ୍ରକୃତରେ ଖଡ଼ିରେ କଷି କହି ଦେଇ ପାରିବ ?

 

ମଣିଷ ଆଗ ଦାଣ୍ଡରେ ବୁଲୁବୁଲୁ କ୍ରମେ ଘରକୁ ଆସିବା ଲାଗି ମନ କଲା ନା ଆଗ ନିଜ ଘର ଭିତରେ ତାଙ୍କୁ ନିକଟରୁ, ନିକଟସ୍ପର୍ଶରୁ ଦେଖୁଦେଖୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଦାଣ୍ଡକୁ ପ୍ରସାରିତ ହୋଇଗଲା କେଜାଣି ? କେଉଁ ବାଟଟା ପ୍ରକୃତରେ ଅଧିକ ପ୍ରଶସ୍ତ ? କୋଉ ବାଟରେ ପ୍ରମାଦ ପ୍ରକୃତରେ କମ୍ । ଯିଏ ଆମକୁ ଘର ଭିତରେ ପାଇଲେ ଦାଣ୍ଡଆଡ଼କୁ ପ୍ରସାରିତ କରି ନେଇଯାଏ ଏବଂ ଦାଣ୍ଡରେ ପାଇଲେ ଘର ଭିତରକୁ ସଂକେନ୍ଦ୍ରିତ କରି ଆଣେ, ସମ୍ଭବତଃ କେବଳ ସେଇ ଏହି ପ୍ରଶ୍ନଟିର ପ୍ରକୃତ ସମାଧାନ କରି ଦେଇ ପାରନ୍ତେ ।

 

ତଥାପି, ତାଙ୍କୁ ଆବିଷ୍କାର କରିବାର ଅର୍ଥାତ୍ ତାଙ୍କଦ୍ଵାରା ଆବିଷ୍କୃତ ହେବାର ଐଶ୍ଵର୍ଯ୍ୟମୟ ପ୍ରକ୍ରିୟାଟି ମଧ୍ୟରେ ଆଖର ଏପରି ଗୋଟିଏ ପାହାଚରେ ମଣିଷ ଆସି ପହଞ୍ଚିଯାଏ, ଯେଉଁଠାରେ କି ଦାଣ୍ଡ ଆଉ ଘର ଭିତରେ ସତକୁସତ ଆଦୌ କୌଣସି ପ୍ରଭେଦ ରହେନାହିଁ । ସେତେବେଳେ ଘରର ଐଶ୍ଵର୍ଯ୍ୟଟିକୁ ଦାଣ୍ଡରେ ଦେଖିହୁଏ ଏବଂ ଦାଣ୍ଡର ବୈଚିତ୍ର୍ୟଟିକୁ ଘର ଭିତରେ ମଧ୍ୟ ବଞ୍ଚିହୁଏ । ଘରଟି ସତକୁସତ ଭଲ ଲାଗିବା ସଙ୍ଗେସଙ୍ଗେ ଦାଣ୍ଡବି ଭଲ ଲାଗେ ଓ ଦାଣ୍ଡର ଦର୍ପଣଟି ଉପରେ ଘରଟି ମଧ୍ୟ କେଡ଼େ ଭଲ ଲାଗେ, କେଡ଼େ ଘେନାଏ । ସେତେବେଳେ ନିବିଡ଼ତା ଏବଂ ଅନ୍ତରଙ୍ଗତା କହିଲେ ଖାଲି ନିଜର କୌଣସି ବାଡ଼ଦିଆ ଐକାନ୍ତିକ ତଥାକଥିତ ଘରକୁ ମୋଟେ ବୁଝାଏ ନାହିଁ । ସମଗ୍ର ପୃଥିବୀଗୋଟାକୁ ବୁଝାଏ ।

 

ତେଣୁ, ତୁମେ ଯୁଆଡ଼ୁ ଆସ ପଛକେ, ଯଦି କେବଳ ତାହାଙ୍କୁହିଁ ନିଜ ଜୀବନର ପରମ ସମ୍ପଦ ଓ ପରମାସ୍ପଦରୂପେ ସ୍ଵୀକାର କରି ନେଇ ପାରିଥିବ, ତେବେ ତୁମ ଜୀବନରେ ମଧ୍ୟ ଘର ଆଉ ଦାଣ୍ଡ ଭିତରେ ରହିଥିବା ଅଡ଼ୁଆଗୁଡ଼ିକ କେଡ଼େ ସହଜରେ କୁଆଡ଼େ ତୁଟିଯିବ । ସେତେବେଳେ ଘରଟି ତୁମକୁ କଦାପି ଗୋଟାଏ ଅମୁହାଁ ଗୁମ୍ଫା ପରି ଲାଗିବ ନାହିଁ, ଅଥବା ବାହାରର ବୃହତ୍ତର ଏହି ପରମ ବିସ୍ତୃତିଟି ମଧ୍ୟ କଦାପି ତୁଚ୍ଛା ଶୂନ୍ୟ ବୋଲି ଅନୁଭୂତ ହେବନାହିଁ । ତୁମ ଜୀବନରେ ବିନ୍ଦୁଟି କଦାପି ଅସହାୟ ଭାବରେ ସିନ୍ଧୁଟା ଭିତରେ ପଡ଼ି ଜୁବୁଡ଼ୁବୁବି ହେବ ନାହିଁ । ଅସଲ ବିମୋଚନ ସେତିକିବେଳେ ମିଳିବ, ତାହାକୁହିଁ ଅସଲ ମୁକ୍ତି ବୋଲି କୁହାଯିବ ।

 

ଜୁଲାଇ ୧୫, ୧୯୮୯

Image

 

ସେ କେଉଁଠି ରହିଥାନ୍ତି ?

 

ସମ୍ପ୍ରଦାୟ ଅନୁସାରେ ଭିନ୍ନ ଭିନ୍ନ ବାଟ, ଧର୍ମ ଅନୁସାରେ ଭିନ୍ନ ଭିନ୍ନ ନାମରେ ଏହି ମନ୍ଦିରଗୁଡ଼ାକ । ଯେଉଁ ଦିନଠାରୁ ସମ୍ପ୍ରଦାୟ ସମ୍ପ୍ରଦାୟ ଭିତରେ ଝଗଡ଼ା ଲାଗିଲାଣି, ଗୋଟିଏ ଧର୍ମ ଆପଣାକୁ ଆଉ ପାଞ୍ଚଟା ବା ପନ୍ଦରଟା ଧର୍ମଠାରୁ ଅଧିକ ଭଲ ବା ଅଧିକ ଉପାଦେୟ ବୋଲି କହିଲାଣି, ସେହି ଦିନଠାରୁ ପୃଥିବୀରୁ ଅସଲ ଅଧ୍ୟାତ୍ମ ପଥଟି ବାଟ ଛାଡ଼ି ଯିବାକୁ ଆରମ୍ଭ କଲାଣି । ଭିନ୍ନ ଭିନ୍ନ ମନ୍ଦିର ଅନୁସାରେ ଭିନ୍ନ ଭିନ୍ନ ଚିତା ଓ ପଇତା, ଭିନ୍ନ ଭିନ୍ନ ପୂଜା ଏବଂ ଉପାସନା । ତଳେ ଏହିସବୁ ଉଲ୍ଲସିତ ପ୍ରତିଯୋଗିତା ଦେଖି ଉପରେ ରହିଥିବା ଭଗବାନ ପ୍ରକୃତରେ କ’ଣ ବିଚାର କରୁଥିବେ କେଜାଣି ? ଏବଂ ମଣିଷର ନିଜ ଭିତରେ ମଧ୍ୟ ଯେଉଁ ଭଗବାନ କୁସୁମକଳିଟି ସଦୃଶ ଅପେକ୍ଷା କରି ରହିଛନ୍ତି, ନିଜସ୍ଵ ମହିମାରେ ଫୁଟିଉଠିବା ଲାଗି ଅପେକ୍ଷା କରି ରହିଛନ୍ତି, ସିଏ ମଧ୍ୟ ବାହାରେ ଆମର ଏହିସବୁ ଅଲଗାଅଲଗା ଖଞ୍ଜା ଦେଖି ପ୍ରକୃତରେ କ’ଣ ଅନୁଭବ କରୁଥିବେ କେଜାଣି ? ବାହାରର ଏହି ଉତ୍ତେଜନା ଏବଂ ଆଡ଼ମ୍ବରଗୁଡ଼ିକ ଆମ ଭିତରେ ସମ୍ଭାବ୍ୟଟିକୁ ପ୍ରକୃତରେ କେତେ ଆଘାତ ଦେଉନଥିବ ।

 

ପୃଥିବୀର ସନ୍ଥମାନେ ଅର୍ଥାତ୍ ସତକୁସତ ବାଟଟିଏ ଚାଲିଥିବା ବ୍ୟକ୍ତିମାନେ ଚିରକାଳ ସମ୍ପ୍ରଦାୟର ବାହାରେ ରହିଛନ୍ତି । ସେମାନେ ଆମକୁ ଅସଲ ଘରଟି ଭିତରେ ଅପେକ୍ଷମାଣ ଅସଲ ଠାକୁରଟିକୁ ଲୋଡ଼ିବାର ଉଦ୍‌ବୋଧନ ଦେଇଛନ୍ତି । ତଥାପି, ତାଙ୍କୁ ଆଦୌ ନଲୋଡ଼ିବାକୁ ଜିଦ୍ ଧରି ବସିଥିବା ଧର୍ମକାମୁକମାନେ କେଡ଼େ ବାଗରେ ଭଳିଭଳି ପିତୁଳାମାନ ନେଇ ସିଂହାସନଗୁଡ଼ିକ ଉପରେ ବସାଇ ଦେଇଛନ୍ତି । ସେମାନେ ବାଟଗୁଡ଼ିକୁ ବାଦରେ ପରିଣତ କରି ରଖିଛନ୍ତି । ଏକ ପ୍ରଚଣ୍ଡ ବସ୍ତୁବାଦିତାର ବଶବର୍ତ୍ତୀ ହୋଇ ସେମାନେ ପ୍ରେରଣା ଏବଂ ଆହ୍ଵାନଗୁଡ଼ିକୁ ମଧ୍ୟ ବସ୍ତୁରେ ପରିଣତ କରି ରଖିଛନ୍ତି । ଗୁଳାଗୁଡ଼ାକୁ ନେଇ ଶାସ୍ତ୍ରରଚନା ହୋଇଛି । ଗୁହାଳଗୁଡ଼ାକ ମଧ୍ୟରୁ ବାହାରି ଆସି ଗୋଟାସୁଦ୍ଧା ତାଙ୍କରି ହୋଇଯିବାର ଆହ୍ଵାନଟିକୁ ମଠମାନେ ତୁଚ୍ଛା ବାତୁଳତା ବୋଲି ଘୋଷଣା କରିଛନ୍ତି । ଯିଏ ଏହି ଗୁହାଳଗୁଡ଼ିକର ଅତୀତ ହୋଇ ରହିଛନ୍ତି, ତାଙ୍କରି ସହିତ ଆମକୁ ଗଅଁଠାଇ ଦେବାଲାଗି ଧର୍ମର ଏବଂ ମତର ଗୁଳାଗୁଡ଼ିକ ତିଆରି ହୋଇଥିଲା । ବର୍ତ୍ତମାନ ଅଧିକାଂଶ ମନୁଷ୍ୟ ପ୍ରାୟ ସେହି ଗୁଳାଗୁଡ଼ିକ ଭିତରେହିଁ ଲଟରପଟର ହେଉଛନ୍ତି । ଗୁଳାଗୁଡ଼ିକ ସୁନାରେ ରୁପାରେ ଛୁଆଣି ହୋଇ ଏତେ ଚକଚକ ଦେଖା ଯାଉଛନ୍ତି ।

 

ସିଏ ଗୁଳାଗୁଡ଼ିକ ଭିତରେ ମୋଟେ ନଥାନ୍ତି । ବାଡ଼ଗୁଡ଼ିକ ଭିତରେ ମୋଟେ ନଥାନ୍ତି । ଗୁଳାଗୁଡ଼ିକୁ, ବାଡ଼ଗୁଡ଼ିକୁ ଡେଇଁଯାଇ ପାରିଲେ ଯାଇ ତାଙ୍କୁ ଆଘ୍ରାଣ କରିହୁଏ । ଗୁହାମୁକ୍ତ ହୋଇପାରିଲେ ଯାଇ ଆମେ ସତକୁସତ ତାଙ୍କର ଗ୍ରହଣୀୟ ହୋଇପାରୁ । ଗାରଗୁଡ଼ିକୁ ଅତିକ୍ରମ କରିବା ସମ୍ଭବ ହୋଇଥାଏ । ଗାରଗୁଡ଼ିକ ଭିତରେ ବାନ୍ଧିହୋଇ ରହିବା ପର୍ଯ୍ୟନ୍ତ ସିଏ ମୋଟେ ଦୃଶ୍ୟ ହୋଇ ପାରନ୍ତି ନାହିଁ । ଗାରଗୁଡ଼ିକୁ ଅତିକ୍ରମ କରି ପାରିଲେ ଯାଇ ଦୃଶ୍ୟ ହୁଅନ୍ତି । ଗାରଗୁଡ଼ିକ ଭିତରେ ମଧ୍ୟ ଦୃଶ୍ୟ ହୁଅନ୍ତି । ତେଣୁ, ଯେଉଁମାନେ ସତକୁସତ ରାଜି ହୋଇଥାଆନ୍ତି, ସେମାନେ କଦାପି ଗାରଗୁଡ଼ିକୁ ମନ କରନ୍ତି ନାହିଁ ।

 

ସେମାନେ ଗୁମ୍ଫା ଭିତରୁ ବାହାରି ଆସନ୍ତି, ନିଜକୁ ଆସ୍ଥାନଟିଏ କରି ଗଢ଼ନ୍ତି । ନିଜେ ଆସ୍ଥାନଟିଏ ହୋଇପାରିଲେ ଯାଇ ତାଙ୍କର ଚରଣଟି ସେହି ଆସ୍ଥାନ ଉପରେ ରହିଥିବାର ଦୃଷ୍ଟିଗୋଚର ହୋଇଥାଏ । ଆସ୍ଥାନଟିଏ ହେବାକୁ ମନ କରୁଥିବା ବ୍ୟକ୍ତିଲାଗି କୌଣସି ସମ୍ପ୍ରଦାୟର ଆଦୌ ଆବଶ୍ୟକତା ରହେନାହିଁ । ଭଗବାନ କରନ୍ତୁ, ଆମର ଏହି ପୃଥିବୀରେ କୌଣସି ସମ୍ପ୍ରଦାୟ ନରହୁ ପଛକେ, ଆସ୍ଥାନଟିଏ ହେବାର ବ୍ୟାକୁଳତା ବହୁଗୁଣିତ ହେଉ । ମଣିଷମାନେ ପରସ୍ପର ପାଖରେ ସତକୁସତ ଆସ୍ଥାନଟିଏ ହୋଇ ଦୃଷ୍ଟିଗୋଚର ହୁଅନ୍ତୁ ।

 

ଅଗଷ୍ଟ ୦୧, ୧୯୮୯

Image

 

ସମର୍ଥମାନଙ୍କୁ ଆହ୍ଵାନ

 

ଯାହା ପାଖରେ ଜ୍ଞାନର ସାମର୍ଥ୍ୟ ରହିଛି, ସିଏ ଆପଣାର ଜ୍ଞାନକୁ ଭଗବାନଙ୍କ ଲାଗି ବିତରଣ କରିଦେବ । ଯାହା ପାଖରେ ଧନର ସାମର୍ଥ୍ୟ ରହିଛି, ସିଏ ଆପଣାର ଧନକୁ ଭଗବାନଙ୍କ ଲାଗି ବିତରଣ କରିଦେବେ । ଏବଂ ଯାହା ପାଖରେ ଉଚ୍ଚତାରେ ସାମର୍ଥ୍ୟ ରହିଛି, କେବଳ ସେଇ ଏକାବେଳେକେ ତଳଯାଏଁ, ଏକାବେଳେକେ ଏଯାଏଁ ଓହ୍ଲାଇ ଆସିପାରିବ । ଆଲୋକର ଅଧିକାରୀ ଆପଣାର ଆଲୋକିତ ଅନୁଭବଗୁଡ଼ିକୁ ନେଇ ସତକୁସତ ଅଲଗା ହୋଇ କଦାପି ରହି ପାରିବ ନାହିଁ । କେବଳ ସେଇ ଅନ୍ଧାର ଭିତରେ ପଶିପାରିବ, ପୃଥିବୀଯାକର ଅନ୍ଧାରକୁ ସତେଅବା ଯାବତୀୟ ଆଲୋକ ନିମନ୍ତେ ଏକ ଆହ୍ଵାନରୂପେ ଗ୍ରହଣ କରିବ ।

 

ମୋ’ର ଜ୍ଞାନ କଦାପି ମୋର ନୁହେଁ । ମୋ’ର ଧନ କଦାପି ମୋର ନୁହେଁ । ତାହା ଭଗବାନଙ୍କର, ଅର୍ଥାତ୍ ସମସ୍ତଙ୍କର । ଯୋଉ ଭଗବାନଙ୍କ ଆଡ଼କୁ ଆମେ ଉଚ୍ଚତା ପରେ ଉଚ୍ଚତାକୁ ଅତିକ୍ରମ କରି ଅଗ୍ରସର ହୋଇ ଯାଉଛୁ, ସିଏ ଏହି ଜଗତ ଭିତରେ, ସମସ୍ତଙ୍କ ଭିତରେ ଅପେକ୍ଷା କରି ରହିଛନ୍ତି । ସେ ମୋ’ ଆଡ଼କୁ ହାତ ପତାଇ ରହିଛନ୍ତି । ଆମେ ଯେପରି ନିଜକୁ ଗୋଟାସୁଦ୍ଧା ତାଙ୍କରି ଲାଗି ବିକିଦେଇ ପାରିବା, ଆମକୁ କେଡ଼େ ଆଦରର ସହିତ ବେଢ଼ି ରହିଥିବା ଆମର ସେହି ପ୍ରିୟତମ ସୌଦାଗର ସେଥିପାଇଁ ଅପେକ୍ଷା କରି ରହିଛନ୍ତି । ସେଇଠି ବିକି ହୋଇଯାଇ ପାରିଲେ, ଅର୍ଥାତ୍ ଆପଣାର ଦୃଶ୍ୟ ଅଦୃଶ୍ୟ ଯାବତୀୟ ସାମର୍ଥ୍ୟକୁ ତାଙ୍କରି ଲାଗି ସମର୍ପି ଦେଇ ପାରିଲେ ଯାଇ ଆମେ ଗୋଟାସୁଦ୍ଧା ତାଙ୍କରି ହୋଇଯାଇ ପାରିବା, ଅର୍ଥାତ୍, ସିଏ ଗୋଟାସୁଦ୍ଧା ଆମର ହୋଇଯାଇ ପାରିବେ । ତା’ପରେ ତାଙ୍କର ଏହି ଜଗତ ମହିମାନ୍ଵିତ ହୋଇ ଉଠିବ ।

 

ପୁଣ୍ୟ କମାଇବାକୁ, ସୁଖ ଅର୍ଜିବାକୁ ଓ ନିଜର ତଥାକଥିତ ଦୁଃଖଗୁଡ଼ାକର ମୋଚନ କରିବାକୁ ଯେଉଁମାନେ ଭଗବାନଙ୍କୁ ଲୋଡ଼ନ୍ତି, ଏବଂ ଭଗବାନଙ୍କୁ ଲୋଡ଼ିବାର ବାହାନାରେ ଜ୍ଞାନ ଲୋଡ଼ୁଥାନ୍ତି, ଧନ ଲୋଡ଼ୁଥାନ୍ତି ଏବଂ ଉଚ୍ଚରେ ଯାଇ ରହିବାକୁ ମନ କରୁଥାନ୍ତି, ସେମାନଙ୍କର ଜ୍ଞାନ ସତକୁସତ ଖତରେ ପରିଣତ ହୋଇଯାଏ, ସେମାନଙ୍କର ଧନ ସେମାନଙ୍କୁ ବହୁ କାର୍ପଣ୍ୟର କୋରଡ଼ ଭିତରେ ନେଇ ପୂରାଇ ରଖିଥାଏ, ସେମାନଙ୍କର ତଥାକଥିତ ଉଚ୍ଚତାମାନେ ଗାତ ହୋଇ ସେମାନଙ୍କୁ କିଳି ରଖିଥାନ୍ତି । ପୃଥିବୀରେ ଧନ ଥାଏ, ଜ୍ଞାନ ଥାଏ, ମାତ୍ର ସେଗୁଡ଼ିକ ପୃଥିବୀର କାମରେ ମୋଟେ ଲାଗିପାରେ ନାହିଁ । ତାହା କେତେକ ମଣିଷଙ୍କୁ ପ୍ରଧାନତଃ ଗଧ କରି ରଖିଥାଏ, ସ୍ଥୂଳ କରି ରଖିଥାଏ, ଅହଂକାରୀ କରି ରଖିଥାଏ । ତେଣୁ ଉଚ୍ଚ ଉଚ୍ଚ ମନ୍ଦିରଗୁଡ଼ାକରେ ମୂର୍ତ୍ତିମାନ୍ ମୂକ ହୋଇ ବସିଥାନ୍ତି । ଏକ ଭଗବତ୍‌ବର୍ଜନକାରୀ ପ୍ରକୋପ ପୃଥିବୀକୁ ହନ୍ତସନ୍ତ କରି ରଖିଥାଏ । ଆମ ପୃଥିବୀର ଅଧିକାଂଶ ପ୍ରକୋପକୁ ଆମେ ହୁଏତ ଏହିପରି ଭାବରେ ବୁଝିବାକୁ ଚେଷ୍ଟା କରିବା-। ଆମେ ସେଗୁଡ଼ାକରୁ ଦୂରରେ ରହିବା । ଆମେ ଶ୍ରଦ୍ଧା ଭିତରେ ରହିଥିବା ।

 

ଅଗଷ୍ଟ ୧୫, ୧୯୮୯

Image

 

ସିଧା ହୋଇ ଜଳୁଛି

 

If you go deep enough inside you, you will find it there, like a flame that is always burning straight up.

 

–ମାତୃରଚନାବଳୀ (ଇଂରାଜୀ) ଶତବାର୍ଷିକୀ ସଂସ୍କରଣ, ୧୫ଶ ଖଣ୍ଡ, ୧୯୮୦, ପୃଷ୍ଠା : ୪୨୦-୪୨୧ ।

 

ହଁ, ସିଧା ହୋଇ ଜଳୁଛି । ଭିତରେ ଜଳୁଛି । ଆମ ଭିତରେ ଜଳୁଛି ବୋଲି ସତତ ପ୍ରତ୍ୟକ୍ଷ କରି ପାରି ଆମେ ପରବର୍ତ୍ତୀ ଯଥାର୍ଥ ସତ୍ୟଟିକୁ ମଧ୍ୟ ପ୍ରତ୍ୟକ୍ଷ କରିପାରିବା ଯେ, ତାହା ଅନ୍ୟ ସମସ୍ତଙ୍କ ଭିତରେ ମଧ୍ୟ ଜଳୁଛି । ସିଧା ହୋଇ ଜଳୁଛି । ଚଗଲା ପିଲାଟା ଭିତରେ ମଧ୍ୟ ଜଳୁଛି-। ଏବଂ ଘୋରତମ ଅନ୍ଧାର ଭିତରେ ମଧ୍ୟ ଜଳୁଛି । ଆମର ଆଧ୍ୟାତ୍ମକ ମେରୁଦଣ୍ଡଟିକୁ ସିଧା କରି ଠିଆ ହୋଇପାରିଲେ ଆମେ ଭିତରକୁ ଅଥବା ବାହାରକୁ ଯୁଆଡ଼ୁ ଆଖି ପକାଇ ଦେଖିବା, ସେଠାରେ ଅବଶ୍ୟ ଦେଖିବାକୁ ପାଇବା ଯେ ତାହା ସତକୁସତ ସିଧା ହୋଇ ଜଳୁଛି । ସେହି ପ୍ରତ୍ୟକ୍ଷ କରିବାର ଅନ୍ୟ ନାମ ହେଉଛି ମୁକ୍ତିଲାଭ କରିବା, ଗୁହାରୁ ମୁକ୍ତ ହୋଇ ତାଙ୍କରି ପାଖରେ ଆସି ପହଞ୍ଚିଯିବା ।

 

ଯଥାର୍ଥ ବାଟଟିକୁ ଚାଲିବା ସକାଶେ ଆବଶ୍ୟକ ବଳଟିକୁ ଆମେ କେଉଁଠାରୁ ପାଇବୁ ବୋଲି ଜଣେ ସାଧକ ପ୍ରଶ୍ନ କରିବାକୁ ମାଆ ଉତ୍ତର ଦେଇ କହିଥିଲେ ଯେ ସେହି ବଳକୁ ଆମେ ଆପଣାର ଭିତରେହିଁ ପାଇବା । ମାଆ ବୁଝାଇ ଦେଇ କହିଥିଲେ, “ତୁମର ଭିତରେ ସେହି ଦିବ୍ୟ ପରମସତ୍ତା ବିଦ୍ୟମାନ ରହିଛନ୍ତି । ହଁ, ସେ ସେଇ ଭିତରେ ଅଛନ୍ତି । ତୁମେ ତାଙ୍କୁ ବାହାରେ ପାଇବ ବୋଲି ଏଣେତେଣେ ହେଉଛ । ଭିତରକୁ ଅନାଅ, ସିଏ ସେଇ ଭିତରେ ଅଛନ୍ତି । ଭଗବାନ ଭିତରେ ବିଦ୍ୟମାନ ରହିଛନ୍ତି । ବଳ ପାଇବା ନିମନ୍ତେ ତୁମେ ଅନ୍ୟମାନଙ୍କର ସମର୍ଥନ ଖୋଜି ବୁଲିବାରେ ଲାଗିଛ, ଏଭଳି କରୁଥିବା ପର୍ଯ୍ୟନ୍ତ ସେହି ବଳ ତୁମକୁ କଦାପି ମିଳିବ ନାହିଁ । ବଳ ତୁମ ଭିତରେ ରହିଛି । ଯଦି ତୁମେ ଇଚ୍ଛା କରୁଥାଅ, ତେବେ ଯାହାକିଛି ତୁମକୁ ସର୍ବୋଚ୍ଚ ଲକ୍ଷ୍ୟ, ସର୍ବୋଚ୍ଚ ଆଲୋକ, ସର୍ବୋଚ୍ଚ ଜ୍ଞାନ ଓ ସର୍ବୋଚ୍ଚ ପ୍ରେମ ବୋଲି ପ୍ରତୀତ ହେଉଛି, ତୁମେ ତାହାଲାଗି ଅବଶ୍ୟ ଅଭୀପ୍ସା କରିପାର । ମାତ୍ର ତାହା ତୁମ ଭିତରେହିଁ ରହିଛି । ତା’ ନହେଲେ ତୁମେ ତା’ ସହିତ କଦାପି କୌଣସି ସମ୍ପର୍କ ସ୍ଥାପନ କରି ପାରନ୍ତ ନାହିଁ । ଯଦି ନିଜ ଭିତରେ ଯଥେଷ୍ଟ ଗଭୀରକୁ ଯାଇପାରିବ, ତେବେ ତୁମେ ସେହିଠାରେହିଁ ତାହାର ପ୍ରତ୍ୟକ୍ଷ କରିବ; ପ୍ରତ୍ୟକ୍ଷ କରିବ ଯେ, ତାହା ଏକ ଅଗ୍ନିଶିଖା ପରି ସେଇଠି ସିଧା ହୋଇ ଜଳୁଛି ।’’ ସିଏ ସତେ ଆମର କେଡ଼େ ପାଖରେ ରହିଛି !

 

ଆମ ଶିକ୍ଷାଳୟରେ ଆମେ ପରସ୍ପର ଭିତରେ ସେହି ସିଧା ହୋଇ ଜଳୁଥିବା ଶିଖାଟିକୁ ପ୍ରତ୍ୟକ୍ଷ କରିବା । ଆମ ପାଠଚକ୍ରରେ ଆମେ ପରସ୍ପର ଭିତରେ ସେହି ସିଧା ହୋଇ ଜଳୁଥିବା ଶିଖାଟିକୁ ପ୍ରତ୍ୟକ୍ଷ କରିବାକୁ ସମର୍ଥ ହେବା । ତେବେ ତାଙ୍କରି ବଳ ଆମରି ବଳ ହୋଇ ଅବତୀର୍ଣ୍ଣ ହୋଇ ଆସିବ । ଆମରିଦ୍ଵାରା କେତେ କ’ଣ ସମ୍ଭବ ହେବ । ଆମ ଶିକ୍ଷାକେନ୍ଦ୍ରରେ ସମ୍ଭବ ହେବ, ଆମ ପାଠଚକ୍ରରେ ମଧ୍ୟ ସମ୍ଭବ ହେବ ।

 

ସେପ୍ଟେମ୍ବର ୦୧, ୧୯୮୯

Image

 

ସବାଶେଷ କାମ

 

ଭଗବାନଙ୍କ ପାଇଁ ଆମେ କରିବାକୁ ବାହାରିଥିବା କାମଟି କ’ଣ ଆମର ସବାଶେଷ କାମ ? ତାଙ୍କୁ ନିଜ ଭିତରେ ଅନୁଭବ କରି ପାରୁଥିବା ମଣିଷକୁ ସେହି କାମ ପ୍ରକୃତରେ ତା’ର ସବାପ୍ରଥମ କାମ । ତାଙ୍କୁ ନିଜ ଭିତରେ ଅନୁଭବ କରିପାରିଲେ ଯାଇ ତାଙ୍କରି ନିମନ୍ତେ ନିଜକୁ କ୍ରମପ୍ରସ୍ତୁତ କରିବାର ଅସଲ ବାସନାଟି ସମ୍ଭବ ହୋଇଥାଏ ।

 

ନିଜର ସ୍ଵଳ୍ପାୟତନଗୁଡ଼ିକୁ ଆମେ ସତେଅବା କେଡ଼େ ନା କେଡ଼େ ବଡ଼ ଓ କେତେ ନା କେତେ ଜରୁରୀ ମନେ କରି ତାହାରି ବାଡ଼ଗୁଡ଼ିକ ଭିତରେ ନିୟତ ନସରପସର ହେବାରେ ଲାଗିଥାଉ । ସେହି ବାଡ଼ଗୁଡ଼ିକ ଉପରେ ନିଜପାଇଁ କୌଣସି ଅଲଗା ପତାକା ଉଡ଼ାଇବାର ନିଶାରେ ଆମେ ତୁଚ୍ଛା ମାଙ୍କଡ଼ବୁଦ୍ଧିରେ କେତେ କ’ଣ କରିବାରେ ଲାଗିଥାଉ ଓ ସେଗୁଡ଼ିକୁହିଁ ଆମର ସବାଆଗ କାମ ବୋଲି ମାନି ନେଇ ଥାଉ । ସେମାନେ ପଥର ହୋଇ ଆମ କାନ୍ଧ ଉପରେ ଯାଇ ବସି ରହିଥାଆନ୍ତି । ସେଇଗୁଡ଼ାକର ହାକିମିକୁ ମାନୁ ମାନୁ ଆମର ଦିହକ ଚାଲିଯାଏ । ତେଣୁ ତାଙ୍କର କାମ କରିବାର ବେଳ କେବେହେଲେ ଆସେ ନାହିଁ । ତାଙ୍କ କାମ କରିବାଲାଗି କେବେହେଲେ ଫୁରୁସତ୍ ମିଳେନାହିଁ । ଏହି ସଂସାରଟା ବଦଳିଗଲେ ଯାଇ ମୁଁ ଆପଣାର ଜାଲଗୁଡ଼ିକରୁ ମୁକୁଳି ଆସିପାରିବି ଓ ତାଙ୍କର କାମ କରିପାରିବି ବୋଲି ଆମେ ନିଜକୁ କେତେ ପ୍ରବୋଧନା ଦେବାରେ ଲାଗିଥାଉ । ଆମ ଭିତରେ ସ୍ଵୟଂ ଭଗବାନ ଅପେକ୍ଷା କରି ରହିଥାନ୍ତି ।

 

ଏହି ସଂସାରଟାକୁ ବଦଳାଇବାର କାମ ହେଉଛି ଯଥାର୍ଥରେ ତାଙ୍କର କାମ । ତେଣୁ ତାହା ମୋ’ର ସବାଶେଷ କାମ ନୁହେଁ, ତାହା ହେଉଛି ମୋ’ର ସବାପ୍ରଥମ କାମ । ଏହି ମୁହୂର୍ତ୍ତର କାମ । ମୁଁ ଏହି ମୁହୂର୍ତ୍ତରୁ ସେହି କାର୍ଯ୍ୟଟିକୁ ଆରମ୍ଭ କରି ପାରିଲେ ଯାଇ ମୋ’ ନିଜର ମଧ୍ୟ ଉଦ୍ଧାର ହେବ, ମୋର ଅସଲ ଉନ୍ମୋଚନଟି ସେତିକିବେଳେ ଘଟିବ । ମୋ’ପାଇଁ ତାଙ୍କର କାମଟି ମୋ ଜୀବନରୁହିଁ ଆରମ୍ଭ ହେବ । ସବାଆଗ ମୋ’ର ଚେତନାଟି ବଦଳିବ । ଚେତନା ବଦଳୁ ବଦଳୁ ସମ୍ବନ୍ଧଗୁଡ଼ିକ ବଦଳିଯିବ । ତେବେ ମୁଁ ଏକାବେଳେକେ ଏକ ଅନ୍ୟ ଆଖିରେ ନିଜକୁ ଦେଖିବି, ସମଗ୍ର ପୃଥିବୀଟିକୁ ମଧ୍ୟ ଅନ୍ୟ ଏକ ଅନୁରାଗଦ୍ଵାରା ଦେଖିପାରିବି । ବର୍ତ୍ତମାନ ମୁଁ ନିଜକୁହିଁ ଦେଖୁଛି, ସମସ୍ତଙ୍କୁ ଟାଣିଓଟାରି ଖୁଣ୍ଟଟିରେ ବାନ୍ଧି ରଖିବାକୁ ଚେଷ୍ଟା କରୁଛି । ସେଥିଲାଗି ତାଙ୍କର କାମଗୁଡ଼ିକୁ ସବାଶେଷ କାମ ବୋଲି କହି ସିନ୍ଦୁକ ଭିତରେ ନେଇ ରଖିଦେଇଛି । ବାଡ଼ଗୁଡ଼ିକ ସେପାଖକୁ ମୋଟେ କିଛିହେଲେ ଦେଖି ପାରୁନାହିଁ । ନାନା ଅକାମଗୁଡ଼ାକୁ ଆପଣାର ସବାଆଗ କାମ ବୋଲି କହି ତାହାରି ଭିତରେ ବନ୍ଧାହୋଇ ପଡ଼ିଛି, ମୋ’ର ସବୁଯାକ ବୁଦ୍ଧି ପ୍ରଧାନତଃ ମୋତେ ସେହିପରି ଭାବରେ ବାନ୍ଧି ରଖିବାରେ ଖର୍ଚ୍ଚ ହେଉଛି । ନିଜ ଚତୁରପଣରେହିଁ ମୁଁ ଭଗବାନଙ୍କର ଏହି ପୃଥିବୀଟିରୁ ଅଲଗା ହୋଇ ରହିଛି ।

 

ହଁ, ବାହାରେ ମୁଁ କେଡ଼େ ବଡ଼ ଦିଶୁଛି; କେଡ଼େ ବଡ଼ ଆସନରେ ବସିଛି, ଆବୁମଣ୍ଡିତ ହୋଇ ଜୀବନଯାପନ କରୁଛି ଏବଂ, ତାଙ୍କଠାରୁ ଅଲଗା ହୋଇ ରହିଛି । ତାଙ୍କର ପାଦଯୋଡ଼ିକ ମୋ’ ଘର ଭିତରକୁ ଆସିବା ଲାଗି ଅପେକ୍ଷା କରି ରହିଛନ୍ତି । ମୁଁ ଦୁଆର ବନ୍ଦ କରି ଫୁଲେଇ ହେଉଛି । ଦୁଆରକୁ ଖୋଲିଦେବା ହେଉଛି ତାଙ୍କପାଇଁ ମୋ’ ଜୀବନର ସର୍ବପ୍ରଥମ କାମ ।

 

ଅକ୍ଟୋବର ୧୫, ୧୯୮୯

Image

 

ନିରବଚ୍ଛିନ୍ନ ଚେତନା, ତାହାହିଁ ପୂଜା

 

ଅଚେତା ମଣିଷମାନେ ବେଳେବେଳେ ଚେତା ପଶିଗଲାମାତ୍ରକେ ଭଗବାନଙ୍କୁ ଲୋଡ଼ନ୍ତି । ସେମାନେ ଯେ ସତକୁସତ ଅଚେତା ହୋଇ ରହିଥାନ୍ତି, ସେକଥା ମୋଟେ ନୁହେଁ । ସେମାନେ ଆଉ ପନ୍ଦର ବା ପଚିଶଟା ଥାନରେ ଚେତା ହୋଇ ରହିଥାଆନ୍ତି, ତେଣୁ ନିଜର ଅସଲ ଘରଟିକୁ ଆଖି ବୁଜି ଦେଇଥାନ୍ତି, ଅଚେତା ହୋଇ ରହିଥାନ୍ତି । ଗର୍ତ୍ତକୁ ମନ କରୁଥିବା ମନୁଷ୍ୟ ପର୍ବତଶିଖକୁ ମନକରି ପାରେନାହିଁ । ତଥାପି ଗାତଟା ସବୁବେଳେ ସୁଖ ଦେଇ ପାରେନାହିଁ ବୋଲି ଅନେକ ମନୁଷ୍ୟ କୌଣସି ବିଶେଷ ବେଳ ବାହାର କରି ଗାତରୁ ବାହାରି ଆସନ୍ତି ଏବଂ ଶିଖରଆଡ଼କୁ ଆଖି ପକାନ୍ତି । ଶିଖର ସର୍ବଦା ଦୂରହୋଇ ରହିଥାଏ । କେତେଭଳି ବିଧିରେ ଶିଖରଟିର ସ୍ତୁତି କରାଯାଏ, ତାହାର ଆଶୀର୍ବାଦ କାମନା କରାଯାଏ । ଆମ ସଂସାରରେ ଅନେକ ସମୟରେ ତାହାକୁ ପୂଜା ବୋଲି କୁହାଯାଏ । ପୂଜା ପରେ ଗାତର ମଣିଷ ପୁଣି ଗାତ ଭିତରକୁ ବାହୁଡ଼ି ଆସେ । ସେହି ଗାତ ଭିତରେହିଁ ନିଜକୁ ସଞ୍ଚାରିତ କରି ରଖିଥାଏ ।

 

ଚେତନା ଏକ ବସ୍ତ୍ର ବା ଆବରଣ ନୁହେଁ ଯେ ଆମେ ତାହାକୁ ଗୋଟିଏ ଗୋଟିଏ ବିଶେଷ ବେଳ ଦେଖି ପିନ୍ଧି ପକାଉଥିବା ଓ ବେଳଟି ଚାଲିଗଲେ ଦେହରୁ ପୁଣି କାଢ଼ି ପକାଉଥିବା । ଅସଲ ଚେତନା ହେଉଛି ଏକ ନିରବଚ୍ଛିନ୍ନ ଚେତନା । ସେଥିରେ ବାସ କରିବାକୁ ହୁଏ । ସେଥିରେ ଦୀକ୍ଷିତ ହେବାକୁ ହୋଇଥାଏ । ଚେତନାରେ ବାସ କରିବା ଓ ଚେତନାରେ ଦୀକ୍ଷିତ ହୋଇ ରହିବା, ତାହାହିଁ ଅସଲ ପୂଜା । ଆମକୁ ଚେତନା ଭିତରକୁ ଆଣିବା ନିମନ୍ତେ ଯେପର୍ଯ୍ୟନ୍ତ ପୁରୋହିତ ଆସି ନଡ଼ିଆ ଭାଙ୍ଗିବାର ଆବଶ୍ୟକତା ରହିଥାଏ, ସେପର୍ଯ୍ୟନ୍ତ ଆମ ଭିତରେ ଚେତନା ଲାଗି ଏକ ସ୍ଵାଭାବିକ ସମ୍ମତି ଆଦୌ ଉପଲବ୍ଧ ହୋଇ ନଥାଏ । ଆଖି ବୁଜିଲେ ଯାଇ ଆମେ ଚେତନାର ପରିଚୟ ପାଇବା ବୋଲି ବିଶ୍ଵାସ କରୁଥିବା ପର୍ଯ୍ୟନ୍ତ ଆମେ ପ୍ରକୃତରେ ଆପଣା ପାଖରେ ହୁଏତ ମୋଟେ ଧରାଦେଇ ନଥାଉ । ବା, ଆମକୁ ସତେଅବା ଆଉ କିଏ ଧରିଆଣି ଆମ ନିଜ ପାଖରେ ବସାଇଦେଇ ଯାଉ ବୋଲି ଆମେ ଗେହ୍ଲାଙ୍କପରି ଭାବିବାରେ ଲାଗିଥାଉ । ଚେତନା ଏହିପରି ଆସୁଥିବା ଏବଂ ଚାଲିଯାଉଥିବା ପର୍ଯ୍ୟନ୍ତ ଆମ ଜୀବନରେ ଅସଲ ପୂଜାର ଆସ୍ଥାନଟି ତିଆରି ହେବା ତଥାପି ବାକି ରହି ଯାଇଥାଏ ।

 

ନିରବଚ୍ଛିନ୍ନ ଚେତନାର ଅର୍ଥ ହେଉଛି ତାଙ୍କୁ ନିୟତ ଛୁଇଁକରି ରହିଥିବା । ଛୁଇଁକରି ରହିଥିବା ମଣିଷର ପୁରୋହିତ ଲାଗି, ଧର୍ମଯାଜକ ଲାଗି ଆଦୌ କୌଣସି ଆବଶ୍ୟକତା ନଥାଏ । ଛୁଇଁକରି ରହି ନିଜ ଜୀବନଟିକୁ ବଞ୍ଚୁଥିବା ମଣିଷର ପୁଣି ଛୁଆଁଇ ଦେଇଯିବା ଲାଗି, ହାତରେ ଧରାଇ ଦେଇଯିବା ଲାଗି ଆଉ କି ପ୍ରୟୋଜନ ରହିଛି ? ତେଣୁ, ଛୁଇଁକରି ଅର୍ଥାତ୍ ତାଙ୍କରି ସହିତ ଖିଅ ଲଗାଇ ନିଜ ଜୀବନଟିକୁ ବଞ୍ଚିବା ଯଦି ଆମର ଉଦ୍ଦେଶ୍ୟ ହୋଇଥାଏ, ତେବେ ଆମଲାଗି ପୂଜାର ସେହି ଯାବତୀୟ ପୁରାତନ ସଂଜ୍ଞାଗୁଡ଼ିକ ମଧ୍ୟ କ୍ରମେ ବଦଳି ବଦଳି ଯିବାରେ ଲାଗିଥିବ । ଆମ ନିଜ ଭିତରେ ଆମ ଦିଅଁଙ୍କର ସତତ ଥାପନା ହୋଇ ରହିଥିବ । ଶିଖରଗୁଡ଼ିକ ନିଜ ଭିତରେ ଦୃଷ୍ଟିଗୋଚର ହେବ । ଏବଂ ଚେତନାଯୁକ୍ତ ବ୍ୟକ୍ତିକୁ ଜୀବନ କହିଲେ ଊର୍ଦ୍ଧ୍ଵକୁ ଅର୍ଥାତ୍ ଗଭୀରରୁ ଆହୁରି ଗଭୀରକୁ ପଡ଼ି ରହିଥିବା ଏକ ଅସୁମାରି ପାବଚ୍ଛ ଶ୍ରେଣୀକୁହିଁ ବୁଝାଇବ ।

 

ନଭେମ୍ବର ୧୫, ୧୯୮୯

Image

 

ଅଚେତନାରେ ଚେତନା

 

ଆମେ ଅଚେତନା ଭିତରେ ରହିଛୁ ଓ ଚେତନାକୁ ମନ କରୁଛୁ । ସେତିକି କ’ଣ ଯଥେଷ୍ଟ, ସେତିକି କ’ଣ ସବୁ ? ଅଚେତନା ଯେ ଆଉ କୋଉଠୁଁ ଆସି ଆମକୁ ମାଡ଼ି ବସିଛି, ଆମର ଇଚ୍ଛା ବିରୁଦ୍ଧରେ ଆମକୁ ଭିତରେ ବାହାରେ କାବୁ କରି ରଖିଛି, ସେକଥା ଆଦୌ ନୁହେଁ । ଅଚେତନାକୁ ଆମେ ଇଚ୍ଛା କରୁଛୁ । ଅଚେତନା ଆମକୁ ସୁହାଉଛି, ଆମକୁ କେଡ଼େ ଭଲ ଲାଗୁଛି ବୋଲି ତାହା ଆମକୁ ଅତି ଆପଣାର ପରି କୁଣ୍ଢାଇ ଧରିଛି । ସେହି ଅଚେତନା ଭିତରେ ଅତ୍ୟନ୍ତ ମଜବୁତ୍ ଭାବରେ ଘର କରି ରହିହିଁ ଆମେ ବେଳେବେଳେ ଚେତନାର କଥା ସ୍ମରଣ କରୁଛୁ । ଚେତନାଲାଗି ଦେଉଳ ତୋଳି ଦେଉଛୁ, ଚେତନାର କେତେକେତେ ସନ୍ତକ ବାହାର କରି ତାହାକୁ କାନରେ ନୋଳି କରି ପିନ୍ଧୁଛୁ । ଚେତନା ନାମରେ ବହୁ ପୁନିଅଁ ଓ ପର୍ବର ଭିଆଣ କରୁଛୁ ଏବଂ ସେହିସବୁ ବିଶେଷ ଦିନମାନଙ୍କରେ ସତେଅବା ଗୋଟାସୁଦ୍ଧା ଓଷେଇତୀଙ୍କ ପରି ଦେଖାଯାଉଛୁ ।

 

ଚେତନା ଖରାର ଆଲୁଅ ପରି । ଅଚେତନାର ଅନ୍ଧାର ସହିତ ତାହାର କୌଣସି ସାଲିସ୍ କରାଯାଇପାରିବ ନାହିଁ । ଆମ ଜୀବନଟା ପ୍ରାୟ ଗୋଟାସୁଦ୍ଧା ସାଲିସ୍ ଭିତରେ ରହିଛି ବୋଲି ଆମେ ସିଧାହୋଇ ଚେତନା ଆଡ଼କୁ ଅନାଇବାକୁ ମଧ୍ୟ ମନ କରି ପାରୁନାହୁଁ । ଆମେ ସତେ ଯେପରି ଅଚେତନାର ଆମ ଅତିଚିହ୍ନା ଦର୍ପଣଟି ଉପରେ ଚେତନାକୁ ଦେଖିବାର ଅଭ୍ୟାସରେ ପଡ଼ିଯାଉଛୁ । ଚେତନାର ଦର୍ପଣ ଉପରେ ନିଜର ଜୀବନକୁ ଦେଖି ପାରୁଥିଲେ ଆମେ ନିଜ ଭିତରେ ଏପରି ଏକ ପାବଚ୍ଛଶ୍ରେଣୀର ପ୍ରତ୍ୟକ୍ଷ କରିପାରନ୍ତୁ, ଯାହାକି ଆମକୁ ଏଠୁ ଏକାବେଳେକେ ସେଯାଏଁ ସମ୍ପ୍ରସାରିତ ହୋଇ ରହିବାର ମନ୍ତ୍ରଟିକୁ ବତାଇ ଦେଇପାରନ୍ତା । ମାତ୍ର ସେଯାଏଁ ରାଜି ହେବାକୁ ଆମେ ଏବେ ସୁଦ୍ଧା ମନ କରିନାହୁଁ; ତେଣୁ, ଅଚେତନାର କଳସ ଥାପି ତାହାରି ଉପରେହିଁ ଚେତନାର ନଡ଼ିଆଟିକୁ ବାଡ଼େଇବାରେ ଲାଗିଛୁ । ପୁରୁଣା ବାହ୍ୟତା, ପୁରୁଣା ଦୀନତା ଓ ପୁରୁଣା କାମୁକତାଗୁଡ଼ାକ ଆମକୁ କାବୁ କରି ରଖିଛି । ଅଚେତନାକୁ ଆମେ ଜୀବନର ଅସଲ ପରିଧାନରୂପେ ବ୍ୟବହାର କରୁଛୁ; ତଥାକଥିତ ଚେତନାଟି ସେହି ପରିଧାନର ସତେଅବା ଜରି ଧଡ଼ିଟିଏ ହୋଇ ରହିଛି । କାଳ କାଳ ଧରି ଅଧିକାଂଶ ମଣିଷ ଏତିକି ଭିତରେ ବାନ୍ଧିହୋଇ ରହିଛନ୍ତି-। ଆମେ ଚେତନାକୁ ଇଚ୍ଛା କଲେ ଯାଇ ଚେତନାର ଯୋଗ୍ୟ ହୋଇପାରିବା । ନିଜେ ଗୋଟାସୁଦ୍ଧା ବଦଳିଯିବାକୁ ଆଗ ମନ କଲେ ଯାଇ ଚେତନାର ଯୋଗ୍ୟ ହୋଇପାରିବା । ନହେଲେ ଦାଣ୍ଡରେ ଚେତନାଗୁଡ଼ିକ ପତାକା ହୋଇ ଉଡ଼ୁଥିବେ, ଆମ ଟୁଙ୍ଗିଗୁଡ଼ାକରେ ଚେତନାମାନେ ଠାକୁର ହୋଇ ପୂଜା ପାଉଥିବେ, ଚେତନା ନାମରେ ଆମେ ବରଷକୁ କେତେଟା ନିଠ ଦିନରେ ମଠା ପିନ୍ଧି ପରସ୍ପରକୁ ହୁଏତ ସଙ୍ଖୋଳିବାକୁ ବାହାରି ପଡ଼ୁଥିବା ସିନା, ତଥାପି ଅଚେତନା ଭିତରେହିଁ କେଳି କରିବାରେ ଲାଗିଥିବା । ସେହି କେଳିକୁ ସଂସାର ବୋଲି କହୁଥିବା ଓ ସେହି ସଂସାରକୁ ମହାପୁଲକରେ କାମୁଡ଼ି ଧରି ପଡ଼ି ରହିଥିବା । ଚେତନା-ଘରେ ଆଶ୍ରିତ ହୋଇ ରହିଥିବା । ଆମରି ଭିତରେ ରହି ଭଗବାନ ମୁରୁକି ମୁରୁକି ହସିବାରେ ଲାଗିଥିବେ ।

 

ସତ୍ୟ ଅସତ୍ୟ ଘରେ ପୋଇଲୀ ହୋଇ ରହିଥିବ । ଆମର ଏହି ଜୀବନଟାକୁ ଏକ ବିଡ଼ମ୍ବନାରେ ପରିଣତ କରି ରଖିଥିବ । ସେହି ବିଡ଼ମ୍ବନା ମଧ୍ୟରେ ପଡ଼ି ରହିବାକୁ ଆମେ ଏକାବେଳେକେ ଅସହ୍ୟ ବୋଲି ମଣିଲେ ଯାଇ ଚେତନାର ସ୍ପର୍ଶ ଲାଭ କରିପାରିବା । ନିଜ ଭିତରେ ସ୍ପର୍ଶ ପାଇବା, ନିଜ ବାହାରେ ମଧ୍ୟ ସ୍ପର୍ଶ ପାଇବା ।

ଡିସେମ୍ବର ୧୫, ୧୯୮୯

Image

 

ସିଏ ବାଛିଥିଲେ, ଆମେ ବାଛିଲୁ

 

ସିଏ ଆମକୁ କେଡ଼େ ଖୁସି ହୋଇ ବାଛିଥିଲେ, ଆମକୁ ଆପଣାର ବୋଲି ମନେକରି ସିଏ ଆମକୁ ବାଛିଥିଲେ । ଆମ ଭିତରେ ସିଏ ସତେଅବା ତାଙ୍କରି ସଦୃଶଟିଏ, ସମଧର୍ମୀ ସାଙ୍ଗଟିଏ ରହିଥିବାର ଆଘ୍ରାଣ କରିପାରିଥିବାରୁ ସିଏ ଆମକୁ ବାଛିଥିଲେ । ଆମକୁ ତାଙ୍କଯାଏଁ ଉଠାଇ ନେଇଯିବେ ବୋଲି ଆମକୁ ବାଛିଥିଲେ । ଆମକୁ ଦୁଆରଟିଏ ଖୋଲି ଦେବାଲାଗି ବାହାରେ ଓ ଭିତରେ କେତେ ଫୁସୁଲାଇବାରେ ଲାଗିଥିଲେ । ଦୁଆର ଖୋଲିବାମାତ୍ରକେ ଭିତରେ ପ୍ରବେଶ କରିବେ ବୋଲି ଅପେକ୍ଷା କରି ରହିଥିଲେ । ଭିତରେ ପ୍ରବେଶ କରି ଆମକୁ ଗୋଟାସୁଦ୍ଧା କୁଣ୍ଢାଇ ଧରିବେ ଓ ତାହାରିଦ୍ଵାରାହିଁ ଆମକୁ ପବିତ୍ର କରିଦେବେ ବୋଲି ପାଞ୍ଚ କରିଥିଲେ ।

 

ତାଙ୍କର ସେହି ବାଛିବାଟା ଆମର ମନକୁ ଗଲାନାହିଁ କି ? ସମ୍ଭବତଃ ସେହି କାରଣରୁ ଆମେ ତାଙ୍କୁ ଆମ ଧାରାରେ ବାଛିବାକୁ ବିଚାର କଲୁ । ତାଙ୍କ ଧାରାରେ ତାଙ୍କ ପାଖକୁ ଯିବାକୁ ଭୟ କଲୁ । ଭୟ କଲୁ, କାରଣ ଆମେ ସେଥିଲାଗି ପ୍ରସ୍ତୁତ ନଥିଲୁ । ଆମେ ତାଙ୍କର ଆମ ପ୍ରତି ଶ୍ରଦ୍ଧା ଅନୁସାରେ ବଦଳି ଯିବାକୁ ମନ କରିପାରିଲୁ ନାହିଁ, ଆମ ଗୋଡ଼ ଆଙ୍ଗୁଠି ଅନୁସାରେ ଅନୁରୂପ ଭାବରେ ତାଙ୍କୁ କାଟି ଝୁଣ୍ଟିଆଟିଏ କରି ପିନ୍ଧିବାରେ ବରାଦ କଲୁ ।

 

ତାଙ୍କୁ ଆମ କରାଟରେ ଅଫିମ କରି ରଖିଲୁ । ସିଏ ଆମକୁ ଜୟ କରିବାକୁ ଆସିଥିଲେ, ଆମେ ତାଙ୍କୁ ଧର୍ମଗୁଡ଼ାକର ରଜ୍ଜୁରେ ବାନ୍ଧି ରଖିଲୁ । ଆମ ଜୀବନର ବାଆଗୁଡ଼ାକଲାଗି ତାଙ୍କୁ କେତେ ସନ୍ତର୍ପଣରେ ବତାପରି ବ୍ୟବହାର କଲୁ-। ଆମ ଦେଉଳ ଭିତରକୁ ଆସି ସିଏ ଭାରି କ୍ଷୁଦ୍ର ହୋଇ ଦିଶିଲେ, ଆମ ହାତର ଚନ୍ଦନଟୋପାକୁ ପିନ୍ଧି ସତେଅବା ଖାଲି କଣ୍ଢେଇଟିଏ ପରି ଦେଖାଗଲେ । କଣ୍ଢେଇଟିଏ ପରି ଡଉଲ ଡାଉଲ ଦେଖାଗଲେ ସିନା, ମାତ୍ର ଆମରି କୁହାଗୁଡ଼ାକୁ ମାନି ଥୋବରା ହୋଇ ରହିଗଲେ ।

 

ତାଙ୍କୁ ନବାଛି ଆମେ ଏହିସବୁ ଅନ୍ୟଗୁଡ଼ାକୁ କାହିଁକି ବାଛିଲୁ ? ଆମ ଭିତରେ ତାଙ୍କୁ ବାଟ ଛାଡ଼ି ନଦେଇ ଆମେ କ’ଣପାଇଁ ଆମରି ସୁନାରୁପାର ଛାଞ୍ଚଗୁଡ଼ାକ ଭିତରେ ତାଙ୍କୁ ଆଣି ମାଡ଼ି ରଖିଲୁ ଏବଂ ଏହି ପୃଥିବୀରେ ତାଙ୍କ ନାମରେ ଆମରି ଲୀଳାଗୁଡ଼ାକୁ ଲଗାଇଦେଲୁ ? ଆମରି ତଥାକଥିତ ସିଦ୍ଧିଗୁଡ଼ିକ ନିମନ୍ତେ ତାଙ୍କୁ ମନ୍ତ୍ର ପଢ଼ି ବଶକରି ରଖିଲୁ । ତାଙ୍କର ବୋଲ କିଛି ମାନିଲୁ ନାହିଁ । ତାଙ୍କୁ ଆମ ବୋଲଗୁଡ଼ାକରେ ମଣ କରି ରଖିଲୁ । ତାଙ୍କର ବାଟଗୁଡ଼ାକ ଉପରେ ଆମ ପ୍ରୟୋଜନଗତ ମୋହରଗୁଡ଼ାକୁ ମାରିଦେଇ ତାକୁ ଆମର ଧର୍ମ ବୋଲି କହିଲୁ ? ଏହିସବୁ ଧର୍ମ ନାମରେ ଧ୍ଵଜା ଉଡ଼ିଲା । ଆମରି ଭିତରେ ଥିବା ତାଙ୍କର ଧନଟି ଲାଜରା ହୋଇ ଆଢ଼ୁଆଳରେ ରହିଗଲା । ସିଏ ଆମର ସମ୍ପତ୍ତି ହୋଇ ରହିଲେ । ସେହି ସମ୍ପତ୍ତିରୁ ଆମେ ଦମ୍ଭର ସହିତ କେତେ କେତେ ରାକ୍ଷସିକତାର ଭିଆଣ କଲୁ । ରାକ୍ଷସିକତାକୁ ରାକ୍ଷସିକତାର ଦୃପ୍ତ ବର୍ମଟିଏ ପିନ୍ଧାଇ ରଖିବାଲାଗି ତାଙ୍କୁ ଆମେ ରୂପ, ଧନ ଓ ଯଶଠାରୁ ଆରମ୍ଭ କରି ମନୋରମା ଭାର୍ଯ୍ୟା ପର୍ଯ୍ୟନ୍ତ କେତେ କ’ଣ ମାଗିଲୁ । ରାକ୍ଷସଙ୍କ ପରି ଅଲାଜୁକ ହେଲୁ ।

 

ଆମେ ବାଛିବାର ମନ୍ଦ ଫିସାଦଗୁଡ଼ିକୁ ଛାଡ଼ି ତାଙ୍କରି ବାଛିବାଟିକୁ ନିଜ ଜୀବନରେ ସ୍ଵୀକାର କରିପାରିଲେହିଁ ଆମେ ତାଙ୍କ ପାଖକୁ, ତାଙ୍କ ମଧ୍ୟକୁ ଫେରିଆସି ପାରିବା । ଏହିଭଳି ଏକ ଫେରି ଆସିବାକୁ ଶାସ୍ତ୍ରରେ ପରାବୃତ୍ତି ବୋଲି କୁହାଯାଇଛି । ଆମର ଏହି ଧାରାଟି ପ୍ରତି ରହିଥିବା ସକଳ କାମୁକତାକୁ ପରିହାର କରିବାର ଯୋଗ୍ୟ ହେଲେ ଯାଇ ଆମେ ତାଙ୍କ ବାଛିବା ଅନୁସାରେ ଏଠି ଆସ୍ଥାନଟିଏ ତିଆରି କରିବାକୁ ସମର୍ଥ ହେବା । ଆସ୍ଥାନଟିଏ ତିଆରି କରିବାର ଅର୍ଥ ହେଉଛି ସତକୁସତ ଆସ୍ଥାନଟିଏ ହେବା ।

ଜାନୁଆରୀ ୦୧, ୧୯୯୦

Image

 

ରାଜସିକ ସମର୍ପଣ

 

ସମର୍ପଣ ନାନା ଭାବରେ ହୋଇପାରେ, ନାନା ସ୍ତରର ହୋଇପାରେ, ନାନା ଉଦ୍ଦେଶ୍ୟରେ ମଧ୍ୟ ହୋଇପାରେ । ‘ମାଆ’ ବହିରେ ଶ୍ରୀଅରବିନ୍ଦ ତାମସିକ ସମର୍ପଣ କଥା କହିଛନ୍ତି-। ସେଦିନ ଆମ ଆଲୋଚନାରେ ସେହି କଥା ପଡ଼ିଥିଲାବେଳେ ଜଣେ ବନ୍ଧୁ ରାଜସିକ ସମର୍ପଣ ବୋଲି କିଛି ଅଛି କି ନାହିଁ, ସେହି କଥାଟି ଜାଣିବାକୁ ଆଗ୍ରହ କଲେ ।

 

ଆମ ଭିତରେ ରଜାଟିଏ ଅଛି, ଭକ୍ତଟିଏବି ଅଛି । ଅଳସୁଆଟିଏ, ଅନିଚ୍ଛୁକଟିଏ ତ ଅବଶ୍ୟ ରହିଛି । ଆମ ଭିତରର ରଜା ଆମ ଭିତରର ଭକ୍ତଟିକୁ ସତେଅବା ନିଜର ପ୍ରଜା ବୋଲି ଭାବୁଛି । ଆମର ରଜାଟାର ମୁଣ୍ଡରେ ଏଡ଼େବଡ଼ ମୁକୁଟଟିଏ ଶୋଭା ପାଉଛି । ସିଏ ସତେଅବା ସିଧା ଭଗବାନଙ୍କଠାରୁ ଜାଗିରିଟାଏ ପାଇ ଆମ ଭିତରେ କେଡ଼େ ବଡ଼ ହୋଇ ରହିଛି । କେଡ଼େ ବଡ଼ ହୋଇ ଦିଶୁଛି, ବେଳେବେଳେ କେତେ ଉପଦ୍ରବ ମଧ୍ୟ କରୁଛି । ଭିତରୁ ଭକ୍ତଟିଏ ପ୍ରସ୍ତୁତ ହୋଇ, ଖୁସି ହୋଇ, ଶାନ୍ତ ହୋଇ ବାହାରିଲା ବେଳକୁ ସିଏ ତାକୁ ସତେଅବା ଅଟକାଇ ରଖୁଛି । ସିଏ ନିଜେ ବାହାରିବାକୁ ନିଷ୍ପତ୍ତି କରି ପକାଉଛି । ଭଗବାନ ତା’ ଭିତରକୁ ଆସିବାକୁ ବାଟ ନ ପାଇ ଥାଆନ୍ତୁ ପଛକେ, ସିଏ ଭଗବାନଙ୍କ ଭିତରେ ଉଆସରେ ପଶି ସେଇଠୁ ତାଙ୍କୁ କାନ୍ଧରେ ବସାଇ ଆଣିଥିଲା ପରି ଗହଗହ ଦେଖାଯାଉଛି । ଏବଂ, କହୁଛି, ଏହି କୋଳାହଳ, ଏହି ସ୍ଵର୍ଣ୍ଣକଳସ ଓ ଏହି ଛତିତରାସ ନଥିଲେ ଭଗବାନ ସତକୁସତ ଅଛନ୍ତି ବୋଲି କାହିଁକି କିଏ ଅନୁଭବ କରୁଥାଆନ୍ତା ?

 

ଭଗବାନଙ୍କ ନାଆଁରେ ଯିଏ ସମ୍ପ୍ରଦାୟଟି ଗଢ଼େ, ଭେକଟିଏ ବେଢ଼ାଇ ହୋଇ ସତେଅବା କେଉଁଠି କ’ଣ ରାଜ୍ୟଜୟ କରିବାକୁ ବାହାରିଥାଏ, ସ୍ଵୟଂ ଭଗବାନ ତାକୁ ଦେଇଥିବା ରତ୍ନମୁଦିଟିକୁ ନିଜ ଆଙ୍ଗୁଠିରେ ପିନ୍ଧିଛି ବୋଲି ଅନୁଭବ କରୁଥାଏ-ତାହାରି ତଥାକଥିତ ଯାବତୀୟ କାରବାରକୁହିଁ ଆମେ ଯଥାର୍ଥରେ ଏକ ରାଜସିକ ଉପାଖ୍ୟାନର ନାନା ଦୃଶ୍ୟ ବୋଲି ଗ୍ରହଣ କରିପାରିବା । ନିଜ ଭିତରେ ଥିବା ରାଜସିକତାକୁ ସିଂହାସନ ଉପରେ ବସାଇ ଯେଉଁମାନେ ଭଗବାନଙ୍କର ମହିମା ପ୍ରଚାର କରି ବାହାରିଥାଆନ୍ତି, ସେମାନଙ୍କ ଲାଗି ଆମ ଦେଉଳ, ତୀର୍ଥ ଓ ସଭାମାନଙ୍କରେ କେତେ ଆଲୁଅ ଅଜାଡ଼ି ହୋଇ ପଡ଼ୁଥାଏ ସତ, ମାତ୍ର ସେମାନେ ଜକଜକଗୁଡ଼ାକୁହିଁ ସବାଆଗ ଦେଖନ୍ତି ଓ ସବାଆଗ ଅନୁଭବ କରୁଥାନ୍ତି । ସେମାନଙ୍କର ଜୀବନରେ ରଥୀଠାରୁ ରଥଟାହିଁ ଅଧିକ ବଡ଼ ବୋଲି ଦିଶିବାରେ ଲାଗିଥାଏ । ସନ୍ତକଗୁଡ଼ାକର ଉପଦ୍ରବ ସାର ଧନଟିକୁ ଏକାବେଳେକେ ଗିଳି ପକାଇ ଥାଆନ୍ତି ।

 

ଜାନୁଆରୀ ୧୫, ୧୯୯୦

Image

 

ଭଗବାନଙ୍କର କାମ

 

ଭଗବାନଙ୍କର କାମ କରିବା ଅର୍ଥାତ୍ ଭଗବାନଙ୍କ ଲାଗି ଜୀବନଟିଏ ବଞ୍ଚିବା । ତେବେ ଆମେ ଜୀବନରେ ଆମ କାମ ବୋଲି ଯାହାକିଛି କରିବା, ତାହା ଅବଶ୍ୟ ଭଗବାନଙ୍କର କାମ ବୋଲି ପ୍ରତିପାଦିତ ହୋଇ ପାରିବ । ଭଗବାନଙ୍କର କାମ ବୋଲି କିଏ ମନ୍ଦିରଟିଏ ତୋଳାଇ ଦେଉଛି, ଆଉ କିଏ ଭଗବାନଙ୍କୁ ସୁନାରୁପା ଅଳଙ୍କାରରେ ଛୁଆଇ ଦେବ ବୋଲି କେତେ ପଇସା ଖରଚ କରିବ ବୋଲି ବାହାରୁଛି । କିଏ ଚାନ୍ଦୁଆ ଟଣାଉଛି, କିଏ ପାଟଛତି ଆଣି ଦେଉଛି । ଏଗୁଡ଼ାକତ ଏହି ପୃଥିବୀରେ ନିତି ହେଉଛି । ବେଳେବେଳେ ତୁଚ୍ଛା ଅସୁରମାନେବି ଭଗବାନଙ୍କୁ କେଡ଼େ ସୁନ୍ଦର କରି ଦେଖାଇ ଜନମନକୁ ମୋହିତ କରିଦେବେ ବୋଲି ସତେଅବା ଠିକାଦାର ହୋଇ ବାହାରି ପଡ଼ୁଛନ୍ତି । ଆମର ପୃଥିବୀଟି ଅସୁରମାନଙ୍କର କବଳରେ ରହିଥିବା ପର୍ଯ୍ୟନ୍ତ ଆମର ଦେଉଳଗୁଡ଼ିକ ମଧ୍ୟ ଅସୁରଆଶ୍ରିତ ହୋଇ ରହିଥିବ । ଭଗବାନଙ୍କର କାମ କରିବାକୁ ପଣ କରିଥିବା ମଣିଷ କଦାପି ସେହି ଦେଉଳଗୁଡ଼ିକୁ ଦେଖି ଭଣ୍ଡି ଯିବନାହିଁ । ଦେଉଳଗୁଡ଼ିକୁ ଦେଖାଇ ସିଏ କାହାକୁ ଭଣ୍ଡାଇବାକୁ ମଧ୍ୟ ମୋଟେ ଚେଷ୍ଟା କରିବ ନାହିଁ ।

 

ଭଗବାନଙ୍କର କାମ ଦେଉଳରେ ନୁହେଁ, ଭଗବାନଙ୍କର କାମ ଏହି ପୃଥିବୀରେ । ପୃଥିବୀରେ ପ୍ରକୃତରେ ଭଗବାନଙ୍କର କିଛି କାମ ହୋଇପାରିବ ବୋଲି ଯିଏ ବିଶ୍ଵାସ ହରାଇ ବସିଲାଣି, ବିଚରା ସେ ଦେଉଳ ଗଢ଼ି ଆମ ଆଖିକୁ ଝଲସାଇ ରଖିବ ବୋଲି ଫିକର କରି ବାହାରିଛି । ଆମେ ଭଳିବା ନାହିଁ । ଆମେ ଭଗବାନଙ୍କୁ ଆମର ଜୀବନରୂପୀ ଦେଉଳରେ ସବାଆଗ ନେଇ ବସାଇବା । ଆମ ଭିତରେ, ଆମର ନିବିଡ଼ ଗଭୀରରେ ଯେଉଁଠି ସିଏ ଆମଲାଗି ଅପେକ୍ଷା କରି ବସିଛନ୍ତି, ଆମେ ଆମର ଏହି ବାହାରର ଆଖିଗୁଡ଼ାକୁ ମଧ୍ୟ ସେଯାଏଁ ଯାଇପାରିବା ପାଇଁ ବାଟ ଛାଡ଼ିଦେବା । ତେବେ ଯାଇ ଆମ ଭିତରର ଅସୁରଟା ଧରା ପଡ଼ିଯିବ, ଆମ ଭିତରେ ରହିଥିବା ଭକ୍ତଟିକୁ ବାଟ ଛାଡ଼ିଦେବାକୁ ବାଧ୍ୟ ହେବ । ତା’ପରେ ଆମେ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବା । ଏହି ଅସନା ବର୍ତ୍ତମାନଟା ଆମକୁ ଆଉ ମୋଟେ ଭଲ ଲାଗିବନାହିଁ । ଆମ ଭିତରେ ଭଲ ଲାଗିବ ନାହିଁ କି ଆମ ବାହାରେ ମଧ୍ୟ ଭଲ ଲାଗିବ ନାହିଁ ।

 

ନିଜ ଭିତରୁ ଏକ ନୂଆ ଆଖି ପାଇ ସେହି ଆଖିର ମହତୀ ବାସନାଗୁଡ଼ିକ ଅନୁସାରେ ଏହି ବାହାର ପୃଥିବୀଟିକୁ ମଧ୍ୟ ବଦଳାଇବାକୁ ଜୀବନର ବ୍ରତରୂପେ ବାଛିନେବା, ତାହାହିଁ ଭଗବାନଙ୍କର କାମ । ଯାହା ଭିତରେ ଯାବତୀୟ ମନାସ ଓ ଆଗ୍ରହରେ ଭଗବାନହିଁ ସବାଆଗରେ ରହିଥାଆନ୍ତି, ତା’ ବାହାରେ ମଧ୍ୟ ଅନ୍ୟ ମଣିଷମାନଙ୍କ ସହିତ ତା’ର ସମ୍ବନ୍ଧଗୁଡ଼ିକ ଏକାବେଳେକେ ବଦଳିଯାଏ । ସିଏ ତା’ ଭିତର ପରି ବାହାରେ ମଧ୍ୟ ଅସୁରମାନଙ୍କର କଥାକୁ ମୋଟେ ମାନି ପାରେନାହିଁ । ସିଏ ଏକ ଅଲଗା ପ୍ରକାରର ସ୍ଵପ୍ନ ଦେଖେ, ଏକ ଅଲଗା ସମ୍ବନ୍ଧର ସ୍ଵପ୍ନ ଦେଖେ । ସିଏ ଏହି ପୁରୁଣା ସଂସାରରେ ଗୋଟାସୁଦ୍ଧା ବାରି ହୋଇଯାଏ, ଅସୁରସଭାରେ ଗୋଠଖଣ୍ଡିଆ ହୋଇ ରହିଥାଏ ଓ ଏକ ଅନ୍ୟ ଗୋଠର, ଅନ୍ୟ ଆତ୍ମୀୟତାର ସ୍ଵପ୍ନ ଦେଖୁଥାଏ । ସିଏ ମଧ୍ୟ କାର୍ଯ୍ୟ କରୁଥାଏ । ସିଏ ଭଗବାନଙ୍କର କାର୍ଯ୍ୟ କରୁଥାଏ ।

 

ଫେବୃଆରୀ ୦୧, ୧୯୯୦

Image

 

ହୃଦୟର ସହିତ ପଢ଼

 

Read with your heart and you will understand.

-ମାତୃରଚନାବଳୀ (ଇଂରାଜୀ), ଶତବାର୍ଷିକୀ ସଂସ୍କରଣ, ୧୪ଶ ଖଣ୍ଡ,

୧୯୮୦, ପୃଷ୍ଠା-୩୭୫

 

ହୃଦୟର ସହିତ ପଢ଼ିବା ହେଉଛି ଅଙ୍ଗୀକାରବଦ୍ଧ ହୋଇ ପଢ଼ିବା, ଏକ ସମର୍ପିତ ଚେତନାକୁ ସବାଆଗରେ ରଖି ପଢ଼ିବା । ଯେଉଁମାନେ ଏକ ସମର୍ପିତ ଚେତନାକୁ ସବାଆଗରେ ରଖି ଜୀବନ ବଞ୍ଚିବାର ଆଗ୍ରହ ରଖିଥାନ୍ତି, କେବଳ ସେହିମାନେ ହୃଦୟର ସହିତ ପଢ଼ିପାରନ୍ତି । ହଁ, ଅନ୍ୟମାନେ ମଧ୍ୟ ପଢ଼ନ୍ତି, ସେମାନେ ପଣ୍ଡିତ ହୁଅନ୍ତି, ସଭାମାନଙ୍କରେ ଭାଷଣ ଗାଳନ୍ତି, ଅନ୍ୟମାନଙ୍କୁ ଯୁକ୍ତିରେ ପରାସ୍ତ କରି ନିଜର ଗୁରୁଙ୍କୁ ସବାବଡ଼ ଗୁରୁ ବୋଲି ପ୍ରମାଣିତ କରିଦେବେ ବୋଲି ପଢ଼ିଥିବା କଥାଗୁଡ଼ିକୁ ଖାତାରେ ଟିପି ରଖିଥାନ୍ତି । ଅନେକ ସମୟରେ ଜିଭ ଆଗରେବି ରଖିଥାନ୍ତି । ସେମାନେ ବୁଝିପାରନ୍ତି ନାହିଁ । ଯିଏ କେବଳ ତାଙ୍କୁହିଁ ଖୋଜୁଥାଏ, ଆପଣାର ଭେଟ ପାଉଥିବା ସଙ୍ଗେସଙ୍ଗେ ଯିଏ ସତେଅବା ତାଙ୍କରି ଭେଟ ପାଇ ଯାଉଥିବା ପରି ଅନୁଭବ କରୁଥାଏ, କେବଳ ସେଇ ବୁଝେ ।

 

ହୃଦୟଟିଏ ଥିଲେ ସିନା ଆମେ ହୃଦୟର ସହିତ ପଢ଼ି ପାରିବା ! ଅନେକ ବ୍ୟକ୍ତିଙ୍କର ହୃଦୟ ନଥାଏ, କେବଳ ଉତ୍ତେଜନାଗୁଡ଼ାକ ରହିଥାଏ । ଉତ୍ତେଜନା ଭିତରେ ଅହଂକାର ପୂରି ରହିଥାଏ । ମୁଇଁ ପ୍ରକୃତ ବାଟଟିକୁ ପାଇଛି-ଏହିପରି ଏକ ଭାବପ୍ରବଣତାକୁ ସେମାନେ ଏକ ଉତ୍ତେଜିତ ମୁହଁ ଉପରେ ସତେଅବା ନିଶ କରି ପିନ୍ଧିଥାନ୍ତି, ପ୍ରଚାର କରୁଥାନ୍ତି । ଏମିତିଆ ପ୍ରଚାର ପୃଥିବୀରେ କ’ଣ କମ୍ ଚାଲିଛି ? ସେହି ପ୍ରଚାରଦ୍ଵାରା ବେଳେବେଳେ ଭଗବାନଙ୍କର କାନ ବଧିରା ହୋଇଯାଉଛି ଓ ସିଏ ଥକା ହୋଇ ଆମ ଆଗରେ ମୂର୍ତ୍ତିଟିଏ ହୋଇ ବସି ଯାଉଛନ୍ତି ସିନା, ମାତ୍ର ତାଙ୍କୁ ଡାକି ଆଣିବାପାଇଁ ଆମର ଦୁଆରଗୁଡ଼ିକ ମୋଟେ ଖୋଲି ପାରୁନାହିଁ । ଅସଲ ଦୁଆରଟିକୁ ଖୋଲିବୁ ନାହିଁ ବୋଲି ସତେଅବା ପଣ କରି ଆମେ ମନ୍ଦିରଗୁଡ଼ାକର ଦ୍ଵାରକୁ ଚଉଷଠି ଉପଚାରରେ ଖୋଲି ରଖିଛୁ । ସେଠି ପଚିଶ ପର୍ବର ବରାଦ କରିଛୁ ।

 

ଆମେ ହୃଦୟର ସହିତ ପଢ଼ିବା, ତେବେଯାଇ ବୁଝିବା । ଯାହାକିଛି ପଢ଼ିଲୁ, ତାହାରି ମାଧ୍ୟମରେ ଆମେ ତାଙ୍କୁ ମଧ୍ୟ ବୁଝିବା; ତାଙ୍କୁ ବୁଝୁଥିବା ସଙ୍ଗେସଙ୍ଗେ ନିଜକୁ ମଧ୍ୟ ବୁଝିବା । ନିଜକୁ ସିଏ ସତକୁସତ ବୁଝେ, ସିଏ ସମର୍ପଣ ବ୍ୟତୀତ, କୃତଜ୍ଞତାଜ୍ଞାପନ ବ୍ୟତୀତ ଏହି ପୃଥିବୀରେ ପ୍ରକୃତରେ ଆଉ କୌଣସି ଧର୍ମ ଅଛି ବୋଲି ମୋଟେ ଅନୁଭବ କରିପାରେ ନାହିଁ । ସମର୍ପିତ ମଣିଷ କୌଣସି କୋଳାହଳ କରେ ନାହିଁ । ସିଏ ଜୀବନଟିଏ ବଞ୍ଚେ, ସେହି ବଞ୍ଚିବାର ମାଧ୍ୟମରେ ଯାବତୀୟ ସଂକ୍ରମଣକୁ ସମ୍ଭବ କରିପାରେ । ସେଇ ଅସଲ ପ୍ରେରଣା ଦିଏ, ଦୀକ୍ଷିତ କରିଆଣେ । ସାରା ପୃଥିବୀଟାକୁ ସେଇ କିଣି ଆଣିପାରେ, ସେ ସବୁ ବୁଝିଥାଏ, ସେ ଯଥାର୍ଥରେ ପଢ଼ିଥାଏ ।

 

ମାର୍ଚ୍ଚ ୦୧, ୧୯୯୦

Image

 

ନିମିତ୍ତ କିଏ ହେବ ?

 

ଯିଏ ନିମିତ୍ତ ହେବ, ସିଏ ପ୍ରତିଯୋଗିତା କରିବ ନାହିଁ । ଆମ ଭିତରର ଯେଉଁ ଅହଂଟାହିଁ ଆମର ଅସଲ ବାଟଗୁଡ଼ିକୁ ଓଗାଳି ରହିଛି, ସେଇ ସବୁବେଳେ ଅନ୍ୟମାନଙ୍କ ଆଡ଼କୁ ଅନାଉଥାଏ, ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରି ଦେଖୁଥାଏ ଓ ତେଣୁ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କରିବାରେ ଲାଗିଥାଏ । ଭେକରେ ପ୍ରତିଯୋଗିତା ହୁଏ, ନିଷ୍ଠାରେ ପ୍ରତିଯୋଗିତା ହୁଏ । ପ୍ରଦର୍ଶନ ଏବଂ କୋଳାହଳଗୁଡ଼ାକ ଆଡ଼କୁ ସେତେବେଳେ ଭାରି ମନ ରହିଥାଏ । ପ୍ରକୃତରେ ନିମିତ୍ତ ହେବାର ଯେତେ ଅନୁରାଗ ନଥାଏ, ମୁଁ ନିମିତ୍ତ ହେଲି ବୋଲି ସମସ୍ତେ ଦେଖନ୍ତୁ ଓ ସେହି କଥାଟିକୁ ସ୍ଵୀକାରବି କରନ୍ତୁ, ତା’ଠାରୁ ଅଧିକ ପରିମାଣରେ ସେହିଭଳି ଏକ ଅଭିମାନ ରହିଥାଏ ।

 

ଅଭିମାନର ବାଟ ଏକାବେଳେକେ ଅଲଗା । ଅନେକେ ଜ୍ଞାନରେ ଅଭିମାନୀ ହୁଅନ୍ତି, କାର୍ଯ୍ୟରେ ଅଭିମାନୀ ହୁଅନ୍ତି, ଅନ୍ୟ ସମସ୍ତଙ୍କୁ ବଞ୍ଚିତ କରି ଆଗ ଉତ୍ତାନପାଦଙ୍କର କୋଳରେ ଯାଇ ବସିବେ ବୋଲି ଅଭିମାନୀ ହୁଅନ୍ତି । ଅଭିମାନୀମାନେହିଁ ଗେହ୍ଲା ହୁଅନ୍ତି, ଅଥବା ଗେହ୍ଲା ହେବାକୁ ମନ କରୁଥିବା ମଣିଷମାନେହିଁ ଅଭିମାନୀ ହୁଅନ୍ତି । ଭଗବାନଙ୍କୁ ନେଇ ଯୁଗେଯୁଗେ ଅଭିମାନୀମାନଙ୍କର ଏହିପରି ବଜାରମାନ ବସି ଆସିଛି । ଏବଂ ତାହାକୁହିଁ ଭକ୍ତମାନଙ୍କର ଲୀଳା ବୋଲି କେତେ ଆଳଙ୍କାରିତା ଲଗାଇ କହିବାକୁ ଚେଷ୍ଟା କରାଯାଇଛି ।

 

ନିମିତ୍ତ ହୋଇଥିବାର ଅସଲ ପ୍ରତ୍ୟୟଟି ନିଜ ଭିତରୁ ମିଳେ । ନିମିତ୍ତ ହେଲେ ଅଲଗା ହୋଇ ଯେ କୌଣସି ଶିଙ୍ଗ କଅଁଳେ କିମ୍ବା କୌଣସି ନୂଆ ଚାନ୍ଦୁଆ ଟଙ୍ଗାହୁଏ, ସେ କଥା ଆଦୌ ନୁହେଁ । ଭିତରେ ସମ୍ମତ ହେଲେ ମଣିଷ ନିମିତ୍ତ ହୁଏ । ନିମିତ୍ତ ହୋଇହିଁ ପ୍ରତ୍ୟେକ ବ୍ୟକ୍ତି ଏହି ସଂସାରକୁ ଆସିଥାନ୍ତି, ମାତ୍ର ଯଥାର୍ଥରେ ସମ୍ମତ ହୋଇ ନ ପାରିଲା ପର୍ଯ୍ୟନ୍ତ ନିମିତ୍ତ ହୋଇଥିବାର ଅନୁଭୂତିଟି ସମ୍ଭବ ହୁଏନାହିଁ । ସନ୍ତାନ ହୋଇ ସମସ୍ତେ ସଂସାରକୁ ଆସନ୍ତି, ମାତ୍ର ସନ୍ତାନ ହୋଇ ରହିବାର ସମ୍ମତିଟିକୁ ଦେଇ ନ ପାରିବା ପର୍ଯ୍ୟନ୍ତ ନିଜକୁ ସେହି ସନ୍ତାନତ୍ଵର ଏକ ସନ୍ତକ ବୋଲି ମୋଟେ ଅନୁଭବ କରିହୁଏ ନାହିଁ । ସନ୍ତକଟିର ଅନୁଭବଟି ମିଳିଗଲେ ମଣିଷ ଏକାବେଳେକେ ଚୁପ୍ ହୋଇଯାଏ । ପୂର୍ଣ୍ଣ ପ୍ରସନ୍ନ ହୋଇ ରହିଥାଏ,-ସିଏ ପ୍ରକୃତରେ ପ୍ରସନ୍ନ ଏବଂ ପ୍ରସ୍ତୁତ ହୋଇ ରହିଛି କି ନାହିଁ, ଅନ୍ୟମାନଙ୍କର ତରାଜୁ ପକାଇ ସିଏ କଦାପି ଡଉଲିବାକୁ ଯାଏନାହିଁ । ଆପଣାର ଭିତରୁହିଁ ସିଏ ପ୍ରମାଣଟିକୁ ପାଇଯାଏ । ସିଏ ଦଶଗୁଣ ଅଧିକ କାର୍ଯ୍ୟ ଲାଗି ପ୍ରସ୍ତୁତ ହୋଇଯାଏ, ଦଶଗୁଣ ଅଧିକ ହାଲୁକା ଅନୁଭବ କରେ; ଏହି ସକାଳ, ସଞ୍ଜ, ଆଲୋକ ଓ ଆକାଶଠାରୁ ଆରମ୍ଭ କରି ତାକୁ ବେଷ୍ଟନ କରି ଆତଯାତ ହେଉଥିବା ମଣିଷମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାକୁ ସତେଅବା ବାଟ ଚାଲୁଥିବା ପରି ମନେ ହୁଅନ୍ତି, ସହଯାତ୍ରୀ ପରି ମନେ ହୁଅନ୍ତି । ସେଇଥିରୁହିଁ ସିଏ ତା’ ଜୀବନର ଅସଲ ଖୁସିଟିକୁ ପାଇଯାଏ । ଏହି ଖୁସିହିଁ ତା’ ଜୀବନର ଅସଲ ଉଚ୍ଚାଟକ ଓ ପ୍ରେରକ ହୋଇ ରହିଥାଏ ।

 

ଏପ୍ରିଲ ୦୧, ୧୯୯୦

Image

 

ଉତ୍ତରଣ ଅର୍ଥାତ୍ ସମ୍ପ୍ରସାରଣ

 

ଶ୍ରୀଅରବିନ୍ଦ ଉତ୍ତରଣର କଥା କହିଛନ୍ତି । ଉତ୍ତରଣ ଅର୍ଥାତ୍ ଆରୋହଣ । ଏବଂ ଆରୋହଣ ଅର୍ଥାତ୍ ଉପରକୁ ଉଠିଯିବା । ମାତ୍ର ଉପରକୁ ଉଠିଯିବାର ଅର୍ଥ ସମସ୍ତଙ୍କଠାରୁ ଅଲଗାହୋଇ ରହିବା ମୋଟେ ନୁହେଁ, ଉପରକୁ ଉଠିଯିବାର ଅର୍ଥ ହେଉଛି, ଅଧିକରୁ ଅଧିକ ଗଭୀରକୁ ଯିବା, ଭିତରକୁ ପ୍ରବେଶ କରିବା, ବିଶ୍ଵଜୀବନ ସହିତ ଲାଗିଥିବା ଆମର ଡୋର ଅର୍ଥାତ୍ ସମ୍ବନ୍ଧଗୁଡ଼ିକୁ ନିୟତ ଅଧିକରୁ ଅଧିକ ନିବିଡ଼ ଏବଂ ଅନ୍ତରଙ୍ଗ କରିବାରେ ଲାଗିଥିବା । ସେହି ଡୋରଟି ହେଉଛି ସତକୁସତ ଭଗବାନ, ସେହି ସମ୍ବନ୍ଧ ହେଉଛି ପ୍ରକୃତରେ ସକଳ ଉନ୍ମୋଚନର ସୁନିଶ୍ଚିତ ପଥ ।

 

ଶ୍ରୀଅରବିନ୍ଦ ବିବର୍ତ୍ତନକୁ ସବାମୂଳ ସୂତ୍ରରୂପେ ଗ୍ରହଣ କରିଛନ୍ତି । ବିବର୍ତ୍ତନର ପ୍ରକ୍ରିୟାଟିକୁ ସେ ଏକ ଆଧ୍ୟାତ୍ମିକ ଭୂମି ଉପରେ ଆଣି ପ୍ରତିଷ୍ଠିତ କରିଛନ୍ତି । ବିବର୍ତ୍ତନବାଦର ତଥାକଥିତ ଖାରା ବୈଜ୍ଞାନିକ ସୂତ୍ରଗୁଡ଼ିକ ମୋଟେ କୌଣସି ସମ୍ପ୍ରସାରଣର କଥା କହି ନଥିଲେ । ସେମାନେ ତ ବୀରହିଁ ବସୁନ୍ଧରାକୁ ଭୋଗ କରିବା ବୋଲି କହି ଆମକୁ ପ୍ରାୟ ଦେଢ଼ଶହ ବର୍ଷକାଳ ସେତିକି ଭିତରେ ରଖିଲେ, ପୃଥିବୀକୁ ବହୁ ପ୍ରମାଦ ଭିତରେ ଆଣି ପକାଇଲେ । ପୃଥିବୀରେ ଆମେ ଏବେ ମଧ୍ୟ ସେହି ପ୍ରମାଦଗୁଡ଼ିକୁ ଭୋଗ କରୁଛୁ । ପୃଥିବୀରେ କ୍ଷମତା ବଢ଼ୁଛି, ଡୋରଗୁଡ଼ିକ କଟିଯାଉଛି । ସାମ୍ରାଜ୍ୟମାନେ ବଢ଼ୁଛନ୍ତି, ଆଦର୍ଶବାଦ ନାମରେ ସ୍ଵାର୍ଥଗୁଡ଼ାକ ପୃଥିବୀର ଭାଗ୍ୟ ଉପରେ ସତେଅବା ମାରଣା ଷଣ୍ଢ ପରି ଦଉଡ଼ିବାରେ ଲାଗିଛନ୍ତି । ମାତ୍ର ମଣିଷର ପାଦତଳେ ରହିଥିବା ମାଟି ଅରାକ ଖସି ଖସି ଯାଉଛି । ସମସ୍ତେ ପ୍ରତିଯୋଗିତା କରି ସବାଉପରେ ଯାଇ ବସିବାକୁ ଓ ବସୁନ୍ଧରାକୁ ଭୋଗ କରିବାକୁ ତମତମ ହୋଇ ବାହାରିଛନ୍ତି । ପୃଥିବୀରେ ମଣିଷର ଭିତରେ ଓ ବାହାରେ ଭୟ ବଢ଼ିବାରେ ଲାଗିଛି । ଆମେ ଯଦି ସତକୁସତ ଭଗବାନଙ୍କର ବାଟରେ ଥାଆନ୍ତେ, ତେବେ ଏଠି ଭୟ ଆମକୁ ଏଭଳି କାବୁ କରି ରଖିଥାନ୍ତା କିପରି ?

 

ତେଣୁ, ଉତ୍ତରଣର ଅସଲ ଅର୍ଥ ହେଉଛି, ସମ୍ପ୍ରସାରିତ ହୋଇଯିବା । ଭାବରେ ସମ୍ପ୍ରସାରିତ ହୋଇଯିବା, ଶ୍ରଦ୍ଧାରେ ସମ୍ପ୍ରସାରିତ ହୋଇଯିବା । ପରସ୍ପରକୁ ଗୋଟାଏ ଗୋଟାଏ ଆତ୍ମକାମୀ ଅସୁର ପରି ନଦେଖି ସମସ୍ତଙ୍କୁ ଏକତ୍ର ବାନ୍ଧି ରଖିଥିବା ଡୋରଟିକୁ ଅନୁଭବ କରିବା ଏବଂ ସେହି ଅନୁଭବର ନିର୍ଦ୍ଦେଶ ଅନୁସାରେ ଆମ ସମ୍ବନ୍ଧଗୁଡ଼ିକୁ ମଧ୍ୟ ବଦଳାଇଦେବା । ଆମର ପାଠଚକ୍ରଗୁଡ଼ିକ ଆମକୁ ସେହି ସମ୍ପ୍ରସାରିତ ହୋଇଯିବାରେହିଁ ସବୁଠାରୁ ଅଧିକ ସାହାଯ୍ୟ କରିବ । ଆମକୁ ପରସ୍ପର ଠାରୁ ଅଲଗା କରି ଦେବନାହିଁ, ଆମକୁ ଏକାଠି ବାନ୍ଧି ରଖିବ । ଆମର ଶତ ଅପୂର୍ଣ୍ଣତା ସତ୍ତ୍ୱେ ଆମକୁ ଡୋରରେ ବାନ୍ଧି ରଖିଥିବ । ତେବେ ଯାଇହିଁ ଆମେ ଆମ ଭିତରର ତଥା ବାହାରର ବାଧା ଓ ବାଡ଼ଗୁଡ଼ିକୁ ଡେଇଁଯାଇ ପାରିବା, ଉତ୍ତୋଳିତ ହୋଇଯିବା ।

 

ଫେବୃଆରୀ ୧୫, ୧୯୯୦

Image

 

ଆମ ସମ୍ମିଳନୀମାନ କାହିଁକି ?

 

ଇଂଲଣ୍ଡର ଜଣେ ବିଖ୍ୟାତ ବିଚାରବିଚ୍ ତାଙ୍କର ଗୋଟିଏ ପୁସ୍ତକରେ ଧର୍ମର ସଂଜ୍ଞାନିରୂପଣ କରିବାକୁ ଯାଇ “Religion is what a man does in his solitariness’ ବୋଲି କହିଥିଲେ । ମଣିଷ ତା’ର ଏକାନ୍ତରେ ଯାହାକିଛି କରେ, ତାହାହିଁ ଧର୍ମ । ପାଶ୍ଚାତ୍ୟ ପରମ୍ପରାରେ ଯେଉଁସବୁ ପରିଧି ଓ ପରିଚାର ଭିତରେ ଧର୍ମର ଉଦ୍ଭବ ହୋଇ ଆସିଛି, ତାହାରି ପୃଷ୍ଠଭୂମିରେ ବିଚାର କରି ଦେଖିଲେ ଶ୍ରୀଯୁକ୍ତ ହ୍ଵାଇଟ୍‌ହେଡ଼୍‌ଙ୍କର ଉକ୍ତ ସଂଜ୍ଞାଟି ହୁଏତ ଆଦୌ ଅସଙ୍ଗତ ବୋଲି ଲାଗିବ ନାହିଁ । ପାଶ୍ଚାତ୍ୟ ଜଗତରେ ରାଷ୍ଟ୍ର ସମସ୍ତଙ୍କର, ରାଷ୍ଟ୍ରର ବ୍ୟବସ୍ଥା ସମସ୍ତଙ୍କର, ରାଜ୍ୟର ଧନ ମଧ୍ୟ ସମସ୍ତଙ୍କର; ମାତ୍ର ଭଗବାନଙ୍କର ସହିତ ସମ୍ପର୍କର କ୍ଷେତ୍ରରେ ପ୍ରତ୍ୟେକ ମଣିଷ କ’ଣ କରିବ, ବା ନକରିବ, ସିଏ ହେଉଛି ତା’ର ନିଜର ଏକ ବ୍ୟାପାର । ସେଠି ସେ ଏକାକୀ, ଏକାନ୍ତ । ସେଠି କାହାରି କିଛି କହିବାର ନାହିଁ ।

 

ଆମ ପ୍ରାଚ୍ୟରେ ଧର୍ମ କହିଲେ ସ୍ଵତନ୍ତ୍ର ଏକ ଅନ୍ୟ ସମ୍ବନ୍ଧ ଓ ଅନ୍ୟ ପରମ୍ପରାକୁ ବୁଝାଇ ଆସିଥିଲେ ମଧ୍ୟ ଏବେ ଆମେବି କ୍ରମେ ତା’ର ସେହି ଏକାନ୍ତତାବାଦୀ ବ୍ୟାଖ୍ୟାରେ ବେଶ୍ ମଣ ହୋଇ ଆସୁଥିବା ପରି ମନେ ହେଉଛି । ଭାରତବର୍ଷରେ ଧର୍ମ ଓ ଧର୍ମାଚାର କହିଲେ ଆଜିକାଲି ମୁଖ୍ୟତଃ ଆପଣାର କୌଣସି ମନାସ ପୂରଣ ସକାଶେ ଭଗବାନକୁ ଏକାନ୍ତଙ୍କୁ ଡାକିନେଇ ତାଙ୍କୁ ସେଇଠି ସେହି ବିଷୟରେ ଜଣାଇବା ଓ ସିଏ ଯେପରି ମୋ’ କଥାକୁ ନିଶ୍ଚୟ ମନେରଖିବେ, ସେଥିପାଇଁ ତାଙ୍କୁ ଆପଣାଆଡ଼ୁ କିଛି ଭୋଗରାଗ ବା ସଲାମୀ ଦେଇ ଆପଣାର ବରପ୍ରାପ୍ତିଟିକୁ ସଲାମତ କରି ରଖିବାକୁହିଁ ବୁଝାଇବାକୁ ଆରମ୍ଭ କଲାଣି । ଆମର ଏହି ଧନ୍ଦା ଭିତରେ ଯଜ୍ଞ ରହିଛି, ଜୟନ୍ତୀ ରହିଛି, ପାରାୟଣ ରହିଛି, ସଂକୀର୍ତ୍ତନ ରହିଛି; ଫୁଲ କିଣି, ଘିଅଦୀପ କିଣି, ଭୋଗ କିଣି ପୂଜକ ହାତରେ ଧରାଇ ଦେଇ ପୁଣି ଭୋଗ ହାତରେ ଘରକୁ ଫେରିବା ପର୍ଯ୍ୟନ୍ତ ସବୁଯାକ ମିହନତ ସାମିଲ ହୋଇ ରହିଛି । ଆମରି ଓଡ଼ିଶାରେ ମଧ୍ୟ ଗତ ପ୍ରାୟ ଗୋଟାଏ କୋଡ଼ିଏ ବର୍ଷ ଭିତରେ ସହରମାନଙ୍କରେ ରାମ, କୃଷ୍ଣ, ହନୁମାନ, ମହାବୀର, ଗୌରାଙ୍ଗ ଏବଂ ଗୌତମଙ୍କୁ ନେଇ କେତେ ଧର୍ମସଂସ୍ଥା ଓ ପରିଷଦ ଗଢ଼ାହୋଇଛି; ଏଗୁଡ଼ାକୁ ସାଂସ୍କୃତିକ ସଂସ୍ଥା ବୋଲି କୁହାଯାଉଛି, ମାତ୍ର ଏମାନଙ୍କ ଜରିଆରେ କେବଳ ବ୍ୟକ୍ତିଗତ ବରଗୁଡ଼ାକ ମଗାଯାଉଛି । ବ୍ୟକ୍ତିକୁ ଛାଡ଼ି ସଂସ୍କୃତି ଯେ ହୋଇପାରେ ନାହିଁ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ; ମାତ୍ର ଯେତେବେଳେ ଧର୍ମ ନାମରେ ଭଗବାନଙ୍କୁ ଏକୁଟିଆ ଡାକି ଏକୁଟିଆ ଭୋଗ ଲଗାଇ ଏକୁଟିଆ ଭୋଗ ଖାଇବାର ଫିକର କରାଯାଏ ଅର୍ଥାତ୍ ଅନ୍ୟ ବ୍ୟକ୍ତିଙ୍କୁ ବାଦ୍ ଦେଇ ଜଣେ ବ୍ୟକ୍ତି କେବଳ ଆପଣାଲାଗି ଗୋଟାଏ କିଛି କରି ପକାଇବ ବୋଲି ବସେ, ସେତେବେଳେ ଧର୍ମର ସାଂସ୍କୃତିକ ଭାଗଟି ବିଲୁପ୍ତ ହୋଇଯାଏ ଏବଂ ତା’ପରେ ଧର୍ମ ଆଦୌ ଧର୍ମ ହୋଇ ରହେ କି ନାହିଁ, ସେ ବିଷୟରେ ମଧ୍ୟ ସନ୍ଦେହ ଉତ୍ପନ୍ନ ହେବାକୁ ଆରମ୍ଭ କରେ ।

 

ମାତ୍ର, ଯେତେବେଳେ ଅନ୍ୟ ପକ୍ଷରେ ମଣିଷ ଏକୁଟିଆ ବିରକ୍ତ ବା ବିହ୍ଵଳ ହୋଇ ଭଗବାନଙ୍କ ପାଖକୁ ପଳାଇ ନଯାଇ ଭଗବାନଙ୍କୁ ତା’ର ଏହି ଘରଟି ମଧ୍ୟକୁ ଡାକି ଆଣିବା ସକାଶେ ଶ୍ରଦ୍ଧା ରଖିବାକୁ ଆରମ୍ଭ କରେ, ଏଠି ଯେଉଁ ଘରେ ସିଏ ଅନ୍ୟ ସମସ୍ତଙ୍କ ସହିତ ଏକାଠି ତା’ର ଜୀବନଟିକୁ ନେଇ ବଞ୍ଚୁଛି, ଯେତେବେଳେ ତା’ର ଧର୍ମକୁ ସେ ସେହି ଘରଟି ମଧ୍ୟରେହିଁ ବଞ୍ଚିବାକୁ ଚାହେଁ–ଯେତେବେଳେ ସେ ବାଡ଼ି ଉଠାଇ ଦିଏ ଓ ଘରଟି ମଧ୍ୟକୁ ଭଗବାନଙ୍କ ସହିତ ସମଗ୍ର ବିଶ୍ଵକୁ ମଧ୍ୟ ଡାକି ଆଣିବାକୁ ମନ କରେ, ସେତେବେଳେ ଧର୍ମ ବା ଅଧ୍ୟାତ୍ମ ଅନ୍ୟ ପ୍ରକାରର ହୋଇଯାଏ । ରୀତି ବଦଳିଯାଏ, ଆଭିମୁଖ୍ୟ ବଦଳିଯାଏ । ଆକାଂକ୍ଷାଗୁଡ଼ାକ ମଧ୍ୟ ବଦଳିଯାଏ । ସେତେବେଳେ ଫଳ ଏଇଠି ଫଳେ, ଉପଲବ୍ଧିର ସମସ୍ତ ଖୁସି ଏଇଠି ସମ୍ବନ୍ଧ ଓ ସାନ୍ନିଧ୍ୟର ବିବିଧ ଫୁଲ ହୋଇ ଫୁଟି ଉଠନ୍ତି, ଏଇଠି ସ୍ଵର୍ଗ ମିଳେ, ନରସହିତ ନାରାୟଣଙ୍କର ଭେଟ ହୁଏ, ନର ମଧ୍ୟରେ ନାରାୟଣଙ୍କର ଭେଟ ହୁଏ । ଶ୍ରୀଅରବିନ୍ଦ ତାଙ୍କର ଉପନିଷଦବ୍ୟାଖ୍ୟାରେ ଲେଖିଛନ୍ତି ଯେ, ଯେଉଁ ବ୍ୟକ୍ତି ପ୍ରକୃତରେ ଭଗବାନ ସର୍ବତ୍ର ରହିଛନ୍ତି ବୋଲି ଅନୁଭବ କରି ପାରିଛି, ସିଏ ତାଙ୍କୁ କେବଳ ଅମୁକ ମୂର୍ତ୍ତିରେ ବା ଅମୁକ ପୀଠରେ ଦେଖିବନାହିଁ, ସିଏ ତାଙ୍କୁ ପ୍ରକୃତରେ ସବୁଠାରେ ଦେଖିବ, ରାସ୍ତାରେ ବଙ୍କୁଲି ବାଡ଼ିଟିଏ ଧରି ଯାଉଥିବା ବୁଢ଼ାଟି ଭିତରେ ତାଙ୍କୁ ଯେପରି ଦେଖିବ, ଗଇଁତି ଧରି ରାସ୍ତା ତିଆରି କରୁଥିବା ମୂଲିଆ ଭିତରେ ସେହିପରି ଦେଖିବ । ଅର୍ଥାତ୍ ଆମେ ଭଗବାନଙ୍କର ଯେତିକି ପାଖ ହେଉଥିବା, ସିଏ ଆମକୁ ସେତିକି ପାଖରେ ଦିଶୁଥିବେ, ସେତିକି ସର୍ବବ୍ୟାପୀ ହୋଇ ଦିଶୁଥିବେ, ଆମକୁ ଆମ ଜୀବନର ସାନ ବଡ଼ ସକଳ ଅବସରରେ ଅନୁଭୂତ ହେବେ ।

 

ଆମର ଭଗବତ୍ ଉପଲବ୍ଧି ଆମ ଜୀବନ ଭିତରେ ଫୁଟି ଉଠିବ, ଶ୍ରୀଅରବିନ୍ଦ ଏହି ବିଶେଷ ସତ୍ୟଟିକୁ ଆମକୁ ସ୍ମରଣ କରାଇ ଦେବାକୁ ଆସିଥିଲେ । ଭାରତୀୟ ଧର୍ମଧାରା କାଳକାଳରୁ ଅତିମାତ୍ରରେ ପରଲୋକମୁଖୀ ହୋଇ ରହିଥିଲା, ସିଏ ତାକୁ ଜୀବନମୁଖୀ କରାଇ ଆଣିବାର ଆହ୍ଵାନ ଦେଇଥିଲେ । ଜୀବନରୁ ଧର୍ମକୁ ଅଲଗା କରି ରଖିବାଫଳରେ ଜୀବନଟା ସତେଅବା ବଡ଼ ମର୍ମହୀନ ଓ ପଥରପରି ହୋଇ ରହିଥିଲା । ବୈରାଗ୍ୟକୁହିଁ ଭୂଷଣ ବୋଲି ଘୋଷଣା କରାଯାଉଥିଲା । ଶ୍ରୀ ଅରବିନ୍ଦ ଯାବତୀୟ ଦିବ୍ୟତା ଓ ଯାବତୀୟ ଭଗବତ୍ତାକୁ ଏଇଠାକୁ ଆବାହନ କରି ଆଣିଲେ ଓ ଜୀବନକୁ ତାହାରି ରଙ୍ଗରେ ଉକୁଟାଇ ଦେବାକୁ ଆହ୍ଵାନ ଦେଲେ । ଅର୍ଥାତ୍ ଆଧ୍ୟାତ୍ମିକତା ଯେ ଆମକୁ ବାଦ୍ ଦେଇ ଆମ ମଥା ଉପରେ ସୁନା ମୁକୁଟ ହୋଇ ଝୁଲୁଥିବା ଆଉ ଗୋଟାଏ ସ୍ଵତନ୍ତ୍ର ପଦାର୍ଥ ନୁହେଁ, ଆଧ୍ୟାତ୍ମିକତାକୁ ଯେ ଆମର ଦେହ, ପ୍ରାଣ, ମନ, ସମାଜ ଓ ସମ୍ବନ୍ଧର ଏହି ଯାବତୀୟ ଭୂମିରେ ପ୍ରକଟ ହୋଇ ଆସିବାକୁ ପଡ଼ିବ, ଶ୍ରୀଅରବିନ୍ଦ ଆମକୁ ଏହିପରି ଏକ ନୂତନ ଧାରାରେ ଭାବିବାକୁ ଶିଖାଇଲେ, ଆମ ପରମ୍ପରାର ଏକ ବିସ୍ତୃତ ପଥକୁ ସେ ପୁନର୍ବାର ଉଦ୍‌ଘାଟିତ କରି ଆଣିଲେ ।

 

ଆମ ଭିତରେ ସେହି ଅଭିନବ ପ୍ରେରଣାଟିକୁ ଭେଦାଇ ଆଣିବା ଦିଗରେ ଆମ ସମ୍ମିଳନୀଗୁଡ଼ିକ ଏକ ପ୍ରୟାସ । ଆମର ଯାବତୀୟ କର୍ମ ଓ ଯାବତୀୟ ସମ୍ବନ୍ଧରେ କିପରି ସେହି ଭଗବତ୍ ପ୍ରେରଣାହିଁ ସର୍ବମୂଳ ପ୍ରେରଣା ହୋଇ ରହିପାରିବ ଓ ତାହାଫଳରେ ତାହା ଆମର ସମଗ୍ର ଜୀବନଟିକୁ ମଧ୍ୟ ଏକ ନୂତନ ଆଖି ଓ ନୂତନ ରଙ୍ଗ ପ୍ରଦାନ କରିବ, ଏହି ସତ୍ୟଟିକୁ ଆମର ଆହୁରି ପାଖକୁ ବହନ କରି ଆଣିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ । ଆଜି ଏହି ସମ୍ମିଳନୀର ସର୍ବଶେଷ ଦିନ । ଏହା ଭିତରେ ତିନିଦିନ ଆଲୋଚନା ହୋଇଛି, ଭାବ ଓ ବିଚାରର କେତେ ଆଦାନପ୍ରଦାନ ମଧ୍ୟ ହୋଇଛି । ଆମେ ସମସ୍ତେ ବର୍ତ୍ତମାନର ପୁରୁଣାଗୁଡ଼ାକର ପରିବର୍ତ୍ତେ ଯେଉଁ ନୂତନ ଜଗତଟି ଆଡ଼କୁ ମୁହଁ କରି ଠିଆ ହୋଇଛେଁ, ଯେଉଁ ନୂଆଟି ଲାଗି ଆମେ ଏପରି ବ୍ୟାକୁଳ ହେବାକୁ ଆରମ୍ଭ କଲେଣି, ସେହି ନୂଆ ଜଗତ ଓ ନୂଆ ସମାଜ କିପରି ହେବ, ସେଥିରେ ବ୍ୟକ୍ତି ସହିତ ସମାଜର କିଭଳି ସମ୍ପର୍କ ରହିବ, ବାଣିଜ୍ୟ କିପରି ହେବ, କୃଷି କିପରି ହେବ, ରାଜନୀତି ମଣିଷକୁ ମଧ୍ୟ ସାଙ୍ଗରେ ନେବ ବା ଆଜିଭଳି ମଣିଷ ଉପରେ ଘୋଡ଼ା ଚଢ଼ିବାରେ ଲାଗିଥିବ, ଗତ ତିନିଦିନ ମଧ୍ୟରେ ଏହିସବୁ ବିଷୟରେ ନାନା ଆଲୋଚନା ହୋଇ ସାରିଲାଣି । ଆଜି ନୂତନ ଶିକ୍ଷା ବିଷୟରେ ଆଲୋଚନା ହେବ । ସେଥିଲାଗି ଯେଉଁ ନୂତନ ଶିକ୍ଷକ ଦରକାର, ନୂତନ ଦୃଷ୍ଟିସମ୍ପନ୍ନ ଛାତ୍ର ଦରକାର, ନୂତନ ଆଗ୍ରହକୁ ବାଟ ଛାଡ଼ିଦେଇ ପାରୁଥିବା ସମଝଦାର ଅଭିଭାବକ, ସମଝଦାର ସମାଜ ଓ ସମଝଦାର ସରକାର ମଧ୍ୟ ଦରକାର, ସେହି ବିଷୟରେ ଆଲୋଚନା ହେବ । ଏହି ତିନିଦିନଯାକ ପୂର୍ବାହ୍ଣରେ ଶ୍ରୀ ଅରବିନ୍ଦ ଓ ଶ୍ରୀ ମା’ଙ୍କର ଏହି ବିଷୟରେ ଲିଖିତ ବିଭିନ୍ନ ପୁସ୍ତକ ଉପରେ ଅଧ୍ୟାପନା ଓ ଆଲୋଚନା ହୋଇ ସାରିଛି । ଅପରାହ୍ନଗୁଡ଼ିକରେ କର୍ମୀମାନଙ୍କ ମଧ୍ୟରେ ଭବିଷ୍ୟତ୍‍ର କାର୍ଯ୍ୟକ୍ରମ ଓ ବିଶେଷ ପରିକଳ୍ପନାଗୁଡ଼ିକ ବିଷୟରେ ବିଚାରବିମର୍ଷ ମଧ୍ୟ ହୋଇଛି । ଯେଉଁଠି ସମର୍ପିତ ମନ ନେଇ ଅନେକ ବ୍ୟକ୍ତି ଏକତ୍ର ହୁଅନ୍ତି, ଯେଉଁଠି ଅନେକଙ୍କର ଆକାଂକ୍ଷା ଓ କର୍ମଶ୍ରଦ୍ଧା ଏକତ୍ର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ ରୂପାନ୍ତରିତ ହୁଏ, ସେଠାରୁ ଅନେକ ଶକ୍ତି ସମ୍ଭୂତ ହୁଏ, ଓ ତାହା ସମସ୍ତଙ୍କ ଲାଗି କଲ୍ୟାଣକର ହୁଏ, ପୂର୍ବର ଏକାଧିକ ସମ୍ମିଳନୀ ପରି ଏଇଟି ମଧ୍ୟ ତାହାହିଁ ପ୍ରତିପାଦନ କରିବ ।

 

ଆମେ ଏହି ସମ୍ମିଳନୀଟିକୁ କୃତଜ୍ଞତା ଜଣାଉଛୁ । ଓଡ଼ିଶାରେ ଏହିପରି “ପରସ୍ପରାନୁକଥନମ୍” ଅବିରାମ ହୋଇ ରହିଥାଉ ବୋଲି କାମନା କରୁଛୁ । ସଂଘରେ ଯେ ଶକ୍ତି ଅଛି, ସଂଘରେ ଯେ ଧର୍ମ ରହିଛି, ଈଶ୍ଵରଙ୍କର ଚରଣପାତ ରହିଛି, ସମ୍ମିଳନୀର ପ୍ରତିନିଧିମାନେ ସମ୍ମିଳନୀ ଶେଷରେ ଏହି ପ୍ରେରଣାଟି ନେଇ ସଂସାର ଭିତରକୁ ଯାଆନ୍ତୁ । ସହ ବୀର୍ଯ୍ୟଂ କରବାମହୈ ।

 

ଧରିତ୍ରୀ, ଏପ୍ରିଲ ୦୭, ୧୯୭୫

Image

 

ସ୍ପୃହା ଓ ଆସ୍ପୃହାର କଥା

 

ଆମକୁ ଯାହା ଭଲ ଲାଗେ, ତାହାପ୍ରତି ଆମର ସ୍ପୃହା ଜାତ ହୁଏ । କାହାର ଧନକୁ ସ୍ପୃହା ହୁଏ, କାହାର ଯଶକୁ ସ୍ପୃହା ହୁଏ । କିଏ କ୍ଷମତା ଲାଗି ଆକୁଳତା ପ୍ରକାଶ କରେ, ଆଉ କିଏ ସବାଉପରେ ଅର୍ଥାତ୍ ସମସ୍ତଙ୍କ ଉପରେ ଯାଇ ରହିଲେ ସବୁଠାରୁ ସୁନ୍ଦର ଦିଶିବ ବୋଲି ମନେମନେ କେତେ ନା କେତେ ଘାରି ହେଉଥାଏ । ଆମକୁ ଯାହା ଭଲ ଲାଗେ, ତାହା କ’ଣ ପ୍ରକୃତରେ ଭଲ ? ପୃଥିବୀରେ ବିଭିନ୍ନ ମଣିଷଙ୍କୁ ବିଭିନ୍ନ କଥା ଭଲ ଲାଗେ । ଜଣକୁ କୌଣସି ଦ୍ରବ୍ୟ ଭଲ ଲାଗେ ତ ଆଉ ଜଣକୁ ସେଇଟି ଭଲ ନଲାଗି ଆଉ ଅନ୍ୟ କୌଣସି ଦ୍ରବ୍ୟଟିଏ ଭଲ ଲାଗେ । ତେବେ ପୃଥିବୀରେ କ’ଣ ଏପରି କୌଣସି ଦ୍ରବ୍ୟ ବା ସମ୍ପଦ ନାହିଁ, ଯାହାକୁ କି ସତକୁସତ ଭଲ ବୋଲି କୁହାଯାଇପାରିବ ?

 

ଆମ ଅଧିକାଂଶଙ୍କର ସ୍ପୃହାଗୁଡ଼ିକ ଆମ ପିଲାଦିନର ଶିକ୍ଷାଫଳରେ ତିଆରି ହୋଇଥାଏ-। ଆମେ ଯେଉଁ ସମାଜରେ ବାସ କରୁ, ସେହି ସମାଜ ମଧ୍ୟ ଆମର ସ୍ପୃହାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ରଙ୍ଗ ଓ ନିର୍ଦ୍ଦିଷ୍ଟ ଦିଗ ଆଣିଦେବାରେ ଏକ ଶକ୍ତିଶାଳୀ ନିୟାମକରୂପେ କାର୍ଯ୍ୟ କରିଥାଏ । ଆମ ଜୀବନର ତଥାକଥିତ ମୂଲ୍ୟବୋଧଗୁଡ଼ିକ ମଧ୍ୟ ପ୍ରାୟ ସେହି ରୀତିରେ ଆମ ସମାଜରୁହିଁ ସାଉଁଟା ହୋଇ ଆସିଥାଏ । ତଥାକଥିତ ନୀତି ଓ ଅନୀତି, ଭଲ ଓ ମନ୍ଦ, ଉଚିତ ଓ ଅନୁଚିତ,–ଆମ ଜୀବନରେ ଏଗୁଡ଼ିକ ଆମେ ନିଜଲାଗି ଖୋଜି ମୋଟେ ପାଇ ନ ଥାଉ । ଏସବୁ ପରମ୍ପରା ଆମଲାଗି ଖଞ୍ଜା ହୋଇ ରହିଥାଏ । ଅନେକ ସମୟରେ ଆମ ଉପରେ ଆଣି ଲଦି ଦିଆଯାଇଥାଏ-

 

ସ୍ପୃହାର ସୋପାନଠାରୁ ଉଠି ଆସ୍ପୃହାର ସୋପାନକୁ ମନ କରିବା, ଏକଥା କଦାପି ସମସ୍ତଙ୍କ ଜୀବନରେ ଘଟେନାହିଁ । ନିଜର ବାଟଟିଏ ନିଜେ କାଢ଼ି ସେଇଥିରେ ବାଟ ଚାଲିବାକୁ ଆଗ ମନ କଲେ ଯାଇ ମଣିଷ ସ୍ପୃହାରୁ ଆସ୍ପୃହା ମଧ୍ୟକୁ ଉତ୍ତୋଳିତ ହୋଇଯାଏ । ଆମ ଜୀବନ କହିଲେ ଉପରେ ଉପରେ ଯେତିକିକୁ ବୁଝାଉଛି, ତାହା ଆମ ଅସଲ ଜୀବନର ମୋଟେ କିଛି ନୁହେଁ-। ଯାହା ଗଭୀରରେ ରହିଛି, ପ୍ରଚ୍ଛନ୍ନ ହୋଇ ରହିଛି, ଉନ୍ମୋଚନ ଲାଗି ଅପେକ୍ଷା କରି ରହିଛି, ସେଇଟି ହେଉଛି ଆମର ଅସଲ ପରିଚୟ । ଆମ ଭିତରେ ଅଜସ୍ର ଗୁଣସମ୍ଭାବନା ରହିଛି, ସତ୍ୟସମ୍ଭାବନା ମଧ୍ୟ ଅଜସ୍ର ରହିଛି । ପରିସ୍ଥିତି ଅନୁସାରେ ଆପଣାକୁ ଖାପ ଖୁଆଇ ନେବାକୁ ଯଥେଷ୍ଟ ବୋଲି ମାନି ନେଇଥିବା ମଣିଷ ସେହି ସମ୍ଭାବନାଗୁଡ଼ିକ ବିଷୟରେ ବସ୍ତୁତଃ ଅଚେତନ ହୋଇ ରହିଥାଏ । ଜୀବନର ନିତ୍ୟନୈମିତ୍ତିକ ପରିଧିଗୁଡ଼ିକ ବ୍ୟତୀତ ଆମ ଭିତରେ ଓ ବାହାରେ ଅଗଣିତ ପରିଧିମାନ ରହିଛି । ସେହିଗୁଡ଼ିକ ଅଛି ବୋଲି ଅନୁଭବ କରିବା, ସେଗୁଡ଼ିକ ଆଡ଼କୁ ହାତ ବଢ଼ାଇବା, ବ୍ୟାକୁଳ ହୋଇ ହାତ ବଢ଼ାଇବା, ସେଗୁଡ଼ିକୁ ଆବିଷ୍କାର କରିବା ଏବଂ ସେଗୁଡ଼ିକ ସହିତ ଏକାତ୍ମକତା ଅର୍ଜନ କରିବା, ଏହିପରି ଭାବରେ ସ୍ପୃହାରୁ ଆସ୍ପୃହା ପର୍ଯ୍ୟନ୍ତ ସିଡ଼ି ଲମ୍ବି ଲମ୍ବି ଯାଇଛି-। ଯଥାର୍ଥ ଜୀବନ କହିଲେ ଏହି ସିଡ଼ିଟି ଉପରେ କାଠି ପରେ କାଠି କ୍ରମରେ ବାଟ ଚାଲିଯିବାକୁହିଁ ବୁଝାଏ ।

 

ତଥାପି, ଅନେକ ମଣିଷ ଅଛନ୍ତି, ଯେଉଁମାନେ ଜୀବନ କହିଲେ ପାହାଚ ଉଠିବାକୁ ନ ବୁଝି ପ୍ରଧାନତଃ କୌଣସି ଗାତ ଭିତରେ ନିବୁଜ ହୋଇ ନିରାପଦରେ ବସିଯିବାକୁହିଁ ବୁଝନ୍ତି । ଗାତଟି ଭିତରେହିଁ ସେମାନେ ଆପଣାର ସବୁଯାକ ସ୍ଵପ୍ନକୁ ଦେଖନ୍ତି । ଏହି ଲୋକମାନଙ୍କରବି ଠାକୁର ଥାଆନ୍ତି, ଆଦର୍ଶ ଥାଏ, ବୁଦ୍ଧି ରହିଥାଏ,–ମାତ୍ର ସେମାନେ ସମସ୍ତେ କେବଳ ଗାତ ଭିତରେ ପ୍ରଚଳିତ ସ୍ପୃହା କେତୋଟିକୁ ନେଇ କିଳି ହୋଇ ରହିବାର ଦୁର୍ବୁଦ୍ଧି ଭିତରେହିଁ ମଣିଷକୁ ଆବଦ୍ଧ କରି ରଖି ଦେଇଥାନ୍ତି । ସେମାନଙ୍କର ପୃଥିବୀ ଯେଉଁଠି ଥାଏ, ଠିକ୍ ସେହିଠାରେହିଁ ମୁହଁ ମାଡ଼ି ପଡ଼ିଥାଏ-। ମଣିଷ ଭିତରେ ଏହି ପୃଥିବୀକୁ ପାହାଚ ପାହାଚ ଉଠାଇ ନେଇଯିବାର ଶକ୍ତି ଯେ ରହିଛି, ସେଠି ସେହି ସବୁ କଥା ସାତସପନ ହୋଇ ରହିଥାଏ । ଅନେକ ମଣିଷ ତାହାକୁହିଁ ସୁଖ ବୋଲି କହନ୍ତି-। ସୁଖୀ ହୋଇ ରହିଥାନ୍ତି, ବଞ୍ଚିତ ହୋଇ ରହିଥାନ୍ତି ।

 

ଆମରି ଭିତରେ, ଅନେକ ଗଭୀରରେ, ଆମର ନିୟତି ପ୍ରଚ୍ଛନ୍ନ ହୋଇ ରହିଛି । ସେହି ନିୟତିକୁ ଅନୁଭବ କରିପାରିଲେ ଆମ ଜୀବନର ସଂଜ୍ଞାହିଁ ବଦଳିଯାଏ । ତା’ପରେ ଜୀବନର ଯାବତୀୟ କଥାକୁ ଆମେ ଏକାବେଳେକେ ଅନ୍ୟଭଳି ଆଖିରେ ଦେଖିବାକୁ ଆରମ୍ଭ କରୁ । ଭିତରକୁ ଅନାଇବାମାତ୍ରକେ ସତେଅବା ସ୍ତବକଟିଏ ଦେଖାଯାଏ, ସେଠାରେ କେତେ କେତେ କଢ଼ ଫୁଟିବା ଲାଗି ଅପେକ୍ଷା କରିଥାନ୍ତି । ସେହି ଅପେକ୍ଷାର ଅଳିକୁ ବୁଝିପାରିବାକୁ ହୁଏ । ତା’ପରେ ଯାଇ କବାଟ ଖୋଲେ । ତା’ପରେ ଯାଇ ଅର୍ଗଳି ଭାଙ୍ଗେ । ତାହାହିଁ ଆସ୍ପୃହାର ଜୀବନ । ଭୀରୁମାନଙ୍କର ସଂସାର ସେହି ଆସ୍ପୃହାରୁ ବଡ଼ ନିର୍ମମ ଭାବରେ ବଞ୍ଚିତ ହୋଇ ରହିଥାଏ । ଭୀରୁମାନେ ହୁଏତ କେଡ଼େ ଧନୀ ହୁଅନ୍ତି, କେଡ଼େ ବଡ଼ ଆସନରେ ବସନ୍ତି, ଭଗବାନଙ୍କ ଲାଗି ଦେଉଳ ତୋଳି ଦିଅନ୍ତି, କେତେ କେତେ କ୍ଷମତା ତଳେ ପଥରମଡ଼ା ହୋଇ ପଡ଼ିଥାନ୍ତି–ତଥାପି ଅସଲ ଆସ୍ପୃହାଗୁଡ଼ିକ ଲାଗି ଅଯୋଗ୍ୟ ହୋଇ ରହିଥାନ୍ତି । ନିଜ ଭିତରର ଅସଲ କାରିଗରକୁ ଆଗକୁ ବାଟ ଛାଡ଼ୁ ନ ଥାନ୍ତି ।

 

ଅସଲ ଆସ୍ପୃହା ହେଉଛି ଅନ୍ତର୍ନିହିତ ଗୁଣ ଓ ବାସନାଗୁଡ଼ିକର ବିକାଶ ଘଟାଇବାର ଆସ୍ପୃହା । ଆପଣାକୁ ଆପଣାଠାରୁ ବୃହତ୍ତର କୌଣସି ଏକ ଉଦ୍ଦେଶ୍ୟସାଧନ ଲାଗି ସମର୍ପିତ କରି ରଖିବାର ଆସ୍ପୃହା, ଆପଣାକୁ ପୂର୍ଣ୍ଣସମ୍ମତି କରି ରଖିବାର ଆସ୍ପୃହା । ନିଜର ଭିତରକୁ, ଗଭୀରକୁ ଯାଇ ଆପଣାର ଅସଲ ବନ୍ଧୁଟିକୁ ଚିହ୍ନି ନେଇପାରିଲେ ଆସ୍ପୃହାରେ ବାଟ ଚାଲିବାର ପ୍ରକ୍ରିୟାଟିକୁ ସିଏ ପ୍ରକୃତରେ କେତେ ସହଜ କରିଦିଏ । ସେତେବେଳେ ସକଳ ଆସ୍ପୃହା ସତେଅବା ଆମର ସ୍ଵଭାବରେ ପରିଣତ ହୋଇଯାଏ । ତା’ପରେ ଆଉ ମୋଟେ କଷ୍ଟ କରିବାକୁ ପଡ଼େନାହିଁ । ତାଙ୍କ ପାଖରେ ଯାଇ ଧରା ଦେବା କେଡ଼େ ସହଜ ଓ ସ୍ଵାଭାବିକ ହୋଇଯାଏ । ଭିତରକୁ ଅନାଇଦେବାମାତ୍ରକେ ବାହାର ଝଟକି ଉଠେ । ବାହାରକୁ ଅନାଇଦେବାମାତ୍ରକେ ଭିତରଟା ଝଟକି ଉଠୁଥାଏ ।

 

ଆସ୍କା, ବ୍ରହ୍ମପୁର, ଜୁଲାଇ, ୧୯୮୮

Image

 

ଏ ପୃଥିବୀ, ସେ ପୃଥିବୀ

 

ଆମେ ଅଧିକାଂଶ ମଣିଷ ଯେଉଁ ପୃଥିବୀରେ ପ୍ରାୟ ନାକବୁଡ଼ା ଓ ଆଖିବୁଡ଼ା ହୋଇ ବାସ କରୁଛୁ, ମଣିଷର ନିୟତିକୁ ଅଧିକ ସ୍ପଷ୍ଟ ଏବଂ ଅଧିକ ସମ୍ପୂର୍ଣ୍ଣ ଭାବରେ ଦେଖୁଥିବା ବ୍ୟକ୍ତିମାନେ ସେହି ପୃଥିବୀକୁ ମୋଟେ ଅସଲ ପୃଥିବୀ ବୋଲି କହିନାହାନ୍ତି । ଏହି ପୃଥିବୀର ସାଜ ଏବଂ ଆୟୋଜନଗୁଡ଼ାକ ହଜାର ଗୁଣ ଅଧିକ ହୋଇଗଲେ ଯେ ଏଇଟି ସତକୁସତ ଏକ ସ୍ଵର୍ଗରେ ପରିଣତ ହୋଇଯିବ, ସେକଥା ମଧ୍ୟ ସେହି ବ୍ୟକ୍ତିମାନେ କେବେ କହିନାହାନ୍ତି । ବର୍ତ୍ତମାନର ମଣିଷ ଦଶ ଗୁଣ ବା କୋଡ଼ିଏ ଗୁଣ ଅଧିକ ଧନଶାଳୀ, ଅଧିକ ବୁଦ୍ଧିସମ୍ପନ୍ନ ଅଥବା ଅଧିକ କୌଶଳୀ ହୋଇଗଲେ ଯେ ଏକ ଦେବତାରେ ପରିଣତ ହୋଇଯିବ, ଏହି କଥାଟି ଯେପରି ମିଛ, ଉପରର ସେହି ଅନ୍ୟ କଥାଟି ଠିକ୍ ସେହିପରି ମିଛ ।

 

ଏହି ପୃଥିବୀଟି ବିଷୟରେ କେତେକ ମହାପୁରୁଷ ଏତେ ଅଧିକ ପରିମାଣରେ ବିରକ୍ତ ହୋଇ ପଡ଼ିଛନ୍ତି ଯେ, ସେମାନେ ଏହି ପୃଥିବୀକୁ ମାୟା ବୋଲି କହିଛନ୍ତି । ସେମାନେ ଏହି ପୃଥିବୀକୁ ଛାଡ଼ି ନିକାଞ୍ଚନ ଜାଗାକୁ ପଳାଇ ଯାଇଛନ୍ତି । ଗିରିଶିଖରକୁ ଚାଲି ଯାଇଛନ୍ତି । ସେଠାରେ ସେମାନେ ତପ କରିଛନ୍ତି, ଜପ କରିଛନ୍ତି, ଆଶ୍ରମ ବସାଇଛନ୍ତି, ଶାସ୍ତ୍ର ଲେଖିଛନ୍ତି ଓ ସ୍ତୋତ୍ର ଲେଖିଛନ୍ତି । ଅବଶିଷ୍ଟ ପୃଥିବୀବାସୀଙ୍କୁ ସେମାନେ ପ୍ରେମର କଥା କହିଛନ୍ତି । ତଥାପି ନିଜ ପେଟରେ ପୃଥିବୀ ପ୍ରତି ଏକ ମୂଳଭୂତ ଅଶ୍ରଦ୍ଧା ରଖି ପୃଥିବୀ ପାଖରୁ ଦୂରଛଡ଼ା ହୋଇ ରହିଛନ୍ତି । ଗୋଟାଏ ମାୟାକୁ ଛାଡ଼ି ସେମାନେ ସତେଅବା ଆଉଗୋଟାଏ ମାୟାରେ ଯାଇ ପଡ଼ି ଯାଇଛନ୍ତି । ସେମାନଙ୍କ ଭିତରୁ ଥୋକେ ଗୁରୁବି ବନିଛନ୍ତି, ସମ୍ପ୍ରଦାୟ ଗଢ଼ିଛନ୍ତି । ଭକ୍ତମଣ୍ଡଳୀ ସମ୍ପାଦିଛନ୍ତି । ତଥାପି ପୃଥିବୀଠାରୁ ଦୂରଛଡ଼ା ହୋଇ ରହିଛନ୍ତି ।

 

ପୃଥିବୀ ଯାହା ହୋଇ ରହିଛି, ସେଇଟି ହେଉଛି ଏ ପୃଥିବୀ । ପୃଥିବୀ ଯେପରି ହେବା ଉଚିତ ବୋଲି କେତେ ଲୋକ ଚିନ୍ତା କରୁଛନ୍ତି ଅଥବା ସ୍ଵପ୍ନ ଦେଖିଛନ୍ତି, ସେଇଟି ହେଉଛି ସେ ପୃଥିବୀ । ଖାଲି ଆମର ଏ ଯୁଗରେ ନୁହେଁ, ସେ ପୃଥିବୀର ସ୍ଵପ୍ନ ଯୁଗେଯୁଗେ ବହୁ ମଣିଷଙ୍କୁ ଉଚ୍ଚାଟ କରିଛି । କେବଳ ସନ୍ଥ ବା ମହାପୁରୁଷ ନୁହନ୍ତି, ବୈଜ୍ଞାନିକ ଓ ଦାର୍ଶନିକମାନଙ୍କ ସମେତ ଅନ୍ୟମାନେ ମଧ୍ୟ ଏକ ଅନ୍ୟ ପୃଥିବୀର ସ୍ଵପ୍ନ ଦେଖିଛନ୍ତି । ସେହି ସ୍ଵପ୍ନ ଦେଖିବା ଏବେ ମଧ୍ୟ ବନ୍ଦ ହୋଇନାହିଁ । ଯେପର୍ଯ୍ୟନ୍ତ ପୃଥିବୀରେ ସବୁ ମଣିଷ ଏକାବେଳେକେ ବୁଢ଼ା ହୋଇ ଯାଇ ନାହାନ୍ତି, ସେ ପର୍ଯ୍ୟନ୍ତ ଏହି ସ୍ଵପ୍ନ ଦେଖା ଚାଲିଥିବ, ଅଲବତ୍ ଚାଲିଥିବ । ହୁଏତ ସେହି ସ୍ଵପ୍ନଦେଖା ଅନୁସାରେ କୋଉଠି ବିଶେଷ କିଛି ବଦଳୁ ନଥିବ । ଅନ୍ଧାରଗୁଡ଼ାକ ଆହୁରି କିଟିକିଟି ହୋଇ ମାଡ଼ି ଆସୁଥିବା ପରି ମନେ ହେଉଥିବ, ତଥାପି ସେହି ସ୍ଵପ୍ନଦେଖା ବନ୍ଦ ହେବ ନାହିଁ । ଏହି ପୃଥିବୀ ଯଦି ସତକୁସତ ବଦଳିବ ବୋଲି ଅଭିପ୍ରେତ ହୋଇ ରହି ନଥାନ୍ତା, ତେବେ ମଣିଷମାନେ ସ୍ଵପ୍ନ ଦେଖୁଥାନ୍ତେ ବା କାହିଁକି, ସ୍ଵପ୍ନ ଦେଖି ଆମର ଏହି ପୃଥିବୀଟାର ଶାନ୍ତିଭଙ୍ଗ କରୁଥାନ୍ତେ ବା କାହିଁକି-?

 

ମାତ୍ର ପୃଥିବୀରୁ ପଳାଇ ଯାଉଥିବା ଲୋକମାନେ ଏହି ପୃଥିବୀକୁ କଦାପି ବଦଳାଇ ପାରିବେ ନାହିଁ । ମାଆଙ୍କ ଭାଷାରେ, It is not by running away from the world that you change it;–ପୃଥିବୀରେ ଅନେକ ଦୁର୍ଦ୍ଦଶା ରହିଛି, ଦୁଃଖ ରହିଛି, ବହୁ ଯନ୍ତ୍ରଣା ରହିଛି, ଯାହାର ରହସ୍ୟ କି ମଣିଷ ଏବେ ମଧ୍ୟ ଜାଣି ପାରିନାହିଁ । ସେହିଗୁଡ଼ାକୁ ସାମନା କରି ନ ପାରି, ସତେଅବା ଏକ ବିଷାଦଯୋଗଦ୍ଵାରା ତାଡ଼ିତ ହୋଇ ବହୁ ମଣିଷ ପୃଥିବୀରୁ ପଳାଇଛନ୍ତି । ବହୁତ ଭଲ ଭଲ ମଣିଷ ପଳାଇଛନ୍ତି । ଜ୍ଞାନୀ ପଳାଇଛନ୍ତି, ତଥାକଥିତ ଭକ୍ତମାନେ ପଳାଇଛନ୍ତି । ସନ୍ନ୍ୟାସ ଗ୍ରହଣ କରି କୌପିନ ଧାରଣ କରିବାକୁ ଭାଗ୍ୟବନ୍ତ ମଣିଷର ବିଶେଷ ସୁଖ ବୋଲି ଶାସ୍ତ୍ରରେ କୁହାଯାଇଛି । ବୈରାଗ୍ୟର ବାଟ ଧରି ସେମାନେ ପ୍ରକୃତରେ କେଉଁ ଭାଗ୍ୟର ଅଧିକାରୀ ହୋଇ ପାରିଛନ୍ତି କେଜାଣି, ସେମାନଙ୍କର ସେହି କାର୍ଯ୍ୟଦ୍ଵାରା ପୃଥିବୀର ଭାଗ୍ୟ ମୋଟେ ବଦଳି ପାରିନାହିଁ । ଆଉ ଗୋଟିଏ କିସମର ମଣିଷ ମଧ୍ୟ ଆମର ଏହି ପୃଥିବୀରେ ଅଛନ୍ତି, ଯେଉଁମାନେ କି ବାବାଜି ହୋଇ ସଂସାରରୁ ପଳାଇ ନାହାନ୍ତି ସତ, ମାତ୍ର ପ୍ରାୟ ଗୋଟାସୁଦ୍ଧା ଆପଣାର ଗାତ ଭିତରେ ଯାଇ ପଶିଛନ୍ତି ଓ ସତେଅବା ସେଇଠି ବାବାଜି ହୋଇ ବସିଛନ୍ତି । ଜୀବନ କହିଲେ କେବଳ ବ୍ୟକ୍ତିଗତ ଜୀବନଟିକୁହିଁ ବୁଝୁଛନ୍ତି । ସଂସାରର ଖାଉଛନ୍ତି, ସଂସାରରେ କମାଉଛନ୍ତି, ସଂସାର ଅଛି ବୋଲି ସେମାନେ ମଧ୍ୟ ଅଛନ୍ତି, ତଥାପି ସେମାନେ ସୁଖ ବୋଲି କେବଳ ଆପଣାର ସୁଖକୁହିଁ ଜାଣୁଛନ୍ତି । ପୃଥିବୀର କୌଣସି ବାରତା ସେମାନଙ୍କର ଗୁମ୍ଫା ଭିତରକୁ ପଶି ପାରୁନାହିଁ । ପୃଥିବୀ ଯେମିତି ଅଛି, ସେହି ପୃଥିବୀରେ ଯେକୌଣସି ପ୍ରକାରେ ସଫଳତା ଲାଭ କରିବାହିଁ ସେମାନଙ୍କର ଏକମାତ୍ର ଧର୍ମ ହୋଇ ରହିଛି । ସେତିକି ବ୍ୟତୀତ ଆଉ ଅଧିକ କିଛି ଭିତରେ ପଶିବା ଲାଗି ସେମାନଙ୍କର ମୁଣ୍ଡ ନାହିଁ । ପୁରୁଣା ସଂସାରଟା ପ୍ରଧାନତଃ ଏହିଭଳି ସଫଳ ଓ ଗୁହାବାସୀ ସୁନା ମଣିଷଙ୍କ ଦ୍ଵାରା ଚାଲିଛି ।

 

One must renounce being adapted to life as it is and suceeding in it if one wants to prepare for life as it will be and to become an active and effective part of it,–ଖୁବ୍ ସମ୍ଭବ ସେହିଭଳି ସୁନା ଓ ସଫଳ ମଣିଷଙ୍କୁ ଲକ୍ଷ୍ୟ କରି ମାଆ ଏହି ବାକ୍ୟଟିକୁ କହିଛନ୍ତି । ଏହି ସୁନା ଓ ସଫଳ ବ୍ୟକ୍ତିମାନେ ପୃଥିବୀକୁ ବଦଳାଇ ପାରିବେ ନାହିଁ । ସେମାନଙ୍କର ସବୁଯାକ ମନ ସେହି ପୁରୁଣାଟା ସହିତ ବାନ୍ଧି ହୋଇ ରହିଥିବ । ସେମାନେ ଆପଣାକୁହିଁ ପୃଥିବୀଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ସର୍ବଦା ଅନୁଭବ କରୁଥିବେ ଏବଂ ଏହି ପୃଥିବୀ ରହିଛି ବୋଲି ଯେ ସେମାନେ ମଧ୍ୟ ରହିଛନ୍ତି, ସେମାନେ ନିଜ ଜୀବନରେ ସେହି କଥାଟିକୁ କଦାପି ସ୍ଵୀକାର କରିବେ ନାହିଁ । ଯେତେବେଳେ ପୃଥିବୀ ସତକୁସତ ବଦଳିବ, ସେତେବେଳେ ସେମାନେ ବାଧ୍ୟ ହୋଇ ବଦଳିବେ ସିନା, ଆପଣା ମନକୁ କେବେହେଲେ ଖୋଜଟିଏ ଆଗକୁ ପକାଇବେ ନାହିଁ । ସେମାନଙ୍କୁ ଘାରି ରଖିଥିବା ପର୍ବତପ୍ରମାଣ ସଂଶୟ ଭିତରୁ ସେମାନେ ଭଗବାନଙ୍କୁ କଦାପି ସତକୁସତ ଠାବ କରି ପାରିବେ ନାହିଁ ଓ ତେଣୁ ବିଶ୍ଵର ଉପସ୍ଥିତ ସ୍ଥିତିଟିକୁ ବଦଳାଇ ଦେବାର କାର୍ଯ୍ୟକ୍ରମରେ ମୋଟେ କୌଣସି ଭାଗ ନେଇ ପାରିବେ ନାହିଁ ।

 

ଏହି ପୃଥିବୀର ସବୁଠାରୁ ବଡ଼ ପ୍ରତିକୂଳତା ହେଉଛି ଯେ, ଏଠାରେ ସବୁକିଛି ଭାରି କୃତ୍ରିମ, ଏବଂ, ମଣିଷର ଭିତରେ ଯାହାର ବିକାଶ ହେଲେ ମଣିଷ ନିଜ ଜୀବନରେ ଯଥାର୍ଥ ମହିମାଗୁଡ଼ିକର ଅଧିକାରୀ ହୋଇପାରିବ, ତାହା ଏକ କୃତ୍ରିମ ବାତାବରଣ ଭିତରେ ମୋଟେ ମୁକୁଳିତ ହୋଇ ପାରେନାହିଁ । ସତେଅବା ଏକ ଜାଲ ଭିତରେ ବାନ୍ଧି ହୋଇଯାଏ ଏବଂ କ’ଣ ହେଉ ହେଉ ଆଉ କ’ଣ ହୋଇଯାଏ । ଶେଷକୁ ଖୋପରେ ପଡ଼ିଯାଏ, ଅଭିନୟ କରେ, କୃତ୍ରିମ ହୁଏ । ଏହି କୃତ୍ରିମ ପୃଥିବୀଟି ବିଷୟରେ ମାଆ କେଡ଼େ ସ୍ପଷ୍ଟ ଭାବରେ ଏହି କଥାଗୁଡ଼ିକୁ କହିଛନ୍ତି : The absurd thing here is all the artificial means one must use. Any idiot at all has more power if he has more means to acquire the necessary artifices; –ଏହି ମଣିଷମାନଙ୍କ ହାତରେ ବର୍ତ୍ତମାନ ଆମ ପୃଥିବୀର ରାଜନୀତି, ଅର୍ଥନୀତି ଏବଂ ଅନ୍ୟ ଯାବତୀୟ ନୀତି ଅତ୍ୟନ୍ତ ବିବଶ ହୋଇ ନିୟନ୍ତ୍ରିତ ହେଉଛି । ହୁଏତ ପୃଥିବୀର ମନ୍ଦିର ଓ ଠାକୁରଗୁଡ଼ାକ ମଧ୍ୟ ସେହିମାନଙ୍କର ସମ୍ପତ୍ତି ହୋଇ ରହିଛନ୍ତି । ଏହି ସ୍ଥିତିକୁ ଗୋଟିଏ ଶବ୍ଦରେ ମାଆ absurd ବୋଲି କହିଛନ୍ତି । ଆମେ ଏହି absurd ଗୁଡ଼ାକ ସହିତ ହାତ ମିଳାଉଥିବା ଓ ସେହିଗୁଡ଼ାକ ସହିତ ଖାପ ଖାଇ ସଫଳ ହେବାକୁ ଚରମ ବୁଦ୍ଧିମତ୍ତାର ବିଷୟ ବୋଲି ବିଚାର କରୁଥିବା-ଏବଂ ତଥାପି ଏହି ପୃଥିବୀ ବଦଳାଇ ସେ ପୃଥିବୀ ଲାଗି ବାଟ କାଢ଼ି ପାରିବା କିପରି ?

 

କୃତ୍ରିମତାଗୁଡ଼ାକୁ ଛାଡ଼ିଲେ ଯାଇ ଆମ ହୃଦୟ ଭିତରେ ସେହି ଅନ୍ୟ ପୃଥିବୀଟି ଲାଗି ବାଟ ଖୋଲିବ । କୃତ୍ରିମତା ଗଲେ ଆମକୁ ପ୍ରାୟ ଏକ ହାସ୍ୟାସ୍ପଦ ଦୟନୀୟତା ଏବଂ ଦାମ୍ଭିକତା ଭିତରେ ପକାଇ ରଖିଥିବା ସମ୍ବନ୍ଧଗୁଡ଼ାକ ମଧ୍ୟ କ୍ରମେ ବଦଳିବାକୁ ଆରମ୍ଭ କରିବ । ଅବିଶ୍ଵାସ ଦୂର ହୋଇ ବିଶ୍ଵାସକୁ ଅଧିକ ଥାନ ମିଳିବ । ବିଶ୍ଵାସର ସହିତ ପରସ୍ପରକୁ ଦେଖିବାକୁ ଆରମ୍ଭ କଲେ ବିଶ୍ଵରେ ଆମ ସମସ୍ତଙ୍କୁ ଏକତ୍ର ବାନ୍ଧି ରଖିଥିବା । ସୂତ୍ରଟିକୁ ମଧ୍ୟ ଆମେ ଅନୁଭବ କରିବାକୁ ଆରମ୍ଭ କରିବା । ନିଜ ଭିତରେ ଅନୁଭବ କରିପାରିବା ଓ ନିଜ ବାହାରେ ମଧ୍ୟ ଅନୁଭବ କରିପାରିବା । ଭିତରେ ସେହି ସୂତ୍ରର ଅନୁଭୂତି ଆମର ଚେତନାକୁ ବଦଳାଇ ଦେବ ଏବଂ ବାହାରେ ସେହି ସୂତ୍ରର ଅନୁଭୂତି ଆମର ସମ୍ବନ୍ଧଗୁଡ଼ିକୁ ମଧ୍ୟ ବଦଳାଇ ଦେବ ।

 

ଅନେକ ବ୍ୟକ୍ତିଙ୍କର ଆସ୍ପୃହା ଏକାଠି ହୋଇ ଏକ ସାମୂହିକ ନୂତନ ଆରମ୍ଭ ଲାଗି ବାଟ ଖୋଲିଦେବ । ସେତେବେଳେ ଯାଇ ଆମେ ଆମ ଭିତରର ଯଥାର୍ଥ ଶକ୍ତିଟିର ପରିଚୟ ପାଇବା; ପରସ୍ପର ମଧ୍ୟରେବି ସେହି ଶକ୍ତିମାନ ସାଥୀକୁ ଦେଖିବା । ସେହି ଆବିଷ୍କାର ଆମ ଜୀବନର ଭୂମିଟିକୁହିଁ ବଦଳାଇ ଦେବ । ସେହି ଭୂମିଟି ଉପରେ ସେହି ଅନ୍ୟ ପୃଥିବୀଟିର ମୂଳଦୁଆ ପଡ଼ିବ । ତା’ପରେ, ଆମେ ଯୋଉଥିରେ ହାତ ଦେବା, ତାହା ପ୍ରକୃତରେ ସୁନା ହୋଇ ଯାଉଥିବ । ଆମେ ଯାହା କିଛି କରିବା, ତାହା ପରମ ନିୟନ୍ତାଙ୍କର ଆଶୀର୍ବାଦ ଓ ଅନୁମୋଦନ ଲାଭ କରିଥିବ । ଏକ ନୂତନ ପୃଥିବୀକୁ ଆମନ୍ତ୍ରଣ କରି ଆଣିବାର କାର୍ଯ୍ୟରେ ଆମେ ସେତିକିବେଳେ ଯାଇ ଯଥାର୍ଥ ନିମିତ୍ତ ହୋଇ ବାହାରି ପାରିବା ।

 

ଦି ଓଡ଼ିଆ ଅରୋଭିଲିଆନ୍, ଅଗଷ୍ଟ ୦୮, ୧୯୮୮, ସ୍ମରଣିକା

Image

 

ଅବଦମିତ ଚୈତ୍ୟ

 

ଆମ ଭିତରେ ଦିବ୍ୟ ପରମସତ୍ତାଙ୍କର ଯେଉଁ ଅଂଶଟି ଅବଶ୍ୟ ରହିଛି, ଶ୍ରୀଅରବିନ୍ଦ ତାହାକୁ ଆମର ଚୈତ୍ୟସତ୍ତା ବୋଲି କହିଛନ୍ତି । ସେହି ସତ୍ତା ସମ୍ବନ୍ଧରେ ସଚେତନ ହେବା, ତାହାହିଁ ଚୈତ୍ୟ ଚେତନା । ବାହାରୁ ଦେଖିବାକୁ ଆମର ଏକ ଶରୀର ଅଛି, ଏକ ପ୍ରାଣିକ ଜୀବନ ରହିଛି, ଏକ ମନ ମଧ୍ୟ ଅଛି । ସେହି ଅନୁସାରେ ଏକ ଶରୀର ଅଛି,–ଚେତନା ଅଛି, ଏକ ପ୍ରାଣିକ ଚେତନା ଅଛି ଓ ଏକ ମାନସିକ ଚେତନା ମଧ୍ୟ ରହିଛି । ଏଗୁଡ଼ିକର କ୍ରିୟାଶୀଳତା ସାଧାରଣତଃ ବାହାର ଆଡ଼କୁ । ଯେତେବେଳେ ଏଗୁଡ଼ିକର ଆମ ଅସଲ କେନ୍ଦ୍ରରେ ଥିବା ଚୈତ୍ୟସତ୍ତା ସହିତ କୌଣସି ଖିଅ ଲାଗି ନଥାଏ, ସେତେବେଳେ ଆମ ଜୀବନର ପରିଧିଗୁଡ଼ାକ ଶରୀର, ପ୍ରାଣ ଏବଂ ମନ ଭିତରେ ସୀମାବଦ୍ଧ ହୋଇ ରହିଥାଏ । ସେତେବେଳେ ଆମେ କେଡ଼େ ଛଟକରେ ବାହାରେ ବାହାରେ ବୁଲୁଥାଉ, ମାତ୍ର ଭିତରେ ଅସଲ ଖିଅଟି ଲାଗି ନଥିବାରୁ ଭାରି ଦରିଦ୍ର ହୋଇ ରହିଥାଉ । ସମଗ୍ର ପୃଥିବୀକୁ ଦରିଦ୍ର କରି ରଖିବାରେ ସାହାଯ୍ୟ କରୁ । ବାହାରର ବହୁ ପ୍ରକୋପଦ୍ଵାରା ଅନ୍ତରର ସେହି ଦାରିଦ୍ର୍ୟଟିର କ୍ଷତିପୂରଣ କରିବାର ନିତ୍ୟପ୍ରୟାସ କରୁଥାଉ । ବାହାରର ତଥାକଥିତ ବହୁ ଅର୍ଜନ ଓ ଉପାର୍ଜନଦ୍ଵାରା ଭିତରର କ୍ଷତିଟିକୁ ଭୁଲି ରହିବାକୁ ଅଥବା ଆଢ଼ୁଆଳ କରି ରଖିବା ଲାଗି କେତେ ମିହନ୍ତ କରିବାରେ ଲାଗିଥାଉ ।

 

ଏହି ଚୈତ୍ୟସତ୍ତା ହେଉଛି ଆମର ସର୍ବୋତ୍ତମ ସତ୍ତା, ଆମ ଜୀବନ ଲାଗି ସର୍ବୋଚ୍ଚ ପରମସତ୍ତାଙ୍କର ସର୍ବୋତ୍ତମ ପ୍ରତିଶ୍ରୁତିର ସତ୍ତା । ମାଆ ତାହାକୁ Inner Godhead ବୋଲି କହିଛନ୍ତି ଏବଂ ନିଜ ଭିତରେ ତାହାର ଆବିଷ୍କାର କରିବାକୁ ଆମ ଜୀବନ ସର୍ବୋତ୍ତମ ଆବିଷ୍କାର ବୋଲି ମଧ୍ୟ କହିଛନ୍ତି । ମାତ୍ର, ସଂସାରରେ ଆମେ ଅନେକେ ସେହି ସର୍ବୋତ୍ତମ ଆବିଷ୍କାରଟିକୁ ସତେଅବା ଭାରି ଏଡ଼ାଇ ବୁଲୁଥାଉ । ଜୀବନରେ କେତେ କେତେ ଚଣ୍ଡତା ଦେଖାଉ, ପ୍ରଚଣ୍ଡ ଭାବରେ ଏହି ସଂସାରରେ ଦୁର୍ଗ ପରେ ଦୁର୍ଗ ଅଧିକାର କରିବାରେ ଲାଗିଥାଉ, କ୍ଷମତାଶାଳୀରୁ ଅଧିକ କ୍ଷମତାଶାଳୀ ହେଉ, ଆସନକୁ ଆହୁରି ଅଧିକ ଉଚ୍ଚ ଆସନମାନଙ୍କରେ ଯାଇ ବସିବାକୁ ଅହର୍ନିଶ ଚିନ୍ତା କରିବାରେ ଲାଗିଥାଉ । ତେଣେ ଚୈତ୍ୟସତ୍ତାଟି ଅବଦମିତ ହୋଇ ରହିଥାଏ । ଅପେକ୍ଷା କରି ବସିଥାଏ । ତାହାର ଉଦ୍‌ଘାଟନ ନିମନ୍ତେ ଆମର ସମ୍ମତିକୁ ଅପେକ୍ଷା କରି ରହିଥାଏ-। ମଣିଷ ଆପଣାର ନାନା ବାସନାକୁ ଅବଦମିତ କରି ରଖିବାଦ୍ଵାରା ବହୁ ବିକାରର ଶିକାର ହୁଏ ଏବଂ ତଦ୍ଦ୍ୱାରା ବହୁ ରୁଗ୍‌ଣତାକୁ ନିଜର ଜୀବନ ମଧ୍ୟକୁ ଡାକି ନେଇଆସେ ବୋଲି ମନୋବିଶ୍ଳେଷଣର ବ୍ୟାଖ୍ୟାତା ସିଗ୍‌ମୁଣ୍ଟ୍ ଫ୍ରଏଡ଼୍ କେତେ କେତେ ଉଦାହରଣ ଦେଇ କହିଛନ୍ତି-। ଆମରି ଭିତରେ ସେହି ଅପରିତୃପ୍ତ ଏବଂ ଅବଦମିତ ବାସନାଗୁଡ଼ାକ ସତେଅବା ଏକ ଉତ୍ତପ୍ତ କଡ଼େଇ ଭିତରେ ଟକଟକ ହୋଇ ଫୁଟୁଛନ୍ତି ଓ ଆମର ଜୀବନକୁ ବହୁଭାବେ ବିକଳ କରି ରଖିଛନ୍ତି ବୋଲି ସେ କେଡ଼େ କାବ୍ୟିକ ଭାବରେ ବର୍ଣ୍ଣନା କରିଛନ୍ତି । ସେହି କଡ଼େଇକୁ ସିଏ Unconscious ଅର୍ଥାତ୍ ଅଚେତନା ବୋଲି କହିଛନ୍ତି ।

 

ଏବର ମନୋବିଜ୍ଞାନୀ ଏବଂ ମନୋବିଶ୍ଳେଷକମାନେ ଫ୍ରଏଡ଼ୀୟ ଅଚେତନ ସ୍ତରଟିକୁ ସ୍ଵୀକାର କରୁଛନ୍ତି ସତ, ମାତ୍ର ସମାନ୍ତର ଭାବରେ ସେମାନେ ଏକ Real Unconsciousର କଥା ମଧ୍ୟ କହୁଛନ୍ତି । Real unconscious ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ରହିଛି, ଆମରି ଭିତରେ ପରମ ସତ୍ୟର ପ୍ରତିଭୂ ବା ପ୍ରତୀକ ହୋଇ ରହିଛି । ଅନେକ ଦୃଷ୍ଟିରୁ ଆମେ ତାହାକୁ ଚୈତ୍ୟ ସତ୍ତାର ସମତୁଲରୂପେ ମଧ୍ୟ ବିଚାର କରିପାରିବ । ସେହି ପରମ ଅଚେତନ ହେଉଛି ଆମ ଭିତରେ ଆମର ଅମିତ ସମ୍ଭାବନାର ଭଣ୍ଡାର, ଆମ ସମସ୍ତଙ୍କ ଭିତରେ ଏହି ସମଗ୍ର ବିଶ୍ଵର ଅମିତ ସମ୍ଭାବନାର ଭଣ୍ଡାର । ସେହି ଭଣ୍ଡାରଟିକୁ ଆବିଷ୍କାର କରିହିଁ ଆମେ ଆମର ଅସଲ ନିୟତିଟିର ଯଥାର୍ଥ ପରିମିତିର ସନ୍ଧନ ପାଇପାରିବା । ଆମ ଭିତରର ସେହି ମୁକ୍ତିଦାୟୀ ସମ୍ପଦଟି ଯେତେବେଳେ ଆପଣାର ଆଲୋକଦ୍ଵାରା ଆମର ମନ, ପ୍ରାଣ ଏବଂ ଶରୀରକୁ ସଚଳ କରିଦେଇ ପାରିବ, ସେତିକିବେଳେହିଁ ଆମର ଜୀବନ ପୂର୍ଣ୍ଣାୟତନ ହୋଇ ପାରିବ । ଆମ ଅନ୍ତର୍ନିହିତ ଶକ୍ତିଗୁଡ଼ିକ ପୂର୍ଣ୍ଣ ବିନିଯୋଗ ସେତିକିବେଳେ ସମ୍ଭବ ହେବ । ଗୋଟିଏ କଥାରେ କହିଲେ, ସେତିକିବେଳେ ଯାଇ ଆମେ ଯଥାର୍ଥ ଭାବରେ ତାଙ୍କର କାମରେ ଲାଗିପାରିବା ଏବଂ ତାଙ୍କରି କାମରେ ଲାଗି ପାରିବାଠାରୁ ଆମ ଜୀବନର ଆଉ ଅଧିକ ମୂଲ୍ୟବାନ କୌଣସି ସାର୍ଥକତା ରହିଛି ବୋଲି କେହି କେବେହେଲେ କଳ୍ପନା କରି ପାରିବ କି ?

 

ଖିଅଛିଣ୍ଡା ମଣିଷମାନେହିଁ ସତେଅବା ପ୍ରୟୋଜନରେ ପଡ଼ି ଆପଣାର ଚୈତ୍ୟ ଅଂଶଟିକୁ ଭାରି ଅବଦମିତ କରି ରଖିଥାନ୍ତି । ସେମାନେ ତାହାକୁ ଭୟ କରୁଥାନ୍ତି ବୋଲି ତାହାକୁ ପାରୁପର୍ଯ୍ୟନ୍ତ ଅବଦମିତ କରି ରଖିଥାନ୍ତି । ତେଣେ ଦୁଆରଟିକୁ ଖୋଲିବାକୁ ମୋଟେ ଇଚ୍ଛା କରୁ ନଥାନ୍ତି । ଏଣେ କେତେ ଆଡ଼ମ୍ବରରେ କେତେ ଫୁଲୁଥାନ୍ତି, କେତେକଅଣ ଅଧିକାର କରିବାରେ ଲାଗିଥାନ୍ତି, ସଂସାର ଭିତରେ କେତେକଅଣ ଧନୀ ହେଉଥାନ୍ତି ଓ କେତେ କାହାକୁ ଗ୍ରାସ କରି ପକାଇବାକୁ ଧାଇଁଥାନ୍ତି । ବସ୍ତୁତଃ ସେହିମାନେହିଁ ଗ୍ରସ୍ତ ହୋଇ ରହିଥାନ୍ତି । ଆମ ସଂସାର ଏବେ ଏକାଧିକ କ୍ଷେତ୍ରରେ ସେହି ଗ୍ରସ୍ତ ମଣିଷମାନଙ୍କର କବଳରେ ପଡ଼ିଯାଇଛି । ଗ୍ରସ୍ତ ମଣିଷମାନେ ପ୍ରାୟ ଏକ ଅନ୍ତର୍ଗତ ଉତ୍ପୀଡ଼ନର ବଶବର୍ତ୍ତୀ ହୋଇ ସଂସାରରେ ଚଲାଖ ହୁଅନ୍ତି, ସାଂସାରିକ ବହୁ ସଫଳତାକୁ ସେମାନେ ସତେଅବା ଆପଣାର ଚରମ ଧର୍ମ ଓ ଅନୁଧାବନରୂପେ ମାନୁଥାନ୍ତି । ସେମାନେ ଆପଣା ଭିତରେ ସର୍ବଦା ଦୁଇଫାଳ ଅଥବା ବହୁଫାଳ ହୋଇ ରହିଥାନ୍ତି । ଆପଣା ସହିତ ଅସଲ କେନ୍ଦ୍ରଟିର କ୍ଷେତ୍ରରେ ସେମାନଙ୍କର ସତେଅବା କ’ଣ କୋଉଠି ପଟୁ ନଥାଏ ଅଥବା ପଡ଼ୁନଥାଏ କେଜାଣି, ସେମାନେ ଆପଣାର ସେହି ଅସଲ ଅସମର୍ଥତା ବା ଅସଲ ପରାଜୟକୁ ଘୋଡ଼ାଇ ପକାଇବା ଲାଗି ବାହାରେ କେତେମନ୍ତେ ଉତ୍ତେଜିତ ହୋଇ ରହିଥାନ୍ତି । ଆପଣା ଭିତରେ କୋଉଠି କ’ଣ ଖିଅ ଛିଣ୍ଡାଇ ପକାଇଥାନ୍ତି କି କ’ଣ କେଜାଣି, ଆପଣାର ଜୀବନଗତ ବହୁ ସମ୍ବନ୍ଧରେ ଏହି ପୃଥିବୀରେ ପ୍ରଧାନତଃ ବିଟପୀ ହୋଇ ବାହାରିଥାନ୍ତି । ଏମାନେ ମୋଟେ ଭଲ ପାଇ ପାରନ୍ତି ନାହିଁ । ତେଣୁ ଗିଳି ପକାଇବାରେ ଲାଗିଥାନ୍ତି । ଆପଣାର ଭାବଜୀବନରେ ଅତ୍ୟନ୍ତ ଅତିକାୟ ଓ ଅସୁନ୍ଦର ହୋଇ ଦିଶୁଥାନ୍ତି ଏବଂ, ସତେଅବା କୋଉ ଅସଲ ଘରୁ ନିଜକୁ ବଞ୍ଚିତ କରି ରଖିଥିବାର ପ୍ରକୋପରେ ପୃଥିବୀରେ ବହୁ ଉପଦ୍ରବ କରିବାରେ ଲାଗିଥାନ୍ତି ।

 

ସେମାନଙ୍କ ଭିତରେ ଚୈତ୍ୟସତ୍ତା ତଥାପି ରହିଥାଏ, ବୀଜରୂପେ ତଥାପି ଅପେକ୍ଷା କରି ରହିଥାନ୍ତି । ବିଚରା ପ୍ରକୁପିତ ଦରିଦ୍ରମାନେ ସେହି କଥାଟିକୁ ମୋଟେ ବୁଝିପାରନ୍ତି ନାହିଁ । ଆପଣା ଘରେ ରତ୍ନଟି ରହିଥିଲେ ମଧ୍ୟ ସେମାନେ ନାସ୍ତିକ ହୁଅନ୍ତି । ବାହାରେ ବାରଭଳି ମନ୍ଦିର ଗଢ଼ି ଭଗବାନଙ୍କର ବାରଶହ ପ୍ରକାରର ପ୍ରତିମା ଥାପି ପୂଜା କରୁଥିଲେ ମଧ୍ୟ ସତକୁସତ ନାସ୍ତିକ ହୋଇ ରହିଥାନ୍ତି । ଭଗବାନଙ୍କୁ ରୁପାର ଲୋଭ ଦେଖାନ୍ତି, ସୁନାର ଲୋଭ ଦେଖାନ୍ତି, ମର୍ମର ପ୍ରସ୍ତରରେ ତାଙ୍କ ଲାଗି ଆସ୍ଥାନ ବା ବାସସ୍ଥାନଟିଏ ଗଢ଼ିଦେବେ ବୋଲି ସବାଆଗ ଉଚ୍ଛନ୍ନ ହୋଇ ବାହାରି ପଡ଼ନ୍ତି । ମାତ୍ର, ତେଣେ ନିଜ ଘରେ ଅନ୍ଧାର ଭିତରେ ବହୁ ସଇତାନ ମେଳରେ ରହିଥାନ୍ତି । ସଇତାନମାନଙ୍କ ସହିତ ରମଣ କରିଥାନ୍ତି । ଭିତରେ ନିଜର ଅସଲ ଅର୍ଥଟିକୁ ଆବିଷ୍କାର କରିବାକୁ ମନ କରି ପାରନ୍ତିନାହିଁ ବୋଲି ବାହାରେ କାହାଣ କାହାଣ କଉଡ଼ିର ଟୋକେଇ ମୁଣ୍ଡାଇ ବଡ଼ କୁଜା ହୋଇ ରହିଥାନ୍ତି । ଭୟରେ ସଉଦା କରନ୍ତି । ଏହିମାନେହିଁ ପୃଥିବୀରେ ଭୟ ବଢ଼ାନ୍ତି । ବହୁ ଅନ୍ଧକାର ଓ ଭୟର କାରଣ ହୁଅନ୍ତି ।

 

ଯାବତୀୟ ଆଧ୍ୟାତ୍ମିକତାର ମାନଦଣ୍ଡରେ ବିଚାର କରି ଏହିଭଳି ବ୍ୟକ୍ତିମାନଙ୍କୁ ମଧ୍ୟ ଆମେ ରୁଗ୍‌ଣ ବୋଲି କହିପାରିବା । ଏମାନଙ୍କ ମଧ୍ୟରେ ଅଗ୍ନି ରହିଥାଏ; ମାତ୍ର, ଏମାନେ ସେହି ଅଗ୍ନିର ସୁଯୋଗ ନେଇ ପାରନ୍ତିନାହିଁ । ଏମାନଙ୍କ ଭିତରେ ମଧ୍ୟ କୁସୁମକଳିଟିଏ ଫୁଟିବ ବୋଲି ଅପେକ୍ଷା କରି ରହିଥାଏ, ମାତ୍ର ସେମାନେ ତାହାର ଭାଜନ ହୋଇ ପାରନ୍ତି ନାହିଁ । ଭିତର ଆଡ଼କୁ କବାଟ କିଳି ରଖିଥାନ୍ତି । ସବାଆଗ ଭିତର ଆଡ଼କୁ ବାଟ ଫିଟିଲେ ଯେ ମଣିଷ ଏହି ବାହାରେ ମଧ୍ୟ ଯାବତୀୟ ଅନ୍ତରଙ୍ଗତା ଲାଗି ଯୋଗ୍ୟ ହୁଏ, ସେମାନେ ସେହି ପାଠଟିକୁ ନାନା ଅନ୍ୟ ପ୍ରୟୋଜନରେ ପଡ଼ି ଭୁରୁଡ଼ାଇ ଦେବାରେ ଲାଗିଥାନ୍ତି । ଅତ୍ୟନ୍ତ ଦୁରାଗ୍ରହ ସହିତ ଆପଣାର ଅସଲ ଶ୍ରଦ୍ଧା ଅର୍ଥାତ୍ ଅସଲ ପ୍ରସ୍ଫୁଟନଗୁଡ଼ିକୁ ବାଟ ଓଗାଳି ରହିଥାନ୍ତି । ମନଃସ୍ତରରେ ନିଜର ବାସନାଗୁଡ଼ିକୁ ଅବଦମତି କରି ରଖିଥିବା ମଣିଷମାନେ ଯେପରି ବାହାରେ ସେମାନଙ୍କର ଏକାଧିକ ଆଚରଣରୁ ଧରା ପଡ଼ିଯାଆନ୍ତି, ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ଏକାଧିକ କାରଣକୁ ଆପଣାର ଚୈତ୍ୟ ସତ୍ତାଟିକୁ ଅବଦମତି କରି ରଖିଥିବା ମନୁଷ୍ୟମାନେ ଠିକ୍ ସେହିପରି ପ୍ରାୟ ପଦେପଦେ ଭାରି ଧରା ପଡ଼ିଯାଆନ୍ତି । ସଚରାଚର ସେହିମାନେହିଁ ବାହାରେ ଅତ୍ୟନ୍ତ ଅତିରଞ୍ଜିତ ଭାବରେ ଧାର୍ମିକ ହୁଅନ୍ତି, ଅତିରଞ୍ଜିତ ଭାବରେ ନିୟମଗୁଡ଼ାକୁ ମାନନ୍ତି ଏବଂ ନିୟମକଠୋର ହୁଅନ୍ତି । ଏବଂ, ଉନ୍ମୋଚନର କ୍ଷେତ୍ରମାନଙ୍କରେ ଅତ୍ୟନ୍ତ କୁଣ୍ଠିତ ଏବଂ କୃପଣ ହୋଇ ରହିଥାନ୍ତି । ପୁରୁଣାଗୁଡ଼ାକୁ ପରମ ପ୍ରେମରେ କାମୁଡ଼ି ଧରିଥାନ୍ତି ଏବଂ ତୁଣ୍ଡରେ ନୂଆର ସ୍ତବଗାନ କରୁଥାନ୍ତି । ବାଡ଼ଗୁଡ଼ାକ ଭିତରୁ ବାହାରି ଆସିବା ଲାଗି ସେମାନଙ୍କର ମୋଟେ ବଳ ପାଉ ନଥାଏ । ସେମାନେ ଖୁବ୍ ସମ୍ଭବ ସେହି ବାଡ଼ଗୁଡ଼ାକୁ ପ୍ରକୃତରେ ଭାରି ଭଲ ପାଉଥାନ୍ତି ।

 

ଆଧ୍ୟାତ୍ମିକ ଯାବତୀୟ ଚାରଣାର ପ୍ରକ୍ରିୟାଟି ସତକୁସତ ନିଜ ଭିତରେ ରହିଥିବା ଏହି ଚୈତ୍ୟ ସତ୍ତାଟିକୁ ଠାବ କରିବାରୁହିଁ ଆରମ୍ଭ ହୋଇଥାଏ । ଚୈତ୍ୟ ସତ୍ତା ପାଖରେ ସବାଆଗ ସମ୍ମତି ଦେବାକୁ ହୁଏ । ଏବଂ ତେଣୁ ଆପଣାର ଅଭ୍ୟସ୍ତ ମାପ ଏବଂ ବାଡ଼ଗୁଡ଼ିକୁ ଅତିକ୍ରମ କରି ବାହାରି ଆସିବାକୁ ହୁଏ । ଶ୍ରୀ ଅରବିନ୍ଦ ଚୈତ୍ୟସତ୍ତାକୁ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ରହିଥିବା ଏକ Spark ବା ଅଗ୍ନିକଣା ବୋଲି କହିଛନ୍ତି । ସେହି ଅଗ୍ନିକଣା ଲାଗି ନିଜର ସମ୍ମତି ଜଣାଇଲେ ତାହା ଏକ ଦୀପଶିଖାରେ ପରିଣତ ହୁଏ । ସେହି ଶିଖାଟିକୁ ଧରି ଆହୁରି ଆଗକୁ ଅର୍ଥାତ୍ ଆହୁରି ଗଭୀରକୁ ବାଟ ଚାଲିଲେ ତାହା ଆମ ଜୀବନରେ ଉତ୍ତରୋତ୍ତର ଭାବରେ ଏକାଧିକ ନବରସାୟନର କାରଣ ହୁଏ । ଆମକୁ ଆମର ଅସଲ ଘରେ ନେଇ ପହଞ୍ଚାଇ ଦିଏ, ଆମର ଅସଲ ଉଚ୍ଚତାଗୁଡ଼ିକ ପାଖରେ ନେଇ ହାବୁଡ଼େଇ ଦିଏ । ତା’ପରେ ଯେଉଁ ପରମ ସତ୍ୟ ଆମର ପାଖେପାଖେ ସର୍ବଦା ଅପେକ୍ଷା କରି ରହିଥାନ୍ତି, ତେଣିକି ତାଙ୍କ ସହିତ ବାଟ ଚାଲିବା ଆଦୌ କଷ୍ଟକର ହୁଏ ନାହିଁ । ସକଳ କପଟ କଟିଯାଏ, ସକଳ ଗ୍ରନ୍ଥିର ବିଭେଦନ ସମ୍ଭବ ହୁଏ, ସକଳ ସଂଶୟର ଅବସାନ ଘଟେ ।

 

ତେଣୁ, ଆମ ଭିତରେ ଆମର ଯେଉଁ ଅସଲ କେନ୍ଦ୍ର, ଅସଲ ଚେତନା ଓ ଅସଲ ସମ୍ଭାବନାଟି ଅବଦମିତ ହୋଇ ରହିଛି, ଆମେ ତାହାରି ପଟ ହୋଇ ପାରିଲେ ଯାଇ ଆମ ଜୀବନର ଯଥାର୍ଥ ଉଦୟ ସମ୍ଭବ ହୋଇପାରିବ । ଆମର ଯାବତୀୟ ନୈତିକ ଚାରଣା ଆମକୁ ବସ୍ତୁତଃ ସେହି ସୌଭାଗ୍ୟଟି ଲାଗି ଯୋଗ୍ୟ କରି ଆଣିପାରୁଥିବା ଉଚିତ । ଅସଲ ଘରଟି କିଳାହୋଇ ରହିଥିବ ଏବଂ ଆମେ ଆମର ସେହି ଦୁର୍ଦ୍ଦଶାଟିକୁ ପାସୋରି ଅନ୍ୟତ୍ର ବହୁ ଉତ୍ତେଜନା ଓ ମିଛ ଉତ୍ସାହ ମଧ୍ୟରେ ବିସ୍ମୃତ ହୋଇ ରହିଥିବା,-ଏହାଦ୍ଵାରା କଦାପି ଆମର କୌଣସି ମଙ୍ଗଳରେ ନିମିତ୍ତ ହେବା ସମ୍ଭବ ହେବନାହିଁ । ବିବର୍ତ୍ତନ ପରବର୍ତ୍ତୀ ସୋପାନଟିରେ ପରମ ବିଧାତାଙ୍କର ଯେଉଁ କାର୍ଯ୍ୟଗୁଡ଼ିକ ବର୍ତ୍ତମାନ ଆହ୍ଵାନରୂପେ ଅପେକ୍ଷା କରି ରହିଛି, ଆମ ଭିତରେ ଅସଲ କଳିଟିକୁ ଓ ଅସଲ ସମ୍ମତିଟିକୁ ଅବଦମିତ କରି ରଖିଥିବା ପର୍ଯ୍ୟନ୍ତ ଆମେ କଦାପି ସେଗୁଡ଼ିକରେ ନିମିତ୍ତରୂପେ ବ୍ୟବହୃତ ହୋଇ ପାରିବାନାହିଁ । ତେଣୁ ଏକ ନିଷ୍ପତ୍ତି ଗ୍ରହଣ କରିବାକୁ ହେବ । ଅବଦମିତମାନେ କଦାପି ନିମିତ୍ତ ହୋଇ ପାରନ୍ତି ନାହିଁ । ଯେଉଁମାନେ ଆପଣାର ଅସଲ ବନ୍ଧୁଟି ପାଖରୁ ଲୁଚି ଲୁଚି ବୁଲୁଥାଆନ୍ତି, ସେମାନେ କିପରି ଏହି ବିଶ୍ଵର ଆଦୌ କୌଣସି ନିୟତିର ଉଦ୍‌ଘାଟନରେ ସହଚାରୀ ହୋଇପାରିବେ ?

 

ଦି ଓଡ଼ିଆ ଅରୋଭିଲିଆନ୍, ଫେବୃଆରୀ, ୧୯୮୯

Image

 

“ସାବିତ୍ରୀ” ମହାକାବ୍ୟର ପରିଚିତି

 

ଶ୍ରୀ ଅରବିନ୍ଦ ମହାଯୋଗୀ ଥିଲେ, ସେ କବି ମଧ୍ୟ ଥିଲେ । ତାଙ୍କର କାବ୍ୟକାରିତା ତାଙ୍କ ସମଗ୍ର ଯୋଗସାଧନାର ସତେଅବା ଏକ ଅନ୍ତରଙ୍ଗ ଅଙ୍ଗ ହୋଇ ରହିଥିଲା । ଆମେ ମନ କଲେ ଶ୍ରୀଅରବିନ୍ଦଙ୍କର ଯୋଗ ଉପଲବ୍ଧି ଏବଂ କାବ୍ୟଉପଲବ୍ଧି ମଧ୍ୟରେ ଏକ ଅପୂର୍ବ ଅଥଚ ଅତି ସ୍ଵାଭାବିକ ସମତାଳତା ଲକ୍ଷ୍ୟ କରି ପାରିବା । ତାଙ୍କର ଯୋଗ ତାଙ୍କର କାବ୍ୟକୁ ପ୍ରେରଣା ଦେଇଥିଲା, ତାଙ୍କର କାବ୍ୟ ମଧ୍ୟ ତାଙ୍କ ଯୋଗଚକ୍ଷୁର ପରସ୍ତଗୁଡ଼ିକୁ ଉନ୍ମୀଳିତ କରିଦେବାରେ ହୁଏତ ସତତ ସାହାଯ୍ୟ କରୁଥିଲା । ଗୋଟିଏ କଥାରେ ଏପରି ମଧ୍ୟ କୁହାଯାଇପାରିବ ଯେ, ଶ୍ରୀ ଅରବିନ୍ଦ ଯୋଗସାଧନାରେ ଯାହାର ନିକଟବର୍ତ୍ତୀ ହେଉଥିଲେ ଓ ଯେଉଁ ଶିଖର ଉପରେ ଲୟ ରଖିଥିଲେ, ତାଙ୍କର ସାହିତ୍ୟ ଓ ତାଙ୍କର କାବ୍ୟ ମଧ୍ୟ ତାଙ୍କୁ ଠିକ୍ ତାହାରି ନିକଟବର୍ତ୍ତୀ କରି ଆଣୁଥିଲା । ତାଙ୍କୁ ସେହି ଶିଖର-ସ୍ପର୍ଶର ଆହ୍ଵାନ ଦେଇ ଯାଉଥିଲା ।

 

ଯେକୌଣସି ସାହିତ୍ୟରେ ସର୍ବଦା ଏକ ଦାର୍ଶନିକ ଦୃଷ୍ଟିଭଙ୍ଗୀ ଅବଶ୍ୟ ରହିଥାଏ । ତେଣୁ ଶାସ୍ତ୍ରୀୟ ଦର୍ଶନଗୁଡ଼ିକ ଅନୁସାରେ ଅନେକ ସମୟରେ କାବ୍ୟ ଓ ସାହିତ୍ୟର ବିଭିନ୍ନ ପ୍ରକାର ସମୀକ୍ଷା ମଧ୍ୟ କରାଯାଇଥାଏ । ଇଉରୋପୀୟ ପରମ୍ପରାରେ ଯାହାକୁ ‘philosophy’ ବୋଲି କହନ୍ତି, ତାହାର ଆକ୍ଷରିକ ଅର୍ଥ ହେଉଛି ଜ୍ଞାନରେ ଓ ଜ୍ଞାନମୀମାଂସାରେ ଶ୍ରଦ୍ଧା । ଭାରତୀୟ ପରମ୍ପରାରେ ଯାହାକୁ ଦର୍ଶନ ବୋଲି କୁହାଯାଇଛି, ତାହାର ଅସଲ ଅର୍ଥ ହେଉଛି ଜ୍ଞାନର ଉପଲବ୍ଧି ଜ୍ଞାନର ଦର୍ଶନ; ସତ୍ୟର କେବଳ ଅଧ୍ୟୟନ ନୁହେଁ, କେବଳ ସତ୍ୟର ଶ୍ରଦ୍ଧା ନୁହେଁ, ସତ୍ୟର ଦର୍ଶନ ।

 

ଶ୍ରୀଅରବିନ୍ଦ ଆହୁରି ପାଦେ ଆଗକୁ ଯାଇ ତାହାକୁ ସତ୍ୟର ସ୍ପର୍ଶନ ବୋଲି କହିଛନ୍ତି । ଅର୍ଥାତ୍, ସତ୍ୟକୁ କେବଳ ଆଘ୍ରାଣ କରାଯାଏନାହିଁ । କେବଳ ଦୂରରେ ଥାଇ ଦର୍ଶନ କରାଯାଏନାହିଁ, ସତ୍ୟକୁ ଉପଲବ୍ଧି କରାଯାଏ । ସତ୍ୟକୁ ଜୀବନରେ ବଞ୍ଚିବାକୁ; ଅଙ୍ଗେ ନିଭାଇ ସତ୍ୟକୁ ସଙ୍ଗୀ କରି, ଜୀବନରେ ଈପ୍ସିତ ଶିଖରଗୁଡ଼ିକୁ ଆରୋହଣ କରିହୁଏ । ଏହିପରି ଏକ ସଂଜ୍ଞାର ଭୂମି ଉପରେ ସାହିତ୍ୟ ଏବଂ ଯୋଗ ମଧ୍ୟ ଆଦୌ କୌଣସି ଫରକ ରହେନାହିଁ । ଯୋଗ ସାହିତ୍ୟକୁ ପ୍ରବୁଦ୍ଧ କରେ, ସାହିତ୍ୟ ଓ କାବ୍ୟ ଯୋଗସାଧନାର ପୃଷ୍ଠଭୂମି ଉପରେ ସତେଅବା ଫୁଲଟିଏ ପରି ଫୁଟି ଆସୁଥାଏ, ଉକୁଟି ଆସୁଥାଏ । ଶ୍ରୀଅରବିନ୍ଦଙ୍କ କାବ୍ୟସାଧନା ତଥା ଯୋଗସାଧନାକୁ ଆମେ ଠିକ୍ ଏହିପରି ଏକ ଅର୍ଥରେ ବୁଝିବାକୁ ଚେଷ୍ଟା କରିବା, ତେବେଯାଇ ତାଙ୍କର କାବ୍ୟ ଓ ଯୋଗକୁ ମଧ୍ୟ ଏକ ପୂର୍ଣ୍ଣତର ପ୍ରସ୍ଥ ଦେଇ ବୁଝିବା ଲାଗି ସମର୍ଥ ହେବା ।

 

ଶ୍ରୀଅରବିନ୍ଦଙ୍କ କାବ୍ୟଚର୍ଚ୍ଚା ଓ କାବ୍ୟରଚନା ତାଙ୍କ ମନୀଷା ଏବଂ ପ୍ରତିଭାର ଏକାବେଳେକେ ଉନ୍ମେଷବେଳର । ଇଂଲଣ୍ଡରେ ଆପଣାର ଛାତ୍ରାବସ୍ଥାରୁହିଁ ସେ କବିତା ଓ ନାଟକ ଲେଖିବା ଆରମ୍ଭ କରି ଦେଇଥିଲେ । ସେ ସାନ ଓ ବଡ଼ ଅଜସ୍ର କବିତା ଲେଖିଛନ୍ତି । ସେ ବେଦରେ ଥିବା ସ୍ତୋତ୍ରଗୁଡ଼ିକର ଅନୁବାଦ କରିଛନ୍ତି । ତାଙ୍କର ଆଧ୍ୟାତ୍ମିକ ଦୃଷ୍ଟିର କ୍ରମୋତ୍ତର ପ୍ରକ୍ରିୟା ଉପରେ ପ୍ରାଚ୍ୟ ତଥା ପାଶ୍ଚାତ୍ୟ ଉଭୟ ଜୀବନ-ଆବେଦନର ସ୍ପଷ୍ଟ ପ୍ରଭାବ ପଡ଼ିଛି । ଯେଉଁ ସଂସ୍କୃତିରେ ଯାହାକିଛି ସର୍ବୋତ୍ତମ, ଯାହାକିଛି ସ୍ଥାୟୀ ମୂଲ୍ୟର, ଆପଣାର ଉପଲବ୍ଧିକ୍ରମରେ ଶ୍ରୀଅରବିନ୍ଦ ସେଥିରେ ଏକ ଅଭୂତପୂର୍ବ ସମନ୍ଵୟ ସମ୍ଭବ କରିଛନ୍ତି ଏବଂ ତାଙ୍କର ଯାବତୀୟ କାବ୍ୟକବିତାରେ ସେହି ସମନ୍ଵୟ ଅତ୍ୟନ୍ତ ଜୀବନମୟ ଓ ସତ୍ୟଦୀପ୍ତ ଭାବରେ ପ୍ରାଞ୍ଜଳ ହୋଇ ପାରିଛି ।

 

‘ସାବିତ୍ରୀ’ ମହାକାବ୍ୟ ତାଙ୍କର ଶେଷ ଲେଖା । ଅଧିକ ନିର୍ଭୁଲ ଭାବରେ କହିଲେ । ତାଙ୍କର ଜୀବନଯାକର ଲେଖା । ସିଏ ନିଜେ କହିଛନ୍ତି ଯେ, କାବ୍ୟଟିକୁ ସେ ପ୍ରାୟ ସାତ ଆଠଥର ଚିଠା କରିଛନ୍ତି, ବାରମ୍ବାର ସଂଶୋଧନ କରିଛନ୍ତି । କାବ୍ୟର କଳ୍ପନାଟି ତାଙ୍କର ପ୍ରେରଣାର ପର୍ଦ୍ଦା ଉପରେ ଆସି ଉକୁଟିବାକୁ ଆରମ୍ଭ କରିବାର ସେହି ପ୍ରଥମକାଳର କାବ୍ୟଟି ସତକୁସତ ତା’ର ବର୍ତ୍ତମାନ ରୂପଟିକୁ ଧାରଣ କରିବା ପର୍ଯ୍ୟନ୍ତ ପ୍ରାୟ ପଚାଶବର୍ଷ ସମୟ ଲାଗିଛି । ସାଧକ ଶ୍ରୀଅରବିନ୍ଦ ସାଧନାର ନୂତନ ନୂତନ ଶିଖରକୁ ଆରୋହଣ କରି ଯାଉଥିବା ସଙ୍ଗେସଙ୍ଗେ ତାଙ୍କର ଏହି ମହାକାବ୍ୟଟିର ପରିମିତିଟି ମଧ୍ୟ କେତେମନ୍ତେ ପରିବର୍ତ୍ତିତ ଏବଂ ପ୍ରସାରିତ ହୋଇ ଯାଇଛି । ତେଣୁ ‘ସାବିତ୍ରୀ’ କାବ୍ୟର ଅନୁଶୀଳନ କଲାବେଳେ ପାଠକ ନିଜଭିତରେ ଏପରି ଏକ ଗତିଶୀଳତା ଅନୁଭବ କରିଥାଏ, ଯାହାକି ବିଶ୍ଵର ଅନ୍ୟ ଅନେକ ମହାକାବ୍ୟର ସମ୍ପର୍କରେ ଆସିଲାବେଳେ ସାଧାରଣତଃ ମୋଟେ ଅନୁଭୂତ ହୁଏନାହିଁ । ପ୍ରାୟ ଚବିଶ ହଜାର ପଂକ୍ତିରେ ସମ୍ପୂର୍ଣ୍ଣ ହୋଇଥିବା ଏହି ମହାକାବ୍ୟ ମହାଭାରତର ସାବିତ୍ରୀ ସତ୍ୟବାନ ଉପାଖ୍ୟାନଟିକୁ ଅଧାର କରି ରଚିତ ହୋଇଛି-। ସମସ୍ତ ଉପାଖ୍ୟାନଟିକୁ ଶ୍ରୀଅରବିନ୍ଦ ଏକ ପ୍ରତୀକରୂପେ ବ୍ୟବହାର କରିଛନ୍ତି । ମହାକାବ୍ୟଟିରେ କାବ୍ୟର ଯାବତୀୟ ଉପାଦାନ ରହିଛି । ମନୁଷ୍ୟର ଜୀବନ ଏବଂ ନିୟତି ବିଷୟରେ ଏଥିରେ ଏକ ଭବିଷ୍ୟତ୍‍ ଚିତ୍ର ପରିସ୍ଫୁଟ ହୋଇ ଉଠିଛି ଏବଂ, ସ୍ୱସାଧନାର କ୍ରମରେ ଶ୍ରୀଅରବିନ୍ଦର ଯେଉଁସବୁ ଆଧ୍ୟାତ୍ମିକ ସ୍ତରକୁ ଅତିକ୍ରମ କରି ଗତି କରିଛନ୍ତି, ସେଗୁଡ଼ିକ ମଧ୍ୟ ଅତ୍ୟନ୍ତ ପ୍ରାଣବନ୍ତ ଭାବରେ ପ୍ରତିଫଳିତ ହୋଇଛି । ସେଥିଲାଗି ‘ସାବିତ୍ରୀ’କୁ କେତେ କେତେ ସମୀକ୍ଷକ ଇଂରାଜୀ ଭାଷାରେ ଲିଖିତ ସବୁଠାରୁ ଅଧିକ ମହନୀୟ ଏକ ମହାକାବ୍ୟ ବୋଲି କହିଛନ୍ତି । ମନୁଷ୍ୟକୁ ତା’ର ଏହି ମନୋଭୂମିରୁ ପରମସତ୍ୟ ଓ ପରମ ଦିବ୍ୟତା ଆଡ଼କୁ ଉତ୍ତୋଳିତ କରି ନେବାଭଳି ଏପରି ଶକ୍ତିଶାଳୀ କଳାମୟ କାବ୍ୟ ପୃଥିବୀରେ ଆଉ କେବେହେଲେ ସମ୍ଭବ ହୋଇନାହିଁ ବୋଲି ଅନ୍ୟ ସମୀକ୍ଷକମାନେ ମଧ୍ୟ ମତ ଦେଇଛନ୍ତି ।

 

ମନୁଷ୍ୟର ଏହି ଜୀବନକୁ ସାଧାରଣତଃ ନଶ୍ଵର ବୋଲି ବର୍ଣ୍ଣନା କରାଯାଇଛି । ମନୁଷ୍ୟକୁ ମାପୁଥିବା ଶ୍ରେଷ୍ଠ ବୁଦ୍ଧିମାନ୍‍ମାନେ ତାକୁ ଅତ୍ୟନ୍ତ ଅଳ୍ପସମର୍ଥ ବୋଲି କହିଛନ୍ତି । ପାରମ୍ପରିକ ବିଜ୍ଞାନ ମନୁଷ୍ୟକୁ ମୂଳତଃ ଅର୍ଥାତ୍ ଧର୍ମତଃ ଏକ ପଶୁ ବୋଲିହିଁ କଳ୍ପନା କରିଛି ଏବଂ ଇତର ପ୍ରାଣୀମାନଙ୍କ ସହିତ ତାକୁ ଗୋଟିଏ ନିକିତିରେ ପକାଇ ତା’ଭିତରେ ନିହିତ ହୋଇ ରହିଥିବା ଅସଲ ଐଶ୍ଵର୍ଯ୍ୟଟିର ସମ୍ଭାବନା ବିଷୟରେ ଭାରି ସନ୍ଦେହ ପ୍ରକାଶ କରିଛି । ଶ୍ରୀଅରବିନ୍ଦ ମନୁଷ୍ୟକୁ ଅନ୍ୟପ୍ରକାରେ ଦେଖିଛନ୍ତି ଓ ତେଣୁ ଅନ୍ୟପ୍ରକାରେ କଳନା ମଧ୍ୟ କରିଛନ୍ତି । ମନୁଷ୍ୟ ଯାହା ହେବ, ତାହା ସେହି ବିରାଟ ଭିତରେହିଁ ପ୍ରଚ୍ଛନ୍ନ ହୋଇ ରହିଛି । ବିବର୍ତ୍ତନର ପ୍ରକ୍ରିୟାରେ ଚେତନା ଏବେସୁଦ୍ଧା ମନୋମୟ ମନୁଷ୍ୟର ଭୂମି ପର୍ଯ୍ୟନ୍ତ ଆସିଛି ସତ, ମାତ୍ର ତାହାହିଁ କଦାପି ତା’ର ସର୍ବଶେଷ ନିୟତି ନୁହେଁ । ଏହି ସୋପାନଟିର ସେପାଖକୁ ଏକ ଦିବ୍ୟ ଜୀବନର ସୋପାନ ରହିଛି । ମାନସର ସେପାଖକୁ ଅତିମାନସ ରହିଛି; ଶରୀର, ପ୍ରାଣିକ ଓ ମନଃସତ୍ତାର ମୂଳ ପ୍ରେରକରୂପେ ଚୈତ୍ୟସତ୍ତା ବିଦ୍ୟମାନ ରହିଛି । ମନୋମୟ ଚେତନା ଦିବ୍ୟ ଚେତନାକୁ ବିବର୍ତ୍ତିତ ହୋଇଯିବ । ଆପଣାର ବିବର୍ତ୍ତନ ପଥରେ ଯଥୋଚିତ ଭାବରେ ସମ୍ମତି ହୋଇ ପାରିଲେ ମନୁଷ୍ୟ ଦିବ୍ୟଚେତନାର ବାହନ ହୋଇ ପାରିବ । ତାହାହିଁ ହେଉଛି ଏହି ମନୁଷ୍ୟର ପରବର୍ତ୍ତୀ ନିୟତି । ବିଶ୍ଵର ପରିବର୍ତ୍ତନରେ ସେହି ଦିବ୍ୟ ଚେତନାହିଁ ଅନୁମନ୍ତା ଓ ନିର୍ମାତାରୂପେ କାର୍ଯ୍ୟ କରିବ ।

 

ଏହି ସୋପାନଟିକୁ ଉଠିଯିବା ନିମନ୍ତେ ଯେଉଁ ଅଭୀପ୍ସାଶକ୍ତି ଓ ଯେଉଁ ତପସ୍ୟା ଆବଶ୍ୟ, ‘ସାବିତ୍ରୀ’ ମହାକାବ୍ୟରେ ତାହାରି କଥା କୁହାଯାଇଛି । ‘ସାବିତ୍ରୀ’ର ପ୍ରତୀକଗୁଡ଼ିକ ବିଷୟରେ ଶ୍ରୀଅରବିନ୍ଦଙ୍କର ନିଜ ଭାଷାରେ କହିଲେ “ସାବିତ୍ରୀଙ୍କର ସ୍ଵାମୀ ସତ୍ୟବାନ ହେଉଛନ୍ତି ମାନବଆତ୍ମାର ପ୍ରତୀକ । ସେହି ଆତ୍ମା ଆପଣା ଭିତରେହିଁ ଜୀବନର ଦିବ୍ୟ ସତ୍ତାଟିକୁ ବହନ କରି ରହିଛି, ମାତ୍ର ଏଠାରେ ତାହା ମୃତ୍ୟୁ ଓ ଅଜ୍ଞାନର କବଳରେ ପଡ଼ିଯାଇଛି । ସାବିତ୍ରୀ ଦିବ୍ୟ ଓ ପରମ ସନ୍ଦେଶର ବାଣୀର ପ୍ରତୀକ । ସେ ସୂର୍ଯ୍ୟଦୁହିତା, ସର୍ବୋଚ୍ଚ ପରମସତ୍ୟର ପ୍ରତିନିଧିରୂପିଣୀ ଦେବୀ, ଯିଏ ଏହି ମର୍ତ୍ତ୍ୟଧାମକୁ ଓହ୍ଲାଇ ଆସିଛନ୍ତି । ଏହି ଜଗତକୁ ରକ୍ଷା କରିବାଲାଗି ଅର୍ଥାତ୍ ତାକୁ ତାହାର ଅସଲ ପ୍ରତିଷ୍ଠା ମଧ୍ୟକୁ ଉତ୍ତୋଳିତ କରିନେବାକୁ ସେ ଏଠାରେ ଜନ୍ମଗ୍ରହଣ କରିଛନ୍ତି । ଇହଜଗତର ସେହି ସାବିତ୍ରୀଙ୍କର ପିତା ଅଶ୍ଵପତି ହେଉଛନ୍ତି ତପସ୍ୟାର ପ୍ରତୀକ । ସେ ତପସ୍ୟାର ଅଧିପତି; ଆଧ୍ୟାତ୍ମିକ ସକଳ ଉଦ୍ୟମ ଓ ପ୍ରୟାସର ମୂର୍ତ୍ତିମନ୍ତ ଶକ୍ତି, ଯାହାକି ଆମକୁ ଏହି ମରଣଶୀଳ ଭୂମିଗୁଡ଼ିକ ମଧ୍ୟରୁ ଅମରତ୍ଵର ଭୂମିଗୁଡ଼ିକ ମଧ୍ୟକୁ ଉତ୍ତୋଳିତ କରିନେବାରେ ସହାୟତା କରୁଛି । ଏବଂ, ସତ୍ୟବାନଙ୍କର ପିତା ଅନ୍ଧରାଜା ଦ୍ୟୁମତ୍‌ସେନ୍ ହେଉଛନ୍ତି ସେହି ଦିବ୍ୟ ସମ୍ଭାବନାଯୁକ୍ତ ମନୁଷ୍ୟମାନସର ପ୍ରତୀକ ଯାହାକି ଏଠାରେ ଏହି ନାନା ଖଣ୍ଡିତତା ତଥା କଷଣ ଭିତରେ ପଡ଼ି ରହିଛି, ଚକ୍ଷୁ ହରାଇଛି, ଆପଣାର ଦୃଷ୍ଟିରେ ସେହି ସ୍ଵର୍ଗୀୟ ରାଜ୍ୟଟିକୁ ହରାଇ ବସିଛି ଏବଂ ସେହି ହରାଇ ବସିବା ହେତୁହିଁ ଆପଣାର ଯାବତୀୟ ଗୌରବ ତଥା ଐଶ୍ଵର୍ଯ୍ୟର ରାଜ୍ୟଟିକୁ ମଧ୍ୟ ସେ ହାରାଇ ବସିଛି ।”

 

‘ସାବିତ୍ରୀ’ ମହାକାବ୍ୟରେ ଶ୍ରୀଅରବିନ୍ଦର ଯେଉଁ ମାନବନିୟତିଟିର ପ୍ରତ୍ୟକ୍ଷ କରିଛନ୍ତି, ତାହା ତା’ର ଏହି ବର୍ତ୍ତମାନ ନିୟତି ଆଦୌ ନୁହେଁ । ତା’ର ବର୍ତ୍ତମାନର ନିୟତି ବହୁ ଅସହାୟତାଦ୍ଵାରା ଜର୍ଜର ହୋଇ ରହିଛି । ବର୍ତ୍ତମାନ କ୍ଷୀଣଶକ୍ତି ମନୁଷ୍ୟ ଆପଣାକୁ କେତେ ଅଳ୍ପ ବୋଲି ଧରିନେଇ ଆପଣାକୁ ତାହାରି ଏହି ସୀମାଗୁଡ଼ିକ ମଧ୍ୟରେ କେତେ କ୍ଷୁଦ୍ର ଓ ଅଳ୍ପବଳ କରି ରଖିଛି । ଆପଣାକୁ କେଡ଼େ ଦୟନୀୟ ଭାବରେ ବହୁ ବିକ୍ଷୋଭଦ୍ଵାରା ଦୀନ ଓ ଦୁର୍ବଳ କରି ରଖିଛି ଏବଂ ଏହି ସମଗ୍ର ପୃଥିବୀକୁ ମଧ୍ୟ ବିକ୍ଷୁବ୍ଧ କରି ରଖିବାରେ କେତେ ମିଛ ପରାକ୍ରମ ଦେଖାଇବାରେ ଲାଗିଛି । ଆପଣା ମଧ୍ୟରେ ପରମଜୀବନର ସମ୍ଭାବନାକୁ ବହନ କରୁଥିଲେ ମଧ୍ୟ ସେ ଏଠାରେ ସତେଅବା ମୃତ୍ୟୁର, କ୍ଷୟର ଏବଂ ବହୁ ବିଲୟର ଦାସ ହୋଇ ରହିଛି । ତା’ର ଏହି ବହୁବିଭାଜିତ ମନର ଆୟତନ ଯେତିକି, ସେ ଆପଣାର ପୃଥିବୀକୁ ଓ ସେହି ପୃଥିବୀର ନିୟତିଟିକୁ ମଧ୍ୟ ପ୍ରାୟ ସେତିକି ଭିତରେ କଳନା କରୁଛି, ପ୍ରାୟ ସେତିକି ଭାଗ୍ୟର ଆୟତନ ଭିତରେ ରଖିଛି । ତା’ର ଏହି ଭୂମିର ଜ୍ଞାନ ଓ ବିଜ୍ଞାନଗୁଡ଼ିକ ମଧ୍ୟ ତାକୁ ବିବର୍ତ୍ତନର ଏତିକି ସିଡ଼ି ଭିତରେ କେଡ଼େ ସମ୍ମୋହିତ ଭାବରେ ଅଳପ ଓ ଅନ୍ୟତମ କରି ରଖିଛନ୍ତି । ତାକୁ ତା’ର ଅସଲ କେନ୍ଦ୍ର ଏବଂ ଅସଲ ଉଦୟଟି ବିଷୟରେ ଏକାବେଳେକେ ଅନବଗତ କରି ରଖିଛନ୍ତି ।

 

ତେଣୁ, ଆପଣା ଚେତନାର ଅସଲ କେନ୍ଦ୍ରଟିକୁ ଠାବ କରି ତାହାରି ଆବଶ୍ୟକତା ଅନୁସାରେ ଆପଣାର ପରିଧିଗୁଡ଼ିକୁ ପ୍ରସାରିତ କରି ପାରିବାରେହିଁ ଏହି ସଙ୍କଟର ସମାଧାନ ନିହିତ ହୋଇ ରହିଛି । ଏହି ଦୃଷ୍ଟିରୁ ଆକଳନ କରି ଦେଖିଲେ ଆମ ଜୀବନର ଅସଲ ନାଟକଟି ହେଉଛି ଅନ୍ଧକାର ଏବଂ ଆଲୋକ ମଧ୍ୟରେ, ମିଥ୍ୟା ଏବଂ ସତ୍ୟ ମଧ୍ୟରେ ତଥା ମୃତ୍ୟୁ ଏବଂ ଅମୃତତ୍ଵ ମଧ୍ୟରେ ଲାଗି ରହିଥିବା ସେହି ଚିରନ୍ତନ ସଂଘର୍ଷର ନାଟକ ସେହି ସଂଘର୍ଷର ଅନ୍ୟ ନାମ ହେଉଛି ତପସ୍ୟା । ପରିବର୍ତ୍ତନର ସମ୍ଭାବନା ତଥା ବିଜୟର ଯେଉଁ ପରବର୍ତ୍ତୀ ନିୟତିଗୁଡ଼ିକ ବିବର୍ତ୍ତନର ଉତ୍ତରୋତ୍ତର କ୍ରମରେ ଆମର ଶ୍ରେଷ୍ଠତମ ଅଭୀପ୍ସା ଲାଗି ଅପେକ୍ଷା କରି ରହିଛି, ଆମର ଚେତନା ଓ ବିଶ୍ଵନିୟନ୍ତାଙ୍କର କରୁଣାକୁ ଆମ ବିଶ୍ଵାସର ଅସଲ ଅବଲମ୍ବନରୂପେ ଗ୍ରହଣ କରି ଏବଂ ବିଶ୍ଵନିୟତି ସହିତ ସହଯୋଗ କରି ଆମେ ବର୍ତ୍ତମାନର ଏହି ଖଣ୍ଡ ଆୟତନଗୁଡ଼ିକୁ ଅତିକ୍ରମ କରିଯାଇପାରିବା ଓ ସେଠାରେ ଯାଇ ପହଞ୍ଚି ପାରିବା ।

 

“ସାବିତ୍ରୀ” ମହାକାବ୍ୟରେ ମୃତ୍ୟୁ ଉପରେ ସେହି ବିଜୟଟିର କଥାଟିକୁ ଘୋଷଣା କରାଯାଇଛି । “ସାବିତ୍ରୀ” ଏକ ମହାକାବ୍ୟର ସକଳ ଦିଗ୍‍ବିସ୍ତାର ଏବଂ ସକଳ ମାଧୁର୍ଯ୍ୟ ସହିତ ମନୁଷ୍ୟାତ୍ମାର କ୍ରମୋତ୍ତର ଅବଶ୍ୟମ୍ଭାବୀ ପରିଣତିଗୁଡ଼ିକର ଐଶ୍ଵର୍ଯ୍ୟଟିକୁ ଯଥାର୍ଥ ବାସନା ଥିବା ଆମ ସମସ୍ତଙ୍କର ସମ୍ମୁଖରେ ଉଦ୍‍ଘାଟିତ କରିଦେଇଛି । ଆମର ଅସଲ ଉତ୍‌ପ୍ରେରକଟି ଆମରି ଭିତରେ ରହିଛି । “ସାବିତ୍ରୀ” ଆମରି ଭିତରେ ଶକ୍ତିରୂପେ ଅବସ୍ଥିତ ରହିଛି, ଅଗ୍ନିରୂପେ ରହିଛି, ଏଥିକୁ ନେଇ ସେଠା ସହିତ ଯୋଡ଼ିବାର ସ୍ଵର୍ଣ୍ଣସେତୁ ହୋଇ ରହିଛି । ଆମ ପରିତ୍ରାଣ ଅର୍ଥାତ୍ ବିମୋଚନର ଅସଲ ବୀଜଟି ଆମରି ଭିତରେ ରହିଛି । ଅଶ୍ଵପତିର ତପସ୍ୟାଦ୍ଵାରା ଆମେ ତାହାକୁ ଅନୁଭବ କରିବା, ତାହାକୁ ପୁରୋଭାଗକୁ ଆଣିବାଲାଗି ସତକୁସତ ଇଚ୍ଛା କରିବା, ସତକୁସତ ବ୍ୟାକୁଳ ହେବା । ତେବେ ଯାଇ ଆମେ ଜୀବନ ଓ ସମଗ୍ର ପୃଥିବୀର ଜୀବନରୂପୀ ସତ୍ୟବାନକୁ ବର୍ତ୍ତମାନର ଦୁର୍ଦ୍ଦାନ୍ତ ଆହ୍ଵାନଟି ଭିତରୁ ମୁକୁଳାଇ ଆଣିପାରିବା, ଆପେ ସଚଳ ହୋଇ ଆମକୁ ନିମିତ୍ତ କରି ଆଗକୁ ଯିବାଲାଗି ଅପେକ୍ଷା କରିଥିବା ବିବର୍ତ୍ତନକୁ ଅଗ୍ରସର କରାଇନେବା ।

 

ଚେତନାର ସେହି ଅନୁଲମ୍ବ ବିବର୍ତ୍ତନଟିକୁ ସମ୍ଭବ କରି ପାରିବା,–ଆମରି ସେହି ଅତିକ୍ରମଣଟି ଲାଗି ଆମ ଭିତରେ ଏକ ପରମ ଦିବ୍ୟତା ଅପେକ୍ଷା କରି ରହିଛି । ସିଏ ପ୍ରଚ୍ଛନ୍ନ ହୋଇ ରହିଛି, ମାତ୍ର ଅପେକ୍ଷା କରି ରହିଛି । ଏହି ଅର୍ଥରେ “ସାବିତ୍ରୀ” ମହାକାବ୍ୟକୁ ଆମେ ଏକ ଭବିଷ୍ୟକାବ୍ୟ ବୋଲି କହିପାରିବା, ଭବିଷ୍ୟଦର୍ଶନର ଏକ କାବ୍ୟ ବୋଲି କହି ପାରିବା ।

 

ଉପସଂହାର କରି କହିଲେ, “ସାବିତ୍ରୀ” ମହାକାବ୍ୟରେ ଏପରି ଏକ ଉଷାର ମହନୀୟ ବାର୍ତ୍ତାକୁ ଅଭିବ୍ୟକ୍ତି କରି ଅଣାଯାଇଛି, ଯାହାକି ବର୍ତ୍ତମାନର ଅନ୍ଧକାର ଉପରେ ବିଜୟ ଲାଭ କରିବା ନିମନ୍ତେ ଆମକୁ ନିମିତ୍ତ କରି କ୍ରମପ୍ରକଟ ହେବାରେ ଲାଗିଛି । ଏହି ଉଷା କ୍ରମେ ସତ୍ୟତର ହେବ । ମନୁଷ୍ୟର ତପସ୍ୟାଦ୍ଵାରା ଅଧିକରୁ ଅଧିକ ମୂର୍ତ୍ତ ହୋଇ ଉଠିବ ଏବଂ ଭବିଷ୍ୟରୂପୀ ସେହି ମହୋଜ୍ଜ୍ୱଳ ମଧ୍ୟାହ୍ନ ଲାଗି ବାଟ ଫିଟାଇଦେବ । ଆମରି ଜୀବନ ମଧ୍ୟରେ ସେହି ଉଷାରହିଁ ଜୟ ହେଉ; ବିବର୍ତ୍ତନ ଆଗକୁ ଯିବାରେ ଲାଗିଥାଉ ।

 

‘ଦିବ୍ୟଝର’, ଜୁନ୍ ୧୮୮୯

Image

 

ନବଯୁଗ

 

ନବଯୁଗ କେଉଁଠାରେ ଆଗରୁ ତିଆରି ହୋଇ ରହିନଥାଏ ଯେ ଆମେ ଏଡ଼େ ପାଟିକରି ଡାକିବାମାତ୍ରକେ ଆମ ହାତରେ ଆସି ଖସିପଡ଼େ । ନବଯୁଗର ଆବାହନ କରିବାକୁ ପଡ଼େ । ଅର୍ଥାତ୍ ନବଯୁଗ ଆସୁ ବୋଲି ଇଚ୍ଛା କରିବାକୁ ପଡ଼େ । ସତକୁସତ ଇଚ୍ଛା କରିବାକୁ ପଡ଼େ । ନିଜର ଅନ୍ତର ଭିତର ଇଚ୍ଛା କରିବାକୁ ପଡ଼େ । ନିଜ ଭିତରେ ରହିଥିବା ସର୍ବୋତ୍ତମ ସତ୍ୟଟି ସହିତ ଖିଅ ଲଗାଇ ପାରିଲେ ଯାଇ ଅନ୍ତର ଭିତରୁ କିଛି ଇଚ୍ଛା କରିବା ସମ୍ଭବ ହୁଏ । ସେହି ଖିଅଟି ଲାଗିଯାଇ ପାରିଲେ ସବୁ ସହଜ ହୋଇଯାଏ । ଯାହାର ଜୀବନରେ ଏହିପରି ଭାବରେ ସବୁ ସହଜ ହୋଇଯାଇଛି, ଅର୍ଥାତ୍ ଯିଏ ସତକୁସତ ତାଙ୍କରି କାମ ଲାଗି ବଛା ହୋଇ ଏହି ପୃଥିବୀରେ ଜୀବନଧାରଣ କରୁଛି ବୋଲି ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନୁଭବ କରିପାରୁଛି, ତାକୁ ନବଯୁଗ ଆସୁ ବୋଲି ଆଦୌ କୌଣସି ଘଣ୍ଟା ବାଡ଼େଇବାକୁ ପଡ଼େ ନାହିଁ । ନାଗରା ପିଟିବା ହେଉଛି ଏକାବେଳେକେ ଏକ ଅନ୍ୟ ଧାତୁର ମଣିଷର କାମ; ସମ୍ମତ ମଣିଷ, ବଛା ହୋଇଥିବା ମଣିଷ ମୋଟେ ନାଗରା ପିଟେ ନାହିଁ ।

 

ନବଯୁଗଟିଏ ମନ କଲେ ସବାଆଗ ଆମର ସକଳ ଆଖି ନିଜର ଭିତରକୁ ଚାଲିଯାଏ । ଭିତରେ ଅତ୍ୟନ୍ତ ସହଜ ଭାବରେ ଏପରି ଗୋଟିଏ ସ୍ଥାନରେ ଠାବ ମିଳିଯାଏ, ଯାହାକି ତାଙ୍କର ଆସ୍ଥାନଟିଏ ହେବ ବୋଲି ଅପେଷା କରି ରହିଥାଏ । ଆମ ଭିତରେ ସେ ଅପେକ୍ଷା କରି ରହିଥାନ୍ତି-। ବାହାରେ ଆମେ ଯାହାଙ୍କୁ କେତେ ନା କେତେ କୋଳାହଳ କରି ଖୋଜୁଥିଲୁ ଭିତରେ ସତକୁସତ ସେଇ ଅପେକ୍ଷା କରି ରହିଥାନ୍ତି, ଆମର ସମ୍ମତି ଲାଗି କେତେ ଅନୁରାଗର ସହିତ ଅପେକ୍ଷା କରି ରହିଥାନ୍ତି । ତାଙ୍କୁ ସତକୁସତ ମନ କଲେ ସିଏ ସବାଆଗ ସେଇ ଭିତରେ ଦେଖା ଦିଅନ୍ତି; ଜନନୀରୂପେ ଦେଖାଦିଅନ୍ତି, ବନ୍ଧୁ ଭଳି ଦେଖାଦିଅନ୍ତି, ଅତି ପାଖରେ ଠିଆ ହୋଇଥିବା ପରି ପ୍ରତ୍ୟକ୍ଷ ହୁଅନ୍ତି । ସିଏ ଆମର ଅତି ପାଖରେ ଏକ ଅତି ସହଜ ନୈକଟ୍ୟରେ ବନ୍ଧୁଭଳି ଠିଆ ହୋଇ ରହିଛନ୍ତି, ଅପେକ୍ଷା କରି ରହିଛନ୍ତି । ଜୀବନର ଯାବତୀୟ ମୁହୂର୍ତ୍ତରେ ସେହି କଥାଟିକୁ ଅନୁଭବ କରିପାରିବା–ତାହାହିଁ ହେଉଛି ତାଙ୍କର କରୁଣା, ଆମ ବାଡ଼ଗୁଡ଼ାକ ଉଠିଗଲେ ସେହି କରୁଣା ଆମକୁ ଏକାବେଳେକେ ପ୍ରତ୍ୟକ୍ଷ ହେବାକୁ ଆରମ୍ଭ କରେ । ମାତ୍ର, ବାଡ଼ ଉଠାଇବା ତାଙ୍କର କାମ ନୁହେଁ, ଆମର କାମ । ମାଆ ନିଜର ଭାଷାରେ ତାହାକୁ ଆମର choice ବୋଲି କହିଛନ୍ତି-। ଆମର choice ଏହି ଯାବତୀୟ ବାଡ଼କୁ ଉଠାଇ ଦିଏ । ଆମ ଭିତରେ ବହୁ ଅନିଚ୍ଛାରେ ବାଡ଼ ରହିଥାଏ । ବହୁ ସଙ୍କୋଚ ଓ ବହୁ ସନ୍ଦେହର ବାଡ଼ ରହିଥାଏ । ଆମ ଭିତରୁ ଯେଉଁମାନେ ଅଧିକ ପ୍ରଚଣ୍ଡ, ସେମାନେ କେବଳ ସମଗ୍ର ସଂସାରକୁ ନୁହେଁ, ସ୍ଵୟଂ ଭଗବାନଙ୍କୁ ମଧ୍ୟ ନିଜ ବାଡ଼ଟା ଭିତରେ ବାନ୍ଧି ରଖିବାକୁ ମନ କରୁଥାନ୍ତି । ରୂପରେ, ଧନରେ, ବଳରେ ଓ ଯଶରେ ବଡ଼ ହୋଇ ରହିବାକୁ ଆଣ୍ଟ କରିଥାନ୍ତି । ସେହି ଆଣ୍ଟ ଓ ଅହଂକାରର ମହାଯଜ୍ଞରେ ସେମାନେ ଭଗବାନଙ୍କର ସାହାଯ୍ୟ ଚାହୁଁଥାନ୍ତି ବୋଲି ଭଗବାନଙ୍କୁ ମଧ୍ୟ ତୁଚ୍ଛା ବାଡ଼ଗୁଡ଼ାକ ଭିତରେ ବାନ୍ଧିରଖିବାକୁ ଓ କିଳି ରଖିବାକୁ କେତେ ଉପଚାର ଓ ଉପଦ୍ରବ କରିବାକୁ ମନ କରୁଥାନ୍ତି । ଆମ ପୃଥିବୀରେ ଗୋଳ ଲଗାଇ ରଖିଥାନ୍ତି, ପୃଥିବୀଟାକୁ ଭାରି ଗୋଳିଆ କରି ରହିଥାନ୍ତି । ସେମାନେ କାହାରି ହୋଇପାରନ୍ତି ନାହିଁ । ଭଗବାନଙ୍କର ହୋଇପାରିବା ତ ଅଧିକ ଦୂରର କଥା । ବାଡ଼ଗୁଡ଼ାକୁ ସାହସ କରି ଉଠାଇ ପାରିଲେ ଯାଇ ଭଗବାନଙ୍କର ହେବା ସମ୍ଭବ ହୁଏ, ଏବଂ ଭଗବାନଙ୍କର ହୋଇପାରିଲେ ମଣିଷ ସମଗ୍ର ପୃଥିବୀର ମଧ୍ୟ ହୋଇଯାଏ । ତେଣିକି ଏହି ପୃଥିବୀ ଭାରି ଭଲ ଲାଗେ । ଏହି ପୃଥିବୀରେହିଁ ଯଥାର୍ଥ ବାଟଟି ସିଧା ଓ ସହଜ ହୋଇ ଦିଶିଯାଏ । ପୃଥିବୀର ମଣିଷମାନେ ଭଲ ଲାଗନ୍ତି । ତାଙ୍କରି କଳାରେ ଆମେ ଯୁଆଡ଼େ ଆଖି ପକାଉ, ସିଆଡ଼େ କେବଳ ତାହାଙ୍କୁହିଁ ଦେଖୁ । ଏହିପରି ଭାବରେହିଁ ଜଣେ ମଣିଷ ଭିତରେ ନବଯୁଗର ମୂଳଟିଏ ପଡ଼ିଯାଏ । ପୁରୁଣା ସଂସାରରେ ନୂଆ ନିମନ୍ତେ ସେଇ ବିହନ ହୋଇ ବାହାରେ ।

 

ଏହି ବିହନମାନେ ହେଉଛନ୍ତି ନବଯୁଗକୁ ଅଭିମନ୍ତ୍ରିତ କରି ଆଣିବା ଲାଗି ସର୍ବପ୍ରଥମ ପାହାଚ । ଆସ୍ଥାନଟି ତିଆରି ନ ହେଲେ ଏହି ପୃଥିବୀକୁ ନୂଆ ଯୁଗ ଆସିବ ବା କିପରି ? ତେଣୁ ବିହନମାନେହିଁ ଆସନ ହେବେ, ବିହନମାନେହିଁ ନୂତନ ଫସଲ ଆଡ଼କୁ ବାଟ କାଢ଼ି ନେବେ । ବର୍ତ୍ତମାନର ପୃଥିବୀ ସେହି ସମ୍ମତ ବିହନମାନଙ୍କ ଲାଗି ଅପେକ୍ଷା କରି ରହିଛି । ବିହନମାନେ କେବଳ ନୂଆ କଥା କହିବେ ନାହିଁ, ସେମାନେ ସେହି ନୂଆ କଥାଟିକୁ ନିଜ ଜୀବନରେ ବଞ୍ଚିବେ । ନୂଆ କଥାଟିକୁ ଜୀବନରେ ଅଧିକ ସାର୍ଥକ ଭାବରେ ବଞ୍ଚିପାରିବା ଲାଗି ସେମାନେ ପରସ୍ପରକୁ ସାହାଯ୍ୟ କରିବେ । ପାଠଚକ୍ର, ବିଦ୍ୟାଳୟ, ରାଜନୀତି ଅଥବା ଆଉ ଯେଉଁଠାରେ ରହିଥାନ୍ତୁ ପଛକେ, ସେମାନେ ପରସ୍ପରକୁ ମୋଟେ ଦ୍ଵେଷ କରିବେ ନାହିଁ, ହିଂସା କରିବେ ନାହିଁ । ସେମାନେ ପରସ୍ପରକୁ ଉତ୍ସାହ ଦେବେ । ସବଳ ଅଳ୍ପବଳକୁ ଉତ୍ସାହ ଦେବ । ଜ୍ୟେଷ୍ଠ କନିଷ୍ଠକୁ ଉତ୍ସାହ ଦେବ, ବେଶି ଦେଖିଥିବା ମଣିଷଟିଏ ଅପେକ୍ଷାକୃତ ଅଳପ ଦେଖିଥିବା ଆଉ ଜଣେ ମଣିଷକୁ ଉତ୍ସାହ ଦେବ-। ଏହିପରି ଏକ ପୂର୍ଣ୍ଣ ସହାନୁଭୂତିର ଅନ୍ୟ ନାମ ହେଉଛି ଆତ୍ମୀୟତା । ବିହନମାନେ ସେହି ଆତ୍ମୀୟତାକୁହିଁ ସାମୂହିକ ଜୀବନର ସକଳ କ୍ଷେତ୍ରରେ ସମ୍ବନ୍ଧର ଅସଲ ନିର୍ଣ୍ଣାୟକରୂପେ ଗ୍ରହଣ କରିନେବେ । ପରସ୍ପର ଲାଗି ସେମାନେ ସହଚାରୀ ଓ ସହାୟକ ବନ୍ଧୁ ହୋଇ ରହିବେ; ଜନନୀ ହୋଇ ରହିବେ । ଯୋଉ ଯୁଗଟି ଆସୁଛି, ଏହି ପୁରୁଣା ଭିତରେ ମଧ୍ୟ ସେମାନେ ସେହି ଯୁଗଟିର ସନ୍ତକ ହୋଇ ରହିବେ । ସେହିମାନକୁ ଦେଖିହିଁ ଅବଶିଷ୍ଟ ଜଗତ ପରବର୍ତ୍ତୀ ନୂତନ ଯୁଗଟିର ଏକ ଚାକ୍ଷୁଷ କଳନା କରିପାରିବ ଓ ସେହି ଆଡ଼କୁ ଆକୃଷ୍ଟ ହେବ ।

 

ନବଯୁଗ ଭିତରକୁ ପଡ଼ିଥିବା ପାହାଚଗୁଡ଼ିକୁ ଆମେ ଏହିପରି ଭାବରେ ଅତିକ୍ରମ କରିଯିବା ଓ ନବଯୁଗ ମଧ୍ୟରେ ପ୍ରବେଶ କରିପାରିବା । ଆମେ ଯେ ସତକୁସତ ସେହି ନୂତନ ଯୁଗ ଭିତରକୁ ପ୍ରବେଶ କରିବାକୁ ରାଜି ଅଛୁ ଓ ସେଥିଲାଗି ସବାଆଗ ଆତ୍ମୀୟତାଦ୍ଵାରା ଉଦ୍‌ବୁଦ୍ଧ ହୋଇ ପରସ୍ପରକୁ ଅଗ୍ରସର କରାଇ ନେବାକୁ ରାଜି ଅଛୁ, ଆମର ମନ୍ଦିର ଆମ ଲାଗି ତାହାରି ସଚଳ ଉତ୍‌ପ୍ରେରକ ହୋଇ ରହିବ । ତାହା ଆମ ସଂକଳ୍ପର ସନ୍ତକ ହୋଇ ରହିବ । ଆମ ଅଭୀପ୍ସାର ମୂର୍ତ୍ତିମନ୍ତ ନିତ୍ୟସାକ୍ଷୀ ହୋଇ ରହିବ । ଆମ ନିତ୍ୟ-ଦିନର ନିତ୍ୟ-ଉଦ୍ୟମର ସାଥୀ ହୋଇ ରହିବ । ତେଣୁ ଆମେ ସେହି ମନ୍ଦିରଟିକୁ ଦେହାବଶେଷ ବୋଲି କହିବା ନାହିଁ, ସମାଧିଟିଏ ବୋଲି ତ କହିବା ନାହିଁ, କଦାପି କହିବା ନାହିଁ । ତାହାକୁ Relics ବୋଲି ମୋଟେ କହିବା ନାହିଁ । Aspiration embodied ବୋଲି କହିବା; ଆମର Devotionକୁ ଅଧିକରୁ ଅଧିକ embodied ହୋଇ ରହିବାପାଇଁ ପ୍ରତିଦିନ ଆମ ଆଖିରେ ଆଖି ମିଳାଇ ପାରୁଥିବା ଓ ଏକାବେଳେକେ ଆମର ଅନ୍ତରଯାଏଁ ପ୍ରବେଶ କରି ପାରୁଥିବା ସବଳ ଉତ୍‌ପ୍ରେରକଟିଏ ବୋଲି କହିବା । ଯାହା ଚାଲିଗଲା, ତାହାର ମୋଟେ ନୁହେଁ, ଯାହା ଆସୁଛି ଓ ଆସିବାର ସେହି ପ୍ରକ୍ରିୟାରେ ଆମକୁ ନିମିତ୍ତରୂପେ ମାଆଙ୍କ ଭାଷାରେ Collaborator ରୂପେ ବାଛି ନେଇଛି, ଆମ ମନ୍ଦିର ଆମ ଲାଗି, ଆମ ଭିତରେ ଆମକୁ ପରସ୍ପର ସହିତ ଉଦ୍ୟମ ଓ ଉଲ୍ଲାସର ଖିଅରେ ବାନ୍ଧି ରଖିବା ସେହି ନିତ୍ୟୋଦାର ବନ୍ଧୁଟି ତାହାର ପ୍ରତୀକ ହୋଇ ରହିବ, ସେହି ବନ୍ଧୁ ପାଖରେ ଆମେ କୃତଜ୍ଞ ହୋଇ ରହିବା ।

 

ସେହି ପ୍ରତୀକ ଆମକୁ ସତତ ଗତିଶୀଳ କରି ରଖିଥିବ, ପୃଥିବୀରେ ତାଙ୍କର କାର୍ଯ୍ୟ ଲାଗି ସ୍ନେହଶୀଳ କରି ରଖିବ, ଶ୍ରଦ୍ଧାରେ ତଥା ସଂକଳ୍ପରେ ତାଙ୍କର ଅଧିକ ନିକଟବର୍ତ୍ତୀ ହେଉ ହେଉ ପ୍ରତୀକଟି ଆମ ଲାଗି କ୍ରମଶଃ ଜୀବନ୍ତ ହୋଇ ଉଠିବ । ଆମେ ସେଇଟିକୁ ଦେଖିପାରିବା, ସତକୁସତ ଛୁଇଁ ପାରିବା, ନିଜ ଭିତରେ ଏବଂ ବାହାରେ ସାନ ଓ ବଡ଼ ସକଳ କାର୍ଯ୍ୟରେ ପ୍ରାତ୍ୟହିକ ସକଳ ସମ୍ବନ୍ଧରେ ତାହାକୁ ଆଘ୍ରାଣ କରିପାରିବା, ତାହାକୁ ବହନ କରି ବାଟ ଚାଲୁଥିବା ପରି ଅନୁଭବ କରିପାରିବା, ତେବେ ଯାଇ ନବଯୁଗ ଆମ ଦୁଆର ପାଖରେ ଆସି ଠିଆହୋଇଛି ବୋଲି ଅନୁବଭ କରିବା । ଇତିହାସରେ ନୂଆ ଯୁଗ ବିଷୟରେ ବଡ଼ମାନେ କେତେକଅଣ କହିଛନ୍ତି; କେତେ ଗ୍ରନ୍ଥରେ କେତେକଅଣ ଲେଖା ହୋଇଛି । ନୂଆ ଜୀବନରେ ଲୋଭରେ କେତେ ସିଦ୍ଧକାମୀ ବରିଷ୍ଠ ସଂସାର ଛାଡ଼ି ଅରଣ୍ୟକୁ ପଳାଇ ଯାଇଛନ୍ତି । ଆମେ ପଳାଇଯିବା ନାହିଁ, ସଂକଳ୍ପଗୁଡ଼ିକୁ ସୁନାରେ ରୁପାରେ ପୋତିପକାଇବା ନାହିଁ । ଆମେ ସମ୍ବନ୍ଧ ଯୋଡ଼ିବା, ତାଙ୍କ ସହିତ ସମ୍ବନ୍ଧ ଯୋଡ଼ିବା, ପରସ୍ପର ସହିତ ସମ୍ବନ୍ଧ ଯୋଡ଼ିବା; ପରସ୍ପରକୁ ସାଙ୍ଗରେ ନେବା–ତେବେଯାଇ ବିହନ ହୋଇପାରିବା ।

 

‘ନବଯୁଗ’, ଶ୍ରୀ ଅରବିନ୍ଦ ପାଠଚନ୍ଦ୍ର, ଇନ୍ଦ୍ରାବତୀ, ୧୯୯୧

Image